ସିଲିଆକ୍ ଡିଜିଜ୍
From Wikipedia, the free encyclopedia
Remove ads
ସିଲିଆକ୍ ଡିଜିଜ୍ ବା ସିଲିଆକ୍ ରୋଗ (ଇଂରାଜୀ ଭାଷାରେ Coeliac disease, ବା celiac disease) ଏକ ଅଟୋଇମ୍ମ୍ୟୁନ୍ ରୋଗ ଯାହା ଜେନେଟିକ୍ ସମ୍ବେଦନଶୀଳ ଲୋକଙ୍କର ଅନ୍ତନଳୀକୁ ଆକ୍ରମଣ କରେ ।[୧] ତରଳ ଝାଡ଼ା, ପେଟ ଫୁଲା, କୁଅବଶୋଷଣ, ଅରୁଚି ଇତ୍ୟାଦି ସାଧାରଣ ଲକ୍ଷଣମାନ ଏହି ରୋଗରେ ଦେଖାଯାଏ ଓ ପିଲାମାନଙ୍କର ସାଧାରଣ ବିକାଶ ସାଧନ ହୁଏ ନାହିଁ । ଏହି ରୋଗ ସାଧାରଣତଃ ୬ମାସରୁ ୨ ବର୍ଷ ବୟସ ମଧ୍ୟରେ ଆରମ୍ଭ ହୁଏ ।[୨] ଅସାଧାରଣ ଲକ୍ଷଣମାନ ୨ ବର୍ଷ ବୟସରୁ ଉର୍ଦ୍ଧ୍ୱ ପିଲାଙ୍କୁ ହୁଏ ।[୩][୪][୫] ପାକସ୍ଥଳୀ ଅନ୍ତନଳୀ ଲକ୍ଷଣ ଅତି ସାମାନ୍ୟ ଦେଖାଯାଏ ବା ଆଦୌ ଦେଖାଯାଏ ନାହିଁ, ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗର ଦୈହିକ ବେମାରୀ ହୁଏ ବା କିଛି ସ୍ପଷ୍ଟ ଲକ୍ଷଣ ଦେଖାଯାଏ ନାହିଁ ।[୨][୬] ସିଲିଆକ୍ ଡିଜିଜ୍ ପ୍ରଥମେ ପିଲାମାନଙ୍କଠାରେ ହେଉଥିବା ଦେଖାଯାଉଥିଲା[୩][୬] କିନ୍ତୁ ଏହା ଯେ କୌଣସି ବୟସରେ ହୋଇପାରେ । [୨][୩] ଅନ୍ୟାନ୍ୟ ଅଟୋଇମ୍ମ୍ୟୁନ୍ ରୋଗ ଯଥା:- ମଧୁମେହ ଟାଇପ ୧, ଥାଇରଏଡ ପ୍ରଦାହ ଏହି ରୋଗ ସହିତ ଥାଇପାରେ ।[୬]
ଗହମ, ବାର୍ଲି ଓ ରାୟେରେ (rye) ଥିବ ଗ୍ଲୁଟେନ ନାମକ ପଦାର୍ଥ ସହିତ ପ୍ରତିକ୍ରିୟା ଫଳରେ ସିଲିଆକ୍ ଡିଜିଜ୍ ସୃଷ୍ଟି ହୁଏ । [୭][୮][୯] ମଧ୍ୟମ ପରିମାଣର ଅପମିଶ୍ରଣ ରହିତ ଓଟ ଓ ଅନ୍ୟାନ୍ୟ ଗ୍ଲୁଟେନ ମିଶ୍ରିତ ପଦାର୍ଥ ଖାଇଲେ ସହ୍ୟ କରିହୁଏ,[୮] କିନ୍ତୁ କେଉଁ ଧରଣର ବା ଟାଇପର ଖାଦ୍ୟ, ତାହା ଉପରେ ନିର୍ଭର କରେ ।[୮][୧୦] ଗ୍ଲୁଟେନ ସଂସ୍ପର୍ଶରେ ଆସିଲେ ଦେହରେ ଅସାଧାରଣ ଇମ୍ମ୍ୟୁନ୍ ପ୍ରତିକ୍ରିୟା ସୃଷ୍ଟି ହୁଏ ଯାହା ଯୋଗୁ ଅନେକ ପ୍ରକାର ଅଟୋଆଣ୍ଟିବଡି ତିଆରି ହୋଇଯାଏ ଯାହା ଦେହର ଅନେକ ଅଙ୍ଗମାନଙ୍କୁ ଆକ୍ରମଣ କରନ୍ତି ।[୧୧][୧୨] କ୍ଷୁଦ୍ରାନ୍ତ୍ରରେ ଏଥି ଯୋଗୁ ପ୍ରଦାହ ସୃଷ୍ଟି ହୋଇ କ୍ଷୁଦ୍ରାନ୍ତ୍ର ଅଙ୍କୁର ବା ଭିଲାଇମାନଙ୍କର ଅପୁଷ୍ଟି ବା ଭିଲାଇ ଆଟ୍ରୋଫି ହୋଇଯାଏ ।[୧][୧୩] ଏହାଦ୍ୱାରା ପୋଷକମାନଙ୍କର ଅବଶୋଷଣ ହୋଇ ନ ପାରି ପରିଶେଷରେ ଆନିମିଆ ହୁଏ । [୧][୯]
ରକ୍ତର ଆଣ୍ଟିବଡି ପରୀକ୍ଷା, ଅନ୍ତନଳୀ ବାୟୋପ୍ସି ଓ ଜେନେଟକ ପରୀକ୍ଷା କରି ଏହି ରୋଗ ନିର୍ଣ୍ଣୟ କରାଯାଏ । [୧] ଏହି ପରୀକ୍ଷା ସର୍ବଦା ଅତି ସରଳ ନୁହେଁ, ରକ୍ତର ଅଟୋଆଣ୍ଟିବଡି ପରୀକ୍ଷା ଅଧିକାଂଶ ସମୟରେ ବିଯୁକ୍ତାତ୍ମକ ଥାଏ ।[୬][୧୪] ଓ ଅନେକ ଲୋକଙ୍କର ସାଧାରଣ ଅଙ୍କୁର ଥାଇ ଅତ୍ୟଳ୍ପ ଅନ୍ତନଳୀ ପରିବର୍ତ୍ତନ ଦେଖାଯାଏ । [୪][୧୫] ଲୋକମାନଙ୍କର ବିଭିନ୍ନ ପ୍ରକାର ଲକ୍ଷଣ ଥାଏ ଓ ବର୍ଷ ବର୍ଷ ଧରି ପରୀକ୍ଷା ପରେ ରୋଗ ନିର୍ଣ୍ଣୟ ସମ୍ଭବ ହୁଏ ।[୧୬] ଅଧୁନା ଅନେକ ଲୋକଙ୍କର ସ୍କ୍ରିନିଙ୍ଗ କଲାବେଳେ ଏହି ଲକ୍ଷଣ ବିହୀନ ରୋଗ ଚିହ୍ନଟ ହେଉଛି ।[୧୭] ଏହି ରୋଗଟି ସ୍ଥାୟୀ ପ୍ରୋଟିନ ଅସହ୍ୟତାରୁ ସୃଷ୍ଟି ହେଉଥିଲେ ମଧ୍ୟ ଏହାକୁ ଗହମ ଆଲର୍ଜି ଶ୍ରେଣୀର ରୋଗମାନଙ୍କଠାରୁ ପୃଥକ୍ ରଖାଯାଇଛି ।[୧୮]
ଗ୍ଲୁଟେନ ନଥିବା ଖାଦ୍ୟ ଖାଇବା ହିଁ ଏହାର ଏକମାତ୍ର ପ୍ରଭାବୀ ଚିକିତ୍ସା ଯାହା ଫଳରେ ଅନ୍ତନଳୀ ଝିଲ୍ଲୀ ଆରୋଗ୍ୟ ଲାଭ କରେ, ଲକ୍ଷଣ ଦୂର ହୁଏ ଓ ଅଧିକାଂଶ ଲୋକଙ୍କର ରୋଗ ଜଟିଳ ହୁଏ ନାହିଁ । [୬][୧୯] ଚିକିତ୍ସିତ ନହେଲେ ଲିମ୍ଫୋମା ଭଳି କର୍କଟ ରୋଗ ସୃଷ୍ଟି ହୋଇପାରେ ଓ ଶୀଘ୍ର ମୃତ୍ୟୁ ହୋଇପାରେ ।[୨୦] ବିଭିନ୍ନ ସ୍ଥାନରେ ଏହି ଜଟିଳତା ହାର ଅଲଗା ରହେ; ଏହା ୧:୪୦ରୁ ୧:୩୦୦ ହୋଇପାରେ ଓ ହାରାହାରି ୧:୧୦୦ରୁ ୧:୧୭୦ ଥାଏ ।[୨୧] ବିକଶିତ ଦେଶମାନଙ୍କରେ ୬ରୁ ୫ କେଶ୍ (୮୩%) ଚିହ୍ନଟ ହୋଇପାରେ ନାହିଁ କାରଣ ଅନେକ କ୍ଷେତ୍ରରେ ଅନିୟମିତ, ସ୍ୱଳ୍ପ ବା ଆଦୌ ଲକ୍ଷଣ ନଥାଏ ।[୨୨] ମହିଳାମାନଙ୍କର ପୁରୁଷଙ୍କ ଅପେକ୍ଷା ସାମାନ୍ୟ ଅଧିକ ଏହି ରୋଗ ହୁଏ ।[୧୮] ସିଲିଆକ୍ ଶବ୍ଦଟି ଗ୍ରୀକ୍ ଭାଷାର କଏଲିଆକସ୍ (Greek κοιλιακός ରkoiliakós, "abdominal") ଶବ୍ଦରୁ ନିଆଯାଇଛି ଓ ଊନବିଂଶ ଶତାବ୍ଦୀରେ ଏହାର ପରିଚୟ ମିଳିଥିଲା ଯାହା ଆରେଟେଅସ୍ ଅଫ କାପ୍ପାଡୋସିଆଙ୍କ (Aretaeus of Cappadocia) ଲିଖିତ ରୋଗ ବର୍ଣ୍ଣନା ବୋଲି ଧରାଯାଉଛି । [୨୩][୨୪]
Remove ads
ଆଧାର
Wikiwand - on
Seamless Wikipedia browsing. On steroids.
Remove ads