ଭାରତୀୟ ନୃତ୍ୟ ସାଧକ From Wikipedia, the free encyclopedia
କେଳୁଚରଣ ମହାପାତ୍ର (୮ ଜାନୁଆରୀ ୧୯୨୬ - ୭ ଅପ୍ରେଲ ୨୦୦୪) ଜଣେ ଓଡ଼ିଶୀ ନୃତ୍ୟ ଶିଳ୍ପୀ ଓ ଗୁରୁ । ବିଂଶ ଶତାବ୍ଦୀରେ ଓଡ଼ିଶୀର ପୁନରୁତ୍ଥାନ ଓ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରାଇବାରେ କେଳୁଚରଣଙ୍କର ପ୍ରମୂଖ ଭୂମିକା ରହିଥିଲା ।[2] ପଦ୍ମ ବିଭୂଷଣ ପୁରସ୍କାର ପାଇବାରେ ସେ ପ୍ରଥମ ଓଡ଼ିଆ ।[3] ସେ ପ୍ରାୟ ୨୦୦ ଏକକ ପ୍ରଦର୍ଶନ ଓ ୫୦ଟି ନୃତ୍ୟ ନାଟିକା ସଂଯୋଜନ କରିଛନ୍ତି ।
କେଳୁଚରଣ ମହାପାତ୍ର | |
---|---|
ଜନ୍ମ | |
ମୃତ୍ୟୁ | ଅପ୍ରେଲ ୭, ୨୦୦୪ ୭୮) | (ବୟସ
ବୃତ୍ତି(ସମୂହ) | ଓଡ଼ିଶୀନୃତ୍ୟଶିଳ୍ପୀ, ନୃତ୍ୟ ନିର୍ଦ୍ଦେଶକ |
ସକ୍ରିୟ ବର୍ଷ | ୧୯୩୫-୨୦୦୪ |
ବୈବାହିକ-ସାଥୀ | ଲକ୍ଷ୍ମୀପ୍ରିୟା ମହାପାତ୍ର [1] |
ସନ୍ତାନ | ରତିକାନ୍ତ ମହାପାତ୍ର |
ପୁରସ୍କାର | ପଦ୍ମ ବିଭୂଷଣ |
କେଳୁଚରଣ ପୁରୀରେ ଥିବା ଶିଳ୍ପୀଗ୍ରାମ ରଘୂରାଜପୁରର ଏକ ଶିଳ୍ପୀ ପରିବାରରେ ୧୯୨୬ ମସିହା ଜାନୁଆରୀ ୮ ତାରିଖରେ ଜନ୍ମଗ୍ରହଣ କରିଥିଲେ । ପିତା ଚିନ୍ତାମଣୀ ମହାପାତ୍ର ଜଣେ ଚିତ୍ରକର ଓ ମର୍ଦ୍ଦଳ ବାଦକ ଥିଲେ । ଯାତ୍ରା ଓ ସଂକୀର୍ତ୍ତନ ତାଙ୍କ ଗ୍ରାମରେ ସବୁବେଳେ ପରିବେଷଣ କରାଯାଉଥିଲା । ଏ ସବୁର ପ୍ରଭାବ ପଡିଥିଲା ବାଳକ କେଳୁଚରଣଙ୍କ ଉପରେ । ଗ୍ରାମରେ ଥିବା ବଳଭଦ୍ର ସାହୁଙ୍କ ଆଖଡ଼ାକୁ କେଳୁଚରଣ ବରାବର ଯାଉଥିଲେ ଓ ସେଠାରେ ଶିଖା ଯାଉଥିବା ଗୋଟିପୁଅ ନାଚ ପ୍ରତି ଆକର୍ଷିତ ଥିଲେ । ପିତାଙ୍କୁ, କେଳୁଚରଣଙ୍କ ଗୋଟିପୁଅ ନାଚ କରିବା ପସନ୍ଦ ନଥିଲା । ସେ କେଳୁଚରଣଙ୍କୁ ଏଥିରୁ ନିବୃତ କରି, ପୁରୀରେ ମୋହନ ସୁନ୍ଦର ଦେବ ଗୋସ୍ୱାମୀଙ୍କ "କୁଞ୍ଜ ବିହାରୀ ରାସ ଲୀଳା" ଦଳରେ ଛାଡିଥିଲେ । ଏଠାରେ କେଳୁଚରଣ ନୃତ୍ୟ ସଙ୍ଗୀତ ଅଭିନୟ ସହିତ ମଞ୍ଚସଜ୍ଜା, ମେକ୍ ଅପ୍, ନୃତ୍ୟ ସଂଯୋଜନା ଆଦି ଶିକ୍ଷା କରିଥିଲେ । ଏହି ଦଳ ବର୍ଷର ୬/୭ ମାସ ଗାଁ ଗାଁ ବୁଲି କୃଷ୍ଣଲୀଳା ଓ ପୁରାଣର ଅନ୍ୟ ଉପାଖ୍ୟାନ ନୃତ୍ୟ ସଙ୍ଗୀତ ମାଧ୍ୟମରେ ପରିବେଷଣ କରୁଥିଲେ । ଉପେନ୍ଦ୍ର ଭଞ୍ଜ, ବନମାଳୀ, ଗୋପାଳକୃଷ୍ଣ ଓ ଜୟଦେବ ଆଦିଙ୍କ ରଚନାରୁ "ବାଲ୍ୟଲୀଳା", "ମାନଭଞ୍ଜନ", "ରାଧା ପ୍ରେମାମୃତ", "ବିଦଗ୍ଧ ମାଧବ" ଆଦି ବିଷୟ ନୃତ୍ୟ ମାଧ୍ୟମରେ ପରିବେଷଣ କରାଯାଉଥିଲା । ନୃତ୍ୟ ସଂଯୋଜନା, ସଙ୍ଗୀତ, ମଞ୍ଚସଜ୍ୟା ଆଦୁ ସବୁ ମୋହନ ସୁନ୍ଦର ଦେବ ଗୋସ୍ୱାମୀଙ୍କଦ୍ୱାରା କରାଯାଉଥିଲା । କେଳୁଚରଣ ଏହି ଦଳରେ ଦଶ ବର୍ଷ ରହିଥିଲେ । ଏଠାରେ ସେ ଗୁରୁ ଅଗାଧୁ ମହାରଣାଙ୍କଠାରୁ ମୃଦଙ୍ଗ ଓ କ୍ଷେତ୍ରମୋହନ କରଙ୍କଠାରୁ ତବଲା ବଜେଇବା ଶିଖିଥିଲେ । ଗୁରୁ-ଶିଷ୍ୟ ପରମ୍ପରାରେ ସମୃଦ୍ଧ ଏହି ଦଳରେ ଶିକ୍ଷାଗ୍ରହଣ ସହିତ କେଳୁଚରଣ, ଗୁରୁଙ୍କ ପାଇଁ ରୋଷେଇ, ବାସନ ମଜା ଭଳି ସେବା ମଧ୍ୟ କରୁଥିଲେ । ମୋହନ ସୁନ୍ଦର ଦେବଙ୍କ ପ୍ରଭାବ କେଳୁଚରଣଙ୍କ ଗଭୀର ଭାବରେ ପଡିଥିଲା । ପରବର୍ତ୍ତୀ ସମୟରେ ଯେତେବେଳେ କେଳୁଚରଣ ନିଜେ ଗୁରୁ ସାଜିଥିଲେ, ସେହି ଗୁରୁ-ଶିଷ୍ୟ ପରମ୍ପରାକୁ ଆବୋରୀ ଥିଲେ ଓ ଶିଷ୍ୟମାନଙ୍କୁ ନିଜ ସନ୍ତାନ ଭାବରେ ମନେ କରୁଥିଲେ ।
ପିତାଙ୍କ ଦେହନ ପରେ କେଳୁଚରଣଙ୍କୁ ରାସ ଲୀଳା ଦଳ ଛାଡି ଗାଁକୁ ଫେରିବାକୁ ପଡିଥିଲା । ଜୀବିକା ନିର୍ବାହ ପାଇଁ ଏକ ପାନ ବରଜରେ ମୂଲିଆ ଭାବରେ କାର୍ଯ୍ୟ କରିବାକୁ ପଡିଥିଲା । ତାଙ୍କ କଳାକାର ମନ ବିଦ୍ରୋହ କରିଥିଲା ଓ କିଛିଦିନ ପରେ ଗାଁ ଛାଡ଼ି କଟକ ଚାଲି ଆସିଥିଲେ । କଟକ ଆସି, ସେ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ଓଡ଼ିଶା ଥିଏଟର୍ସରେ ଯୋଗ ଦେଇଥିଲେ । ଏଠାରେ ସେ ମଞ୍ଚ ସଜ୍ୟା ଓ ମର୍ଦଳ ବାଦନ ଆଦି କରୁଥିଲେ । ଦରମା ଥିଲା ମାସକୁ ୭ ଟଙ୍କା । କଟକରେ ସେ ହରିହର ରାଓଙ୍କଠାରୁ ତବଲାରେ ଅଧିକ ଶିକ୍ଷାଗ୍ରହଣ କରିଥିଲେ । ତାପରେ ସେ "ଅନ୍ନପୂର୍ଣ୍ଣା ବି" ଦଳରେ ଯୋଗ ଦେଇଥିଲେ । ଏଠାରେ ଗୁରୁ ପଙ୍କଜ ଚରଣ ଦାସଙ୍କ ସଂସ୍ପର୍ଶରେ ଆସି ତାଙ୍କ ନୃତ୍ୟ ପ୍ରତିଭାର ବିକାଶ ଘଟିଥିଲା ।[4] ପଙ୍କଜ ଚରଣଙ୍କ ସଂଯୋଜନାରେ ନୃତ୍ୟ ନାଟିକା "ଦେବୀ ଭସ୍ମାସୁର"ରେ "ନଟରାଜ" ଭୂମିକାରେ କେଳୁଚରଣ ଲୋକଲୋଚନକୁ ଆସିଲେ । ଏଥିରେ "ମୋହିନୀ" ଭୂମିକାରେ ଅଭିନୟ କରିଥିଲେ "ଲକ୍ଷ୍ମୀପ୍ରିୟା" । ଏଠାରୁ ଆରମ୍ଭ ହୋଇଥିଲା କେଳୁଚରଣ-ଲକ୍ଷ୍ମୀପ୍ରିୟାଙ୍କର ଯୁଗଳବନ୍ଦୀ ଏବଂ ତାଙ୍କ ବିବାହ ପର୍ଯ୍ୟନ୍ତ ଏହି ଜୋଡି ପ୍ରାୟ ସବୁ ପରିବେଷଣରେ ଏକାଠି ନୃତ୍ୟାଭିନୟ କରୁଥିଲେ । ଅନ୍ନପୂର୍ଣ୍ଣା ବି ଦଳରେ ଥାଇ, କେଳୁଚରଣ ଗୁରୁ ଦୁର୍ଲଭ ଚନ୍ଦ୍ର ସିଂ, ଗୁରୁ ଦୟାଳ ଶରଣ ଆଦିଙ୍କଠାରୁ ଅଭିନୟ ନୃତ୍ୟ ଓ ବ୍ୟାକରଣରେ ଅଧିକ ଜ୍ଞାନ ଆହରଣ କରିଥିଲେ । କ୍ରମେ ସେ ନିଜକୁ ଜଣେ ନର୍ତ୍ତକ, ବାଦକ ଓ ନୃତ୍ୟ ସଂଯୋଜକ ଭାବରେ ପ୍ରତିଷ୍ଠା କରିଥିଲେ । ଅନ୍ନପୂର୍ଣ୍ଣା ବି ଦଳରେ ସେ ପ୍ରାୟ ୫/୬ ବର୍ଷ ରହିଥିଲେ ।
କେଳୁଚରଣଙ୍କୁ ୨୮ବର୍ଷ ହେଲା ବେଳକୁ ସେ ଲକ୍ଷ୍ମୀପ୍ରିୟାଙ୍କୁ ବିବାହ କରିଥିଲେ । ଅନ୍ନପୂର୍ଣ୍ଣା ବି ଦଳ ଛାଡି, ଉଭୟ ପୁରୀ ଚାଲି ଯାଇଥିଲେ । ପୁରୀରେ ସେମାନେ ମାହାରୀ ଓ ଗୋଟିପୁଅ ନୃତ୍ୟ ଉପରେ ଗବେଷଣା କରି, ସେ ସବୁକୁ ଆୟତ୍ତ କରି ନିଜସ୍ୱ ଏକ ପରିଚୟ ସୃଷ୍ଟି କରି ପାରିଥିଲେ । କେଳୁଚରଣଙ୍କ ଭାଷାରେ "ଓଡ଼ିଶୀ ନୃତ୍ୟ ମାହାରୀର ଭାବ ଓ ଗୋଟିପୁଅର ଅଙ୍ଗଭଙ୍ଗୀକୁ ନିଜର କରିଛି" । ପୁରୀରେ ସେମାନେ "ଅନ୍ନପୂର୍ଣ୍ଣା ଏ" ଆନୁକୁଲ୍ୟରେ ନୃତ୍ୟ ପରିବେଷଣ କରୁଥିଲେ । କ୍ରମେ କେଳୁଚରଣ ଆକାଶବାଣୀ କଟକର ବିଭିନ୍ନ କାର୍ଯ୍ୟକ୍ରମରେ ତବଲା ଓ ମର୍ଦଳ ବାଦନ କରିବା ଆରମ୍ଭ କରିଥିଲେ । ୧୯୫୩ ମସିହାରେ, ସେ କଟକର କଳା ବିକାଶ କେନ୍ଦ୍ରରେ ଯୋଗ ଦେଇଥିଲେ । ସେତେବେଳ ଯାଏଁ କଳା ବିକାଶ କେନ୍ଦ୍ରର ପାଠ୍ୟକ୍ରମରେ ଓଡ଼ିଶୀ ନୃତ୍ୟର ସ୍ଥାନ ନଥାଏ । କେଳୁଚରଣ ସେ କାମଟି କରି ପାରିଥିଲେ । କଳା ବିକାଶ କେନ୍ଦ୍ରରେ ସେ ୧୫ ବର୍ଷ କାଳ ଓଡ଼ିଶୀ ଶିକ୍ଷାଦାନ କରି ବହୁ ସଂଖ୍ୟକ ଛାତ୍ର ଛାତ୍ରୀ ସୃଷ୍ଟି କରି ପାରିଥିଲେ । ଏ ସମୟରେ ସେ ସଂଯୁକ୍ତା ପାଣିଗ୍ରାହୀ, ମିନତି ମିଶ୍ର, ପ୍ରିୟମ୍ବଦା ମହାନ୍ତି ହେଜମାଦି ଆଦି ଛାତ୍ରୀମାନଙ୍କୁ ବ୍ୟକ୍ତିଗତ ଭାବରେ ଓଡ଼ିଶୀ ନୃତ୍ୟ ଶିକ୍ଷାଦାନ କରୁଥିଲେ । ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ମଧ୍ୟ ଓଡ଼ିଶୀ ନୃତ୍ୟ ଶିକ୍ଷାଦାନ କରୁଥିଲେ । "ପଞ୍ଚପୁଷ୍ପା", "କୃଷ୍ଣ ଗାଥା", "ଗୀତ ଗୋବିନ୍ଦ", "ଊର୍ବଶୀ", "କୃଷ୍ଣ ଲୀଳା", "ସାକ୍ଷୀଗୋପାଳ", "କୋଣାର୍କ" ଆଦି କେଳୁଚରଣଙ୍କ ସେହି ସମୟରେ ନୃତ୍ୟ ସଂଯୋଜନା । କଳା ବିକାଶ କେନ୍ଦ୍ର ସହଯୋଗରେ ସେ ଓଡ଼ିଶାର ବିଭିନ୍ନ ମନ୍ଦିରରେ ଖୋଦେଇ ହୋଇଥିବା ନର୍ତ୍ତକ/ନର୍ତ୍ତକୀମାନଙ୍କର ମୁଦ୍ରା ଉପରେ ଗବେଷଣା କରି, ସେଗୁଡିକୁ ନିଜ ନୃତ୍ୟ ମଧ୍ୟରେ ଆୟତ୍ତ କରିଥିଲେ । ସେତେବେଳକୁ କେଳୁଚରଣଙ୍କ ନିଜସ୍ୱ ନୃତ୍ୟ ଶୈଳୀ ସମୃଦ୍ଧ ହୋଇ ଆସୁଥିଲା ।[5]
ଅଶି ଦଶକ ବେଳକୁ, କେଳୁଚରଣ କଳା ବିକାଶ କେନ୍ଦ୍ର ଛାଡି, ଭାରତର ବିଭିନ୍ନ ସ୍ଥାନରେ ଓଡ଼ିଶୀ ନୃତ୍ୟ ଶିକ୍ଷା ଦେବା ଆରମ୍ଭ କରିଥିଲେ । ସେଗୁଡିକ ମଧ୍ୟରେ ଦିଲ୍ଲୀର ଗାନ୍ଧର୍ବ ମହାବିଦ୍ୟାଳୟ, ମୁମ୍ବାଇର ନେସନାଲ ସେଣ୍ଟର ଫର ପରଫର୍ମିଙ୍ଗ ଆର୍ଟ୍ସ, କଲିକତାର ପଦାତିକ ନୃତ୍ୟ କେନ୍ଦ୍ର ଅନ୍ୟତମ ଥିଲା । କେଳୁଚରଣଙ୍କର ଲୋକପ୍ରିୟତା ଓ ଶିଷ୍ୟମାନଙ୍କ ସଂଖ୍ୟା ବଢ଼ି ଚାଲିଥିଲା । ବହୁ ବିଦେଶୀ ଶିଷ୍ୟ କଟକ ଆସି, କେଳୁଚରଣଙ୍କ ଘରେ ରହି ତାଙ୍କଠାରୁ ନୃତ୍ୟ ଶିକ୍ଷା କରୁଥିଲେ । ନିଜସ୍ୱ ନୃତ୍ୟ ପରିବେଷଣ ମଧ୍ୟ ଚାଲିଥିଲା । ଭାରତର ବିଭିନ୍ନ ସ୍ଥାନ ସହ ଜାପାନ, ଜର୍ମାନୀ, ଋଷିଆ, ଫ୍ରାନ୍ସ, ଯୁକ୍ତରାଜ୍ୟ ଓ ଯୁକ୍ତରାଷ୍ଟ୍ର ଆମେରିକା ଆଦି ସ୍ଥାନରେ ସେ ନୃତ୍ୟ ପରିବେଷଣ କରୁଥିଲେ । ସେ ଭୁବନେଶ୍ୱରସ୍ଥିତ "ଓଡ଼ିଶୀ ଗବେଷଣା କେନ୍ଦ୍ର ସହିତ ପ୍ରାୟ ୧୦ ବର୍ଷ ଧରି ଜଡ଼ିତ ରହିଥିଲେ । ଏହି ସମୟରେ ଓଡ଼ିଶୀ ନୃତ୍ୟ ବାବଦରେ ବହୁ ପ୍ରଲେଖନ ଆଦି କରି ଓଡ଼ିଶୀକୁ ପରପିଢି ପାଇଁ ସଂରକ୍ଷିତ କରିବା କାର୍ଯ୍ୟ କରିଥିଲେ । ଓଡ଼ିଶୀ ଗବେଷଣା କେନ୍ଦ୍ରକୁ ତାଙ୍କରି ନାମରେ ନାମିତ କରାଯାଇଛି ।[6] ୧୯୯୫ ମସିହାରେ ଓଡ଼ିଶୀ ଗବେଷଣା କେନ୍ଦ୍ର ଛାଡିବା ପରେ, ସେ ନିଜସ୍ୱ ଅନୁଷ୍ଠାନ "ସୃଜନ"ର ନିର୍ମାଣ କରିଥିଲେ ।
୨୦୦୪ ମସିହା ଅପ୍ରେଲ ୭ ତାରିଖରେ କେଳୁଚରଣ ଇହଧାମ ତ୍ୟାଗ କରିଥିଲେ ।[7]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.