![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/f/fd/DeadSeaIsrael5.jpg/640px-DeadSeaIsrael5.jpg&w=640&q=50)
ଲୁଣ
ଲୁଣ ଏକ ପ୍ରାକୃତିକ ରାସାୟନିକ ଯୌଗିକ ପଦାର୍ଥ ଯାହାର ରାସାୟନିକ ନାମ ସୋଡ଼ିଅମ କ୍ଲୋରାଇଡ । / From Wikipedia, the free encyclopedia
ଲୁଣ ବା ସାଧାରଣ ଲୁଣ (ଇଂରାଜୀ ଭାଷାରେ Common salt) ବା ଟେବୁଲ ସଲ୍ଟ ଏକ ପ୍ରାକୃତିକ ରାସାୟନିକ ଯୌଗିକ ପଦାର୍ଥ ଯାହାର ରାସାୟନିକ ନାମ ସୋଡ଼ିଅମ କ୍ଲୋରାଇଡ (NaCl) ଓ ଏହା ଏକ ବୃହତ୍ତର ଲବଣ ଶ୍ରେଣୀର ଅନ୍ତର୍ଭୁକ୍ତ । ପ୍ରାକୃତିକ ଲୁଣକୁ ରକ୍ ସଲ୍ଟ ବା ସୈନ୍ଧବ ଲବଣ କୁହାଯାଏ । ସମୁଦ୍ର ଜଳରେ ପ୍ରଚୁର ପରିମାଣରେ ଲୁଣ ଥାଏ ଓ ଏହା ତାହାର ମୂଖ୍ୟ ଉପାଦାନ । ସମୁଦ୍ର ଜଳର ପ୍ରତି ଲିଟରରେ ପ୍ରାୟ ୩୫ ଗ୍ରାମ କଠିନ ଲୁଣ ଥାଏ ଓ ଏହାର ଲବଣତା ୩.୫% ।
- ଏହି ଲେଖାଟି ସାଧାରଣ ଖାଇବା ଲୁଣ ବାବଦରେ । ବାକିସବୁ ପାଇଁ, ଲୁଣ (ବହୁବିକଳ୍ପ) ପ୍ରସଙ୍ଗଟି ଦେଖନ୍ତୁ ।
![Thumb image](http://upload.wikimedia.org/wikipedia/commons/thumb/f/fd/DeadSeaIsrael5.jpg/640px-DeadSeaIsrael5.jpg)
![Thumb image](http://upload.wikimedia.org/wikipedia/commons/thumb/3/3b/2015-03-07_Pakistanisches%2C_sogenanntes_Himalaya-Salz_0399.jpg/640px-2015-03-07_Pakistanisches%2C_sogenanntes_Himalaya-Salz_0399.jpg)
ମାନବ ଜୀବନ ନିମନ୍ତେ ଲୁଣ ଏକ ଅପରିହାର୍ଯ୍ୟ ଉପାଦାନ ଓ ମୌଳିକ ସ୍ୱାଦ ନିମନ୍ତେ ଏହା ଅତ୍ୟନ୍ତ ଆବଶ୍ୟକ । ଉଦ୍ଭିଦ ତନ୍ତୁମାନଙ୍କରେ ପ୍ରାଣୀମାନଙ୍କ ତନ୍ତୁ ଅପେକ୍ଷା ଅଧିକ ଲୁଣ ଥାଏ । ଲୁଣ ଏକ ସର୍ବପୁରାତନ ଖାଦ୍ୟ ସ୍ୱାଦକାରୀ ଓ ଖାଦ୍ୟ ସଂରକ୍ଷଣକାରୀ ପଦାର୍ଥ ।
କେତେକ ପୁରାତନ ପ୍ରମାଣରୁ ଜଣାଯାଏ ଲୁଣ ପ୍ରସ୍ତୁତିକରଣ ପଦ୍ଧତି ପ୍ରାୟ ୮,୦୦୦ ବର୍ଷର ପୁରୁଣା, ଯେତେବେଳେ ରୋମାନିଆ ଦେଶରେ ଭୂଗର୍ଭରୁ ଆସୁଥିବା ଝର ପାଣିକୁ ସିଝାଇ ଲୁଣ ପ୍ରସ୍ତୁତ କରାଯାଉଥିଲା; ଚୀନ ଦେଶରେ ମଧ୍ୟ ପ୍ରାୟ ସେହି ସମୟରେ ଲୁଣ ପ୍ରସ୍ତୁତି କାମ କରାଯାଇଥିଲା । ହିବୃ, ରୋମାନ, ଗ୍ରୀସ, ମିଶର ଆଦି ଦେଶମାନଙ୍କର ଲୋକମାନେ ଲୁଣକୁ ସେତେବେଳେ ଅତି ମୂଲ୍ୟବାନ ମନେ କରୁଥିଲେ । ବ୍ୟବସାୟ ନିମନ୍ତେ ଲୁଣ ଏକ ମହତ୍ତ୍ୱପୂର୍ଣ୍ଣ ପଦାର୍ଥ ଥିଲା, ଭୂମଧ୍ୟସାଗରକୁ ଡଙ୍ଗାରେ ପାର କରି ଲୁଣ ନିଆଯାଉଥିଲା, ଓଟ ପିଠିରେ ସାହାରା ମରୁଭୂମିରେ ନିଆଯାଉଥିଲା । ଦୁର୍ଲଭ ହୋଇଥିବା ଯୋଗୁ ଲୁଣ ନିମନ୍ତେ ଯୁଦ୍ଧ ହେଉଥିଲା । ଏହା ଉପରେ ଟିକସ ବସେଇ ରାଜସ୍ୱ ଆଦାୟ କରାଯାଉଥିଲା । କେତେକ ଧାର୍ମିକ ପୂଜାରେ ଏହା ବ୍ୟବହୃତ ହେଉଥିଲା ।
ଲୁଣ ଖଣି, ସମୁଦ୍ର ପାଣି ଓ ଖଣିଜ ପଦାର୍ଥ ଥିବା ଅଗଭୀର ଜଳାଶୟରୁ ଲୁଣ ନିଷ୍କାସନ କରାଯାଏ । କଷ୍ଟିକ ସୋଡ଼ା, କ୍ଲୋରିନ ପ୍ରସ୍ତୁତିରେ ଏହା ଲାଗେ ଓ ପ୍ଲାସ୍ଟିକ, କାଗଜ ପଲ୍ପ ଓ ପଲିଭିନାଇଲ କ୍ଲୋରାଇଡ ଇତ୍ୟାଦି କେତେକ କାରଖାନାମାନଙ୍କରେ ଏହା ବ୍ୟବହାର କରାଯାଏ । ପୃଥିବୀରେ ପ୍ରସ୍ତୁତ କରାଯାଉଥିବା ୨୦୦ ନିୟୁତ ଟନ୍ ଲୁଣରୁ ମାତ୍ର ୬% ମାନବ ଖାଦ୍ୟ ନିମନ୍ତେ ବ୍ୟବହାର କରାଯାଏ । ଖାଦ୍ୟ ଯୋଗ୍ୟ ଲୁଣ ତିନି ପ୍ରକାର ମିଳେ; ସାମୁଦ୍ରିକ ଲୁଣ, ଖାଇବା ଲୁଣ (ଟେବୁଲ ଲୁଣ) ଯେଉଁଥିରେ ମୁଣ୍ଡା ନ ହେବା ପଦାର୍ଥ ମିଶ୍ରିତ ଥାଏ ଓ ଆୟୋଡିନ ମିଶ୍ରିତ ଲୁଣ । ରାନ୍ଧିବାରେ ଲୁଣ ମିଶାଯାଏ, ଟେବୁଲରେ ଆବଶ୍ୟକତା ଅନୁଯାୟୀ ଖାଇବାକୁ ରଖାଯାଏ ଓ ଏହା ବ୍ୟତୀତ ଅନେକ ପ୍ରସ୍ତୁତ ଖାଦ୍ୟରେ ଏହି ଥାଏ ।
ମାନବ ସ୍ୱାସ୍ଥ୍ୟ ନିମନ୍ତେ ସୋଡ଼ିଅମ ଏକ ଅତ୍ୟାବଶ୍ୟକୀୟ ପୋଷକ ଯାହା ଇଲେକ୍ଟ୍ରୋଲାଇଟ ଓ ଅସମୋସିସ୍ ପ୍ରକ୍ରିୟାରେ ଭୂମିକା ନିର୍ବାହ କରେ । [1][2][3] ଅତ୍ୟଧିକ ଲୁଣ ଖାଇଲେ ହୃତ୍ପିଣ୍ଡ ରକ୍ତନଳୀ ରୋଗ ହୁଏ ଯେପରିକି ଉଚ୍ଚ ରକ୍ତଚାପ ଯାହା ଉଭୟ ପିଲା ଓ ଯୁବକମାନଙ୍କୁ ହୋଇପାରେ । ଦୀର୍ଘକାଳ ଧରି ଲୁଣର ସ୍ୱାସ୍ଥ୍ୟ ଉପରେ ପ୍ରଭାବର ଅନୁଶୀଳନ ଚାଲିଛି । ଲୋକପ୍ରିୟ ଲୁଣିଆ ଖାଦ୍ୟ କମ୍ ଖାଇବାକୁ ଅନେକ ସ୍ୱାସ୍ଥ୍ୟ ଆସୋସିଏସନ ଓ ବିଶାରଦମାନେ ସୁପାରିସ କରୁଛନ୍ତି ।[3][4] ଦୈନିକ ୬ଗ୍ରାମ ଲୁଣ (୨,୦୦୦ମିଗ୍ରା ସୋଡ଼ିଅମ) ଖାଇବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁମୋଦନ କରୁଛି ।[5]