ବ୍ରହ୍ମ , ଯିଏ ଦେଇଥାଏ ଜୀବନ୍ତର ପ୍ରମାଣ । ଦାରୁଦିଅଁଙ୍କ ଶ୍ରୀଅଙ୍ଗରେ ଏହି ବ୍ରହ୍ମଙ୍କ ଉପସ୍ଥିତି ମହାପ୍ରଭୁ ଜଗନ୍ନାଥଙ୍କୁ ଜୀବନ୍ତର ମାନ୍ୟତା ଦେଇଛି । ହେଲେ ଏହି ବ୍ରହ୍ମ କ’ଣ ଓ ଏହାର ଅବସ୍ଥିତି କିପରି ଏହା ସମସ୍ତଙ୍କୁ ଆନ୍ଦୋଳିତ କରିଛି ।
ବ୍ରହ୍ମ ହିଁ ଜୀବନ । ପ୍ରତି ମଣିଷଙ୍କ ଶରୀରରେ ଯେପରି ଆତ୍ମା ରହିଛି, ସେହିପରି ମହାପ୍ରଭୁଙ୍କ ଶରୀରରେ ରହିଛି ବ୍ରହ୍ମ ବା ପରମାତ୍ମା । ସେହିଥି ପାଇଁ ମହାପ୍ରଭୁ ହେଉଛନ୍ତି ବିଶ୍ୱର ଏକମାତ୍ର ଜୀବନ୍ତ ଠାକୁର । ଯିଏ ଭକ୍ତର ଡାକ ଶୁଣନ୍ତି, ବୁଝନ୍ତି ଆଉ ମନସ୍କାମନା ମଧ୍ୟ ପୂରଣ କରନ୍ତି । ସେହିଥି ପଣି ଏହି ବ୍ରହ୍ମ ହିଁ ଏକ ମାତ୍ର ଆକର୍ଷଣ । ଏହି ବ୍ରହ୍ମକୁ ନେଇ ସର୍ବଦା ରହିଛି ପ୍ରଶ୍ନ । ଭକ୍ତ ହୁଅନ୍ତୁ କି ସାଧୁ ବା ଯୋଗୀ ହୁଅନ୍ତୁ କି ସନ୍ୟାସୀ କିମ୍ବା ଆଲୋଚକ ଓ ଗବେଷକ ସମସ୍ତେ ବ୍ରହ୍ମର ସତା ଜାଣିବାପାଣି ଇଛାବ୍ୟକ୍ତ କରନ୍ତି । ବ୍ରହ୍ମ କ’ଣ ଓ ଏହାର ଅବସ୍ଥିତି କିପରି ତାହା ଏବେ ବି ପ୍ରଶ୍ନ ହୋଇରହିଛି । ପୂର୍ବରୁ ଅନେକ ଆଲୋଚକ ଓ ଗବେଷକ ବ୍ରହ୍ମା ସମ୍ପର୍କରେ ଭିନ୍ନଭିନ୍ନ ମତ ଦେଇଛନ୍ତି । କିଏ ବ୍ରହ୍ମ ହେଉଛନ୍ତି ଶ୍ରୀକୃଷ୍ଣଙ୍କ ନାଭି କହୁଥିବାବେଳେ ଆଉ କେତକ ଅବତାର ପୁରୁଷ ବୁଦ୍ଧଙ୍କର ଦନ୍ତ ବୋଲି କହୁଛନ୍ତି । କିନ୍ତୁ ଏହି ସବୁ ଯୁକ୍ତି ପଛରେ ଐତିହାସିକ ସତ୍ୟତା କିଛି ମିଳୁନାହିଁ ।
ବିଭିନ୍ନ ଗବେଷକଙ୍କ ମତବାଦ
ବ୍ରଜକିଶୋର ଘୋଷ ତାଙ୍କ ପୁସ୍ତକ ‘ହିଷ୍ଟ୍ରି ଅଫ ପୁରୀ’ରେ ବ୍ରହ୍ମ ପଦାର୍ଥ ହେଉଛି ପରଦାପୂର୍ଣ୍ଣ ପେଟିକାକୁ ଦର୍ଶାଇଛନ୍ତି ।ଯାହା ଆଦୌ ଗର୍ହଣୀୟ ନୁହେଁ । ପରଦା ଉପାସ୍ୟ ବସ୍ତୁ ନୁହେଁ ।
ବ୍ରହ୍ମ ହେଉଛି ବୁଦ୍ଧଙ୍କ ଦାନ୍ତ ବୋଲି ‘ଆଣ୍ଟିକ୍ବିଟିଜ ଅଫ ଓଡ଼ିଶା-ଭାଗ-୨’ରେ ଦର୍ଶାଯାଇଛି । ଯାହାକୁ ରାଜା ରାଜେନ୍ଦ୍ରଲାଲସମର୍ଥନ କରନ୍ତି । ତାଙ୍କ ମତରେ ବୁଦ୍ଧଙ୍କ ଦାନ୍ତକୁ ପରଦା ପେଟିରେ ବନ୍ଦ କରି ରଖାଯାଇଛି । କିନ୍ତୁ ବୁଦ୍ଧ ଏକ ଅବତାର ହେଇଥିବା ବେଳେ ମହାପ୍ରଭୁ ଏକ ଅବତାରୀ ହେଇଥିବାରୁ ଏହାକୁ ମଧ୍ୟ ଗ୍ରହଣ କରାଯାଇ ପାରୁନି ।
ପୁରୀର ପୁରାତନ ସେବକଙ୍କ ଭକ୍ତିକୁ ନେଇ ଗୟାଚରଣ ତ୍ରିପାଠୀ ବ୍ରହ୍ମ ଶାଳଗ୍ରାମ ବୋଲି ଦର୍ଶାଇଛନ୍ତି । ଏହି ଉକ୍ତି ଟିକୁ ସମସ୍ତେ ସମର୍ଥନ କରନ୍ତି ।
୧୮୨୦ ମସିହାରେ ବଙ୍ଗଳାରେ ଲିଖିତ ‘ନାରଦ-ସମ୍ବାଦ’ ପୁସ୍ତକକୁ ଭିତ୍ତିକରି ହାମିଲ୍ଟନ ତାଙ୍କ ହିନ୍ଦୁସ୍ଥାନ ପୁସ୍ତକରେ ଲେଖିଛନ୍ତି ଯେ ବ୍ରହ୍ମ ହେଉଛି ଶ୍ରୀକୃଷ୍ଣଙ୍କ ଶରୀରର ଅଂଶ । ତାଙ୍କ ଦେହ ତ୍ୟାଗ ପରେ ସାଧୁମାନେ ଏହାକୁ ସଂଗ୍ରହ କରି ଏକ ପେଟି ମଧ୍ୟରେ ବନ୍ଦ କରିଦେଇଥିଲେ । ରାଜା ଇନ୍ଦ୍ରଦ୍ୟୁମ୍ନ ବିଷ୍ଣୁଙ୍କ ତପସ୍ୟା କରୁଥିଲେ । ତାଙ୍କରି ଆଦେଶରେ ଜଗନ୍ନାଥଙ୍କ ଆବିର୍ଭାବ ହୋଇଥିଲା । ମହୋଦଧିରୁ ଦାରୁ ଆଣି ଦେବବିନ୍ଧାଣିଙ୍କଦ୍ୱାରା ଚତୁର୍ଦ୍ଧାମୂର୍ତ୍ତି ନିର୍ମାଣ କଲେ । ସେହି ଚତୁର୍ଦ୍ଧାମୂର୍ତ୍ତିଙ୍କ ଶ୍ରୀକୃଷ୍ଣଙ୍କ ଶରୀର ଅଂଶକୁ ସ୍ଥାନିତ କରାଗଲା । କିନ୍ତୁ ଏହାକୁ ଅନେକ ଗବେଷକ ବିରୋଧ କରନ୍ତି ।
ଏସମ୍ପର୍କରେ ଶ୍ରୀଜଗନ୍ନାଥ ସଂସ୍କୃତି ବିଶେଷଜ୍ଞ ସୁରେନ୍ଦ୍ର କୁମାର ମିଶ୍ର କୁହନ୍ତି ବ୍ରହ୍ମ ପଦାର୍ଥ ‘ଜୀବନ୍ତ ‘ଶାଳ ଗ୍ରାମ ’ ଏକଥା ପ୍ରମାଣିତ । ୬୬୦ ଖ୍ରୀଷ୍ଟାବ୍ଦ ପରେ ଶ୍ରୀମନ୍ଦିର ଉପରେ ହୋଇଥିଲା ଆକ୍ରମଣ । ବିଧର୍ମୀଙ୍କ ଆକ୍ରମଣରୁ ମହାପ୍ରଭୁଙ୍କୁ ସୁରକ୍ଷିତ ରଖିବାପାଇଁ ସେବକମାନେ ତାଙ୍କୁ ଶ୍ରୀମନ୍ଦିରରୁ ନେଇଯାଇଥିଲେ । ଦୋବନ୍ଧାଘାଟରୁ ଭାର୍ଗବୀ ଓ ସେଠାରୁ ମହାନଦୀ ଦେଇ ନେଇ ଯାଇଥିଲେ ସୋନପୁର । ସେହି ସୋନପୁରରେ ୪୯ ବର୍ଷ ଧରି ପୂଜା କରାଯାଇଥିଲା । ମାତ୍ର ସେଠାରେ ମଧ୍ୟ ବିଧର୍ମୀଙ୍କ ଭୟ ରହିବାରୁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ମାଟି ତଳେ ପାତାଳୀ କରାଗଲା । ୧୪୪ ବର୍ଷ ପାତାଳୀ ହୋଇରହିଲେ ମହାପ୍ରଭୁ । ୮୧୫ -୧୭ ବେଳକୁ ଗୋବିନ୍ଦ ଦ୍ୱାଦଶୀ ବୁଡ଼ ପକେଇବାକୁ ଆସି ଥିଲେ ଆଦିଶଙ୍କର । ସେହିସମୟରେ ଯଯାତୀକେଶରୀ ମଧ୍ୟ ଆସିଥିଲେ ଶ୍ରୀକ୍ଷେତ୍ରକୁ । ଶ୍ରୀକ୍ଷେତ୍ରରେ ପହଁଚି ମହୋଦଦଧିରେ ବୁଡ ପକାଇବା ପରେ ଉଭୟ ମହାପ୍ରଭୁଙ୍କ ଦର୍ଶନ ପାଇଁ ଯାଇଥିଲେ । ହେଲେ ମହାପ୍ରଭୁ ନଥିଲେ । ସେଠାରେ ଉଭୟଙ୍କ ମଧ୍ୟରେ ଭେଟ ହୋଇଥିଲା । ମହାପ୍ରଭୁଙ୍କୁ ଦେଉଳରେ ନପାଇ ବୟସ୍କ ସେବକଙ୍କୁ ପଚାରି ଥିଲେ । ‘ମଦାଳିପାଞ୍ଜି ’ ଅନୁଯାୟୀ ସେବକ କହିଥିଲେ ‘ବିଧର୍ମୀଙ୍କ ଭୟରେ ଦିଅଁଙ୍କୁ ସୋନପୁରକୁ ନେଇ ଯାଇଛନ୍ତି’ । ମହାପ୍ରଭୁଙ୍କୁ ଫେରେଇ ଆଣିବା ପାଇଁ ରାଜା ଯଯାତିକେଶରୀ ଓ ଆଦି ଶଙ୍କର ସୋନପୁରଯାତ୍ରା କାଲେ । ସେଠାରେ ଯାଇଁ ଦିଅଁଙ୍କୁ ଖୋଜିଲେ କିନ୍ତୁ ପାଇନଥିଲେ । ଜଣେ ବୃଦ୍ଧା ଏକ ବର ଗଛ ମୂଳେ ପାଣି ଦେଉଥିବା ଆଦିଶଙ୍କର ଦେଖିଲେ ଏବଂ ପାଣି ଦେବାର ରହସ୍ୟ ପଚାରିଲେ । ବୃଦ୍ଧାଙ୍କ ଉତ୍ତର ଥିଲା ଆମ ପୂର୍ବ ପୁରୁଷ କହିଯାଇଛନ୍ତି ଏହା ହେଉଛି ‘ଦିଅଁବର’ । ପ୍ରତିଦିନ ସେଥିପାଇଁ ପାଣି ଦେଉଛୁ । ଆଦିଶଙ୍କର ସେହିଠାରେ ସାଧନାରେ ବସିଲେ । ତାଙ୍କ ଦିବ୍ୟଦୃଷ୍ଟିରେ ଜାଣି ପାରିଲେ ସେହି ବରଗଛ ତଳେ ମହାପ୍ରଭୁ ବିଜେ କରିଛନ୍ତି । ମାଟି ଖୋଳି ଦିଅଁକୁ ଠାବ କାଲେ । ୧୪୪ ବର୍ଷ ଧରି ମାଟି ତଳେ ଥିବାରୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଜୀର୍ଣ୍ଣ ହୋଇଯାଇଥିଲା । ସେଥିରୁ ବ୍ରହ୍ମକୁ ଉଦ୍ଧାର କଲେ । ପୁରୀରୁ ୧୧ ଜଣ ଦଇତାଙ୍କୁ ଡ଼କାଇଲେ । ସେହି ବ୍ରହ୍ମଙ୍କୁ ନେଇ ଯାଜପୁର ଆସିଲେ । ସେଠାରେ ଦେଖିଲେ ୨ବ୍ରହ୍ମ ଜୀର୍ଣ୍ଣ ହୋଇଛନ୍ତି । ତେଣୁ ଆଦିଶଙ୍କର ରାଜା ଯଯାତିକେଶରୀଙ୍କୁ କହି ନେପାଳ ରାଜାଙ୍କ ପକ୍ଷରୁ ଚିଟାଉ ପଠାଇଲେ । ଗୁଣ୍ଡୁକୀ ନଦୀର ଜୀବନ୍ତ ଶାଳଗ୍ରାମ ଦେବାକୁ କହିଲେ । ରାଜାଙ୍କ ଚିଟଉ ନେଇ ସ୍ୱତନ୍ତ୍ର ଦୁତ ଗଲେ ନେପାଳ । ସେଠାରେ ପହଁଚିବା ପରେ ନେପାଳ ରାଜା ତାଙ୍କୁ ୨ଟି ଜୀବନ୍ତ ଜୀବନ୍ତ ଶାଳଗ୍ରାମ ଦେଲେ । ସେହି ଶାଳଗ୍ରାମକୁ ଆଣି ବ୍ରହ୍ମ ଭାବେ ଶ୍ରୀଅଙ୍ଗରେ ସ୍ଥାପନ କରାଗଲା । ତେଣୁ ବ୍ରହ୍ମ ଜୀବନ୍ତ ଶାଳଗ୍ରାମ ବୋଲି ଏକ ପ୍ରକାର ପ୍ରମାଣିତ ।
ମହାପ୍ରଭୁଙ୍କ ନବକଳେବରରେ ବ୍ରହ୍ମଙ୍କୁ ଘଟ ପରିବର୍ତ୍ତନ କରୁଥିବା ସେବକଙ୍କ ମତ ମଧ୍ୟ ସମାନ । ତାଙ୍କ ମତରେ ସେମାନେ ଯେଣୁ ବ୍ରହ୍ମକୁ ଅପସାରଣ ଓ ସଂସ୍ଥାପନ କରନ୍ତି, ତାହା ଅତ୍ୟନ୍ତ ଜୀବନ୍ତ ଭଳି ଅନୁଭବ ହୁଏ । ବ୍ରହ୍ମଙ୍କଠାରୁ ସର୍ବଦା ଜ୍ୟୋତି ପ୍ରକାଶିତ ହୋଇଥାଏ । ତାହାଙ୍କୁ ମହାସ୍ନାନ କରାଇ ପ୍ରସାଦ ଲାଗି କରାଇବା ପରେ ପୁଣି ସଂସ୍ଥାପନ କରାଯାଏ ।[1]
"ବ୍ରହ୍ମ" . ପ୍ରମେୟ -(ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ସଂଖ୍ୟା ୫) . ୩/୭/୨୦୧୫. Archived from the original on 5 March 2016. Retrieved 30 August 2015 .