ଋତୁସ୍ରାବ
From Wikipedia, the free encyclopedia
ଏହି ବିଷୟ ମାନବ ମହିଳାଙ୍କର ଋତୁସ୍ରାବ ସମ୍ବନ୍ଧରେ ଲିଖିତ । ମନୁଷ୍ୟ ବ୍ୟତୀତ ଅନ୍ୟ ସ୍ତନ୍ୟପାୟୀଙ୍କର ଋତୁସ୍ରାବ ବିଷୟରେ ପଢ଼ିବା ନିମନ୍ତେ ଋତୁସ୍ରାବ (ସ୍ତନ୍ୟପାୟୀ) ଦେଖନ୍ତୁ ।
ଋତୁସ୍ରାବ ବା ମାସିକ ଧର୍ମ ବା ମାସିକିଆ ବା ରଜଃସ୍ରାବ, (ଇଂରାଜୀ ଭାଷାରେ ମେନ୍ସ୍ଟୃଏସନ, ପିରିଅଡ଼ ଓ ମନ୍ଥଲି ଯଥାକ୍ରମେ menstruation, period, monthly,[1] ଅର୍ଥ ମହିଳାଙ୍କର ଜରାୟୁର ଅନ୍ତଃସ୍ତରରୁ ନିର୍ଗତ ଓ ଯୋନିପଥ ଦେଇ ବାହାରୁଥିବା ମାସିକିଆ ଜରାୟୁ ଝିଲ୍ଲି ଓ ରକ୍ତସ୍ରାବକୁ ବୁଝାଏ ।[2] ପ୍ରାୟ ୮୦ % ମହିଳାଙ୍କର ଋତୁସ୍ରାବ ପୂର୍ବରୁ କିଛି ଲକ୍ଷଣ ବାହାରେ ।[3] ବ୍ରଣ ହୁଏ, ସ୍ତନ ଦରଜ ହୁଏ ଓ ଫୁଲିଯାଏ, ଥକ୍କା ଲାଗେ, ବିରକ୍ତି ଆସେ ଓ ଭାବନାତ୍ମକ ପରିବର୍ତ୍ତନ ହୁଏ ।[4] ୨୦ରୁ ୩୦ % ମହିଳାଙ୍କର ସାଧାରଣ ଜୀବନଯାତ୍ରା ଏହାଦ୍ୱାରା ପ୍ରଭାବିତ ହେବାରୁ ଏହାର ନାମ ପ୍ରାକ୍ ଋତୁସ୍ରାବ ଲକ୍ଷଣପୁଞ୍ଜ ରଖାଯାଇଛି । ୩ରୁ ୮ % କେଶରେ ଏହି ସ୍ଥିତି ଗମ୍ଭୀର ହୁଏ ।[3]
ପ୍ରଥମ ଋତୁସ୍ରାବ ୧୨ରୁ ୧୫ ବର୍ଷ ବୟସରେ ଆରମ୍ଭ ହୁଏ ଯାହାକୁ ରଜୋଦର୍ଶନ (ଇଂରାଜୀ ଭାଷାରେ ମେନାର୍କି/ menarche) କୁହାଯାଏ ।[1] ଋତୁସ୍ରାବ ଆହୁରି ଆଗରୁ ୮ ବର୍ଷ ବୟସରେ ମଧ୍ୟ ବେଳେ ବେଳେ ଆରମ୍ଭ ହୁଏ ଓ ଏହାକୁ ମଧ୍ୟ "ସାଧାରଣ" କୁହାଯାଏ ।[2] ବିକଶିତ ଦେଶମାନଙ୍କରେ ଏହା ଶୀଘ୍ର ଆରମ୍ଭ ହୁଏ ଓ ବିକାଶଶୀଳ ଦେଶମାନଙ୍କରେ ବିଳମ୍ବରେ ଆରମ୍ଭ ହୁଏ । ଋତୁ ଆରମ୍ଭର ପ୍ରଥମ ଦିନଠାରୁ ପରବର୍ତ୍ତୀ ଋତୁର ପ୍ରଥମ ଦିନ ପର୍ଯ୍ୟନ୍ତ ଯୁବତୀମାନଙ୍କର ପ୍ରାୟ ୨୧ରୁ ୪୫ ଦିନ ଓ ବୟଃପ୍ରାପ୍ତ ମହିଳାଙ୍କର ୨୧ରୁ ୩୧ ଦିନ (ହାରାହାରି ୨୮ ଦିନ) ସମୟ ଲାଗେ ।[2][5] ପ୍ରାୟ ୪୫ରୁ ୫୫ ବୟସ ମଧ୍ୟରେ ଋତୁବନ୍ଦ ହୁଏ ଯେଉଁ ସମୟଠାରୁ ଋତୁସ୍ରାବ ସମ୍ପୁର୍ଣ୍ଣ ବନ୍ଦ ହୋଇଯାଏ ।[6] ଋତୁସ୍ରାବ ସାଧାରଣତଃ ୨ରୁ ୭ ଦିନ ପର୍ଯ୍ୟନ୍ତ ଲାଗିରହେ ।[2]
ହରମୋନମାନଙ୍କର ସ୍ତର କମ ବେଶୀ ହେବାଯୋଗୁ ଋତୁଚକ୍ର ହୁଏ । ହରମୋନ ପ୍ରଭାବ ଫଳରେ ଜରାୟୁର ଅନ୍ତଃସ୍ତର ମୋଟା ହୁଏ ଓ ଅଣ୍ଡା କ୍ଷରଣ ହୁଏ ଓ ଏହି ଅଣ୍ଡାକୁ ଗ୍ରହଣ କରି ଜରାୟୁରେ ଗର୍ଭାବସ୍ଥା ହୁଏ । ଋତୁଚକ୍ରର ପ୍ରାୟ ୧୪ତମ ଦିନରେ ଅଣ୍ଡା କ୍ଷରଣ ହୁଏ ଓ ସମ୍ଭାବ୍ୟ ଫିଟସ ଧାରଣ କରି ପୋଷକ ଯୋଗାଣ କରିବାକୁ ସ୍ଥୁଳ ଜରାୟୁ ତିଆରି ହୋଇଥାଏ । ଗର୍ଭାଧାନ ନ ହେଲେ ଜରାୟୁର ବୃଦ୍ଧିପ୍ରାପ୍ତ ସ୍ତର ଭାଙ୍ଗିଯାଏ ଋତୁସ୍ରାବ ହୁଏ । [2]
ଋତୁସ୍ରାବ ସମୟରେ ଅନେକ ସମସ୍ୟା ଜାତ ହୁଏ । ବୟସ ୧୫ ସୁଦ୍ଧା ଋତୁସ୍ରାବ ନ ହେଲେ କିମ୍ବା ୯୦ ଦିନ ପର୍ଯ୍ୟନ୍ତ ଋତୁସ୍ରାବ ନ ହେଲେ ସେହି ଅବସ୍ଥାକୁ ଆମେନୋରିଆ କୁହାଯାଏ । ଗର୍ଭାବସ୍ଥାରେ ଓ ସ୍ତନ୍ୟପାନର ପ୍ରଥମ କିଛି ମାସରେ ଋତୁସ୍ରାବ ହୁଏ ନାହିଁ । ଏହାର ସମସ୍ୟା: ଯନ୍ତ୍ରଣାଦାୟକ ଋତୁସ୍ରାବ ଓ ଅସାଧାରଣ ଋତୁସ୍ରାବ ଯେପରିକି ଋତୁଚକ୍ର ମଝିରେ ହୁଏ ବା ଅତ୍ୟଧିକ ଋତୁସ୍ରାବ ହୁଏ । । [2] କେତେକ ସ୍ତନ୍ୟପାୟୀ ଜୀବମାନଙ୍କର ମଧ୍ୟ ଋତୁସ୍ରାବ ହୁଏ ଯେପରିକି ବାଦୁଡ଼ି ଓ ମାଙ୍କଡ଼ ପ୍ରଜାତି । [7]
ପ୍ରତିଶବ୍ଦ - ମାସିକିଆ, ପିରିଅଡ଼; ଇଂରାଜୀରେ monthly, period[8][9]
ଏହା ପ୍ରଥମ ଯୌନ ପୂର୍ଣ୍ଣତା ପ୍ରାପ୍ତ ସମୟରୁ ଋତୁସ୍ରାବ ଆରମ୍ଭ ହୋଇ ଋତୁ ବିରତି ପର୍ଯ୍ୟନ୍ତ ଚାଲୁ ରହେ । ଋତୁ ବିରତି ହେଲେ ପ୍ରଜନନ କ୍ଷମତାର ଅନ୍ତ ହେବ ଧରାଯାଏ ।
ମହିଳାଙ୍କର ଗର୍ଭାଧାନ ସମୟରେ ଓ ଛୁଆକୁ ସ୍ତନ୍ୟପାନ କରେଇବା ସମୟରେ ଋତୁସ୍ରାବ ବନ୍ଦ ରହେ । ଏହି ସମସ୍ତ ଅଭାବରେ ଯଦି ଋତୁସ୍ରାବ ୯୦ ଦିନରୁ ବେଶୀ ସମୟ ଧରି ନ ହୁଏ ତେବେ ଡାକ୍ତରୀ ପରୀକ୍ଷା ଆବଶ୍ୟକ ହୁଏ କାରଣ ଅନେକ କିସମର ସ୍ୱାସ୍ଥ୍ୟଗତ ସମସ୍ୟା ଉପୁଜେ ।