ଓଡ଼ିଶୀ
ଭାରତର ଏକ ଶାସ୍ତ୍ରୀୟ ନୃତ୍ୟ / From Wikipedia, the free encyclopedia
ଓଡ଼ିଶୀ ଭାରତରେ ପ୍ରଚଳିତ ଓ ଓଡ଼ିଶାରୁ ଆରମ୍ଭ ହୋଇଥିବା ଏକ ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତ ପରମ୍ପରା । ଏଥିରେ ଅନ୍ତର୍ଭୁକ୍ତ ଓଡ଼ିଶୀ ନୃତ୍ୟକୁ ଭାରତ ସରକାର ଶାସ୍ତ୍ରୀୟ ନୃତ୍ୟ ଓ ଓଡ଼ିଶୀ ସଙ୍ଗୀତକୁ ଓଡ଼ିଶା ସରକାର ଶାସ୍ତ୍ରୀୟ ସଙ୍ଗୀତ ତାଲିକାଭୁକ୍ତ କରିଛନ୍ତି । ଓଡ଼ିଶା ତତ୍କାଳୀନ କଳିଙ୍ଗର ଅଂଶ ଥିଲା ଓ ଖାରବେଳଙ୍କ ସମୟରେ ଖୋଦିତ ରାଣୀଗୁମ୍ଫା, ସ୍ୱର୍ଗପୁରୀ ଓ ମଞ୍ଚପୁରୀ ଗୁମ୍ଫାର ଗାତ୍ରରେ ଦେଖିବାକୁ ମିଳୁଥିବା ନର୍ତ୍ତକୀମାନଙ୍କର ପ୍ରତିମା ତଥା ହାତୀଗୁମ୍ଫା ଅଭିଲେଖରେ ବର୍ଣ୍ଣିତ ନୃତ୍ୟ ବର୍ତ୍ତମାନର ଓଡ଼ିଶୀ ନୃତ୍ୟର ସହ ସମ୍ବନ୍ଧ ଦର୍ଶାଇଥାଏ । ପ୍ରଥମ ଖ୍ରୀଷ୍ଟପୂର୍ବ କାଳରେ ଆଧୁନିକ ଭୁବନେଶ୍ୱରସ୍ଥିତ ଖଣ୍ଡଗିରି ଓ ଉଦୟଗିରିଠାରେ ଓଡ଼ିଶୀ ଏକ ଉନ୍ନତ ନୃତ୍ୟକଳାରେ ପରିଣତ ହୋଇସାରିଥିଲା । ଭରତ ତାଙ୍କ ରଚିତ ନାଟ୍ୟ ଶାସ୍ତ୍ରରେ କଳିଙ୍ଗ ନୃତ୍ୟ ଶୈଳୀରେ ଓଡ଼ିଶୀ ନୃତ୍ୟ ବାବଦରେ ବର୍ଣ୍ଣନା କରି ଏହାର ନାମ ଓଡ୍ର-ମାଗଧି ବୋଲି ଉଲ୍ଲେଖ କରିଥିଲେ । ଭୁବନେଶ୍ୱରର ପର୍ଶୁରାମେଶ୍ୱର ମନ୍ଦିର, ବୈତାଳ ମନ୍ଦିର, ଶିଶିରେଶ୍ୱର ମନ୍ଦିର, ମାର୍କଣ୍ଡେଶ୍ୱର ମନ୍ଦିର, ମୁକ୍ତେଶ୍ୱର ମନ୍ଦିର, ରାଜରାଣୀ ମନ୍ଦିର, ଲିଙ୍ଗରାଜ ମନ୍ଦିର, ମେଘେଶ୍ୱର ମନ୍ଦିର, ପୁରୀର ଜଗନ୍ନାଥ ମନ୍ଦିର ଏବଂ କୋଣାର୍କର ସୂର୍ଯ୍ୟମନ୍ଦିରର ବର୍ହିଭାଗରେ ଖୋଦିତ ନର୍ତ୍ତକୀ ଓ ନାୟିକାମାନଙ୍କର ଅଙ୍ଗଭଙ୍ଗୀ ଓ ମୁଦ୍ରାରୁ ଓଡ଼ିଶୀ ନୃତ୍ୟର ପରମ୍ପରା ସମୃଦ୍ଧ ହୋଇଥିବା ଜଣାଯାଏ । ପରବର୍ତ୍ତୀ କାଳରେ ଏହି ନୃତ୍ୟ ଦେବଦାସୀ ନୃତ୍ୟ (ମାହାରୀ) ଓ ଗୋଟିପୁଅ ଆଦି ନୃତ୍ୟ ପରମ୍ପରାଦ୍ୱାରା ପରିବେଷିତ ହୋଇଆସୁଛି । ଭାରତ ସ୍ୱାଧୀନ ହେବା ପରେ ଏହି ନୃତ୍ୟ ପରମ୍ପରାର ପୁନରୁଦ୍ଧାର କରାଯାଇ ଓଡ଼ିଶୀ ନାମରେ ନାମକରଣ କରାଗଲା ଓ ୧୯୬୪ ମସିହାରେ ଓଡ଼ିଶୀ ଶାସ୍ତ୍ରୀୟ ନୃତ୍ୟ ମାନ୍ୟତା ପାଇଲା ।[1] ଏହି ପଦଃକ୍ଷେପ ପଛରେ ମୁଖ୍ୟତଃ ନୃତ୍ୟଗୁରୁ କାଳୀଚରଣ ପଟ୍ଟନାୟକ, ପଙ୍କଜ ଚରଣ ଦାସ, ଦେବ ପ୍ରସାଦ ଦାସ ଓ କେଳୁଚରଣ ମହାପାତ୍ରଙ୍କ ଭୂମିକା ଅନ୍ୟତମ । ଏହି ନୃତ୍ୟରେ ପଖଉଜ, ବେହେଲା, ଗିନି, ଝାଞ୍ଜ ଓ ବଂଶୀ ଆଦି ବାଦ୍ୟଯନ୍ତ୍ର ବ୍ୟବହାର କରାଯାଏ ।
ଓଡ଼ିଶୀ ନୃତ୍ୟ | |
---|---|
ମାଧ୍ୟମ | ଗୀତ-ନୃତ୍ୟ |
ପ୍ରକାର | ମଙ୍ଗଳାଚରଣ |
ପୁରାତନ କଳା | ମାହାରୀ, ଗୋଟିପୁଅ |
ସଂସ୍କୃତି | ଓଡ଼ିଆ ଚଳଣି |
ସୃଷ୍ଟି | ଓଡ଼ିଶା, ଭାରତ |
ସମୟ କାଳ | ମଧ୍ୟଯୁଗ |
ଗୀତ-ସଙ୍ଗୀତ | ଓଡ଼ିଶୀ ସଙ୍ଗୀତ |
କଳାକାର | ଏକକ ବା ବହୁ |
ଓଡ଼ିଶୀ ଭାରତର ଆଠଟି ଶାସ୍ତ୍ରୀୟ ନୃତ୍ୟ ଭିତରୁ ଏକ । ପୁରାତନ ତତ୍ତ୍ୱ ଅନୁସାରେ ଏହା ଭାରତର ଜୀବନ୍ତ ନୃତ୍ୟକଳା ଭିତରୁ ଗୋଟିଏ ।[2][3] ଏହାର ତ୍ରିଭଙ୍ଗୀ ଠାଣି ବା ଦେହର ତିନୋଟି ଅଙ୍ଗ ମୁଣ୍ଡ, ଛାତି ଓ ଅଣ୍ଟାର ସ୍ୱାଧୀନ ଗତି ହେତୁ ଏହାକୁ ବାକି ଭାରତୀୟ ନୃତ୍ୟ ପରମ୍ପରାରୁ ଭିନ୍ନ ।[4][5]