ପେଲଭିସ ପ୍ରଦାହ ରୋଗ
From Wikipedia, the free encyclopedia
ପେଲଭିସ ପ୍ରଦାହ ରୋଗ ବା ସଂକ୍ଷେପରେ ପି.ଆଇ.ଡି. (ଇଂରାଜୀରେ Pelvic inflammatory disease or pelvic inflammatory disorder or PID) ମହିଳା ପ୍ରଜନନ ଅଙ୍ଗଶ୍ରେଣୀର ଉପର ଭାଗ ଯଥା ଜରାୟୁ, ଫାଲୋପିଆନ ଟ୍ୟୁବ ଓ ଓଭାରି ଇତ୍ୟାଦିର ସଂକ୍ରମଣକୁ କୁହାଯାଏ । [1] ଅଧିକାଂଶ ସମୟରେ ଏହି ରୋଗ ଲକ୍ଷଣ ବିହୀନ ଥାଏ । [2] ଯେତେବେଳେ ଲକ୍ଷଣ ଓ ଚିହ୍ନ ବାହାରିବା ବେଳେ ତଳି ପେଟରେ ଯନ୍ତ୍ରଣା, ଯୋନୀପଥ ବିସର୍ଜନ (vaginal discharge), ଜ୍ୱର, ପରିସ୍ରା କଲାବେଳେ କଷ୍ଟ, ଯୌନ ସମ୍ଭୋଗ ବେଳେ କଷ୍ଟ ଓ ଅନିୟମିତ ଋତୁସ୍ରାବ ହୁଏ । [1][2] ପି.ଆଇ.ଡି. ରୋଗ ଚିକିତ୍ସିତ ନ ହେଲେ କ୍ରନିକ ପେଲଭିସ ଯନ୍ତ୍ରଣା, ବନ୍ଧ୍ୟା ଦୋଷ, ଅସ୍ଥାନିକ ଗର୍ଭ, ଓ କର୍କଟ ଇତ୍ୟାଦି ରୋଗ ଜଟୀଳତା ଆକାରରେ ହୁଏ । [1][3][4]
ପେଲଭିସ ପ୍ରଦାହ ରୋଗ | |
---|---|
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | gynaecology[*] |
ଆଇସିଡ଼ି-୧୦ | Nn70.htm+ n70 70 .-Nn70.htm+ n77 77 . |
ଆଇସିଡ଼ି-୯-ସିଏମ୍ | 614-616 |
ରୋଗ ଡାଟାବେସ | 9748 |
ମେଡ଼ିସିନ-ପ୍ଲସ | 000888 |
ଇ-ମେଡ଼ିସିନ | emerg/410 |
Patient UK | ପେଲଭିସ ପ୍ରଦାହ ରୋଗ |
MeSH | D000292 |
ସମୁଦାୟ ରୋଗୀଙ୍କ ମଧ୍ୟରୁ ୭୫ରୁ ୯୦ % କେଶରେ ନାଇସେରିଆ ଗନୋରି କିମ୍ବା କ୍ଲାମିଡିଆ ଟ୍ରାକୋମାଟିସ ଜୀବାଣୁ ସଂକ୍ରମଣଯୋଗୁ ରୋଗ ହୁଏ । ଏକାଧିକ ଜୀବାଣୁ ମଧ୍ୟ ସାମିଲ ହୋଇପାରନ୍ତି । [1] କ୍ଲାମିଡିଆ ସଂକ୍ରମଣରୁ ୧୦ % ଓ ଗନୋରିଆ ସଂକ୍ରମଣରୁ ୪୦ % ମହିଳା ପି.ଆଇ.ଡି. ରୋଗର ଶୀକାର ହୁଅନ୍ତି । [1][5] ସଙ୍କଟଦାୟକ ଅବସ୍ଥା ମଧ୍ୟରେ ଅଧିକ ସଂଖ୍ୟାର ଯୌନ ସାଥୀଙ୍କଦ୍ୱାରା ଓ ନିଶା ସେବନ ଯୋଗୁ ଏହି ରୋଗ ବ୍ୟାପିଯାଏ । ଯୋନୀପାଥ ଡୁସ ମଧ୍ୟ ସଙ୍କଟ ସୃଷ୍ଟି କରେ । ପ୍ରଦର୍ଶିତ ଚିହ୍ନ ଓ ଲକ୍ଷଣ ସାହାଯ୍ୟରେ ସ୍ୱାଭାବିକ ଭାବେ ରୋଗ ନିର୍ଣ୍ଣୟ କରାଯାଏ । ପିଲା ଧାରଣ କ୍ଷମତା ଥିବା ସମସ୍ତ ମହିଳାଙ୍କର ତଳିପେଟ ଯନ୍ତ୍ରଣା ହେଉଥିଲେ ଏହି ରୋଗ ବିଚାରକୁ ନେବାକୁ ସୁପାରିସ କରାଯାଏ । ଲାପାରୋସ୍କୋପିକ ଅପରେସନ କଲାବେଳେ ଫାଲୋପିଆନ ଟ୍ୟୁବରେ ପୂଜ ପାଇଲେ ପି.ଆଇ.ଡି. ଥିବା ନିଶ୍ଚିତ କରାଯାଏ । ଅଲଟ୍ରାସାଉଣ୍ଡ ମଧ୍ୟ ରୋଗ ନିର୍ଣ୍ଣୟରେ ସାହାଯ୍ୟ କରେ । [1]
ଏହି ରୋଗ ନ ହେବା ନିମନ୍ତେ ଯୌନ ସମ୍ଭୋଗ ବାଦ ଦେବା ବା ଅଳ୍ପ ଯୌନ ସାଥୀ ରଖିବା ଓ କଣ୍ଡୋମ ବ୍ୟବହାର କରିବା ଉଚିତ । [6] କ୍ଲାମିଡିଆ ପ୍ରବଣ ମହିଳାମାନଙ୍କର ସ୍କ୍ରିନିଙ୍ଗ କରି ଆବଶ୍ୟକ ଚିକିତ୍ସା କଲେ ପି.ଆଇ.ଡି. ସଙ୍କଟରୁ ରକ୍ଷା ମିଳେ । [7] ରୋଗ ସନ୍ଦେହ କଲାମାତ୍ରେ ଚିକିତ୍ସା ସଙ୍ଗେ ସଙ୍ଗେ ଆରମ୍ଭ କରିବାକୁ ଉପଦେଶ ଦିଆଯାଏ । [1] ମହିଳାର ଯୌନସାଥୀଙ୍କୁ ମଧ୍ୟ ଚିକିତ୍ସା କରିବା ଆବଶ୍ୟକ । [7] ସାମାନ୍ୟ ବା ମଧ୍ୟମ ଧରଣର ବେମାରୀ ହୋଇଥିଲେ ଗୋଟିଏ ଡୋଜ ସେଫଟ୍ରିଆକସନ ଆଣ୍ଟିବାୟୋଟିକ ସହିତ ୨ ସପ୍ତାହ ନିମନ୍ତେ ଡକ୍ସିସାଇକ୍ଲିନ ଓ ମେଟ୍ରୋନିଡାଜୋଲ ପାଟିବାଟେ ଦିଆଯାଏ । ୩ ଦିନ ମଧ୍ୟରେ କିଛି ଉନ୍ନତି ନ ହେଲେ ବା ସାଙ୍ଘାତିକ ବେମାରୀ ହୋଇଥିଲେ ଶୀରାମାଧ୍ୟମ ଆଣ୍ଟିବାୟୋଟିକ ଦିଆଯାଏ । [8]
ସନ ୨୦୦୮ରେ ସାରା ପୃଥିବୀରେ ୧୦୬ ନିୟୁତ କ୍ଲାମିଡିଆ ଓ ୧୦୬ ନିୟୁତ ଗନୋରିଆ କେଶ ଲିପିବଦ୍ଧ ହୋଇଥିଲା । [5] ପି.ଆଇ.ଡି. ରୋଗ ସଂଖ୍ୟା କିନ୍ତୁ ନିରୁପିତ ହୋଇ ନାହିଁ । [9] ହିସାବ କରି ଦେଖାଯାଇଛି, ଏହି ରୋଗ ବାର୍ଷିକ ୧.୫ % ମହିଳାଙ୍କୁ ଆକ୍ରମଣ କରେ । [9] ଆମେରିକାରେ ବାର୍ଷିକ ଏକ ନିୟୁତ ଲୋକ ପି.ଆଇ.ଡି.ର ଶୀକାର ହୁଅନ୍ତି । [10] ଏକ ଆଇ.ୟୁ.ଡି. ଡାଲକନ ସିଲ୍ଡ ବ୍ୟବହାର ଯୋଗୁ ୧୯୭୦ ମସିହାରେ ପି.ଆଇ.ଡି. ହାର ବୃଦ୍ଧି ପାଇଥିଲା । ପ୍ରଚଳିତ ଆଇ.ୟୁ.ଡି. ଯୋଗୁ ଏକ ମାସ ପରେ ସେହି ସମସ୍ୟା ହେଉ ନାହିଁ । [1]