ହିନ୍ଦୁଧର୍ମର ଚାରିଧାମ ମଧ୍ୟରେ ଅନ୍ୟତମ From Wikipedia, the free encyclopedia
ଜଗନ୍ନାଥ ମନ୍ଦିର (ବଡ଼ଦେଉଳ, ଶ୍ରୀମନ୍ଦିର ନାମରେ ମଧ୍ୟ ଜଣା) ଓଡ଼ିଶାର ପୁରୀ ସହରର ମଧ୍ୟଭାଗରେ ଅବସ୍ଥିତ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ପୂଜିତ ହେଉଥିବା ଏକ ପୁରାତନ ଦେଉଳ । ଓଡ଼ିଶାର ସଂସ୍କୃତି ଏବଂ ଜୀବନ ଶୈଳୀ ଉପରେ ଏହି ମନ୍ଦିରର ସବିଶେଷ ସ୍ଥାନ ରହିଛି । କଳିଙ୍ଗ ସ୍ଥାପତ୍ୟ କଳାରେ ନିର୍ମିତ ଏହି ଦେଉଳ ବିଶ୍ୱର ପୂର୍ବ-ଦକ୍ଷିଣ (ଅଗ୍ନିକୋଣ)ରେ ଭାରତ, ଭାରତର ଅଗ୍ନିକୋଣରେ ଓଡ଼ିଶା, ଓଡ଼ିଶାର ଅଗ୍ନିକୋଣରେ ଅବସ୍ଥିତ ପୁରୀ, ପୁରୀର ଅଗ୍ନିକୋଣରେ ଶ୍ରୀବତ୍ସଖଣ୍ଡଶାଳ ରୀତିରେ ନିର୍ମିତ ବଡ଼ଦେଉଳ ଏବଂ ବଡ଼ଦେଉଳର ଅଗ୍ନିକୋଣରେ ରୋଷଶାଳା, ଯେଉଁଠାରେ ମନ୍ଦିର ନିର୍ମାଣ କାଳରୁ ଅଗ୍ନି ପ୍ରଜ୍ଜ୍ୱଳିତ ହୋଇଥାଏ । ଏହା ମହୋଦଧିତୀରେ ଥିଲେ ହେଁ ଏଠାରେ କୂଅ ଖୋଳିଲେ ଲୁଣପାଣି ନ ଝରି ମଧୁରଜଳ ଝରିଥାଏ।[ଆଧାର ଲୋଡ଼ା] ୧୯୭୫ ମସିହାରେ ଶ୍ରୀମନ୍ଦିରକୁ ଜାତୀୟ କୀର୍ତ୍ତି ରୂପେ ଘୋଷଣା କରାଯାଇଛି ।
ଜଗନ୍ନାଥ ମନ୍ଦିର | ||||||||
---|---|---|---|---|---|---|---|---|
| ||||||||
Religion | ||||||||
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ | |||||||
District | ପୁରୀ | |||||||
Governing body | ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି, ପୁରୀ | |||||||
Location | ||||||||
ସ୍ଥାନ | ପୁରୀ | |||||||
Country | ଭାରତ | |||||||
Architecture | ||||||||
Type | କଳିଙ୍ଗ ସ୍ଥାପତ୍ୟ କଳା | |||||||
ଚୋଡ଼ଗଙ୍ଗ ଦେବ | ||||||||
Elevation | 65 m (213 ft) | |||||||
Website | ||||||||
http://jagannath.nic.in/ |
ଚାରି ଧାମବଦ୍ରୀନାଥ • ରାମେଶ୍ଵରମ ଦ୍ଵାରକା • ପୁରୀ |
---|
ଦ୍ୱାଦଶ ଶତାବ୍ଦୀରେ ଗଙ୍ଗ ବଂଶର ରାଜା ଅନଙ୍ଗବର୍ମା ଚୋଡ଼ଗଙ୍ଗ ଦେବ ବର୍ତ୍ତମାନ ବଡ଼ଦାଣ୍ଡ ପତନଠାରୁ ୨୧୪ ଫୁଟ ୮ ଇଞ୍ଚ ଉଚ୍ଚତା ବିଶିଷ୍ଟ ଶ୍ରୀମନ୍ଦିର କାର୍ଯ୍ୟ ଆରମ୍ଭ କରିଥିଲେ ଓ ଅନଙ୍ଗ ଭୀମଦେବ ଏହି କାର୍ଯ୍ୟକୁ ସମ୍ପୂର୍ଣ୍ଣ କରି ଶ୍ରୀବିଗ୍ରହମାନଙ୍କୁ ଅଧିଷ୍ଠିତ କରାଇଥିଲେ। ଏହା ଦଶ ଏକର ଆୟତନ ବିଶିଷ୍ଟ ଜମି ଉପରେ ଅବସ୍ଥିତ । ୧୪୫୨ ଖ୍ରୀଷ୍ଟାବ୍ଦରେ ଗଜପତି କପିଳେନ୍ଦ୍ର ଦେବ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ମେଘନାଦ ପାଚେରୀର ନିର୍ମାଣ କରାଇଥିଲେ । ଏହାର ଦୈର୍ଘ୍ୟ ୬୬୫ ଫୁଟ ଓ ପ୍ରସ୍ଥ ୬୪୦ ଫୁଟ, ଉଚ୍ଚତା ୨୨ ଫୁଟ ଓ ସ୍ଥାନେ ସ୍ଥାନେ ୨୦ରୁ ୨୪ ଫୁଟ ଉଚ୍ଚତା ମଧ୍ୟ ରହିଥିବା ଦେଖାଯାଇଛି। ମେଘନାଦ ପାଚେରି ପରେ କୂର୍ମ ବେଢାର ଦୈର୍ଘ୍ୟ ୪୨୦ ଫୁଟ,୩୫୦ ଫୁଟ ପ୍ରସ୍ଥ ଓ ୨୦ ଫୁଟ ଉଚ୍ଚତାରେ ନିର୍ମିତ ହୋଇଛି।
ଶ୍ରୀମନ୍ଦିରର ଶୋଭା ନୀଳଚକ୍ର ବୃଦ୍ଧି କରୁଛି ଓ ଏହା ଉପରେ ପତିତପାବନ ବାନା ଫର ଫର ହୋଇ ଉଡି ଅଗଣିତ ଭକ୍ତ, ପାପୀ ତପୀଙ୍କୁ ନିଜ ପାଖକୁ ଟାଣି ଆଣି ଅଭୟ ଦେଉଛି ଓ ଶରଣ ପଞ୍ଜର ନାମକୁ ସାର୍ଥକ କରୁଛି।[1]
ବର୍ତ୍ତମାନର ଶ୍ରୀମନ୍ଦିର ଗଙ୍ଗବଂଶୀୟ ରାଜା ଚୋଡ଼ଗଙ୍ଗଙ୍କଦ୍ୱାରା ନିର୍ମିତ ଓ ଏହା ଏକାଦଶ ଶତାବ୍ଦୀର ବିଷୟ । ଏଥିପୂର୍ବରୁ ଶ୍ରୀମନ୍ଦିରର ନାଭିକଟା ମଣ୍ଡପ ଓ ଶ୍ରୀଜଗନ୍ନାଥଙ୍କ ପାଦୁକାନଳା ମଧ୍ୟବର୍ତ୍ତୀ ସ୍ଥାନରେ ଦକ୍ଷିଣାଭିମୂଖୀ ଭାବେ ଅବସ୍ଥିତ ଥିବା ଜଣାଯାଏ । ଉକ୍ତ ମନ୍ଦିରର କଳା ଓ ଭାସ୍କର୍ଯ୍ୟ ଖ୍ରୀଷ୍ଟୀୟ ଦ୍ୱିତୀୟ କିମ୍ବା ତୃତୀୟ ଶତକର ବୋଲି କେହି କେହି ପ୍ରତ୍ନତାତ୍ତ୍ୱିକ ପରିଦୃଶ୍ୟମାନ ଭଗ୍ନ ମନ୍ଦିରର ମୂଳଭିତ୍ତିରୁ ଅନୁମାନ କରନ୍ତି । ଏହି ମନ୍ଦିରର ମୂଳଭିତ୍ତି ଉପରେ ବର୍ତ୍ତମାନ ଅମୁହିଁ ଦେଉଳ ବା ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ଅବସ୍ଥିତ । ବର୍ତ୍ତମାନ ମଧ୍ୟ ଏହି ମନ୍ଦିରର ମୁଖ ଶ୍ରୀଜଗନ୍ନାଥଙ୍କ ବାହାର ଗମ୍ଭୀରା ବା ଜଗମୋହନ ଦିଗକୁ ରହିଛି । ପୂର୍ବ ଦିଗସ୍ଥ ଜୟବିଜୟ ଦ୍ୱାର ବ୍ୟତୀତ ଭକ୍ତ ଗମ୍ଭୀରାକୁ ଗମନାଗମନର ଅପର ଏକ ଦ୍ୱାର ଦକ୍ଷିଣାଭିମୁଖରେ ଅବସ୍ଥିତ । ବେଢ଼ା ମଧ୍ୟରୁ ଭକ୍ତ ଦ୍ୱାର ଦେଇ ପ୍ରବେଶ କରିବାକୁ ହେଲେ ଦ୍ୱାରଦେଶରେ ପହଞ୍ଚିବାନିମନ୍ତେ କେତୋଟି ପାହାଚ ଚଢ଼ିବାକୁ ପଡେ । ଉକ୍ତ ପାବଚ୍ଛ ଶ୍ରେଣୀର ଉଭୟ ପାର୍ଶ୍ୱରେ ଦୁଇଟି ସିଂହମୂର୍ତ୍ତି ବିଦ୍ୟମାନ । ତେଣୁ ଏହାକୁ ଏକ ସିଂହଦ୍ୱାର କୁହାଯାଇପାରେ । ଦ୍ୱାର ପ୍ରବେଶ ପଥର ପୂର୍ବରେ ମାଜଣା ମଣ୍ଡପ ଓ ପଶ୍ଚିମରେ ଦକ୍ଷିଣି ଘର ଅବସ୍ଥିତ । ଭକ୍ତ ପ୍ରବେଶ ପଥର ଅନତି ଦୂରର ଦକ୍ଷିଣରେ ମୁକ୍ତିମଣ୍ଡପ, ଯେଉଁ ସ୍ଥାନରେ କି ଝୁଲଣଯାତ୍ରା ଅନୁ ଷ୍ଠିତ ହୋଇଥାଏ । ମୁକ୍ତି ମଣ୍ଡପର ପଶ୍ଚିମ ଦିଗରେ ଶ୍ରୀନୃସିଂହ ମନ୍ଦିର ବା ପୁରୁଷୋତ୍ତମ ମନ୍ଦିର ଏବଂ ପୂର୍ବ ଦିଗରେ କ୍ଷେତ୍ରପାଳ ମନ୍ଦିର ରହିଛି । କ୍ଷେତ୍ରପାଳ ମନ୍ଦିରର ମୁଖ ଦକ୍ଷିଣ ଦିଗକୁ ଏବଂ ଏହି ମନ୍ଦିରରେ ଶକ୍ତି ଯୁକ୍ତ ଶିବଲିଙ୍ଗ ପୂଜା ପାଉଥିଲେ ମଧ୍ୟ ବିଗ୍ରହର ପଶ୍ଚାତ ଭାଗର ଭିତ୍ତିଚିତ୍ର ଶିବଙ୍କର ନହୋଇ ଭୈରବ ନାମରେ ଅଭିହତି । ମନ୍ଦିରର ତିନି ପାର୍ଶ୍ୱରେ କାର୍ତ୍ତିକ, ପାର୍ବତୀ ଓ ଗଣେଶଙ୍କ ପରିବର୍ତ୍ତେ ନୃମୁଣ୍ଡମାଳିନୀ ଖଡ୍ଗଧାରିଣୀ ଭୈରବୀ ମୂର୍ତ୍ତିମାନ ରହିଛନ୍ତି । ଏଥି ମଧ୍ୟରୁ ପୂର୍ବ ପାର୍ଶ୍ୱଗଢା ଭୈରବୀ କୁତାମଚଣ୍ଡୀ ରୂପେ ସର୍ବଜନ ପରିଚିତା ଓ ଆରାଧିତା ଅଟନ୍ତି । ମନ୍ଦିରର ପୂର୍ବଦିଗରେ ଅନନ୍ତଶୟନ ବାସୁଦେବ, ଦକ୍ଷିଣ ପଶ୍ଚିମ କୋଣରେ ମୁକ୍ତେଶ୍ୱର ମହାଦେବ, ପଶ୍ଚିମରେ ମୁକ୍ତିମଣ୍ଡପ ଏବଂ ଉତ୍ତର ଦିଗରେ ସୂର୍ଯ୍ୟ ପୂଜା ମଣ୍ଡପାଦିଦ୍ୱାରା ପରିବେଷ୍ଟିତ ରହି ଏକ ପ୍ରକାର ଅବହେଳିତ ତଥା ଲୋକଲୋଚନର ଅଗୋଚରରେ ରହିଛି ।
କିମ୍ବଦନ୍ତୀ ମତେ ଭାନୁଦେବ ନାମରେ ଜଣେ ନିଃସନ୍ତାନ ରାଜା ଜମ୍ବେଶ୍ୱରଙ୍କୁ ଆରାଧନା କରି ସୁନ୍ଦର ପୁତ୍ର ସନ୍ତାନଟିଏ ଲାଭକଲେ । ଜାତକ ତିଆରି କଲାବେଳେ ରାଜା ଜାଣିଲେ ତାଙ୍କ ପୁତ୍ରର ଆୟୁଷ କେବଳ ୨୨ବର୍ଷ । ପୁତ୍ରର ଅଳ୍ପାୟୁ ବାବଦରେ ଅବଗତ ହୋଇ ରାଜା ଭାନୁଦେବ ପୁନଶ୍ଚ ଜମ୍ବେଶ୍ୱରଙ୍କୁ ଆରାଧନା କଲେ। ଜମ୍ବେଶ୍ୱର ରାଜାଙ୍କ ଭକ୍ତିରେ ସନ୍ତୁଷ୍ଟ ହୋଇ ଶ୍ରୀମନ୍ଦିର ଭିତରେ ବାଇଶି ପାହାଚ ନିର୍ମାଣ କରିବାକୁ ଆଜ୍ଞା ଦେଲେ । ରାଜା ବାଇଶି ପାହାଚ ନିର୍ମାଣ କରି ତାଙ୍କ ସନ୍ତାନର ଆୟୁ ବୃଦ୍ଧି ପାଇଁ ସେହି ବାଇଶି ପାହାଚରେ ଗଡ଼ାଇ ଦେଇଥିଲେ । ଶ୍ରଦ୍ଧାଳୁମାନେ ସେଥିପାଇଁ ନିଜ ନିଜ ପିଲାମାନଙ୍କର ଆୟୁଷ ବୃଦ୍ଧି ନିମନ୍ତେ ବାଇଶି ପାହାଚରେ ଗଡ଼ାଇ ଦେଇଥାନ୍ତି ।
ମୁଖ୍ୟ ଦେଉଳଟି ପଞ୍ଚରଥ ଶୈଳୀରେ ନିର୍ମିତ । ଦେଉଳ ଚାରିପଟେ "ମେଘନାଦ ପାଚେରୀ" (୬୬୫ଫୁଟ ଦୈର୍ଘ୍ୟ, ୬୪୦ଫୁଟ ପ୍ରସ୍ଥ ଓ ୨୦ରୁ ୨୪ଫୁଟ ଉଚ୍ଚତା) ରହିଛି ।[2] ମେଘନାଦ ପାଚେରୀ ଭିତର ପଟେ "କୂର୍ମ ପାଚେରୀ" (୪୨୦ଫୁଟ ଦୈର୍ଘ୍ୟ ଓ ୩୧୫ଫୁଟ ପ୍ରସ୍ଥ) ନାମକ ଆଉ ଏକ ପାଚେରୀ ରହିଛି ।[3] କୂର୍ମପାଚେରୀ ମଝିରେ ଥିବା "କୂର୍ମବେଢ଼ା" ମଝି ଭାଗରେ ବଡ଼ଦେଉଳ । ଦେଉଳଟି ଚାରି ଭାଗରେ ବିଭକ୍ତ:
ରତ୍ନସିଂହାସନ (ଜଗତି ଓ ରତ୍ନବେଦୀ ନାମରେ ମଧ୍ୟ ଜଣା) ଚତୁର୍ଦ୍ଧାମୂର୍ତ୍ତିଙ୍କ ଅଧିଷ୍ଠିତ ହୋଇଥିବା ଜଗତି/ବେଦୀ । ଏଥିରେ ମୋଟ ୭ ଜଣ ଠାକୁର ବିଜେ କରିଛନ୍ତି:
ଶ୍ରୀମନ୍ଦିର ଗର୍ଭଗୃହର ଆକାର ଉଭୟ ଲମ୍ବ ଓ ପ୍ରସ୍ଥରେ ୩୦ ଫୁଟ ଲେଖାଁଏ ଓ ଉଚ୍ଚତା ୪୮ ଫୁଟ । ଗର୍ଭଗୃହରେ ପ୍ରତିଷ୍ଠିତ ରତ୍ନସିଂହାସନ (୧୬ଫୁଟ ଦୈର୍ଘ୍ୟ, ୧୩ଫୁଟ ପ୍ରସ୍ଥ ଓ ୪ଫୁଟ ଉଚ୍ଚତା ) ଉପରେ କାଷ୍ଠ ନିର୍ମିତ କନକ ମୁଣ୍ଡି ରହିଛି । ଜଗମୋହନର ଉଚ୍ଚତା ୧୦୦ ଫୁଟ। [5] କନକ ମୁଣ୍ଡିର ତଳେ ଏକ ବିରାଟ ଚାନ୍ଦୁଆ ଆବରଣ ହୋଇଛି । ଏହି ରତ୍ନବେଦୀ ଉପରେ ତିନୋଟି କଳା ମୁଗୁନି ପ୍ରସ୍ତରର ଚକା ରହିଛି, ଯାହା ଉପରେ ଚତୁର୍ଦ୍ଧା ଦାରୁମୁର୍ତ୍ତି ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନ ଅଧିଷ୍ଠିତ ହୋଇଛନ୍ତି । ଚତୁର୍ଦ୍ଧା ଦାରୁମୁର୍ତ୍ତିଙ୍କ ସହ ନୀଳମାଧବ ଏବଂ ଶ୍ରୀଦେବୀ (ଲକ୍ଷ୍ମୀଙ୍କ ସୁବର୍ଣ୍ଣ ମୁର୍ତ୍ତୀ) ଓ ଭୂଦେବୀ (ସରସ୍ୱତୀଙ୍କ ରୂପା ମୁର୍ତ୍ତି) ମଧ୍ୟ ରତ୍ନସିଂହାସନାସୀନ ।[6] ରତ୍ନସିଂହାସନ ଚାରିପଟେ ପରିକ୍ରମା କରିବା ପାଇଁ ବାଟ ଅଛି ।
ଶ୍ରୀମନ୍ଦିର ଭିତରକୁ ଯିବା ପାଇଁ ମେଘନାଦ ପାଚେରୀରେ ଚାରିଦିଗରେ ଚାରିଗୋଟି ଦ୍ୱାର ଅଛି ଓ ତନ୍ମଧ୍ୟରୁ ପୂର୍ବ ଦିଗର ଦ୍ୱାରଟି ମୁଖ୍ୟ, ଏହାକୁ ସିଂହଦ୍ୱାର କୁହାଯାଏ ।[7] ଏହାକୁ ଧର୍ମ ବା ମୋକ୍ଷ ଦ୍ୱାର ବୋଲି କୁହାଯାଏ । ହନୁମାନ ଏହାର ଦ୍ୱାରପାଳ ଅଟନ୍ତି । ମାଦଳା ପାଞ୍ଜି ଅନୁଯାୟୀ ରାଜା ମତଭାନୁ କପିଳେନ୍ଦ୍ର ଦେବଙ୍କ ୧୫ଅଙ୍କରେ ଏହି ସିଂହଦ୍ୱାର, ମେଘନାଦ ପାଚେରୀ, ବାହାର ବେଢ଼ା, ଦୁଇ ପାର୍ଶ୍ୱରେ ଦୁଇଟି ବୃହତ ସିଂହ ମୂର୍ତ୍ତି ସ୍ଥାପନା କରାଇଛନ୍ତି । ଗୋଲାକାର ସ୍ଥମ୍ଭ ସଂଲଗ୍ନିତ ଜୟ ବିଜୟ ମୂର୍ତ୍ତି ଓ ମୂର୍ତ୍ତି ଦୁଇଟି ପଛରେ ମୁଗୁନି ପ୍ରସ୍ତରର ଅନ୍ୟ ଦୁଇଟି ଜୟ ବିଜୟ ବିଗ୍ରହ ସିଂହଦ୍ୱାର (ମୂଖ୍ୟଦ୍ୱାର)ରେ ଲାଗି ରହିଛି, ଯାହାର ଉଚ୍ଚତା ଅଢେଇ ଫୁଟ ଓ ଚତୁର୍ଭୁଜ ବିଶିଷ୍ଟ ଅଟନ୍ତି । ଅନ୍ୟ ଦ୍ୱାର ଗୁଡ଼ିକ ହେଲା ବ୍ୟାଘ୍ର ଦ୍ୱାର (ପଶ୍ଚିମ ଦିଗର ଦ୍ୱାର), ହାତୀ ଦ୍ୱାର (ଉତ୍ତର ଦିଗର ଦ୍ୱାର) ଓ ଅଶ୍ୱଦ୍ୱାର (ଦକ୍ଷିଣ ଦିଗର ଦ୍ୱାର) ।[8] ମୁଖ୍ୟ ମନ୍ଦିର ସାମନାରେ ଜଗମୋହନ ଓ ମଝିରେ ପବିତ୍ର କଳାଘାଟ ଦ୍ୱାର । ନାଟମନ୍ଦିରରୁ ଜଗମୋହନକୁ ଯିବା ବାଟରେ ଥିବା ଦ୍ୱାର ହେଲା ‘ଜୟ-ବିଜୟ’ ଦ୍ୱାର । ଏହା ବ୍ୟତୀତ ବେହରଣ ଦ୍ୱାର, ସାତପାହାଚ ଦ୍ୱାର, ଧୁକୁଡି ଦ୍ୱାର, ପଣ୍ଡା ଦ୍ୱାର, ମୁଦୁଲି ଦ୍ୱାର ଓ ଘଣ୍ଟାଦ୍ୱାର ଆଦି ଅଛି ।
ବଡ଼ ଦେଉଳ ବେହରଣ ଦ୍ୱାରର ବାମପଟେ ରହିଛି ଦକ୍ଷିଣୀଘର । ଏହି ଦକ୍ଷିଣୀ ଘରକୁ ପୂର୍ବରୁ ବେହରଣ ବୋଲି କୁହାଯାଉଥଲା । ଏହା ଗଜପତି ମହାରାଜାଙ୍କ ଦେଉଳ କଚେରି ଥିଲା। ରାଜା ଦେଉଳ ଚଳାଉଥବା ବେଳେ ଏଠାରେ ଆସି କଚେରି କରୁଥଲେ । ଠାକୁରଙ୍କ ସକାଳ ପହଡ଼ ପର୍ଯ୍ୟନ୍ତ ନୀତି କରଣ ଓ ବ୍ରାହ୍ମଣମାନେ ଦେଖୁଥିଲେ । ଏହି ବ୍ରାହ୍ମଣ ଓ କରଣମାନେ ଆସି ସେହି ଶ୍ରେବହରଣକୋର ଦେଉଳକରଣଙ୍କୁ ଜଣାଉଥଲେ । ଦେଉଳକରଣ ସମସ୍ତ ତଥ୍ୟ ରାଜାଙ୍କ ପାଖେ ରଖୁଥିଲେ । ରାଜା ବଡ଼ଦେଉଳକୁ ଦକ୍ଷିଣ ଦ୍ୱାର ଦେଇ ପ୍ରବେଶ କରୁଥିଲେ । ଦକ୍ଷିଣ ଦ୍ୱାରରେ ପ୍ରବେଶ କରିବା ପରେ ମୁକ୍ତିମଣ୍ଡପ ଦେଇ ଠାକୁରଙ୍କ ଦର୍ଶନ କରିବା ପରେ ବେହରଣରେ ଆସି ବସୁଥିଲେ । ସେଠାରେ ଦେଉଳର ସବୁ ହିସାବନିକାଶ କରାଯାଉଥିଲା । କେଉଁ ସେବକଙ୍କର କି କି ସମସ୍ୟା ରହିଛି, କିଏ କି ଅସୁବିଧାରେ ପଡ଼ିଛି, ଠାକୁରଙ୍କ ରୀତିନୀତିର କିଛି ଅସୁବିଧା ରହିଛି କି, କିଏ କିଛି ଭୁଲ କରିଛି କି, କିଏ ଭଣ୍ଡ କାମ କରିଛି କି ନାଁ ନାହିଁ, ଏସବୁ ଅସୁବିଧାର ସମାଧାନ ସେଠାରେ ହେଉଥିଲା । କେହି କିଛି ଭୁଲ କରିଥିଲେ ଡାକୁଆଦ୍ୱାରା ତାଙ୍କୁ ଗଜପତି ଏହି ବେହରଣକୁ ଡକାଉଥିଲେ । ସେଠାରେ ଦଣ୍ଡବିଧାନ ମଧ୍ୟ ହେଉଥିଲା । ଅଧୁନା ଏହି ବେହରଣରେ କଚେରି ବସୁନାହିଁ । ରାଜାଙ୍କ ହାତରୁ ଦେଉଳ ଶ୍ରୀମନ୍ଦିର ପ୍ରଶାସନ ହାତକୁ ଯିବାପରେ ସେଠାରେ ବସି ସେବକମାନଙ୍କ ସମସ୍ୟା ଓ ଦେଉଳ ନୀତି ସମସ୍ୟା ସମ୍ପର୍କରେ ଆଉ ଆଲୋଚନା ହେଉନାହିଁ । ଏହା ଏବେ ବିଜେପ୍ରତିମାଙ୍କ ଆସ୍ଥାନ ଘର ହୋଇ ରହିଛି ।[9]
ଶ୍ରୀମନ୍ଦିର ଜଗମୋହନରେ ୧୦ଫୁଟ ଉଚ୍ଚତା ବିଶିଷ୍ଟ ଗରୁଡ଼ ସ୍ତମ୍ବ ଅଛି ।[10] ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ୩୩ଫୁଟ ୮ଇଞ୍ଚ ଉଚ୍ଚତା (ବେଦୀ: ୬ଫୁଟ, ସ୍ତମ୍ବ: ୨୫ଫୁଟ ୨ଇଞ୍ଚ, ଅରୁଣାସନ: ୨ଫୁଟ ୬ଇଞ୍ଚ) ବିଶିଷ୍ଟ ଅରୁଣସ୍ତମ୍ବ ଅଛି ।[11] ଅଷ୍ଟାଦଶ ଶତାବ୍ଦୀରେ ଦ୍ୱିତୀୟ ଦିବ୍ୟସିଂହଙ୍କ ରାଜତ୍ୱ କାଳରେ ଅରୁଣସ୍ତମ୍ବକୁ କୋଣାର୍କ ସୂର୍ଯ୍ୟ ମନ୍ଦିରରୁ ଅଣାଯାଇ ଏଠାରେ ସ୍ଥାପିତ କରାଯାଇଥିଲା ।[12]
ସିଂହଦ୍ୱାର ଗୁମୁଟରୁ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଅର୍ଥାତ କୁର୍ମବେଢ଼ା, ରୋଷଶାଳ, ଆନନ୍ଦ ବଜାର ଯିବା ପାଇଁ ଥିବା ବାଇଶି ଗୋଟି ପାହାଚ ବାଇଶି ପାହାଚ ନାମରେ ଜଣା । ବାଇଶି ପାହାଚ ବଉଳମାଳା ମାଙ୍କଡ଼ା ପଥରରେ ତିଆରି । ପାହାଚଗୁଡ଼ିକର ଓସାର ୬ଫୁଟ, ଲମ୍ବ ୭୦ଫୁଟ ଓ ଉଚ୍ଚତା ୬ଇଞ୍ଚରୁ ୭ଇଞ୍ଚ ମଧ୍ୟରେ ହେବ । ବାଇଶି ପାହାଚରେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦିଆଯାଏ ।[13] ଭକ୍ତମାନେ ବର୍ଷସାରା ବାଇଶି ପାହାଚ ବାଟଦେଇ ଶ୍ରୀଜୀଉମାନଙ୍କୁ ଦର୍ଶନ କରିବାକୁ ଯାଉଥିବା ବେଳେ ଆଷାଢ଼ ଶୁକ୍ଳ ଦ୍ୱିତୀୟା ଦିନ ଶ୍ରୀଜୀଉମାନେ ଶ୍ରୀମନ୍ଦିରର ରତ୍ନସିଂହାସନ ଛାଡ଼ି ବାଇଶି ପାହାଚ ବାଟ ଦେଇ ବଡ଼ଦାଣ୍ଡରେ ଥିବା ରଥକୁ ଆସିଥାନ୍ତି ।[14] ବାଇଶି ପାହାଚର ଅଧିଷ୍ଠାତ୍ରୀ ଦେବୀଗଣ ହେଲେ ମାୟା, ଚେତନା, ବୁଦ୍ଧି, ନିଦ୍ରା, କ୍ଷୁଧା, ଛାୟା, ତୃଷ୍ଣା, କ୍ଷାନ୍ତି, ଜାତି, ଲଜ୍ଜା, ଶାନ୍ତି, କାନ୍ତି, ବୃତ୍ତି, ସ୍ମୃତି, ଦୟା, ତୁଷ୍ଟି, ବିକ୍ରୀ, ମାତୃ, ଭ୍ରାନ୍ତି ଓ ପ୍ରଜ୍ଞା । ବିଶ୍ୱାସ ଅଛି ଯେ, ପ୍ରତ୍ୟେକ ମଣିଷ ୨୨ ପ୍ରକାର ପାପରୁ ମୋକ୍ଷ ନିମନ୍ତେ ୨୨ ପାହାଚ ଅତିକ୍ରମ କରିବା ଆବଶ୍ୟକ । ୨୨ ପାହାଚ ଯୋଗ ବିଦ୍ୟା ବର୍ଣ୍ଣିତ ୨୨ଟି ସ୍ତରର ପ୍ରତୀକ । ବାଇଶି ପାହାଚରେ ଦ୍ୱିତୀୟ ସୋପାନରେ ରହିଛି ଜମଶିଳା । ଶ୍ରଦ୍ଧାଳୁମାନେ ଏହି ଶିଳାକୁ ସ୍ପର୍ଶ କରି ଜଗନ୍ନାଥଙ୍କୁ ଦର୍ଶନ କଲେ ଅକାଳ ମୃତ୍ୟୁ ହୁଏ ନାହିଁ ଓ ସମସ୍ତ ପାପ ନାଶ ହୋଇ ଜୀବ ବୈକୁଣ୍ଠଗାମୀ ହୁଏ ବୋଲି ଲୋକ ବିଶ୍ୱାସ ରହିଛି ।[15]
ଶ୍ରୀମନ୍ଦିର ରୋଷ ଘରେ ସ୍ୱତ୍ତ୍ୱଲିପି ମୁତାବକ ୨୪୦ଟି ଚୂଲି ଅଛି ଓ ସେଥିମଧ୍ୟରୁ ଚୂଲି କୋଠ ଭୋଗ ଚୂଲି ରୂପେ ପରିଚିତ। ଶ୍ରୀମନ୍ଦିରରେ ବିରାଜିତ ଶ୍ରୀବିଗ୍ରହମାନଙ୍କ ଉଦ୍ଦେଶ୍ୟରେ ନାନାଦି ନୈବେଦ୍ୟ ଭୋଗ ଲାଗି କରାଯାଇଥାଏ । ସେଥି ମଧ୍ୟରୁ ଦୁଇଟି ପ୍ରମୁଖ ନୈବେଦ୍ୟ ହେଉଛି ବଲ୍ଲଭ ଭୋଗ ଓ ସକାଳ ଧୂପ।
ଶ୍ରୀମନ୍ଦିରର ପରମ୍ପରା ଅନୁଯାୟୀ ଭୋଗରେ ଦେଶୀଆଳୁ, କଖାରୁ, କଞ୍ଚା କଦଳୀ, ପଣସ, ମୂଳା, ପୋଟଳ, ଶିମ୍ବ, କାଙ୍କଡ଼, ଜହ୍ନି, ବାଇଗଣ, ସାରୁ, କନ୍ଦମୂଳ, ଅଦା, ଧନିଆପତ୍ର, ନଡ଼ିଆ ପ୍ରଭୃତି ଡାଲମା ଓ ତରକାରୀ ଇତ୍ୟାଦିରେ ବ୍ୟବହୃତ ହୋଇଥାଏ । କୋଶଳା, ଲେଉଟିଆ ଓ ଅଗସ୍ତି ଶାଗ ବ୍ୟତିତ ଅନ୍ୟ କୈଣସି ଶାଗ ଭୋଗରେ ବ୍ୟବହାର କରାଯାଏନାହିଁ ।
ଭୋଗ ପ୍ରସ୍ତୁତିରେ ତେଲ ବ୍ୟବହାର କରାଯାଏ ନାହିଁ, କେବଳ ଘିଅ ବ୍ୟବହୃତ ହୁଏ ।[16] ଜିରା, ଗୋଲମରିଚ, ଡାଲଚିନି, ବଡ଼ ଅଳେଇଚ, ହେଙ୍ଗୁ, ପାନମଧୁରୀ, ସୋରିଷ ଇତ୍ୟାଦି ବିଭିନ୍ନ ଭୋଗ ଦ୍ରବ୍ୟ ପ୍ରସ୍ତୁତିରେ ବ୍ୟବହାର ହୋଇଥାଏ ।
ଆନନ୍ଦବଜାରଠାରେ ଜାତି-ଧର୍ମ-ବର୍ଣ୍ଣ ନିର୍ବିଶେଷରେ ଭକ୍ତମାନେ ଏକାଠି ବସି ମହାପ୍ରସାଦ ସେବନ କରି ଥାଆନ୍ତି ।
ଜଗନ୍ନାଥ ମନ୍ଦିରରେ ଠାକୁରମାନଙ୍କୁ ପିନ୍ଧାଯିବା ସକାଶେ ବିଭିନ୍ନ ଅଳଙ୍କାର ରଖିବା ପାଇଁ ଦେଉଳ ତୋଳା ହେବା ବେଳେ ଏକ ରତ୍ନଭଣ୍ଡାରର ନିର୍ମାଣ କରାଯାଇଥିଲା । ବିଭିନ୍ନ ରାଜ୍ୟ ଜୟ କରିବା ସମୟରେ ସେଠାରୁ ମିଳିଥିବା ସୁନା, ରୂପା, ହୀରା, ଲୀଳା ଆଦି ରତ୍ନ ରାଜା-ମହାରାଜାମାନେ ଦେଉଳକୁ ଦାନ ଦେଉଥିଲେ । ଶହଶହ ବର୍ଷଧରି ରତ୍ନଭଣ୍ଡାରରେ ତାହା ସବୁ ତାଲାପଡ଼ି ରହିଆସିଛି । ୧୯୫୨ ଏବଂ ୧୯୭୮ ମସିହାରେ ରତ୍ନଭଣ୍ଡାରର ତିନିଟି ସିନ୍ଦୁକ ଖୋଲାଯାଇ ତାଲିକା ତିଆରି ନିମନ୍ତେ ସେଥିରୁ ଅଳଙ୍କାର ବାହାର କରାଯାଇଥିଲା । ଏହି ସମ୍ପୂର୍ଣ୍ଣ ତାଲିକା ତିଆରି କରାଯାଇ ପାରିନାହିଁ । କିଛି ଅଳଙ୍କାର ଭାରତୀୟ ରିଜର୍ଭ ବ୍ୟାଙ୍କରେ ଗଚ୍ଛିତ କରାଯାଇଥିଲା । ଆଉ କିଛି ଅଳଙ୍କାର ଠାକୁରଙ୍କ ଦୈନନ୍ଦିନ ଜଗନ୍ନାଥଙ୍କ ବେଶରେ ବ୍ୟବହାର ପାଇଁ ଭଣ୍ଡାରଘରେ ରଖାଯାଇଛି । ଅନେକ ଅଳଙ୍କାର ସମୟକ୍ରମେ ରକ୍ଷନାବେକ୍ଷଣା ବିନା ଭାଙ୍ଗିରୁଜି ଯାଇଛି । ରତ୍ନଭଣ୍ଡାରରେ ତିନିଟି ଚାବି ପଡ଼ିଛି ଯହିଁରୁ ଗୋଟେ ପୁରୀ ଗଜପତିଙ୍କ ପାଖରେ ଥିବା ବେଳେ ଅନ୍ୟ ୨ଟି ଶ୍ରୀମନ୍ଦିର ପ୍ରଶାସନ ଏବଂ ଭଣ୍ଡାର ମେକାପଙ୍କ ପାଖରେ ରହିଛି । ତିନୋଟି ଚାବି ଏକାଠି ହେଲେ ରତ୍ନଭଣ୍ଡାର ଖୋଲାଯାଇ ପାରିବ । ପ୍ରାୟ ୫୦ଟି ବଡ଼ ସିନ୍ଦୁକରେ ରହିଛି ବିଭିନ୍ନ ପ୍ରକାରର ମୂଲ୍ୟବାନ ଅଳଙ୍କାର ଭପୂର ହୋଇ ରହିଛି ବୋଲି ଜଣାଯାଏ । ପ୍ରତି ବର୍ଷ ହରିଶୟନ ଏକାଦଶୀ ତିଥିରେ ରଥ ଉପରେ ସୁନାବେଶ ବେଲେ, ଦୋଳପୂର୍ଣ୍ଣିମା, ବିଜୟାଦଶମୀ, ପୌଷ ପୂର୍ଣ୍ଣିମା ଏବଂ କାର୍ତ୍ତିକ ପୂର୍ଣ୍ଣିମା ଭଳି ତିଥିମାନଙ୍କରେ ରତ୍ନସିଂହାସନ ଉପରେ ଜଗନ୍ନାଥଙ୍କୁ ସୁନାବେଶ ବା ରାଜରାଜେଶ୍ୱର ବେଶ କରାଯାଏ । ସବୁଠାରୁ ଅଧିକ ସୁନାଗହଣା ହରିଶୟନ ଏକାଦଶୀ ତିଥିରେ ବ୍ୟବହାର ବ୍ୟବହାର ହୋଇଥାଏ । ଗଜଉଦ୍ଧାରଣ ବେଶ, ରଘୁନାଥ ବେଶ, ବଣଭୋଜି ବେଶ, କୃଷ୍ଣବଳରାମ ବେଶ, ରାଧା ଦାମୋଦର ବେଶ, ଲକ୍ଷ୍ମୀନାରାୟଣ ବେଶ, ବାଙ୍କଚୂଡା ବେଶ, ଆଡ଼କିଆ ବେଶ, ଲକ୍ଷ୍ମୀନୃସିଂହ ବେଶ, ବାମନ ବେଶ, ଚାଚେରୀ ବେଶ ଏବଂ ଚନ୍ଦନ ବେଶରେ ଜଗନ୍ନାଥଙ୍କୁ ଅଳଙ୍କାର ଆଭୂଷଣ କରାଯାଇଥାଏ । [18]
ମୁଖ୍ୟ ମନ୍ଦିର ତିନି ଦିଗରେ ରାହା ପାଗରେ ତିନି ମୁଖ୍ୟ ପାର୍ଶ୍ୱଦେବତାଙ୍କୁ ପ୍ରତିଷ୍ଠିତ କରାଯାଇଛି । ତନ୍ମଧ୍ୟରେ ବିମାନର ଉତ୍ତରରେ କଳା ମୁଗୁନି ପ୍ରସ୍ତର ନିର୍ମିତ ବାମନ ବା ତ୍ରିବିକ୍ରମ, ଦକ୍ଷିଣରେ ବରାହ ଓ ପଶ୍ଚିମରେ ନୃସିଂହ ରହିଛନ୍ତି । ଏହି ତିନି ବିଗ୍ରହଙ୍କ ନିମିତ୍ତ ତିନିଗୋଟି ଉଚ୍ଚ ମନ୍ଦିର ମଧ୍ୟ ନିର୍ମିତ ହୋଇଛି । ପ୍ରତ୍ନତତ୍ତ୍ୱବିତ୍ମାନେ ପୁରୀ ବଡ଼ଦେଉଳ ସଂଲଗ୍ନ ହୋଇ ତିନି ଦିଗରେ ଥିବା ଏହି ପାର୍ଶ୍ୱ ମନ୍ଦିରଗୁଡ଼ିକ ମୁଖ୍ୟ ମନ୍ଦିରର ଭାରସାମ୍ୟ ରକ୍ଷା କରିବାରେ ସହାୟକ ହେଉଥିବା ପ୍ରକାଶ କରିଥାନ୍ତି । ଏଥିସହ ମନ୍ଦିରରେ ଅଷ୍ଟ ଦିଗପାଳ, ଦଶ ଅବତାର ଓ ଅନ୍ୟ ବହୁ ଦେବ-ଦେବୀଙ୍କ ମୂର୍ତ୍ତି ଦେଖିବାକୁ ମିଳେ । ମୁଖ୍ୟ ମନ୍ଦିର ଭିତର ଓ ବାହାର ବେଢ଼ା ମଧ୍ୟରେ ଛୋଟ ବଡ଼ ପ୍ରାୟ ଶତାଧିକ ମନ୍ଦିର ଅଛି ।
ଶ୍ରୀଜଗନ୍ନାଥ ପତିତମାନଙ୍କୁ ଉଦ୍ଧାର କରୁଥିବାରୁ ତାଙ୍କର ଅନ୍ୟ ନାମ ପତିତପାବନ । ବିଶେଷ କରି ସିଂହଦ୍ୱାର ଗୁମୁଟ ଭିତରେ ଡାହାଣ ପଟରେ ଥିବା ପୂର୍ବାଭିମୁଖୀ ଜଗନ୍ନାଥ ମୂର୍ତ୍ତିଙ୍କୁ ପତିତପାବନ ବୋଲି କୁହାଯାଏ । ଯେଉଁମାନେ ଧର୍ମାନ୍ତର ହେଉଥିଲେ ସେମାନେ ମନ୍ଦିର ନ ଯାଇପାରି ଅରୁଣ ସ୍ତମ୍ଭରୁ ପତିତପାବନଙ୍କୁ ଦର୍ଶନ କରି ପାରୁଥିଲେ। ପରମ୍ପରା ଅନୁଯାୟୀ ପତିତପାବନଙ୍କର ଅଣସର ବିଧି, ଦୁଆର ଫିଟା, ମଙ୍ଗଳ ଆଳତୀ, ବିଭିନ୍ନ ବେଶ ପ୍ରମୁଖ କରାଯାଏ ।
ଗୁମୁଟର ପ୍ରବେଶ ମାର୍ଗରେ ବାମ ଭାଗରେ ଫତେ ହନୁମାନ, ରାଧାକୃଷ୍ଣ, ଗଣେଶ ଓ ଦୁର୍ଗାଙ୍କ ଚିତ୍ର ପ୍ରତିମା । ଫତେ ହନୁମାନ ସିଂହଦ୍ୱାର ଗୁମୁଟର କାନ୍ଥରେ ଏକ ଠଣା ସଦୃଶ କ୍ଷୁଦ୍ର ମନ୍ଦିରରେ ବିରାଜିତ । ପୂର୍ବ ଦିଗରୁ ଶ୍ରୀମନ୍ଦିର ସୁରକ୍ଷା କାର୍ଯ୍ୟରେ ଫତେ ହନୁମାନ ରହିଛନ୍ତି । ସେ ପୂର୍ବ ଦ୍ୱାରର ରକ୍ଷକ ଓ ପଞ୍ଚ ରାମାନନ୍ଦୀ ଖାଲସାଙ୍କ ଆରାଧ୍ୟ ଦେବତା।
ଆସି ବାଇଶି ପାହାଚରେ ଚଢ଼ି ଯିବା ମାତ୍ରେ ବାମ ପାର୍ଶ୍ୱରେ (ଦକ୍ଷିଣ ଦିଗରେ) କାଶୀ ବିଶ୍ୱନାଥ ପ୍ରାୟ ୧୫ଫୁଟ ଉଚ୍ଚତାର ମନ୍ଦିର ଯାହା ୧୬୧୧ ଖ୍ରୀଷ୍ଟାବ୍ଦରେ ବିଧିବଦ୍ଧ ଭାବେ ପ୍ରତିଷ୍ଟିତ ହୋଇଥିବା ଗବେଷକ ପଣ୍ଡିତ ସଦାଶିବ ରଥଶର୍ମା ମତ ପୋଷଣ କରିଛନ୍ତି । ଯୋଗଶାସ୍ତ୍ର ମତେ ବିଷ୍ଣୁ ଦର୍ଶନ ପୂର୍ବରୁ ଯୋଗେଶ୍ୱରଙ୍କୁ ଦର୍ଶନଙ୍କୁ କରିବାକୁ ପଡ଼ି଼ଥାଏ। ଆଉ ଯୋଗେଶ୍ୱରଙ୍କ ପ୍ରତୀକ ହେଲେ ଶିବ ଓ ବିଷ୍ଣୁ ସ୍ୱୟଂ ଜଗନ୍ନାଥ। କାଶୀ ବିଶ୍ୱନାଥ ଲିଙ୍ଗର ଉଚ୍ଚତା ପ୍ରାୟ ୧୦ଇଞ୍ଚ ଓ ଶକ୍ତି ଉତ୍ତର ଦିଗାଭିମୁଖୀ । ପ୍ରସ୍ତର ନିର୍ମିତ ହର ପାର୍ବତୀ ମୂର୍ତ୍ତି ୧୦ଇଞ୍ଚ ଉଚ୍ଚତା ବିଶିଷ୍ଟ ପୂଜିତ। ପ୍ରବେଶ ଦ୍ୱାରର ଓସାର ମାତ୍ର ଅଢେ଼ଇ ଫୁଟ ଓ ଉଚ୍ଚତାରେ ୪ଫୁଟ । ଶୀତଳ ଷଷ୍ଠୀ, ଶିବ ବିବାହ ଉତ୍ସବ ଠାକୁରଙ୍କ ଜଳାଶାୟୀ ନୀତି ହୋଇଥାଏ। ପଶ୍ଚିମାଭିମୁଖୀ ଅନନ୍ତ କ୍ଷୁଦ୍ର ମନ୍ଦିରଟି ଭାରତ ବର୍ଷରେ ଖ୍ୟାତି ଓ ପ୍ରସିଦ୍ଧି ରହିଛି।
ବାଇଶି ପାହାଚ କାଶୀ ବିଶ୍ୱନାଥଙ୍କ ପାର୍ଶ୍ୱରେ ରାମାଭିଷେକରେ ରାମସୀତାଙ୍କ ସିଂହାସନ ଆରୋହଣ ସହ ୪ ଭ୍ରାତା, ସଙ୍କଟ ମୋଚନ ହନୁମାନ, ସୁଗ୍ରୀବ, ଜାମ୍ବବାନ ଓ ସମସ୍ତ ବାନର ଭକ୍ତ ପ୍ରମୁଖ ପ୍ରଭୁଙ୍କୁ ପ୍ରଣିପାତ କରୁଥିବାର ଦେଖାଯାଏ ।
ପରବର୍ତ୍ତୀ କ୍ଷୁଦ୍ର ମନ୍ଦିରରେ ନୃସିଂହ ନାଥଙ୍କ ଶିଳା ମୂର୍ତ୍ତି ଓ ପାର୍ଶ୍ୱରେ ଗଣନାଥଙ୍କ ମୂର୍ତ୍ତି ଦେଖାଯାଏ ।
କୁର୍ମବେଢ଼ା ବା ଭିତର ବେଢ଼ା ପହଞ୍ଚିବା ଓ ବାମ ପଟେ ଚାଲିଲେ ଅଗ୍ନୀଶ୍ୱରଙ୍କ ମନ୍ଦିର ପଡେ । ଏହା କୁର୍ମବେଢ଼ା ଓ ଶ୍ରୀଜଗନ୍ନାଥଙ୍କ ପାକଶାଳକୁ ଯାଇଥିବା ଉଦ୍ଦିଷ୍ଟ ରାସ୍ତାରେ ଆଗ୍ନେୟ କୋଣକୁ ଲାଗି ଅଗ୍ନୀଶ୍ୱରଙ୍କର କ୍ଷୁଦ୍ର ମନ୍ଦିର ରହିଛି। ସେ ହେଉଛନ୍ତି କୁର୍ମବେଢ଼ାର ପ୍ରତିପାଳକ, ରକ୍ଷକ ଓ ରୋଷର ବିଶୋଧକ ।
ଭୋଗ ମନ୍ଦିରକୁ ଯେଉଁ ରାସ୍ତା ଦେଇ ନିଆଯାଉଛି ଠିକ୍ ଅଗ୍ନୀଶ୍ୱର ମନ୍ଦିର ପାର ହୋଇ ମନ୍ଦିର ମଧ୍ୟସ୍ଥ ପାହାଚକୁ ଉଠିବା ପୂର୍ବରୁ ଡାହାଣ କାନ୍ଥରେ ବିଶାଳ ଅନନ୍ତ ଶୟନରେ ନାରାୟଣଙ୍କ ପ୍ରତିମା, ଲକ୍ଷ୍ମୀ-ସରସ୍ୱତୀ, ବ୍ରହ୍ମା, ବିଷ୍ଣୁ ଓ ଦେବଲୋକଙ୍କ ସହ ଅନନ୍ତ ସର୍ପ ଉପରେ ଶୟନ କରିଥିବା ଭକ୍ତମାନେ ଦର୍ଶନ କରିଥାନ୍ତି ।
ଶ୍ରୀଅଗ୍ନୀଶ୍ୱର ମହାଦେବ ଓ ଭୋଗ ରାସ୍ତା ପାର ହୋଇ କୂର୍ମବେଢା଼ରେ ଦକ୍ଷିଣକୁ ଆଗେଇ ଆସିଲେ ୫ଫୁଟ ୧୦ଇଞ୍ଚ କଳା ମୁଗୁନି ପ୍ରସ୍ତରରେ ନିର୍ମିତି ସତ୍ୟ ନାରାୟଣଙ୍କ ବିଗ୍ରହ ଦେଖାଯାନ୍ତି। ବେଢ଼ାର ପତନଠାରୁ ୨୫ ଫୁଟ ଉଚ୍ଚତା ଓ ପଞ୍ଚ ରଥ ବିଶିଷ୍ଟ ଏହି ମନ୍ଦିରଟି ଦେଖିବାକୁ ମିଳେ । ଦୁଇ ପାର୍ଶ୍ୱରେ ଶ୍ରୀଦେବୀ ଓ ଭୂଦେବୀ ବିଦ୍ୟାମାନ । ପ୍ରତ୍ୟେକ ପୂର୍ଣ୍ଣିମା ଓ ସଂକ୍ରାନ୍ତିରେ ଏହି ମନ୍ଦିରରେ ଭକ୍ତମାନଙ୍କ ଭିଡ଼ ହୋଇଥାଏ ।
ବେଢ଼ା ପରିକ୍ରମା ସମୟରେ ଅଗ୍ନୀଶ୍ୱର, ଅନନ୍ତ ବାସୁଦେବ ଓ ସତ୍ୟ ନାରାୟଣଙ୍କୁ ଦର୍ଶନ ନ କରି ଏହି ମନ୍ଦିର ଆଗରେ ଠିଆହୋଇ ଦୁଇ ହାତ ଉପରକୁ ଉଠେଇ ଚକ୍ର ନାରାୟଣ, ନୀଳଚକ୍ର, ଧ୍ୱଜାବୀର, ପତିତପାବନ, କପିଚନ୍ଦ୍ରଙ୍କୁ ଚାହିଁ ନିଜକୁ ସମର୍ପିତ ଭାବେ ଅର୍ପଣ କରିଦେଲେ ସେହି କାଳିଆ ଠାକୁର ପ୍ରାପ୍ତି ହୋଇଥାନ୍ତିର ବିଶ୍ୱାସ ରହିଛି ।
ବଟ ଜଗନ୍ନାଥଙ୍କ ସମ୍ମୁଖରେ ବଟ ମଙ୍ଗଳାଙ୍କ ଦକ୍ଷିଣ କୋଣରେ ବାଳମୁକୁନ୍ଦ ମନ୍ଦିର ଯେଉଁଥିରେ ଏକ ଫୁଟ ଲମ୍ବ ବିଶିଷ୍ଟ କଳା ଚିକ୍କଣ ମୁଗୁନି ପ୍ରସ୍ତରରେ ନିର୍ମିତ ବାଳମୁକୁନ୍ଦ ବିଗ୍ରହ ଦକ୍ଷିଣା ଆଡ଼କୁ ମସ୍ତକ ରଖି ଚିତି ହୋଇ ପ୍ରସ୍ତରରେ ନିର୍ମିତ ବଟ ପତ୍ରରେ ଶୋଇ ରହିଛନ୍ତି। ପଦର ଅଙ୍ଗୁଠିକୁ ହସ୍ତରେ ଧରି ମୁଖ ପଦ୍ମରେ ପ୍ରବେଶ କରାଇଛନ୍ତି । ଗଜପତି ମହାରାଜ ବୀରକିଶୋର ଦେବଙ୍କ ଜଣେ ପାତ୍ର ଶ୍ରୀଧର ପଟ୍ଟନାୟକ ବଟ ମୂଳରେ ମନ୍ଦିରଟି ଠିଆ କରି ବାଳମୁକୁନ୍ଦଙ୍କୁ ସ୍ଥାପିତ କରାଇଥିଲେ ।
ବାଳମୁକୁନ୍ଦ ମନ୍ଦିରର ଏକ କାନ୍ଥ ସଂଲଗ୍ନ ଠଣା ମଧ୍ୟରେ ଦେଢ଼ ଫୁଟ ଉଚ୍ଚତା ବିଶିଷ୍ଟ ପ୍ରସ୍ତର ନିର୍ମିତ ବଟକୃଷ୍ଣ ବିଗ୍ରହ ସ୍ଥାପିତ ହୋଇଛନ୍ତି । ପୂର୍ବେ ଏଠାରେ ସ୍ୱତନ୍ତ୍ର ମନ୍ଦିର ରହିଥିଲା । ମନ୍ଦିରଟି ଭାଙ୍ଗି ଯିବାରୁ ଅନେକ ବର୍ଷ ଧରି ବାଳମୁକୁନ୍ଦ ଓ ବଟକୃଷ୍ଣ ଗୋଟିଏ ମନ୍ଦିରରେ ପୂଜିତ ହେଉଛନ୍ତି ।
'ଶଙ୍ଖଚକ୍ର ଗଦାପଦ୍ମ ଧାରିଣଂ ବନମାଳୀନଂ । ବଟ ନାରାୟଣଂ ବନ୍ଦେ ମମ ପାପକ୍ଷୟଂ କୁରୁ ॥
ବାଳମୁକୁନ୍ଦ ମନ୍ଦିର ଓ ବଟ ମଙ୍ଗଳାଙ୍କ ଦକ୍ଷିଣ କୋଣର ବାମ ପାର୍ଶ୍ୱରେ ମାର୍କଣ୍ଡେୟ ପାଦୁକା ରହିଛନ୍ତି ।
ଶ୍ରୀମନ୍ଦିର ଭିତର ବେଢା଼ରେ ଥିବା ସମସ୍ତ ଗଣେଶଙ୍କ ମଧ୍ୟରେ ବଟ ଗଣେଶ ପ୍ରଥମ ଓ ମୂଖ୍ୟ ଅଟନ୍ତି । ସେ କଳ୍ପ ଗଣେଶ, ଚିନ୍ତାମଣି ଗଣେଶ, ବଟ ଗଣେଶ ଓ ସିଦ୍ଧ ଗଣେଶ ନାମରେ ପୂଜା କରାଯାଏ। ଶ୍ରୀ ଗଣେଶଙ୍କ ଏହି ବଟ ଗଣେଶ ମନ୍ଦିର ଶ୍ରୀଜଗନ୍ନାଥଙ୍କ ମନ୍ଦିରଠାରୁ ପ୍ରାଚୀନ । ୭୦୦ ବର୍ଷର ପୁରାତନ ବୋଲି ଅନୁମାନ କରାଯାଏ ।
ବାଳମୁକୁନ୍ଦ ଓ କଳ୍ପବଟ ସମ୍ମୁଖରେ ହରି ସହଦେବ ମହାଦେବଙ୍କ କ୍ଷୁଦ୍ର ମନ୍ଦିରଟି ରହିଛି । ବେଢା଼ ପରିକ୍ରମା ସମୟରେ ଭକ୍ତମାନଙ୍କର ଅଭିଳାଷକୁ ସାକାର କରି ରିଷ୍ଟ ଖଣ୍ଡନ କରିବାକୁ ଓ ଭବିଷ୍ୟତ ପଥକୁ କୁସୁମିତ କରିବା ଲକ୍ଷ୍ୟରେ ପାଣି ଲାଗି କରିଥାନ୍ତି ।
ପୂର୍ବ-ପଶ୍ଚିମ ମୁଖା ବଟ ଗଣପତି ସମୁଖରେ ହରି ସହଦେବ ମନ୍ଦିର ପାର୍ଶ୍ୱରେ ବଟ ଜଗନ୍ନାଥ ମନ୍ଦିର । ଏଠାରେ ଜଗନ୍ନାଥଙ୍କ ବିଗ୍ରହ ପୂଜିତ । ସଦା ସର୍ବଦା ସୁନା ବେଶର ମୁକୁଟ, କିରୀଟ କଳା ବଦନର ଶୋଭାକୁ ଦୁଇ ଗୁଣିତ କରୁଅଛି। ମୂର୍ତ୍ତିର ଉଚ୍ଚତା ୫ ଫୁଟ। [19]ବାମ ପାର୍ଶ୍ୱରେ ଲକ୍ଷ୍ମୀଙ୍କ ମୂର୍ତ୍ତି । ଏହା ସମ୍ମୁଖରେ ପୁରାଣ ପଢ଼ିବା ବେଳେ ଅତିବଡ଼ି ଜଗନ୍ନାଥ ଦାସଙ୍କ ସହିତ ଚୈତନ୍ୟ ଭେଟ ହୋଇଥିଲେ । ଯବନ/ବିଧର୍ମୀମାନେ ଶ୍ରୀଜଗନ୍ନାଥଙ୍କୁ ଯେତେବେଳେ ଆକ୍ରମଣ କରନ୍ତି ସେହି ସମୟରେ ମହାପ୍ରଭୁଙ୍କ ସୁରକ୍ଷା ନିମନ୍ତେ ବଟ ବିହାରୀ ଜଗନ୍ନାଥଙ୍କୁ କଳାହାଟ ଦ୍ୱାରରେ ରଖି ଶତ୍ରୁଙ୍କୁ ଠକା ଯାଇଛି। ମହାସ୍ନାନ ସ୍ନାନ ପୂର୍ଣ୍ଣିମା ଦିନ ସମ୍ପାଦିତ ହୋଇ ଅଣସର ନୀତି ପାଳିତ ହୁଏ । ନବକଳେବରରେ ଏଠାକୁ ଦାରୁ ଆସେ । ଜଗନ୍ନାଥ ଦାସ ବଟ ବିହାରୀ ଜଗନ୍ନାଥଙ୍କ ସମ୍ମୁଖରେ କଳ୍ପବଟ ତଳେ ତାଙ୍କର ଭାଗବତ ରଚନା ଓ ଅନ୍ୟାନ୍ୟ ଗ୍ରନ୍ଥ ଲେଖିଥିଲେ । ଏଣୁ ବଟ ବିହାରୀ ଜଗନ୍ନାଥ 'ଭାଗବତ କାଳିଆ ବୋଲି ନାମିତ ହୋଇଛନ୍ତି ।
କଳ୍ପବଟ ଓ ବାଞ୍ଛା ବଟ ଦୁଇଟି ପ୍ରାଚୀନ ସର୍ବ ପାବନ ସ୍ଥଳ।ଶ୍ରୀମନ୍ଦିର ମଧ୍ୟରେ ଯାହା ଆଜି ଅବସ୍ଥିତ ତାହା କଳ୍ପ ଆରମ୍ଭ, ପ୍ରଳୟ ଶେଷ ସବୁ ସମୟରେ ଏହା ବିଦ୍ୟମାନ । ଭଗବାନ ବିଷ୍ଣୁ ସ୍ୱୟଂ ଶିଶୁ ରୂପରେ ବଟ ପତ୍ରରେ ଶୟନ କରି ଭାସୁଥିବା ଓ ଜଗନ୍ନାଥଙ୍କ ଦାରୁ ବିଗ୍ରହ ପୂର୍ବରୁ ନୀଳମାଧବ ରୂପେ ବିଶ୍ୱାବସୁ ଶବର ପୂଜା କରୁଥିବାର କିମ୍ବଦନ୍ତୀ ରହିଛି । କଳ୍ପବଟର ଚତୁଃପାର୍ଶ୍ୱରେ ବଟେଶ୍ୱର, ବଟକୃଷ୍ଣ, ବାଳମୁକୁନ୍ଦ, ବଟ ମଙ୍ଗଳା, ବଟ ନାରାୟଣ, ବଟ ଗଣେଶ, ରାଧାକୃଷ୍ଣ, ପତିତପାବନ/ଶ୍ରୀଜଗନ୍ନାଥଙ୍କ(ବଟ ଅବକାଶ),ପଞ୍ଚୁ ପାଣ୍ଡବ, ମହାଦେବ ପ୍ରମୁଖ ରହିଛନ୍ତି।କଳ୍ପବଟ ଚତୁଃବର୍ଣ୍ଣ ଫଳପ୍ରଦ ମୁଖ୍ୟ ପାବନକାରୀ ତୀର୍ଥ ।ପ୍ରାୟ ସମସ୍ତ ଆଦି ସନାତନ ଧର୍ମ ପୁରାଣରେ ଏହି କଳ୍ପବଟର ମହାତ୍ମ୍ୟ ବର୍ଣ୍ଣନା ହୋଇଛି।ଯଥା ସ୍କନ୍ଧ ପୁରାଣ, ବ୍ରହ୍ମ ପୁରାଣ, ତୀର୍ଥ ଚିନ୍ତାମଣି, ଭାଗବତ ମହାପୁରାଣ, ହରିବଂଶ, ଭବିଷ୍ୟ ପର୍ବ, ପ୍ରେମ ଭକ୍ତି, ବ୍ରହ୍ମ ଗୀତା, ଚନ୍ଦ୍ରକଳା, ରସିକ ହାରାବଳୀ, ସାରଗୁପ୍ତ ଗୀତା, ତୁଳାଭିଣା, ଅଷ୍ଟ ଗୁଜ୍ଜରୀ ପ୍ରଭୃତି ପୁରାଣ, ଶାସ୍ତ୍ର/କାବ୍ୟ ଗ୍ରନ୍ଥ । କାର୍ତ୍ତିକ ମାସ ଶୁକ୍ଳ ତ୍ରୟୋଦଶୀ ତିଥିରେ ବଟ ଦେବତାଙ୍କର ଜୟନ୍ତୀ ଉତ୍ସବ ପାଳିତ ହୁଏ।କାର୍ତ୍ତିକର ପଞ୍ଚକ ଅବସରରେ କଳ୍ପବଟର ପୂଜା ଆରଧନା ନିଶ୍ଚିତ ରୂପେ ପରମ ପବିତ୍ର ଓ ତାତ୍ପର୍ଯ୍ୟପୂର୍ଣ୍ଣ।କଳ୍ପବଟ ଦର୍ଶନ କରିବା ମାତ୍ରେ ଏହାର ଛାୟାରେ ବାରମ୍ବାର ପାଦ ପକାଇବ।ଶ୍ରୀମନ୍ଦିର ବେଢ଼ା ପରିକ୍ରମା ସମୟରେ କଳ୍ପବଟ ତଳେ ବସି ନୀଳଚକ୍ର ପତିତପାବନ, ଧ୍ୱଜାବୀର-କପିଚକ୍ରକୁ ଚାହିଁ ପ୍ରଣିପାତ କରିବା ସହ ରିଷ୍ଟ ଖଣ୍ଡନ ସହ ସିଦ୍ଧି, ମୁକ୍ତି ମିଳିଥାଏ।କଳ୍ପବଟ ଚିନ୍ତନ ସର୍ବ ପାପକୁ ଅନନ୍ତ ଗର୍ଭରେ କ୍ଷୟ କରି ପୁଣ୍ୟକୁ ଅକ୍ଷୟ କରି ତୋଳିବାରେ ସହାୟକ ହୋଇ ଆସିଛି ।
ଶ୍ରୀକ୍ଷେତ୍ରର ଅନ୍ତର୍ବେଦୀ ରତ୍ନ ସିଂହାସନର ସୁରକ୍ଷା ପାଇଁ ପ୍ରତିଷ୍ଠିତ ଥିବା ଅନ୍ୟାନ୍ୟ ଦେବୀ ବିଗ୍ରହ ମଧ୍ୟରୁ ସର୍ବମଙ୍ଗଳା ଅନ୍ୟତମ।ମନ୍ଦିରଟି ପଶ୍ଚିମ ମୁଖା।ପଞ୍ଚଦଶ ଶତାଦ୍ଦୀରେ ନିର୍ମିତ ହୋଇଛି । ଦେବୀ ସର୍ବମଙ୍ଗଳା ଚତୁର୍ଭୁଜା ଓ ତ୍ରିନେତ୍ରୀ ଅଟନ୍ତି । ମୁଖ୍ୟ ପ୍ରବେଶ ଦ୍ୱାରର ଦୁଇ ପାର୍ଶ୍ୱରେ ଛାୟା ଓ ମାୟା ଦେବୀ ରହିଥିବା ଓ ଏମାନଙ୍କ ଉପରେ ଦୁଇଟି କ୍ଷୁଦ୍ର ହନୁମାନ ମୂର୍ତ୍ତି ରହିଛନ୍ତି । ଦ୍ୱାର ସମ୍ମୁଖରେ ଏକ ସ୍ତମ୍ଭରେ ସିଂହ ।
ସର୍ବ ମଙ୍ଗଳା ମନ୍ଦିର ବାହାର ପଟ ଉତ୍ତର ପାର୍ଶ୍ୱସ୍ଥ କାନ୍ଥରେ ସଙ୍କଟ ତାରିଣୀଙ୍କ ଏକ କ୍ଷୁଦ୍ର ମୂର୍ତ୍ତି ପୂଜା ପାଉଛନ୍ତି । ମା' ସର୍ବମଙ୍ଗଳାଙ୍କ ମନ୍ଦିରରେ ଷୋଳ ପୂଜା,କାଳୀ ପୂଜା,ଓଢ଼ଣ ଷଷ୍ଠୀ, କୁମାର ପୂର୍ଣ୍ଣିମା, ଶିବରାତ୍ରି ଓ ଦୋଳ ପୂର୍ଣ୍ଣିମାରେ ଏଠାରେ ବିଶେଷ ନୀତି ପାଳିତ ହୋଇଥାଏ ।
କଳ୍ପବଟ ସମ୍ମୁଖରେ ମନ୍ଦିରଟି ରହିଛି । କ୍ଷେତ୍ରପାଳ ଶିବଙ୍କ ଶକ୍ତି ରୂପେ ମହା ବ୍ରଜେଶ୍ୱରୀଙ୍କୁ ଉପାସନା କରାଯାଏ । ଇନ୍ଦ୍ରାଣୀ ଦେବୀ ରୂପେ ପୂଜିତା।କାମଦେବ ରାଜାଙ୍କ କୀର୍ତ୍ତି ରୂପେ ଏହା ଖ୍ୟାତ।ଶ୍ରୀମନ୍ଦିରର ନାଟ ମଣ୍ଡପରେ ଦକ୍ଷିଣ ପଟକୁ ଲାଗି ମାଜଣା ମଣ୍ଡପ ଆଡ଼କୁ ଯିବାବେଳେ ଡାହାଣ ପାର୍ଶ୍ୱରେ ଇନ୍ଦ୍ରାଣୀ ଦେବୀଙ୍କ ମନ୍ଦିର । ଇନ୍ଦ୍ରାଣୀଙ୍କ ସିଂହାସନରେ ନିମ୍ନ ଭାଗରେ ଶିବଲିଙ୍ଗ ଶ୍ରୀବଟେଶ୍ୱର ରହିଛନ୍ତି। ସମ୍ମୁଖରେ ବୃଷଭ ପାର୍ଶ୍ୱରେ ସିଦ୍ଧି ଗଣେଶ ମୂର୍ତ୍ତି କଳା ଗଣେଶ ପ୍ରସ୍ତରରେ ନିର୍ମିତ୍ତ ହୋଇଛନ୍ତି।ଇନ୍ଦ୍ରାଣୀଙ୍କ ବିଗ୍ରହ ଦ୍ୱିଭୁଜା ଓ ଉପବେଶନ ଭଙ୍ଗୀରେ ବିଦ୍ୟମାନ।ସିଂହାସନ ନିମ୍ନରେ ହସ୍ତୀ ଅଛି । ଶ୍ରୀଜୀଉମାନଙ୍କ ପ୍ରତ୍ୟକ ଧୂପ ପରେ ଥାଳି ମହାପ୍ରସାଦ ବିମଳାଙ୍କୁ ସମର୍ପଣ କରାଯିବ ପରେ ସମ୍ପୃକ୍ତ ସୂପକାର ସେବକ ସେହି ରାସ୍ତାରେ ଆନନ୍ଦ ବଜାରକୁ ନେବାବେଳେ "ମା" ଇନ୍ଦ୍ରାଣୀଙ୍କୁ ମଧ୍ୟ ସମର୍ପଣ କରିଥାନ୍ତି ।
କଳ୍ପବଟ ତଳେ ସର୍ବମଙ୍ଗଳାଙ୍କ ସମ୍ମୁଖଭାଗରେ ଶ୍ରୀ ଲୋକନାଥ, ଶ୍ରୀ ଯମେଶ୍ୱର, ଶ୍ରୀ ନୀଳକଣ୍ଠଶ୍ୱର, ମହାମୃତ୍ୟୁଞ୍ଜୟ, ଶ୍ରୀ ମାର୍କଣ୍ଡେୟ ଓ ଶ୍ରୀକପାଳ ମୋଚମ ପଞ୍ଚୁ ପାଣ୍ଡବ ମହାଦେବ ମନ୍ଦିର ଅବସ୍ଥିତ । ଏହି ପଞ୍ଚୁ ପାଣ୍ଡବ ମନ୍ଦିର ମଧ୍ୟରେ ଅଧିମାସ ଠାକୁର (ନାରାୟଣ)ଙ୍କର କ୍ଷୁଦ୍ର ମନ୍ଦିରଟିଏ ରହିଛି ।
ପଞ୍ଚ ମହାଦେବଙ୍କର ମନ୍ଦିରର ଉଚ୍ଚତା ସର୍ବାଧିକ ଓ ପଶ୍ଚିମାଭିମୁଖୀ ହୋଇ ଶକ୍ତି ପ୍ରତିଷ୍ଠା ହୋଇଛନ୍ତି । ଶ୍ରୀମନ୍ଦିରର ଭିତର ବେଢ଼ା ଚଟାଣଠାରୁ ୭/୮ ଫୁଟ୍ ତଳେ ମାର୍କଣ୍ଡେୟ ମନ୍ଦିରର ଗର୍ଭ ଗୃହସ୍ଥ ମଧ୍ୟ ଭାଗରେ ମାର୍କଣ୍ଡେଶ୍ୱର ଶିବଲିଙ୍ଗ ବିଦ୍ୟମାନ।ମୃତ୍ୟୁଞ୍ଜୟ ଦେବ ରାଜଗୁରୁ କେଶରୀ ବଂଶର ରାଜା ଉଦ୍ୟୋତ କେଶରୀଙ୍କ ସମୟରେ ସ୍ଥାପନ ହୋଇଥିବା ଜଣାଯାଏ।ଉତ୍ତରାଭିମୁଖୀ ମାଧବ (ବଟ ନାରାୟଣ) ବିଗ୍ରହ ମାର୍କଣ୍ଡେଶ୍ୱରଙ୍କ ଲିଙ୍ଗ ସମ୍ମୁଖରେ ରହିଛନ୍ତି।ଏଣୁ ଯଥାର୍ଥରେ ଧ୍ୟାନ କରାଯାଏ-
"ମାର୍କଣ୍ଡେୟ ! ନମସ୍ତୁଭ୍ୟମଘୋର ପାପହାରକ ।
ପାପମ୍ ମେହର ଭୋ ଶମ୍ଭୋ ନାରାୟଣ ପ୍ରିୟଂ ଭଜେ ॥"
ବଟ ନାରାୟଣଙ୍କୁ ଧ୍ୟାନରେ କୁହାଯାଏ-
"ଶଙ୍ଖ ଚକ୍ର ଗଦା ପଦ୍ମ ଧାରିଣଂ ବନମାଳୀନମ୍ ।
ବଟ ନାରାୟଣଂ ବନ୍ଦେ ମମ ପାପ କ୍ଷୟଂ କୁରୁ ॥"
ମୁକ୍ତି ମଣ୍ଡପର ଐଶାନ୍ୟ କୋଣରେ ସୂର୍ଯ୍ୟ ନାରାୟଣଙ୍କ ଯେଉଁ କ୍ଷୁଦ୍ର ମନ୍ଦିରଟିଏ ଅଛି ତାହା ବାସ୍ତବରେ "ସୂର୍ଯ୍ୟ ଯନ୍ତ୍ର" ମନ୍ଦିର ବୋଲି କୁହାଯାଏ।ଶ୍ରୀମନ୍ଦିରର ଦୈନନ୍ଦିନ ନୀତି ସହିତ ଏହି ମନ୍ଦିରର ସମ୍ପର୍କ।ଗ୍ରହଣ ନୀତିରେ ଏଠାରେ ଅଧିକ ପୂଜା ହୁଏ । ଏହି ମନ୍ଦିରଟି ଚୋଡ଼ଗଙ୍ଗ ଦେବଙ୍କଦ୍ୱାରା ପ୍ରତିଷ୍ଠିତ।କପିଳେନ୍ଦ୍ର ଦେବ ଏହାକୁ ପୁନଃ ନିର୍ମାଣ କରିଥିଲେ । ସୂର୍ଯ୍ୟ ନାରାୟଣଙ୍କୁ ଦର୍ଶନ ନ କରି ଶ୍ରୀମନ୍ଦିରରେ ପ୍ରବେଶ କରି ପ୍ରଭୁ ଚକନୟନଙ୍କୁ ଦର୍ଶନ କଲେ ଶ୍ରୀଜଗନ୍ନାଥ ଦର୍ଶନ ପ୍ରାପ୍ତି ହୋଇନଥିବା ବିଶ୍ୱାସ ରହିଛି । ଆଦି ବ୍ରହ୍ମ ପୁରାଣ ମତରେ ଏଇଠି ସୂର୍ଯ୍ୟ ଯନ୍ତ୍ର ସ୍ଥାପିତ ହୋଇଛି ଓ ସୂର୍ଯ୍ୟ ପୂଜା ପାଇଁ ଏହା ହିଁ ଉଦ୍ଦିଷ୍ଟ ।
ମୁକ୍ତି ମଣ୍ଡପର ପୂର୍ବ ଦିଗରେ ପ୍ରତିଷ୍ଠିତ କ୍ଷେତ୍ରପାଳ ମନ୍ଦିରର ପୂର୍ବ ପଟ କାନ୍ଥ ସଂଲଗ୍ନ ଏକ କୁକୁର (କୁତ୍ତା) ଉପରେ ବିରାଜିତ ପ୍ରସ୍ତର ନିର୍ମିତ ଦେବୀ ବିଗ୍ରହ "କୁତ୍ତାମ ଚଣ୍ଡୀ" ରୂପରେ ପୂଜିତା।ଅନନ୍ତ ବାସୁଦେବ ମନ୍ଦିରର ଉତ୍ତର ପାର୍ଶ୍ୱ କାନ୍ଥରେ (ଜଗମୋହନ ଆଡ଼କୁ ମୁହଁ କରି) ଏକ କୁକୁର ମୂର୍ତ୍ତି ପୂଜା ପାଉଛନ୍ତି । ଏହା ଦେବୀଙ୍କର ବାହାନ କୁକୁର ହୋଇ କୁତ୍ତାମ ଚଣ୍ଡୀଙ୍କୁ ପ୍ରଣିପାତ କରି ରହିଛି । ୧୪୯୮ ଖ୍ରୀଷ୍ଟାବ୍ଦରେ ଦେବୀ ପୂଜା ପାଇବା ଉଲ୍ଲେଖ ରହିଛି । ଶ୍ରୀଜୀଉଙ୍କ ଭୋଗ, ସେବା ପୂଜାରେ ବ୍ୟାଘାତ ହେବାରୁ ଉଜ୍ଜୟିନୀରୁ ଆସିଥିବା ତାନ୍ତ୍ରିକ ଦିଗନା ପ୍ରତିକାର ସ୍ୱରୂପ କୁତ୍ତାମ ଚଣ୍ଡୀ ସ୍ଥାପନା ହେବା ପରେ ଶ୍ରୀମନ୍ଦିରକୁ କୁକୁର ଆଉ ପ୍ରବେଶ କଲେ ନାହିଁ । ଦିନେ କୁତ୍ତାମ ଚଣ୍ଡୀ ରତ୍ନ ସିଂହାସନ ଗର୍ଭ ଗୃହରେ ପୂଜା ପାଉଥିଲେ।କିନ୍ତୁ ବାଦ ବିବାଦ ମଧ୍ୟରେ ମରହଟ୍ଟା ଶାସନ,ବୌଦ୍ଧ ଧର୍ମ ପ୍ରଭାବ ଓ ଇଂରାଜୀ ଶାସନ ମଧ୍ୟରେ ଏଠାକୁ ଅନ୍ୟ ଏକ ରୂପାନ୍ତରରେ ସ୍ଥାନାନ୍ତରିତ ହୋଇଥିବା ଜଣାଯାଇଛି ।
ମୁକ୍ତି ମଣ୍ଡପର ବାମ ପାର୍ଶ୍ୱରେ ଅନନ୍ତ ବାସୁଦେବଙ୍କ ସ୍ୱତନ୍ତ୍ର ଧରଣର ମନ୍ଦିର ଯାହାର ମୁଖଶାଳାଟି ବଡ଼ ଥିବା ବେଳେ ଗର୍ଭ ଗୃହଟି ଛୋଟ । ଅନନ୍ତ କେଶରୀଙ୍କ ପାଟ୍ଟଜେମା ଚନ୍ଦ୍ରିକା ପାଟ୍ଟ ମହାଦେଇଙ୍କଦ୍ୱାରା କ୍ଷୁଦ୍ର ବିଷ୍ଣୁ ମୂର୍ତ୍ତି ଅନନ୍ତ ନାଗ ଉପରେ ଶୟନ କରିଥିବା ବିଗ୍ରହକୁ ସ୍ଥାପନା କରିଥିଲେ । ଅନନ୍ତ ବାସୁଦେବଙ୍କ ଏହି ମନ୍ଦିରରେ ଆଦିଶେଷଙ୍କ ବିଗ୍ରହ ଭାଦ୍ରବ ଶୁକ୍ଳ ଚତୁର୍ଦ୍ଦଶୀ ଦିନ(ଅନନ୍ତ ଚତୁର୍ଦ୍ଦଶୀ) ସନ୍ଧ୍ୟା ଧୂପ ସରିବା ପରେ ଅନନ୍ତଙ୍କ ବ୍ରତ କଥା ପାଠ କଲା ଉତ୍ତାରେ ବନ୍ଦାପନା କରିଥାନ୍ତି।ବାମନ ଜନ୍ମଦିନ ଏଠାରେ ଦେଉଳ ପୁରୋହିତ ହୋମ କରିଥାନ୍ତି । ଅନନ୍ତ ବାସୁଦେଙ୍କ ମନ୍ଦିରର ପଶ୍ଚିମକୁ ଦିଗପାଳ ମନ୍ଦିର, ଯାହା ଦକ୍ଷିଣ ମୁଖୀ । ଏଥିରେ ଦିଗପାଳମାନେ ପୂଜା ପାଉଛନ୍ତି ।
ମୁକ୍ତି ମଣ୍ଡପର ପଛଭାଗରେ ଦକ୍ଷିଣାଭିମୁଖୀ ମହାଦେବ ମନ୍ଦିରଟିକୁ କ୍ଷେତ୍ରପାଳ ମହାଦେବ କୁହାଯାଏ।ଏହା ଅନନ୍ତ ବାସୁଦେବ ମନ୍ଦିରର ନିକଟରେ ପୂଜା ପାଉଛନ୍ତି।ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିରର ରକ୍ଷକ ରୂପେ କ୍ଷେତ୍ରପାଳ ମହାଦେବ ସମସ୍ତଙ୍କର ନମସ୍ୟ।ଗଙ୍ଗ ବଂଶୀୟ ନରପତି ଅନଙ୍ଗ ଭୀମଦେବ ଏହାକୁ ନିର୍ମାଣ କରିଥିଲେ । ଅଣଚାଶ ଦେବତାଙ୍କ ଏକ ଗାଁ ବିଶେଷ ଭୈରବ ମହାଦେବ ହିଁ କ୍ଷେତ୍ରପାଳ ଓ ଏହାକୁ ଉପାସନା କଲେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ନିମନ୍ତେ ଅନୁମତିପ୍ରାପ୍ତ କରିଥାଆନ୍ତି । ଶ୍ରୀକ୍ଷେତ୍ରପାଳ ମହାଦେବଙ୍କ ମନ୍ଦିରରେ ନନ୍ଦୀ, ଭ୍ରୁକୁଟି, ବୃଷଭ, କୀର୍ତ୍ତି ମୁଖ କେହି ନ ଥିଲେ ମଧ୍ୟ ଶ୍ରୀମହାଲକ୍ଷ୍ମୀ ଓ ଜୟ ବିଜୟ ସ୍ଥାପିତ ହୋଇ ପୂଜା ପାଉଛନ୍ତି । ଶଙ୍ଖ କ୍ଷେତ୍ରରେ ନାଭି ମଣ୍ଡଳରେ ଶ୍ରୀମନ୍ଦିର ଓ କ୍ଷେତ୍ରର ଅଧିପତି କ୍ଷେତ୍ରପାଳ । ଶ୍ରୀକ୍ଷେତ୍ରପାଳଙ୍କୁ ଦର୍ଶନ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ହିଁ ଶ୍ରୀକ୍ଷେତ୍ର ଦର୍ଶନ ଓ ଶ୍ରୀଜଗନ୍ନାଥଙ୍କ ପ୍ରାପ୍ତି ଫଳ ମିଳେ ।
ମନ୍ଦିରର ଅଧିଷ୍ଠାତା ହେଲେ ଯଜ୍ଞ ନୃସିଂହ ବା ମୁକ୍ତ ନୃସିଂହ।ଜଣାଯାଏ ଚୋଡ଼ଗଙ୍ଗ ଦେବ ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ କରି ତା'ର ପ୍ରତିଷ୍ଠା କରିବାର ପୂର୍ବରୁ ଯଜ୍ଞ ନୃସିଂହ ସ୍ଥାପନା କରିଥିଲେ।ଏ ସମ୍ପର୍କରେ ମନ୍ଦିର ଗାତ୍ରରେ ଶିଳାଲିପି ଖୋଦିତ ହୋଇଥିବା ଦେଖିବାକୁ ମିଳେ, ଯାହାକୁ ଡକ୍ଟର ସତ୍ୟନାରାୟଣ ରାଜଗୁରୁ ପାଠୋଦ୍ଧାର କରି ଲେଖିଛନ୍ତି।୧୧୪୨ ଖ୍ରୀଷ୍ଟାବ୍ଦ ବେଳକୁ ଚୋଡ଼ଗଙ୍ଗ ଦେବ ଓ ତାଙ୍କର ପୁଅ କାମାର୍ଣ୍ଣବଙ୍କର ସମୟରେ ବଳଭଦ୍ର, ପୁରୁଷୋତ୍ତମ ଓ ସୁଭଦ୍ରା ଏହି ନୃସିଂହ ମନ୍ଦିରରେ ପୂଜା ପାଉଥିଲେ।୫୮ ଫୁଟ ଉଚ୍ଚତା ଓ ଏହା ପୂର୍ବାଭିମୁଖୀ।
ଶ୍ରୀକ୍ଷେତ୍ରର ପଞ୍ଚ ତୀର୍ଥ ମଧ୍ୟରେ ରୋହିଣୀ ତୀର୍ଥ ଅନ୍ୟତମ।ପ୍ରଳୟ ସମୟରେ କୁଣ୍ଡରେ ଥିବା ଜଳ ପରିବ୍ୟାପ୍ତ ହୋଇ ପୁଣି ଏହି କୁଣ୍ଡରେ ହିଁ ଲୀନ ହୋଇଯାଏ।ଦାରୁବ୍ରହ୍ମଙ୍କର ଏହି କୁଣ୍ଡରେ ଆବିର୍ଭାବ ହୋଇଥିଲା।ନୀଳମାଧବ ହିଁ ଦାରୁବ୍ରହ୍ମ ଶ୍ରୀପୁରୁଷୋତ୍ତମ ଓ ପରବର୍ତ୍ତୀ ସମୟରେ "ଶ୍ରୀ ଜଗନ୍ନାଥ " ନାମରେ ପ୍ରତିଷ୍ଠିତ ହୋଇଛନ୍ତି।କଳ୍ପବଟ ଓ ରୋହିଣୀ କୁଣ୍ଡ ମଧ୍ୟସ୍ଥ ପାର୍ଶ୍ୱରେ ଏହି ଦାରୁବ୍ରହ୍ମ ନୀଳମାଧବ ପୂଜା ପାଉଥିଲେ।ଏହି କୁଣ୍ଡରେ ଏକ ତୃଷାର୍ତ୍ତ କାକ ପାଣିରେ ବୁଡି ପ୍ରାଣ ହାରି ମୋକ୍ଷ ଲାଭ କରିଥିଲା। ରୋହିଣୀ କୁଣ୍ଡରେ ଚତୁର୍ଭୁଜ କାକ ଓ ପାଦ ପଦ୍ମ ରହିଛନ୍ତି।ମା' ବିମଳାଙ୍କ ମନ୍ଦିର ସମ୍ମୁଖରେ ଓ ଭିତର ଚନ୍ଦନ ଯାତ୍ରାର ଜଳକ୍ରୀଡ଼ା ମଣ୍ଡପ ପାର୍ଶ୍ୱରେ ଏହା ଅବସ୍ଥିତ। ବର୍ତ୍ତମାନ ୪ଫୁଟ ପ୍ରସ୍ଥ, ୧୦ ଫୁଟ୍ ଲମ୍ବ ଓ ୧ ଫୁଟ ଉଚ୍ଚରେ କୁଣ୍ଡଟିର ଚଟାଣରେ ଦୁଇଟି ଚତୁଷ୍କୋଣ କଳା ମୁଗୁନି ପଥର ଉପରେ ଭୂଷଣ୍ଡ କାକ (ନାରାୟଣ) ଓ ନାଭିଚକ୍ର ରହିଛନ୍ତି, ଯାହା ନୀଳଚକ୍ର ଆକୃତି ସଦୃଶ୍ୟ।
ବାହାର ଚନ୍ଦନ ୨୧ଦିନ ନରେନ୍ଦ୍ରରେ ଚାପ, ଭଉଁରୀ ଓ ହଳଦିପାଣିରେ ଶେଷ ହେଲା ପରେ ୨୧ ଦିନ ଭିତର ଚନ୍ଦନ ଯାତ୍ରା ଜଳକ୍ରୀଡ଼ା ମଣ୍ଡପରେ ଜୀଉଙ୍କର ହୋଇଥାଏ।ଏହା ବିମଳା ମନ୍ଦିର ସମ୍ମୁଖ, ରୋହିଣୀ କୁଣ୍ଡ ଦକ୍ଷିଣ ପାର୍ଶ୍ୱ ଓ ଯଜ୍ଞ ଶ୍ରୀନୃସିଂହ ମନ୍ଦିରର ପଶ୍ଚିମ ଭାଗରେ ଅବସ୍ଥିତ।ମଦନମୋହନ,ଭୂଦେବୀ ଓ ଶ୍ରୀଦେବୀ ସୁବାସିତ ଚନ୍ଦନ କୁଣ୍ଡରେ ବୁଡି ଜଳକ୍ରୀଡ଼ା କରିଥାନ୍ତି।
କଳା ଚିକ୍କଣ ମୁଗୁନି ପଥରରେ ଅତ୍ୟନ୍ତ କମନୀୟ, ମନୋଲୋଭା ଢ଼ଙ୍ଗରେ ୧ଫୁଟ ଉଚ୍ଚ ବିଶିଷ୍ଟ ସିଂହାସନ ଉପରେ ନୃତ୍ୟରତ ଭଙ୍ଗୀ, ଠାଣୀରେ "ନାଟୁଆ ଗଣେଶ" ୬ ଫୁଟ ଉଚ୍ଚତା ଓ ୩ ଫୁଟ ଓସାରରେ ଅଷ୍ଟଭୁଜ ବିଶିଷ୍ଟ ବିଦ୍ୟମାନ।ବିମଳାଙ୍କ ମନ୍ଦିରର ସମ୍ମୁଖ ଭାଗରେ ଦକ୍ଷିଣାଭିମୁଖୀ ୩୫ ଫୁଟ୍ ଉଚ୍ଚତା ବିଶିଷ୍ଟ ମନ୍ଦିର ମଧ୍ୟରେ ପୂଜା ପାଉଛନ୍ତି।କାଞ୍ଚି ଅଭିଯାନ ସମୟରେ ଗଜପତି ଶ୍ରୀପୁରୁଷୋତ୍ତମ ଦେବ ଏହି ନୃତ୍ୟ ଗଣପତିଙ୍କୁ ଆଣି ସ୍ଥାପନ କରିଛନ୍ତି।ଗଣେଶ ପୂଜା ଅବସରରେ ସନ୍ଧ୍ୟା ଧୂପ ପରେ ଏହି ବିଗ୍ରହଙ୍କୁ ପ୍ରସାଦ ଲାଗି ଭୋଗ ଓ ବନ୍ଦାପନା କରାଯାଏ। ୠକ୍ମିଣୀ ହରଣ ଏକାଦଶୀ ଦିନ ମହାଲକ୍ଷ୍ମୀ ବିମଳା ମନ୍ଦିରକୁ ବିଜେ କଲା ପରେ ୠକ୍ମିଣୀ ହରଣ ନିମିତ୍ତ ମଦନମୋହନ ବିଜେ ହୋଇ ନାଟ ଗଣେଶଙ୍କ ସମ୍ମୁଖରେ ଲୁଚି ରହିଥାନ୍ତି। କଥିତ ଅଛି ବେଢ଼ା ପରିକ୍ରମା ସମୟରେ ନାଟୁଆ ଗଣେଶଙ୍କୁ ଦର୍ଶନ କରିବା ନିତାନ୍ତ ଆବଶ୍ୟକ।କାରଣ ସମସ୍ତ ଭକ୍ତଙ୍କ ତାଲିକା ସେ ରଖନ୍ତି ଓ ପ୍ରଭୁ ଶ୍ରୀ ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କୁ ରାତ୍ର ଦରବାରରେ ଉପସ୍ଥାପନା କରିଥାନ୍ତି।
ଏକାନ୍ତ ଗୋପନୀୟ ସିଦ୍ଧ ତନ୍ତ୍ର ପୀଠ ଓ ଦେବୀ ନିଜେ ବିମଳା ମହାଭୈରବୀ ଆଦିଶକ୍ତି ଅଟନ୍ତି।ମା' ବିମଳା ପାଦ ପୀଠେଶ୍ୱରୀ ଓ କେହି କେହି ଏହାକୁ ଜିହ୍ୱା ପୀଠ, ଶ୍ରୀପୀଠ, ଉଦ୍ଦିଷ୍ଟ ପୀଠ, ନାଭି ପୀଠ, ମସ୍ତକ ପୀଠ ବୋଲି ବର୍ଣ୍ଣନା କରିଛନ୍ତି । ଶ୍ରୀକ୍ଷେତ୍ରେଶ୍ୱରୀ ରାଜରାଜେଶ୍ୱରୀ ବିମଳା ମା' ତାନ୍ତ୍ରିକ ପୀଠ ମଧ୍ୟରେ ଶ୍ରେଷ୍ଠ ଅଟନ୍ତି । ଯଥାର୍ଥରେ-
"ଉତ୍କଳେ ନାଭିଦେଶଶ୍ଚ ବିରଜା କ୍ଷେତ୍ର ମୁଚ୍ୟତେ।
ବିମଳା ସା ମହାଦେବୀ ଜଗନ୍ନାଥସ୍ତୁ ଭୈରବ।"
"ଗଙ୍ଗାୟାଂ ମଙ୍ଗଳାନାମ ବିମଳା ପୁରୁଷୋତ୍ତମ।"
ଶାକ୍ତମାନେ ବିଶ୍ୱାସ କରନ୍ତି ଯେ ବିମଳା ଭୈରବୀ ହିଁ ଆଦିଶକ୍ତି ଅଟନ୍ତି ଓ ନିଜେ ଜଗନ୍ନାଥ ତାଙ୍କର ଭୈରବ ଅଟନ୍ତି। ଅଷ୍ଟମ/ନବମ ଶତାବ୍ଦୀ ବେଳକୁ କଳା ମୁଗୁନି ପଥରରେ ମା' ବିମଳାଙ୍କ ବିଗ୍ରହ ନିର୍ମିତ ହୋଇଥିଲା । ବିମଳା ମା' ପୂଜା ପାଉଥିବା ମନ୍ଦିରର ଉଚ୍ଚତା ୬୦ ଫୁଟ୍ ଓ ଏହା ୩ ଭାଗରେ ବିଭକ୍ତ । ମୁଖଶାଳା ବା ବିମାନ, ଜଗମୋହନ ବା ନାଟ ମଣ୍ଡପ।୪ହସ୍ତ ଓ ତ୍ରିଚକ୍ଷୁ ୫ ଫୁଟ୍ଉଚ୍ଚତା ବିଶିଷ୍ଟ ବିଗ୍ରହ ( ପ୍ରଭା ବା ସିଂହାସନ ସହ ୬ ଫୁଟ୍)ଙ୍କ ଦକ୍ଷିଣ ପାର୍ଶ୍ୱରେ ମାୟା ଓ ବାମ ପାର୍ଶ୍ୱରେ ଛାୟା ଦେବୀ ଅବସ୍ଥିତା।ଆଦି ଶଙ୍କରାଚାର୍ଯ୍ୟଙ୍କଦ୍ୱାରା ଷଷ୍ଠ ଶତାବ୍ଦୀରେ ଦେବୀ ବିଗ୍ରହ ପ୍ରତିଷ୍ଠା ହୋଇଥିବା କୁହାଯାଇଛି।ଷୋଡ଼ଶ ମାତୃକା ଓ ଯୋଗିନୀଙ୍କର ୪୪ଟି ଚିତ୍ର ନାଟ ମଣ୍ଡପ କାନ୍ଥରେ ଚିତ୍ରିତ ହୋଇଛି । ଗଞ୍ଜାମର ତରଳାର ରାଜା ଦିବ୍ୟସିଂହ ଦେବ(୧୬୯୩-୧୭୨୦)ଙ୍କ ସମୟରେ ମା ବିମଳାଙ୍କ ଭୋଗ ମଣ୍ଡପ ବା ନାଟ ମଣ୍ଡପ ନିର୍ମାଣ କରିଥିଲେ।ଶାରଦୀୟ ପାର୍ବଣ ନୀତି ଷୋଳ ପୂଜାରେ ବିମଳା ମା'ଙ୍କର ୧୧ ବେଶ ହୋଇଥାଏ ।
ଗୋପୀ ଓ ଗୋପର ରକ୍ଷକ ରୂପେ ଗୋପେଶ୍ୱର ଉଭା ହୋଇଥିଲେ । ଏହି ମନ୍ଦିରରେ ଶିବ ଓ ଶ୍ରୀକୃଷ୍ଣ ଉଭୟଙ୍କ ପରିବାର ପୂଜିତ ହେଉଛନ୍ତି । ଏହି ସୁଉଚ୍ଚ ପୀଠ ମନ୍ଦିରଟି ଶୈବ ଓ ବୈଷ୍ଣବ ଉଭୟ ସମ୍ପ୍ରଦାୟର ମିଳନ ପୀଠ ରୂପେ ପ୍ରସିଦ୍ଧି ଲାଭ କରିଛି । ଗୋପେଶ୍ୱର ମହାଶିବ ଓ ମହାବିଷ୍ଣୁଙ୍କ ସମାହାର ଅଟନ୍ତି । ରାଜା ଗୋପେଶ୍ୱର ଦେବଙ୍କଦ୍ୱାରା ମନ୍ଦିର ନିର୍ମାଣ ସହ ସବୁ ଠାକୁରଙ୍କୁ ଏଠାରେ ସମାନ ଭାବେ ପୂଜା କରାଯାଉଛି।ଶ୍ରୀମନ୍ଦିରର ପଶ୍ଚିମ ପାର୍ଶ୍ୱ ଭିତର ବେଢାରେ ପୂର୍ବାଭିମୁଖୀ ମନ୍ଦିରଟିରେ ବିଷ୍ଣୁଙ୍କର ବିଭିନ୍ନ ଅବତାର ସ୍ଥାନିତ ହୋଇଛି ।
ରାଧା ଓ କୃଷ୍ଣଙ୍କର ତ୍ରିଭଙ୍ଗୀ ଠାଣି, ବଂଶୀବାଦନଯୁକ୍ତ ଛୋଟ ଛୋଟ ବିଗ୍ରହଟି ମନ୍ଦିରଟିରେ ବିଦ୍ୟମାନ କିନ୍ତୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଦାରୁବ୍ରହ୍ମ ଏହି ମନ୍ଦିରରେ ଶୋଭା ପାଉଛି।ପୂର୍ବାଭିମୁଖୀ ମନ୍ଦିରଟି ମା' ବିମଳା ଓ ଗୋପେଶ୍ୱର ମନ୍ଦିରର ମଧ୍ୟଭାଗରେ ଅବସ୍ଥିତ।ଏହାକୁ ପଟିଦିଅଁ ମନ୍ଦିର କୁହାଯାଇଥାଏ । ଠାକୁରଙ୍କ ଅଣସର/ଅନବସର ସମୟରେ ପଟିଦିଅଁମାନେ ଏଠାରୁ ଯାଆନ୍ତି ଓ ପରେ ଆସି ରଖାଯାଆନ୍ତି ।
ସାକ୍ଷୀଗୋପାଳ ମନ୍ଦିରରେ ସାକ୍ଷୀଗୋପାଳ ଓ ଶ୍ରୀରାଧାଙ୍କର ବିଗ୍ରହ ସୁନ୍ଦର ରୂପେ ସ୍ଥାପନା କରାଯାଇ ପୂଜା କରାଯାଉଛି । ଏହି ମନ୍ଦିରଟି ପଶ୍ଚିମ ପାର୍ଶ୍ୱ ଭିତର ବେଢାରେ ପୂର୍ବ ମୁହାଁ ହୋଇ ସ୍ଥାପନ କରାଯାଇଛି । ପୁରୁଷୋତ୍ତମ ଦେବ ଗଜପତିଙ୍କର କାଞ୍ଚି ଅଭିଯାନରୁ ଅଣାଯାଇଥିବା ସାକ୍ଷୀ ଗୋପୀନାଥଙ୍କ ବିଗ୍ରହ ପ୍ରଥମେ ଏଠାରେ ପୂଜା ପାଇଥିଲେ । ଏଠାରୁ ସାକ୍ଷୀଗୋପାଳ ସତ୍ୟବାଦୀକୁ ସୁଉଚ୍ଚ ମନ୍ଦିର ନିର୍ମାଣ କରାଯାଇ ସ୍ଥାନାନ୍ତରିତ କରାଯାଇ ଏହି ବିଗ୍ରହକୁ ସ୍ମାରକୀ ଉପାସନା ନିମନ୍ତେ ସ୍ଥାପନା କରାଯାଇଛି । କାର୍ତ୍ତିକ ମାସ ଅଁଳା ନବମୀରେ ଗୋପାଳ ଓ ଶ୍ରୀରାଧା ପାଦ ଦର୍ଶନ କରିବାକୁ ଏଠାରେ ପ୍ରବଳ ଭିଡ଼ ଲାଗି ରହେ।ଗୋଟିଏ କୋଠରୀ ମଧ୍ୟରେ ୪ ଫୁଟର ବିଗ୍ରହ ସାକ୍ଷୀଗୋପାଳ ଓ ରାଧା କଳା ମୁଗୁନି ପଥରରେ ନିର୍ମିତ।
କାଞ୍ଚି ଗଣେଶଙ୍କ ମନ୍ଦିର ଶ୍ରୀମନ୍ଦିର କୁର୍ମ ବେଢାର ପଶ୍ଚିମ ପାର୍ଶ୍ୱରେ ସାକ୍ଷୀଗୋପାଳଙ୍କ ପାର୍ଶ୍ୱରେ ପୂର୍ବାମୁଖୀରେ ଅବସ୍ଥିତ।କାଞ୍ଚି ରାଜା ଶାଲ୍ୱ ନରସିଂହ ଦେବଙ୍କୁ ୧୪୭୪ ଖ୍ରୀଷ୍ଟାବ୍ଦରେ ଗଜପତି ମହାରାଜା ପୁରୁଷୋତ୍ତମ ଦେବ ଯୁଦ୍ଧରେ ପରାସ୍ତ କରି କାଞ୍ଚିର ଇଷ୍ଟଦେବ ଗଣେଶଙ୍କୁ ସାକ୍ଷୀଗୋପାଳଙ୍କ ସହ ନେଇ ଆସିଥିଲେ।ଜଗନ୍ନାଥ-ବଳଭଦ୍ର କଳା-ଧଳା ଘୋଡାରେ କାଞ୍ଚି ଅଭିଯାନରେ ଯାଇ ଜଗନ୍ନାଥ ପ୍ରଥମେ ଏହି ଗଣେଶଙ୍କୁ ପରାସ୍ତ କରିବାରୁ କାଞ୍ଚି ରାଜା ପରାସ୍ତ ହେଲେ।ଏହାକୁ ଭଣ୍ଡ ଗଣେଶ,ଗୌର ଗଣେଶ, କାମଦ ଗଣେଶ, କାଞ୍ଚି ବିଜୟ ଗଣେଶ, ଉଦ୍ଦିଷ୍ଟ ଗଣେଶ ବୋଲି କୁହାଯାଇଥାଏ।ଗଣେଶଙ୍କ ଜାନୁ ଦେଶରେ ଦେବୀ ଦ୍ୱିହସ୍ତା ନାନା ଅଳଙ୍କାର ଭୂଷିତା ସିଦ୍ଧିଦେବୀ/ବିଘ୍ନେଶ୍ୱରୀ ଅଟନ୍ତି। ଏହି ବିଗ୍ରହ ଚତୁର୍ଭୁଜ ବିଶିଷ୍ଟ ଓ ୫ ଫୁଟ୍ ଉଚ୍ଚତା ବିଶିଷ୍ଟ ।ଏହାର ଗଠନ ଅତ୍ୟନ୍ତ କମନୀୟ ଓ ଆକର୍ଷଣୀୟ ।ଡାହାଣ ପଟ ଉପର ହସ୍ତରେ ଅର୍ଦ୍ଧ ଭଗ୍ନ ଦାନ୍ତ, ତଳ ହସ୍ତରେ ରୁଦ୍ରାକ୍ଷ ମାଳା, ବାମ ପଟ ଉପର ହସ୍ତରେ ଫାର୍ଶା ଓ ତଳ ହସ୍ତଟି ତଳ ଦେଶରେ।ଗଳାରେ ପରତା ଓ ସର୍ପ ରହିଛି।ମନ୍ଦିରଟି ବେଢ଼ା ପତ୍ତନଠାରୁ ୨୨ଫୁଟ୍ ଉଚ୍ଚତା ବିଶିଷ୍ଟ ।
ଶ୍ରୀକାଞ୍ଚି ଗଣେଶ ମନ୍ଦିର ପାର୍ଶ୍ୱରେ କ୍ଷୀରଚୋରା ଗୋପୀନାଥ ମନ୍ଦିର ଅବସ୍ଥିତ।ଏହି ମନ୍ଦିରରେ କମନୀୟ ରାଧା କୃଷ୍ଣଙ୍କ ମୂର୍ତ୍ତି ପୂଜା ପାଉଛନ୍ତି।ଜୟ ଶ୍ରୀ ରାଧେ ରାଧେ କୃଷ୍ଣ ଗୋପାଳଙ୍କର ଛୋଟ ବିଗ୍ରହ ଏହି ମନ୍ଦିର ନିକଟରେ ଅନ୍ୟ ଏକ ଛୋଟ ମନ୍ଦିର ମଧ୍ୟରେ ଅବସ୍ଥାପିତ ଓ ପୂଜିତ।
ଶକ୍ତି ପୂଜା ମତରେ ପାଞ୍ଚଟି ଆଦି ମାତୃକାଙ୍କର ଆରଧନା କରାଯାଇଥାଏ । ଏହି ଆଦି ମାତୃକାମାନେ ହେଲେ:-୧) ଦେବୀ ସରସ୍ୱତୀ,୨) ଦେବୀ ଗାୟତ୍ରୀ, ୩) ଦେବୀ ସାବିତ୍ରୀ, ୪) ଷଷ୍ଠୀ ଓ ୫) ଭୁବନେଶ୍ୱରୀଦେବୀ।ଏହି ପଞ୍ଚ ମାତୃକା ଆଦି ଲୋକ ମାତୃକା ରୂପେ ବେଶ୍ ପରିଚିତ ଓ ପୂଜିତା। ଭିତର ବଖରାରେ ମା' ଭୁବନେଶ୍ୱରୀ ବିଦ୍ୟମାନ ଓ ତାଙ୍କୁ କମଳା ସତ୍ୟଭାମା ରୂପେ ସମ୍ବୋଧିତ କରାଯାଇଥାଏ।ବାହାର ବଖରାର ବାମ ପଟେ ମା'ସରସ୍ୱତୀ, ନୃସିଂହ ଓ ଡାହାଣ ପଟେ ଷଷ୍ଠୀ, ସାବିତ୍ରୀ, ଗାୟତ୍ରୀ ଓ ମନଷୀ ପୂଜିତ ହେଉଛନ୍ତି। ୧୭୦୦ ଖ୍ରୀଷ୍ଟାବ୍ଦରେ ଏହି ଭୁବନେଶ୍ୱରୀ ମା'ଙ୍କ ମନ୍ଦିର ପ୍ରତିଷ୍ଠା ହୋଇଥିଲା।ଏହି ୩୫ ଫୁଟ୍ ଉଚ୍ଚତା ବିଶିଷ୍ଟ ମନ୍ଦିରରେ ମା' ଭୁବନେଶ୍ୱରୀଙ୍କ ବିଗ୍ରହ ୫ ଫୁଟ୍ ଉଚ୍ଚତା ବିଶିଷ୍ଟ ।ମା'ଭୁବନେଶ୍ୱରୀ ୧୦ ମହାବିଦ୍ୟାରୁ ଅନ୍ୟତମା।ଚତୁର୍ଭୁଜ ବିଶିଷ୍ଟ ପାଶ ଅଙ୍କୁଶ, ଅଭୟ ଓ ବରଦା ମୁଦ୍ରାରେ ସୁଶୋଭିତା।
ମା' ଭୁବନେଶ୍ୱରୀ ଦେବୀଙ୍କ ମନ୍ଦିରର ନାଟ ମଣ୍ଡପରେ ମା ସରସ୍ୱତୀ ଏକ ଛୋଟ ମନ୍ଦିରରେ ହଂସ ବାହନ ଉପରେ ବିରାଜମାନ ହୋଇଛନ୍ତି।ସରସ୍ୱତୀ ଦେବୀଙ୍କ ଉଚ୍ଚତା ୧ ଫୁଟ୍ ଓ ଦେବୀଙ୍କ ଡାହାଣ ପାର୍ଶ୍ୱରେ ୧ ଫୁଟ୍ ଉଚ୍ଚତାରେ ନୃସିଂହଙ୍କ ଏକ କ୍ଷୁଦ୍ର ମୂର୍ତ୍ତି ପ୍ରତିଷ୍ଠିତ ହୋଇଛି।ଶ୍ରୀ ବସନ୍ତ ପଞ୍ଚମୀ ଦିନ କାକରା ପିଠା ଭୋଗ କରାଯାଏ।ସନ୍ଧ୍ୟା ଧୂପ ପରେ ମା' ସରସ୍ୱତୀଙ୍କ ନିକଟରେ ୨୨ଟି ନଡ଼ିଆ ଭୋଗ କରାଯାଇ ମାଦଳା ପାଞ୍ଜି ପୂଜା କରାଯାଇଥାଏ।
ମା' ଭୁବନେଶ୍ୱରୀଙ୍କ ମନ୍ଦିରର ନାଟ ମଣ୍ଡପରେ ଦକ୍ଷିଣ ପଟେ ଏକ କ୍ଷୁଦ୍ର ମନ୍ଦିର ପରି ପ୍ରକୋଷ୍ଠରେ ମା' ଷଷ୍ଠୀ, ସାବିତ୍ରୀ, ଓ ଗାୟତ୍ରୀଙ୍କ ବିଗ୍ରହ ପୂଜା କରାଯାଏ।ଷଷ୍ଠୀ ଦେବୀଙ୍କ ପରିବାର ଏଠି ପୂଜିତ ଓ କେତେକ ମନସା ଦେବୀ ଭାବରେ ପୂଜା କରିଥାନ୍ତି। ଜନ୍ମଦିନମାନଙ୍କରେ ମା' ଷଷ୍ଠୀ ଦେବୀଙ୍କଠାରେ ପିଲାମାନଙ୍କର ଦୀର୍ଘାୟୁ ଏବଂ ସର୍ବ କୁଶଳ ପାଇଁ କାମନା କରି ପୂଜାର୍ଚ୍ଚନା କରାଯାଇଥାଏ।ମା' ଷଷ୍ଠୀ ଦେବୀ ତ୍ରିଭୂଜା ଅଟନ୍ତି।ତାଙ୍କ ବାମ କୋଳରେ ଦିବ୍ୟ ଶିଶୁ ଆତ୍ମ ସୁଖ ଲାଭ କରୁଛନ୍ତି।
ସଧବା ସ୍ତ୍ରୀମାନେ ନିଜ ନିଜ ସ୍ୱାମୀଙ୍କ ଦୀର୍ଘାୟୁ ପାଇଁ ଜ୍ୟେଷ୍ଠ ଅମାବାସ୍ୟା ଦିନ ଏହି ମା'ଙ୍କ ପାଖରେ ସାବିତ୍ରୀ ବ୍ରତ କରିଥାନ୍ତି।
ଏଠାରେ ମା'ଗାୟତ୍ରୀ ଦେବୀ ମଧ୍ୟ ପୂଜିତା ଓ ସର୍ବ ବିଗ୍ରହ ପୂର୍ବାଭିମୁଖୀ ଅଟନ୍ତି।
ଶ୍ରୀନୀଳମାଧବ ମନ୍ଦିର ଶ୍ରୀମନ୍ଦିରର ଉତ୍ତର-ପଶ୍ଚିମ କୋଣରେ ଅବସ୍ଥିତ।ପ୍ରଥମେ ନୀଳମାଧବ ଶବର ରାଜା ବିଶ୍ୱାବସୁଙ୍କଦ୍ୱାରା ପୂଜିତ ହେଉଥିଲେ।ଶ୍ରୀଜଗନ୍ନାଥଙ୍କ ଆବିର୍ଭାବ ଆଗରୁ ଶ୍ରୀକ୍ଷେତ୍ରରେ ଅପ୍ରାକୃତିକ ନୀଳମାଧବ ମୂର୍ତ୍ତି ଗାଲ ମାଧବ ସିଂହାସନ ଉପରେ ପୂଜା କରୁଥିଲେ।ଇନ୍ଦ୍ରଦ୍ୟୁମ୍ନ ତାହାକୁ ଏଠାକୁ ସ୍ଥାନାନ୍ତରିତ କରିଛନ୍ତି।ନୀଳମାଧବ ମନ୍ଦିରର ଉଚ୍ଚତା ୩୪ ଫୁଟ୍।ଗର୍ଭଗୃହ ଓ ଜଗମୋହନ ଦୁଇ ଭାଗରେ ବିଭକ୍ତ ହୋଇଛନ୍ତି।ମନ୍ଦିରର ଉତ୍ତର ପାର୍ଶ୍ୱରେ ୨ ଫୁଟ୍ ଉଚ୍ଚତା ବିଶିଷ୍ଟ ତ୍ରିବିକ୍ରମ ପୃଥ୍ୱୀ ଦେବୀଙ୍କୁ ଏକ ପାଦରେ ଟେକି ଧରିଛନ୍ତି।ନୀଳମାଧବ ଚତୁର୍ଭୁଜ ବିଶିଷ୍ଟ ଅଟନ୍ତି।ଡାହାଣ ହସ୍ତରେ ଚକ୍ର, ତଳ ହସ୍ତରେ ପଦ୍ମ ଥିବା ବେଳେ ବାମ ଉପର ହସ୍ତରେ ଶଙ୍ଖ ଓ ନିମ୍ନ ହସ୍ତରେ ଗଦା ଧାରଣ କରିଛନ୍ତି।ନୀଳମାଧବ ବିଗ୍ରହଙ୍କର ଉଚ୍ଚତା ୨ ଫୁଟ୍ ବିଶିଷ୍ଟ ।ଅତୀବ ଭାସ୍କର୍ଯ୍ୟ ପୂର୍ଣ୍ଣ ଓ ପ୍ରାଣବନ୍ତ ଶବର ରାଜା ବିଶ୍ୱାବସୁ ଦୁଇ ହସ୍ତରେ ପାଚିଲା ଫଳ ଓ ନୈବେଦ୍ୟ ମାଧବଙ୍କୁ ଦେଉଥିବା ଓ ନିଜ ପଛେ ଶର ତୁଣି ଧରିଥିବା ଦେଖାଯାନ୍ତି।।ବିଶ୍ୱାବସୁଙ୍କ ବିଗ୍ରହ ୬ଇଞ୍ଚ ବିଶିଷ୍ଟ । ନୀଳମାଧବଙ୍କ ଡାହାଣରେ କଳା ମୁଗୁନି ପ୍ରସ୍ତରରେ ନିର୍ମିତ ୧ଫୁଟର ବଂଶୀଧାରୀ ଶ୍ରୀକୃଷ୍ଣ ରହିଛନ୍ତି।ବାମ ପଟେ ୨ ଫୁଟ୍ ଉଚ୍ଚତାର ଦାରୁ ବିଗ୍ରହ ଶ୍ରୀଜଗନ୍ନାଥଙ୍କର ପୂଜା ପାଉଛନ୍ତି।ଶ୍ରୀକୃଷ୍ଣ,ନୀଳମାଧବ ଓ ଶ୍ରୀଜଗନ୍ନାଥ ତ୍ରିଦେବ ହିଁ ନୀଳମାଧବ ନାମରେ ପୂଜା ପାଉଛନ୍ତି।
ଶ୍ରୀମନ୍ଦିରର ପଶ୍ଚିମ କୋଣରେ ଶ୍ରୀନୀଳମାଧବ ଓ ଶ୍ରୀଲକ୍ଷ୍ମୀଙ୍କ ମନ୍ଦିର ମଧ୍ୟରେ ଏହି ମା'ଙ୍କ ମନ୍ଦିର ଅବସ୍ଥିତ।ଏହି ମା'ଙ୍କୁ ଭଦ୍ରକାଳୀ ବା ଗୁହ୍ୟ କାଳୀ କୁହାଯାଇଥାଏ।ପୂର୍ବରୁ ଚାରିପାର୍ଶ୍ୱ ଘଞ୍ଚ ବୃକ୍ଷ ରାଶି ଛାୟା ବେଢ଼ି ରହିଥିଲା।ଏଣୁ ବହୁ ଲୋକ ମୃତ୍ୟୁମୁଖରେ ପଡିଛନ୍ତି।ମରହଟ୍ଟା ରାଜତ୍ୱରେ ବାବା ବ୍ରହ୍ମଚାରୀଙ୍କ ଉଦ୍ୟମରେ କାଳୀଙ୍କ ସମ୍ମୁଖରେ ବର୍ତ୍ତମାନର ବିଗ୍ରହ ସ୍ଥାପନା କରାଯାଇଥିଲା ଓ ଯନ୍ତ୍ର କାଳୀ ଓ ବେଢ଼ାକାଳୀଙ୍କ ପ୍ରକୋପକୁ ଶାନ୍ତ କରାଯାଇଥିଲା।କୁର୍ମ ବେଢ଼ା, ଶ୍ରୀମନ୍ଦିରର ରକ୍ଷକ ରୂପେ ବେଢ଼ାକାଳୀ ପ୍ରଭୁଙ୍କ ପହୁଡ଼ ପରେ ଜାଗ୍ରତ ହୋଇ ରହିଥାନ୍ତି।ମା'ଭଦ୍ରକାଳୀ ତଥା ବେଢ଼ା କାଳୀ ଗର୍ଭ ଗୃହରେ ପୂଜା ପାଆନ୍ତି।ଭଦ୍ରକାଳୀ ପରମ ବୈଷ୍ଣବୀ ଅଟନ୍ତି।ଏହି କାଳୀ ମା'ଙ୍କ ମୂର୍ତ୍ତି ଝୁଣା ଓ ତୈଳ ମିଶ୍ରିତ ଉପାଦାନ "ଓଷୁଅ"ରେ ନିର୍ମିତ କିନ୍ତୁ ମୂଳ ପଥର ମୂର୍ତ୍ତି ଏହାଙ୍କ ପଶ୍ଚାତ ଭାଗରେ ଅଧିଷ୍ଠିତା।ବର୍ତ୍ତମାନର ମୂର୍ତ୍ତିର ଡାହାଣ ପାର୍ଶ୍ୱକୁ ଏକ କଣା ରହିଛି ଯେଉଁ ବାଟେ ହିଁ ପ୍ରତିଦିନ ଫୁଲ ଚନ୍ଦନ ମୂଳ ଦେବୀଙ୍କୁ ଅର୍ପଣ କରାଯାଏ।
ମା' ବେଢ଼ାକାଳୀଙ୍କ ଉତ୍ତର ଦିଗରେ ଶ୍ୱେତ ମାର୍ବଲର ଅତୀବ କମନୀୟ ଲକ୍ଷ୍ମୀ-ନାରାୟଣଙ୍କ ବିଗ୍ରହ ପୂଜା ପାଉଛନ୍ତି।ବିଶ୍ୱାସ ଅଛି ଯେ, ଏଠାରେ ମାନସିକ ରଖି ବିବାହ ପ୍ରସ୍ତାବ ନିମନ୍ତେ ନଡ଼ିଆ, ଦୀପ, ପୁଷ୍ପ, ବସ୍ତ୍ର ଲାଗି କରିଦେଲେ ତୁରନ୍ତ ପୁଅ ଝିଅଙ୍କ ବିବାହ ହୋଇଯାଏ।ମହାଲକ୍ଷ୍ମୀଙ୍କର ମନ୍ଦିରର ପଶ୍ଚାତ ଭାଗରେ ଏହି ମନ୍ଦିରଟି ବିଦ୍ୟମାନ।
ଶ୍ରୀମନ୍ଦିରର ବାୟୁ କୋଣରେ ୬୦ ଫୁଟ୍ ଉଚ୍ଚତା ବିଶିଷ୍ଟ ଶ୍ରୀମହାଲକ୍ଷ୍ମୀ ମନ୍ଦିରଟି ଅବସ୍ଥିତ।ଏହି ମନ୍ଦିରଟି ୪ ଭାଗରେ ବିଭକ୍ତ।ଯଥା:-୧) ଗର୍ଭ ଗୃହ ବା ବିମାନ, ୨) ଜଗମୋହନ, ୩) ନାଟ ମଣ୍ଡପ, ୪) ଅଚିନ୍ତା ମଣ୍ଡପ।ଦକ୍ଷିଣ ଦ୍ୱାରରୁ ପ୍ରବେଶ କରି ଗର୍ଭ ଗୃହକୁ ଆସିବା ପରେ କାନ୍ଥରେ ଲକ୍ଷ୍ମୀ-ନୃସିଂହଙ୍କର ମଣିମୟ ବିଗ୍ରହ ଓ ଉତ୍ତରରେ ବିଦ୍ୟମାନ ହୋଇଛନ୍ତି।ଆଦି ଶଙ୍କରାଚାର୍ଯ୍ୟ ପୂଜା କରୁଥିବା ଲକ୍ଷ୍ମୀ-ନୃସିଂହ ମୂର୍ତ୍ତି ଏଠାରେ ବିଦ୍ୟମାନ ଅଟନ୍ତି।ଲକ୍ଷ୍ମୀ-ନୃସିଂହଙ୍କର ପାଦ ତଳେ ଆଦି ଶଙ୍କରାଚାର୍ଯ୍ୟଙ୍କ ଚିତ୍ରପଟ ମଧ୍ୟ ରହିଛି । ଐତିହାସିକମାନେ/ଗବେଷକମାନେ ଭିନ୍ନ ଭିନ୍ନ ମତ ରଖନ୍ତି ଯେ, ଏହି ମନ୍ଦିର ନିର୍ମାଣ କାର୍ଯ୍ୟ ଅନଙ୍ଗ ଭୀମଦେବ କିମ୍ବା ଚୋଡ଼ଗଙ୍ଗ ଦେବ କରାଇଛନ୍ତି।ମାଦଳା ପାଞ୍ଜି ଅନୁଯାୟୀ ପ୍ରଥମେ ଏହି ମନ୍ଦିର କାର୍ଯ୍ୟ ଯଯାତି କେଶରୀ ଓ ପରେ ଅନଙ୍ଗ ଭୀମଦେବ କରାଇଛନ୍ତି।ମନ୍ଦିରର ପୂର୍ବ ଦିଗକୁ ଛାଡ଼ି ତିନି ପଟେ ଗଜଲକ୍ଷ୍ମୀଙ୍କ ବିଗ୍ରହ ବିଦ୍ୟମାନ ହୋଇଛନ୍ତି।ଗର୍ଭ ଗୃହର ଦୁଇ ପାର୍ଶ୍ୱରେ ମା' ଗଙ୍ଗା ଓ ଯମୁନାଙ୍କ ମୂର୍ତ୍ତି ବିରାଜିତା।
ଲକ୍ଷ୍ମୀ ମନ୍ଦିରର ବିମାନ ନିର୍ମାଣ କାର୍ଯ୍ୟ ଗଜପତି ବଳଭଦ୍ର ଦେବଙ୍କ ପୁତ୍ର ମୁକୁନ୍ଦ ଦେବଙ୍କ ପୁତ୍ର ପିତାମ୍ବର ବିଦ୍ୟାଧର ମହାପାତ୍ର କରାଇଥିଲେ।କଳା ମୁଗୁନି ପଥରରେ ନିର୍ମିତ ଦେବୀଙ୍କ ବିଗ୍ରହ ସିଂହାସନ ଉପରେ ବିରାଜିତା ହୋଇଛନ୍ତି।ଏହି ମୂର୍ତ୍ତି ପ୍ରଭାସହ ୪ ଫୁଟ୍ ଉଚ୍ଚତା ବିଶିଷ୍ଟ।ଦେବୀ ପଦ୍ମାସନା ଓ ଚତୁର୍ଭୁଜା ହୋଇ ବିରାଜମାନ ହୋଇଛନ୍ତି।ଦୁଇ ପଟେ ଦୁଇ ଯୁଗଳ ହସ୍ତୀ ସ୍ୱର୍ଣ୍ଣ କୁମ୍ଭରୁ ମହାଲକ୍ଷ୍ମୀଙ୍କୁ ଜଳ ଢାଳୁଛନ୍ତି।ଏହି ରୂପ ମହାଲକ୍ଷ୍ମୀଙ୍କର "ଗଜଲକ୍ଷ୍ମୀ" ରୂପେ ପ୍ରଖ୍ୟାତ।ଜଗମୋହନ, ମହାଲକ୍ଷ୍ମୀ ମନ୍ଦିରରେ "ତ୍ରିପଦ ଭକ୍ତି ବୈକୁଣ୍ଠ ମଣି ମଣ୍ଡପ" ନାମରେ ଖ୍ୟାତି ଲାଭ କରିଛନ୍ତି।
ଲକ୍ଷ୍ମୀ ମନ୍ଦିରର ନାଟ ମଣ୍ଡପର ଉତ୍ତର ପାର୍ଶ୍ୱରେ ନବ ଗ୍ରହ ମନ୍ଦିରରେ ୪ ଫୁଟ୍ ଉଚ୍ଚ କାନ୍ଥକୁ ଲାଗି ରବି, ଚନ୍ଦ୍ର, ମଙ୍ଗଳ, ବୁଧ, ବୃହସ୍ପତି, ଶୁକ୍ର, ଶନି, ରାହୁ ଓ କେତୁ ବିଗ୍ରହ ବିପରୀତ କ୍ରମାନୁଯାୟୀ ପ୍ରତିଷ୍ଠିତ ହୋଇ ଦକ୍ଷିଣରୁ ବାମକୁ ପୂଜା ହେଉଛନ୍ତି।ଏଥିପାଇଁ ଗ୍ରହମାନଙ୍କ ଅବସ୍ଥିତିରେ ବୈଷମ୍ୟ ଉପଲବ୍ଧ କରାଯାଇଥାଏ।ପଥର ପୂର୍ବାଭିମୁଖୀ ନବଗ୍ରହ ବିଗ୍ରହମାନଙ୍କ ବ୍ୟତୀତ ସମଲେଶ୍ୱରୀ, ରାମ, ଲକ୍ଷ୍ମଣ, ସୀତା ଓ ହନୁମାନଙ୍କ ବିଗ୍ରହ ମଧ୍ୟ ପୂଜିତ ହୋଇଥାଏ।
ନବଗ୍ରହ ଓ ସୂର୍ଯ୍ୟନାରାୟଣ ମଧ୍ୟସ୍ଥ ଏବଂ ଲକ୍ଷ୍ମୀ ମନ୍ଦିରର ପୂର୍ବ ଦ୍ୱାରର ପ୍ରାରମ୍ଭ ଉତ୍ତର ପାର୍ଶ୍ୱରେ ଶ୍ରୀବଦ୍ରିନାରାୟଣ ମନ୍ଦିର ଓ ଦ୍ୱାରିକାନାଥ ମନ୍ଦିରରେ ଲକ୍ଷ୍ମୀ ନାରାୟଣ ପୂଜା ହେଉଛନ୍ତି।
ଧର୍ମ ଦେବତାଙ୍କ ନିମନ୍ତେ ପ୍ରାରମ୍ଭରେ ଏହି ମନ୍ଦିର ନିର୍ମାଣ ହୋଇଥିଲା।ଏହି ମନ୍ଦିରରେ ବୈବାହିକ ନିର୍ବନ୍ଧ କାର୍ଯ୍ୟ କରାଯାଇଥାଏ।ଏହି ମନ୍ଦିର ଇନ୍ଦ୍ର ମନ୍ଦିର ନାମରେ ମଧ୍ୟ ସୁପରିଚିତ ଥିଲା।ମାଦଳା ପାଞ୍ଜିରୁ ଜଣାଯାଏ ଯେ, ଭୋଇ ବଂଶର ରାଜା ନରସିଂହ ଦେବ ୧୬୨୨-୧୬୪୪ ଖ୍ରୀଷ୍ଟାବ୍ଦ ମଧ୍ୟରେ କୋଣାର୍କରୁ ସୂର୍ଯ୍ୟ ଚନ୍ଦ୍ରଙ୍କୁ ଆଣି ଏଠାରେ ସ୍ଥାପନା କରିଥିଲେ।୧୬୨୮ ମସିହା ମାର୍ଚ୍ଚ ୧୭ ତାରିଖରେ ଗଜପତି ନରସିଂହ ଦେବ କୋଣାର୍କ ମନ୍ଦିରରୁ ଆଣି ଇନ୍ଦ୍ରଙ୍କ ମନ୍ଦିରରେ ସ୍ଥାପନା କରିଥିଲେ ବୋଲି ଜଣା ପଡିଛି।ଏହି ମନ୍ଦିରଟି ୩ ଭାଗରେ ବିଭକ୍ତ ଯଥା:- ୧) ବିମାନ, ୨) ଜଗମୋହନ, ୩) ନାଟ ମନ୍ଦିର।ଏହି ମନ୍ଦିର ୬୩ ଫୁଟ୍ ଉଚ୍ଚତା ବିଶିଷ୍ଟ ।ଶ୍ରୀମନ୍ଦିର ପରେ ଏହି ମନ୍ଦିରଟି ଅନ୍ୟ ମନ୍ଦିରମାନଙ୍କ ଅପେକ୍ଷାରେ ବଡ଼।ଇନ୍ଦ୍ରଙ୍କ ଅର୍ଦ୍ଧ ଭଗ୍ନ ବିଗ୍ରହ ସୂର୍ଯ୍ୟ ନାରାୟଣଙ୍କ ମଣି ବିଗ୍ରହର ଠିକ୍ ପଛ ପାର୍ଶ୍ୱରେ ଥିବା ଜଣାଯାଏ।ଜଗମୋହନର ମଧ୍ୟ ଭାଗରେ ଏକ ରଥାକୃତି କାଷ୍ଠ ସିଂହାସନରେ ଧାତୁ ନିର୍ମିତ ସୂର୍ଯ୍ୟ ପ୍ରତିମାଙ୍କ ଚଳନ୍ତି ବିଗ୍ରହ ଓ ବାମ ଭାଗରେ ଛାୟା ବିଗ୍ରହ ବା ଉତ୍ତରାୟଣ ବା ଚନ୍ଦ୍ର ବିଗ୍ରହ ବୋଲି କୁହାଯାଏ।ଏଠାରେ ଥିବା "ଜ୍ୱର ଦେବତା"ଙ୍କ ମଣି ବିଗ୍ରହ ତିନି ମୁଣ୍ଡ, ପାଞ୍ଚ ହାତ ବିଶିଷ୍ଟ ।ରଥ ଉପରେ "ପଦ୍ମ ମାଧବ" ବିଗ୍ରହ ରଥାସୀନ ହୋଇଛନ୍ତି।
ସୂର୍ଯ୍ୟ ମନ୍ଦିର ଗର୍ଭଗୃହ ପାଖରେ ୩୦ ହାତ ଉଚ୍ଚତା ବିଶିଷ୍ଟ ରଥାକୃତି ମନ୍ଦିର ଓ ଜଗମୋହନ ରହିଛି।ମୁଖ୍ୟ ମନ୍ଦିର ଚୂଡ଼ାରେ ଚକ୍ର ଶୋଭା ପାଉଛନ୍ତି।ମନ୍ଦିରର ଉତ୍ତରରେ ଶ୍ରୀବଳି ବାମନ, ଦକ୍ଷିଣରେ ଶ୍ରୀବରାହ ଓ ପଶ୍ଚିମ ପାର୍ଶ୍ୱରେ ଶ୍ରୀନୃସିଂହ ବିରାଜମାନ ହୋଇଛନ୍ତି।ମୁଖ୍ୟ ପ୍ରବେଶ ଦ୍ୱାର ଦକ୍ଷିଣ ଦିଗକୁ ରହିଛି।ମୁଖ୍ୟ ବିଗ୍ରହ ପୂର୍ବାଭିମୁଖୀ ଅଟନ୍ତି।ଏକ ଫୁଟ୍ ଉଚ୍ଚତା ବିଶିଷ୍ଟ ପ୍ରସ୍ତର ସିଂହାସନ ଉପରେ ଶାଳଗ୍ରାମ ଶିଳାରେ୪ ଫୁଟ୍ ଉଚ୍ଚତା ବିଶିଷ୍ଟ ମୁରଲୀଧାରୀ ହସ୍ତ ଓ ଛନ୍ଦା ପୟରରେ ନୃତ୍ୟରତ ହୋଇଥିବା ଦଧିବାମନ ଠାକୁର ବିରାଜିତ ହୋଇଛନ୍ତି।
ଶ୍ରୀ ଗୋପୀନାଥ ଓ ରାମଚନ୍ଦ୍ର ମନ୍ଦିରରେ ରାମାୟଣ ଓ ମହାଭାରତ ଯୁଗର ସହାବସ୍ଥାନ ଦେଖାଯାଇଥାଏ।ଏଠାରେ ପ୍ରଭୁ ଶ୍ରୀକୃଷ୍ଣ ଓ ମର୍ଯ୍ୟାଦା ପୁରୁଷ ଶ୍ରୀରାମଚନ୍ଦ୍ରଙ୍କ ପୂଜା କରାଯାଇଥାଏ।
କୁର୍ମ ବେଢାର ଉତ୍ତର ପାର୍ଶ୍ୱ ଦ୍ୱାର ନିକଟରେ ପଶ୍ଚିମ ଦିଗକୁ ପୂର୍ବାଭିମୁଖୀ ହୋଇ ବଳୀ ପାତାଳ ମନ୍ଦିର ରହିଛି।ଏହି ମନ୍ଦିରକୁ ଶ୍ରୀପାତାଳେଶ୍ୱର ମନ୍ଦିର ବୋଲି ମଧ୍ୟ କୁହାଯାଇଥାଏ।ଏହା ବେଢାର ପତନଠାରୁ ଅଧେ ଅଂଶ ପୋତି ହୋଇ ରହିଲା ପରି ଲାଗୁଛି।ଏହି ମନ୍ଦିରଟି ରାଜା ଅନଙ୍ଗ ଭୀମ ଦେବ ନିର୍ମାଣ କରିଥିଲେ।ଏହି ମନ୍ଦିରଟି କେବଳ ଗର୍ଭ ଗୃହ ବା ବିମାନ ସମ୍ବଳିତ ମନ୍ଦିର ।ଭଗବାନ ବିଷ୍ଣୁ ବାମନ ଅବତାର ଧାରଣ କରି ନିଜ ପାଦରେ ଚାପି ଦେଇଥିବା ବଳୀ ଏଠାରେ ପାତାଳେଶ୍ୱର ନାମରେ ରହିଛନ୍ତି ଓ ନୀଳଚକ୍ର ପତିତପାବନକୁ ଚାହିଁ ଶ୍ରୀବିଷ୍ଣୁଙ୍କ ସାନିଧ୍ୟ ପାଇଛନ୍ତି ବୋଲି ଲୋକେ ବିଶ୍ୱାସ କରୁଛନ୍ତି। ୨୨ ପାହାଚ ତଳକୁ ଗଲେ ୨୦ ଫୁଟ ତଳେ ପାତାଳେଶ୍ୱର ମହାଦେବ ବିଦ୍ୟମାନ ଅଟନ୍ତି।ପୋଖରିଆର ମଧ୍ୟରେ ଅଢ଼େଇ ଫୁଟ୍ ବ୍ୟାସ ବିଶିଷ୍ଟ ଶିବଲିଙ୍ଗ, ଶକ୍ତି ଓ ଶକ୍ତିଙ୍କ ଉପରେ ପାଞ୍ଚଟି ତମ୍ବା ନିର୍ମିତ ସର୍ପ ପୂଜା ପାଉଛନ୍ତି।ଗମ୍ଭୀରାର ପଶ୍ଚିମ କାନ୍ଥକୁ ଲାଗି ୩ ଫୁଟ ଉଚ୍ଚତାର ବଳୀ ମହାରାଜ, ଦେଢ଼ ଫୁଟ୍ ଉଚ୍ଚତାର ଏକ ଭଗ୍ନ ଗଣେଶ ଓ ୨ ଫୁଟ୍ ଉଚ୍ଚତାର କାଳୀୟ ଦଳନ ମୂର୍ତ୍ତି , ଖିଲାଣ ଉପରେ ନବଗ୍ରହ, ରାହୁ ଓ ଶଙ୍କରାଚାର୍ଯ୍ୟ ଆଦିଙ୍କ ମୂର୍ତ୍ତି ଓ ରାମନନ୍ଦୀ ଚିତା ରହିଛି।ଏହାର ବାମରେ କ୍ଷୁଦ୍ର ବୃଷଭ ରହିଛି।ଏହାର ଦୁଇ ପାର୍ଶ୍ୱର କାନ୍ଥରେ ଗଙ୍ଗବଂଶୀ ରାଜା ଅନଙ୍ଗଭୀମ ଦେବଙ୍କ ସାତଟି ଶିଳାଲେଖ ଉଦ୍ଧାର ହୋଇଛି। ପାତାଳେଶ୍ୱର ମହାଦେବଙ୍କ ଦର୍ଶନ ସାରି ଉତ୍ତର ଦ୍ୱାର ମାର୍ଗରେ ଭକ୍ତିପୂର୍ବକ ଐଶାନେଶ୍ୱର, ଶୀତଳା, ଉତ୍ତରାୟଣୀ ଲୋକେଶ୍ୱର, ବୈକୁଣ୍ଠେଶ୍ୱର ଓ ତପସ୍ୱୀ ହନୁମାନ ୬ ଜଣ ଦେବତାଙ୍କ ଦର୍ଶନର ବିଧି ରହିଛି।
କୁର୍ମ ବେଢାର ଉତ୍ତର ପାର୍ଶ୍ୱର ଦ୍ୱାରର ପୂର୍ବ ଦିଗକୁ, ଭକ୍ତ ଶ୍ରୀଚୈତନ୍ୟଙ୍କ ପଦ ଚିହ୍ନ ଯାହା ଗରୁଡ଼ ପଛରେ, ଜଗମୋହନରେ ଥିଲା ତାକୁ ଦର୍ଶନ କରିବାର ସୌଭାଗ୍ୟ ମିଳିବ।କୀର୍ତ୍ତନ ଚକଡାରେ ଏହା ଥିବାରୁ ସଂକୀର୍ତ୍ତନ କରାଯାଏ । ଚତୁର୍ଦ୍ଧାମୂର୍ତ୍ତି ନାରାୟଣଙ୍କ ବିଗ୍ରହ କ୍ଷୁଦ୍ର ମନ୍ଦିର ମଧ୍ୟରେ ରହିଛନ୍ତି।କଳା ମୁଗୁନି ପ୍ରସ୍ତରରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧାରଣ କରିଥିବା ମନୋମୁଗ୍ଧକର ବିଗ୍ରହମାନେ ପୂଜା ପାଉଛନ୍ତି ଓ ଏହି ମନ୍ଦିରର ଆଗରେ ଥିବା ମଣ୍ଡପରେ ଫୁଲହାର ପ୍ରଭୁଙ୍କର ଗୁନ୍ଥାଯାଏ।
ରାମଚନ୍ଦ୍ର ତଥା ରାଧାକୃଷ୍ଣଙ୍କ ବିଗ୍ରହ ପାଦପଦ୍ମ ନିକଟରେ କ୍ଷୁଦ୍ର ମନ୍ଦିରର ପୂଜା ପାଆନ୍ତି।
ଶ୍ରୀମନ୍ଦିରର ଐଶାନ୍ୟ କୋଣରେ ବେଢାର ପତନଠାରୁ ୨୫ ଫୁଟ୍ ତଳେ ଈଶାନେଶ୍ୱର ପ୍ରଭୁଙ୍କ ମନ୍ଦିର ରହିଛି । ଭିତର ବେଢାରୁ ଉତ୍ତର ଦ୍ୱାରକୁ ଯିବା ସମୟରେ ପୂର୍ବ ପଟ ସଂଲଗ୍ନ ହୋଇ ଈଶାନେଶ୍ୱର ମହାଦେବ ବିଦ୍ୟମାନ ହୋଇଛନ୍ତି ଓ ଏହାର ପ୍ରବେଶ ଦ୍ୱାରଟି ଉତ୍ତରାଭିମୁଖୀ ହୋଇ ରହିଛି।ମାଦଳା ପାଞ୍ଜିରୁ ଜଣାପଡେ ଯେ ଏହାକୁ ଧ୍ରୁବ କେଶରୀ ନିର୍ମାଣ କରିଛନ୍ତି । ଈଶାନେଶ୍ୱରଙ୍କୁ ଶ୍ରୀଜଗନ୍ନାଥଙ୍କ ଗୁରୁ ବୋଲି ବିବେଚନା କରାଯାଏ ଓ ଶ୍ରୀଜଗନ୍ନାଥ ମନ୍ଦିର ବହୁ ପୂର୍ବରୁ ସେ ଏଠାରେ ରହିଛନ୍ତି।ଗର୍ଭଗୃହରେ ୨ ଫୁଟରେ ୨ ଫୁଟ୍ ଆୟତନର ଉତ୍ତରାଭିମୁଖୀ ଶକ୍ତି ପୂଜା ପାଉଛନ୍ତି । ଏହାର ଲିଙ୍ଗ ୧ ଫୁଟ୍ ଉଚ୍ଚତା ବିଶିଷ୍ଟ ।
ଶ୍ରୀ ଜଗନ୍ନାଥଙ୍କ ମନ୍ଦିରରେ ବର୍ଷସାରା ପର୍ବପର୍ବାଣି ଲାଗି ରହିଥିଲେ ମଧ୍ୟ ସେଥିମଧ୍ୟରୁ ବାରଗୋଟି ବିଶିଷ୍ଟ ଉତ୍ସବ ଭାବେ ପାଳିତ ହୁଏ ସେଗୁଡ଼ିକ ଦ୍ୱାଦଶ ଯାତ୍ରା ନାମରେ ଅଭିହିତ ।
ଇତିହାସରୁ ଜଣାଯାଏ ଯେ ଶ୍ରୀମନ୍ଦିର ଉପରେ ସମୁଦାୟ ଅଠରଥର ଆକ୍ରମଣ ହୋଇଥିଲା । ଏଥିମଧ୍ୟରୁ ପାଞ୍ଚଥର ଆକ୍ରମଣର ସବିଶେଷ ବିବରଣୀ ଗବେଷଣା ହୋଇ ଆଲୋଚନା ପରିସରକୁ ଆସିନାହିଁ । ତେରଥର ଆକ୍ରମଣ କାଳରେ ମହାପ୍ରଭୁ ଶ୍ରୀମନ୍ଦିର ରତ୍ନବେଦିରୁ ଯାଇ ଓଡ଼ିଶାର ବିଭିନ୍ନ ସ୍ଥାନକୁ ୨୧ ଥର ସ୍ଥାନାନ୍ତର ହୋଇଛି । ସେଥିମଧ୍ୟରୁ ଦୁଇଥର ଶ୍ରୀକ୍ଷେତ୍ର ଭିତରେ ଲୀଳା ହୋଇଥିବା ବେଳେ ଶ୍ରୀକ୍ଷେତ୍ର ବାହାରେ ଉଣେଇଶ ଥର ସ୍ଥାନାନ୍ତର ହୋଇ ଲୀଳା କରିଛନ୍ତି । ଚିଲିକାର ଗୁରୁବାଈଗଡ଼ ଓ ବାଣପୁର ତହସିଲର ନଈରୀଗ୍ରାମର ହରେଶ୍ୱର ମଣ୍ଡପକୁ ଦୁଇ ଦୁଇ ଥର ବିଜେ କରି ଲୀଳା କରିଥିଲେ । ମହାପ୍ରଭୁ ସମୁଦାୟ ଦୁଇଥର ପାତାଳୀ ଲୀଳା କରିଛନ୍ତି । ଥରେ ସୋନପୁରଠାରେ ଓ ୧୫୬୮ ମସିହାରେ କଳାପାହାଡ଼ ଆକ୍ରମଣରେ ଚିଲିକାର ହାତୀପଡ଼ାଠାରେ ମହାପ୍ରଭୁଙ୍କର ପାତାଳୀଲୀଳା ହୋଇଥିଲା । ଦୁଇଥର ମହାପ୍ରଭୁ ବ୍ରହ୍ମଲୀଳା କରିଛନ୍ତି । ଏହାଥିଲା ମହାପ୍ରଭୁଙ୍କର ଅଭିନବ ବ୍ରହ୍ମଲୀଳା । ନଷ୍ଟ ହେଇଯାଉ ଦାରୁ ବିଗ୍ରହ, କିନ୍ତୁ ବ୍ରହ୍ମ ସୁରକ୍ଷିତ ଥାଆନ୍ତୁ । ଏ ଜାତିର 'ବିଶ୍ୱାସ' ଟିକକ ହସ୍ତାନ୍ତର ହୋଇ ନଯାଉ କି ମନୋବଳ ଭାଙ୍ଗି ଚୁରମାର ହୋଇ ନଯାଉ । ସେହି ବିଶ୍ୱାସରେ ବ୍ରହ୍ମଲୀଳା ସମ୍ପନ୍ନ ହୋଇଥିଲା । ପ୍ରଥମ ବ୍ରହ୍ମଲୀଳା ବିଶର ମହାନ୍ତିଙ୍କଦ୍ୱାରା ହୋଇଥିଲା । ଦ୍ୱିତୀୟ ବାର ବ୍ରହ୍ମଲୀଳା ୧୬୨୨ ମସିହାରେ ମିର୍ଜା ଅହମ୍ମଦ ବେଗ ସମୟରେ ହୋଇଥିଲା । ଖୁବ ଗୋପନରେ ଗଜପତିଙ୍କ ପରାମର୍ଶରେ ସେବକମାନେ ଖୋର୍ଦ୍ଧାଜିଲାର ଗଡ଼ମାଣତ୍ରୀରେ ବ୍ରହ୍ମଲୀଳା କରେଇଥିଲେ । ୧୭୩୧ ମସିହାରେ ଶ୍ରୀମନ୍ଦିର ଉପରେ ତକି ଖାଁ ଦ୍ୱିତୀୟବାର ଆକ୍ରମଣ କରିଥିଲେ । ସେତିକିବେଳେ ମହାପ୍ରଭୁଙ୍କୁ ଭାର୍ଗବୀ ନଦୀର ଦୋବନ୍ଧା ପେଣ୍ଠରୁ ବଡ଼ ପରୀକ୍ଷା ପରମାନନ୍ଦ କୁଅଁର ମହାପାତ୍ର ଓ ସାନ ପରୀକ୍ଷା ବିଷ୍ଣୁ ପଶ୍ଚିମ କବାଟ ଚିଲିକା ବାଟଦେଇ ନଈରୀ ଗ୍ରାମର ମଣ୍ଡପରେ ଗୋପନରେ ବିଜେ କରାଇଥିଲେ । ଶ୍ରୀମନ୍ଦିର ଉପରେ ପ୍ରଥମେ ୬୭୦ ମସିହାରେ ଆକ୍ରମଣ ହୋଇଥିଲା । ଏହା ୧୭୩୩ ମସିହା ପର୍ଯ୍ୟନ୍ତ ଚାଲିଥିଲା । ଏହି ସମୟ ମଧ୍ୟରେ ହାରାହାରି ୨୫୦ ବର୍ଷରୁ ଅଧିକ ସମୟ ମହାପ୍ରଭୁ ଶ୍ରୀକ୍ଷେତ୍ର ବାହାରେ ଲୀଳା କରିଥିଲେ । ତାଙ୍କର ଲୀଳାରେ ଶ୍ରୀକ୍ଷେତ୍ର ବାହାରେ ନଈରୀଠାରେ ଗୋଟିଏ ଥର ରଥଯାତ୍ରା ହୋଇଥିଲା । [20]
ଚୋଡଗଙ୍ଗ ଦେବ ପୁରୀ ଜଗନ୍ନାଥ ମନ୍ଦିର ସ୍ଥାପନ କଲା ପରେ ସେବା କାର୍ଯ୍ୟ ପାଇଁ ୩୬ ପ୍ରକାରର ସେବକ ପାଇଁ ବ୍ୟବସ୍ଥା କରିଥିଲେ । ତାହା ମଧ୍ୟରୁ ଦେବଦାସୀ ବା ମାହାରୀ ଅନ୍ୟତମ ।ସେ ସେମାନଙ୍କ ପାଇଁ ଜମି ପ୍ରଦାନ କରିବାର ବ୍ୟବସ୍ଥା କରି "କୌଡଙ୍ଗସାହି " ନାମକ ସ୍ଥାନରେ ସେମାନଙ୍କୁ ସ୍ଥାପିତ କରି ତାଙ୍କର ନିୟମିତ ଚଲିବା ପାଇଁ ବ୍ୟବସ୍ଥା କରିଥିଲେ । ସେମାନଙ୍କ ଶୃଙ୍ଖଳିତ ବ୍ୟବହାର ପାଇଁ ସେ ନୀତି ନିୟମ ମଧ୍ୟ ପ୍ରଣଯନ କରିଥିଲେ ।[21] ସେହି ସବୁ ନୀତି ନିୟମ ବିଷୟରେ " ମାଦଳା ପାଞ୍ଜି "[22]ରେ ବିଷଦ ଭାବରେ ବର୍ଣ୍ଣନା ରହିଛି । ଦେବଦାସୀମାନେ ନିଜକୁ ଭଗବାନଙ୍କ ପତ୍ନୀ ହିସାବରେ ଆଜୀବନ ସମର୍ପଣ କରିଥାନ୍ତି ଓ ଭଗବାନଙ୍କ ସେବା ନିଷ୍ଠାର ସହ ପାଳନ କରିଥାନ୍ତି ।ପର୍ବ ପର୍ବାଣି ସମୟରେ ଏହି ଦେବଦାସୀମାନେ ଭଗବାନଙ୍କ ସମ୍ମୁଖରେ ନୃତ୍ୟ କରିଥାଆନ୍ତି ।ଯଦିଓ ବାହାର ନାର୍ତକୀମାନେ ମଧ୍ୟ ଏହି ମାହାରୀ ନୃତ୍ୟ ମଣ୍ଡପ ମାନଙ୍କରେ ପରିବେଷଣ କରିଥାନ୍ତି ଏହି ନୃତ୍ୟ ପ୍ରଥମରୁ ଦେବଦାସୀ ବ ମାହାରୀ ମାନଙ୍କଦ୍ୱାରା ମନ୍ଦିରରେ କରାଯାଉଥିଲା । କେତେକ କ୍ଷେତ୍ରରେ ଦେବଦାସୀମାନେ ସାବିତ୍ରୀ ବ୍ରତ ଦିନ ଭଗବାନ ଜଗନ୍ନାଥଙ୍କ ନାମରେ ସାବିତ୍ରୀ ବ୍ରତ ମଧ୍ୟ ପାଳନ କରୁଥିଲେ । ମାହାରୀମାନଙ୍କୁ ଶ୍ରୀମନ୍ଦିରରେ ଖୁବ ସମ୍ମାନ ଦିଆଯାଇଥାଏ ଓ ଜଗନ୍ନାଥଙ୍କ ପତ୍ନୀ ମହାଲକ୍ଷ୍ମୀଙ୍କ ତଳକୁ ତାଙ୍କର ସ୍ଥାନ ବୋଲି କୁହାଯାଇଥାଏ । ଏକଦା ଶ୍ରୀମନ୍ଦିରରେ ୨୫ ଜଣ ଦେବଦାସୀ ବା ମାହାରୀ ରହିଥିଲେ । ସେ ମଧ୍ୟରୁ ଶଶିମଣି ଦେବୀ [23] ୧୨ ବର୍ଷ ବୟଶରୁ ଦେବଦାସୀ ଭାବରେ ସେବା କରି ୯୨ ବର୍ଷ ବୟଶରେ ଶେଷ ଜୀବିତ ଦେବଦାସୀ ଭାବରେ ୨୦୧୫ , ମାର୍ଚ ୧୯ ତାରିଖରେ ପୁରୀଠାରେ ସ୍ୱର୍ଗାରୋହଣ କରିଥିଲେ ।ତାଙ୍କ ପରେ ବହୁ କାଳରୁ ଚାଲି ଆସିଥିବା ଏହି ପ୍ରଥା ଶ୍ରୀମନ୍ଦିରରେ ବନ୍ଧ ହେଇଯାଇଛି ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.