ମହାପ୍ରସାଦ
ଅବଢ଼ା / From Wikipedia, the free encyclopedia
ଜଗନ୍ନାଥ ମନ୍ଦିରରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ପାଖରେ ବିଭିନ୍ନ ପ୍ରକାର ଅନ୍ନବ୍ୟଞ୍ଜନ ଭୋଗ ହୋଇସାରି ବିମଳାଙ୍କ ନିକଟରେ ସମର୍ପଣ କରାଯିବା ପରେ ତାହାକୁ ମହାପ୍ରସାଦ (ଅବଢ଼ା ନାମରେ ମଧ୍ୟ ଜଣା) କୁହାଯାଏ । ଏହା ଅବଢ଼ା (ଏହା ବଢ଼ା ନହୋଇ ଗୋଟା କୁଡୁଆରେ ଠାକୁରମାନଙ୍କୁ ଅର୍ପଣ କରାଯାଉଥିବାକୁ ଏହାକୁ ଅବଢ଼ା (ବଢ଼ା ହୋଇନଥିବା) କୁହାଯାଇଥାଏ । ଅବଢ଼ା ନିର୍ମାଲ୍ୟ, ମାହାର୍ଦ୍ଦ ଓ କୈବଲ୍ୟ ନାମରେ ମଧ୍ୟ ଜଣା । କୈବଲ୍ୟ ଓ ଅବଢ଼ା ମଧ୍ୟରେ ପାର୍ଥକ୍ୟ ହେଉଛି, କୈବଲ୍ୟକୁ ଦୁଇ ଆଙ୍ଗୁଠିରେ ଅର୍ଥାତ କଣିକାଏ ଖାଇବାକୁ ହୁଏ; କିନ୍ତୁ ଅବଢ଼ା ମନମୁତାବକ ପେଟପୁରା ଖିଆଯାଏ ।
ଶ୍ରୀମନ୍ଦିର ଭିତରେ ଥିବା ଗଙ୍ଗା ଓ ଯମୁନା ନାମକ ଦୁଇଟି କୂଅର ଜଳରେ ଅବଢ଼ା ରନ୍ଧାଯାଏ । ଐତିହାସିକ ମତାନୁସାରେ ଯଯାତି କେଶରୀ ଶ୍ରୀମନ୍ଦିରରେ ଅନ୍ନମହାପ୍ରସାଦ ଆରମ୍ଭ କରିଥିଲେ । ପୁରୀ ଜଗନ୍ନାଥ ମନ୍ଦିରରେ ଠାକୁରଙ୍କୁ ଭୋଗ ଲଗାଯିବା ପରେ ଏହା କ୍ଷେତ୍ରାଧିଶ୍ୱରୀ ମା ବିମଳାଙ୍କୁ ଲାଗି ହେବାପରେ ମହାପ୍ରସାଦ ହୁଏ ଓ ଆନନ୍ଦ ବଜାରରେ ଏହାକୁ ଭକ୍ତମାନଙ୍କ ନିମନ୍ତେ ବିକ୍ରି କରାଯାଇଥାଏ । ଜଗନ୍ନାଥଙ୍କ ଭୋଗ ଦୁଇ ଭାଗରେ ବିଭକ୍ତ ଶଙ୍ଖୁଡ଼ି ଭୋଗ ଓ ନିଶଙ୍ଖୁଡ଼ି ଭୋଗ (ଶୁଖିଲା ଭୋଗ) । ଶଙ୍ଖୁଡ଼ି ଭୋଗ ମନ୍ଦିର ମଧ୍ୟରେ ପ୍ରସ୍ତୁତ କରାଯାଉଥିବା ବେଳେ ନିଶଙ୍ଖୁଡ଼ି ଭୋଗ ମନ୍ଦିର ବାହାରେ ପ୍ରସ୍ତୁତ ହୋଇଥାଏ । [1] ଶୁଖିଲା ଭୋଗ ବା ଶୀତଳ ଭୋଗ ବଡ଼ ଦେଉଳରେ, ରଥ ଉପରେ ଓ ଶ୍ରୀଗୁଣ୍ଡିଚା ମନ୍ଦିରରେ ହୁଏ । ହେଲେ ଶଙ୍ଖୁଡିଭୋଗ କେବଳ ରଥ ଉପରକୁ ଛାଡି ବଡ଼ ଦେଉଳ ଓ ଶ୍ରୀଗୁଣ୍ଡିଚା ମନ୍ଦିରରେ ହଉଛି । ପୂର୍ବରୁ ରଥ ଉପରେ ମଧ୍ୟ ଶଙ୍ଖୁଡିଭୋଗ ହେଉଥିଲା । ୪ରୁ ଅଧିକ ମଠ ବା ଜାଗାଘର ଏହି ଶଙ୍ଖୁଡି ଭୋଗ କରୁଥିଲେ । ମାତ୍ର ୮୦ ବର୍ଷ ଧରି ଏହି ପରମ୍ପରା ବନ୍ଦ ହୋଇଯାଇଛି ।