ମେନିଞ୍ଜାଇଟିସ୍
ଏକ ରୋଗ ଯାହା ମସ୍ତିଷ୍କ ଓ ମେରୁଦଣ୍ଡର ସୁରକ୍ଷାକାରୀ ଆବରଣ ମେନିଞ୍ଜେସର ପ୍ରଦାହ / From Wikipedia, the free encyclopedia
ମେନିଞ୍ଜାଇଟିସ ଏକ ରୋଗ ଯାହା ମସ୍ତିଷ୍କ ଓ ମେରୁଦଣ୍ଡର ସୁରକ୍ଷାକାରୀ ଆବରଣ ମେନିଞ୍ଜେସର ପ୍ରଦାହକୁ କୁହାଯାଏ ।[1] ଜ୍ୱର, ମୁଣ୍ଡବଥା ଓ ଦୃଢ଼଼ ବେକ ଆଦି ଲକ୍ଷଣ ଏହି ରୋଗରେ ଦେଖାଯାଏ । ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ଦ୍ୱନ୍ଦ୍ୱ ଓ ପରିବର୍ତ୍ତିତ ଚେତନା, ବାନ୍ତି ଓ ଆଲୋକ ଭୀତି ବା ଶବ୍ଦ ଭୀତି ମଧ୍ୟ ପ୍ରକାଶ ପାଏ । ଅଳ୍ପ ବୟସ୍କ ପିଲାମାନଙ୍କର ଅନିର୍ଦ୍ଦିଷ୍ଟ ଲକ୍ଷଣ ଯେପରିକି ଚିଡ଼ିଚିଡ଼ା ଭାବ, ଢୁଳ ଲାଗିବା ଓ କମ୍ ଖାଇବା ଆଦି ଦେଖାଯାଏ ।[2] ମେନିଙ୍ଗୋକୋକାଲ ମେନିଞ୍ଜାଇଟିସ ହୋଇଥିଲେ ଏକ ନିର୍ଦ୍ଦିଷ୍ଟ ଧରଣର ରାସ୍ ଦେଖାଯାଏ । [1][3]
ମେନିଞ୍ଜାଇଟିସ୍ | |
---|---|
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | neurology[*], ସଂକ୍ରାମକ ରୋଗ[*] |
ଆଇସିଡ଼ି-୧୦ | G00.–G03. |
ଆଇସିଡ଼ି-୯-ସିଏମ୍ | 320–322 |
ରୋଗ ଡାଟାବେସ | 22543 |
ମେଡ଼ିସିନ-ପ୍ଲସ | 000680 |
ଇ-ମେଡ଼ିସିନ | med/2613 emerg/309 emerg/390 |
Patient UK | ମେନିଞ୍ଜାଇଟିସ୍ |
MeSH | D008581 |
ଭୁତାଣୁ, ଜୀବାଣୁ, କେତେକ ଅଣୁଜୀବ ଓ ଅଳ୍ପ କେତେକ ଔଷଧର ପ୍ରତିକ୍ରିୟା ଯୋଗୁ ଏହି ପ୍ରଦାହ ହୁଏ ।[4] ମସ୍ତିଷ୍କ ଓ ମେରୁଦଣ୍ଡର ଅତି ପାଖରେ ହେଉଥିବାରୁ ଏହି ମେନିଞ୍ଜାଇଟିସ ପ୍ରଦାହ ରୋଗ ପ୍ରାଣ ଘାତକ ହୋଇପାରେ, ତେଣୁ ଏହି ରୋଗକୁ ଆପାତ ସ୍ଥିତି ବା ମେଡିକାଲ ଏମର୍ଜେନ୍ସି ହିସାବରେ ଗଣନା କରାଯାଏ ।[1][5] କଟିବେଧନ ବା ଲମ୍ବର୍ପଙ୍କଚର୍ଦ୍ୱାରା ଏହି ରୋଗ ନିର୍ଣ୍ଣୟ କରାଯାଏ ବା ତ୍ୟାଗ କରାଯାଏ ।[2] ଏହି ପଦ୍ଧତି ଅନୁସାରେ କଟିର ପୃଷ୍ଠ ଭାଗରେ ଥିବା ଦୁଇ ମେରୁ ହାଡ ମଧ୍ୟ ଦେଇ ଗୋଟିଏ ଲମ୍ବା ଇଞ୍ଜେକ୍ସନ ଛୁଞ୍ଚି ମେରୁ କେନାଲ ମଧ୍ୟକୁ ପ୍ରବେଶ କରେଇ ସେଠାରେ ଥିବା ତରଳ ପଦାର୍ଥ ଟାଣି ଅଣାଯାଏ । ଏହି ତରଳ ପଦାର୍ଥକୁ ମସ୍ତିଷ୍କ ମେରୁଦଣ୍ଡୀୟ ତରଳ ପଦାର୍ଥ (Cerebro spinal fluid/CSF) କୁହାଯାଏ । ଏହି ସି.ଏସ୍.ଫ୍.କୁ ଅଣୁବୀକ୍ଷଣ ଯନ୍ତ୍ର ମାଧ୍ୟମରେ ପରୀକ୍ଷା କରି ମେନିଞ୍ଜାଇଟିସ୍ ନିର୍ଣ୍ଣୟ କରାଯାଏ ।[5]
କେତେକ ଧରଣର ମେନିଞ୍ଜାଇଟିସ ରୋଗକୁ ମେନିଙ୍ଗୋକୋକାଲ, ଗାଲୁଆ, ନିମୋକୋକାଲ, ଓ ଏଚଆଇବି ଟିକା ସାହାଯ୍ୟରେ ପ୍ରତିରୋଧ କରିବା ସମ୍ଭବ ।[1] କେତେକ ମେନିଞ୍ଜାଇଟିସ ରୋଗ ନିମନ୍ତେ ଆଣ୍ଟିବାୟୋଟିକ ଦେଲେ ଉପକାର ମିଳେ ।[2] ତୀବ୍ର ମେନିଞ୍ଜାଇଟିସ ରୋଗ ହେଲେ ତୁରନ୍ତ ଆଣ୍ଟିବାୟୋଟି ଓ ବେଳେବେଳେ ଭୁତାଣୁରୋଧୀ ଔଷଧ ଦିଆଯାଏ ।[2][6] ଅତ୍ୟଧିକ ପ୍ରଦାହ ନିୟନ୍ତ୍ରଣ କରିବା ନିମନ୍ତେ କର୍ଟିକୋସ୍ଟିରଏଡ ଦିଆଯାଏ ।[3][5] ଏହି ରୋଗ ହେବା ଯୋଗୁ ସାଂଘାତିକ ଦୀର୍ଘକାଳୀନ ଫଳାଫଳ ମିଳିପାରେ ଯଥା:- କାଲାଦୋଷ, ଏପିଲେପ୍ସି, ହାଇଡ୍ରୋସେଫାଲସ ବା ବୋଧଶକ୍ତି ଅଭାବ ହୋଇପାରେ ।[1][3]
ସନ ୨୦୧୩ରେ ପ୍ରାୟ ୧୬ ନିୟୁତ ଲୋକଙ୍କୁ ମେନିଞ୍ଜାଇଟିସ ହୋଇଥିଲା ।[7] ଏହି ରୋଗରେ ମୃତ୍ୟୁ ସଂଖ୍ୟା ସନ ୧୯୯୦ରେ ୪୬୪,୦୦୦ରୁ କମି ସନ ୨୦୧୩ରେ ୩୦୩,୦୦୦ ହୋଇଥିଲା ।[8] ଉପଯୁକ୍ତ ଚିକିତ୍ସା ଉପଲବ୍ଧ ହେତୁ ଜୀବାଣୁ ଜନିତ ମେନିଞ୍ଜାଇଟିସ ମୃତ୍ୟୁ ୧୫%ରୁ କମ୍ ହେଉଛି ।[2] ପ୍ରତିବର୍ଷ ଡିସେମ୍ବରରୁ ଜୁନ ମଧ୍ୟରେ ସବ୍-ସାହାରା ଆଫ୍ରିକାରେ ମେନିଞ୍ଜାଇଟିସ ହେଉଥିବାରୁ ଏହି ଜାଗାକୁ ମେନିଞ୍ଜାଇଟିସ ବେଲ୍ଟ କୁହାଯାଏ ।[9] ପୃଥିବୀର ଅନ୍ୟ କେତେକ ସ୍ଥାନରେ ଏହି ରୋଗ ବ୍ୟାପକ ହୋଇପାରେ ।[9] ମେନିଞ୍ଜାଇଟିସ ଶବ୍ଦଟି ପୁରାତନ ଗ୍ରୀକ ଭାଷାର μῆνιγξ méninx ଶବ୍ଦର ଅର୍ଥ "ଆବରଣ" ଓ ମେଡିକାଲ ଶବ୍ଦ -ଆଇଟିସ ଅର୍ଥ "ପ୍ରଦାହ"କୁ ବୁଝାଏ ।[10][11]