ନିର୍ମାଲ୍ୟ
From Wikipedia, the free encyclopedia
ଆଗେ ନିର୍ମାଲ୍ୟ କହିଲେ ସାତଗୋଟି ପଦାର୍ଥ ଯଥା: ମହାପ୍ରସାଦ, ମଇଲମଫୁଲ, ଶିରିକପଡ଼ା, ଶୁଷ୍କ ନିର୍ମାଲ୍ୟ, ଗଉରୀ ସଉରୀବେତ, ଜଗନ୍ନାଥ ପଟି ଓ ଶାଢ଼ୀଶିରପାକୁ ବୁଝାଉଥିଲା । ଏହି ସାତଟି ପର୍ଦାର୍ଥକୁ ଯଥାକ୍ରମେ ସୂପକାର, ପୁଷ୍ପାଳକ, ଦଇତା, ତିଲକମାଟିଆ, ପରିଖ, ଚିତ୍ରକର ଓ ଚାଙ୍ଗଡ଼ାମେକାପମାନେ ଆନନ୍ଦବଜାରରେ ବିକ୍ରୟ କରୁଥିଲେ ।
ଶ୍ରୀମନ୍ଦିରରେ ମିଳୁଥିବା ଅନ୍ନ ମହାପ୍ରସାଦ ଦୀର୍ଘକାଳ ପର୍ଯ୍ୟନ୍ତ ସଂରକ୍ଷଣ କରି ହୁଏ ନାହିଁ, ତେଣୁ ଶ୍ରଦ୍ଧାଳୁମାନେ ନିର୍ମାଲ୍ୟ (ଶୁଖିଲା ଅନ୍ନ ମହାପ୍ରସାଦ) ବ୍ୟବହାର କରି ନିଜ କାର୍ଯ୍ୟ ସମାପନ କରିଥାନ୍ତି । ଜନମାନସରେ ଗୋଟିଏ ଧାରଣା ରହିଛି ଯେ, ରତ୍ନସିଂହାସନ ଆଗରେ ପ୍ରତିଦିନ ପରଷା ଯାଉଥିବା ଅନ୍ନ ଶୁଖିଯିବା ପରେ ନିର୍ମାଲ୍ୟ ରୂପେ ଗୃହୀତ ହୁଏ କିନ୍ତୁ ପ୍ରକୃତରେ ନିର୍ମାଲ୍ୟ ପାଇଁ ଶ୍ରୀମନ୍ଦିର ରୋଷଶାଳାରେ ସ୍ୱତନ୍ତ୍ର ପାକର ବ୍ୟବସ୍ଥା ରହିଛି ଏବଂ ସ୍ୱତନ୍ତ୍ର ପଦ୍ଧତିରେ ନିର୍ମାଲ୍ୟ ପ୍ରସ୍ତୁତ ହୋଇଥାଏ । ଶ୍ରୀମନ୍ଦିରର ଆୟ ବଢ଼ାଇବା ପାଇଁ ଯେଉଁ କେତୋଟି ବ୍ୟବସ୍ଥା ରହିଛି ସେଥିମଧ୍ୟରୁ ଗୋଟିଏ ହେଉଛି ‘ନିର୍ମାଲ୍ୟ ମାହାଲ’ । ଶ୍ରୀମନ୍ଦିରର ନିର୍ମାଲ୍ୟ ମାହାଲ ବର୍ଷକୁ ଥରେ ନିଲାମ ହୋଇଥାଏ । ନିଲାମ ଧରିଥିବା ବ୍ୟକ୍ତି ନିର୍ମାଲ୍ୟ ରନ୍ଧାଇବା, ଶୁଖାଇବା ଏବଂ ବିକ୍ରି କରିବା ଅଧିକାର ପାଇଥାନ୍ତି । ମାସକୁ ପାଞ୍ଚରୁ ଛଅ କୁଇଣ୍ଟାଲ ଯାଏଁ ଚାଉଳ ନିର୍ମାଲ୍ୟ ରାନ୍ଧିବା ପାଇଁ ବ୍ୟବହୃତ ହୋଇଥାଏ ।