ଓଡ଼ିଶାର ଭୂଗୋଳ
From Wikipedia, the free encyclopedia
ଓଡ଼ିଶା ଭାରତର ପୂର୍ବ ଉପକୂଳରେ ଅବସ୍ଥିତ ଏକ ପ୍ରଶାସନିକ ରାଜ୍ୟ । ଏହାର ଦକ୍ଷିଣରେ ଆନ୍ଧ୍ର ପ୍ରଦେଶ, ପଶ୍ଚିମରେ ଛତିଶଗଡ଼, ଉତ୍ତରରେ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ଏବଂ ପୂର୍ବରେ ବଙ୍ଗୋପ ସାଗର ରହିଛି । ରାଜ୍ୟର ପଶ୍ଚିମ ଓ ଉତ୍ତରାଂଶ ଛୋଟନାଗପୁର ମାଳଭୂମିର ଅଂଶବିଶେଷ । ଉପକୂଳବର୍ତ୍ତୀ ଅଞ୍ଚଳ ଏବଂ ମହାନଦୀ, ବ୍ରାହ୍ମଣୀଓ ବୈତରଣୀ ନଦୀ ପ୍ରଭୃତିର ମୁହାଣରେ ଉର୍ବର ପଟୁମୃତ୍ତିକା ଯୁକ୍ତ ସମତଳ ଭୂମି ଦେଖାଯାଏ । ଏହି ସମତଳ ଭୂମିରେ ମୂଖ୍ୟତଃ ଧାନଚାଷ କରାଯାଏ ।
ଓଡ଼ିଶାର ପ୍ରାୟ ୩୪% ଭୂମି ଅରଣ୍ୟ ଆଚ୍ଛାଦିତ, କିନ୍ତୁ ବିଭିନ୍ନ କାରଣମାନଙ୍କ ହେତୁ ଏହା କ୍ରମାଗତ ଭାବେ ହ୍ରାସ ପାଇ ଚାଲିଛି । ଓଡ଼ିଶାରେ ଅନେକ ଅଭୟାରଣ୍ୟମାନ ରହିଛି । ଏଥିମଧ୍ୟରୁ ଶିମିଳିପାଳ ଜାତୀୟ ଉଦ୍ୟାନ ବ୍ୟାଘ୍ର ସଂରକ୍ଷଣ କେନ୍ଦ୍ର ଭାବେ ପ୍ରସିଦ୍ଧ । ବ୍ୟାଘ୍ର ବ୍ୟତୀତ ଝରଣା ଓ ସବୁଜିମା ପୂର୍ଣ୍ଣ ଏହି ଜଙ୍ଗଲରେ ହସ୍ତୀ ଓ ଅନ୍ୟାନ୍ୟ ପଶୁପକ୍ଷୀ ବାସ କରନ୍ତି । ଭିତରକନିକା ଅଭୟାରଣ୍ୟ ୧୯୭୫ରୁ ଘଡ଼ିଆଳ କୁମ୍ଭୀରମାନଙ୍କୁ ସୁରକ୍ଷା ଯୋଗାଇ ଆସୁଛି । ଗହୀରମଥା, ଦେବୀ ନଦୀ ଏବଂ ଋଷିକୁଲ୍ୟା ନଦୀ ମୁହାଣକୁ ପ୍ରତିବର୍ଷ ଲକ୍ଷାଧିକ ସଂଖ୍ୟାରେ ଅଲିଭ ରିଡ଼ଲେ କଇଁଛ ଅଣ୍ଡା ଦେବାପାଇଁ ଆସନ୍ତି ।