ଏକ ମିଠା From Wikipedia, the free encyclopedia
ରସଗୋଲା ଛେନା ଓ ଚିନିରୁ ତିଆରି ଏକ ସିରାଯୁକ୍ତ ମିଠା ଓ ଏହା ଭାରତୀୟ ଉପମହାଦେଶ ଓ ଦକ୍ଷିଣ ଏସୀୟ ବଂଶୋଦ୍ଭବମାନେ ବାସ କରୁଥିବା ସ୍ଥାନଗୁଡ଼ିକରେ ଜଣାଶୁଣା ।[1][2][3] ଏହା ପେଣ୍ଡୁ ଆକାରରେ ହୋଇଥାଏ ଏବଂ ଛେନା ଓ ସୁଜିରୁ ତିଆରି ହୋଇ ଚିନି ସିରାରେ ଛଣାଯାଇଥାଏ । ସିରାରେ ରସଗୋଲା ସମ୍ପୂର୍ଣ୍ଣ ଭରିଯିବାଯାଏ ଏହାକୁ ଛଣାଯାଇଥାଏ । ଏହା ପୂର୍ବ ଭାରତରେ ଜନ୍ମଲାଭ କରିଥିଲା ଓ ଏବେର ଓଡ଼ିଶା ଓ ପଶ୍ଚିମବଙ୍ଗ ଏହାର ଜନ୍ମସ୍ଥାନ ବୋଲି ଅନେକ ଦାବୀ କରିଛନ୍ତି । ୨୦୧୬ ମସିହାରେ ଓଡ଼ିଶା ସରକାରଙ୍କଦ୍ୱାରା ସ୍ଥାପିତ ଏକ କମିଟି ରସଗୋଲାର ମୂଳ ଓଡ଼ିଶା ବୋଲି ପ୍ରମାଣ କରିଥିଲା ।[4] ରଥଯାତ୍ରାର ଶେଷକୁ ବାହୁଡ଼ା ପରେ ନୀଳାଦ୍ରୀ ବିଜେ ବେଳେ ଜଗନ୍ନାଥଙ୍କ ନିକଟରେ ରସଗୋଲା ଲାଗି କରାଯାଇଥାଏ ।[5] । ପଶ୍ଚିମବଙ୍ଗର କର୍ମକର୍ତ୍ତାମାନେ ଜଣାଇଥିଲେ ଯେ ସେମାନେ କେବଳ "ବଙ୍ଗଳାର ରସଗୋଲା" (ପଶ୍ଚିମବଙ୍ଗରେ ଜଣାଶୁଣା ଏକପ୍ରକାର ରସଗୋଲା) ଜିଓଗ୍ରାଫିକାଲ ଇଣ୍ଡିକେସନ ପାଇଁ ଆବେଦନ କରିଥିଲେ ।[6] ସେମାନେ ଜଣାଇଥିଲେ ଯେ ଏହା କେବଳ ସେମାନଙ୍କ ଆଞ୍ଚଳିକ ରସଗୋଲାକୁ ରକ୍ଷାକରିବା ପାଇଁ ଓ ଓଡ଼ିଶା ସହ ସେମାନଙ୍କ କୌଣସି ଦ୍ୱନ୍ଦ ନାହିଁ । [7]
୨୦୧୯ ମସିହା ଜୁଲାଇ ମାସ ୨୯ ତାରିଖରେ ଓଡ଼ିଶାର ରସଗୋଲା (Odisha Rasagola)କୁ ଓଡ଼ିଶାର ବୋଲି ଭୌଗଳିକ ଉପଦର୍ଶନ (ଜିଆଇ) ପ୍ରମାଣପତ୍ର ମିଳିଥିଲା ।[8][9]
୧୦୦ ଗ୍ରାମର ରସଗୋଲାରେ ୧୮୬ କାଲୋରି ଥାଏ, ଯେଉଁଥିରୁ ପଖାପାଖି ୧୫୩ କାଲୋରିର କାର୍ବୋହାଇଡ୍ରେଟ, ୧.୮୫ ଗ୍ରାମର ଫ୍ୟାଟ ଓ ୪ ଗ୍ରାମର ପ୍ରୋଟିନ ଥାଏ ।[10]
ରସଗୋଲା ତିଆାରି ପାଇଁ ସବୁଠାରୁ ମୁଖ୍ୟ ସାମଗ୍ରୀ ହେଉଛି ଛେନା [11]। ଆଉ ଛେନା ସବୁବେଳେ ତାଜା ରହିଥିବ ଏହା ଉପରେ ଧ୍ୟାନ ଦିଆଯିବା ଆବଶ୍ୟକ । ଛେନାକୁ ପ୍ରଥମେ ମେସିନଦ୍ୱାରା କିମ୍ବା ହାତରେ ସାମାନ୍ୟ ଘିଅ ବାହରିଲା ଯାଏଁ ଚକଟା ଯାଇଥାଏ । ପୁଣି କିଛି ସମୟ ପରେ ଏଥିରେ ସାମାନ୍ୟ ଅଳେଇଚ ଗୁଣ୍ଡ ମିଶାଇ ଆଉ କିଛି ସମୟ ଚକଟା ଯାଇଥାଏ । ବେଳେ ବେଳେ ଏହି ସମୟରେ ଛେନା ସହ ମଇଦା, ଆରାରୋଟ୍, ସୁଜି ମିଶାଇବାର ନଜିର୍ ରହିଛି [12]। ଏହାକୁ ସେପର୍ଯ୍ୟନ୍ତ ଚକଟାଯାଇଥାଏ ଯେପର୍ଯ୍ୟନ୍ତ ଏହା ଅଟା ଭଳି ହୋଇଯିବ । ଏହା ପରେ ଆବଶ୍ୟକ ଅନୁଯାୟୀ ଏହାର ଛୋଟ ଛୋଟ ଗୋଲା ତିଆାରି କରାଯାଏ । ଏହାପରେ ସିରା ତିଆରି ପ୍ରକ୍ରିୟା ଆରମ୍ଭ ହୋଇଥାଏ । ଚିନିରେ ପାଣି ମିଶାଯାଇ ଏହାକୁ ଗରମ କରାଯାଇଥାଏ । ସିରା ଗରମ ହୋଇଗଲା ପରେ ଏଥିରେ ଛେନାରେ ତିଆରି ହୋଇଥିବା ଗୋଲାକୁ ପକାଯାଇଥାଏ । ଏହାପରେ ପ୍ରାୟ ୨୦ ମିନିଟ ପର୍ଯ୍ୟନ୍ତ ଏହାକୁ ସିରାପାଣିରେ ରନ୍ଧାଯାଇଥାଏ । ମଝିରେ ମଝିରେ ଅଳ୍ପ ଅଳ୍ପ ପାଣି ମିଶାଯାଇଥାଏ । ଓଡ଼ିଶାରେ ସାଧାରଣତଃ ଅମିଶା ଛେନାରୁ ରସଗୋଲା ତିଆରି କରଯାଏ ଏବଂ ଇଷତ ନାଲି ରଙ୍ଗ ସିଝିବାକୁ ଦିଆଯାଏ [13]। ଯେତେବେଳେ ରସଗୋଲା ପ୍ରାୟ ନିଜ ଆକାରର ଦୁଇ ଗୁଣ ହୋଇଯାଏ, ବୁଝନ୍ତୁ ରସଗୋଲା ତିଆରି ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ରସଗୋଲାକୁ ସେହି ସିରା ଥଣ୍ଡା ହେବାକୁ ଦିଅନ୍ତୁ ।
ଶ୍ରୀମନ୍ଦିର ପରମ୍ପରାରେ ରସଗୋଲାର ବ୍ୟବହାର ଅନେକ ଶତାବ୍ଦୀ ତଳୁ ହୋଇ ଆସୁଛି । [14] ରଥଯାତ୍ରା ସମୟରେ, ଭାଇ ଭଉଣୀଙ୍କୁ ଜଗନ୍ନାଥ ସାଥିରେ ଧରି ଫେରିବା ବେଳକୁ ଲକ୍ଷ୍ମୀଙ୍କ ଅତିଶୟ କ୍ରୋଧିତ ଥାଆନ୍ତି । ଲକ୍ଷ୍ମୀଙ୍କର କ୍ରୋଧକୁ ଶାନ୍ତକରିବା ପାଇଁ, ଜଗନ୍ନାଥ ନିଜ ହାତରେ ରସଗୋଲା ତିଆରି କରି, ତାଙ୍କୁ ଖୁଆଇ ମାନଭଞ୍ଜନ କରନ୍ତି ।[15] ଜଗନ୍ନାଥ ସଂସ୍କୃତି ସହ ରସଗୋଲା ଜଡ଼ିତ ରହିଥିବାରୁ, ରସଗୋଲାର ଜନ୍ମ ଓଡ଼ିଶାରେ ବୋଲି ଦାବି କରାଯାଏ । ବଳରାମ ଦାସଙ୍କ ଜଗମୋହନ ରାମାୟଣ ବା ଦାଣ୍ଡି ରାମାୟଣରେ ରସଗୋଲାର ଉଲ୍ଲେଖ ଦେଖାଯାଏ ।
ବିକଳାନନ୍ଦ କରଙ୍କ ସାଲେପୁର ରସଗୋଲା ଓ ପାହାଳରେ ପ୍ରସ୍ତୁତ ରସଗୋଲା ଭାରତ ତଥା ଭାରତ ବାହାରେ ମଧ୍ୟ ପରିଚିତ । ଉନ୍ନବିଂଶ ଶତାବ୍ଦୀର ଶେଷାର୍ଦ୍ଧ ବେଳକୁ "କେଳୁ ଚରଣ ବେହେରା", ପାହାଳଠାରେ ରସଗୋଲା ପ୍ରସ୍ତୁତକରି, ବ୍ୟବସାୟ ଆରମ୍ଭ କରିଥିଲେ । [16]
ଓଡ଼ିଶାର ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ଗୋଶାଲା ଛକ ଭଗବାନ ପାଣିଙ୍କ ରସଗୋଲା ପାଇଁ ପ୍ରସିଦ୍ଧ । ଏହି ରସଗୋଲା ସ୍ଥାନୀୟ ଅଂଚଳରେ ଗୋଶାଲା ମିଠା ନାମରେ ପରିଚିତ ।
ପାହାଳ ରସଗୋଲା ପାହାଳ ରସଗୋଲାକୁ ନେଇ କେତେକ ଲୋକକଥା ରହିଛି । ପାହାଳରେ ଅଧିକାଂଶ ଲୋକ ଗାଈ ପାଳୁଥିଲେ । ପ୍ରଚୁର କ୍ଷୀର ଉତ୍ପାଦନ ହେଉଥିଲା । ଖାଇବା ପରେ ଯାହା ବଳୁଥିଲା ତାକୁ ସ୍ଥାନୀୟ ବାସିନ୍ଦା ବାହାରେ ଫୋପାଡି ଦେଉଥିଲେ । ପୁରୀ ଜଗନ୍ନାଥ ମନ୍ଦିରର ଜଣେ ସେବାୟତଙ୍କ ନଜରରେ ଏହା ପଡିଥିଲା । ପ୍ରଚୁର କ୍ଷୀର ନଷ୍ଟ ହେଉଥିବାରୁ ଦେଖି ସେବାୟତ ଜଣକ ଲୋକଙ୍କୁ ସେଥିରୁ ଛେନା ଓ ଛେନାରୁ ତିଆରି ବିଭିନ୍ନ ଖାଦ୍ୟ ପ୍ରସ୍ତୁତି ଶିଖାଇଥିଲେ । ସେବେଠୁ ପାହାଳରେ ଛେନାରୁ ରସଗୋଲା ତିଆରି ହୋଇ ଆସୁଛି ।
୨୦୧୮ ମସିହାରେ ଓଡ଼ିଶା ସରକାର ଓଡ଼ିଶାର ରସଗୋଲାକୁ ଜିଆଇ ମାନ୍ୟତା ଦେବାକୁ ଆବେଦନ କରିଥିଲେ । ୨୦୧୯ ମସିହା ଜୁଲାଇ ମାସ ୨୯ ତାରିଖରେ ଏହାକୁ ସ୍ୱୀକୃତି ମିଳିଥିଲା । ଓଡ଼ିଶାର କ୍ଷୁଦ୍ର ଶିଳ୍ପ କର୍ପୋରେସନ ଲିମିଟେଡ (ଏକ ଓଡ଼ିଶା ସରକାରଙ୍କ ସଂସ୍ଥା) ଏବଂ ଉତ୍କଳ ମିଷ୍ଟାନ୍ନ ବ୍ୟବସାୟୀ ସମିତିଙ୍କ ନାମରେ ମିଳିତ ଭାବରେ ଭୌଗଳିକ ଉପଦର୍ଶନ ପ୍ରମାଣପତ୍ର ମିଳିଥିଲା ।[17][18]
ବିଷୟ | ତଥ୍ୟ |
---|---|
ଆବେଦନ ତାରିଖ | ୨୩ ଫେବୃୟାରୀ ୨୦୧୮ |
ଭୌଗଳିକ ଉପଦର୍ଶନ ସଂଖ୍ୟା | ୬୧୨ |
ପ୍ରମାଣପତ୍ର କ୍ରମାଙ୍କ | ୩୪୫ |
ଭୌଗଳିକ ଉପଦର୍ଶନ (ଜିଆଇ) ନାମ | ଓଡ଼ିଶା ରସଗୋଲା (Odisha Rasagola) |
ଶ୍ରେଣୀ | ଖାଦ୍ୟ ପଦାର୍ଥ |
ଶ୍ରେଣୀ ସଂଖ୍ୟା | ୩୦ |
ପ୍ରମାଣପତ୍ର ବୈଧତା | ୨୨ ଫେବୃୟାରୀ ୨୦୨୮[19] |
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.