ଓଡ଼ିଆ ରାଜନୀତିଜ୍ଞ From Wikipedia, the free encyclopedia
ସୌମ୍ୟରଞ୍ଜନ ପଟ୍ଟନାୟକ (ଜନ୍ମ: ୧୮ ଅଗଷ୍ଟ ୧୯୫୨) ଜଣେ ଭାରତୀୟ ରାଜନେତା, ଶିଳ୍ପପତି, ଶିକ୍ଷାବିତ, ଲେଖକ ଓ ସମାଜସେବୀ । ସେ ଦୈନିକ ଓଡ଼ିଆ ଖବରକାଗଜ ସମ୍ବାଦର ପ୍ରତିଷ୍ଠାତା ତଥା ପୂର୍ବତନ ସମ୍ପାଦକ ।[1][2]
ସୌମ୍ୟ ରଞ୍ଜନ ପଟ୍ଟନାୟକ | |
---|---|
ବିଧାୟକ: ୧୬ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୧୯ – ୨୦୨୪ | |
ପୂର୍ବ ଅଧିକାରୀ | ଦୁଷ୍ମନ୍ତ କୁମାର ସ୍ୱାଇଁ |
ନିର୍ବାଚନ ମଣ୍ଡଳୀ | ଖଣ୍ଡପଡ଼ା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ବାଙ୍ଗିରିପୋଷି, ମୟୂରଭଞ୍ଜ, ଓଡ଼ିଶା | ୧୮ ଅଗଷ୍ଟ ୧୯୫୨
ଜାତୀୟତା | ଭାରତୀୟ |
ଜୀବନ ସାଥୀ | ସୁଦତ୍ତା ପଟ୍ଟନାୟକ |
ସନ୍ତାନ | ତଲ୍ଲୀନା ପଟ୍ଟନାୟକ, ତନୟା ପଟ୍ଟନାୟକ |
ବାପା/ବୋଉ | ବ୍ରଜବନ୍ଧୁ ପଟ୍ଟନାୟକ |
ଶିକ୍ଷା | ସ୍ନାତକୋତ୍ତର |
ଶିକ୍ଷାନୁଷ୍ଠାନ | ରେଭେନ୍ସା ବିଶ୍ୱବିଦ୍ୟାଳୟ, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ, ଉତ୍କଳ ବିଶ୍ୱବିଦ୍ୟାଳୟ |
ପ୍ରସିଦ୍ଧି | ସମ୍ପାଦକ,ସାମ୍ବାଦିକ, ଶିକ୍ଷାବିତ,ପ୍ରାକ୍ତନ ସାଂସଦ.,ଶିଳ୍ପପତି |
ସନ୍ତକ | |
ୱେବସାଇଟ | Soumyapatnaik.in |
ସୌମ୍ୟରଞ୍ଜନ ପଟ୍ଟନାୟକ ୧୯୫୨ ମସିହା ଅଗଷ୍ଟ ମାସ ୧୮ ତାରିଖରେ ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷିରେ ଜନ୍ମଗ୍ରହଣ କରିଥିଲେ । ପିତା ବ୍ରଜବନ୍ଧୁ ପଟ୍ଟନାୟକ ବନବିଭାଗରେ ଜଣେ ରେଞ୍ଜର ଥିବାରୁ ଚାକିରି ବଦଳି ଯୋଗୁ ସୌମ୍ୟରଞ୍ଜନ ଓଡ଼ିଶାର ବହୁ ଯାଗାରେ ରହି ବିଦ୍ୟାଳୟ ଶିକ୍ଷା ସମ୍ପୂର୍ଣ୍ଣ କରିଥିଲେ ।
ସେ କଟକର ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ପ୍ରଥମ ଶ୍ରେଣୀରେ ସ୍ନାତକ ହାସଲ କରି ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଓ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାର୍ବଜନିକ ପ୍ରଶାସନରେ ସ୍ନାତକୋତ୍ତର ଅଧ୍ୟୟନ କରିଥିଲେ । ପରେ ସେ ଲଣ୍ଡନ ସ୍କୁଲ ଅଫ ଇକୋନୋମିକ୍ସ ଓ ଅକ୍ସଫୋର୍ଡ଼ ଇଉନିଭର୍ସିଟିରୁ ମଧ୍ୟ ଶିକ୍ଷାଗ୍ରହଣ କରିଥିଲେ ।
୧୯୭୨ ମସିହାରେ ସେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଶିକ୍ଷାଦାନ କରିବା ଆରମ୍ଭ କରିଥିଲେ । ଏତେ କମ ବୟସରୁ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ତାଙ୍କର ଶିକ୍ଷାଦାନ କରିବା ସେତେବେଳେ ବିତର୍କ ସୃଷ୍ଟି କରିଥିଲା । ୧୯୮୪ ମସିହାରେ ସେ ଦୈନିକ ଓଡ଼ିଆ ଖବରକାଗଜ ସମ୍ବାଦ ଖବରକାଗଜର ପ୍ରତିଷ୍ଠା କରି ସ୍ୱତନ୍ତ୍ର ସମ୍ପାଦକୀୟ ପୃଷ୍ଠା, ଖେଳ ପୃଷ୍ଠା, ସାପ୍ତାହିକ ପତ୍ରିକା ଆଦି ନୂଆ ବିଭାଗ ସହ ମୁଦ୍ରଣରେ ଅଫସେଟ ପ୍ରିଣ୍ଟିଙ୍ଗ ଆଦି ଆରମ୍ଭ କରିଥିଲେ ।[3] ସମ୍ବାଦ ଆନୁକୁଲ୍ୟରେ ସେ ଆମ ଓଡ଼ିଶା[4] ନାମକ ଏକ ସଂସ୍ଥା ଗଠନ କରିଥିଲେ ଯାହା ଓଡ଼ିଶା ଓଡ଼ିଶା ସାରା ଛାତ୍ରଙ୍କ ପାଇଁ ଶୁଦ୍ଧ ଓଡ଼ିଆ ଲିଖନ ପ୍ରତିଯୋଗିତା[5] ଦ୍ୱାରା ସେମାନଙ୍କ ମଧ୍ୟରେ ଓଡ଼ିଆ ପଢ଼ିବା ଓ ଲେଖିବା ପାଇଁ ଆଗ୍ରହ ସୃଷ୍ଟିକରିବା କ୍ଷେତ୍ରରେ କାର୍ଯ୍ୟକରିଥିଲା । ତାଙ୍କର ପାରମ୍ପରିକ ଯାତ୍ରା, ଓଡ଼ିଆ ସିନେମା, ରେଡ଼ିଓ ଓ ଟେଲିଭିଜନକୁ ଅବଦାନ[6] ମଧ୍ୟରେ ଇଷ୍ଟର୍ଣ୍ଣ ଅପେରା ଯାତ୍ରାଦଳ, କନକ ଟିଭି ନାମକ ୨୪ ଘଣ୍ଟିଆ ଖବରଭିତ୍ତିକ ଟିଭି ଚ୍ୟାନେଲ ଓ ୨୪ ଘଣ୍ଟିଆ ମନୋରଞ୍ଜନ ଧର୍ମୀ ଚ୍ୟାନେଲ ମଞ୍ଜରୀ, ଏଫ.ଏମ. ରେଡ଼ିଓ ଚ୍ୟାନେଲ ରେଡ଼ିଓ ଚକୋଲେଟ୍ ଆଦି ଆରମ୍ଭ କରିବା ଅନ୍ୟତମ । ସେ ଓଡ଼ିଆ କଥାଚିତ୍ର ଲାଲ ଓଢ଼ଣି, ତୁ ଭାରି ବିୟୁଟିଫୁଲ୍, ତୁ ଆଉ ମୁଁ ଓ ମୀମାଂସାର ପ୍ରଯୋଜନା, ତୋ ପାଇଁ ନେବି ମୁଁ ଶହେ ଜନମର ସହପ୍ରଯୋଜନା, ଏବଂ ବାବୁ ଆଇ ଲଭ ୟୁର କାହାଣୀ ରଚନା କରିଥିଲେ । ସେ କେ.ଏମ.ବି.ବି କଲେଜ ଅଫ ଇଞ୍ଜିନିୟରିଂ[7] ନାମରେ ଏକ ବୈଷୟିକ ମହାବିଦ୍ୟାଳୟ ଓ ସମ୍ବାଦ ସ୍କୁଲ ଅଫ ମିଡ଼ିଆ ଆଣ୍ଡ କଲଚର[8] ନାମରେ ଏକ ଗଣମାଧ୍ୟମ ମହାବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । ୧୯୯୬ ମସିହା ସାଧାରଣ ନିର୍ବାଚନରେ ସୌମ୍ୟରଞ୍ଜନ ଭୁବନେଶ୍ୱର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ସଫଳ ଭାବରେ ପ୍ରତିଦ୍ୱନ୍ଦିତା କରିଥିଲେ । ୧୯୯୮ ସାଧାରଣ ନିର୍ବାଚନରେ ପୁନର୍ବାର ପ୍ରତିଦ୍ୱନ୍ଦିତା କରି ବିଫଳ ହୋଇଥିଲେ । ୨୦୦୩ ମସିହାରେ ସେ ଆମ ଆମ ଓଡ଼ିଶା ଦଳ ନାମରେ ରାଜନୈତିକ ଦଳ ଆରମ୍ଭ କରି ନିର୍ବାଚନ ଲଢ଼ି ବିଫଳ ହୋଇଥିଲେ । ପରେ ତାଙ୍କୁ ବିଜୁ ଜନତା ଦଳ ତରଫରୁ ରାଜ୍ୟ ସଭାକୁ ମନୋନୀତ କରାଯାଇଥିଲା । ୨୦୧୮ ମସିହାରେ ଆମ ଓଡ଼ିଶା ଦଳର ବିଜୁ ଜନତା ଦଳ ସହ ମିଶ୍ରଣ ହୋଇଥିଲା ।[9] ୨୦୧୯ ମସିହା ବିଧାନ ସଭା ନିର୍ବାଚନରେ ସେ ଖଣ୍ଡପଡ଼ାରୁ ବିଧାନସଭାକୁ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ ।[10] ସେ ୨୦୨୩ ଅକ୍ଟୋବରରେ ସମ୍ବାଦର ସମ୍ପାଦକ ପଦରୁ ଅବସର ନେଇଥିଲେ ।[11]
ସୌମ୍ୟରଞ୍ଜନ ପଟ୍ଟନାୟକ, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଓ ରାଜନେତା ଜୟନ୍ତୀ ପଟ୍ଟନାୟକଙ୍କ କନ୍ୟା ସୁଦତ୍ତା ପଟ୍ଟନାୟକଙ୍କୁ ବିବାହ କରିଛନ୍ତି ।[12] ଏହି ଦମ୍ପତିଙ୍କର ଦୁଇ ଝିଅ ଅଛନ୍ତି । ବଡ଼ ଝିଅଙ୍କ ନାମ ତଲ୍ଲୀନା ଓ ସାନ ଝିଅ ତନୟା ସମ୍ବାଦର ସମ୍ପାଦକ ।[11] ସୌମ୍ୟରଞ୍ଜନଙ୍କର ବଡ଼ ଭାଇ ନିରଞ୍ଜନ ପଟ୍ଟନାୟକ ଓଡ଼ିଶା ରାଜ୍ୟ କଂଗ୍ରେସର ଜଣେ ବରିଷ୍ଠ ସଦସ୍ୟ ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.