![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/f/f5/Pratap_Chandra_Sarangi.jpg/640px-Pratap_Chandra_Sarangi.jpg&w=640&q=50)
ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ
ଓଡ଼ିଆ ରାଜନୀତିଜ୍ଞ / From Wikipedia, the free encyclopedia
ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ (ଜନ୍ମ: ୪ ଜାନୁଆରୀ ୧୯୫୫) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ବଜରଙ୍ଗ ଦଳ, ରାଷ୍ଟ୍ରୀୟ ସ୍ୱୟଂସେବକ ସେନା, ବିଶ୍ୱ ହିନ୍ଦୁ ପରିଷଦ ଓ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ ଏବଂ ଅଧୁନା ଭାରତୀୟ ସଂସଦର ତଳ ସଦନ ଲୋକ ସଭାରେ ଜଣେ ସାଂସଦ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୦୪ ଓ ୨୦୦୯ ମସିହାରେ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ନୀଳଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୩ଶ ଓ ୧୪ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[1] ୨୦୧୯ ଭାରତୀୟ ସାଧାରଣ ନିର୍ବାଚନରେ ସେ ବାଲେଶ୍ୱର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୧୭ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[2][3] ସେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳରେ ଜଣେ ରାଷ୍ଟ୍ରମନ୍ତ୍ରୀ ଭାବରେ, "ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ" ଏବଂ "ଦୁଗ୍ଧ, ପଶୁପାଳନ ଓ ମତ୍ସ୍ୟପାଳନ" ମନ୍ତ୍ରାଳୟର ଦାୟିତ୍ୱରେ ଅଛନ୍ତି ।[4][5] ୨୦୧୯ ଭାରତୀୟ ନିର୍ବାଚନ ସମୟରେ ତାଙ୍କୁ ତାଙ୍କ ସମର୍ଥକମାନେ "ଓଡ଼ିଶାର ମୋଦୀ" ନାମରେ ଡାକିଥିଲେ ।[6]
ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ | |
---|---|
![]() | |
ବିଧାୟକ: ୧୩ଶ ଓ ୧୪ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୦୪ – ୨୦୧୪ | |
ପୂର୍ବ ଅଧିକାରୀ | ପ୍ରଦୀପ୍ତ ପଣ୍ଡା |
ପର ଅଧିକାରୀ | ସୁକାନ୍ତ କୁମାର ନାୟକ |
ନିର୍ବାଚନ ମଣ୍ଡଳୀ | ନୀଳଗିରି |
ସାଂସଦ: ୧୭ଶ, ୧୮ଶ ଲୋକ ସଭା | |
କାର୍ଯ୍ୟକାଳ ୨୦୧୯ – ଏବେଯାଏଁ | |
ପୂର୍ବ ଅଧିକାରୀ | ରବିନ୍ଦ୍ର କୁମାର ଜେନା |
ନିର୍ବାଚନ ମଣ୍ଡଳୀ | ବାଲେଶ୍ୱର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | (1955-01-04) ୪ ଜାନୁଆରୀ ୧୯୫୫ (ବୟସ ୬୯) |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜନତା ପାର୍ଟି |
ବାପା/ବୋଉ | ଗୋବିନ୍ଦ ଚନ୍ଦ୍ର ଷଡ଼ଙ୍ଗୀ (ବାପା) |
ବୃତ୍ତି | ରାଜନୀତିଜ୍ଞ |
୧୯୯୯ ମସିହାରେ ଗ୍ରାହାମ ଷ୍ଟେନ୍ସ ଓ ତାଙ୍କର ଦୁଇ ଶିଶୁଙ୍କ ପୋଡ଼ି ଘଟଣାରେ ଅଭିଯୁ୍କ୍ତ ଦାରା ସିଂହ ବଜରଙ୍ଗ ଦଳର କର୍ମୀ ବୋଲି ଅଭିଯୋଗ ହୋଇଥିଲା ବେଳେ ଷଡ଼ଙ୍ଗୀ ଦଳର ଓଡ଼ିଶା ଶାଖା ସଭାପତି ଥିଲେ । ବିଭିନ୍ନ ସାକ୍ଷାତକାରରେ ଷଡ଼ଙ୍ଗୀ ଖ୍ରୀଷ୍ଟିଆନ ମିଶନାରୀମାନଙ୍କ "ସାରା ଭାରତକୁ ବଦଳାଇବା ପାଇଁ ବଦ୍ଧପରିକରତା"କୁ "ଦାନବୀୟ କାମ" ବୋଲି ଅଭିହିତ କରିଛନ୍ତି ।[7] ସେ ୨୦୦୨ ମସିହାରେ ବଜରଙ୍ଗ ଦଳ ଓଡ଼ିଶା ବିଧାନ ସଭା ଉପରେ କରିଥିବା ଆକ୍ରମଣରେ ଦଙ୍ଗା, ନିଆଁ ଲଗାଇବା, ପିଟାମରା, ସରକାରୀ ସମ୍ପତ୍ତିକୁ ନଷ୍ଟ କରିବା ପାଇଁ ମାମଲାରେ ଗିରଫ ହୋଇଥିଲେ ।[8] ଆଦିବାସୀମାନଙ୍କୁ ଧର୍ମାନ୍ତରୀକରଣ ଅଭିଯୋଗ କରି ତାଙ୍କ ନେତୃତ୍ୱରେ ଅନେକ ଖ୍ରୀଷ୍ଟିଆନ ବିରୋଧୀ ଆନ୍ଦୋଳନମାନ ଓଡ଼ିଶାରେ ତେଜିଥିଲା ।[9]