ଭାରତୀୟ ଅଭିନେତ୍ରୀ From Wikipedia, the free encyclopedia
ଶ୍ରୀଦେବୀ (ଜନ୍ମ ଶ୍ରୀ ଆମ୍ମା ଆୟାଙ୍ଗାର ଆୟାପାନ;[1][7] ୧୩ ଅଗଷ୍ଟ ୧୯୬୩[8]) ହେଉଛନ୍ତି ଜଣେ ଭାରତୀୟ ଚଳଚ୍ଚିତ୍ର ଅଭିନେତ୍ରୀ ଓ ଚଳଚ୍ଚିତ୍ର ପ୍ରଯୋଜିକା ଯେ, ତାମିଲ୍, ତେଲୁଗୁ, ହିନ୍ଦୀ, ମାଲାୟାଲାମ ଓ କନ୍ଣଡ ଚଳଚ୍ଚିତ୍ରରେ କାମ କରିଛନ୍ତି ।[9] ତାଙ୍କୁ ଭାରତୀୟ ଚଳଚ୍ଚିତ୍ରର ଅନ୍ୟତମ ଲୋକପ୍ରିୟ ଅଭିନେତ୍ରୀ ଭାବେ ଗଣାଯାଏ ।[10][11][12][13][14]
ଶ୍ରୀଦେବୀ ତାଙ୍କର ଚଳଚ୍ଚିତ୍ର ଜୀବନ ୪ ବର୍ଷ ବୟସରେ, ଏମ୍ ଏ ଥିରୁମୁଘମ୍ଙ୍କ ଧାର୍ମିକ ଚଳଚ୍ଚିତ୍ର ଥୁନାଇଭାନରେ ଶିଶୁ କଳାକାର ରୂପେ ଆରମ୍ଭ କରିଥିଲେ[15] ଓ ତାମିଲ, ତେଲୁଗୁ, ମାଲାୟାଲାମ ଓ କନ୍ଣଡ ଚଳଚ୍ଚିତ୍ରରେ ଶିଶୁ କଳାକାର ରୂପେ ନିଜର ଅଭିନୟ ଜୀବନ ଚାଲୁ ରଖିଥିଲେ । ସେ ଶିଶୁ କଳାକାର ଭାବେ ୧୯୭୫ ମସିହାରେ ପ୍ରସିଦ୍ଧ ଚଳଚ୍ଚିତ୍ର ଜୁଲିଦ୍ୱାରା ନିଜ ବଲିଉଡ ଜୀବନ ଆରମ୍ଭ କରିଥିଲେ ଓ ୧୩ ବର୍ଷ ବୟସରେ ୧୯୭୬ ମସିହାରେ ତାମିଲ ଚଳଚ୍ଚିତ୍ର ମୁନ୍ଦ୍ରୁ ମୁଦିଚୁରେ ପ୍ରଥମ ସାବାଳିକା ଅଭିନୟ କରିଥିଲେ । ଧୀରେ ଧୀରେ, ଶ୍ରୀଦେବୀ ତାମିଲ ଓ ତେଲୁଗୁ ଚଳଚ୍ଚିତ୍ର ଯଥା:, ୧୬ ଭାୟାଥିନିଲେ (୧୯୭୭), ସିଗାପ୍ପୁ ରୋଜାକ୍କଲ (୧୯୭୮), ଭାରୁମାଇନ ନୀରମ ସିବାପୁ (୧୯୮୦), ମିନ୍ଦମ କୋକୋଳା (୧୯୮୧), ପ୍ରେମ୍ଭିଷେକମ (୧୯୮୧), ମୁନ୍ଦ୍ରମ ପିରାଇ (୧୯୮୨), ଆଖାରି ପୋରତମ୍ (୧୯୮୮), ଜାଗଦେକା ଭିରୁଦୁ ଅତିଲୋକ ସୁନ୍ଦରୀ (୧୯୯୦) ଓ କ୍ଷଣ କ୍ଷଣମ୍ (୧୯୯୧) ପ୍ରଭୃତିରେ ଅଭିନୟ କରି ଅନ୍ୟତମ ଅଗ୍ରଣୀ ଅଭିନେତ୍ରୀ ଭାବେ ପ୍ରତିଷ୍ଠିତ ହୋଇଥିଲେ ।
ବଲିଉଡରେ ସେ ଷୋଲୱା ସାବନ (୧୯୭୮)ରେ ଅଗ୍ରଣୀ ନାୟିକା ଭାବେ ଅଭିନୟ ଜୀବନ ଆରମ୍ଭ କରିଥିଲେ ଓ ହିମ୍ମତ୍ୱାଲା(୧୯୮୩)ରେ ଲୋକପ୍ରିୟତା ଅର୍ଜନ କରିଥିଲେ । ସେ ଏକାଧାରରେ ବହୁତ ସଫଳତା ଅର୍ଜନ କରିଥିବା ଚଳଚ୍ଚିତ୍ରରେ ଅଭିନୟ କରିଥିଲେ, ଯଥା: ମୱାଲି (୧୯୮୩), ତୋଫା (୧୯୮୪), ନୟା କଦମ୍ (୧୯୮୪), ମାଷ୍ଟର ଜୀ (୧୯୮୫), ମକ୍ସଦ୍ (୧୯୮୫), ନଜ୍ରାନା (୧୯୮୭), ମିଷ୍ଟର ଇଣ୍ଡିଆ (୧୯୮୭), ୱକ୍ତ କି ଆୱାଜ୍ (୧୯୮୮), ଓ ଚାନ୍ଦନୀ (୧୯୮୫) । ସେ ବ୍ୟବସାୟିକ ସଫଳ ଚଳଚ୍ଚିତ୍ରରେ ମଧ୍ୟ ସମାଲୋଚକଙ୍କ ପ୍ରଶଂସା ପାଇଥିଲେ, ଯଥା: ସଦ୍ମା (୧୯୮୩), ନାଗିନା (୧୯୮୬), ଚାଲ୍ବାଜ୍ (୧୯୮୯), ଲମ୍ହେ (୧୯୯୧), ଖୁଦା ଗବାହ୍ (୧୯୯୨), ଗୁମ୍ରାହ (୧୯୯୩), ଲାଡ୍ଲା (୧୯୯୪) ଓ ଜୁଦାଇ (୧୯୯୭) ।
୨୦୧୨ରେ ଶ୍ରୀଦେବୀ ଦୀର୍ଘ ୧୫ ବର୍ଷ ପରେ ଇଂଲିଶ୍ ଭିଂଲିଶ୍ଦ୍ୱାରା ଚଳଚ୍ଚିତ୍ରକୁ ଫେରିଥିଲେ ।[16] ୨୦୧୩ରେ ଭାରତ ସରକାର ତାଙ୍କୁ ଚତୁର୍ଥ ବେସାମରିକ ପୁରସ୍କାର ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରିଥିଲେ ।[17] ଭାରତୀୟ ଚଲଚ୍ଚିତ୍ରର ୧୦୦ ବର୍ଷ ପୂର୍ତ୍ତି ଅବସରରେ ୨୦୧୩ରେ ସିଏନ୍ଏନ୍-ଆଇବିଏନ୍ଦ୍ୱାରା କରାଯାଇଥିବା ଜାତୀୟ ମତଦାନରେ, '୧୦୦ ବର୍ଷରେ ଭାରତୀୟ ମହାନ୍ ଅଭିନେତ୍ରୀ' ଭାବେ ତାଙ୍କୁ ଚୟନ କରାଯାଇଥିଲା ।[18]
ସେ ତାଙ୍କ ଅଭିନୟ ଜୀବନରେ ପାଞ୍ଚୋଟି ଫିଲ୍ମଫେୟାର୍ ଆୱାର୍ଡ ପାଇଛନ୍ତି । ଦୁବାଇଠାରେ ଅନୁଷ୍ଠିତ ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ଯାଇ ୫୫ବର୍ଷ ବୟସ୍କା ଶ୍ରୀଦେବୀ ବାଥଟବରେ ବୁଢିଯିବାରୁ ତାଙ୍କ ମୃତ୍ୟୁ ହୋଇଯାଇ ଥିଲା।[19]
ଶ୍ରୀ ଆମ୍ମା ଆୟାଙ୍ଗାର ଆୟାପ୍ପାନ ୧୩ ଅଗଷ୍ଟ ୧୯୬୩ରେ ତାମିଲନାଡୁର ଶ୍ରୀବକ୍ସିଠାରେ ଜନ୍ମ ହେଇଥିଲେ । ତାଙ୍କ ମାଆ ରାଜେଶ୍ୱରୀ ତେଲୁଗୁ ଥିଲେ ଓ ବାପା ଆୟାପ୍ପାନ ତାମିଲ ଥିଲେ ।[20][21][22][23][24] ତାଙ୍କ ବାପା ଜଣେ ଆଇନଜ୍ଞ ଥିଲେ । ତାଙ୍କର ଜଣେ ଭଉଣୀ ଓ ଦୁଇଜଣ ସାବତ ଭାଇ ଅଛନ୍ତି ।[25][26] ୧୯୮୦ରେ ମିଥୁନ ଚକ୍ରବର୍ତ୍ତୀଙ୍କ ସହ ତାଙ୍କର ସମ୍ପର୍କ ସୃଷ୍ଟି ହୋଇଥିଲା ।[27] ଏହି ସମ୍ପର୍କ ୧୯୮୪ ମସିହାର ରାକେଶ ରୋଶନଙ୍କ ଚଳଚ୍ଚିତ୍ର ଜାଗ୍ ଉଠା ଇନଶାନ୍_ରୁ ସୃଷ୍ଟି ହୋଇଥିଲା ।[28][29] ଏହି ବିବାହକୁ ଦୁଇଜଣ ଗୋପନୀୟ ରଖିଥିଲେ ମଧ୍ୟ ଏକ ପ୍ରଶଂସକ ପତ୍ରିକାରେ ବିବାହ ସାର୍ଟିଫିକେଟ୍ ପ୍ରକାଶ ପାଇବାରୁ ମିଥୁନ ଚକ୍ରବର୍ତ୍ତୀ ଗଣମାଧ୍ୟମରେ ଏହାକୁ ସ୍ୱୀକାର କରିଥିଲେ ।[28]
୧୯୯୬ରେ ଶ୍ରୀଦେବୀ ଚଳଚ୍ଚିତ୍ର ପ୍ରଯୋଜକ ବୋନି କପୁରଙ୍କୁ ବିବାହ କରିଥିଲେ, ଯେ ଅଭିନେତା ଅନୀଲ କପୁର ଓ ସଞ୍ଜୟ କପୁରଙ୍କ ବଡ଼ଭାଇ । ସେମାନଙ୍କର ଦୁଇଟି ଝିଅ ଅଛନ୍ତି, ଜାହ୍ନବୀ ଓ ଖୁସୀ ।
ଶ୍ରୀଦେବୀ ତାଙ୍କ ଅଭିନୟ ଜୀବନ ପିଲା କଳାକାର ଭାବେ ଚାରି ବର୍ଷ ବୟସରେ ତାମିଲ ଚଳଚ୍ଚିତ୍ର ଥୁନାଇଭାନରେ ଯୁବ ଭଗବାନ ମୁରୁଗା ଚରିତ୍ରରେ ଆରମ୍ଭ କରିଥିଲେ ଓ ପପେ ବହୁତ ତାମିଲ ଓ ତେଲୁଗୁ ଚଳଚ୍ଚିତ୍ରରେ କାମ କରିଥିଲେ ।[15] ଶ୍ରୀଦେବୀ ତାଙ୍କର ଅଭିନୟ ଜୀବନ ଟଲିଉଡରେ ପିଲା କଳାକାର ଭାବେ ୧୯୭୦ରେ ତେଲୁଗୁ ଚଳଚ୍ଚିତ୍ରରେ ମା ନାନ୍ନା ନିର୍ଦ୍ଦୋଷୀଦ୍ୱାରା ଆରମ୍ଭ କରିଥିଲେ ।[30] ପିଲା ଶ୍ରୀଦେବୀଙ୍କ ପ୍ରଦର୍ଶନ, ମାଲାୟାଲାମ ଚଳଚ୍ଚିତ୍ର ପୁମ୍ପାଟା (୧୯୭୧) ପାଇଁ ତାଙ୍କୁ କେରଳ ରାଜ୍ୟ ଚଳଚ୍ଚିତ୍ର ଶ୍ରେଷ୍ଠ ବାଲ୍ୟ କଳାକାର ପୁରସ୍କାରରେ ସମ୍ମାନିତ କରାଇଥିଲା । କନ୍ଦନ କରୁଣାଇ (୧୯୬୭), ନାମନାଡ୍ଡୁ (୧୯୬୯), ପ୍ରାର୍ଥନାଇ (୧୯୭୦), ବାବୁ (୧୯୭୧), ବାଡି ପାନ୍ଥୁଲୁ (୧୯୭୨), ବାଳ ଭାରତମ୍ (୧୯୭୨), ବସନ୍ଥ ମାଲିଗାଇ (୧୯୭୨) ଓ ଭକ୍ତ କୁମ୍ବାର (୧୯୭୪) ପ୍ରଭୃତି ତାଙ୍କ ଅଭିନୟ ଜୀବନରେ ପିଲା କଳାକାର ଭାବେ ଗୋଟିଏ ଗୋଟିଏ ମାଇଲ୍ ଖୁଣ୍ଟ । ୧୯୭୫ ସେ ବଲିଉଡରେ ଜୁଲି ଚଳଚ୍ଚିତ୍ରରେ ଅଗ୍ରଣୀ ଚରିତ୍ର ଲକ୍ଷ୍ମୀଙ୍କ ସାନ ଭଉଣୀ ଭାବେ ଅଭିନୟ କରି ୧୯୭୫ରେ ପାଦ ଦେଇଥିଲେ । ସେ ଜୟଲଳିତାଙ୍କ ସହ ତିରୁମାଙ୍ଗଲ୍ୟମ, କନ୍ଦନ କାରୁଣାଇ, ଓ ଆଦି ପରାଶକ୍ତି ପ୍ରଭୃତି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।
୧୯୭୬ରେ ଶ୍ରୀଦେବୀ କେ. ବାଳଚନ୍ଦରଙ୍କ ନିର୍ଦ୍ଦେଶିତ ମୁନ୍ଦୃ ମୁଡ଼ିଚୁଦ୍ୱାରା ଅଗ୍ରଣୀ ଅଭିନେତ୍ରୀ ଭାବେ ପ୍ରଥମ ଅଭିନୟ କରିଥିଲେ ।[31] ଏହାପରେ ସେ କମଳ ହାସନ ଓ ରଜନୀକାନ୍ତଙ୍କ ସହ ଅଭିନୟ କରି ଏହି ଧାରାକୁ ଆଗେଇ ନେଇଥିଲେ ।
ଶ୍ରୀଦେବୀଙ୍କର ପ୍ରଥମ ମୁକ୍ତିଲାଭ ଥିଲା ୧୯୭୭ ମସିହାର ଗାୟତ୍ରୀ (ଚଳଚ୍ଚିତ୍ର) । ଏହାପରେ ସେ କାବିକ୍ୟୁଇ ଓ ୧୬ ବାୟାଥିନାଇଲ୍ ପ୍ରଭୃତି ଯୁବତୀର ଅଭିନୟ କରିଥିଲେ, ଯେ ଦୁଇ ପ୍ରେମିକ ମଧ୍ୟରେ ବନ୍ଧା ପଡ଼ିଛନ୍ତି । ସେ ମଧ୍ୟ ୧୯୭୮ରେ ତେଲୁଗୁ ରିମେକ୍ ପାଦାହାରେଲା ବାୟାସୁରେ ଅଭିନୟ କରିଥିଲେ । ସେ ଅଭିନୟ କରିଥିବା ପ୍ରମୁଖ ଚଳଚ୍ଚିତ୍ର ହେଉଛି, ଭାରତୀ ରାଜାଙ୍କ ସିଗାପ୍ପୁ ରାଜାକ୍କାଳ, ଏସ୍. ପି. ମୁଥୁରାମଣଙ୍କ ପ୍ରିୟା (ଚଳଚ୍ଚିତ୍ର), କାରଥିକା ଦୀପମ, ଜନି, ବାରୁମାଇନ୍ ନିରମ୍ ସିବ୍ୱାପୁ ଓ ଅକାଳୀ ରାଜ୍ୟାମ । ସେ ବୋବିଲି ପୁଲିରେ ଏନ୍. ଟି. ରାମା ରାଓ, ଜଷ୍ଟିସ୍ ଚୌଧୁରୀ ଓ ଆଟାଗାଡ୍ଡୁଙ୍କ ସହ ଅଭିନୟ କରିଥିଲେ । ସେ ସାନ୍ଧୀପୁରେ ଶିବାଜୀ ଗଣେଶନ୍, କାବରୀ ମନ୍ ଓ ପାଇଲଟ୍ ପ୍ରେମନାଥଙ୍କ ସହ ଅଭିନୟ କରିଥିଲେ ।
ମାଲାୟାଲାମ ଚଳଚ୍ଚିତ୍ରରେ ସେ ୧୯୬୯ରେ କୁମାର ସମ୍ଭବମଙ୍କ ସହ ପିଲା କଳାକାର ଭାବେ ଅଭିନୟ କରିଥିଲେ । ପରେ ସେ ଆଇ. ଭି. ଶଶୀଙ୍କ ଅଭିନନ୍ଦମରେ ଅଭିନୟ କରିଥିଲେ । ମାଲାୟାଲମ୍ ଚଳଚ୍ଚିତ୍ରରେ ଅଗ୍ରଣୀ ଅଭିନେତ୍ରୀ ଭାବେ ୧୯୭୬ରେ ଏନ୍ ଶଙ୍କରନ୍ ନାୟାର ନିର୍ଦ୍ଦେଶିତ ଥୁଲାଭରମ୍ ଓ କମଲ୍ ହାସନଙ୍କ ବିପକ୍ଷରେ ତାମିଲ ଯ୍ ଚଳଚ୍ଚିତ୍ର ପେନ୍ନାଇ ନାମ୍ବୁନଗଲାର ରିମେକ୍, ଏମ୍ ମସ୍ଥାନଙ୍କ କୁତାଭୁମ୍ ଶିକ୍ଷାୟୁମରେ ଅଭିନୟ କରିଥିଲେ । ତାଙ୍କର ଶେଷ ମାଲାୟାଲମ୍ ଚଳଚ୍ଚିତ୍ର ସତ୍ୟବାନ ସାବିତ୍ରୀ ଥିଲା ।
୧୯୮୧ରେ ସେ ତାମିଲ ଚଳଚ୍ଚିତ୍ର ମିନ୍ଦୁମ୍ କୋକିଳାରେ ଅଭିନୟ କରିଥିଲେ, ଯାହା ଫିଲ୍ମଫେୟାର ପୁରସ୍କାର, ଶ୍ରେଷ୍ଠ ଅଭିନେତ୍ରୀ- ତାମିଲ ପୁରସ୍କାର ଜିତିଥିଲା । ୧୯୮୨ରେ ସେ ମୁନ୍ଦ୍ରମ ପିଲ୍ଲାଇରେ ଆମ୍ନେସିଆ ରୋଗରେ ପୀଡ଼ିତ ମହିଳା ଚରିତ୍ରରେ ଅଭିନୟ କରିଥିଲେ, ଯାହା ତାମିଲନାୃଡୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଥିଲା ।
ସେ କମଲ୍ ହାସନଙ୍କ ସହ ୨୭ଟି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ, ଯଥା: ଓକା ରାଧା ଇଧ୍ଧାରୁ କ୍ରିଷ୍ଣୁଲୁ (୧୯୮୬), ଆଖରୀ ସଙ୍ଗମ୍ (୧୯୮୪)- ହିନ୍ଦୀ, ସଦମା (୧୯୮୩)- ହିନ୍ଦୀ, ଅନ୍ଧାଗାଡ୍ଡୁ (୧୯୮୨), ମୁନରମ୍ ପିରାଇ (୧୯୮୨), ବାଜଭେ ମାୟମ (୧୯୮୨), ଅକାଳି ରାଜ୍ୟମ୍ (୧୯୮୧), ମିନ୍ଦୁମ୍ କୋକିଳା (୧୯୮୧), ଶଙ୍କରଲାଲ (୧୯୮୧), ଗୁରୁ (୧୯୮୦) (ତାମିଲ୍ ଓ ତେଲୁଗୁ), ଭାରିଯୁମାୟିନ୍ ନିରାମ ଶିବାପୁ (୧୯୮୦), କଲ୍ୟାଣ ରମଣ (୧୯୭୯), ନୀଲାର ମଲରଗାଲ (୧୯୭୯), ସିଗାପୁକାଲ ମୁକୁଥି (୧୯୭୯), ଥିଲାମାଲ୍ ନାନିଲାଇ (୧୯୭୯), ଚାକିପୋଡୁ ପୋଡୁ ରାଜା (୧୯୭୮), ମନିଥାରିଲ୍ ଇଥାନାଇ ନିରାଙ୍ଗାଲା (୧୯୭୮), ଶିଗାପୁ ରୋଜାକାଲ (୧୯୭୮), ୧୬ ଭାୟାଧିନିଲେ (୧୯୭୭), ମୁନରୁ ମୁଦିଚୁ (୧୯୭୬) ।,
ଶ୍ରୀଦେବୀଙ୍କ ପ୍ରମୁଖ ତେଲୁଗୁ ଚଳଚ୍ଚିତ୍ର ମଧ୍ଧ୍ୟରେ ରହିଛି,କୋଣ୍ଡାବିତି ସିମହମ, କ୍ଷଣ କ୍ଷଣମ୍, ବେତାଗାଡୁ, ସର୍ଦ୍ଦାର ପାପା ରାୟୁଡୁ ଓ ବୋବିଲି ପୁଲି । ଏ ନାଗେଶ୍ୱର ରାଓଙ୍କ ସହ, ସେ ମୁଦୁଲା କୋଡୁକୁ, ପ୍ରେମାଭିଷେକମ୍, ବାଙ୍ଗାରୁ କାନୁକା ଓ ପ୍ରେମକାନୁକା ଏବଂ କ୍ରିଷ୍ଣାଙ୍କ ସହ କାଞ୍ଚୁ କାଗଡା, କାଲାବରୀ ସଂସାରମ୍, କ୍ରିଷ୍ଣାବତାରମ୍, ବୁରିପାଲେମ୍ ବୋଲୁଡୁ, ଖାଇଦି ରୁଦ୍ରୟା ପ୍ରଭୃତି ଚଳଚ୍ଚିତ୍ରରେ ଅଭନୟ କରିଥିଲେ । ସେ ଚିରଞ୍ଜୀବୀଙ୍କ ସହ ଜାଗଦେକା ବୀରୁଡୁ ଅତିଲୋକ ସୁନ୍ଦରୀ, ଏସ୍. ପି. ପରାସୁରମ୍ ପ୍ରଭୃତିରେ ଅଭିନୟ କରିଥିଲେ ।
୧୯୯୨ରେ ରାମ ଗୋପାଳ ବର୍ମାଙ୍କ ନିର୍ଦ୍ଦେଶିତ କ୍ଷଣ କ୍ଷଣମରେ ସେ ଭେଙ୍କଟେଶଙ୍କ ସହ ଅଭିନୟ କରିଥିଲେ,ଯାହା ତାଙ୍କୁ ଫିଲ୍ମ ଫେୟାର ପୁରସ୍କାର, ଶ୍ରେଷ୍ଠ ଅଭିନେତ୍ରୀ- ତେଲୁଗୁ ଓ ଆନ୍ଧ୍ରର ନନ୍ଦୀ ପୁରସ୍କାର, ଶ୍ରେଷ୍ଠ ଅଭିନେତ୍ରୀରେ ସମ୍ମାନିତ କରିଥିଲା ।
ଶ୍ରୀଦେବୀ ୧୯୭୯ରେ ଷୋଳା ସାୱନ୍ ଜରିଆରେ ବଲିଉଡ୍ ପଦାର୍ପଣ କରିଥିଲେ ।[32] ଚାରି ବର୍ଷ ପରେ ୧୯୮୩ରେ ହିମ୍ମତୱାଲାରେ ସେ ଜିତେନ୍ଦ୍ରଙ୍କ ବିପକ୍ଷରେ ଅଭିନୟ କରିଥିଲେ । ସେହି ଚଳଚ୍ଚିତ୍ରଟି ୧୯୮୩ର ସଫଳତମ ଚଳଚ୍ଚିତ୍ର ଥିଲା ।[33][34] ଏହା ତାଙ୍କୁ ବଲିଉଡରେ ପ୍ରତିଷ୍ଠିତ କରାଇଥିଲା ଓ ଥଣ୍ଡର ଥାଏଜ୍ ଆଖ୍ୟା ଦେଇଥିଲା ।[35]
ନେନୋ ମେ ସପନାରେ ତାଙ୍କ ନୃତ୍ୟ ରେଡ଼ିଫ୍ ଜରିଆରେ ପ୍ରଖ୍ୟାତ ହୋଇଥିଲା, ଯାହା ଥିଲା, ନେନୋ ମେ ସପନାରେ ବ୍ୟବହୃତ ପାଣି ମାଠିଆ ସମଗ୍ର ମଞ୍ଚକୁ ଦବେଇ ରଖିଥିଲା, ମାତ୍ର ଏହା ଶ୍ରୀଦେବୀଙ୍କର ଆଡ଼ମ୍ବରପୂର୍ଣ୍ଣ ପୋଷାକ ଥିଲା ଯାହା ସମ୍ପୂର୍ଣ୍ଣ ସୋର ମୁଖ୍ୟ କେନ୍ଦ୍ର ଥିଲା ।[36] ଏହା ପରବର୍ଷ ତୋଫା ମୁକ୍ତିଲାଭ କରିଥିଲା ଓ ୧୯୮୪ର ସବୁଠାରୁ ସଫଳ ଚଳଚ୍ଚିତ୍ର ଥିଲା ।[37]
ଏହି ଚଳଚ୍ଚିତ୍ର ଶ୍ରୀଦେବୀଙ୍କୁ ବଲିଉଡର ଅଗ୍ରଣୀ ଅଭିନେତ୍ରୀ କରାଇଥିଲା ।[13] ତାଙ୍କୁ ଫିଲ୍ମ ଫେୟାର୍ ନିଜ ମଲାଟରେ ଅନକୋଶ୍ଚିନେବଲର ମାନ୍ୟତା ଦେଇଥିଲା ।[38]
ଜିତେନ୍ଦ୍ର-ଶ୍ରୀଦେବୀ ଯୋଡି ୧୬ଟି ଚଳଚ୍ଚିତ୍ର କରଛନ୍ତି, ଯାହା ମଧ୍ୟରେ ଅଛି, ହିମ୍ମତୱାଲା (୧୯୮୩), ଜାନୀ ଦୋସ୍ତ (୧୯୮୩), ଜଷ୍ଟିସ୍ ଚୌଧୁରୀ (୧୯୮୩), ମୱାଲି(୧୯୮୩), ଅକଲମନ୍ଦ (୧୯୮୪), ତୋଫା (୧୯୮୪), ବଳିଦାନ (୧୯୮୫), ଔଲାଦ (୧୯୮୭), ସୁହାଗନ (୧୯୮୬), ଘର ସଂସାର (୧୯୮୬), ଧର୍ମ ଅଧିକାରୀ (୧୯୮୬),ସୋନେ ପେ ସୁହାଗା (୧୯୮୮) ସଫଳ ଥିବାବେଳେ ଆଗ୍ ଔର୍ ଶୋଲୀ (୧୯୮୬), ହିମ୍ମତ ଔର୍ ମେହନତ୍ (୧୯୮୭), ସରଫୋରସ୍ (୧୯୮୫) ବିଫଳ ଥିଲା ।[39][40]
୧୯୮୩ରେ ମୁକ୍ତିଲାଭ କରିଥିବା ସଦମା, ତାଙ୍କୁ ସମାଲୋଚକ ପ୍ରଶଂସା ଦେଇଥିଲା ।[41] ତାଙ୍କ ତାମିଲ୍ ଚଳଚ୍ଚିତ୍ରର ରିମେକ୍ ସଦମା'କୁ ଆଇଦିଭା '୧୦ ଦର୍ଶନୀୟ ଚଳଚ୍ଚିତ୍ର, ମାତ୍ର ସର୍ବାଧିକ ସଫଳ ନୁହଁ'ରେ ଅନ୍ତର୍ଭୁକ୍ତ କରାଇଥିଲା ।[42]
ସେ ମଧ୍ୟ ନାଗାର୍ଜୁନଙ୍କ ପୁଅ ଏ ନାଗେଶ୍ୱର ରାଓଙ୍କ ସହ ଆଖରୀ ପୋରତ୍ତମ, ଗୋବିନ୍ଦା ଗୋବିନ୍ଦା, ଖୁଦା ଗବାହ୍ ପ୍ରଭୃତି ଚଳଚ୍ଚିତ୍ର କରିଥିଲେ । ସେ ଉଭୟ ଧର୍ମେନ୍ଦ୍ର ଓ ତାଙ୍କ ପୁଅ ସନ୍ନି ଦେଓଲଙ୍କ ସହ ଅଭିନୟ କରିଛନ୍ତି ।
ଇଣ୍ଡିଆନ୍ ଏକ୍ସପ୍ରେସ୍ଦ୍ୱାରା ତାଙ୍କର ଆମ୍ନେସିଆ ପୀଡ଼ିତ ପିଲା ଥିବା ମହିଳାର ପ୍ରଦର୍ଶନକୁ ଅଭିନୟ ଜୀବନର ମାଇଲ୍ ଷ୍ଟୋନ୍ ବୋଲି କୁହାଯାଇଥିଲା ।[43] ସେ ମଧ୍ୟ 'ବଲିଉଡ୍ କଳାକାରଙ୍କଦ୍ୱାରା ପ୍ରଦର୍ଶିତ ବାଜିମରା ଦୃଶ୍ୟ'ରେ ସ୍ଥାନ ପାଇଥିଲେ ଓ ତାଙ୍କ ପ୍ରଦର୍ଶନକୁ ପ୍ରଶଂସା କରାଯାଇଥିଲା ।[44] ୨୦୧୨ରେ ଶ୍ରୀଦେବୀଙ୍କ ସହ ଅଭିନେତା ଆଦିଲ୍ ହୁସେନ୍ କହିଥିଲେ ଯେ, ସଦମା ଦେଖିବା ପରେ ସେ ଶ୍ରୀଙ୍କ ପ୍ରଶଂସକ ହୋଇଯାଇଥିଲେ ।[45] ସି ଏନ୍ ଏନ୍ ଆଇବିଏନ୍ର ୨୦୧୨ ସର୍ବଶ୍ରେଷ୍ଠ ରୋମାଣ୍ଟିକ୍ ଯୋଡି ତାଲିକାରେ ଶ୍ରୀ-ଦିତେନ୍ଦ୍ର ସ୍ଥାନ ପାଇଥିଲେ ।[46] ଏହି ଚଳଚ୍ଚିତ୍ର ପାଇଁ ସେ ଫିଲ୍ମ ଫେୟାର ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଥିଲେ ।
ଶ୍ରୀଦେବୀଙ୍କର ରାଜେଶ ଖନ୍ନାଙ୍କ ସହ ମଧ୍ୟ ସଫଳ ଯୋଡି ଥିଲା, ଯଥା: ନୟା କଦମ (୧୯୮୪), ମକସଦ୍ (୧୯୮୪), ମାଷ୍ଟରଜୀ (୧୯୮୫), ନଜରାନା (୧୯୮୭) ।
୧୯୮୬ରେ ସାପ ଚଳଚ୍ଚିତ୍ର ନାଗିନାରେ ସେ ଇଛ୍ଛାଧାରୀ ନାଗୁଣୀର ଅଭିନୟ କରିଥିଲେ ଏବଂ ତାହା ସେହି ବର୍ଷର ଦ୍ୱିତୀୟ ସଫଳ ଚଳଚ୍ଚିତ୍ର ଥିଲା [47][48] ଓ ଏଥିପାଇଁ ବକ୍ସ୍ ଅଫିସ୍ ଇଣ୍ଡିଆ ଶ୍ରୀଙ୍କୁ ନିର୍ବିବାଦରେ ଏକ ନମ୍ବର ଅଭିନେତ୍ରୀ କରିଥିଲା ।[13] ଏହା ମଧ୍ୟ ୟାହୁଦ୍ୱାରା ସବୁଠାରୁ ଭଲ ସାପ ଭିତ୍ତିକ ଚଳଚ୍ଚିତ୍ର ବୋଲି କୁହାଯାଇଥିଲା ।[49]
ଟାଇମସ୍ ଅଫ୍ ଇଣ୍ଡିଆ, ନାଗିନା ଚଳଚ୍ଚିତ୍ରକୁ ହିନ୍ଦୀ ସିନେମାର ପ୍ରଥମ ୧୦ଟି ସାପ ଚଳଚ୍ଚିତ୍ରରେ ରଖିଥିଲା ।[50] ଶ୍ରୀଦେବୀଙ୍କର ମେ ତେରି ଦୁଶମନ୍ ନୃତ୍ୟରେ ନାଚ ମଧ୍ୟ ବଲିଉଡର ଅନ୍ୟତମ ସଫଳ ନୃତ୍ୟ ଥିଲା, [51] ଯେଉଁଥିରେ ଦେଶୀ ତାଳ ରହିବା ସହ ପ୍ରଶଂସକମାନଙ୍କର ଅତ୍ୟନ୍ତ ପ୍ରିୟ ଥିଲା[52] ଓ ଆଇଦିଭା ଏହାକୁ ଚଳଚ୍ଚିତ୍ର କିମ୍ବଦନ୍ତୀଙ୍କର କାମ ବୋଲି ଦର୍ଶାଇଥିଲା ।[53] ନାଗିନା ଛଡା ୧୯୮୬ରେ ଶ୍ରୀଦେବୀ ସୁବାଷ ଘାଇଙ୍କର ଚଳଚ୍ଚିତ୍ର କର୍ମ (ହିନ୍ଦୀ ଚଳଚ୍ଚିତ୍ର), ଓ ଫିରୋଜ୍ ଖାନଙ୍କ ଜାନବାଜରେ ମଧ୍ୟ ଅଭିନୟ କରିଥିଲେ । ସି.ଏନ୍.ଏନ୍. ଆଇ.ବି.ଏନ୍. ଅନୁଯାୟୀ, ଶ୍ରୀଦେବୀଙ୍କର ଲୋକପ୍ରିୟତା ଏତେ ଥିଲା ଯେ, ଜାନବାଜର ମୁଖ୍ୟ ଅଭିନେତ୍ରୀ ଡିମ୍ପଲ୍ କପାଡ଼ିଆଙ୍କ ଚରିତ୍ରକୁ ଶ୍ରୀଦେବୀଙ୍କର ଅତିଥି ଚରିତ୍ର ପଛକୁ କରିଦେଇଥିଲା ।[54]
ନାଗିନାର ସଫଳତା ପରେ ଶ୍ରୀଦେବୀ ୧୯୮୭ରେ ମିଷ୍ଟର ଇଣ୍ଡିଆ ଚଳଚ୍ଚିତ୍ରରେ ଏକ ଅପରାଧୀ ସାମ୍ବାଦିକର ଚରିତ୍ରରେ ଅଭିନୟ କରିଥିଲେ, ଯାହାକୁ ରେଡ଼ିଫ୍ ସେହି ସମୟର ସର୍ବଶ୍ରେଷ୍ଠ ଚଳଚ୍ଚିତ୍ର ବୋଲି କହିଥିଲା ।[55] ଶେଖର କପୁର ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ସେହି ବର୍ଷର ସର୍ବାଧିକ ଆୟକାରୀ ଚଳଚ୍ଚିତ୍ର ଥିଲା [56]ଓ ଏହା ହିନ୍ଦୁସ୍ଥାନ୍ ଟାଇମସ୍ଦ୍ୱାରା ହିନ୍ଦୀ ସିନେମାର ପ୍ରଥମ ୧୦ଟି ଦେଶଭକ୍ତି ଚଳଚ୍ଚିତ୍ରରେ ସ୍ଥାନ ଦେଇଥିଲା ।[57] While the trade famously joked that the film should have been named Miss India,[58] ରେଡ଼ିଫ୍ ମଧ୍ୟ କହିଥିଲା ଯେ, ଶ୍ରୀ ସମ୍ପୂର୍ଣ୍ଣ ଚଳଚ୍ଚିତ୍ରର କେନ୍ଦ୍ରରେ ଥିଲେ ।[55] ଟାଇମସ୍ ଅଫ୍ ଇଣ୍ଡିଆ ଅନୁଯାୟୀ ଶ୍ରୀଦେବୀଙ୍କର ଚାର୍ଲି ଚାପେଲିନ୍ ଛାପ ତାଙ୍କର ଅନନ୍ୟ ଅଭିନୟ ଥିଲା ।[59] ରେଡ଼ିଫ୍ ତାଙ୍କୁ 'ସୁପର୍ ସିକ୍ସ୍ କନଯମିକ୍ ହିରୋଇନରେ ରଖିଥିଲା ଓ କହିଥିଲା ଯେ, ତାଙ୍କ ମୁଖର ଚାହାଁଣୀ କ୍ୟାମେରା ଆଗରେ ଜିମ୍ କାରେଙ୍କୁ ମଧ୍ୟ ନିଦବିହୀନ ରାତି ଦେଇପାରେ ।[60]
ତାଙ୍କର ନୃତ୍ୟ 'ହୱା ହୱାଇ' ଟାଇମସ୍ ଅଫ୍ ଇଣ୍ଡିଆ ଅନୁଯାୟୀ ଶ୍ରୀଦେବୀଙ୍କର ଅନ୍ୟତମ ଅଭୁଲା ନୃତ୍ୟ ଥିଲା,[61] ଯାହା ପରେ ଅଭିନେତ୍ରୀଙ୍କର ଲୋକପ୍ରିୟ ଡାକନାମ ହୋଇଥିଲା ।[62][63] ହାସ୍ୟାତ୍ମକ ଛଡା, ସେ 'କାଟେ ନେହି କଟତେ' ମାଧ୍ୟମରେ ବଲିଉଡକୁ ମଧ୍ୟ ଅନ୍ୟତମ ସୁନ୍ଦର ବର୍ଷା ଗୀତ ଦେଇଥିଲେ,[64] ଯେଉଁଥିରେ ଫିଲ୍ମଫେୟାର୍ ଶ୍ରୀଦେବୀଙ୍କୁ ନୀଳ ଶାଢ଼ୀରେ ଏକ ପ୍ରକୃତ ଦେବୀ ରୂପେ ଦର୍ଶାଇଥିଲା,[65][66] ଯେବେ ଆଇଦିଭା ସେହି ସଙ୍ଗୀତକୁ ହିନ୍ଦୀ ସିନେମାରେ ଅଣସମାନ୍ତରାଳ ବୋଲି ଦର୍ଶାଇଥିଲା ।[67] ରେଡ଼ିଫ୍ ମଧ୍ୟ ସେହି ଗୀତକୁ ଶ୍ରେଷ୍ଠ ୨୫ ଶାଢ଼ୀ ମୁହୁର୍ତ୍ତରେ ରଖିଥିଲା ଓ ଶ୍ରୀଦେବୀଙ୍କର ମୁଣ୍ଡରୁ ପାଦ ଘୋଡ଼ିହୋଇ ମଧ୍ୟ ସୁନ୍ଦର ଦେଖାଯିବାକୁ ପ୍ରଶଂସା କରିଥିଲା ।[68] କାଟେ ନେହି କଟ୍ତେ ଗୀତଟି ଏନ୍ଡିଟିଭିଦ୍ୱାରା ବଲିଉଡ୍ର ସବୁଠାରୁ ପ୍ରସିଦ୍ଧ ବର୍ଷା ଗୀତ ବୋଲି ଦର୍ଶାଇଥିଲା ।[69] ବକ୍ସ୍ ଅଫ୍ ଇଣ୍ଡିଆ କହିଥିଲା ଯେ, ମିଷ୍ଟର୍ ଇଣ୍ଡିଆର ସଫଳତା ପରେ ଶ୍ରୀ ତାଙ୍କ ପାରମ୍ପାରିକ ପ୍ରତିଦ୍ୱନ୍ଦୀ ଜୟାପ୍ରଦା ଓ ମିନାକ୍ଷୀ ଶେଷାଦ୍ରୀଙ୍କୁ ପଛରେ ପକେଇଦେଇଥିଲେ ।[13]
୧୯୮୯ରେ ଚାଲ୍ବାଜ୍ରେ ଶ୍ରୀ ଏକ ଦ୍ୱୈତ ଭୂମିକାରେ ଅଭିନୟ କରିଥିଲେ, ଯେଉଁଥିରେ ଯାଆଁଳା ଭଉଣୀ ଜନ୍ମରୁ ଅଲଗା ହୋଇଯାଇଥିଲା । ଫିଲ୍ମ୍ ଫେୟାର୍ ଏହି ଅଭିନୟକୁ 'ହିନ୍ଦୀ ସିନେମାର ୮୦ ଶ୍ରେଷ୍ଠ ପ୍ରଦର୍ଶନ'ରେ ଚତୁର୍ଥ ସ୍ଥାନରେ ରଖିଥିଲା ଓ କହିଥିଲା ଯେ, ଶ୍ରୀଙ୍କର ହସ ଓ ଅକୃତ୍ରିମ କାନ୍ଦ ତାଙ୍କ ଅଭିନୟକୁ ବଳିଷ୍ଠ କରେ । ସେ ସନ୍ନି ଦେଓଲ୍ ଓ ରଜନୀକାନ୍ତଙ୍କ ଭଳି ଅଭିନେତାଙ୍କୁ ମଧ୍ୟ ଅଭିନୟରେ ଆଡ଼େଇ ଦେଉଥିଲେ ।[70] ଟାଇମ୍ସ୍ ଅଫ୍ ଇଣ୍ଡିଆର ସ୍ତମ୍ଭ 'ବଲିଉଡ୍ସ୍ ହିଟ୍ ଡବଲ୍ ରୋଲ୍' ଶ୍ରୀଙ୍କ ଅଭିନୟକୁ ବକ୍ସ୍ ଅଫିସ୍ର ରେକର୍ଡ ବୋଲି କହିଥିଲା ।[71] ରେଡ଼ିଫ୍ ଏହି ଚଳଚ୍ଚିତ୍ରକୁ 'ବଲିଉଡ୍ରେ ୨୫ ଶ୍ରେଷ୍ଠ ଦ୍ୱୈତ ଅଭିନୟ' ରଖି କହିଥିଲା ଯେ, ଚାଲ୍ବାଜ୍ ନଦେଖିଲା ପର୍ଯ୍ୟନ୍ତ ତୁମେ ଶ୍ରୀଦେବୀଙ୍କର ଅଭିନୟ ଜାଣିପାରିବ ନାହିଁ ।[72] ଓ ସେହି ଚଳଚ୍ଚିତ୍ର ତାଙ୍କର ସ୍ଥାନକୁ ଅଭିନେତ୍ରୀ ସହ ହତ୍ୟାକାରୀ ଓ ହାସ୍ୟ ଅଭିନେତ୍ରୀର ମାନ୍ୟତା ଦେଇଥିଲା ।[55]
ଚାଲ୍ବାଜ୍ରେ ଶ୍ରୀଙ୍କର ଅଭିନୟକୁ ନେଇ ନିର୍ଦ୍ଦେଶକ ପଙ୍କଜ ପରାଶର ଇଣ୍ଡିଆନ୍ ଏକ୍ସ୍ପ୍ରେସ୍କୁ କହିଥିଲେ ଯେ, ସେହି ଚଳଚ୍ଚିତ୍ରଦ୍ୱାରା ସେ ନିଜର ଦକ୍ଷତା ପ୍ରତିପାଦନ କରିଥିଲେ, ଓ ତା'ପରେ ଦ୍ୱୈତ ଅଭିନୟ ପାଇଁ ତାଙ୍କୁ ବହୁତ ସୁଯୋଗ ଆସିଥିଲା ।[73] ନା ଜାନେ କାହାଁ ସେ ଆଇରେ ତାଙ୍କ ନାଚକୁ ଟାଇମସ୍ ଅଫ୍ ଇଣ୍ଡିଆ ପ୍ରଶଂସା କରିଥିଲା ।[74] ଯାଆଁଳା ଭଉଣୀ ଅଭିନୟ ପାଇଁ ସେ ଫିଲ୍ମଫେୟାର ପୁରସ୍କାର ପାଇଥିଲେ, ଓ ଗୀତଟି ଶ୍ରେଷ୍ଠ ନୃତ୍ୟ ନିର୍ଦ୍ଦେଶନା ପାଇଥିଲା ।
ସେହିବର୍ଷ ସେ ୟଶ ଚୋପ୍ରାଙ୍କ ଚଳଚ୍ଚିତ୍ର ଚାନ୍ଦିନୀର ମୁଖ୍ୟ ଅଭିନେତ୍ରୀ ଭୂମିକା ତୁଲାଇଥିଲେ । ଆଇଦିଭା ଅନୁଯାୟୀ ଏହା ଚଳଚ୍ଚିତ୍ର କମ୍, ଉତ୍ସବ ଅଧିକ ଥିଲା ।[53] ଚାନ୍ଦିନୀ ୧୯୮୯ର ସବୁଠାରୁ ସଫଳ ଚଳଚ୍ଚିତ୍ର ଥିଲା ।[75] ଦି ହିନ୍ଦୁ ଅନୁଯାୟୀ ଏହି ଚଳଚ୍ଚିତ୍ର ପାଇଁ ସିନେମା ହଲର ସଂଖ୍ୟା ବଢ଼ାଇବାକୁ ପଡ଼ିଥିଲା ।[76] ଟାଇମସ୍ ଅଫ୍ ଇଣ୍ଡିଆ ଏହାକୁ ଭାରତୀୟ ଚଳଚ୍ଚିତ୍ର ଜଗତର ଅନ୍ୟତମ ସର୍ବାଧିକ ଦେଖଣା ଚଳଚ୍ଚିତ୍ର ବୋଲି କହିଥିଲା ।[77] ଏହି ଚଳଚ୍ଚିତ୍ରଟି ଶ୍ରୀଙ୍କୁ ୧୯୮୦ର ସର୍ବଶ୍ରେଷ୍ଠ ଅଭିନେତ୍ରୀ କରେଇଥିଲା ।[78][79]
ହିନ୍ଦୁସ୍ତାନ ଟାଇମ୍ସ ୟଶ୍ ଚୋପ୍ରାଙ୍କ ଶ୍ରେଷ୍ଠ ୫ ଅଭିନେତ୍ରୀଙ୍କ ଭିତରେ ଶ୍ରୀଙ୍କୁ ପ୍ରଥମ ସ୍ଥାନରେ ରଖିଥିଲା ।[80] ସିଏନ୍ଏନ୍ ଆଇବିଏନ୍ ମଧ୍ୟ ୟଶ୍ ଚୋପ୍ରାଙ୍କ ଶ୍ରେଷ୍ଠ ୧୦ ଅଭିନେତ୍ରୀଙ୍କ ମଧ୍ୟରେ ଶ୍ରୀଙ୍କୁ ପ୍ରଥମ ସ୍ଥାନରେ ରଖିଥିଲା ଓ କହିଥିଲା ଯେ, ୟଶ୍ ଚୋପ୍ରା ଶ୍ରୀଙ୍କୁ ଚାନ୍ଦିନୀ ଭାବରେ ଅମର କରି ରଖିଛନ୍ତି ।[81] ଏହି ଚରିତ୍ରଟି ହିନ୍ଦୀ ଚଲଚ୍ଚିତ୍ରରେ ପ୍ରସିଦ୍ଧ ହେବା ସହ, ଇଣ୍ଡିଆ ଟୁଡେ ଏହାକୁ ନିଜର ୟଶ୍ ଚୋପ୍ରାଙ୍କ ବିଶେଷ ଚରିତ୍ରରେ ରଖିଥିଲା ।[82] ଏନ୍ଡିଟିଭି ଏହି ତାଲିକାକୁ ୟଶ୍ ଚୋପ୍ରାଙ୍କ ସବୁଠୁ ଭଲ ସୃଜନଶୀଳତା କହିବା ସହ, ଏହି ଚଳଚ୍ଚି୍ତ୍ର ଶ୍ରୀଦେବୀଙ୍କୁ ଦେଶର ପ୍ରିୟ କରାଅଇଥିଲା ବୋଲି ମତ ଦେଇଥିଲା ।[53] [83][84] ଦି ଟ୍ରିବ୍ୟୁନ୍ ଲେଖିଥିଲା ଯେ, ଶ୍ରୀଦେବୀଙ୍କ ପାଇଁ ଚାନ୍ଦିନୀ ଚରିତ୍ର ସୃଷ୍ଟି କଲା ବେଳେ ଲୀନା ଦାରୁ ପୁଣି ଥରେ ବିଜେତା ହୋଇଥିଲେ । ପ୍ରତ୍ୟେକ ଗଳିକନ୍ଦିରେ ଅଭିନେତ୍ରୀ ଭଳି ଦେଖାଯାଉଥିବା ସାଲ୍ୱାର୍ କମିଜ୍ ବିକା ଯାଉଥଲା, ଯାହା କି ଭାରତୀୟ ପରଦାରେ ଖୁବ୍ କମ୍ ଦେଖାଯାଉଥିଲା ।[85] ମିଡ୍ ଡେ ଅନୁସାରେ ସାଧାରଣ ଧଳା ଚୁଡ଼ିଦାର ଓ କୁର୍ତ୍ତା ସହ ଉଡ଼ୁଥିବା ଓଢ଼ଣି ଶ୍ରୀଦେବୀଙ୍କୁ ପରୀର ଚାହାଁଣି ଦେଇଥିଲା ଓ ଚାନ୍ଦିନୀ ଚୌକ୍ ଷ୍ଟୋର୍କୁ ୧୦୦୦ରୁ ଉର୍ଦ୍ଧ୍ୱ ଏହିପରି ପୋଷାକ ରଖିବାକୁ ବାଧ୍ୟ କରିଥିଲା ।[86]
ଚାନ୍ଦିନୀର ଗୀତ ମଧ୍ୟ ଖୁବ୍ ସଫଳ ଥିଲା ।[53] ଶ୍ରୀଙ୍କର ପ୍ରସିଦ୍ଧ ନୃତ୍ୟ ମେରେ ହାଥୋ ମେ ନୌ ନୌ ଚୁଡ଼ିୟା ରେଡ଼ିଫ୍ ଅନୁସାରେ ଶ୍ରେଷ୍ଠ ୨୫ ବିବାହ ଗୀତରେ ସ୍ଥାନ ପାଇଥିଲା ।[87] ଏହି ଅଭିନେତ୍ରୀ ମଧ୍ୟ ଚଳଚ୍ଚିତ୍ରର ଲୋକପ୍ରିୟ ଶୀର୍ଷକ ଗୀତ ଚାନ୍ଦିନୀ ଓ ମେରି ଚାନ୍ଦିନୀରେ ସ୍ୱର ଦେଇଥିଲେ ।[88] ଏହି ଗୀତଟି ହିନ୍ଦୁସ୍ଥାନ୍ ଟାଇମ୍ସଦ୍ୱାରା ୟଶ୍ ଚୋପ୍ରାଙ୍କ ଶ୍ରେଷ୍ଠ ୫ ଗୀତରେ ସ୍ଥାନ ପାଇଥିଲା ।[80] ଚାନ୍ଦିନୀ ଆନନ୍ଦ ଯୋଗାଇଥିବାରୁ ଶ୍ରେଷ୍ଠ ଲୋକପ୍ରିୟ ଗୀତ ଜାତୀୟ ଚଳଚ୍ଚିତ୍ର ସମ୍ମାନ (National Film Award for Best Popular Film Providing Wholesome Entertainment) ପାଇଥିବା ବେଳେ ଶ୍ରୀଦେବୀ ୧୯୮୯ରେ ଉଭୟ ଚାନ୍ଦିନୀ ଓ ଚାଲ୍ବାଜ୍ ପାଇଁ ଫିଲ୍ମ ଫେୟାର୍ ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ ପାଇଥିଲେ ।
ୟଶ୍ ଚୋପ୍ରା ପୁଣିଥରେ ଶ୍ରୀଦେବୀଙ୍କୁ ୧୯୯୧ ଚଳଚ୍ଚିତ୍ର ଲମ୍ହେରେ ଅଭିନେତ୍ରୀ କରାଇଥିଲେ । ଟାଇମ୍ସ ଅଫ୍ ଇଣ୍ଡିଆ ଏହାକୁ ଶ୍ରେଷ୍ଠ ୧୦ ୟଶ୍ ଚୋପ୍ରା ଚଳଚ୍ଚିତ୍ରରେ ରଖିଥିବା ବେଳେ ଏହାର କାହାଣୀକୁ ସମୟ ଓ ସ୍ଥାନ ବାହାରେ ପ୍ରେମ ବୋଲି ବର୍ଣ୍ଣନା କରିଥିଲା ।[89] ରେଡ଼ିଫ୍ ଏହାକୁ ସହଜରେ ଶ୍ରେଷ୍ଠ ଚଳଚ୍ଚିତ୍ର ମଧ୍ୟରୁ ଅନ୍ୟତମ ବୋଲି କହିଥିଲା ।[90] ଶ୍ରୀଦେବୀ ଉଭୟ ମାଆ ଓ ଝିଅର ଅଭିନୟ କରିଥିଲା, ଯାହାକୁ ଆଇଦିଭା ପୂର୍ବରୁ ଦେଖା ଯାଇନଥିବା ଦ୍ୱୈତ ଅଭିନୟ ବୋଲି କହିଥିଲା ।[53] ରେଡ଼ିଫ୍ ଅନୁସାରେ ଏହା ଶ୍ରୀଙ୍କ ଅଭିନୟ ଜୀବନରେ ଏକ ଦୃଷ୍ଟାନ୍ତ ଚଳଚ୍ଚିତ୍ର ଥିଲା ।[55] ତାଙ୍କ ଅଭିନୟକୁ ପ୍ରଶଂସା କରି ବିଜ୍ଏସିଆ କହିଥିଲା ଯେ,, ଉଭୟ ପଲ୍ଲବୀ ଓ ପୂଜା ଭାବେ ଗୋଟିଏ ଚଳଚ୍ଚିତ୍ରରେ ବିପରୀତ ଧର୍ମୀ ଅଭିନୟ ତାଙ୍କ ଦକ୍ଷତାକୁ ଦର୍ଶାଉଛି ।[91][92] ଲୋକନୃତ୍ୟ ମୋର୍ନି ବାଗ୍ ମାରେ ଶ୍ରୀଙ୍କ ନୃତ୍ୟକୁ ହିନ୍ଦୁସ୍ଥାନ୍ ଟାଇମ୍ସ ୟଶ୍ ଚୋପ୍ରାଙ୍କ ଶ୍ରେଷ୍ଠ ୫ ସଂଗୀତ ବୋଲି କହିଥିଲା ।[80] ଲମ୍ହେ ବ୍ୟବସାୟିକ ଭାବେ ସଫଳ ହୋଇନଥିଲେ ମଧ୍ୟ ସମାଲୋଚକଙ୍କ ପ୍ରଶଂସାପାତ୍ର ହୋଇଥିଲା ଓ ପରେ ଶାସ୍ତ୍ରୀୟ ମାନ୍ୟତା ପାଇଥିଲା ।[42][93] ଏହି ଚଳଚ୍ଚିତ୍ର ବିଷୟରେ ବର୍ଣ୍ଣନା କରି ସମାଲୋଚକ ରାଚେଲ୍ ଡାୟାର୍ ତାଙ୍କ ଜୀବନୀରେ ଲେଖିଛନ୍ତି ଯେ, ୟଶ୍ ଚୋପ୍ରାଙ୍କ ଏହି ଲୋକପ୍ରିୟ ଚଳଚ୍ଚିତ୍ର ଲମ୍ହେ ଦର୍ଶକଙ୍କୁ ଶ୍ରେଣୀ ଅନୁସାରେ ଭାଗ କରି ଦେଇଥଲା । ଏହା ପ୍ରଗତୀଶୀଳ ସହର ଓ ସମୁଦ୍ର ସେପାରି ଦେଶରେ ଖୁବ୍ ସଫଳ ହୋଇଥିଲା, ମାତ୍ର ଅନୁନ୍ନତ ସହରରେ ବିଷୟବସ୍ତୁ ପାଇଁ ଏହା ସମ୍ପୂର୍ଣ୍ଣ ବିଫଳ ହୋଇଥିଲା ।[94] ଦି ହିନ୍ଦୁ ମଧ୍ୟ ଏହାକୁ ଖୁବ୍ ପ୍ରଶଂସା କରିଥିଲା, ତେବେ ଏହାର ବିଷୟ ବସ୍ତୁ ଭାରତୀୟ ସମାଜ ସହ ଖାପ ଖୁଆଉନଥିବାର କାରଣ ମଧ୍ୟ ଦେଇଥିଲା ।[95] ରାଜୀବ ମାନ୍ସାଦ୍ଙ୍କ ସହ ଏକ ସାକ୍ଷାତକାରରେ ମଧ୍ୟ ଶ୍ରୀଦେବୀ ବିଷୟବସ୍ତୁକୁ ଅଶ୍ଳୀଳ ବୋଲି ମତ ଦେଇଥିଲେ ।[96] ବିଫଳ ହୋଇଥିଲେ ମଧ୍ୟ ରେଡ଼ିଫ୍ ଏହାକୁ ଚଳଚ୍ଚିତ୍ର ଜଗତର ଅବିଶ୍ୱସନୀୟ ମୂହୁର୍ତ୍ତ ବୋଲି କହିଥିଲା ।[90] ଲମ୍ହେ ୫ଟି ଫିଲ୍ମ୍ ଫେୟାର୍ ପୁରସ୍କାର ଜିତିଥିଲା, ଯେଉଁଥିରେ ଶ୍ରୀଦେବୀଙ୍କର ଦ୍ୱିତୀୟ ଫିଲ୍ମ୍ ଫେୟାର୍ ସମ୍ମାନ ଶ୍ରେଷ୍ଠ ଅଭିନେତ୍ରୀ ମଧ୍ୟ ଅନ୍ତର୍ଭୁକ୍ତ ଥିଲା । ଏହି ଚଳଚ୍ଚିତ୍ରର ଲୋକପ୍ରିୟ ରାଜସ୍ଥାନୀ ପୋଷାକ ପାଇଁ ନୀତା ଲୁଲା ତାଙ୍କର ପ୍ରଥମ ଜାତୀୟ ଚଳଚ୍ଚିତ୍ର ସମ୍ମାନ ଶ୍ରେଷ୍ଠ ପୋଷାକ କାରୁକାର୍ଯ୍ୟ ସମ୍ମାନ ପାଇଥିଲେ ।[97]
୧୯୯୨ରେ ଶ୍ରୀଦେବୀ ଅମିତାଭ ବଚ୍ଚନଙ୍କ ବିପକ୍ଷକରେ ଐତିହାସିକ ଚଳଚ୍ଚିତ୍ର ଖୁଦା ଗବାହରେ ଅଭିନୟ କରିଥିଲେ । ଅଭିନେତ୍ରୀ ଜଣଙ୍କ ପୁଣିଥରେ ଆଫଗାନୀ ଯୋଦ୍ଧା ବେନାଜୀର ଓ ତାଙ୍କ ଝିଅ ମେହେନ୍ଦୀ ଭୂମିକାରେ ଦ୍ୱୈତ୍ୟ ଅଭିନୟ କରିଥିଲେ । ଏହାର ସୁଟିଂ ମୁଖ୍ୟତଃ ନେପାଳରେ ହୋଇଥିଲା । ବିବିସି ରିପୋର୍ଟ ଅନୁସାରେ ଏହା ଭଲ ବ୍ୟବସାୟ କରିଥିଲା ଓ କାବୁଲରେ ପ୍ରାୟ ୧୦ ସପ୍ତାହ ଧରି ଚାଲିଖିଲା ।[98] ଖୁଦା ଗବାହ ଏବେ ମଧ୍ୟ ଆଫଗାନିସ୍ଥାନରେ ବହୁତ ଲୋକପ୍ରିୟ ଓ ରେଡ଼ିଫ୍ ଅନୁସାରେ ମୁକ୍ତିଲାଭ ପରେ ଏହାର ଦେଶ ସାରା ସବୁ ଚଳଚ୍ଚିତ୍ର ପ୍ରେକ୍ଷାଳୟରେ ଚାହିଦା ଥିଲା ।[99] ଏହି ଚଳଚ୍ଚିତ୍ରଟି ଫିଲ୍ମ ଫେୟାରରେ ଶ୍ରେଷ୍ଠ ନିର୍ଦ୍ଦେଶକର ସମ୍ମାନ ପାଇଥିବା ବେଳେ, ଶ୍ରୀଦେବୀ ଶ୍ରେଷ୍ଠ ଅଭିନେତ୍ରୀ ଶ୍ରେଣୀରେ ନାମିତ ହୋଇଥିଲେ ।
୧୯୯୩ରେ ଏହି ଅଭିନେତ୍ରୀଙ୍କର ଅଧିକ ବଜେଟର ରୂପ୍ କି ରାନୀ ତୋରୋଁ କି ରାଜା ମୁକ୍ତିଲାଭ କରିଥିଲା,ଯାହା ଭାରତରେ ମୁକ୍ତିଲାଭ କରିଥିବା ସର୍ବାଧିକ ବଜେଟର ଚଳଚ୍ଚିତ୍ର ଥିଲୀ ।[100] ଯଦିଓ ଚଳଚ୍ଚିତ୍ରଟି ବକ୍ସ୍ ଅଫିସରେ ବିଫଳ ହୋଇଥିଲା, ତେବେ ଟାଇମସ୍ ଅଫ୍ ଇଣ୍ଡିଆ ଅନୁଯାୟୀ ଶ୍ରୀଦେବୀ ହାସ୍ୟ କଳାକାର ଭୂମିକାରେ ସର୍ବଶ୍ରେଷ୍ଠ ଦକ୍ଷିଣ ଭାରତୀୟ କଳାକାର ।[101]
ଶ୍ରୀଦେବୀ ବଡ଼ ପ୍ରଯୋଜନା ସଂସ୍ଥାରେ ଅଭିନୟ କରିବା ଜାରି ରଖିଥିଲେ,ଯେପରି ଧର୍ମା ପ୍ରଡ଼କ୍ସନରେ ସଞ୍ଜୟ ଦତ୍ତଙ୍କ ବିପକ୍ଷରେ ୧୯୯୩ର ଚଳଚ୍ଚିତ୍ର ଗୁମରାହ । ମହେଶ ଭଟ୍ଟଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ଶ୍ରୀ ଗାୟିକାର ଭୂମିକା ଅଭିନୟ କରିଥିଲେ, ଯେ ଭୁଲରେ ହଂକଂଠାରେ ଡ୍ରଗସ୍ ବ୍ୟବସାୟ କରୁଥିବା ମାମଲାରେ ଅଭିଯୁକ୍ତ ହୋଇଛନ୍ତି । ଶ୍ରୀଦେବୀ ରେଟ୍ରୋସ୍ପେକ୍ଟିଭରେ ବଲିଉଡ୍ ସ୍ପାଇସ୍ ବର୍ଣ୍ଣନା କରିଛି ଯେ, ଗୁମରାହରେ ଅନ୍ୟ କଳାକାରମାନେ ନିଖୁଣ ଅଭିନୟ କରିବା ସତ୍ତ୍ୱେ, ଏହା ଶ୍ରୀଙ୍କ ଚଳଚ୍ଚିତ୍ର ପରି ମନେହେଉଛି । ସେ ନାରୀର ସମ୍ବେଦନଶୀଳତାକୁ ନିଖୁଣ ଭାବେ ଚିତ୍ରଣ କରିଛନ୍ତି, ଯାହାକୁ ଦର୍ଶକ ବହୁତ ଦିନ ପର୍ଯ୍ୟନ୍ତ ମନେରଖିବ । [102] ଏହି ଅଭିନୟ ପାଇଁ ସେ ଆଉ ଏକ ଫିଲ୍ମ ଫେୟାର ଶ୍ରେଷ୍ଠ ଅଭିନେତ୍ରୀ ପାଇଁ ମନୋନୀତ ହୋଇଥିଲେ । ୧୯୯୪ରେ ସେ ପୁଣି ଥରେ ଅନୀଲ କପୁରଙ୍କ ସହ ଲାଡ଼ଲା ଚଳଚ୍ଚିତ୍ରରେ ଅଭିନୟ କରିଥିଲେ, ଯେଉଁଥିରେ ସେ ବ୍ୟବସାୟୀ ଶୀତଳ ଜେଟଲୀ ଭୂମିକାରେ ଅଭିନୟ କରିଥିଲେ । ଟାଇମସ୍ ଅଫ୍ ଇଣ୍ଡିଆ ଅନୁଯାୟୀ ଏହି ଚରିତ୍ରଟି କଠୋର, ପ୍ରଭାବଶାଳୀ ଓ ପ୍ରତିଯୋଗିତାମୂଳକ ଥିଲା ଓ ଏହା ପାଇଁ ସେ ଫିଲ୍ମ୍ ଫେୟାର ପାଇଁ ମନୋନୀତ ହୋଇଥିଲେ ।[101]
୧୯୯୬ରେ ସେ ତାଙ୍କର ପ୍ରତ୍ୟାବର୍ତ୍ତନ ମାଲାୟଲମ ଚଳଚ୍ଚିତ୍ରରେ ଭରତନଙ୍କ ଦେବରାଗମରେ ଅରବିନ୍ଦ ସ୍ୱାମୀଙ୍କ ବିପକ୍ଷରେ ଅଭିନୟ କରିଥିଲେ ।
ଚଳଚ୍ଚିତ୍ର ଜଗତରୁ ବିରତି ନେବା ପୂର୍ବରୁ ତାଙ୍କର ଶେଷ ମୁଖ୍ୟ ଚଳଚ୍ଚିତ୍ର ଥିଲା ୧୯୯୭ର ଜୁଦାଇ । ଏଥିରେ ଅନୀଲ କପୁର ଓ ଉର୍ମିଳା ମାତୋଣ୍ଜେକର ମଧ୍ୟ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରରେ ସେ ଏକ ଲୋଭୀ ଗୃହିଣୀର ଅଭିନୟ କରିଥିଲେ । ସମାଲୋଚକ ସୁବାଷ କେ. ଝାଙ୍କ ଅନୁଯାୟୀ ଶ୍ରୀ ଜୁଦାଇରେ ଏକ ପ୍ରଭାବଶାଳୀ ଅଭିନୟ କରିଥିଲେ, ଯେଉଁଥିରେ ଲୋଭର ବଶବର୍ତ୍ତୀ ହୋଇ ସେ ନିଜ ସ୍ୱାମୀଙ୍କୁ ବିକି ଦେଇଥିଲେ । ଶ୍ରୀଦେବୀଙ୍କ ଛଡା ଆଉ କେହି ଏ ଅଭିନୟ କରିପାରିନଥାନ୍ତେ । ଏହାପରେ ସେ ଚଳଚ୍ଚିତ୍ର ଜଗତରେ ଏକ ଶୂନ୍ୟସ୍ଥାନ ଛାଡ଼ିଯାଇଥିଲେ ।[103] ବଲିଉଡ୍ ସ୍ପାଇସ୍ ଅନୁଯାୟୀ, ସେ ଏଥିରେ ନିଖୁଣ ଅଭିନୟ କରିଥିଲେ ।[55] ଏହି ଚଳଚ୍ଚିତ୍ର ପାଇଁ ସେ ଫିଲ୍ମ୍ ଫେୟାର୍ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଥିଲେ ।
ଛଅ ବର୍ଷର ବିରାମ ପରେ ଶ୍ରୀଦେବୀ ୨୦୦୪-୨୦୦୫ରେ ସାହାରା ସିଟକମର ମାଳିନୀ ଆୟାର୍ ଜରିଆରେ ଛୋଟ ପରଦାରେ ଅଭିନୟ କରିଥିଲେ । ସେ ମଧ୍ୟ ୨୦୦୪ରେ ଜିନା ଇସିକା ନାମ୍ ହେ ଓ ୨୦୦୫ରେ ଦୂରଦରୁଶନ ଶୋ କାବୁମରେ ବିଚାରକ ହୋଇଥିଲେ । ୨୦୦୭ରେ ୫୨ତମ ଫିଲ୍ମଫେୟାର ପୁରସ୍କାର ସମାରୋହରେ ସେ ନିଜର କେତୋଟି ପ୍ରସିଦ୍ଧ ଗୀତରେ ନାଚିଥିଲେ । ସେ ମଧ୍ୟ ଏସୀୟ ଚଳଚ୍ଚିତ୍ର ଓ ଦୂରଦର୍ଶନ ଏକାଡ଼େମୀରେ ବୋର୍ଡ ଅଫ୍ ଡିରେକ୍ଟରରେ ସଦସ୍ୟ ଥିଲେ ।[104]
୧୯ ସେପ୍ଟେମ୍ବର ୨୦୦୯ରେ ସେ ସୋନି ଚିଭିରେ ସଲମାନ ଖାନଙ୍କ ମଞ୍ଚ ୧୦ କା ଦମରେ ଆସିଥିଲେ । ଏହି ଭାଗରେ ସେ, ସ୍ୱାମୀ ବୋନି କପୁର, ଅଭିନେତା-ନିର୍ଦ୍ଦେଶକ ପ୍ରଭୁଦେବା, ଅଭିନେତ୍ରୀ ଆୟେଶା ଟକିଆ, ଓ ସଙ୍ଗୀତ ଯୁଗଳ ସାଜିଦ୍-ୱାଦିଦ୍ ଅତିଥି ଥିଲେ ଓ ସମସ୍ତେ ୱାଣ୍ଟେଡ୍ ଚଳଚ୍ଚିତ୍ରର ପ୍ଚାର ପାଇଁ ଆସିଥିଲେ ।
ସେ ମଧ୍ୟ ୨୦୦୮ ଓ ୨୦୧୦ରେ ଲକମେ ଫ୍ୟାସନ୍ ସପ୍ତାହ ଓ ୨୦୦୯ ଏଚ୍.ଡି.ଆଇ.ଏଲ୍. କୋଟୁର୍ ସପ୍ତାହରେ ନୀତା ଲୁଲା, କୁଇନି ଧୋଡି, ଓ ପ୍ପୀୟା ଚିନ୍ତନଙ୍କ ଭଳି ଡିଜାଇନର ପାଇଁ ପ୍ରଦର୍ଶନୀ କରିଥିଲେ ।
ଶ୍ରୀଙ୍କର ଚିତ୍ରକଳା ପ୍ରତି ମଧ୍ୟ ଆଗ୍ରହ ଥିଲା । ମାର୍ଚ୍ଚ ୨୦୧୦ରେ ତାଙ୍କ ଚିତ୍ରକଳାଗୁଡିକ ଏକ ଆନ୍ତର୍ଜାତୀୟ ଚିତ୍ର ପ୍ରଦର୍ଶନୀରେ ନିଲାମ ହୋଇଥିଲା ଓ ସେହି ଅର୍ଥକୁ ଦାନ ଦିଆଯାଇଥିଲା ।[105]
୨୦୧୧ରେ ଗ୍ଲୋବାଲ୍ ଇଣ୍ଡିଆନ୍ ଫିଲ୍ମ ଏଣ୍ଡ ଟେଲିଭିଜନ୍ ଆୱାର୍ଡସରେ କରୀନା କପୁର ଶ୍ରୀଦେବୀଙ୍କର ଏକ ଗୀତରେ ନାଚି ତାଙ୍କୁ ସମର୍ପଣ କରିଥିଲେ । କପୁର ଶ୍ରୀଙ୍କୁ ତାଙ୍କ ଅଭିନେତା କହିଥିଲେ, ଓ ତାଙ୍କ ପିଢୀର ବହୁତ ଝିଅ ଶ୍ରୀଙ୍କ ପାଇଁ ଅଭିନୟକୁ ପେଶା କରିଥିଲେ ବୋଲି କହିଥିଲେ ।
ମଇ ୨୦୧୨ରେ ଶ୍ରୀଦେବୀ ଅମୀର ଖାନଙ୍କ ଦୂରଦର୍ଶନ ଶୋ ସତ୍ୟମେବ ଜୟତେର ଶିଶୁ ଯୌନ ଶୋଷଣ ଭାଗରେ ଜଣେ ପୀଡ଼ିତଙ୍କ ପାଇଁ ଆଶ୍ଚର୍ଯ୍ୟଜନକ ପଦାର୍ପଣ କରିଥିଲେ । ସେ ମଧ୍ୟ ଶିଶିଯୁ ଯୌନ ଶୋଷଣକୁ ଅପରାଧ ବିଚାର କରି ଆଇନ କରିବା ପାଇଁ, ଅମୀର ଖାନଙ୍କଦ୍ୱାରା ଆରମ୍ଭ କରାଯାଇଥିବା ଦରଖାସ୍ତରେ ଦସ୍ତଖତ କରିଥିଲେ ।
ଶ୍ରୀଦେବୀ ୨୦୧୧ର ଆରମ୍ଭରେ ଗୌରୀ ସିନ୍ଦେଙ୍କ ନିର୍ଦ୍ଦେଶିତ ଇଂଲିସ୍ ଭିଂଲିସ୍ରେ କାମ କରୁଥିବା ବେଳେ ସେ ନିଜର ପ୍ରତ୍ୟାବର୍ତ୍ତନ କହିଥିଲେ ।[106] ୨୦୧୧ରେ ଟରଣ୍ଟୋରେ ଅନୁଷ୍ଠିତ ଆଇ ଆଇ ଏଫ୍ ଏ ପୁରସ୍କାର ସମାରୋହରେ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଥିଲା । ଟରଣ୍ଟୋରେ ତାଙ୍କର ପ୍ରିମିଅର୍ ଶୋ ପରେ କେତେକ ଆନ୍ତର୍ଜାତୀୟ ଗଣମାଧ୍ୟମ ତାଙ୍କୁ ଭାରତର ମେରିଲ୍ ଷ୍ଟ୍ରିପ୍ ଭାବେ ଅଭିହିତ କରିଥିଲେ ।"[107][108][109] ଦୁଇ ସପ୍ତାହ ପରେ ଆମେରିକାର ସାପ୍ତାହିକୀ ପତ୍ରିକା ଭେରାଇଟି ଇଂଲିସ୍ ଭିଂଲିଶ୍ ରିଭ୍ୟୁରେ ଲେଖିଥିଲା ଯେ, ଏହା ଶ୍ରୀଦେବୀଙ୍କୁ ଚଳଚ୍ଚିତ୍ରରେ ଆଣ୍ଡି ହେପବର୍ଣ୍ଣଙ୍କ ସଦୃଶ ଆକର୍ଷଣୀୟ ପାଇଥିଲା ।[110]
ମୁକ୍ତିଲାଭ ପରେ ଟାଇମସ୍ ଅଫ୍ ଇଣ୍ଡିଆ ଏହାକୁ ୫ରୁ ୪ ରେଟିଂ ଦେଇ ୨୦୧୨ର ଶ୍ରେଷ୍ଠ ତଳଚ୍ଚିତ୍ର କହିଥିଲା । ତାଙ୍କର ଅଭିନୟ ଏଥିରେ ଉଚ୍ଚମାନର ଥିଲା ।"[111] ରେଡ଼ଫର ରାଜା ସେନ୍ ମଧ୍ୟ ଏହାକୁ ୪ ରେଟିଂ ଦେଇ ଶ୍ରେଷ୍ଠ ଚଳଚ୍ଚିତ୍ରର ମାନ୍ୟତା ଦେଇଥିଲେ ।[112] ସମାଲୋଚକ ସୁବାଷ କୁମାର ଝା ୪.୫ ରେଟିଂ ଦେଇଥିଲେ ଓ କହିଥିଲେ ବର୍ଷକୁ ୨ଟି ଚଳଚ୍ଚିତ୍ର ଦେଖିବାକୁ ଚାହିଁଲେ, ଇଂଲିସ୍ ଭିଂଲିସ୍ ଦୁଇଥର ଦେଖନ୍ତୁ ।[113]
ସି.ଏନ୍.ଏନ୍. ଆଇ.ବି.ଏନ୍ର ରାଜୀବ ମାନସାଦ ଏହାକୁ ୩.୫ ରେଟିଂ ଦେଇ କହିଥିଲେ ଯେ, ଶ୍ରୀଦେବୀଙ୍କ ଅଭିନୟ କେବଳ ଶତ ପ୍ରତିଶତ ନୁହଁ, ବରଂ ଏହା ଆପଣଙ୍କ ମୁହଁରେ ଏକ ସୁନ୍ଦର ହସ ଦେଇଦେବ ।[114] ଅନୁପମା ଚୋପ୍ରା ମଧ୍ୟ ଏହାକୁ ୩.୫ ରେଟିଂ ଦେଇ କହିଥିଲେ ଯେ, ଶ୍ରୀ କୌଣସି ଏକ ଦିଗ ଛାଡ଼ିଯିବା ଖୁବ୍ ବିରଳ ଓ ତାଙ୍କର ଅଭିନୟ ବିଜେତା ଭଳି ।[115] ଫାଷ୍ଟପୋଷ୍ଟର ରୁବିନା ଖାନ୍ ଏହାକୁ ୫ ରେଟିଂ ଦେଇ କହିଥିଲେ ଯେ, ଶ୍ରୀଦେବୀ ଅଭିନୟକୁ ଏହି ଚଳଚ୍ଚିତ୍ର ଜରିଆରେ ପୁଣିଥରେ ପଛକୁ ଫେରାଇ ଆଣିଛନ୍ତି ।[116] କୋମଲନାଥଙ୍କ ଅନୁଯାୟୀ ଏହା ଷ୍ଟାର୍ ବାହାରେ ଓ ଶ୍ରୀଙ୍କ ଅଭିନୟକୁ ପ୍ରଶଂସା କରି କହିଥିଲେ ଯେ, ଏହା ବଲିଉଡର ଶ୍ରେଷ୍ଠ ପ୍ରତ୍ୟାବର୍ତ୍ତନ ପ୍ରଦର୍ଶନ ଓ ଅଭିନୟ ଜଗତରେ ଏକ ମାଇଲ୍ ଖୁଣ୍ଟ ।[117] ସୋସିଆଲ୍ ମୁଭି ରେଟିଂ ୱେବସାଇଟ୍ MOZVO ଏହାକୁ ୪.୧ ରେଟିଂ ଦେଇ ନିଶ୍ଚିତ ଦର୍ଶନୀୟ ବିଭାଗରେ ରଖିଥିଲା ।[118] ଦି ସିନେମା ଜର୍ଣ୍ଣାଲର ଆମେର୍ ସାହେବ୍ ଏହାକୁ ୪ ରେଟିଂ ଦେଇ କହିଥିଲେ, ଚଳଚ୍ଚିତ୍ରଟି, "ଚିତ୍ତାକର୍ଷକ, ଛୁଇଁଲା ଭଳି, ଉଦ୍ଦୀପକ,ଓ ସୁନ୍ଦର, ଯେ ଭାରତର ପ୍ରଥମ ମହିଳା ସୁପରଷ୍ଟାର ଶ୍ରୀଦେବୀଙ୍କର ପ୍ରତ୍ୟାବର୍ତ୍ତନ ବିଜୟ କହିଥିଲେ ।[119]
ଇଂଲିଶ୍ ଭିଂଲିଶ୍ ସଫଳତା ପରେ ଶ୍ରୀଦେବୀ ବୋଧହୁଏ ଏକମାତ୍ର ଅଭିନେତ୍ରୀ ଥିଲେ, ଯେ ବିବାହ ପରେ ଅଗ୍ରଣୀ ଅଭିନେତ୍ରୀ ଭାବେ ସଫଳ ପ୍ରତ୍ୟାବର୍ତ୍ତନ କରିଥିଲେ ।[120][121][122][123] ସିନ୍ଦେ ତାଙ୍କୁ ଫାଇନାନସିଆଲ୍ ଟାଇମସର '୨୫ ଜଣ ଦର୍ଶନୀୟ ଭାରତୀୟ' ୨୦୧୨ ତାଲିକାରେ ରଖିଥିଲେ ।[124] ରେଡ଼ିଫ୍ର ଚଳଚ୍ଚିତ୍ର ସମାଲୋଚକ ରାଜା ସେନ୍ ଶ୍ରୀଙ୍କର ଏକ ନମ୍ବର ଅଭିନାତ୍ରୀ ହେବା ସମ୍ପର୍କରେ କହିଥିଲେ ଯେ, ଏହା ଏକ ସାଧାରଣ ଚଳଚ୍ଚିତ୍ର ଥଲା, କୌଣସି ବିଶେଷ ଅଭିନୟ ନଥିଲା, ମାତ୍ର ଶ୍ରୀ ନିଜର ପୋଷାକ ଓ ଅଭିନୟଦ୍ୱାରା ଏହାକୁ ଅସାଧାରଣ କରିଥିଲେ । ଏହି ଅଭିନୟରୁ ଯୁବା ଅଭିନେତ୍ରୀମାନେ ଶିଖିବା ଦରକାର ଓ କାମରେ ଲଗାଇବା ଦରକାର ।[125]
ଶ୍ରୀଦେବୀ ପୃଥିବୀର ସର୍ବବୃହତ୍ତ ମୋବାଇଲ୍ ଅନୁଧ୍ୟାନ କମ୍ପାନୀ ଭୁକ୍ଲିପ୍ଦ୍ୱାରା କରାଯାଇଥିବା ମୋବାଇଲ୍ ସର୍ଭେରେ ୨୦୧୨ର ଶ୍ରଷ୍ଠ ଲୋକପ୍ରିୟ ଅଭିନେତ୍ରୀର ମାନ୍ୟତା ପାଇଥିଲେ ।[126] ଏଥିପାଇଁ ସେ ବିଭିନ୍ନ ଚଳଚ୍ଚିତ୍ର ପୁରସ୍କାର ପାଇଁ ମନୋନୀତ ହୋଇଥିଲେ, ଯେଉଁଥିରେ ନବମ ଫିଲ୍ମ ଫେୟାର୍ ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ ଥିଲା ।[127] ୨୦୧୫ରେ ଶ୍ରୀ ତାମିଲ୍ ଚଳଚ୍ଚିତ୍ର ପୁଲିରେ ଅଭିନୟ କରିଥିଲେ ।[128]
ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର ଥିଲା, ଘର ପ୍ରଯୋଜନାରେ ମମ୍ ଚଳଚ୍ଚିତ୍ର ।[129][120] ଏହାର ପୋଷ୍ଟର ସଲ୍ମାନ୍ ଖାନ୍ଙ୍କଦ୍ୱାରା ଜି ସିନେ ଆୱାର୍ଡ୍ସ୍ର ୨୦୧୭ ସଂସ୍କରଣରେ ପ୍ରକାଶ ପାଇଥିଲା ।[130] ମମ୍ର ପ୍ରଥମ ଦୃଶ୍ୟ ୧୪ ମାର୍ଚ୍ଚରେ ଶ୍ରୀ ଟୁଇଟର ମାଧ୍ୟମରେ ପ୍ରସାର କରାଇଥିଲେ । ନିଜ ଟୁଇଟ୍ରେ ସେ ଲେଖିଥିଲେ ଯେ, ହ୍ୱେନ୍ ଅ ୱିମାନ୍ ଇଜ୍ ଚାଲେନ୍ଜଡ୍...ପ୍ରେଜେଣ୍ଟିଂ ଦି ଫାଷ୍ଟ୍ ଲୁକ୍ ଅଫ୍ ମମ୍" । ଏହା ଅଦ୍ଭୁତ ସଫଳତା ପାଇଥିଲା, ଟାଇମ୍ସ୍ ଅଫ୍ ଇଣ୍ଡିଆ ଏହାକୁ ପ୍ରକାଶର ବାହାରେ ବୋଲି କହିଥିଲା ବେଳେ[131] ଏନ୍ଡ଼ିଟିଭି 'ରାଣୀଙ୍କ ପ୍ରତ୍ୟାବର୍ତ୍ତନ' ବୋଲି କହିଥିଲା ।[132] ହିନ୍ଦୁସ୍ଥାନ୍ ଟାଇମ୍ସ୍ କହିଥିଲା ଯେ, ଶ୍ରୀ ପୁଣିଥରେ ଅଭିନୟ ଜଗତକୁ ନେବାକୁ ଆସିଛନ୍ତି ।[133] ଇଣ୍ଡିଆ ଟୁଡେ ମଧ୍ୟ ଏହାକୁ ରହସ୍ୟମୟ ବୋଲି କହିଥିଲା ।[134] ଶ୍ରୀଦେବୀଙ୍କର ପ୍ରଥମ ପ୍ରକାଶ ଟୁଇଟର୍ରେ ଖୁବ୍ ଛଳ ସୃଷ୍ଟି କରିଥିଲା । [135] ଇଣ୍ଡିଆ.କମ୍ ଏହାକୁ ଭାବୁକ ଓ ରହସ୍ୟ କହିଥିବା ବେଳେ ଟୁଇଟରାତିମାନେ ଏହାକୁ ଖୁବ୍ ପ୍ରଶଂସା କରିଥିଲେ ।[136] ମମ୍ ଜୁଲାଇ ୨୦୧୭ରେ ମୁକ୍ତିଲାଭ କରିଥିଲା ଓ ସକରାତ୍ମକ ସମାଲୋଚନା ପାଇଥିଲା । ସମାଲୋଚକମାନେ ଶ୍ରୀଙ୍କ ଅଭିନୟକୁ ପ୍ରଶଂସା କରିଥିଲେ ।[137]
ଶ୍ରୀଦେବୀ ୨୪ ଫେବୃଆରୀ ୨୦୧୭ରେ ମୃତ୍ୟୁବରଣ କରିଥିଲେ ଏବଂ ସେ କୌଣସି ଆଗାମୀ ଚଳଚ୍ଚିତ୍ର ସୁଟିଂ କରୁନଥିଲେ । ତଥାପି ସେ ଶାହରୁଖଙ୍କ ଆଗାମୀ ଚଳଚ୍ଚିତ୍ର ଜିରୋରେ ଦେଖାଦେବେ, ଯେଉଁଥିରେ ସେ ନିଜର ଏକ ଅତିଥି ଅଭିନୟ କରିଛନ୍ତି ।[138]
ଶ୍ରୀଦେବୀ ଓ ତାଙ୍କର କନିଷ୍ଠ କନ୍ୟା ଖୁସି ୨୦ ଫେବୃଆରୀ ୨୦୧୮ରେ ଭଣଜା ମୋହିତ ମାରୱାହଙ୍କ ବିବାହ ଉତ୍ସବରେ ଯୋଗ ଦେବା ପାଇଁ ୟୁନାଇଟେଡ୍ ଆରବ ଏମିରେଟସର ରାସ୍-ଅଲ୍-ଖାଇମାର ଅଲ୍ ଜାଜିରା ଅଲ୍ ହମରାକୁ ଯାଇଥିଲେ ଓ ଜ୍ୟେଷ୍ଠ କନ୍ୟା ଜାହ୍ନବୀ କପୁରଙ୍କ ୨୧ତମ ଜନ୍ମଦିନ ପାଳନ ପାଇଁ କିଣାକିଣି ଉଦ୍ଦେଶ୍ୟରେ କିଛିଦିନ ରହିବାର ମନସ୍ଥ କରିଥିଲେ ।[139][140] ତାଙ୍କ ସ୍ୱାମୀ ଫେବୃଆରୀ ୨୨ରେ ଲକ୍ଷ୍ନୌଠାରେ ସଭାରେ ଯୋଗଦାନ କରିବା ପାଇଁ ସେଠାରେ ଉପସ୍ଥିତ ନଥିଲେ । କିନ୍ତୁ ବୋନି ତାଙ୍କୁ ଆଶ୍ଚର୍ଯ୍ୟ ପରିଦର୍ଶନ କରିବା ପାଇଁ ସ୍ଥିର କରିଥିଲେ । ୨୪ ତାରିଖରେ ଶେଷଥର ପାଇଁ ସେ ଶ୍ରୀଙ୍କ ସହ କଥା ହେଇଥିଲେ ।[141]
କପୁରଙ୍କ ଅନୁଯାୟୀ ସେ ଦୁବାଇକୁ ୧୫:୩୦ ଉଡ଼ାଜାହାଜ ନେଇଥିଲେ ଓ ୧୮:୨୦ରେ ଜୁମେଇରାହ ଏମିରେଟସ୍ ଟାୱାରସ୍ ହୋଟେଲର ଅଭିନେତ୍ରୀ ରହୁଥିବା ୨୨୦୧ ରୁମ୍ ନଂରେ ପହଁଞ୍ଚିଥିଲେ । ଦୁଇଜଣ ପାଖାପାଖି ଅଧଘଣ୍ଟା କଥା ହେବା ପରେ ରାତ୍ରିଭୋଜନ ପାଇଁ ନିଷ୍ପତ୍ତି ନେଇଥିଲେ ।[142] ଶ୍ରୀଦେବୀ ଗାଧୋଇବାକୁ ଓ ରାତ୍ରିଭୋଜନ ପାଇଁ ପ୍ରସ୍ତୁତ ହେବାକୁ ଯାଇଥିଲେ, ସେତେବେଳେ ବୋନି କପୁର ପ୍ରତୀକ୍ଷା ଗୃହରେ ଅପେକ୍ଷା କରିଥିଲେ । ୧୫-୨୦ ମିନିଟ୍ ପରେ ୧୯:୦୦ ସମୟରେ ବିଳମ୍ବ ସତ୍ତ୍ୱେ କୌଣସି ସୂଚନା ନପାଇବାରୁ ସେ ଶ୍ରୀଙ୍କୁ ଡାକିଥିଲେ ।[143] କପୁର କୋଠରୀକୁ ଡାକିବାକୁ ଯାଇଥିଲେ ଏବଂ ଗାଧୁଆ ଘର କବାଟ ଭିତରପଟୁ ଦିଆଯାଇ ନଥିବା ଦେଖିବାକୁ ପାଇଲେ । କିଛି ଅଘଟଣର ଆଶଙ୍କା କରି କବାଟ ଖୋଲନ୍ତେ, ସେ ଶ୍ରୀଙ୍କୁ ଗାଧୁଆ ଟବ୍ ଭିତରେ ଅଚେତ୍ ଭାବେ ବୁଡି ରହିଥିବାର ଦେଖିବାକୁ ପାଇଥିଲେ । ଏହା ଅସ୍ପଷ୍ଟ ଯେ ଶ୍ରୀ ବୁଡ଼ିବା ପୂର୍ବରୁ ନା ପରେ ଅଚେତ୍ ହୋଇଥିଲେ ।[144]
୨୪ ଫେବୃଆରୀ ୧୯:୦୦ ସମୟରେ କୋଠରୀ ମଧ୍ୟରେ ହିଁ ଶ୍ରୀଙ୍କ ମୃତ୍ୟୁ ହୋଇଯାଇଥିଲା ।[145][146] ଯଦିଓ ପୂର୍ବରୁ ତାଙ୍କର ଦିଅର ସଞ୍ଜୟ କପୁର ଭାରତୀୟ ଗଣମାଧ୍ୟମକୁ ମୃତ୍ୟୁର କାରଣ ହୃଦଘାତ ବୋଲି ଦର୍ଶାଇଥିଲେ, କିନ୍ତୁ ତାଙ୍କ ମୃତ୍ୟୁର କାରଣ ଖୋଜିବା ରବିବାର ଭୋରୁ ପ୍ରାୟ ୨:୩୦ ସମୟରେ ଆରମ୍ଭ ହୋଇଥିଲା ଓ ଘଟଣାଟିକୁ ଦୁବାଇ ଆରକ୍ଷୀ ବାହିନୀ, ଦୁବାଇ ପବ୍ଲିକ୍ ପ୍ରୋସିକ୍ୟୁସନକୁ ସ୍ଥାନାନ୍ତରିତ କରିଥିଲା । ସେଠାରେ ଦୁବାଇର ଜେନେରାଲ୍ ଡିପାର୍ଟମେଣ୍ଟ୍ ଅଫ୍ ଫୋରେନସିକ୍ ଏଭିଡେନ୍ସ ଏହାକୁ ଦୁର୍ଘଟଣାଜନିତ ବୁଡ଼ିବା କହିଥିଲା ।[147][148][149] ପରେ ଟକ୍ସିକୋଲୋଜି ରିପୋର୍ଟ କହିଥିଲା ଯେ, ଶ୍ରୀଙ୍କ ରକ୍ତରେ ମଦ ଓ ଫୁସଫୁସରେ ପାଣି ମିଳିଥିଲା ।[150][151][152]
ଶ୍ରୀଙ୍କର ମୃତ୍ୟୁ ଖବର ଇଣ୍ଟରନେଟ୍ରେ ପ୍ରସାରିତ ଏକ ଉଡା ଖବର ବୋଲି ବ୍ୟାପିବା ପରେ, ତାଙ୍କର ଦିଅର, ସଞ୍ଜୟ କପୁର ଏହାକୁ ସତ୍ୟ ବୋଲି ଗଣମାଧ୍ୟମକୁ ଜଣାଇଥିଲେ ।[153][154][155] ତାଙ୍କର ପ୍ରଶଂସକ, ସହ-କଳାକାର ଓ ଅନ୍ୟ ବଲିଉଡ କଳାକାର, ଶ୍ରୀଙ୍କ ମୃତ୍ୟୁକୁ ନେଇ ଟୁଇଟର ମାଧ୍ୟମରେ ଦୁଃଖ ପ୍ରକାଶ କରିଥିଲେ ।[156][157][158][159] କିଛିଦିନର ଆରକ୍ଷୀ ଅନୁସନ୍ଧାନ ପରେ, ୨୭ ଫେବୃଆରୀରେ ଶ୍ରୀଦେବୀଙ୍କ କେସ୍କୁ ବନ୍ଦ କରାଯାଇଥିଲା ଓ ତାଙ୍କ ମରଶରୀରକୁ ସ୍ୱାମୀ ବୋନି କପୁର, ସାବତ ପୁଅ ଅର୍ଜୁନ କପୁର, ଅନୀଲ ଆମ୍ବାନୀଙ୍କ ଘରୋଇ ଜେଟ୍ ମାଧ୍ୟମରେ ମୁମ୍ବାଇ ଆଣିଥିଲେ ।[160] ତାଙ୍କର ଅନ୍ତିମ ସଂସ୍କାର ୨୮ ଫେବୃଆରୀରେ ମୁମ୍ବାଇର ଭାଇଲ୍ ପାର୍ଲେ ସେବା ସମାଜ ଶ୍ମଶାନରେ କରାଯାଇଥିଲା ।[161][162] ଶ୍ରୀଦେବୀଙ୍କର ଅନ୍ତିମ ସଂସ୍କାର ରାଜ୍ୟ ସମ୍ମାନ ଓ ବନ୍ଧୁକ ସାଲ୍ୟୁଟ୍ଦ୍ୱାରା ସମ୍ପନ୍ନ କରାଯାଇଥିଲା ।[163] ତାଙ୍କର ଚିତା ତାଙ୍କ ସ୍ୱମୀଙ୍କଦ୍ୱାରା ଲଗାଯାଇଥିଲା ।[164] ମାର୍ଚ୍ଚ ୩ରେ ଶ୍ରୀଦେବୀଙ୍କ ପାଉଁଶକୁ ତାଙ୍କ ସ୍ୱାମୀ ଓ ଦୁଇ ଝିଅ ଜାହ୍ନବୀ ଓ ଖୁସିଙ୍କଦ୍ୱାରା ଚେନ୍ନାଇର ରାମେଶ୍ୱରମ ସମୁଦ୍ର କୂଳରେ ବିସର୍ଜନ କରାଯାଇଥିଲା ।[165][166][167]
ଚଳଚ୍ଚିତ୍ର ଜଗତ, ବନ୍ଧୁ ଓ ପ୍ରଶଂସକମାନେ ସାମାଜିକ ଗଣମାଧ୍ୟମ ଓ ଅନ୍ୟାନ୍ୟ ଗଣମାଧ୍ୟମରେ ସମ୍ବେଦନା ଜଣାଇଥିଲେ ।ତାଙ୍କର ସ୍ୱାମୀ, ବୋନି କପୁର, ଲେଖଥିଲେ: ¨ସମଗ୍ର ପୃଥିବୀ ପାଇଁ ସେ ଚାନ୍ଦିନୀ, କୁଶଳୀ ଅଭିନେତ୍ରୀ, ସେମାନଙ୍କ ଶ୍ରୀଦେବୀ ଥିଲେ, ମାତ୍ର ମୋ ପାଇଁ, ସେ ପ୍ରେମ, ମୋ ବନ୍ଧୁ, ଆମ ଝିଅମାନଙ୍କର ମାଆ, ମୋ ସହକର୍ମୀ ଥିଲେ । ଆମ ଝିଅମନଙ୍କ ପାଇଁ ସେ ସବୁକିଛି ତଥା ସେମାନଙ୍କ ଜୀବନ ଥିଲେ । ସେ ଅକ୍ଷ ଥିଲେ, ଯାହା ଚାରିପଟେ ଆମ ଦୁନିଆ ଘୁରି ବୁଲୁଥିଲା ।[168] ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଅଭିନେତ୍ରୀଙ୍କ ବିୟୋଗରେ ସମ୍ବେଦନା ଜଣାଇଥିଲେ । ସାମାଜିକ ଗଣମାଧ୍ୟମରେ ସେ ଜଣାଇଥିଲେ ଯେ: ´´ଦକ୍ଷ ଅଭିନେତ୍ରୀ ଶ୍ରୀଦେବୀଙ୍କର ଅକାଳ ବିୟୋଗରେ ସେ ଦୁଃଖିତ । ସେ ଚଳଚ୍ଚିତ୍ର ଜଗତରେ ଜଣେ ଅତୁଳନୀୟ କଳାକାର ଥିଲେ, ଯାହାଙ୍କର ଦୀର୍ଘ କଳାକାର ଜୀବନରେ ସ୍ମରଣୀୟ ଚରିତ୍ର ଓ ଅଭିନୟ ରହିଛି । ମୋର ଭାବନା ତାଙ୍କ ପରିବାର ସଦସ୍ୟଙ୍କ ସହ ରହିଛି । ତାଙ୍କର ଆତ୍ମା ଶାନ୍ତିରେ ରହୁ ।´´[169] ରାଷ୍ଟ୍ରପତି ରାମନାଥ କୋବିନ୍ଦ ଲେଖିଥିଲେ ଯେ: ´´ଚଳଚ୍ଚିତ୍ର ତାରକା ଶ୍ରୀଦେବୀଙ୍କର ମୃତ୍ୟୁ ଖବର ଶୁଣି ସେ ଆଶ୍ଚର୍ଯ୍ୟଚକିତ । ସେ ତାଙ୍କର ଅୟୁତରୁ ଉର୍ଦ୍ଧ୍ୱ ପ୍ରଶଂସକଙ୍କ ଚକିତ କରିଦେଇ ଯାଇଛନ୍ତି । ´ମୁନ୍ଦରମ୍ ପିଲାଇ´, ´ଲମ୍ହେ´ ଓ ´ଇଂଲିସ୍ ଭିଂଲିସ୍´ରେ ତାଙ୍କର ପ୍ରଦର୍ଶନ ଅନ୍ୟ କଳାକାରଙ୍କୁ ପ୍ରେରଣା ଯୋଗାଏ । ତାଙ୍କର ପରିବାର ଓ ନିକଟ ସମ୍ପର୍କୀୟଙ୍କ ପ୍ରତି ମୋର ସମ୍ବେଦନା ରହିଛି ।´´[170] ଚଳଚ୍ଚିତ୍ର ସହ ଜଡ଼ିତ ବହୁ ବ୍ୟକ୍ତି ତଥା ତାଙ୍କ ଅନ୍ତରଙ୍ଗ ସମ୍ପର୍କୀୟ ତାଙ୍କୁ ଲୋଖଣ୍ଡୱାଲାଠାରେ ଥିବା ସିଲିବ୍ରେସନ୍ ସ୍ପୋର୍ଟ୍ସ କ୍ଲବ୍ ଓ ଶ୍ମଶାନରେ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ ।[171][172][173] ସ୍ପୋ୍ଟ୍ସ କ୍ଲବ୍ଠାରେ ହଜାର ହଜାର ଲୋକ ରାସ୍ତାକୁ ଆସି ସମ୍ମାନ ଜଣାଇଥିଲେ, ଯେଉଁଥିପାଇଁ ଆରକ୍ଷୀବିଭାଗକୁ ଲାଠି ଚାଳନା କରିବାକୁ ପଡ଼ିଥିଲା । ଆନୁମାନିକ ଭାବେ ୭୦୦୦ରୁ ଉର୍ଦ୍ଧ୍ୱ ବ୍ଯକ୍ତି ଉପସ୍ଥିତ ଥିଲେ ।[174][175]
ଭାରତେ ମହମ୍ମଦ ରଫି, କିଶୋର କୁମାର ଓ ରାଜେଶ ଖାନ୍ନାଙ୍କ ପରେ ଚତୁର୍ଥ ଅଣ ରାଜନୈତିକ ଚଳଚ୍ଚିତ୍ର ବ୍ୟକ୍ତିବିଶେଷ ଭାବେ ଶ୍ରୀଦେବୀଙ୍କ ଶ୍ମଶାନ ଯାତ୍ରାରେ ସର୍ବାଧିକ ବ୍ୟକ୍ତି ଯୋଗଦାନ କରିଥିଲେ ।[176]
ପ୍ରଧାନମନ୍ତ୍ରୀ, କେନ୍ଦ୍ର ଓ ରାଜ୍ୟ ମନ୍ତ୍ରୀଙ୍କ ପାଇଁ ଉଦ୍ଧିଷ୍ଟ ଥିବା ରାଜ୍ୟ ସମ୍ମାନ ପାଇବାରେ ଚଳଚ୍ଚିତ୍ର ଜଗତର ଅଳ୍ପ କେତେକ ଲୋକଙ୍କ ମଧ୍ୟରୁ ସେ ଜଣେ ହୋଇଗଲେ ।[177] ଶ୍ରୀଦେବୀ ୯୦ତମ ଏକାଡ଼େମୀ ପୁରସ୍କାରରେ ୨୦୧୮ ´´ସ୍ମୃତିରେ´´ ବିଭାଗରେ ଶଶୀ କପୁରଙ୍କ ସହ ସ୍ଥାନ ପାଇଥିଲେ ।[178]
ସୁଇଜାରଲ୍ୟାଣ୍ଡ ସରକାର ଶ୍ରୀଦେବୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଶ୍ରୀଦେବୀଙ୍କ “ଚାନ୍ଦନୀ’ ସିନେମା ସୁଇଜାରଲ୍ୟାଣ୍ଡରେ ବେଶ୍ ଲୋକପ୍ରିୟ ହୋଇଥିଲା। ଏହି ସିନେମା ସୁଇଜରଲ୍ୟାଣ୍ଡରେ ସୁଟିଂ ହୋଇଥିଲା। ବଲିଉଡ଼ ସିନେମା ସହ ସୁଇଜରଲ୍ୟାଣ୍ଡର ଦୀର୍ଘ ସମ୍ପର୍କ ରହିଛି। ୧୯୬୪ରେ ରାଜକୁମରଙ୍କ “ସଙ୍ଗମ’ ସିନେମା ସୁଇଜରଲ୍ୟାଣ୍ଡରେ ପ୍ରଥମ ଥର ପାଇଁ ସୁଟିଂ ହେବା ପରେ ଏକାଧିକ ସିନେମା ସୁଟିଂ ପାଇଁ ନିର୍ଦ୍ଦେଶକ ଏହି ଦେଶକୁ ଅଧିକ ଗୁରୁତ୍ୱ ଦେଉଥିଲେ। ସୁଇଜରଲ୍ୟାଣ୍ଡର ସୌନ୍ଦର୍ଯ୍ୟ ଭାରତୀୟ ସିନେପ୍ରେମୀଙ୍କୁ ଅକୃଷ୍ଟ କରୁଥିବାବେଳେ ଏହାଦ୍ୱାରା ଉକ୍ତ ଦେଶର ପର୍ଯ୍ୟଟନ ଶିଳ୍ପ ଲାଭାନ୍ୱୀତ ହୋଇଛି।
ଶ୍ରୀଦେବୀଙ୍କ ଚାନ୍ଦନୀ ମଧ୍ୟ ସୁଇଜରଲ୍ୟାଣ୍ଡରେ ସୁଟିଂ ହୋଇଥିଲା। ଏହି ସିନେମାକୁ ପରବର୍ତ୍ତୀ ସମୟରେ ସୁଇଜରଲ୍ୟାଣ୍ଡରେ ଲୋକପ୍ରିୟତା ଅର୍ଜନ କରିଥିଲା। ଚାନ୍ଦନୀ ସିନେମାର ସଙ୍ଗୀତରେ ଏକାଧିକ ସୁଇସ୍ ନୃତ୍ୟଶିଳ୍ପୀ ଭାଗନେଇଥିଲେ। ଏହାକୁ ଦୃଷ୍ଟିରେ ରଖି ଶ୍ରୀଦେବୀଙ୍କ ପ୍ରତିମୂର୍ତ୍ତିକୁ ସ୍ଥାପନ କରିବାକୁ ସୁଇସ ସରକାର ନିଷ୍ପତ୍ତି ନେଇଛନ୍ତି।[19][19]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.