ରକ୍ତହୀନତା
From Wikipedia, the free encyclopedia
ପ୍ରତିଶବ୍ଦ - ଆନିମିଆ, ରକ୍ତ କ୍ଷୀଣତା
ରକ୍ତହୀନତା ଶବ୍ଦର ଆକ୍ଷରିକ ଅର୍ଥ ଅଳ୍ପ ରକ୍ତ ହେଲେ ମଧ୍ୟ ପ୍ରକୃତରେ ରକ୍ତରେ ଥିବା ଲୋହିତ ରକ୍ତ କଣିକା ଅଳ୍ପ ତଥା ତୃଟିଯୁକ୍ତ ଥିଲେ ବା ହେମୋଗ୍ଲୋବିନ ପରିମାଣ କମ ଥିଲେ ରକ୍ତହୀନତା ରୋଗ ନିର୍ଣ୍ଣୟ କରାଯାଏ ।[1][2]>[3] ହେମୋଗ୍ଲୋବିନର ଅମ୍ଳଜାନ ଗ୍ରହଣ କରିବା ଶକ୍ତି କମ ଥିଲେ ମଧ୍ୟ ରକ୍ତହୀନତା କୁହାଯାଏ ।[4] ଇଂରାଜୀରେ ଏହି ରୋଗକୁ ଆନିମିଆ କହନ୍ତି । ଆନିମିଆ ଶବ୍ଦଟି ପୁରୁଣା ଗ୍ରୀକ ଶବ୍ଦରୁ ଆସିଛି ଯାହାର ଅର୍ଥ 'ନାହିଁ ରକ୍ତ' (ἀναιμία anaimia, meaning lack of blood, from ἀν- an-, "not" + αἷμα haima, "blood")। ଲୋହିତ ରକ୍ତ କଣିକାରେ ଥିବା ହେମୋଗ୍ଲୋବିନ ଫୁସଫୁସରୁ ଅମ୍ଳଜାନ ସଂଗ୍ରହ କରି ସାରା ଶରୀରରେ ଥିବା କ୍ୟାପିଲାରି ବା ଅତି ସୂକ୍ଷ୍ମ ରକ୍ତ ନଳୀ (Capillary) ପର୍ଯ୍ୟନ୍ତ ବହନ କରେ ଓ ଦେହର ସମୁଦାୟ ଜୀବକୋଷଙ୍କୁ ବାଣ୍ଟେ । ଏଣୁ ଆନିମିଆ ହେଲେ ରକ୍ତରେ ଅମ୍ଳଜାନ ପରିମାଣ କମିଯାଏ ଯାହାକୁ ହାଇପୋକ୍ସିଆ କହନ୍ତି । ପ୍ରତ୍ୟେକ ଜୀବକୋଷ ବଞ୍ଚିବା ନିମନ୍ତେ ଅମ୍ଳଜାନ ଆବଶ୍ୟକ କରେ, ଏଣୁ ହେମୋଗ୍ଲୋବିନ ଅଭାବରେ ଅମ୍ଳଜାନ ଅଭାବ ହୁଏ ଓ ଏହାର ଅଭାବ ହେଲେ ଅନେକ ପ୍ରକାର ଲକ୍ଷଣ ପ୍ରକାଶ ପାଏ । ଆନିମିଆ ଧୀରେ ଧୀରେ ଆସିଲେ ଲକ୍ଷଣ ଅସ୍ପଷ୍ଟ ହୁଏ: ଥକ୍କାଣ, ଦୂର୍ବଳତା, ଛୋଟ ଶ୍ୱାସକ୍ରିୟା ବା ବ୍ୟାୟାମ ଅକ୍ଷମତା ଦେଖାଯାଏ । ଶୀଘ୍ର ହେଉଥିବା ଆନିମିଆ ଲକ୍ଷଣ: ଚିତ୍ତଭ୍ରମ ହୁଏ, ଅଚେତ ହେବା ଭଳି ଲାଗେ ଓ ଅଧିକ ଶୋଷ ହୁଏ । ଶେତା ଦେଖାଯିବା ନିମନ୍ତେ ଅଧିକ ଆନିମିଆ ଆବଶ୍ୟକ । ଅନ୍ତର୍ନିହିତ କାରଣ ଅନୁସାରେ ଅନ୍ୟାନ୍ୟ ଲକ୍ଷଣ ଦେଖାଯାଏ । [5]
ରକ୍ତହୀନତା Anemias | |
---|---|
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | hematology[*] |
ଆଇସିଡ଼ି-୧୦ | D50.-D64. |
ଆଇସିଡ଼ି-୯-ସିଏମ୍ | 280-285 |
ରୋଗ ଡାଟାବେସ | 663 |
ମେଡ଼ିସିନ-ପ୍ଲସ | 000560 |
ଇ-ମେଡ଼ିସିନ | med/132 emerg/808 emerg/734 |
MeSH | D000740 |
ରକ୍ତସ୍ରାବ, ଲୋହିତ ରକ୍ତ କଣିକା (ଲୋ.ର.କ.) କମ୍ ତିଆରି ଓ ଅଧିକ ଲୋ.ର.କ. ଭାଙ୍ଗିବା- ଏହି ତିନି କାରଣ ଯୋଗୁ ରୋଗ ହୁଏ । ରକ୍ତକ୍ଷୟର କାରଣ ମଧ୍ୟରେ ଆଘାତ ଖାଦ୍ୟନଳୀ ରକ୍ତସ୍ରାବ ପ୍ରଧାନ । ସ୍ୱଳ୍ପ ତିଆରି କାରଣମାନଙ୍କ ମଧ୍ୟରେ ଦେହରେ ଲୌହ ଅଭାବ, ଭିଟାମିନ ବି୧୨ ଅଭାବ, ଥାଲାସେମିଆ ଓ ଅନେକ ଅସ୍ଥିମଜ୍ଜା ଅର୍ବୁଦ ପ୍ରଧାନ । ଅଧିକ ଭାଙ୍ଗିବା କାରଣ ମଧ୍ୟରେ ମ୍ୟାଲେରିଆ ଓ କେତେକ ଅଟୋଇମ୍ମ୍ୟୁନ ରୋଗ ପ୍ରଧାନ । ଲୋ.ର.କ.ର ଆକାର (size of red blood cells) ଓ ପ୍ରତି କଣିକାରେ ଥିବା ହେମୋଗ୍ଲୋବିନ ପରିମାଣ (amount of hemoglobin in each cell) ଅନୁସାରେ ଏହାକୁ ବର୍ଗୀକରଣ କରାଯାଏ । ଲୋ.ର.କ. ଛୋଟ ହେଲେ ମାଇକ୍ରୋସାଇଟିକ ଆନିମିଆ, ବଡ଼ ହେଲେ ମାକ୍ରୋସାଇଟିକ ଆନିମିଆ ଓ ଅପରିବର୍ତ୍ତିତ ଥିଲେ ନର୍ମୋସାଇଟିକ ଆନିମିଆ କୁହାଯାଏ । ଆନିମିଆ ରୋଗ ନିର୍ଣ୍ଣୟ କରିବା ନିମନ୍ତେ ହେମୋଗ୍ଲୋବିନ ପୁରୁଷଙ୍କଠାରେ ୧୩ରୁ୧୪ଗ୍ରା/ଡେ.ଲି. (130 to 140 g/L ବା13 to 14 g/dL) ଓ ମହିଳାଙ୍କଠାରେ ୧୨ରୁ ୧୩ଗ୍ରା/ଡେ.ଲି. (120 to 130 g/L ବା 12 to 13 g/dL)ରୁ କମ୍ ହେବା ଆବଶ୍ୟକ । [5][6] ଆନିମିଆର ସଠିକ କାରଣ ନିର୍ଣ୍ଣୟ କରିବା ନିମନ୍ତେ ଅଧିକ ପରୀକ୍ଷା ଆବଶ୍ୟକ ହୁଏ ।[5]
ଗର୍ଭବତୀ ମହିଳାମାନେ ଲୌହ ବା ଆଇରନ ପିଲ୍ ଖାଇଲେ ଏହାର ପ୍ରତିଷେଧ ହୁଏ ।[5][7] ନିର୍ଦ୍ଦିଷ୍ଟ କାରଣ ନ ଥାଇ ଅଧିକ ପୂରକ(supplement) ଖାଦ୍ୟ ଦେବା ନିଷେଧ । ଚିହ୍ନ ଓ ଲକ୍ଷଣ ଦେଖି ରକ୍ତ ଟ୍ରାନ୍ସଫ୍ୟୁଜନ ଦିଆଯାଏ । [5] ଲକ୍ଷଣହୀନ ଆନିମିଆରେ ରକ୍ତ ଟ୍ରାନ୍ସଫ୍ୟୁଜନ ଦିଆଯାଏ ନାହିଁ; ହେମୋଗ୍ଲୋବିନ ସ୍ତର ୬ରୁ୮ଗ୍ରା/ଡେ.ଲି.(60 to 80 g/L ବା 6 to 8 g/dL)ରୁ କମ ଥିଲେ ଦିଆଯାଏ ।[5][8] ଆକ୍ୟୁଟ ରକ୍ତସ୍ରାବ ଥିଲେ ମଧ୍ୟ ଏହି ଧାରା ମାନିହେବ । [5] ଅତ୍ୟଧିକ ରକ୍ତସ୍ରାବ ହେଉଥିଲେ ଟ୍ରାନ୍ସଫ୍ୟୁଜନ ଦିଆଯାଏ ।[5] ଅତ୍ୟଧିକ ଆନିମିଆ ଥିଲେ ରକ୍ତକଣିକା ସୃଷ୍ଟିକାରୀ ଔଷଧ ଦେବାକୁ ପରାମର୍ଶ ଦିଆଯାଏ ।[8]
ଆନିମିଆ ଗୋଟିଏ ଅତି ସାଧାରଣ ରକ୍ତ ରୋଗ ଯାହା ପୃଥିବୀର ଏକ ଚତୁର୍ଥାଂଶ ଲୋକଙ୍କୁ ଆକ୍ରମଣ କରେ । [5] ଲୌହ-ଅଭାବ ଆନିମିଆ ପ୍ରାୟ ଏକ ବିଲିଅନ(ଶହେ କୋଟି) ଲୋକଙ୍କର ଥାଏ । [9] ମହିଳାମାନେ ପୁରୁଷଙ୍କ ଅପେକ୍ଷା ଏହି ରୋଗର ଅଧିକ ଶିକାର ହୁଅନ୍ତି,[9] ପିଲା ବୟସ୍କ ଓ ଗର୍ଭାବତୀ ମହିଳାମାନଙ୍କଠାରେ ଅଧିକ ଦେଖାଯାଏ ।[5] ଆନିମିଆ ଯୋଗୁ ଚିକିତ୍ସା ଖର୍ଚ୍ଚ ବଢ଼େ ଓ କର୍ମଶକ୍ତି କମିବାଯୋଗୁ ଉତ୍ପାଦନ କମେ ।[6] ଆନିମିଆ ଶବ୍ଦଟି ପୁରୁଣା ଗ୍ରୀକ ଶବ୍ଦରୁ ଆସିଛି ଯାହାର ଅର୍ଥ 'ନାହିଁ ରକ୍ତ' (ἀναιμία anaimia, meaning lack of blood, from ἀν- an-, "not" + αἷμα haima, "blood") ।[10] ସନ ୧୯୯୦ରେ ଲୌହ ଅଭାବ ଜନିତ ଆନିମିଆ ଯୋଗୁ ୨୧୩,୦୦୦ ମୃତ୍ୟୁ ହୋଇଥିଲା ଯାହା ସନ ୨୦୧୩ରେ କମିଯାଏ ୧୮୩,୦୦୦ ମୃତ୍ୟୁ ହୋଇଥିଲା । [11]