![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/2/2a/Odisha_locator_map.svg/langor-640px-Odisha_locator_map.svg.png&w=640&q=50)
ବ୍ରହ୍ମଗିରି
From Wikipedia, the free encyclopedia
ବ୍ରହ୍ମଗିରି , ପୁରୀ ଜିଲ୍ଲାର ଏକ ପ୍ରମୁଖ ବ୍ଲକ (ମଣ୍ଡଳ) ଅଟେ। ଏଠାରେ ପ୍ରସିଦ୍ଧ ଅଲାରନାଥଙ୍କ ମନ୍ଦିର ରହିଛି।ଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ଥିବା ପ୍ରମୁଖ ପୀଠଗୁଡିକ ମଧ୍ୟରୁ ପ୍ରଭୁ ଶ୍ରୀ ଅଲାରନାଥଙ୍କ ପୀଠ ଅନ୍ୟତମ। ବର୍ଷର ବାକି ସମୟ ଭକ୍ତଙ୍କ ଦୃଷ୍ଟି ଅଢୁଆଳରେ ରହିଯାଉ ଥିବା ଏହି ପବିତ୍ର ପୀଠଟି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସ୍ନାନ ଯାତ୍ରା ପରେ ପରେ ପୃଥିବୀରେ ଥିବା ସମସ୍ତ ଜଗନ୍ନାଥ ପ୍ରେମୀଙ୍କ ଦୃଷ୍ଟି ଆକର୍ଷଣ କରେ। ସ୍ନାନ ପୂର୍ଣ୍ଣିମାଠାରୁ ନବଯୌବନ ଦର୍ଶନ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଅଣସର ବା ଅଣବସର (ସ୍ନାନ ଯାତ୍ରା ଯୋଗୁ ଜ୍ୱରରେ ପୀଡ଼ିତ ଅବସ୍ଥା) ସମୟରେ ଏଠାରେ ପ୍ରବଳ ଜନଗହଳି ପରିଲକ୍ଷିତ ହୋଇଥାଏ। ଶାସ୍ତ୍ରରେ
ଉଲ୍ଲେଖ୍ୟ ରହିଛି,ଅଣସର ସମୟରେ ଅଲାରନାଥଙ୍କ ଦର୍ଶନ କଲେ ପ୍ରଭୁ ଜଗନ୍ନାଥ ଦର୍ଶନ ସମ ପୁଣ୍ୟ ମିଳେ। ସେଥି ଲାଗି ଅଣସରର ୧୫ ଦିନ ଓ ନବ କଳେବର ସମୟର ୧ ମାସ ୧୫ ଦିନ ଏଠାକୁ ଦେଶ ବିଦେଶରୁ ଅନେକ ଭକ୍ତଙ୍କ ଆଗମନ ହୋଇଥାଏ। ତଥ୍ୟ ଅନୁଯାୟୀ,ରାଜସ୍ଥାନର ଅଲୱର ଶାସକ ମାନଙ୍କଦ୍ୱାରା ଏହି ମନ୍ଦିର ସ୍ଥାପନ କରାଯାଇଥିଲା। ଯାହା ପରବର୍ତ୍ତୀ ସମୟରେ ଅଲାରନାଥ ମନ୍ଦିର ରୂପେ ପରିଚୟ ଲାଭ କରିଛି।ଅଲ୍ୱାୱରର ଅର୍ଥ ହେଲା ସମ୍ପୂର୍ଣ ସମର୍ପିତ ଭକ୍ତି ଭାବ। ଭକ୍ତି ଆନ୍ଦୋଳନ ସମୟରେ ଅଲ୍ ୱାର ସନ୍ଥ ରାମାନୁଜଚର୍ଯାଙ୍କ ଓଡ଼ିଶା ଆଗମନ ସହିତ ଏହି ମନ୍ଦିରର ଭିତ୍ତି ପ୍ରସ୍ତର ସ୍ଥାପନ ହେଇଥିବାର ବିଶ୍ୱାସ କରାଯାଏ।ମନ୍ଦିର ସମ୍ପର୍କରେ କୌଣସି ଐତିହାସିକ ତଥ୍ୟ ହସ୍ତଗତ ହୋଇନଥିଲେ ମଧ୍ୟ ଅନୁମାନ କରାଯାଏ,ଏହା ଖ୍ରୀଷ୍ଟାବ୍ଦ ୧୦ମ ଶତାବ୍ଦୀରେ ସୋମବଂଶୀ ରାଜା ପ୍ରଥମ ଯଯାତି କେଶରୀଙ୍କ ରାଜତ୍ୱ କାଳରେ ନିର୍ମାଣ କରାଯାଇଥିଲା। ଏଠାରେ ପୂଜା ପାଉଥିବା ବିଗ୍ରହଟି ବିଷ୍ଣୁଙ୍କ ପ୍ରତିମୂର୍ତ୍ତି। ବିଗ୍ରହ ନିର୍ମାଣ ଶୈଳୀରେ ଦାକ୍ଷିଣାତ୍ୟର ଝଲକ ସ୍ପଷ୍ଟ ବାରି ହୋଇପଡ଼େ। ଅତୀତର ଅନେକ ସ୍ମୃତି ବହନ କରୁଥିବା ଏହି ପୁରାତନ ମନ୍ଦିରଟି ପୁରୀଠାରୁ ସାତପଡ଼ା ଦିଗକୁ ପ୍ରାୟ ୨୩ କିମି ଗଲେ ବ୍ରହ୍ମଗିରି ନାମକ ସ୍ଥାନରେ ଅବସ୍ଥିତ। ୟେ ସ୍ଥାନର ନାମ ବ୍ରହ୍ମଗିରି ହେବା ପଛରେ ମଧ୍ୟ ଏକ ପୌରାଣିକ କିମ୍ବଦନ୍ତୀ ରହିଛି।ସତ୍ୟ ଯୁଗର କଥା, ବ୍ରହ୍ମା ସ୍ବର୍ଗରୁ ଆସି (ବ୍ରହ୍ମା ଅବତରଣ କରିଥିବା ସ୍ଥାନ,ମହୋଦଧିସ୍ଥିତ ସ୍ବର୍ଗ ଦ୍ବାର ରୂପେ ପରିଚିତ) ଏହିଠାରେ ଏକ ଗିରି ବା ପର୍ବତ ଉପରେ ଭଗବାନ ବିଷ୍ଣୁଙ୍କୁ ନିଷ୍ଠାର ସହ ପୂଜା କରିବା ଆରମ୍ଭ କଲେ ।ବ୍ରହ୍ମାଙ୍କ ପୂଜାରେ ସନ୍ତୁଷ୍ଟ ହୋଇ ଭଗବାନ ବିଷ୍ଣୁ ହଠାତ୍ ଦିନେ ପ୍ରକଟ ହୋଇ ବ୍ରହ୍ମାଙ୍କ ଉଦ୍ଦେଶ୍ୟରେ କହିଲେ ଯେ,ଏହିଠାରେ କଳା ମୁଗୁନି ପଥରରେ ଚାରି ହସ୍ତ ଥିବା ଏକ ବିଷ୍ଣୁ ପ୍ରତିମୂର୍ତ୍ତି ନିର୍ମାଣ କର। ଯିଏ ଦକ୍ଷିଣ ହସ୍ତରେ ପଦ୍ମ ଓ ଚକ୍ର ଏବଂ ବାମ ହସ୍ତରେ ଗଦା ଓ ଶଙ୍ଖ ଧାରଣ କରିଥିବ।ଏହା ସହ ଭଗବାନ ବିଷ୍ଣୁ ,ସାମ୍ନାରେ ତାଙ୍କ ବାହାନ ଗରୁଡ ଯୋଡ଼ ହସ୍ତ ମୁଦ୍ରାରେ ଥିବା ଏକ ପ୍ରତିମୂର୍ତ୍ତି ତିଆରି ନିମନ୍ତେ ନିର୍ଦ୍ଦେଶ ଦେଲେ। ନିର୍ମାଣ ଶେଷରେ ନିଜେ ବ୍ରହ୍ମା ଏହି ମନ୍ଦିରର ପ୍ରତିଷ୍ଠା କରିଥିଲେ।ବ୍ରହ୍ମା ଗିରି ବା ପର୍ବତ ଉପରେ ଏହି ପୂଜା କରିଥିବାରୁ ସ୍ୱୟଂ ଭଗବାନ ବିଷ୍ଣୁ ଏହି ସ୍ଥାନର ନାମ ବ୍ରହ୍ମଗିରି ବା ବ୍ରହ୍ମ କ୍ଷେତ୍ର ରୂପେ ନାମିତ କରିଥିଲେ। ପ୍ରଭୁ ଅଲାରନାଥଙ୍କ ପ୍ରିୟ ଭୋଗ ହେଲା କ୍ଷୀରି। ଏହା ପଛରେ ଥିବା ଲୋକପ୍ରିୟ ପୌରାଣିକ ବ୍ୟାଖ୍ୟାଟି ଏହି ପରି।ଥରେ ଜଣେ ପୂଜକ ଅନ୍ୟତ୍ର ଭିକ୍ଷା ନିମନ୍ତେ ଯିବା ପୂର୍ବରୁ, ନିଜ ନାବାଳକ ପୁତ୍ର ହାତରେ ପ୍ରଭୁ ଅଲାରନାଥଙ୍କ ପାଇଁ କ୍ଷୀରି ଭୋଗ ଲାଗି ନିମନ୍ତେ ପଠେଇଥିଲେ। କିନ୍ତୁ ଛୋଟ ବାଳକଟି ଠାକୁର ପୂଜାର କୌଣସି ମନ୍ତ୍ର ଜାଣି ନଥିବା ହେତୁ ତା ବାଳୁତ ମନରେ ଠାକୁରଙ୍କ ଆରାଧନ ପାଇଁ ଦୁଇ ଆଖି ବୁଜି ଗାଇଥିଲା,"ଆସ ଅଲାରେ, ଖାଓ କ୍ଷୀରି ମୋ ବାପା ଯାଇଛି ଭିକ୍ଷା କରି"। ଏତକ କହି ଛୁଆଟି ଆଖି ଖୋଲି ଦେଖେ ତ,ତା କ୍ଷୀରି ଥାଳିର ମଝି ଭାଗରୁ ସ୍ୱୟଂ ଠାକୁର ନିଜେ କ୍ଷୀରି ଖାଇଛନ୍ତି। ଏହାର ପ୍ରମାଣ ସ୍ବରୂପ ଗରମ କ୍ଷୀରି ଖାଇଥିବା ହେତୁ ଠାକୁରଙ୍କ ମୁଖରେ ଏକ କଳା ଦାଗ ରହିଥିବାର ଏବେ ମଧ୍ୟ ଦେଖାଯାଏ। ପ୍ରଭୁ ଅଲାରନାଥଙ୍କ ବିଷୟରେ ଆଲୋଚନା କରି ଯଦି ମହାନ୍ ବିଷ୍ଣୁ ଭକ୍ତ ଶ୍ରୀ ଚୈତନ୍ୟଙ୍କୁ ଆମେ ମନେ ନପକାଇବା ତେବେ ଏହି ଆଲେଖ୍ୟ ଅଧୁରା ରହିଯିବ।୧୫ଶ ଶତାବ୍ଦୀରେ ଯେବେ ଶ୍ରୀ ଚୈତନ୍ୟ ମହାପ୍ରଭୁ ବିଷ୍ଣୁଙ୍କ ଅନେଷ୍ୱଣରେ ବାହାରି ଶ୍ରୀ କ୍ଷେତ୍ରରେ ପହଞ୍ଚିଲେ। ଜାଣିବାକୁ ପାଇଲେ ଯେ,ମହାପ୍ରଭୁ ଅଣସରରେ ରହିଥିବା ହେତୁ ଦର୍ଶନ ଦେଇ ପାରିବେନି।ୟେ ଖବର ଶୁଣିବା ମାତ୍ରେ ସେ ନିଜକୁ ସମୁଦ୍ର ଗର୍ଭରେ ବିସର୍ଜନ କରିବା ନିମନ୍ତେ ଅଗ୍ରସର ହୁଅନ୍ତେ ଶୂନ୍ୟବାଣୀ ପାଇଲେ ବ୍ରହ୍ମଗିରିଠାରେ ପ୍ରଭୁ ଅଲାରନାଥଙ୍କ ରୂପରେ ସ୍ୱୟଂ ଦାରୁ ବ୍ରହ୍ମ ବିରାଜମାନ। ସେଠୁ ସେ ସିଧା ଚଳିଲେ ଅଲାରନାଥଙ୍କ ଦର୍ଶନ ନିମନ୍ତେ। ପ୍ରଭୁ ଅଲାରନାଥଙ୍କ ଭିତରେ ମହାବାହୁକୁ ପାଇ ଭାବବିହ୍ୱଳ ହୋଇ ପଡିଲେ ଶ୍ରୀ ଚୈତନ୍ୟ। ଗଡ଼ିବାକୁ ଲାଗିଲେ ପ୍ରସ୍ତର ପ୍ରାଙ୍ଗଣ ରେ, ଯାହାର ପ୍ରମାଣ ସ୍ବରୂପ ଏବେ ବି ପଡି ରହିଛି ପ୍ରସ୍ତର ଖୋଦେଇ"ଚୈତନ୍ୟ ଚକଡା଼"। ନିକଟରେ ରହିଛି ମହାନ୍ ବୈଷ୍ଣବୀୟ ମଠ। ଏହି ପରି ଅନେକ ପୌରାଣିକ କିମ୍ବଦନ୍ତୀ ଓ କାହାଣୀକୁ ନେଇ ପରିପୁଷ୍ଟ ହୋଇଛି ଏହି ପ୍ରସିଦ୍ଧ ପୀଠ। ଖାସ୍ କରି ମହାପ୍ରଭୁଙ୍କ ଅଣସର ସମୟରେ,ପ୍ରଭୁ ଅଲାରନାଥଙ୍କ ପୀଠ ଚଳଚଞ୍ଚଳ ହୋଇ ଉଠେ। ସେଥି ଲାଗି ଏଠାରେ ଏକ ସ୍ଥାନୀୟ ଲୋକଉକ୍ତି ରହିଛି "ଅଣସରରେ ଅଲାରନାଥ,ବାକି ସବୁଦିନ ଜଗନ୍ନାଥ" । ଯାହା ଜଗନ୍ନାଥ ସଂସ୍କୃତିରେ ୟେ ସ୍ଥାନର ମହତ୍ତ୍ୱକୁ ସୂଚାଉଛି ଏବେ ମଧ୍ୟ ମନ୍ଦିର ପଛ ପାଖେ ଥିବା ପୋଖରୀରେ ପ୍ରତିବର୍ଷ ଦୀର୍ଘ ୨୧ ଦିନ ଧରି ଚନ୍ଦନ ଯାତ୍ରା ପାଳିତ ହୋଇଥାଏ। ମନ୍ଦିର ପ୍ରାଙ୍ଗଣରେ ବିଷ୍ଣୁଙ୍କ ବ୍ୟତିରେକ ରୁକ୍ମିଣୀ ଓ ସତ୍ୟଭାମାଙ୍କ ଦୁଇଟି ପ୍ରତିମା ପୂଜା ପାଏ। ଅଲାରନାଥଙ୍କ କ୍ଷୀରି ଭୋଗର ଏକ ସ୍ବତନ୍ତ୍ର ଲୋକପ୍ରିୟତା ରହିଛି। ଏଠାକୁ ଆସୁଥିବା ଭକ୍ତମାନେ ନିଜ ପ୍ରୀୟଜନଙ୍କ ନିମନ୍ତେ କ୍ଷୀରି ପୁଡିଆଟେ ସାଥୀରେ ନେଇ ଫେରିବାକୁ କେବେ ହେଲେ ଭୁଲନ୍ତିନି। ଲେଖକ ମହେଶ୍ୱର ପାତ୍ର, ବ୍ରହ୍ମଗିରି, ପୁରୀ ଦୂରଭାଷ-୭୦୦୮୦୬୫୮୭୫
‹ The template below (Infobox Indian Jurisdiction) is being considered for deletion. See templates for discussion to help reach a consensus.›
Quick Facts
ବ୍ରହ୍ମଗିରି | |
— ସହର — | |
ଦିଗବାରେଣି | 19°48′0″N 85°39′0″E |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଭାରତର ଜିଲାସବୁ | ପୁରୀ |
ପାଖ ସହର | ପୁରୀ |
ସମୟ ଜୋନ | ଆ.ଏସ.ଟି (ୟୁଟିସି +୫.୩୦) |
ପରିସୀମା • ସମୁଦ୍ର ପତ୍ତନଠାରୁ ଉଚ୍ଚତା |
• 10 metres (33 ft) |
Close