ଓଡ଼ିଶୀ ସଙ୍ଗୀତ
ଓଡ଼ିଶାର ପାରମ୍ପରିକ ଶାସ୍ତ୍ରୀୟ ସଙ୍ଗୀତ ଧାରା / From Wikipedia, the free encyclopedia
ଓଡ଼ିଶୀ ସଙ୍ଗୀତ (ଇଂରାଜୀ: Odissi music, oṛiśī) ଓଡ଼ିଶାର ନିଜସ୍ୱ ଶାସ୍ତ୍ରୀୟ ସଙ୍ଗୀତ ପରମ୍ପରା ଅଟେ । ଏହା ଶ୍ରୀମନ୍ଦିର ଓ ଶ୍ରୀ ଜଗନ୍ନାଥଙ୍କ ସେବାର ସଙ୍ଗୀତ। ଓଡ଼ିଶୀ ସଙ୍ଗୀତର ନିଜସ୍ୱ ସୁଦୀର୍ଘ ପରମ୍ପରା, ରାଗ ରାଗିଣୀ ଓ ଗାୟନ ପରମ୍ପରା ଇତ୍ୟାଦି ସ୍ୱତନ୍ତ୍ର ଭାବେ ପ୍ରାଚୀନ କାଳରୁ ରହିଅଛି । ଭରତ ମୁନିଙ୍କ ନାଟ୍ୟଶାସ୍ତ୍ରରେ ଉଲ୍ଲିଖିତ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତର ଚାରୋଟି ଶାଖା; ଆବନ୍ତୀ, ପାଞ୍ଚାଳୀ, ଉଡ୍ରମାଗଧୀ ବା ଓଡ୍ର, ଦାକ୍ଷିଣାତ୍ୟା । ଏହି ମଧ୍ୟରୁ ଓଡ଼ିଶୀ ଓଡ୍ରମାଗଧୀ ଧାରା ଅଟେ । ୧୨ଶ ଶତାବ୍ଦୀ କବିରାଜ ଜୟଦେବଙ୍କ ସମୟରୁ ଓଡ଼ିଶୀ ସଙ୍ଗୀତ ସମୁନ୍ନତ ସଙ୍ଗୀତ ପରମ୍ପରା ଭାବେ ଜାତୀୟ ସ୍ତରରେ ପରିଚିତ ହୋଇଅଛି । ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶୀ ସଙ୍ଗୀତ ଓଡ଼ିଆ ଭାଷାର ବିକାଶ ହେବା ଆଗରୁ ରହିଥିଲା । ଖ୍ରୀ.ପୂ. ଦ୍ୱିତୀୟ ଶତକରେ କଳିଙ୍ଗର ଶାସକ ଖାରବେଳ ସଙ୍ଗୀତ ଓ ନୃତ୍ୟର ପୃଷ୍ଠପୋଷକତା କରୁଥିଲେ ।[1]