From Wikipedia, the free encyclopedia
ସ୍କୋଲିଓସିସ ବା ପାର୍ଶ୍ୱକୁବ୍ଜତା (ଇଂରାଜୀ ଭାଷାରେ Scoliosis) ରୋଗରେ ମଣିଷର ମେରୁଦଣ୍ଡ (spine) ସିଧା ନ ରହି ଏକ ପାର୍ଶ୍ୱକୁ ବଙ୍କା ହୋଇଯାଏ ।[୨] ଏହି ବକ୍ରତା ଇଂରାଜୀ ଭାଷାର "S" ବା "C" ଆକୃତି ଭଳି ଦେଖାଯାଏ ।[୨] ବକ୍ରତା କେତେକ ସ୍ଥଳରେ ସ୍ଥିର ରହେ ଓ ଅନ୍ୟ କେତେକ ସ୍ଥଳରେ ବଢିବାକୁ ଲାଗେ । ସାମାନ୍ୟ ସ୍କୋଲିଓସିସ ସମସ୍ୟା ସୃଷ୍ଟି କରେ ନାହିଁ, କିନ୍ତୁ ସାଂଘାତିକ କେଶ୍ଗୁଡ଼ିକରେ ଶ୍ୱାସକ୍ରିୟା ବାଧାପ୍ରାପ୍ତ ହୁଏ ।[୩][୪] ଅଧିକାଂଶ ସମୟରେ ଏ ରୋଗରେ ଯନ୍ତ୍ରଣା ହୁଏନାହିଁ ।[୫]
ଅଧିକାଂଶ କେଶ୍ରେ ଏହି ରୋଗର କାରଣ ଅଜ୍ଞାତ ଥିଲେ ମଧ୍ୟ ଜେନେଟିକ (genetic) ଓ ପରିବେଶ (environmental factors) କାରକମାନଙ୍କର ଭୂମିକା ଥିବା ବିଶ୍ୱାସ କରାଯାଏ ।[୩] ଅନ୍ୟାନ୍ୟ ପରିବାର ସଦସ୍ୟମାନେ ଏହି କାରକମାନଙ୍କଦ୍ୱାରା ରୋଗକ୍ରାନ୍ତ ହୁଅନ୍ତି । ସ୍କୋଲିଓସିସ ହେଉଥିବା ଅନ୍ୟ କେତେକ ରୋଗମାନଙ୍କର ନାମ: ମାଂସପେଶୀ ସଂକୋଚନାଧିକ୍ୟ (muscles spasms), ସେରେବ୍ରାଲ ପାଲ୍ସି (cerebral palsy), ମାର୍ଫାନ ସିଣ୍ଡ୍ରୋମ (en:Marfan syndrome), ଓ ନିଉରୋଫାଇବ୍ରୋମା (neurofibromatosis) ଭଳି ଅର୍ବୁଦ । ସାଧାରଣ ଏକ୍ସ-ରେ (plain X-rays) ସାହାଯ୍ୟରେ ରୋଗ ନିର୍ଣ୍ଣୟ କରାଯାଏ । ଦୁଇ ପ୍ରକାର ସ୍କୋଲିଓସିସ ଦେଖାଯାଏ: ଗଠନମୂଳକ (structural), ଯେଉଁଥିରେ ସୀମାବଦ୍ଧ ଥାଏ ଓ କାର୍ଯ୍ୟକାରୀ (functional), ଯେଉଁଥିରେ ମେରୁଦଣ୍ଡ ସାଧାରଣ ଥାଏ ।[୨]
ମେରୁଦଣ୍ଡ ବକ୍ରତାର ସ୍ଥାନ, ପରିମାଣ ଓ କାରଣ ଅନୁସାରେ ଚିକିତ୍ସା ସ୍ଥିର କରାଯାଏ । ସାମାନ୍ୟ ବକ୍ରତା ଥିଲେ କିଛି ନ କରି ମଝିରେ ମଝିରେ ତାର ଅଗ୍ରଗତି ଦେଖିବାକୁ ହୁଏ । ଏହି ରୋଗରେ ବ୍ରେସ/ ବନ୍ଧନୀ ବ୍ୟବହାର କରାଯାଏ ବା ଅପରେଶନ କରାଯାଏ । ବକ୍ରତାର ଅଗ୍ରଗତି ହେଉଥିଲେ ତାହା ବନ୍ଦ ହେବା ପର୍ଯ୍ୟନ୍ତ ବନ୍ଧନୀ ପିନ୍ଧିବାକୁ ହୁଏ । ଅନ୍ୟ କେତେକ ଚିକିତ୍ସା ଯେପରିକି ଖାଦ୍ୟ ପରିପୂରକ, ବ୍ୟାୟାମ ଓ ଚିରୋପ୍ରାକ୍ଟିକ ମାନିପୁଲେସନ (chiropractic manipulation) ଇତ୍ୟାଦି ଉପଲବ୍ଧ ଥିଲେ ମଧ୍ୟ ରୋଗର ଅଗ୍ରଗତି ରୋକିବାରେ ସେମାନଙ୍କ ଉପକାରୀତା ପ୍ରମାଣିତ ହୋଇନାହିଁ ।[୨]
ପ୍ରାୟ ୩% ଲୋକଙ୍କର ସ୍କୋଲିଓସିସ ରୋଗ ହୁଏ ।[୬] ୧୦ରୁ ୨୦ ବର୍ଷ ବୟସ ମଧ୍ୟରେ ଏହି ରୋଗ ହୁଏ ।[୨] ପୁଅମାନଙ୍କ ଅପେକ୍ଷା ଝିଅମାନେ ଅଧିକ ଆକ୍ରାନ୍ତ ହୁଅନ୍ତି ।[୨][୩] ସ୍କୋଲିଓସିସ ନାମଟି ପ୍ରାଚୀନ ଗ୍ରୀକ: σκολίωσις skoliosis ଶବ୍ଦରୁ ନିଆଯାଇଛି ଯାହାର ଅର୍ଥ ବକ୍ରତା ।[୭]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.