ଅଙ୍କୁଶକୃମି
ମାନବ ରୋଗ / From Wikipedia, the free encyclopedia
ଅଙ୍କୁଶକୃମି (ହୁକ୍ୱାର୍ମ/ hookworm) ଏକ ପ୍ରକାର ଗୋଲକୃମି (roundworm) ଓ ଅନ୍ତ୍ରନଳୀ ପରଜୀବୀ, ଇଂରାଜୀରେ ତାହାକୁ ନେମାଟୋଡ Nematode ଦଳରେ ଅନ୍ତର୍ଭୁକ୍ତ କରାଯାଏ ।[1][4] ଏହି ରୋଗ ଆରମ୍ଭ ସମୟରେ ସାମାନ୍ୟ ଗଲୁ ଓ ରାସ ଦେଖାଯାଏ ।[1] ଏହା ଆଶ୍ରୟଦାତାର ବା ହୋଷ୍ଟର କ୍ଷୁଦ୍ର ଅନ୍ତ୍ରନଳୀରେ ବାସ କରେ, ଏହି ହୋଷ୍ଟମାନେ ସ୍ତନ୍ୟପାୟୀ ଜୀବ ଯଥା ମଣିଷ, କୁକୁର ବା ବିଲେଇ ହୋଇପାରନ୍ତି । ଅନେକ ଗୁଡ଼ିଏ କୃମିଦ୍ୱାରା ଆକ୍ରାନ୍ତ ହେଲେ ପେଟ ଯନ୍ତ୍ରଣା (abdominal pain), ତରଳ ଝାଡ଼ା, ଓଜନ ହ୍ରାସ, ଥକ୍କା ଅନୁଭବ ହୋଇପାରେ ।[1] ଶିଶୁର ମାନସିକ ତଥା ଶାରୀରିକ ବିକାଶ ବାଧାପ୍ରାପ୍ତ ହୋଇପାରେ ।[1] ଆନିମିଆ ହୋଇପାରେ ।[1]
ଅଙ୍କୁଶକୃମି ସଂକ୍ରମଣ/ Hookworm infection | |
---|---|
ହୁକୱାର୍ମ ରୋଗ/ Hookworm disease | |
ବିଭାଗ | ସଂକ୍ରାମକ ରୋଗ (Infectious disease) |
ଲକ୍ଷଣ | ଗଲୁ, ସ୍ଥାନୀୟ ରାସ୍, ପେଟ ଯନ୍ତ୍ରଣା ଓ ତରଳ ଝାଡ଼ା ।[1] |
କାରଣ | ଆଙ୍କିଲୋସ୍ଟୋମା ଡୁଓଡେନେଲ/ (Ancylostoma duodenale), ନେକାଟର ଆମେରିକାନ୍ସ (Necator americanus)[1] |
ବିପଦ କାରକ | ଉଷ୍ମ ଜଳବାୟୁ (warm climates) ଥିବା ସ୍ଥାନରେ ପରିମଳ (sanitation) ଅବ୍ୟବସ୍ଥା ଥାଇ ଖାଲି ପାଦରେ ଚାଲିଲେ ହୋଇପାରେ ।[1] |
ରୋଗ ନିର୍ଣ୍ଣୟ ପଦ୍ଧତି | ମଳ ନମୁନା (Stool sample)[1] |
ପ୍ରତିକାର | ଖାଲି ପାଦରେ ନଚାଲିବା, ଖୋଲା ପଡ଼ିଆରେ (outdoor defecation) ମଳତ୍ୟାଗ ବନ୍ଦ ।[1] |
ଔଷଧ | ଆଲବେଣ୍ଡାଜୋଲ, ମେବେଣ୍ଡାଜୋଲ, ଲୌହ ପରିପୂରକ[2] |
ପୁନଃପୌନିକ | ସନ ୨୦୧୫ରେ ୪୨୮ ନିୟୁତ[3] |
ଦୁଇ ପ୍ରକାର ଅଙ୍କୁଶକୃମି ସାଧାରଣତଃ ମନୁଷ୍ୟ ଦେହରେ ଦେଖାଯାଆନ୍ତି, ଯଥା:- ଆଙ୍କିଲୋସ୍ଟୋମା ଡୁଓଡେନେଲ (Ancylostoma duodenale) ପ ନେକାଟର ଆମେରିକାନ୍ସ (Necator americanus)[1] ।ପ୍ରଥମଟି ମଧ୍ୟପ୍ରାଚ୍ୟ, ଉତ୍ତର ଆଫ୍ରିକା, ଭାରତ ଓ ଦ୍ୱିତୀୟଟି ଯୁକ୍ତରାଷ୍ଟ୍ର ଆମେରିକା, ଦକ୍ଷିଣପୂର୍ବ ଏସିଆ, ଚୀନ ଓ ଇଣ୍ଡୋନେସିଆରେ ଦେଖାଯାଆନ୍ତି । ଅଙ୍କୁଶ କୃମିର ଅଣ୍ଡା ସଂକ୍ରମିତ ଲୋକର ମଳରେ ଦେଖାଯାଏ ।[1] ଏହାର ଅଣ୍ଡାରୁ ଅପରିପକ୍ୱ ଲାର୍ଭା (immature worms) ବାହାରି ମାନବ ଚର୍ମକୁ ଫୁଟେଇ ପଶିଯାଆନ୍ତି ।[1] ପରଜୀବୀ ଅପମିଶ୍ରିତ ଖାଦ୍ୟ ମାଧ୍ୟମରେ ମଧ୍ୟ ଏହି ରୋଗ ବ୍ୟାପେ ।[1] ଉଷ୍ମ ଜଳବାୟୁ (warm climates) ଥିବା ସ୍ଥାନରେ ପରିମଳ (sanitation) ଅବ୍ୟବସ୍ଥା ଥାଇ ଖାଲି ପାଦରେ ଚାଲିଲେ ଏହି ରୋଗ ସମ୍ଭାବନା ରହେ ।[1] ଅଣୁବୀକ୍ଷଣ ଯନ୍ତ୍ର (microscope) ସାହାଯ୍ୟରେ ମଳ ନମୁନାରେ ଲାର୍ଭା ଦେଖି ଏହି ରୋଗ ନିର୍ଣ୍ଣୟ କରାଯାଏ ।[1] ଆଙ୍କିଲୋଷ୍ଟୋମା କ୍ୟାନିଅମ୍ ମନୁଷ୍ୟକୁ ଆକ୍ରମଣ କରିପାରେ ଓ ଅଷ୍ଟେଲିଆର ବ୍ରିସ୍ବେନ୍ଠାରେ ୧୯୮୮ରୁ ୧୯୯୨ ମସିହା ମଧ୍ୟରେ ୧୫୦ ଜଣ ମନୁଷ୍ୟଙ୍କୁ ଆକ୍ରମଣ କରିଥିଲା ।[5]
ଜିଆ ବା ରାଉଣ୍ଡୱର୍ମ ଅପେକ୍ଷା ଅଙ୍କୁଶକୃମି ଆକାରରେ ଛୋଟ । ଏହି ଅଙ୍କୁଶକୃମି ସଂକ୍ରମଣ ଯୋଗୁ ଦେହର ଲୌହ ଅଂଶ ଓ ପୁଷ୍ଟିସାର କ୍ଷୟ ଯୋଗୁ ରୋଗୀର ଆନିମିଆ ହୁଏ । ଅଙ୍କୁଶକୃମି ବହୁତ ତୃଷାର୍ତ୍ତ ଭଳି ରକ୍ତ ଶୋଷିନିଏ ଓ ଅନ୍ତନଳୀର ମ୍ୟୁକୋସାକୁ ନଷ୍ଟ କରିଦିଏ, କିନ୍ତୁ ମଳରେ ଏହି ରକ୍ତ ଦେଖାଯାଏ ନାହିଁ ।
ରୋଗ ଦେଖାଯାଉଥିବା ସ୍ଥାନରେ ଖାଲି ପାଦରେ ନଚାଲିଲେ ପ୍ରତିଷେଧ ହୋଇପାରିବ ।[1] ପଡ଼ିଆରେ (outdoor defecation) ଖାଲି ପାଦରେ ଯାଇ ମଳତ୍ୟାଗ ନ କରିବା, ମଳ ଭଳି ଜିନିଷ ସାର (fertilizer) ଭାବରେ ବ୍ୟବହାର ବନ୍ଦ କରିବା ଓ ସାମୂହିକ ଅଙ୍କୁଶ କୃମି ନାଶକ (mass deworming) ବ୍ୟବହାର କରିବାଦ୍ୱାରା ଏହି ରୋଗକୁ ପ୍ରତିରୋଧ କରିହୁଏ ।[1] ରୋଗୀକୁ ଆଲବେଣ୍ଡାଜୋଲ ବା ମେବେଣ୍ଡାଜୋଲ ଔଷଧ ଏକରୁ ତିନି ଦିନ ପର୍ଯ୍ୟନ୍ତ ଦିଆଯାଏ ।[2] ଆନିମିଆ ହେଉଥିଲେ ଲୌହ ପରିପୂରକ ଦିଆଯାଏ ।[2]
ସନ ୨୦୧୫ରେ ଏହି ରୋଗରେ ପ୍ରାୟ ୪୨୮ ନିୟୁତ ଲୋକ ଆକ୍ରାନ୍ତ ହୋଇଥିଲେ ।[3] ପିଲା ଓ ବଡ଼ ମଣିଷଙ୍କୁ ଅତ୍ୟଧିକ ସଂକ୍ରମଣ ହୋଇପାରେ କିନ୍ତୁ ବଡ଼ ମଣିଷ କମ୍ ଆକ୍ରାନ୍ତ ହୁଅନ୍ତି ।[6] ଏହା କ୍ୱଚିତ୍ ଘାତକ ହୁଏ ।[7] ଏହା ଏକ ମାଟି ସଞ୍ଚାରିତ ହେଲମିନ୍ଥିଆସିସ (soil-transmitted helminthiasis) ରୋଗ ଓ ଏହାକୁ ଉପେକ୍ଷିତ ଟ୍ରପିକାଲ ରୋଗ (neglected tropical disease) ଦଳରେ ଅନ୍ତର୍ଭୁକ୍ତ କରାଯାଇଛି ।[8]