ସ୍ପାଇନା ବାଇଫିଡା
From Wikipedia, the free encyclopedia
ସ୍ପାଇନା ବାଇଫିଡା, (ଲାଟିନ ଭାଷାରେ ଏହାର ଅର୍ଥ ଦ୍ୱିଖଣ୍ଡିତ ମେରୁହାଡ଼) ଏକ ଜନ୍ମଗତ ରୋଗ ଯେଉଁଥିରେ ମେରୁଅସ୍ଥି ଓ ମେରୁଦଣ୍ଡ ଆବରଣର ପୃଷ୍ଠଭାଗ ସଂପୂର୍ଣ୍ଣ ଭାବେ ଆଚ୍ଛାଦିତ ହୋଇନଥାଏ । ଏହା ତିନି ପ୍ରକାର ଦେଖାଯାଏ: ସ୍ପାଇନା ବାଇଫିଡା ଓକଲ୍ଟା, ମେନିଙ୍ଗୋସିଲ ଓ ମାୟେଲୋମେନିଙ୍ଗୋସିଲ । [1] ଏହା ଅଣ୍ଟାରେ ଦେଖାଯାଏ କିନ୍ତୁ ମଝି ପିଠି ଓ ବେକରେ ମଧ୍ୟ ଦେଖାଯାଇପାରେ । [2] ଓକଲ୍ଟା ରୋଗରେ ଲକ୍ଷଣ ନ ଥାଏ ବା ସାମାନ୍ୟ ଥାଏ । [3] ଏହି ରୋଗ ଥିବା ସ୍ଥାନ ଦବିଯାଇଥାଏ, ସେଠାରେ କିଛି ରୁମ ଉଠିଥାଏ, କଳା ଦାଗ ଥାଏ ବା ମେରୁ ହାଡ଼ ତ୍ରୁଟି ଥିବା ସ୍ଥାନରେ ଫୁଲା ଥାଏ । ତୃଟି ଥିବା ସ୍ଥାନରେ ଗୋଟିଏ ତରଳ ପଦାର୍ଥ ଥିବା ମୁଣା ଦେଖାଯାଉଥିଲେ ତାହାକୁ ମେନିଙ୍ଗୋସିଲ କୁହାଯାଏ । [1] ମାୟେଲୋମେନିଙ୍ଗୋସିଲ ଥିଲେ ସମସ୍ୟା ଗମ୍ଭୀର ହୁଏ । ଚାଲିବାରେ ଅକ୍ଷମତା, ଝାଡ଼ା ପରିସ୍ରା କରିବାରେ ସମସ୍ୟା, ହାଇଡ୍ରୋକେଫାଳସ, ସଂଯୁକ୍ତ ମେରୁଦଣ୍ଡ ଓ ଲାଟେକ୍ସ ଆଲର୍ଜି ଇତ୍ୟାଦି ଅସୁବିଧା ହୁଏ । [4] ପ୍ରଶିକ୍ଷଣ ଅସୁବିଧା କ୍ୱଚିତ ହୁଏ । [4]
ସ୍ପାଇନା ବାଇଫିଡା | |
---|---|
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | Pediatrics, neurosurgery |
ଆଇସିଡ଼ି-୧୦ | Q05., Q76.0 |
ଆଇସିଡ଼ି-୯-ସିଏମ୍ | 741, 756.17 |
ଓଏମ୍ଆଇଏମ୍ | 182940 |
ରୋଗ ଡାଟାବେସ | 12306 |
ଇ-ମେଡ଼ିସିନ | orthoped/557 |
Patient UK | ସ୍ପାଇନା ବାଇଫିଡା |
MeSH | C10.500.680.800 |
ଜେନେଟିକ ଓ ପରିବେଶ ପ୍ରଭାବରୁ ସ୍ପାଇନା ବାଇଫିଡା ରୋଗ ହେବା ସନ୍ଦେହ କରାଯାଏ ।[5] ପିତାମାତାଙ୍କ ମଧ୍ୟରୁ ଯଦି ଜଣକର ବା ଯଦି ତାଙ୍କର ଗୋଟିଏ ଛୁଆର ଏହି ରୋଗ ଥାଏ ତେବେ ପରବର୍ତ୍ତୀ ଛୁଆର ଏହି ରୋଗ ସମ୍ଭାବନା ୪ % ଥାଏ । [6] ଗର୍ଭାବସ୍ଥାରେ ଯଥେଷ୍ଟ ଫୋଲେଟ ନ ମିଳିବା ମଧ୍ୟ ଏକ ଉଲ୍ଲେଖନୀୟ କାରଣ ହୋଇପାରେ । [5] ସଙ୍କଟଦାୟୀ କାରକ ମଧ୍ୟରେ କେତେକ ବାତ ନିରୋଧକ ଔଷଧ (antiseizure medications), ମୋଟାପା ଓ ଅନୁପଯୁକ୍ତ ଡାଏବେଟିସ ଚିକିତ୍ସା ଉଲ୍ଲେଖାଯୋଗ୍ୟ । [6] ଛୁଆ ଜନ୍ମ ପୂର୍ବରୁ ବା ପରେ ରୋଗ ନିର୍ଣ୍ଣୟ କରାଯାଏ । ରକ୍ତ ପରୀକ୍ଷାରେ ବା ଆମିନୋସେଣ୍ଟେସିସ ପରୀକ୍ଷାରେ ଆଲଫା-ଫେଟୋପ୍ରୋଟିନ (ଏଏଫପି) ସ୍ତର ଅଧିକ ଥିଲେ ସ୍ପାଇନା ବାଇଫିଡା ଥିବା ସମ୍ଭାବନା ଥାଏ । ଅଲ୍ଟ୍ରାସାଉଣ୍ଡ ପରୀକ୍ଷାଦ୍ୱାରା ରୋଗ ଚିହ୍ନଟ ହୋଇପାରେ ଓ ଜନ୍ମ ପରେ ମେଡିକାଲ ଇମେଜିଙ୍ଗ କରି ରୋଗ ନିଧାର୍ଯ୍ୟ କରାଯାଏ ।[3] ନିଉରାଲ ଟ୍ୟୁବ ତୃଟି ଯୋଗୁ ଏହି ରୋଗ ଦେଖାଯାଏ ଯେପରିକି ଆନେନକେଫାଲି ଓ ଏନକେଫାଲୋସିଲ ରୋଗ ସମାନ ଧରଣର ତୃଟିରୁ ହୋଇଥାଏ ।[7]
ମହିଳାଙ୍କୁ ଗର୍ଭ ଧାରଣ ପୂର୍ବରୁ ଓ ଗର୍ଭାବସ୍ଥାରେ ଯଥେଷ୍ଟ ଫୋଲେଟ ଦେଲେ ଏହି ରୋଗକୁ ପ୍ରତିରୋଧ କରିହୁଏ ।[5] ଅଟାରେ ଫୋଲିକ ଏସିଡ ମିଶେଇଲେ ଉପାଦେୟ ହୁଏ ।[8] ଖୋଲା ସ୍ପାଇନା ବାଇଫିଡା ଥିଲେ ଅପରେସନ କରି ଜନ୍ମ ପୂର୍ବରୁ ବା ପରେ ତାହାକୁ ବନ୍ଦ କରିଦିଆଯାଇପାରିବ । ସଂଯୁକ୍ତ ମେରୁଦଣ୍ଡକୁ ଅପରେସନ କରି ମରାମତ କରାଯାଏ ଓ ହାଇଡ୍ରୋକେଫାଲସ ଥିଲେ ସଣ୍ଟ ଦିଆଯାଏ । ଚଳତଶକ୍ତି ଅଭାବ ଥିଲେ କ୍ରଚେସ ବା ହୁଇଲଚେୟାର ବ୍ୟବହାର କରାଯାଏ । ପରିସ୍ରା କରିହେଉନଥିଲେ ପରିସ୍ରା କାଥେଟର ଦିଆଯାଏ । [9]
ପ୍ରାୟ ୫ % ଲୋକଙ୍କର ସ୍ପାଇନା ବାଇଫିଡା ଥାଏ ।[10] ବିଭିନ୍ନ ଦେଶରେ ଅନ୍ୟ ପ୍ରକାରର ସ୍ପାଇନା ବାଇଫିଡା ହାର ଅଲଗା ହୁଏ, ପ୍ରତି ଏକ ହଜାରରେ ୦.୧ରୁ ୫ ଜଣଙ୍କର ଥାଏ ।[11] ବିକଶିତ ଦେଶରେ ଜନ୍ମ ସମୟରେ ପ୍ରତି ୧୦୦୦ରେ ୦.୪ ଛୁଆର ଏହି ରୋଗ ଥାଏ ।[12] ଆମେରିକାରେ ପ୍ରତି ୧୦୦୦ ଛୁଆରେ ୦.୭ ଜଣଙ୍କର ଏହି ରୋଗ ଥାଏ, [6] ଓ ଭାରତରେ ପ୍ରତି ଏକ ହଜାର ଜନ୍ମରେ ୧.୯ ଜଣଙ୍କର ଏହି ରୋଗ ଥାଏ ।[13] ଏହି ପାର୍ଥକ୍ୟ କକେଶିଆନ ବଂଶ ଯୋଗୁ ଓ ଆଂଶିକ ଭାବେ ପାରିପାର୍ଶ୍ୱିକ ପ୍ରଭାବ ଯୋଗୁ ହେଉଥିବା ବିଶ୍ୱାସ କରାଯାଏ ।[14]