ଭାଇ ଭଉଣୀଙ୍କ ପର୍ବ From Wikipedia, the free encyclopedia
ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା[1] ଏକ ଜନପ୍ରିୟ ପାରମ୍ପରିକ ହିନ୍ଦୁ ପର୍ବ ଓ ଏହା ଦକ୍ଷିଣ ଏସିଆରେ ପାଳନ କରାଯାଏ । ଏହି ପର୍ବ ଭାଇ ଓ ଭଉଣୀଙ୍କ ମଧ୍ୟରେ ବନ୍ଧୁତ୍ୱକୁ ଦୃଢ଼ କରିଥାଏ । ଏହି ଦିନ ଭଉଣୀ, ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ ଓ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପ୍ରାର୍ଥନା କରିଥାଏ, ବଦଳରେ ଭାଇ, ତା'ର ଭଉଣୀକୁ ରକ୍ଷା କରିବାର ସଂକଳ୍ପ ନେଇଥାଏ ।[2][3]
ରାକ୍ଷୀ ପୂର୍ଣ୍ଣିମା | |
---|---|
ଅନ୍ୟ ନାମ | ଗହ୍ମା ପୂର୍ଣ୍ଣିମା, ଝୁଲଣ ପୂର୍ଣ୍ଣିମା |
ପାଳନକାରୀ | ହିନ୍ଦୁ, ଶିଖ |
ତାରିଖ | ଶ୍ରାବଣ ପୂର୍ଣ୍ଣିମା |
୨୦୨୪ ତାରିଖ | ୧୯ ଅଗଷ୍ଟ (ସୋମବାର) |
ସମ୍ପର୍କିତ | ଭାଇ, ଭଉଣୀ ସଂପର୍କ |
ଏହି ପର୍ବ ଶ୍ରାବଣ ମାସର ପୂର୍ଣ୍ଣମୀ ଦିନ ପାଳନ କରାଯାଇଥାଏ ।[2][4][5][6] ତେବେ ଅନ୍ୟ ରାଜ୍ୟମାନଙ୍କରେ ଏହି ଶ୍ରାବଣ ପୂର୍ଣ୍ଣିମାର ପର୍ବ ଭିନ୍ନ ରୀତିରେ ପାଳିତ ହେଇଆସୁଛି । ଗୁଜରାଟ, ମହାରାଷ୍ଟ୍ର, ଗୋଆ, କର୍ଣ୍ଣାଟକ ଆଦି ସ୍ଥାନରେ ଶ୍ରାବଣ ପୂର୍ଣ୍ଣିମା ନାରିକେଳ ପୂର୍ଣ୍ଣିମା ଭାବେ ପାଳିତ ହେଇଥାଏ । ଏହି ଦିନ ସମୂଦ୍ର ଦେବତା ବରୁଣଙ୍କୁ ନାରିକେଳ ବା ନଡ଼ିଆ ପ୍ରଦାନ କରାଯାଏ । ଉପକୂଳବର୍ତ୍ତୀ ଅଞ୍ଚଳ, ବିଶେଷ କରି ଯେଉଁମାନେ ନିଜର ଗୁଜରାଣ ମେଣ୍ଟାଇବା ପାଇଁ ସମୁଦ୍ର ଉପରେ ନିର୍ଭର କରିଥାନ୍ତି ସେମାଙ୍କ ପାଇଁ ଏହି ପର୍ବ ଯଥେଷ୍ଟ ମହତ୍ତ୍ୱ ରଖେ । ଗୁଜରାଟରେ ଏହି ଦିନ ପବିତ୍ରୋପନ ମଧ୍ୟ ପାଳିତ ହୋଇଥାଏ । ଶ୍ରାବଣର ପ୍ରତି ସୋମବାର ଶିବ ମନ୍ଦିରରେ ଜଳଲାଗି ସହ ପୂର୍ଣ୍ଣମୀରେ ଏହି ପର୍ବ ବହୁତ ଆଡ଼ମ୍ବର ସହିତ ପାଳିତ ହେଇଥାଏ । ଉତ୍ତର ଭାରତରେ ଏହି ପର୍ବ କାଜରି ପୂର୍ଣ୍ଣିମା ଭାବେ ଜଣାଶୁଣା । ଭଲ ଫସଲ ଉତ୍ପାଦନ ପାଇଁ ଏହି ଦିନ ଦେବୀଙ୍କୁ ପୂଜା କରାଯାଇଥାଏ । ତେବେ ଏହା ସବୁ ସ୍ଥାନରେ ନୁହେଁ, ସ୍ଥାନୀୟ ଭାବେ ପାଳିତ ହୋଇଥାଏ । ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ ଓ ଛତିଶଗଡ଼ର କେତେକ ସ୍ଥାନରେ ଏହା ପାଳିତ ହେଇଥାଏ । ତେବେ ଦକ୍ଷିଣ ଭାରତରେ ଏହି ତିଥିକୁ ଅବନୀ ଅୱିଟ୍ଟମ୍ ପାଳନ କରାଯାଇଥାଏ । ଏହାକୁ ଓଡ଼ିଶାର ବ୍ରାହ୍ମଣଶାସନରେ ଶ୍ରାବଣୀ ବେଦଉପାକର୍ମ ମଧ୍ୟ କୁହାଯାଏ । ବ୍ରାହ୍ମଣମାନେ ଏହିଦିନ ପବିତ୍ର ବୁଡ଼ ପକାଇ ଶ୍ଲୋକ ଉଚ୍ଚାରଣ ସହ ଯଜ୍ଞୋପବୀତ ଧାରଣ କରିଥାନ୍ତି । ବ୍ରାହ୍ମଣଙ୍କଦ୍ୱାରା କରାଯାଉଥିବା ଉତ୍ସବକୁ ବ୍ରହ୍ମୟଜ୍ଞ ମଧ୍ୟ କୁହାଯାଏ ।
ପୁରାଣ ଓ ଇତିହାସରେ ରହିଛି ରକ୍ଷାବନ୍ଧନର ଅନେକ ଘଟଣା । ପୁରାଣରେ ଅସୁର ରାଜାବଳିଠାରୁ ମୋଗଲ ସମ୍ରାଟ ହୁମାୟୁନଙ୍କ ଯାଏଁ ରକ୍ଷାବନ୍ଧନ ଭଉଣୀର ସମ୍ମାନ ରକ୍ଷା କରିଆସିଛି ।
ଇତିହାସରେ ମଧ୍ୟ ରହିଛି ରକ୍ଷାବନ୍ଧନ । ଯଦିଓ ଏହାପଛରେ ରହିଛି ରାଜନୈତିକ ଅଭିସନ୍ଧି, ତେବେ ବି ରାକ୍ଷୀ ବାନ୍ଧିଥିବା ଭଉଣୀର ସମ୍ମାନ ରକ୍ଷା ପାଇଁ ଭାଇ ପଛଘୁଞ୍ଚା ଦେଇନାହିଁ ।
ଭାଇ-ଭଉଣୀର ସମ୍ପର୍କକୁ ନେଇ ଅନେକ ନାଟକ ଓ କଥାଚିତ୍ର ପ୍ରସ୍ତୁତ ହୋଇଛି । ଭଉଣୀର ସୁରକ୍ଷା ପାଇଁ ଭାଇ ନିଜର ସୁଖ ସୁବିଧା ମଧ୍ୟ ଭୁଲିଯାଏ । ଉଭୟ ଓଡ଼ିଆ ଓ ହିନ୍ଦୀ ସିନେମାରେ ଏଭଳି ଦୃଶ୍ୟ ରହିଛି, କେତେକ ସିନେମାରେ ରାକ୍ଷୀ ମାଧ୍ୟରେ ଏହି ଆବେଗ ଓ ତ୍ୟାଗର ଦୃଶ୍ୟ ଦର୍ଶକଙ୍କୁ ଦେଖାଇଦିଆଯାଇଛି । ଏମିତି କିଛି ସିନେମା ଆଉ ରାକ୍ଷୀ ଗୀତ ହେଲା - ଓଡ଼ିଆରେ ଚକା ଆଖି ସବୁ ଦେଖୁଛିରେ ରାକ୍ଷୀରେ ରାକ୍ଷୀ ତୁ ରହିଲୁ ସାକ୍ଷୀ, ରାକ୍ଷୀ ବାନ୍ଧିଲି ମୋ ରଖିବ ମାନର ଶୀର୍ଷକ ଗୀତ ଏବଂ ରାକ୍ଷୀ ଭିଜିଗଲା ଆଖି ଲୁହରେର ଶୀର୍ଷକ ଗୀତ ।
ହିନ୍ଦୀ ସିନେମା କାଜଲରେ ମେରେ ଭୈୟା ମେରେ ଚନ୍ଦା, ଅନପଢ଼ରେ ରଙ୍ଗ ବିରଙ୍ଗ ରାକ୍ଷୀ ଲୋକେ, ବେଇମାନରେ ୟେ ରାକ୍ଷୀ ବନ୍ଧନ ହୈ ଐସା ଏବଂ ରେଶମ କି ଡୋରୀରେ ବହେନ୍ ନେ ଭାଇ କି କଲାଇ ସେ ପରି ଅନେକ ଗୀତ ରହିଛି ।
ଶ୍ରାବଣ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମାକୁ ପ୍ରଭୁ ବଳଭଦ୍ରଙ୍କ ଜନ୍ମ ତିଥିଭାବେ ଗ୍ରହଣ କରାଯାଏ । ହଳମୂଷଳ ଧାରଣ କରିଥିବା ବଳଭଦ୍ରଙ୍କୁ ସମ୍ମାନ ଜଣାଇ ଏହିଦିନ ଗୋମାତାଙ୍କୁ ପୂଜା କରାଯାଏ । ସେମାନଙ୍କୁ ଗାଧୋଇ ଦିଆଯାଇ ତାଙ୍କ ଶିଙ୍ଗରେ ରାକ୍ଷୀ ବାନ୍ଧିବା ଏବଂ ପିଠା ଖାଇବାକୁ ଦେବାର ପରମ୍ପରା ରହିଛି । ବ୍ରାହ୍ମଣମାନେ ଏହି ଦିନ ମନ୍ତୁରା ପଇତା ମଧ୍ୟ ପ୍ରଦାନ କରିଥାନ୍ତି, ଏହି ପଇତା ପିନ୍ଧିଲେ ବ୍ରହ୍ମରାକ୍ଷସ କବଳରୁ ମୁକ୍ତି ମିଳେ ବୋଲି ମଧ୍ୟ ବିଶ୍ୱାସ ରହିଛି ।
କୃଷ୍ଣଙ୍କ ବଡ଼ ଭାଇ ଭଗବାନ ବଳରାମ ଏହି ଦିନ ଅବତୀର୍ଣ୍ଣ ହୋଇଥିଲେ, ତେଣୁ ଏହି ଦିନଟିକୁ ବଳରାମ ଜୟନ୍ତୀ ରୂପେ ପାଳନ କରାଯାଏ ।[7][8]
ଏହି ଦିନ ସବୁ ପାଳିତ ପଶୁ ଗାଈ, ଗୋରୁ ଆଦିଙ୍କୁ ସଜାଯାଏ ଏବଂ ପୂଜା କରାଯାଏ । ବିଭିନ୍ନ ପ୍ରକାରର ପିଠା ଓ ମିଠା ତିଆରି କରାଯାଏ ଏବଂ ପରିବାର, ବନ୍ଧୁ ବାନ୍ଧବମାନଙ୍କ ମଧ୍ୟରେ ବଣ୍ଟାଯାଏ ।[9]
ଶ୍ରାବଣ ମାସରେ ଶୁକ୍ଳ ପକ୍ଷ ଦଶମୀଠାରୁ ଭାଦ୍ରବ ପ୍ରତିପଦ ପର୍ଯ୍ୟନ୍ତ ୭ଦିନ ଏହି ଝୁଲଣ ଯାତ୍ରା ପର୍ବ ପାଳନ କରାଯାଏ । ଭଗବାନ କୃଷ୍ଣ ଏବଂ ରାଧା ଏହି ବର୍ଷା ଋତୁରେ ଦୋଳି ଖେଳି ଆନନ୍ଦ ନେଇଥାନ୍ତି । ରାଧା କୃଷ୍ଣଙ୍କୁ ଝୁଲଣରେ ସଜାଯାଇ ଦୋଳି ଖେଳା ଯାଇଥାଏ ।[10][11][12]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.