ଆଓର୍ଟିକ ସ୍ଟେନୋସିସ
From Wikipedia, the free encyclopedia
From Wikipedia, the free encyclopedia
ଆଓର୍ଟିକ ସ୍ଟେନୋସିସ (ଏ ଏସ) (ଇଂରାଜୀରେ Aortic stenosis ବା AS) କୁହାଯାଏ ଯେତେବେଳେ ହୃତ୍ପିଣ୍ଡରେ ଥିବା ବାମ ନିଳୟର ପ୍ରସ୍ଥାନଦ୍ୱାର ଅଣଓସାରିଆ ବା ସରୁ ହୋଇଯାଇ ସମସ୍ୟା ଉପୁଜେ । ଏହା ଆଓର୍ଟିକ ଭଲ୍ଭ ଯାଗାରେ ହୋଇପାରେ ବା ତା ଉପରେ ତଥା ନିମ୍ନରେ ହୋଇପାରେ । ସମୟକ୍ରମେ ଏହା ଅତି ଖରାପ ଦିଗକୁ ଗତିକରେ । ଲକ୍ଷଣ ଧୀରେ ଧୀରେ ଆସେ; ବ୍ୟାୟାମ କରିବାର ଅକ୍ଷମତା ପ୍ରଥମେ ହୁଏ । ହୃଦ୍ପାତ, ମୂର୍ଚ୍ଛା କିମ୍ବା ହୃତ୍ପିଣ୍ଡ ଜନିତ ଯନ୍ତ୍ରଣା ଇତ୍ୟାଦି ଲକ୍ଷଣମାନ ଏହି ରୋଗରେ ଦେଖାଯାଏ ଓ ଏହାର ଫଳାଫଳ ଅତି ଖରାପ ହୁଏ । ଠିଆ ହେଲାବେଳେ ବା ବ୍ୟାୟାମ କଲାବେଳେ ଚେତା ହଜିଯାଏ । ହୃଦ୍ପାତ ହେଲେ ଛୋଟ ଶ୍ୱାସକ୍ରିୟା ବା ଅଣନିଶ୍ୱାସ ହୁଏ ବିଶେଷତଃ ତଳେ ଗଡ଼ିଲେ, ରାତିରେ, ବ୍ୟାୟାମ କଲାବେଳେ ହୁଏ ଓ ଗୋଡ଼ଫୁଲା ଇତ୍ୟାଦି ଲକ୍ଷଣମାନ ଦେଖାଯାଏ । ଭଲ୍ଭ ସରୁ ନ ହୋଇ କେବଳ ମୋଟା ହେଲେ ତାହାକୁ ଆଓର୍ଟିକ ସ୍କ୍ଲେରୋସିସ କୁହାଯାଏ । [1]
ଦ୍ୱିପର୍ଦୀ କପାଟିକା (bicuspid valve) ଓ ରିଉମାଟିକ ଜ୍ୱର ଏହାର କାରଣରୂପେ ବିବଚନା କରାଯାଏ । ଜନସଂଖ୍ୟାର ୧ରୁ ୨ % ଲୋକଙ୍କର ଦ୍ୱିପର୍ଦୀ ଆଓର୍ଟିକ କପାଟିକା ଥାଏ ଓ ବିକାଶଶୀଳ ଦେଶମାନଙ୍କରେ ରିଉମାଟିକ ହୃଦରୋଗ ଅଧିକ ହୁଏ । ସାଧାରଣ ଭଲ୍ଭ ମଧ୍ୟ କିଛି ଦଶକ ବିତିଗଲେ ଟାଣ ହୋଇଯାଏ । ଏହାର ସଙ୍କଟାବସ୍ଥା ଠିକ କରୋନାରୀ ଧମନୀ ଭଳି: ଧୂମ୍ରପାନ, ଉଚ୍ଚ ରକ୍ତଚାପ, ଅଧିକ କୋଲେସ୍ଟେରଲ, ଡାଏବେଟିସ ଓ ପୁରୁଷ ପ୍ରଧାନ ଇତ୍ୟାଦି । ହୃତ୍ପିଣ୍ଡରେ ଥିବା ବାମ ନିଳୟ ଓ ମହାଧମନୀ ମଝିରେ ଆଓର୍ଟିକ ଭଲଭ ଥାଏ ଓ ଏହାର ତିନି ପର୍ଦା (tricuspid) ଥାଏ । ଏହି ରୋଗ ହେଲେ ବାମ ଛାତି ଉପରେ ସ୍ଟେଥୋ ରଖିଲେ ଏକ ପ୍ରକାର ଶବ୍ଦ ଶୁଣାଯାଏ ଯାହାକୁ ହୃତ୍ପିଣ୍ଡ ମରମର କୁହାଯାଏ । ଅଲଟ୍ରାସାଉଣ୍ଡ ଚିତ୍ର ଅନୁସାରେ ଏହି ରୋଗକୁ ସାଧାରଣ, ମଧ୍ୟମ, ଗମ୍ଭୀର ଓ ଅତି ଗମ୍ଭୀର ଶ୍ରେଣୀରେ ବିଭକ୍ତ କରାଯାଏ । [1]
ଅଲଟ୍ରାସାଉଣ୍ଡ ସାହାଯ୍ୟରେ ଆଓର୍ଟିକ ସ୍ଟେନୋସିସ ରୋଗର ଗତିବିଧି ଅନୁସରଣ କରାଯାଏ । ରୋଗ ଅତି ଗମ୍ଭୀର ହେଲେ ଭଲଭ ରିପ୍ଲେସମେଣ୍ଟ ଅପରେଶନ କରାଯାଏ କିନ୍ତୁ ଅପରେଶନରେ ସଙ୍କଟ ଥିଲେ ଟ୍ରାନ୍ସକାଥେଟର ଆଓର୍ଟିକ ଭଲଭ ରିପ୍ଲେସମେଣ୍ଟ (ଟିଏଭିଆର) କରାଯାଇପାରେ । ଦୁଇ ପ୍ରକାର ଭଲଭ ମିଳେ: ମେକାନିକାଲ ବା ବାୟୋପ୍ରୋସଥେଟିକ, ଦୁଇଟିଯାକ ଭଲ୍ଭର ଉପକାରୀତା ଓ ଅପକାରୀତା ଅଛି । ଆଉ ଏକ ପ୍ରକାର ଚିକିତ୍ସା ମିଳୁଛି ଯାହା କିଛି ମାସ ନିମନ୍ତେ କାମ କରେ; ତାହାର ନାମ ବେଲୁନ ଆଓର୍ଟିକ ଭଲଭୁଲୋପ୍ଲାସ୍ଟି (ବିଏଭି) । ସାମାନ୍ୟରୁ ମଧ୍ୟମ ଧରଣର ହୃଦ୍ପାତ ହେଲେ ରୋଗ ସହିତ ତାହାର ଚିକିତ୍ସା କରାଯାଏ । ଗମ୍ଭୀର ରୋଗ ଥିଲେ କେତେକ ଔଷଧ ଦିଆଯାଏ ନାହିଁ ଯେପରିକି ଏସିଇ ଇନହିବିଟର, ନାଇଟ୍ରୋଗ୍ଲିସେରିନ ଓ କେତେକ ବିଟା ବ୍ଲକର । [1] ଡିକମ୍ପେନସେଟେଡ ହୃଦ୍ପାତ ଥିଲେ ରକ୍ତଚାପ ଅନୁସାରେ ନାଇଟ୍ରୋପ୍ରୁସାଇଡ କିମ୍ବା ଫିନାଇଲେଫ୍ରିନ ବ୍ୟବହାର କରାଯାଇ ପାରେ । [1][2]
ବିକଶିତ ଦେଶମାନଙ୍କରେ ହେଉଥିବା ହୃତ୍ପିଣ୍ଡ ଭଲଭ ରୋଗମାନଙ୍କ ମଧ୍ୟରେ ଆଓର୍ଟିକ ସ୍ଟେନୋସିସ ରୋଗ ସବୁଠାରୁ ସାଧାରଣ ରୋଗ । [3] ୬୫ ବର୍ଷ ବୟସରୁ ଉର୍ଦ୍ଧ୍ୱ ଲୋକଙ୍କ ମଧ୍ୟରୁ ୨ % ଲୋକଙ୍କଠାରେ ଏହି ରୋଗ ଦେଖାଯାଏ । [1] ସନ ୨୦୧୪ ସୁଦ୍ଧା ବିକାଶଶୀଳ ଦେଶମାନଙ୍କରେ ଏହି ରୋଗର ହାର ଜଣାଯାଇନାହିଁ । [4] ଏହି ରୋଗୀଙ୍କର ଲକ୍ଷଣ ଥିଲେ ୫୦ % ରୋଗୀ ୫ ବର୍ଷ ମଧ୍ୟରେ ଓ ୯୦ % ରୋଗୀ ୧୦ ବର୍ଷ ମଧ୍ୟରେ ମୃତ୍ୟୁ ବରଣ କରନ୍ତି । [1] ସନ ୧୬୬୩ରେ ଫରାସୀ ଚିକିତ୍ସକ ଲାଜାରେ ରିଭିଏର ଏହି ରୋଗ ବିଷୟ ପ୍ରଥମେ ବର୍ଣ୍ଣନା କରିଥିଲେ । [5]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.