ରୋମୀୟ ସାମ୍ରାଜ୍ୟ (Imperium Rōmānum (ଲାଟିନ୍); ଇମ୍ପେରିଅମ ରୋମାନମ, Βασιλεία τῶν Ῥωμαίων (କୋଇନେ ଗ୍ରୀକ୍); ବାସିଲେଇଆ ତୋନ୍ ରୋମାଇଓନ), ପ୍ରାଚୀନ ରୋମର ସାଧାରଣତନ୍ତ୍ର ପରବର୍ତ୍ତୀ ପର୍ଯ୍ୟାୟ ଅଟେ । ଏକ ରାଜ୍ଯ ହିସାବରେ, ଏହା ଭୂମଧ୍ଯସାଗର ଚାରିପଟେ, ଉତ୍ତର ଆଫ୍ରିକାରେ ଏବଂ ପଶ୍ଚିମ ଏସିଆରେ ସୁବିସ୍ତୃତ ଅଞ୍ଚଳ ନିଜ ଅଧିନରେ ରଖିଥିଲା । ସାମ୍ରାଜ୍ୟର ସର୍ବେସର୍ବା ଏହାର ସମ୍ରାଟମାନେ ଥିଲେ । କାଇଜର ଅଗଷ୍ଟସଙ୍କ ସିଂହାସନ ଆରୋହଣଠାରୁ ତୃତୀୟ ଶତାବ୍ଦୀର ସାମରିକ ଅରାଜକତା, ଏହା ଏକ ପ୍ରଥମତନ୍ତ୍ର ହୋଇ ରହିଥିଲା, ଯାହାର ମାତୃଦେଶ ଇଟାଲୀ ଏବଂ ଏକମାତ୍ର ରାଜଧାନୀ ରୋମରେ ଅବସ୍ଥିତ ଥିଲା । ସାମରିକ ଅରାଜକତା ପରେ, ଏକାଧିକ ସମ୍ରାଟଙ୍କଦ୍ୱାରା ସାମ୍ରାଜ୍ୟର ଶାସନ ହେଲା । ଏହି ସମ୍ରାଟମାନେ ମିଳିତ ଭାବରେ ପଶ୍ଚିମ ରୋମୀୟ ସାମ୍ରାଜ୍ଯ ଓ ପୂର୍ବ ରୋମୀୟ ସାମ୍ରାଜ୍ଯ (ବାଇଜାଣ୍ଟୀୟ ସାମ୍ରାଜ୍ଯ)ର ଶାସନ କଲେ । ଖ୍ରୀ.ଅ. ୪୭୬ ପର୍ଯ୍ୟନ୍ତ ଉଭୟ ସାମ୍ରାଜ୍ଯର ଆଧିକାରିକ ରାଜଧାନୀ ରୋମରେ ହିଁ ଥିଲା । ଖ୍ରୀଷ୍ଟାଦ୍ଦ ୩୮୦ରେ ଖ୍ରୀଷ୍ଟଧର୍ମକୁ ରାଜଧର୍ମ ରୂପେ ଉଦଘୋଷଣା କରିବା ଏବଂ ଜର୍ମାନୀ ରାଜାମାନଙ୍କ ହାତରେ ପଶ୍ଚିମ ରୋମୀୟ ସାମ୍ରାଜ୍ଯର ପତନ ପରେ ଶାସ୍ତ୍ରୀୟ ପ୍ରାଚୀନତାର ଅନ୍ତ ହେଲା ଏବଂ ମଧ୍ଯଯୁଗର ଆରମ୍ଭ ହେଲା । ଏହା ସହ ପୂର୍ବୀ ରୋମୀୟ ସାମ୍ରାଜ୍ଯର ହେଲେନୀକରଣ ଯୋଗୁଁ ଇତିହାସକାରମାନେ ପୂର୍ବ ରୋମୀୟ ସାମ୍ରାଜ୍ଯକୁ ବିଜାଣ୍ଟିନୀୟ ସାମ୍ରାଜ୍ଯ ବୋଲି ପୃଥକ ନାମକରଣ କରିଛନ୍ତି ।
This article has no lead section. (May 2021) |
ରୋମୀୟ ସାମ୍ରାଜ୍ଯ Senatus Populusque Romanus (ଲାଟିନ) ସେନାଟସ୍ ପୋପୁଲୁସକ୍ୟୁ ରୋମାନସ୍ Imperium Romanum (ଲାଟିନ) ଇମ୍ପେରିଅମ ରୋମାନମ Βασιλεία Ῥωμαίων (ପ୍ରାଚୀନ ଗ୍ରୀକ୍) ବାସିଲେଇଆ ରୋମାଇଓନ | |||||||||||
---|---|---|---|---|---|---|---|---|---|---|---|
ଖ୍ରୀଷ୍ଟପୂର୍ବ ୨୭ – ଖ୍ରୀଷ୍ଟାବ୍ଦ ୪୭୬ (ପାରମ୍ପରିକ ତିଥି)[1][2] ଖ୍ରୀଷ୍ଟପୂର୍ବ ୩୯୫ – ୪୭୬/୪୮୦ (ପଶ୍ଚିମ) ଖ୍ରୀଷ୍ଟାବ୍ଦ ୩୯୫–୧୪୫୩ (ପୂର୍ବ) | |||||||||||
| |||||||||||
ଟ୍ରାଜାନଙ୍କ ମୃତ୍ଯୁ ବେଳେ ଖ୍ରୀଷ୍ଟୀୟ ୧୧୭ରେ ରୋମୀୟ ସାମ୍ରାଜ୍ଯର ସର୍ବାଧିକ ବିସ୍ତାର | |||||||||||
Status | ସାମ୍ରାଜ୍ୟ | ||||||||||
ରାଜଧାନୀ | |||||||||||
ସାଧାରଣ ଭାଷା | ଲାଟିନ
(ଖ୍ରୀଷ୍ଟୀୟ ୬୧୦ ପର୍ଯ୍ୟନ୍ତ ଆଧିକାରିକ) ଗ୍ରୀକ୍ (ଖ୍ରୀଷ୍ଟୀୟ ୬୧୦ ପରେ ଆଧିକାରିକ) | ||||||||||
ଧର୍ମ |
| ||||||||||
Government | ଅର୍ଦ୍ଧ-ନିର୍ବାଚନୀୟ, ସମ୍ପୂର୍ଣ୍ଣ ରାଜତନ୍ତ୍ର | ||||||||||
ସମ୍ରାଟ | |||||||||||
• ଖ୍ରୀ.ପୂ. ୨୭ - ଖ୍ରୀ.ଅ. ୧୪ | ଅଗଷ୍ଟସ (ପ୍ରଥମ) | ||||||||||
• ୯୮–୧୧୭ | ଟ୍ରାଜାନ | ||||||||||
• ୨୭୦–୨୭୫ | ଅରେଲିଆନ | ||||||||||
• ୨୮୪–୩୦୫ | ଡିଓକ୍ଲେଟିଆନ | ||||||||||
• ୩୦୬–୩୩୭ | କୋନଷ୍ଟାଇନ ପ୍ରଥମ | ||||||||||
• ୩୭୯–୩୯୫ | ଥିଓଡୋସିଅସ୍ ପ୍ରଥମ[ନୋ 2] | ||||||||||
• ୪୭୪–୪୮୦ | ଜୁଲିଅସ ନେପୋସ[ନୋ 3] | ||||||||||
• ୪୭୫–୪୭୬ | ରୋମୁଲସ ଅଗଷ୍ଟସ | ||||||||||
• ୫୨୭–୫୬୫ | ଜଷ୍ଟିନିାନ ପ୍ରଥମ | ||||||||||
• ୬୧୦–୬୪୧ | ହେରାକ୍ଲିଅସ | ||||||||||
• ୭୮୦–୭୯୭ | କୋନଷ୍ଟାଇନ ଷଷ୍ଠ[ନୋ 4] | ||||||||||
• ୯୭୬–୧୦୨୫ | ବାସିଲ ଦ୍ୱିତୀୟ | ||||||||||
• ୧୪୪୯–୧୪୫୩ | କୋନଷ୍ଟାଇନ ଏକାଦଶ[ନୋ 5] | ||||||||||
ବିଧାନ ମଣ୍ଡଳ | ସିନେଟ | ||||||||||
History | |||||||||||
• ରୋମୀୟ ସାଧାରଣତନ୍ତ୍ରର ଅନ୍ତିମ ଯୁଦ୍ଧ | ଖ୍ରୀଷ୍ଟପୂର୍ବ ୩୨-୩୦ | ||||||||||
• ସାମ୍ରାଜ୍ଯ ସ୍ଥାପିତ | ଖ୍ରୀଷ୍ଟପୂର୍ବ ୩୦-୨ | ||||||||||
• କୋନଷ୍ଟାଣ୍ଟିନୋପଲ ରାଜଧାନୀ ହେଲା | ୩୩୦ ମସିହା ମେ ୧୧ | ||||||||||
• ଅନ୍ତିମ ପୂର୍ବ-ପଶ୍ଚିମ ବିଭାଜନ | ୩୯୫ ମସିହା ଜାନୁଆରୀ ୧୭ | ||||||||||
• ରୋମୁଲସ ଅଗଷ୍ଟସଙ୍କର ଗାଦିଚ୍ଯୁତ | ୪୭୬ ମସିହା ସେପ୍ଟେମ୍ବର ୪ | ||||||||||
• ଜୁଲିଅସ ନେପୋସଙ୍କ ହତ୍ଯା | ୪୮୦ ମସିହା ଅପ୍ରେଲ ୨୫ | ||||||||||
• ଚତୁର୍ଥ କ୍ରୁସେଡ | ୧୨୦୪ ମସିହା ଅପ୍ରେଲ ୧୨ | ||||||||||
• କୋନଷ୍ଟାଣ୍ଟିନୋପଲର ପୁନଃ ଅଧିକରଣ | ୧୨୬୧ ମସିହା ଜୁଲାଇ ୨୫ | ||||||||||
• କୋନଷ୍ଟାଣ୍ଟିନୋପଲର ପତନ | ମେ ୨୯ ୧୪୫୩ | ||||||||||
• ତ୍ରେବିଜୋନ୍ଦର ପତନ | ୧୪୬୧ ଅଗଷ୍ଟ ୧୫ | ||||||||||
କ୍ଷେତ୍ରଫଳ | |||||||||||
ଖ୍ରୀଷ୍ଟପୂର୍ବ ୨୫ | 2,750,000 km2 (1,060,000 sq mi) | ||||||||||
ଖ୍ରୀଷ୍ଟାବ୍ଦ ୧୧୭ | 5,000,000 km2 (1,900,000 sq mi) | ||||||||||
ଖ୍ରୀଷ୍ଟାବ୍ଦ ୩୯୦ | 4,400,000 km2 (1,700,000 sq mi) | ||||||||||
ଲୋକସଂଖ୍ୟା | |||||||||||
• ଖ୍ରୀଷ୍ଟପୂର୍ବ ୨୫ | 56800000 | ||||||||||
ମୁଦ୍ରା | ସେଷ୍ଟେରଟିଅସ,[ନୋ 6] ଅରେଅସ, ସୋଲିଡସ, ନୋମିସ୍ମା | ||||||||||
|
ରୋମୀୟ ସାମ୍ରାଜ୍ଯର ପୂର୍ବାଧିକାରୀ, ରୋମୀୟ ସାଧାରଣତନ୍ତ୍ର (ଯାହା ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀରେ ରୋମର ରାଜତନ୍ତ୍ରକୁ ବିସ୍ଥାପିତ କରିଥିଲା) କ୍ରମେ ରାଜନୈତିକ ବିବାଦ ଓ କ୍ରମିକ ଗୃହଯୁଦ୍ଧଦ୍ୱାରା ଦୁର୍ବଳ ହୋଇଯାଇଥିଲା । ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀର ମଧ୍ଯ ଭାଗରେ, ଜୁଲିଅସ କାଇଜରଙ୍କୁ ନିରବଚ୍ଛିନ୍ନ ଏକଛତ୍ରବାଦୀ ରୂପେ ନିଯୁକ୍ତି ଦିଆଗଲା ଏବଂ ପରେ ଖ୍ରୀଷ୍ଟପୂର୍ବ ୪୪ରେ ତାଙ୍କର ହତ୍ଯା କରିଦିଆଗଲା । ଗୃହଯୁଦ୍ଧ ଓ ରାଜହତ୍ୟା ବଢ଼ି ଚାଲିଲା, ଏବଂ ଶେଷରେ ଆକ୍ଟିଅମ ଯୁଦ୍ଧରେ ମାର୍କ ଆଣ୍ଟୋନି ଓ କ୍ଲିଓପାଟ୍ରାଙ୍କ ଉପରେ କାଇଜରଙ୍କ ପୋଷ୍ୟପୁତ୍ର ଅକ୍ଟୋଭିଆନଙ୍କ ବିଜୟ ହେଲା । ସେ ପରବର୍ତ୍ତୀ ବର୍ଷରେ ରୋମୀୟ ମିଶର ଓ ଟୋଲେମୀୟ ମିଶରକୁ ନିଜ ଅକ୍ତିଆରରେ ଆଣିଲେ । ଏଥି ସହିତ ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତାବ୍ଦୀରେ ମାସେଡୋନର ମହାନ ଆଲେକ୍ଜାଣ୍ଡରଙ୍କ ଯୁଦ୍ଧଘୋଷଦ୍ୱାରା ପ୍ରାରମ୍ଭିତ ହେଲେନୀୟ ଯୁଗର ଅନ୍ତ ହେଲା । ଫଳରେ ଅକ୍ଟୋଭିଆନଙ୍କ କ୍ଷମତା ଅଭେଦ୍ୟ ହୋଇଗଲା ଏବଂ ଖ୍ରୀଷ୍ଟପୂର୍ବ ୨୭ରେ ରୋମୀୟ ସିନେଟ ଆଧିକାରିକ ଭାବରେ ତାଙ୍କୁ ଅସୀମିତ କ୍ଷମତା ପ୍ରଦାନ କଲା । ଏଥିସହିତ ସେ ପ୍ରଥମ ଥର ପାଇଁ ଅଗଷ୍ଟସ ଉପାଧିରେ ଭୂଷିତ ହୋଇ ରୋମୀୟ ସାମ୍ରାଜ୍ଯର ପ୍ରଥମ ସମ୍ରାଟ ହେଲେ ।
ସାମ୍ରାଜ୍ୟରେ ପ୍ରଥମ ଦୁଇ ଶତାବ୍ଦୀ ଧରି ଅକଳ୍ପନୀୟ ସ୍ଥିରତା ଓ ଅଭିବୃଦ୍ଧି ପରିଲକ୍ଷିତ ହେଲା, ଯାହା ପାକ୍ସ ରୋମାନା (ରୋମୀୟ ଶାନ୍ତି) ନାମରେ ପରିଚିତ ହେଲା । ଖ୍ରୀଷ୍ଟାବ୍ଦ ୯୮ରୁ ୧୧୭ ମଧ୍ଯରେ ଟ୍ରାଜାନଙ୍କ ଶାସନକାଳରେ ରୋମ ଏହାର ସର୍ବାଧିକ ଆଞ୍ଚଳିକ ବିସ୍ତାର ଲାଭ କଲା । ଖ୍ରୀଷ୍ଟାବ୍ଦ ୧୭୭ରୁ ୧୯୨ ମଧ୍ଯରେ କୋମୋଡସଙ୍କ ରାଜୁତି ବେଳେ ସାମ୍ରାଜ୍ଯରେ ବିଭିନ୍ନ ସମସ୍ୟା ଓ ଅବନ୍ନତିର ସୂତ୍ରପାତ ହେଲା । ଖ୍ରୀଷ୍ଟୀୟ ତୃତୀୟ ଶତାବ୍ଦୀରେ ସାମ୍ରାଜ୍ଯ ଏକ ମହାବିପଦର ସମ୍ମୁଖୀନ ହେଲା, ଯାହା ଏହାର ଅସ୍ତିତ୍ବରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା । ଏହି ସମୟରେ ଗାଲୀୟ ସାମ୍ରାଜ୍ଯ ଓ ପାଲମିରିନ ସାମ୍ରାଜ୍ଯ ରୋମୀୟ ରାଜ୍ଯଠାରୁ ଅଲଗା ହୋଇଗଲେ ଏବଂ କେତେକ ଅଳ୍ପକାଳୀନ ସମ୍ରାଟମାନେ ରାଜ୍ୟର ନେତୃତ୍ବ ନେଲେ । ଖ୍ରୀଷ୍ଟାବ୍ଦ ୨୭୦ରୁ ୨୭୫ ମଧ୍ଯରେ, ଅରେଲିଆନ ସାମ୍ରାଜ୍ଯକୁ ପୁଣି ଏକତ୍ରୀତ କରିଥିଲେ । ସାମ୍ରାଜ୍ଯକୁ ସ୍ଥିରତା ପ୍ରଦାନ କରିବା ପାଇଁ, ସମ୍ରାଟ ଡିଓକ୍ଲେଟିଆନ ୨୮୬ ମସିହାରେ ଗ୍ରୀକ୍ ପୂର୍ବ ଓ ଲାଟିନ୍ ପଶ୍ଚିମ ଏହିପରି ଭାବରେ ଦୁଇଟି ଭିନ୍ନ ସାମ୍ରାଜ୍ଯସଭାର ସ୍ଥାପନା କଲେ । ୩୧୩ ମସିହାରେ ମିଲାନଙ୍କ ଅଧ୍ୟାଦେଶ ପରେ ଖ୍ରୀଷ୍ଟୀଆନମାନେ କ୍ଷମତାକୁ ଆସିଲେ । ପ୍ରବ୍ରଜନ କାଳର କିଛି ସମୟ ପରେ, ଜର୍ମାନୀୟ ଓ ଆଟିଲିଆର ହୁଣମାନଙ୍କ ବାରମ୍ବାର ଆକ୍ରମଣ ଯୋଗୁଁ ପଶ୍ଚିମ ସାମ୍ରାଜ୍ଯର ପତନ ଘଟିଲା । ଜର୍ମାନୀୟ ହେରୁଲୀୟଙ୍କ ହାତରେ ରାଭେନ୍ନାର ପତନ ସହିତ ଖ୍ରୀଷ୍ଟାବ୍ଦ ୪୭୬ରେ ଓଡୋଆସେରଙ୍କଦ୍ୱାରା ରମୁଲସ ଅଗଷ୍ଟସଙ୍କ ବିସ୍ଥାପନ ଯୋଗୁଁ ଶେଷରେ ପଶ୍ଚିମ ରୋମୀୟ ସାମ୍ରାଜ୍ଯ ଭାଙ୍ଗି ପଡିଲା । ଖ୍ରୀଷ୍ଟାବ୍ଦ ୪୮୦ରେ ପୂର୍ବ ରୋମୀୟ ସମ୍ରାଟ ଜେନୋ ଏହାର ଆନୁଷ୍ଠାନିକ ଉଚ୍ଛେଦ କଲେ । ପରବର୍ତ୍ତୀ କାଳରେ, ପଶ୍ଚିମ ରୋମୀୟ ସାମ୍ରାଜ୍ଯର ଅଞ୍ଚଳରେ ଗଢିଉଠିଥିବା କେତେକ ନୂତନ ସାମ୍ରାଜ୍ଯ ବା ରାଜ୍ଯ, ବିଶେଷ କରି ପବିତ୍ର ରୋମୀୟ ସାମ୍ରାଜ୍ଯ ଦାବି କରୁଥିଲେ ଯେ ସେମାନେ ରୋମୀୟ ସମ୍ରାଟମାନଙ୍କ ବାସ୍ତବିକ ଉତ୍ତରାଧିକାରୀ । ପୂର୍ବ ରୋମୀୟ ସାମ୍ରାଜ୍ଯ ଆଉ ଏକ ସହସ୍ରାବ୍ଦ ପର୍ଯ୍ୟନ୍ତ ତିଷ୍ଠି ରହିପାରିଥିଲା । ଶେଷରେ ୧୪୫୩ ମସିହାରେ ସୁଲତାନ ମେହମେଦ ଦ୍ୱିତୀୟଙ୍କ ଓଟୋମାନ ତୁର୍କୀମାନଙ୍କ ହାତରେ କୋନଷ୍ଟାଣ୍ଟିନୋପଲର ପତନ ଯୋଗୁଁ ପୂର୍ବ ସାମ୍ରାଜ୍ଯର ମଧ୍ଯ ଅନ୍ତ ଘଟିଲା ।[ନୋ 7]
ରୋମୀୟ ସାମ୍ରାଜ୍ଯର ବିସ୍ତୃତି ଓ ଏହାର ଦୀର୍ଘକାଳର ତିଷ୍ଠତି କାରଣରୁ, ରୋମର ଅନୁଷ୍ଠାନ ଓ ସଂସ୍କୃତିଗୁଡିକ ଏହା ଅଧିନସ୍ଥ ଅଞ୍ଚଳ ତଥା ବାହାର ଅଞ୍ଚଳମାନଙ୍କର ଭାଷା, ଧର୍ମ, କଳା, ସ୍ଥାପନ ଶୈଳୀ ଦର୍ଶନ, ବିଧି ତଥା ପ୍ରଶାସନର ପ୍ରରୂପରେ, ସୁଦୂର ପ୍ରସାରୀ ପ୍ରଭାବ ପକାଇଥିଲା । ରୋମୀୟମାନଙ୍କ ଲାଟିନ ଭାଷା, ମଧ୍ଯଯୁଗ ଓ ଆଧୁନିକ ଯୁଗର ରୋମୀୟ ଭାଷାସମୂହରେ ପରିବର୍ଦ୍ଧିତ ହେଲା, ଅପରପକ୍ଷରେ ମଧ୍ଯଯୁଗୀୟ ଗ୍ରୀକ୍ ଭାଷା, ପୂର୍ବ ରୋମୀୟ ସାମ୍ରାଜ୍ଯର ରାଜଭାଷାର ମର୍ଯ୍ୟାଦା ପାଇଲା । ସାମ୍ରାଜ୍ଯର ଖ୍ରୀଷ୍ଟଧର୍ମରେ ଦିକ୍ଷିତ ହେବା ପରେ ମଧ୍ଯଯୁଗୀୟ ଖ୍ରୀଷ୍ଟରାଜ୍ୟ ସ୍ଥାପନ ହେଲା । ଇଟାଲୀୟ ପୁନର୍ଜାଗରଣ ଉପରେ ଗ୍ରୀକ୍ ଓ ରୋମୀୟ କଳାର ଗଭୀର ପ୍ରଭାବ ପଡିଥିଲା । ରୋମର କଳାକୃତିର ପରମ୍ପରା, ରୋମନେସ୍କ, ପୁନର୍ଜାଗରଣ ଓ ନୂଆ ଶାସ୍ତ୍ରୀୟ ସ୍ଥାପତ୍ୟ କଳା ଉପରେ ଗଭୀର ପ୍ରଭାବ ପକାଇଛି ।
ଇତିହାସ
ସାଧାରଣତନ୍ତ୍ରରୁ ସାମ୍ରାଜ୍ଯରେ ପରିବର୍ଦ୍ଧନ
ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀରେ ରୋମୀୟ ସାଧାରଣତନ୍ତ୍ରର ସ୍ଥାପନ ପରେ ରୋମ ବିସ୍ତାର ଆରମ୍ଭ କରିଥିଲା, କିନ୍ତୁ ତୃତୀୟ ଶତାବ୍ଦୀ ପୂର୍ବରୁ ଏହା ଇଟାଲୀୟ ଉପଦ୍ବୀପ ମଧ୍ଯରେ ହିଁ ସୀମିତ ଥିଲା । ତାପରେ, ଏକ ସମ୍ରାଟ ପାଇବା ପୂର୍ବରୁ ଏହା ଏକ ସାମ୍ରାଜ୍ଯ ବା ମହାଶକ୍ତିରେ ପରିଣତ ହୋଇସାରିଥିଲା ।[3][4][5][6] ରୋମୀୟ ସାଧାରଣତନ୍ତ୍ର, ଆଧୁନିକ ଜାତି-ରାଷ୍ଟ୍ର ନ ଥିଲା, ଅପିତୁ କେତେକ ସହରମାନଙ୍କୁ ଏକତ୍ର ସ୍ୱୟଂଶାସନର ଅଧିକାର (ରୋମୀୟ ସିନେଟ ଦ୍ୱାରା) ଦିଆଯାଇଥିଲା ଏବଂ ପ୍ରାନ୍ତଗୁଡ଼ିକ ସାମରିକ ସେନାନାୟକମାନଙ୍କଦ୍ୱାରା ଶାସିତ ହେଉଥିଲା । ଏହା ସମ୍ରାଟମାନଙ୍କଦ୍ୱାରା ଶାସିତ ନ ହୋଇ ପ୍ରତି ବର୍ଷ ନିର୍ବାଚିତ ମାଜିଷ୍ଟ୍ରେଟମାନଙ୍କଦ୍ୱାରା ସିନେଟର ନିର୍ଦ୍ଦେଶ କ୍ରମେ ଶାସିତ ହେଉଥିଲା ।[7] କେତେକ କାରଣ ବସତଃ ପ୍ରଥମ ଶତାବ୍ଦୀରେ ଅନେକ ରାଜନୈତିକ ଓ ସାମରିକ ଅସ୍ଥିରତା ଦେଖାଦେଇଥିଲା, ଯାହା ପର୍ଯ୍ୟାୟ କ୍ରମେ ସମ୍ରାଟମାନଙ୍କ ଶାସନ ପାଇଁ ପଥ ଉନ୍ମୋଚନ କଲା ।[4][8][9][10] କୋନ୍ସୁଲର ସାମରିକ କ୍ଷମତା, ରୋମୀୟ ବୈଧିକ ଚିନ୍ତାଧାରା ଇମ୍ପେରିଅମ ଉପରେ ନିର୍ଭର କରୁଥିଲା, ଯାହାର ଶାବ୍ଦିକ ଅର୍ଥ ହେଉଛି "ଆଦେଶ" (ସାମରିକ ବିଷୟବସ୍ତୁରେ).[11] କେତେକାଂଶରେ, ସଫଳ କନ୍ସୁଲମାନଙ୍କୁ ସମ୍ମାନସୂଚକ ଉପାଧି ଇମ୍ପେରାଟୋର (କମାଣ୍ଡର)ରେ ଭୂଷିତ କରାଯାଉଥିଲା ।[12]
ଇଟାଲୀ ବାହାରେ ନିଜର ବିସ୍ତାର କରୁଥିବା ସତ୍ତ୍ବେ ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତାବ୍ଦୀର ଶେଷାର୍ଦ୍ଧରେ ରୋମରେ ଆନ୍ତରିକ କଳହ, ଷଡ଼ଯନ୍ତ୍ର ତଥା ଗୃହଯୁଦ୍ଧ ବଢ଼ିଚାଲିଲା । ଏହି ସମୟକୁ ରୋମୀୟ ସାଧାରଣତନ୍ତ୍ରର ସଙ୍କଟ ବୋଲି କୁହାଯାଏ । ଏହି ଯୁଗର ସମାପ୍ତି ବେଳକୁ, ଖ୍ରୀଷ୍ଟପୂର୍ବ ୪୪ରେ ଜୁଲିୟସ କାଇଜର ମୃତ୍ଯୁ ପୂର୍ବରୁ ଆମରଣ ଏକଛତ୍ରବାଦୀ ରୂପେ ଉଭା ହେଲେ । କାଇଜରଙ୍କ ପୋଷ୍ୟପୁତ୍ର ଓକ୍ଟାଭିଆନ ଓ ମାର୍କ ଆଣ୍ଟୋନିଙ୍କ ନେତୃତ୍ବରେ ଏକ ସୈନ୍ୟବାହିନୀ ଖ୍ରୀଷ୍ଟପୂର୍ବ ୪୨ରେ ଫିଲିପ୍ପୀର ଯୁଦ୍ଧରେ କାଇଜରଙ୍କ ହତ୍ଯାକାରୀମାନଙ୍କୁ ରୋମରୁ ବହିଷ୍କାର କରି ପରାସ୍ତ କଲେ । ଆଣ୍ଟୋନି ଓ ଓକ୍ଟାଭିଆନ ରୋମୀୟ ସାମ୍ରାଜ୍ଯକୁ ନିଜ ମଧ୍ଯରେ ବାଣ୍ଟି ନେଲେ କିନ୍ତୁ ତାହା ବେଶୀ ସମୟ ତିଷ୍ଠି ରହିପାରିଲା ନାହିଁ । ଶେଷରେ ଖ୍ରୀଷ୍ଟପୂର୍ବ ୩୧ରେ ହୋଇଥିବା ଆକ୍ଟିଅମର ଯୁଦ୍ଧରେ ମାର୍କ ଆଣ୍ଟୋନି ଓ କ୍ଲିଓପାଟ୍ରା ଓକ୍ଟାଭିଆନଙ୍କ ସମ୍ମୁଖରେ ପରାଜିତ ହେଲେ । ଏହିପରି ଭାବରେ ରୋମୀୟ ସାଧାରଣତନ୍ତ୍ରର ଅନ୍ତିମ ଯୁଦ୍ଧର ସମାପ୍ତି ହେଲା । ଖ୍ରୀଷ୍ଟପୂର୍ବ ୨୭ରେ ସିନେଟ ଓ ରୋମୀୟ ଲୋକମାନେ ଓକ୍ଟାଭିଆନଙ୍କୁ ପ୍ରୋକୋନ୍ସୁଲୀୟ ଇମ୍ପେରିଅମର କ୍ଷମତା ସହିତ ପ୍ରନ୍ସେପ୍ସ ("ପ୍ରଥମ ନାଗରିକ") ଭାବରେ ଆଖ୍ୟାୟିତ କଲେ । ଫଳରେ ପ୍ରନ୍ସିପତନ୍ତ୍ରର ଆରମ୍ଭ ହେଲା ଏବଂ ଏହା ସହିତ ତାଙ୍କୁ ଅଗଷ୍ଟସ (ସମ୍ମାନନୀୟ) ଉପାଧିରେ ଭୂଷିତ କଲେ । ପୂର୍ବର ସାମ୍ବିଧାନିକ ଶୈଳୀରେ କୌଣସି ପରିବର୍ତ୍ତନ ଅଣାଗଲା ନାହିଁ, କିନ୍ତୁ ଅଗଷ୍ଟସ ଏଥିରେ ନିଜର ଆଧିପତ୍ଯ ଜାହିର କରିପାରିଲେ । ଏହି ସମୟରେ ରାଜ୍ଯର ନାମ ଅବଶ୍ଯ ସାଧାରଣତନ୍ତ୍ର ହୋଇରହିଲା, କିନ୍ତୁ ଅଗଷ୍ଟସଙ୍କ ସମକାଳୀନ ପ୍ରତିଦ୍ବନ୍ଦୀମାନେ ଜାଣିସାରିଥିଲେ ଯେ ଅଗଷ୍ଟସଙ୍କ ହାତରେ ବାସ୍ତବିକ କ୍ଷମତା ଆସି ସାରିଛି ।[13] ଯେହେତୁ ତାଙ୍କ ଶାସନ ଏକ ଶତାବ୍ଦୀ ଧରି ଲାଗିରହିଥିବା ଗୃହଯୁଦ୍ଧର ଅବସାନ କରିଥିଲା ଏବଂ ଏକ ଅକଳ୍ପନୀୟ ଶାନ୍ତି ଓ ସମୃଦ୍ଧିର ଯୁଗର ଆରମ୍ଭ କରିଥିଲା, ଲୋକମାନେ ତାଙ୍କୁ ବହୁତ ସମ୍ମାନ ଦେଲେ ଓ ସେ ପ୍ରକାରାନ୍ତରେ ବିଧିବଦ୍ଧ ନହେଲେହେଁ ବାସ୍ତବିକ ରାଜତନ୍ତ୍ରୀ ହୋଇସାରିଥିଲେ । ତାଙ୍କ ଶାସନକାଳରେ, ଏକ ନୂତନ ସାମ୍ବିଧାନିକ ସ୍ଥିତିର ଅଭ୍ୟୁଦୟ ହେଲା ।
ପାକ୍ସ ରୋମାନା
ଅଗଷ୍ଟସଙ୍କ ରାଜୁତି କାଳରୁ ୨୦୦ ବର୍ଷ ପର୍ଯ୍ୟନ୍ତ ସମୟକୁ ପାରମ୍ପରିକ ଭାବେ ପାକ୍ସ ରୋମାନା ("ରୋମୀୟ ଶାନ୍ତି") କୁହାଗଲା । ଏହି ସମୟରେ ରୋମରେ ଅଭୂତପୂର୍ବ ସାମାଜିକ ସ୍ଥିରତା ଓ ସମ୍ପନ୍ନତା ଦେଖାଗଲା, ଯାହା ଫଳରେ ସାମ୍ରାଜ୍ଯରେ ଏକତା ରହିଲା । ପ୍ରାନ୍ତଗୁଡ଼ିକରେ ବିଦ୍ରୋହ ବେଳେବେଳେ ଦେଖାଦେଉଥିଲେ ମଧ୍ଯ ସେଗୁଡ଼ିକୁ ଅତି ସହଜରେ ବର୍ବରତାର ସହିତ ଦମନ କରାଯାଉଥିଲା ।[14] ରାଜବଂଶର ଉତ୍ତରାଧିକାରର ନୀତି ପ୍ରତିଷ୍ଠା କରିବାରେ ଅଗଷ୍ଟସଙ୍କ ସଫଳତା ତାଙ୍କର ଅନେକ ପ୍ରତିଭାଶାଳୀ ସମ୍ଭାବ୍ୟ ଉତ୍ତରାଧିକାରୀଙ୍କଦ୍ୱାରା ସୀମିତ ଥିଲା । ଜୁଲୀୟ-କ୍ଲୌଡୀୟ ରାଜବଂଶର ଚାରିଜଣ - ଟିବେରିଅସ, କାଲିଗୁଲା, କ୍ଲୌଡିଅସ, ନେରୋ ଆଦି ସମ୍ରାଟ ପଦବୀ ଆରୋହଣ କରିଥିଲେ । ଖ୍ରୀଷ୍ଟୀୟ ୬୯ରେ ସଂଘର୍ଷଗ୍ରସ୍ତ ଚତୁର୍ସମ୍ରାଟଙ୍କ ବର୍ଷ ପରେ ବିଜେତା ରୂପେ ଭେସ୍ପାସିଆନ ଉଭା ହେଲେ । ଭେସ୍ପାସିଆନ ଫ୍ଲାଭୀୟ ରାଜବଂଶର ସ୍ଥାପନ କଲେ । ଏହା ପରେ ନର୍ଭା-ଆଣ୍ଟୋନିନେ ରାଜବଂଶ ସ୍ଥାପିତ ହେଲା - ଯାହା ପଞ୍ଚ ଭଲ ସମ୍ରାଟଙ୍କୁ (ଯଥା - ନର୍ଭା, ଟ୍ରାଜାନ, ହାଦ୍ରିଆନ, ଆଣ୍ଟୋନିନସ ପିଅସ ଓ ମାର୍କସ ଔରେଲିଅସ) ଜନ୍ମ ଦେଇଥିଲା ।
ପଶ୍ଚିମର ପତନ ଓ ପୂର୍ବର ତିଷ୍ଠନ
ତତ୍କାଳୀନ ପ୍ରଦର୍ଶକ ଡିଓ କାସିଅସଙ୍କ ମତରେ, ଖ୍ରୀଷ୍ଟୀୟ ୧୮୦ରେ ସମ୍ରାଟ କୋମୋଡସଙ୍କ ସିଂହାସନାରୋହଣ ପରେ ଏକ ସୁନାର ରାଜ୍ଯ, ଏକ ଲୁହା ଓ କଳଙ୍କିର ରାଜ୍ଯରେ ପତିତ ହେଲା ।[15] ତାଙ୍କର ଏହି ଟିପ୍ପଣୀ ଯୋଗୁଁ କେତେକ ଇତିହାସକାର, ବିଶେଷତଃ ଏଡୱାର୍ଡ ଗିବନ, କୋମୋଡସଙ୍କ ରାଜୁତିକାଳକୁ ସାମ୍ରାଜ୍ଯର ପତନର ଆରମ୍ଭ ବୋଲି କହନ୍ତି ।[16][17]
ଖ୍ରୀଷ୍ଟୀୟ ୨୧୨ରେ କାରାକାଲ୍ଲାଙ୍କ ଶାସନ କାଳରେ ସମସ୍ତ ମୁକ୍ତଜାତ ଲୋକଙ୍କୁ ରୋମୀୟ ନାଗରିକତା ଦିଆଯାଉଥିଲା । ଏହାସତ୍ତ୍ବେ ସେଭେରୀୟ ରାଜବଂଶ ସମୟଟି ଉତ୍ତେଜନା ପୂର୍ଣ୍ଣ ଥିଲା - କୋଣସି ସମ୍ରାଟଙ୍କ ଶାସନ ହତ୍ଯା କିମ୍ବା ପ୍ରାଣଦଣ୍ତଦ୍ୱାରା ବାରମ୍ବାର ଶେଷ କରି ଦିଆଯାଉଥିଲା - ଏବଂ ଏହି ରାଜବଂଶର ପତନ ପରେ ରୋମୀୟ ସାମ୍ରାଜ୍ଯ ତୃତୀୟ ଶତାବ୍ଦୀର ମହାବିପଦର କବଳରେ କବଳିତ ହେଲା । ଏହି ସମୟରେ ବାରମ୍ବାର ବହିରାକ୍ରମଣ, ସାମାଜିକ ବିଶୃଙ୍ଖଳା, ଅର୍ଥନୈତିକ ବିଶୃଙ୍ଖଳା ତଥା ପ୍ଲେଗ ଆଦି ଦେଖାଯାଇଥିଲା ।[18] ଐତିହାସିକ କାଳାନ୍ତରର ବର୍ଣ୍ଣନାରେ, ଏହି ବିପତ୍ତିକୁ ଶାସ୍ତ୍ରୀୟ ପ୍ରାଚୀନତାରୁ ପରବର୍ତ୍ତୀ ପ୍ରାଚୀନତାକୁ ପ୍ରବେଶର ଚିହ୍ନ ବୋଲି ଧରାଯାଏ । ଔରେଲିଆନ (୨୭୦ରୁ ୨୭୫ ପର୍ଯ୍ୟନ୍ତ ଶାସନକାଳ), ସାମ୍ରାଜ୍ଯକୁ ବିଧ୍ବଂସ ମୁହଁରୁ ବଞ୍ଚେଇଲେ ଏବଂ ଏହାକୁ ସ୍ଥିରତା ପ୍ରଦାନ କଲେ । ଡିଓକ୍ଲେଟିଆନ ସାମ୍ରାଜ୍ଯର ସଂପୂର୍ଣ୍ଣ ପୁନରୁତ୍ଥାନ କଲେ, କିନ୍ତୁ ପ୍ରିନ୍ସେପ୍ସର ଭୂମିକା ନ୍ୟୁନ କଲେ ଓ ପ୍ରଥମ ଥର ପାଇଁ ଡୋମିନେ, "ମାଷ୍ଟର" ବା "ସ୍ୱାମୀ" ରୂପେ ସମ୍ବୋଧିତ ହେଲେ ।[19] ଡିଓକ୍ଲେଟିଆନଙ୍କ ରାଜୁତି କାଳରେ ଖ୍ରୀଷ୍ଟଧର୍ମ ବିରୁଦ୍ଧରେ ସାମ୍ରାଜ୍ଯ ଠୋସ ପଦକ୍ଷେପ ନେଇଥିଲା, ଯାହାକୁ "ମହୌତ୍ପିଡ଼ନ" ବୋଲି କୁହାଯାଏ ।
ଡିଓକ୍ଲେଟିଆନ, ସାମ୍ରାଜ୍ଯକୁ ଚାରୋଟି ଭାଗରେ ବିଭକ୍ତ କଲେ ଏବଂ ପ୍ରତ୍ୟେକ ଭାଗ ଏକ ଭିନ୍ନ ସମ୍ରାଟଦ୍ୱାରା ଶାସିତ ହେଲା, ଏହାକୁ ଚତୁର୍ତନ୍ତ୍ର କୁହାଯାଏ ।[20] ରୋମକୁ କବଳିତ କରିଥିବା ବିଶୃଙ୍ଖଳା ସବୁର ଅନ୍ତ ଘଟାଇଥିବା ଭାବି ସେ ଓ ତାଙ୍କ ସହିତ ତାଙ୍କର ସହ-ସମ୍ରାଟ ପଦବୀରୁ ସ୍ୱେଚ୍ଛାରେ ଅବସର ନେଲେ । କିନ୍ତୁ କିଛି ସମୟ ପରେ ହିଁ ଚତୁର୍ତନ୍ତ୍ର ଭାଙ୍ଗିଗଲା । ମହାନ କୋନଷ୍ଟାଇନ ଶେଷରେ ବିଧିବ୍ୟବସ୍ଥାର ପୁନର୍ସ୍ଥାପନା କଲେ । ସେ ଖ୍ରୀଷ୍ଟଧର୍ମରେ ଦିକ୍ଷିତ ହୋଇଥିବା ପ୍ରଥମ ସମ୍ରାଟ ହେଲେ ଏବଂ କୋନଷ୍ଟାଣ୍ଟିନୋପଲକୁ ପୂର୍ବ ସାମ୍ରାଜ୍ଯର ନୂତନ ରାଜଧାନୀ କରାଇଲେ । କୋନଷ୍ଟାଇନୀୟ ଓ ଭାଲେଣ୍ଟିନୀୟ ରାଜବଂଶର ଶାସନକାଳରେ, ସାମ୍ରାଜ୍ଯଟି ପୂର୍ବ-ପଶ୍ଚିମ ଅକ୍ଷରେ ବିଭାଜିତ ଥିଲା ଏବଂ ରୋମ ଓ କୋନଷ୍ଟାଣ୍ଟିନୋପଲ ଦ୍ୱୈତ କ୍ଷମତାର ଆଧାର ଥିଲା ।
ଆଧାର
ନୋଟ
Wikiwand in your browser!
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.