ଭଦ୍ରକ ଜିଲ୍ଲାର ଆରଡ଼ିଠାରେ ଅବସ୍ଥିତ ଏକ ଶିବ ମନ୍ଦିର From Wikipedia, the free encyclopedia
ଆଖଣ୍ଡଳମଣି ମନ୍ଦିର ଓଡ଼ିଶାର ଭଦ୍ରକ ଜିଲ୍ଲାର ଆରଡ଼ିଠାରେ ଅବସ୍ଥିତ ଏକ ପ୍ରଧାନ ଶୈବ ପିଠ । ଏହା ବୈତରଣୀ ନଦୀ କୂଳରେ ଆରଡ଼ିଠାରେ ଓ ଭଦ୍ରକ ସହରଠାରୁ ୪୦ କି.ମି. ଦୂରରେ ଅବସ୍ଥିତ । ବୈତରଣୀ ଓ ସାଳନ୍ଦୀ ନଦୀଦ୍ୱୟର ସଙ୍ଗମସ୍ଥଳରେ ଆଖଣ୍ଡଳେଶ୍ୱର ବା ଆଖଣ୍ଡଳମଣି ବା ବାବାମଣିଙ୍କ ମନ୍ଦିର ଅବସ୍ଥିତ ।[1]
ଆଖଣ୍ଡଳମଣି ମନ୍ଦିର | |
---|---|
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
District | ଭଦ୍ରକ |
Location | |
ସ୍ଥାନ | ଆରଡ଼ି |
Country | ଭାରତ |
Website | |
babaakhandalamani.nic.in |
ଏଠାକୁ ଚାନ୍ଦବାଲିଠାରୁ ବୈତରଣୀ ନଦୀରେ ଡଙ୍ଗା ଯୋଗେ ଯିବାଆସିବ ସମ୍ଭବ । ଚାନ୍ଦବାଲିଠାରୁ ଆରଡ଼ିକୁ ଡଙ୍ଗାରେ ୨ ଘଣ୍ଟା ଲାଗେ ।ଭୁବନେଶ୍ୱରଠାରୁ ବସ୍ରେ ମଧ୍ୟ ଯାଈ ପାରିବେ ।
ତତ୍କାଳିନ ଜମିଦାର ନିଳାଦ୍ରୀ ସମରସିଂହ ଦିନେ ନିଜ ଜମିରେ ହଳ କରିବା ନିମନ୍ତେ ଅନନ୍ତ ନାମକ ଜଣେ ହଳୁଆକୁ ନିର୍ଦ୍ଦେଶ ଦେଇଥିଲେ । ଅନନ୍ତ କିଛି ସମୟ ହଳ ବୁଲାଇବା ପରେ ହଠାତ ଲଙ୍ଗଳ ମୁନଟି ମାଟିତଳେ ଥିବା ଏକ ବସ୍ତୁରେ ବାଜି ଭାଙ୍ଗି ଯାଇଥିଲା । ତତ୍କ୍ଷଣାତ୍ ଆକାଶରେ କଳାବଦଲ ଛାଇଗଲା, ପ୍ରଚଣ୍ଡ ଘଡ଼ଘଡ଼ି ସହ ବିଜୁଳି ଚକିବାରେ ଲାଗିଲା । ଲୁହାରେ ନିର୍ମିତ ଫାଳଟି ଭାଙ୍ଗିଯିବା ସହିତ ପ୍ରକୃତିର ଅବସ୍ଥାର ହଠାତ୍ ପରିବର୍ତ୍ତନରେ ଆତଙ୍କିତ ହୋଇଯାଇଥିବା ଅନନ୍ତ ବସ୍ତୁଟିର ଚାରିକଡ଼ର ମାଟି ଆଡ଼େଇଲା । ଏକ କଳା ମୁଗୁନି ପଥର ଦେହରୁ ରକ୍ତର ଧାର ବୈତରଣୀ ନଦୀ ଆଡ଼କୁ ବୋହୁଯାଉଥିବାର ଦେଖିଲା ।[2] ଏହାପରେ ସେ ଯାଇ ଜମିଦାରଙ୍କୁ ସମସ୍ତ ବୃତ୍ତାନ୍ତ ଜଣାଇଲା । ଜମିଦାର ସମରସିଂହ କିଛି ଗ୍ରାମବାସୀଙ୍କୁ ନେଇ ଘଟଣାସ୍ଥଳରେ ପହଞ୍ଚିଲେ । ସେତେବେଳେ ଆଃ ଶବ୍ଦ ରଡ଼ି କରି ବାବା ଆଖଣ୍ଡଳମଣି ଶିବଲିଙ୍ଗ ରୂପରେ ବିଦ୍ୟମାନ ହେଲେ । ଆଃ ଶବ୍ଦ ରଡ଼ି କରିଥିବାରୁ ସେହି ସ୍ଥାନର ନାମ ଆରଡ଼ି ହୋଇଛି ।[1] ସେହି ଲିଙ୍ଗଟିରେ ଏକ କ୍ଷତ ହୋଇଯାଇଥିଲା ଏବଂ ସେହି ସ୍ଥାନରୁ ରକ୍ତ ଝରୁଥିବାର ସମସ୍ତେ ଦେଖିଲେ ଏବଂ ଶିବଙ୍କର ମସ୍ତକ ଉପରେ ଖିର ବର୍ଷା ହେବା ସହ ସେଠାରେ ଏକ ନାଗ ସେହି ଖିରରେ ଗାଧୋଉଥିଲା ।[3] ସେଦିନ ରାତିରେ ଜମିଦାରଙ୍କୁ ସ୍ୱପ୍ନରେ ଜଣେ ସାଧୁ ତାଙ୍କର ସମାଧିସ୍ତ କାହାଣୀ ବିଷୟରେ ଜଣାଇଲେ । ସେ ଦ୍ୱାପର ଯୁଗରୁ ଅଖଣ୍ଡଳେଶ୍ୱର ଭାବରେ ସମାଧିସ୍ତ ଥିଲେ । ସେହି ଲଙ୍ଗଳର ଫାଳ ବାଜିବା ଫଳରେ ସେ ଲିଙ୍ଗ ରୂପରେ ଅବିର୍ଭାବ ହେଲେ । ଏହା ପରଠାରୁ ଖଣ୍ଡମଣ୍ଡଳର ଇଶ୍ୱର ଭାବରେ ମହାପ୍ରଭୁ ଆଖଣ୍ଡଳେଶ୍ୱର ବା ଆଖଣ୍ଡଳମଣି ବା ବାବାମଣି ଭାବେ ସର୍ବଜନବିଦିତ ହେଲେ ।[3]
ଭଗବାଙ୍କର ଇଚ୍ଛାନୁସାରେ ସେ ଶିବଲିଙ୍ଗର ସ୍ଥାପନ କଲେ । ପୂଜା କରିବା ନିମନ୍ତେ ଯାଜପୁରର ନହରା ଗ୍ରାମରୁ ପାଞ୍ଚଜଣ ବ୍ରାହ୍ମଣଙ୍କୁ ଅଣାଗଲା । ଏକ ତାଳପତ୍ର ଛତାରେ ଶିବଲିଙ୍ଗକୁ ସୁରକ୍ଷା ଦିଆଯାଉଥିଲା । କିଛି ଦିନ ପରେ ଜମିଦାରଜଣକ ଗାଆଁଲୋକଙ୍କର ସାହାଯ୍ୟରେ କାଠରେ ଏକ ମନ୍ଦିର ନିର୍ମାଣ କଲେ । ଅଳ୍ପଦିନ ମଧ୍ୟରେ ଭଗବାନ ଆଖଣ୍ଡଳେଶ୍ୱରଙ୍କ ଅଲୌକିକତା ସାରା ଦେଶରେ ପ୍ରଚାର ହେଲା ଏବଂ ବିଭିନ୍ନ ସ୍ଥାନରୁ ଶ୍ରାଦ୍ଧାଳୁମାନଙ୍କର ସମାଗମ ହେଲା । ଏହି ସ୍ଥାନଟିକୁ ଭଗବାନଙ୍କର ଆଶୀର୍ବାଦ ଭାବରେ ଗଣାଗଲା ।
ସେହିସମୟରେ ରାଜକନିକାର ରାଜା ହରିହର ଭଞ୍ଜଦେଓ ଏକ ଘତକ ଚକ୍ଷୁରୋଗରେ ପିଡ଼ୀତ ହୋଇଥିଲେ । ସବୁକିଛି ଚିକିତ୍ସା ବିଫଳ ହେଲା । ଭଗବାନ ଆଖଣ୍ଡଳେଶ୍ୱରଙ୍କର ଆଶୀର୍ବାଦ ତାଙ୍କର ଏହି ରୋଗକୁ ଭଲ କରିଦେଇପାରିବ ବୋଲି ସେ ଭାବିଲେ, ତେଣୁ ସେ ଆସି ଆଖଣ୍ଡଳେଶ୍ୱରଙ୍କ ପାଖରେ ଅଧିଆ ପଡ଼ିଲେ । ଭଗବାନ ଆଖଣ୍ଡଳେଶ୍ୱର ତାଙ୍କର ସ୍ୱପ୍ନରେ ଆସି ତାଙ୍କୁ ସେହି ରୋଗର ଉପଚାର ବିଷୟରେ ପଥ ପ୍ରଦର୍ଶନ କରିଥିଲେ । ଶେଷରେ ଭଗବାନଙ୍କର ଆଶୀର୍ବାଦରେ ରାଜା ଆରୋଗ୍ୟଲାଭ କଲେ । ତାଙ୍କର ମାନସିକ ଅନୁସାରେ ସେ ଭଗବାନ ଆଖଣ୍ଡଳେଶ୍ୱରଙ୍କର ଏକ ପଥର ମନ୍ଦିର ନିର୍ମାଣ କରିବାକୁ ଚେଷ୍ଟା କଲେ । ଆରଡ଼ି ଭଳି ଏକ ସୁନ୍ଶାନ କ୍ଷେତ୍ରରେ ଏବେ ମଧ୍ୟ ଏକ ପଥର ମନ୍ଦିର ନିର୍ମାଣ କରିବା କଷ୍ଟର କାମ । ପଥର ଖଣ୍ଡ ଏବଂ ଚୂନର ବ୍ୟବହାରରେ ହିଁ ପକ୍କା ମନ୍ଦିର ନିର୍ମାଣ ହୋଇପାରୁଥିଲା । ଆରଡ଼ିଠାରୁ ୧୦୦ କିଲୋମିଟର ଦୂର ନୀଳଗିରି ପାହାଡ଼ରେ ହିଁ ସେହି ପଥର ଉପଲବ୍ଧ ଥିଲା । ବୈତରଣୀ ନଦୀର ଜଳପଥ ମାଧ୍ୟମରେ ଏହି ପଥର ଖଣ୍ଡଗୁଡ଼ିକୁ ଆରଡ଼ି ଯାଏ ବୋହି ବୋହି ନିଆଗଲା । ରାଜା ମନ୍ଦିର ନିର୍ମାଣ କରିବା ପାଇଁ ସମସ୍ତ ପ୍ରାରମ୍ଭିକ ଆୟୋଜନ କରିଦେଇଥିଲେ । ଏହାପରେ ସେଠାରେ ସେ ଶିବଗଙ୍ଗା ନାମକ ଏକ ପୁଷ୍କରଣୀ ଖୋଳାଇଥିଲେ । ପୁଷ୍କରଣୀ ସହ ନଦୀକୁ ସଂଯୋଗ କରିବା ଏକ ନାଳ ମଧ୍ୟ ଖୋଳାଇଥିଲେ, ଯାହା ଏବେ ଶିବ ମହର ନାମରେ ନାମିତ । ଏହି ନାଳଟି ମନ୍ଦିର ନିର୍ମାଣ ପଥର ନେବାଆଣିବା କରିବା କାମରେ ଲାଗିଲା । ୧୮୩୯ ଶତାବ୍ଦୀରେ ରାଜା ହରିହର ଭଞ୍ଜଦେଓଙ୍କ ବିୟୋଗ ପରେ ସ୍ୱାମୀରଦ୍ୱାରା ଆରମ୍ଭ ହୋଇଥିବା ମନ୍ଦିର ନିର୍ମାଣ କାର୍ଯ୍ୟ ରାଣୀ ସତ୍ୟଭାମା ପାଟମହାଦେଈଙ୍କଦ୍ୱାରା ଶେଷ ହୋଇଥିଲା ।[3] ଏହି ମନ୍ଦିରଟିର ଉଚ୍ଚତା ୫୦ ଫୁଟ ଏବଂ ଶୁଭ୍ର ବର୍ଣ୍ଣ ଅଟେ ।
ସରକାରୀ ନଥିପତ୍ର ଅନୁସାରେ ୧୮୩୯ ମସିହା ପର୍ଯ୍ୟନ୍ତ ଆରଡ଼ିରେ କାଠ ନିର୍ମିତ୍ତ ମନ୍ଦିର ଥିଲା ଏବଂ ଏହା ପରେ ବର୍ତ୍ତମାନର ପଥର ନିର୍ମିତ ମନ୍ଦିରଟି ତିଆରି ହୋଇଥିଲା ।
ପଥରରେ ମନ୍ଦିର ନିର୍ମାଣ ହେବାପରେ, ସେଠାରେ ଭଗବାନଙ୍କୁ ସ୍ଥାପନ କରାଯାଇଥିଲା । ପରନ୍ତୁ ସେହି ସ୍ଥାନରେ ମୁଖଶାଳା ନଥିଲା । ପରବର୍ତ୍ତୀ ସମୟରେ ଦର୍ଶନ ଦାସ ନାମକ ଜଣେ ସନ୍ଥ ମୁଖଶାଳା ନିର୍ମାଣ କରାଇଥିଲେ । ପରେ ପରେ ସରକାରଙ୍କଦ୍ୱାରା ମନ୍ଦିରରେ ବର୍ତ୍ତମାନର ଭୋଗ ମଣ୍ଡପ ନିର୍ମାଣ ହେବା ସହ ଅନ୍ୟାନ୍ୟ ଦରକାରୀ ଗୃହମାନ ନିର୍ମାଣ ହୋଇଛି ।
ମୁଖ୍ୟ ମନ୍ଦିରର ଗର୍ଭଗୃହରେ ପୂଜା ପାଉଥିବା ଦେବାଦେବୀମାନେ ହେଲେ:
ମନ୍ଦିର ପରିସରରେ ଥିବା ପାର୍ଶ୍ୱଦେବତା ଗଣ ହେଲେ:
ବାବା ଆଖଣ୍ଡଳମଣିଙ୍କର ମନ୍ଦିର ପାର୍ଶ୍ୱରେ ଅବସ୍ଥିତ ଅନ୍ୟାନ୍ୟ ମନ୍ଦିରମାନ ହେଲା:
ହିନ୍ଦୁ ଧର୍ମାନୁସାରେ ଦେବୀଦେବତାମାନଙ୍କର ମାନବ ଭଳି ସେବା କରାଯାଏ । "ଯଥା ଦେହି, ତଥା ଦେବ" । ଭଗବାନଙ୍କର ନିତ୍ୟସେବାରେ ପୋଷାକ ପରିଧାନଠାରୁ ଆରମ୍ଭ କରି ଖାଦ୍ୟଗ୍ରହଣ ପରି କାର୍ଯ୍ୟମାନ ରହିଛି ।
ବାବା ଆଖଣ୍ଡଳମଣି ଗ୍ରୀଷ୍ମ ଋତୁରେ ସକାଳ ୪ଟାରେ ଏବଂ ଅନ୍ୟ ସମସ୍ତ ଋତୁରେ ସକାଳ ୪ଟା ୩୦ରେ ଶଯ୍ୟା ତ୍ୟାଗ କରିଥାନ୍ତି । ପୂର୍ବଦିନର ବଡ଼ ସିଂହାର ବେଶରେ ହିଁ ମଙ୍ଗଳ ଆରତି କରାଯିବା ପରେ ମଙ୍ଗଳ ଆରତି ନୈବେଦ୍ୟ ପ୍ରଦାନ କରାଯାଏ । ଏହା ପରେ ପାଳିଆ ସେବକମାନେ ବଡ଼ ସିଂହାର ବେଶ ଫିଟାଇ ଘିଅ, ମହୁ, ଖିର, ଦହି ଏବଂ ଗୁଡ଼ରୁ ପ୍ରସ୍ତୁତ ପଞ୍ଚାମୃତରେ ମହାସ୍ନାନ କରିଥାନ୍ତି ।
ମହାସ୍ନାନ ପରେ ଭଗବାନ ସମ୍ପୂର୍ଣ୍ଣ ଉଲଗ୍ନ ଥାନ୍ତି ଏବଂ ଭକ୍ତମାନେ ତାଙ୍କର ସେହି ଦବମ୍ବର ବେଶ ଦର୍ଶନ କରନ୍ତି । ସକାଳ ଅରତି ସରିବା ପରେ ଭକ୍ତବୃନ୍ଦ ବାଲ୍ୟଭୋଗ(ବିଭିନ୍ନ ପ୍ରକାରର ମିଠା) ପ୍ରଦାନ କରିଥାନ୍ତି । ଦିନ ୧ଟା ଯାଏ ଭଗବାନଙ୍କର ଉଲଗ୍ନ ବେଶ ଭକ୍ତମାନେ ଦର୍ଶନ କରିଥାନ୍ତି । ଏହି ବେଶ ସମ୍ଭବତଃ ଭଗବାନଙ୍କର ସତ୍ୟ ସ୍ୱରୂପକୁ ଦେଖାଇବା ପାଇଁ ରହିଛି । କପଡ଼ା ପରିଧାନ ପରେ ମୌଳିକତା ସହିତ ସତ୍ୟ ମଧ୍ୟ ଲୁଚିଯାଏ । ଏହି ବେଶରେ ଦେବତାଙ୍କ ଉପରେ ପଞ୍ଚାମୃତ ଘର୍ଷଣ କରିବାକୁ ସୁବିଧା ହୁଏ । ପ୍ରକୃତରେ ଏହି ଅର୍ଦ୍ଧତରଳ ବସ୍ତୁଟି ହେଉଛି ଅଭିଷେକ ପଞ୍ଚାମୃତ ଯାହାକି ମର୍ତ୍ତ୍ୟର ଅମୃତ ସହ ସମାନ ଯାହା ଦୁସାଦ୍ଧ୍ୟ ରୋଗରୁ ଆରୋଗ୍ୟ ଦେବାର ଅଲୌକିକ ଶକ୍ତି ଧାରଣ କରିଥାଏ ।
ଦିନ ୧୦ଟା ୩୦ରେ ଭଗବାନ ଆଖଣ୍ଡଳେଶ୍ୱର ତାଙ୍କର ଆଂଶିକ ଭୋଜନ ଗ୍ରହଣ କରିଥାନ୍ତି । ଅନ୍ନ, ଡାଲି ଏବଂ ବିଭିନ୍ନ ପ୍ରକାରର ତୁଣ ସହ ଏହି ଭୋଗ ଲାଗିକରାଯାଏ ।
ଦିନର ମଧ୍ୟାହ୍ନ ଭୋଜନ ପୂର୍ବରୁ ଭଗବାନ ଆଖଣ୍ଡଳେଶ୍ୱର ଯୋଗୀ ବେଶରେ ସଜ୍ଜିତ ହୋଇଥାନ୍ତି । ଏହି ବେଶରେ ସେ ଧଳା ଧୋତି ଏବଂ ମଥାରେ ଚନ୍ଦନ ତିଳକ ଧାରଣ କରିଥାନ୍ତି । ଏହି ବେଶରେ ସେ ତାଙ୍କର ସାଧାରଣ ଚଳନୀ ଶୈଳୀ ବିଷୟରେ ଦର୍ଶାଇଥାନ୍ତି । ଏହି ବେଶରରେ ଦିନ ୧ଟା ୩୦ରେ ସେ ମଧ୍ୟାହ୍ନ ଭୋଜନ ଗ୍ରହଣ କରିଥାନ୍ତି ଏବଂ ଆରତି ପ୍ରସାଦ ସହିତ ବଡ଼ ଧୂପ ମଧ୍ୟ ପ୍ରଦାନ କରାଯାଇଥାଏ । ଏହାପରେ ମୁଖ ପଖାଳିବା ପାଇଁ ପ୍ରଭୁ ଆଂଶିକ ସ୍ନାନ କରିଥାନ୍ତି ଏବଂ ପାଖାପାଖି ୧ଘଣ୍ଟାର ବିଶ୍ରାମ ନେଇଥାନ୍ତି ।
ଆଖଣ୍ଡଳେଶ୍ୱର ପ୍ରଭୁ ଦ୍ୱିପ୍ରହର ୪ଟା ବେଳେ ଉଠନ୍ତି । ଏହା ପରେ ବଡ଼ସିଂହାରୀ ବଡ଼ସିଂହାର ବେଶ କରାଇଥାନ୍ତି । ଏହି ବେଶରେ ପ୍ରଭୁଙ୍କର ଦେହ ଅନେକପ୍ରକାରର ଫୁଲରେ ସୁସଜ୍ଜିତ ହୋଇଥାଏ । ବଡ଼ସିଂହାର ବେଶ ବେଳେ ମୁଣ୍ଡରେ ମୁକୁଟ ଏବଂ ଦୁଇଟି ସୁନା ଆଖି ସହ ସୁନା ନାଶା ଓ ସୁନା ଚିତା ଧାରଣ କରିବା ସହିତ ମଥାରେ ଚନ୍ଦନ ଚିଳକ ବୋଳାଯାଇଥାଏ । ପ୍ରତିଦିନ ହେଉଥିବା ସମସ୍ତ ବେଶ ମଧ୍ୟରେ ବଡ଼ସିଂହାର ବେଶ ହେଉଛି ପ୍ରମୁଖ ବେଶ । ଏହିବେଶରେ ପ୍ରଭୁ ରାତିରେ ନିଦ୍ରା ଯାଇଥାନ୍ତି ଏବଂ ପରଦିନ ସକାଳ ଯାଏ ଏହି ବେଶ ରହିଥାଏ ।
ଋତୁ ଅନୁସାରେ ସନ୍ଧ୍ୟା ଆରତୀର ସମୟ ବଦଳିଥାଏ, କାରଣ ସୂର୍ଯ୍ୟାସ୍ତ ପରେ ଗୋଧୂଳି ଲଗ୍ନରେ ଏହି ବେଶ ଅନୁଷ୍ଠିତ ହୋଇଥାଏ । ବିଭିନ୍ନ ଋତୁ ଅନୁସାରେ ସୂର୍ଯ୍ୟାସ୍ତର ସମୟ ବଦଳୁଥିବାରୁ, ଗ୍ରୀଷ୍ମକାଳରେ ପାଖାପାଖି ସନ୍ଧ୍ୟା ୬ଟା ୩୦ରେ ସନ୍ଧ୍ୟା ଆରତୀ ଲାଗି କରାଯାଏ ଏବଂ ଶୀତ ଋତୁରେ ପାଖାପାଖି ୫ଟା ୩୦ରେ ସନ୍ଧ୍ୟା ଆରତି ଲାଗି କରାଯାଏ । ସନ୍ଧ୍ୟା ଆରତୀ ସମୟରେ ସୂଜି, ଘିଅ ଏବଂ ଚିନିରୁ ପ୍ରସ୍ତୁତ ଲଡ଼ୁ ଭୋଗ କରାଯାଏ ।
ବିଭିନ୍ନ ଋତୁ ଅନୁସାରେ ରାତ୍ର ପହଡ଼ର ସମୟ ମଧ୍ୟ ବଦଳିଥାଏ । ଶୀତ ଋତୁରେ ରାତ୍ର ପହଡ଼ର ସମୟ ରାତି ୧୦ଟା ଥିବାବେଳେ ଗ୍ରୀଷ୍ମ ୠତୁରେ ଏହି ପହଡ଼ ରାତି ୧୧ଟାରେ ଅନୁଷ୍ଠିତ ହୋଇଥାଏ । ବାତୁଳ ଭୋଗ ପରେ ରାତ୍ର ପହଡ଼ ଅନୁଷ୍ଠିତ ହୋଇଥାଏ । ଭଗବାନ ଆଖଣ୍ଡଳେଶ୍ୱରଙ୍କର ରାତ୍ର ଭୋଜନ ହେଉଛି ବାତୁଳ ଭୋଗ । ଏହି ଭୋଗରେ ଅନ୍ନ ସହିତ ବିଭିନ୍ନ ପ୍ରକାରର ତରକାରୀ ପ୍ରଭୁଙ୍କ ପାଖରେ ଲାଗି କରାଯାଇଥାଏ । ଏହି ଭୋଗ ପରେ ଶେଷ ଧୂପ ଲାଗି କରାଯାଏ । ଏହା ପରେ ପ୍ରଭୁ ବିଶ୍ରାମ ନିଅନ୍ତି । ତାଙ୍କର ଚଳନ୍ତି ପ୍ରତିମା ଶଯ୍ୟା ଯାଇଥାନ୍ତି ଏବଂ ମନ୍ଦିର ବନ୍ଦ ହୋଇଥାଏ ।
ବାବାମଣିଙ୍କ ପାଦୁକା (କୁଣ୍ଡଜଳ) ବିଭିନ୍ନ ରୋଗବିନାଶକାରୀ ଭାବରେ କାର୍ଯ୍ୟ କରିଥାଏ ବୋଲି ସାଧାରଣରେ ଦୃଢ଼ ବିଶ୍ୱାସ ରହିଆସିଛି । ଘିଅ, ମହୁ, କ୍ଷୀର, ଲହୁଣୀ, ଛେନା, ଦହି, ଅଦା, ଗୁଡ଼, ନଡ଼ିଆ ଓ କଦଳୀ ଇତ୍ୟାଦି ବହୁ ଉପାଦେୟ ଦ୍ରବ୍ୟମାନ ନୈବେଦ୍ୟ ଭାବେ ମହାପ୍ରଭୁଙ୍କର ଅଙ୍ଗଲାଗି ବା ଘର୍ଷଣ ହୋଇ ସାରିବା ପରେ ସ୍ନାନ ସମୟରେ ସେଥିରୁ ନିର୍ଗତ ସ୍ନାନଜଳକୁ କୁଣ୍ଡଜଳ ବା ପାଦୁକା କୁଣ୍ଡରେ ରଖାଯାଇଥାଏ । ଏହି ଜଳକୁ ଚନ୍ଦୁକ କୁହାଯାଏ । ବହୁ ଲୋକ ଏଠାକାର ପାଦୁକାକୁ ମେଡିସିନ ରୂପେ ମାନିଥାନ୍ତି ବିବାହ, ବ୍ରତ, ଗୃହପ୍ରତିଷ୍ଠ ଇତ୍ୟାଦି ଶୁଭକାର୍ଯ୍ୟଗୁଡ଼ିକରେ ଏହି ପବିତ୍ର ଜଳକୁ ଇଶ୍ୱରଙ୍କ ଆଶୀର୍ବାଦ ଭାବରେ ଗ୍ରହଣ କରାଯାଇଥାଏ ।
ବର୍ଷସାରା ବାବା ଆଖଣ୍ଡଳମଣୀଙ୍କ ପାଖରେ ମଧ୍ୟ ଅନେକ ପର୍ବପର୍ବାଣି ପାଳନ କରାଯାଏ । ହିନ୍ଦୁ ପଞ୍ଜିକା ଅନୁସାରେ ବୈଶାଖ ମାସରୁ ହିଁ ବର୍ଷ ଆରମ୍ଭ ହୋଇଥାଏ ।
ଭୋର ୪ଟାରେ ବାବା ଶ୍ରୀ ଆଖଣ୍ଡଳମଣିଙ୍କର ପହଡ଼ ଫିଟାଯାଏ । ମୁଖ ପ୍ରକ୍ଷାଳନ ଏବଂ ଦନ୍ତ ମଞ୍ଜନ ପରେ ମଙ୍ଗଳ ଆଳତୀ ଆରମ୍ଭ ହୋଇଥାଏ । ମନ୍ଦିରର ପ୍ରଧାନ ପୂଜକ ପ୍ରାର୍ଥନା କରନ୍ତି ଏବଂ ଭଗବାନଙ୍କୁ ସ୍ନାନ ପାଇଁ ଆନୁରୋଧ କରିଥାନ୍ତି । ନୈବେଦ୍ୟ ପରେ ମଙ୍ଗଳ ଆଳତୀ ପ୍ରଦାନ କରାଯାଏ । ଏହା ପରେ ବାବା ଆଖଣ୍ଡଳେଶ୍ୱର ଦିଗମ୍ବର ବେଶରେ ବିଭୂଷୀତ ହୋଇଥାନ୍ତି ଏବଂ ମର୍ତ୍ତ୍ୟର ଅମୃତ ରୂପେ ଜ୍ଞାନ ପଞ୍ଜାମୃତ ଘର୍ଷଣ କାର୍ଯ୍ୟ ଆରମ୍ଭ ହୋଇଥାଏ ।
ସମସ୍ତ ରିଷ୍ଟ ଖଣ୍ଡନ କରୁଥିବା ଏହି ଘର୍ଷଣକୁ ପଣା କୁହାଯାଏ । ଅନ୍ୟ ମନ୍ଦିରମାନଙ୍କରେ କେବଳ ପଣା ସଂକ୍ରାନ୍ତି ଦିନ ହିଁ ଏହି ଘର୍ଷଣ ପର୍ବ ଅନୁଷ୍ଠିତ ହେଉଥିବା ବେଳେ, କେବଳ ବାବା ଶ୍ରୀ ଆଖଣ୍ଡଳେଶ୍ୱରଙ୍କର ମନ୍ଦିରରେ ପ୍ରତିଦିନ ଏହି ପର୍ବ ଅନୁଷ୍ଠିତ ହୋଇଥାଏ । ଏହି ସ୍ୱତନ୍ତ୍ର ଫଳଦାୟକ ଘର୍ଷଣ ପ୍ରାପ୍ତ କରିବା ପାଇଁ, ଏହିଦିନ ମନ୍ଦିରକୁ ହଜାର ହଜାର ସଂଖ୍ୟାରେ ଭକ୍ତମାନେ ଆସିଥାନ୍ତି । କେବଳ ଏହିଦିନ ହିଁ ମନ୍ଦିରର ସେବକମାନେ ସେମାନଙ୍କର ଖର୍ଚ୍ଚରେ ହିଁ ଘର୍ଷଣ ପ୍ରଦାନ କରିଥାନ୍ତି । ପଣା ସଂକ୍ରାନ୍ତି ଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥାଏ ।
ଗ୍ରୀଷ୍ମ ଋତୁର ଜ୍ୟୈଷ୍ଠମାସରେ ଯେତେବେଳେ ସୂର୍ଯ୍ୟଦେବଙ୍କ ପ୍ରକୋପର ଅସହ୍ୟ ତାତିରେ ଜୀବନ ଜୀଇଁବା କଷ୍ଟ ହୋଇଯାଏ, ସେତେବେଳେ ଶିବ-ଗଙ୍ଗା ପୁଷ୍କରଣୀରେ ଚନ୍ଦନ ଚାପ(ନୈକା ବିହାର) ଅନୁଷ୍ଠିତ ହୋଇଥାଏ । ବାବା ଆଖଣ୍ଡଳେଶ୍ୱରଙ୍କର ଚଳନ୍ତି ପ୍ରତିମା ଚନ୍ଦ୍ରଶେଖର ଦେବୀ ପାର୍ବତୀଙ୍କ ସହ ବୃଷଭଙ୍କ ଉପରେ ସବାର ହୋଇ ଡଙ୍ଗାରେ ନୈବିହାର କରନ୍ତି ।
ଭକ୍ତିଗୀତର ତାଳେ ତାଳେ ସ୍ୱର୍ଗୀୟ ଭାବନା ସୃଷ୍ଟି କରୁଥିବା ମାଳମାଳ ଆଲୋକ ତଥା ସୁସଜ୍ଜିତ ଶିବ-ଗଙ୍ଗା ପୁଷ୍କରଣୀରେ ଭଗବାନ ନୈବିହାର କରିଥାନ୍ତି । ପ୍ରକୃତରେ ଏହା ଅତ୍ୟନ୍ତ ମନୋମୁଗ୍ଧକର । ସନ୍ଧ୍ୟାରେ ପ୍ରବଚକମାନଙ୍କର ପ୍ରବଚନ, ସାଂସ୍କୃତିକ କାର୍ଯ୍ୟକ୍ରମ ତଥା ପୁଷ୍କରଣୀରେ ଦେବତାଙ୍କର ବିରାଜମାନର ଦୃଶ୍ୟ ଏହି ଉତ୍ସବକୁ ଆକର୍ଷଣୀୟ କରାଇଥାଏ । ଅକ୍ଷୟ ତୃତୀୟାଠାରୁ ଆରମ୍ଭ ହୋଇ ଏହି ପର୍ବ ୨୧ ଦିନ ଧରି ଚାଲିଥାଏ ।
୨୧ ଦିନ ଧରି ପାଳନ କରାଯାଉଥିବା ଏହି ଚନ୍ଦନ ଯାତ୍ରାର ମୁଖ୍ୟ ଦିନ ହେଉଛି ଚନ୍ଦନ ପୂର୍ଣ୍ଣିମା । ଲୋକ କଥାନୁସାରେ ଏହି ପବିତ୍ର ନୈକାବିହାରରେ ଦେବଦେବ ଶ୍ରୀ ମହାଦେବ ଅଖଣ୍ଡଳେଶ୍ୱର ଅସହ୍ୟ ଗରମ ତାତିରୁ ମୁକ୍ତି ପାଇଥାନ୍ତି, କିନ୍ତୁ ବାସ୍ତବରେ ଏହି ସମୟଟି ଦେବତା ଏବଂ ମାନବମାନଙ୍କର ସଭା ପାଇଁ ଏକ ଉପଯୁକ୍ତ ସମୟ । ଭଗବାନ ସ୍ୱୟଂ ମନ୍ଦିରରୁ ବାହାରକୁ ଆସିଥାନ୍ତି ଏବଂ ଭକ୍ତମାନଙ୍କର ସମସ୍ତ ଦୁଃଖ ଅସୁବିଧା ହରଣ କରିଥାନ୍ତି ।
ଆଷାଢ଼ ଶୁକ୍ଳ ପକ୍ଷରେ ବାବା ଆଖଣ୍ଡଳେଶ୍ୱରଙ୍କର ମନ୍ଦିରରେ ଶିବ ବିବାହ ଅନୁଷ୍ଠିତ ହୋଇଥାଏ । ବେଦର ବର୍ଣ୍ଣନାରେ ଥିବା ସୂଚନାନୁସାରେ ଭଗବାନ ଶିବ ଏବଂ ପାର୍ବତୀଙ୍କ ମଧ୍ୟରେ ବିବାହ ଅନୁଷ୍ଠିତ ହୋଇଥାଏ । ମନ୍ଦିରର ପୂଜକମାନଙ୍କ ମଧ୍ୟରୁ ଜଣେ ଦେବୀ ପାର୍ବତୀଙ୍କର ପିତାଙ୍କ ଭୂମିକା ତୁଲାଇଥିବା ବେଳେ ଅନ୍ୟଜଣେ ଭଗବାନ ଶିବଙ୍କର ପିତାଙ୍କ ଭୂମିକା ତୁଳାଇଥାନ୍ତି । ଏହା ପରେ ବିବାହର ପବିତ୍ର ମୁହୂର୍ତ୍ତ ନିର୍ଦ୍ଧାରଣ କରିବା ପରେ ବିବାହ କାର୍ଯ୍ୟ ସମ୍ପାଦନ କରି ବରକନ୍ୟାଙ୍କୁ ସ୍ୱାଗତ କରାଯାଏ ।
ଏହି ବିବାହ ଉତ୍ସବକୁ ସମସ୍ତ ଦେବାଦେବୀ, ମାନବ, ଅସୁର, ଜକ୍ଷ ସମେତ ସମସ୍ତଙ୍କୁ ସାଦର ନିମନ୍ତ୍ରଣ କରାଯାଇଥାଏ । ଆକର୍ଷଣୀୟ ଏବଂ ସୁନ୍ଦର ସାଜସଜ୍ଜା ସହିତ ରୋଷଣୀରେ ବିବାହ କାର୍ଯ୍ୟ ଆରମ୍ଭ ହୋଇଥାଏ । ମନୋମୁଗ୍ଧକର ରୋଷଣୀ ବର ଘରଠାରୁ ଆରମ୍ଭ ହୋଇ କନ୍ୟା ଘର ପର୍ଯ୍ୟନ୍ତ ଯାଇଥାଏ । ଦେବୀ ପାର୍ବତୀଙ୍କର ଚଳନ୍ତି ପ୍ରତିମା ପାଲିଙ୍କିରେ ବସି ସୁସଜ୍ଜିତ ବେଦୀକୁ ଆସିଥାନ୍ତି । ରାତିସାରା ଶିବ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥାଏ ଏବଂ ବର ପିତା ଓ କନ୍ୟା ପିତାଙ୍କର ଭାବପୂର୍ଣ୍ଣମିଳନରେ ଏହି ବିବାହ ସମାପ୍ତ ହୋଇଥାଏ । ଏହି ଉତ୍ସବର ରାତିରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ଅତିଥୀମାନଙ୍କୁ ବିଭିନ୍ନ ପ୍ରକାରର ସୁସ୍ୱାଦୁ ଭୋଜନ ପ୍ରଦାନ କରାଯାଇଥାଏ । ଏହି ସମ୍ପୂର୍ଣ୍ଣ ବିବାହ କାର୍ଯ୍ୟଟି ମନ୍ଦିର ପ୍ରଶାସନ ତରଫରୁ ସମ୍ପାଦନ କାରଯାଇଥାଏ ।
ଧରାପୃଷ୍ଠରୁ ଆଷାଢ଼ମାସ ବିଦାୟ ନେବା ପରେ ଶ୍ରାବଣର ପ୍ରଥମ ସୋମବାରରୁ ଶ୍ରବଣୀ ମହୋତ୍ସବ ଆରମ୍ଭ ହୋଇଥାଏ । ସବୁ ସ୍ଥାନରେ ଗୋଟିଏ ସ୍ୱର ଶୁଣାଯାଏ, ଜଟିଆ ବାବା ପାର୍ କରେଗା । ବାବା ଆଖଣ୍ଡଳେଶ୍ୱରଙ୍କୁ ଜଳାଭିଷେକ କରାଇବା ପାଇଁ ଦେଶର ବିଭିନ୍ନ କୋଣରୁ ଲୋକମାନେ ଆସିଥାନ୍ତି । କାଉଁରିଆମାନେ ବିଭିନ୍ନ ନଦୀରୁ ଜଳ ଆଣି ପାଦରେ ଚାଲିଚାଲି ଆଖଣ୍ଡଳେଶ୍ୱରଙ୍କ ଉପରେ ଜଳାଭିଷେକ କରାଇବା ପାଇଁ ଆସିଥାନ୍ତି । ବମ୍ ବମ୍ ଭୋଲେ ଭଳି ସୁମଧୁର ସ୍ୱରରେ ଚତର୍ଦିଗ ପ୍ରକମ୍ପିତ ହୋଇଥାଏ ।
ଶ୍ରବଣୀ ମହୋତ୍ସବ ସମୟରେ ମନ୍ଦିରର ସଜ୍ଞା ଶବ୍ଦର ବର୍ଣ୍ଣନା କରିହେବ ନାହିଁ । ପ୍ରତ୍ୟେକ ସୋମବାର ସନ୍ଧ୍ୟାରେ ମନ୍ଦିର ପ୍ରଶାସନ ପକ୍ଷରୁ ବିଭିନ୍ନ ଆଲୋକମାଳାରେ ମନ୍ଦିରକୁ ସଜାଯିବା ସହ ଭକ୍ତି ସଙ୍ଗୀତ ସାଙ୍ଗକୁ ପ୍ରବଚନର ମଧ୍ୟ ଆୟୋଜନ କରାଯାଇଥାଏ । କାଉଁରିଆ ସଙ୍ଗଠନ ପକ୍ଷରୁ ଜଳ ନେଇ ଆସୁଥିବା କାଉଁରିଆମାନଙ୍କ ପାଇଁ ମଗଣା ଖାଦ୍ୟପେୟର ବନ୍ଦୋବସ୍ତ କରାଯାଇ ସଙ୍ଗେ ସଙ୍ଗେ ସେମାନଙ୍କର ସେବା ପାଇଁ ସମସ୍ତ ଆୟୋଜନ କରାଯାଇଥାଏ । ଶ୍ରାବଣୀ ମହୋତ୍ସବ ପ୍ରଥମ ସୋମବାରରୁ ଆରମ୍ଭ ହୋଇ ଶେଷ ସୋମବାରରେ ସମାପ୍ତ ହୋଇଥାଏ । କିନ୍ତୁ ଜଗନ୍ନାଥ ପଞ୍ଜିକାନୁସାରେ ଏହି ଉତ୍ସବ ଶ୍ରାବଣ ପୂର୍ଣ୍ଣିମା ଯାଏ ଚାଲିଥାଏ । ଶ୍ରାବଣ ମାସର ପ୍ରତ୍ୟେକ ସମୋବାରରେ ଜଳାଭିଷେକ କରଯାଇଥାଏ ।
ଶ୍ରାବଣ ଏକାଦଶୀଠାରୁ ଝୁଲଣ ଯାତ୍ରା ଆରମ୍ଭ ହୋଇଥାଏ ଏବଂ ଶ୍ରାବଣ ପୂର୍ଣ୍ଣିମାରେ ଏହି ମେଳ ଶେଷ ହୁଏ । ଏହି ଯାତ୍ରାରେ ବାବା ଆଖଣ୍ଡଳେଶ୍ୱରଙ୍କର ଚଳନ୍ତି ପ୍ରତିମା ଚନ୍ଦ୍ରଶେଖର ଦେବୀ ପାର୍ବତୀଙ୍କ ସହ ଝୁଲଣ ମଣ୍ଡପକୁ ଆସନ୍ତି । ଶ୍ରାବଣର ସୁନ୍ଦର ସନ୍ଧ୍ୟାରେ ବୃଷଭ ଉପରେ ଏକତ୍ର ବିରାଜମାନ ହୋଇ ମିଠା ମିଠା ଭକ୍ତି ସଙ୍ଗୀତ ତାଳେ ତାଳେ ସେମାନଙ୍କର ଝୁଲଣ ଯାତ୍ର ଆରମ୍ଭ ହୋଇଥାଏ । ଏହି ଯାତ୍ରା ୫ ଦିନ ଧରି ରାକ୍ଷୀ ପୂର୍ଣ୍ଣିମା ପର୍ଯ୍ୟନ୍ତ ଚାଲିଥାଏ । ଏହି ଯାତ୍ରାର ଆନନ୍ଦ ଦେଖିବା ଭଳି ହୋଇଥାଏ ।
ଭାଦ୍ରବ ଶୁକ୍ଳ ଚତୁର୍ଥୀ ତିଥିରେ ସଙ୍କଳ୍ପ ମଣ୍ଡପରେ ଦେବୀ ପାର୍ବତୀଙ୍କର ପ୍ରିୟ ପୁତ୍ର ବିଘ୍ନନାଶକ ଶ୍ରୀ ଗଣେଶ ବିଦ୍ୟମାନ ହୋଇଥାନ୍ତି । ଏହି ମଣ୍ଡପରେ ଶ୍ରୀ ଗଣେଶ ପୂଜା ଅନୁଷ୍ଠିତ ହୋଇଥାଏ ଏବଂ ଭକ୍ତମାନେ ଉପବାସ କରିବା ସହ ଶ୍ରୀ ଗଣେଶଙ୍କ ଉପସନା କରିଥାନ୍ତି । କେବଳ ମନ୍ଦିରର ପୂଜକମାନେ ନୁହେଁ ବରଂ ସମସ୍ତ ସାଧାରଣ ଜନତା ଏହି ପୂଜାରେ ଯୋଗଦେଇ ଶ୍ରୀ ଗଣେଶଙ୍କର ଆଶୀର୍ବାଦ ପ୍ରାପ୍ତ କରିଥାନ୍ତି ।
ଗଣେଶ ପୂଜାଠାରୁ ପାର୍ବଣ ଆରମ୍ଭ ହୋଇଥାଏ । ଆଖଣ୍ଡଳେଶ୍ୱର ମନ୍ଦିରରେ ମୂଳାଷ୍ଟମୀଠାରୁ ଆରମ୍ଭ ହୋଇ ଦୁର୍ଗା ପୂଜା ଦୀର୍ଘ ୧୬ ଦିନ ଧରି ଚାଲିଥାଏ । କନକ ଦୂର୍ଗାଙ୍କର ମନ୍ଦିର ମନ୍ଦିରର ଦକ୍ଷିଣ ଭାଗରେ ଅବସ୍ଥିତ । ଦେବୀ ପାର୍ବତୀ ଉତ୍ତରକୁ ମୁଖ କରି ବିରାଜମାନ ହୋଇଛନ୍ତି । ବାବା ଆଖଣ୍ଡଳେଶ୍ୱରଙ୍କର ମନ୍ଦିରର ଗର୍ଭଗୃହରେ ଦେବୀ ପାର୍ବତୀ ଏବଂ ଦେବୀ କନକ ଦୁର୍ଗା ସିଂହାସନରେ ବିରାଜମାନ କରିଛନ୍ତି ।
୧୬ଦିନ ଧରି ଏହି ପର୍ବ ବଡ଼ ଆଡ଼ମ୍ବର ସହ ପାଳନ କରାଯାଏ । ଆଚାର ବିଚାର ଅନୁସାରେ, ଦେବୀ ଦୁର୍ଗା ୧୬ ଦିନ ଧରି ଯୁଦ୍ଧ କରି ମହିସାଷୁରକୁ ବଦ୍ଧ କରିଥିଲେ । ସେଥିପାଇଁ ଏହି ୧୬ଦିନର ପୂଜା ଦେବୀ ଦୁର୍ଗାଙ୍କ ପାଇଁ ପାଳନ କରାଯାଏ, ଯାହାଙ୍କର ବୟସ ୧୬ ବର୍ଷ ବୋଲି ଧରାଯାଏ । ୧୬ଦିନର ଏହି ପୂଜାରେ ପ୍ରତହ୍ୟ ଚଣ୍ଡି ଯଜ୍ଞ ଏବଂ ଷୋଡ଼ଶ ଉପଚାର ପୂଜା କରାଯାଇଥାଏ । ପ୍ରତ୍ୟେକ ସନ୍ଧ୍ୟାକୁ ଆକର୍ଷଣୀୟ କରିବା ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ସଙ୍ଗେ ସଙ୍ଗେ ପ୍ରବଚନର ଆୟୋଜନ କରାଯାଇଥାଏ ।
କାର୍ତ୍ତୀକ କୃଷ୍ଣ ଚତୁଦ୍ଦର୍ଶୀଠାରୁ ଦୀପାବଳୀ ଉତ୍ସବ ଆରମ୍ଭ ହୋଇଥାଏ ଏବଂ ଅମାବାସ୍ୟାର ଘନ ଅନ୍ଧକାରର ମଧ୍ୟରାତ୍ରରେ ଦେବୀ କାଳୀଙ୍କ ପୂଜା ଆରମ୍ଭ ହୋଇଥାଏ । ମହାକାଳୀ ମନ୍ଦିରର ଦକ୍ଷିଣ ପାର୍ଶ୍ୱରେ ବିରାଜମାନ କରିଥାନ୍ତି । ପୂରାଣାନୁସାରେ ଅସୁରମାନଙ୍କର ବିନାସ କରି ସାଧୁସନ୍ଥମାନଙ୍କୁ ରକ୍ଷା କରିବା ନିମନ୍ତେ ଦେବୀ ପାର୍ବତୀ ହିଁ ମହାକାଳୀଙ୍କର ଅବତାର ନେଇଥିଲେ ।
ଦୀପାବଳୀରେ ସୁସଜ୍ଜିତ ମନ୍ଦିର ଏକ ନବବଧୂ ପରି ଦୃଶ୍ୟମାନ ହୋଇଥାଏ ।
କାର୍ତ୍ତୀକ ପୂର୍ଣ୍ଣିମାରେ ସମ୍ପୂର୍ଣ୍ଣ ଦିନକର ଯଜ୍ଞ ପରେ ଭଗବାନ ଶିବ ଏବଂ ଦେବୀ ପାର୍ବତୀ ହର-ଗୌରୀ ରୂପରେ ଆବିର୍ଭୂତ ହୋଇଥାନ୍ତି । ବଡ଼ ସିଂହାର ବେଶରେ ଦର୍ଶନ ଦେଉଥିବା ମହାଦେବ ଶିବଙ୍କର ସିଂହାସରେ ଠିକ ପଛ ପଟରେ ଏକ ରୂପା ସିଂହାସନରେ ମହାଦେବ ଶିବ ଏବଂ ଦେବୀ ପାର୍ବତୀଙ୍କର ସୋଲୋ ନିର୍ମିତ ପ୍ରତିମୂର୍ତ୍ତୀ ରଖାଯାଇଥାଏ । କେବଳ ଏହି ଦିନରେ ଭକ୍ତମାନେ ହର-ଗୌରୀଙ୍କର ଏହି ପ୍ରତିମୂର୍ତ୍ତୀକୁ ସ୍ପର୍ଶ କରିପାରିଥାନ୍ତି । ରାସ ପୂର୍ଣ୍ଣିମା ପାଇଁ ସନ୍ଧ୍ୟାରେ ଆୟୋଜନ କରାଯାଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରକୃତରେ ସୁଖଦ ହୋଇଥାଏ । ଏହି ସନ୍ଧ୍ୟାରେ ସ୍ଥାୟୀ ମଣ୍ଡପରେ ବିଭିନ୍ନ ପ୍ରକାରର ନାଚଗୀତର ଆସର ଜମିଥାଏ ।
ଆଷାଢ଼ ମାସର ଶୁକ୍ଳ ତ୍ରୟୋଦଶୀଦିନ ଗୀତା ଜୟନ୍ତୀ ପାଳନ କରାଯାଏ । ଭଗବାନ ଶିବ ଏବଂ ଭଗବାନ ବିଷ୍ଣୁ ହେଉଛନ୍ତି ଏକ ଏବଂ ଉଦାସୀନ । ଭଗବାନ ଶିବ ହେଉଛନ୍ତି ଭଗବାନ ବିଷ୍ଣୁଙ୍କର ପ୍ରଧାନ ଭକ୍ତ । ପବିତ୍ର ଗୀତା ବହିର ଦିବ୍ୟ ମନ୍ତ୍ର ଉଚ୍ଚାରଣ ଏବଂ ମନ୍ତ୍ର ବିଷୟରେ ବିଚାର ବିମର୍ଶରେ ସେଦିନ ମନ୍ଦିର ସ୍ୱର୍ଗ ପରି ଲାଗିଥାଏ । କେବଳ ପୂଜମାନେ ନୁହନ୍ତି ସାଧରଣ ଭକ୍ତମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥାନ୍ତି ।
ଫାଲ୍ଗୁନ ମାସର କୃଷ୍ଣ ତ୍ରୟୋଦସୀ ପରେ ଚତୁର୍ଦ୍ଦଶୀ ଦିନ ପ୍ରସିଦ୍ଧ ଜାଗର ଯାତ୍ରା ପାଳନ କାରଯାଏ । ଏହି ପର୍ବ ବର୍ଷସାରା ପାଳନ କରାଯାଉଥିବା ପର୍ବମାନଙ୍କର ସମିଶ୍ରଣ ସହ ସମାନ ଅଟେ । ଆଳତୀ ସରିବା ପରେ କନିକାର ରାଜା ଘର୍ଷଣ ଏବଂ ଖିଚୁଡ଼ି ଅର୍ପଣ କରିଥାନ୍ତି । ମହାଦେବ ଦିଗମ୍ବର ବେଶ ଧାରଣ କରିଥାନ୍ତି ଏବଂ ଅସଂଖ୍ୟ ଭକ୍ତ ଏହି ଆକର୍ଷକ ଶୋଭା ଦେଖିବା ପାଇଁ ଆସିଥାନ୍ତି । ଜାଗରର ପ୍ରଥମ ପହଡ଼ରୁ ହିଁ ପୂଜା ଆରମ୍ଭ ହୋଇଥାଏ । ସମସ୍ତ ଭକ୍ତ ଏବଂ ପୂଜକମାନେ ଷୋଡ଼ଶ ଉପଚାର ଅଭିଷେକ ଏବଂ ଯଜ୍ଞର ସମାପ୍ତିଯାଏ ଉଜାଗର ରହିଥାନ୍ତି । ପୂଜାର ଶେଷ ପହଡ଼ ଏବ ଅଭଷେକ ପରେ ମହାସ୍ନାନ ଅନୁଷ୍ଠିତ ହୋଇଥାଏ । ଗଙ୍ଗା ନଦୀରୁ ସଂଗ୍ରହ କରାଯାଇଥିବା ୧୦୮କୁମ୍ଭ ଜଳ ମହାଦେବଙ୍କ ଉପରେ ପୂଜକମାନେ ଢ଼ାଳିଥାନ୍ତି । ଏହା ପରେ ମହାଦେବ ଶିବ ଅତ୍ୟାବଶ୍ୟକୀୟ ସୁନାର ଅଳଙ୍କାରରେ ଅଳଙ୍କୃତ ହୋଇଥାନ୍ତି । ଭଗବାନ ଶିବଙ୍କର ଏହି ସୁନ୍ଦର ରୂପ ଦେଖିବାକୁ ଅନ୍ୟ ଦେବାଦେବୀମନଙ୍କ ଅନେକ ଇଚ୍ଛା ଥାଏ । ଏହି ଅଳଙ୍କାର ସହ ମହାଦେବ ଶିବର ଦର୍ଶନ ସମସ୍ତ ମାନବ ସମେତ ଦେବାଦେବୀଙ୍କ ପାଇଁ ଅମୂଲ୍ୟ ଅଟେ ।
ମନ୍ଦିର ପ୍ରଶାସନ ତରଫରୁ ଆୟୋଜନ କରାଯାଇଥିବା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ ରାତିସାରା ଚାଲିଥାଏ । ଏହିଦିନ ମନ୍ଦିରର ସମସ୍ତ କାର୍ଯ୍ୟ ଏବଂ ଅଳାଙ୍କାର ଆଭୂଷଣର ଦୃଶ୍ୟ ଦୂରଦର୍ଶନ ମାଧ୍ୟମରେ ପ୍ରାସାରଣ କରାଯାଏ ଏବଂ ମନ୍ଦିର ବାହାରେ ଥିବା ଭକ୍ତମାନଙ୍କ ପାଇଁ ପ୍ରୋଜେକ୍ଟର ମାଧ୍ୟମରେ ଦେଖାଯାଇଥାଏ । ଏହି ସବୁର ଆୟୋଜନ ସମସ୍ତ ଭକ୍ତମାନଙ୍କଦ୍ୱାରା ହୋଇଥାଏ । ଷୋଡ଼ଶ ଉପଚାର ପୂଜା ଶେଷ ହେବା ପରେ ପାଖାପାଖି ରାତି ୪ଟା ବେଳେ ମହାଦୀପ ପୂଜା ଆରମ୍ଭ ହୋଇଥାଏ । ମନ୍ଦିରର ପୂଜକମାନଙ୍କଦ୍ୱାରା ମହାଦୀପ ପ୍ରସ୍ତୁତ କରାଯାଇଥାଏ । ବେଦରେ ଥିବା ସୂଚନାନୁସାରେ ପୂଜକ ଏବଂ ଭକ୍ତମାନେ ମହାଦୀପକୁ ଧରି ମନ୍ଦିର ଚାରିପଟେ ପରିକ୍ରମା କରିବା ପରେ ଶେଷରେ ମନ୍ଦିରର ଅଗ୍ରଭାବରେ ଦୀପକୁ ସ୍ଥାପନ କରିଥାନ୍ତି । ଭକ୍ତମାନଙ୍କର ରିଷ୍ଟଖଣ୍ଡନ ତଥା ସେମାନଙ୍କୁ ଉପରୁ କୁଶକ୍ତିକୁ ଦୂର କରିବା ପାଇଁ ଏହି ପୂଜା କରାଯାଇଥାଏ ।
ଫାଲ୍ଗୁନ ମାସର ପୂର୍ଣ୍ଣିମା ଦିନ ବାବା ଆଖଣ୍ଡଳେଶ୍ୱର ମନ୍ଦିରରେ ଦୋଳ ଯାତ୍ରା ଅନୁଷ୍ଠିତ ହୋଇଥାଏ । ବାବା ଆଖଣ୍ଡଳେଶ୍ୱର ଏବଂ ମାତା ପାର୍ବତୀଙ୍କର ଚଳନ୍ତି ପ୍ରତିମା ଏହିଦିନ ବୃଷଭ ଉପରେ ସବାର ହୋଇ ଭୋଗମଣ୍ଡପକୁ ଆସିଥାନ୍ତି । ଭୋଗମଣ୍ଡପରେ ସେଦିନ ରାତିରେ ଅନ୍ୟ ସ୍ଥାନରୁ ଆସିଥିବା ଦେବତାମାନଙ୍କୁ ସେମାନେ ଭେଟିଥାନ୍ତି । ମହଦେବ ଶିବ ଭଗବାନ ବିଷ୍ଣୁଙ୍କୁ ଏବଂ ଦେବୀ ପାର୍ବତୀ ମାଆ ଲକ୍ଷ୍ମୀଙ୍କୁ ଭେଟିଥାନ୍ତି । ସେହି ମିଳନ ସ୍ଥାନରେ ହିନ୍ଦୁମାନଙ୍କର ନବ ବର୍ଷର ନୂଆ ପାଞ୍ଜି ଉନ୍ମୋଚିତ ହୋଇଥାଏ ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.