ଯକ୍ଷ୍ମା
ଏକ ସଂକ୍ରମକ ରୋଗ / From Wikipedia, the free encyclopedia
ଯକ୍ଷ୍ମା (ଟିବି) ଏକ ସଂକ୍ରମକ ରୋଗ ଯାହା ମାଇକୋବ୍ୟାକ୍ଟେରମ ଟ୍ୟୁବରକ୍ୟୁଲୋସିସଦ୍ୱାରା (MTB) ହୁଏ ।[1] ଯକ୍ଷ୍ମା ସାଧାରଣତଃ ଫୁସଫୁସକୁ ଆକ୍ରମଣ କଲେ ମଧ୍ୟ ଶରୀରର ଯେ କୌଣସି ଅଙ୍ଗରେ ଏହାଦ୍ୱାରା ରୋଗ ହୋଇପାରେ । ଅଧିକାଂଶ ସଂକ୍ରମଣରେ କୌଣସି ଲକ୍ଷଣ ହେଉ ନ ଥିବାରୁ ତାହାକୁ ପ୍ରଛନ୍ନ ଯକ୍ଷ୍ମା ଓ ଇଂରାଜୀ ଭାଷାରେ ଲେଟେଣ୍ଟ ଟ୍ୟୁବରକୁଲୋସିସ (latent tuberculosis) କୁହାଯାଏ । ଏହି ପ୍ରଛନ୍ନ ଯକ୍ଷ୍ମା ମଧ୍ୟରୁ ପ୍ରାୟ ୧୦% ସଂକ୍ରମଣ ସକ୍ରିୟ ରୋଗରେ ପରିଣତ ହୁଏ ଯାହାକୁ ଚିକିତ୍ସା ନ କଲେ ସେଥିରୁ ଅଧେ ଲୋକ ମୃତ୍ୟୁ ବରଣ କରନ୍ତି । ସକ୍ରିୟ ଫୁସଫୁସ ଯକ୍ଷ୍ମା ରୋଗରେ କ୍ରନିକ ବା ଦୀର୍ଘକାଳୀନ କାଶ ସହିତ ରକ୍ତ ମିଶ୍ରିତ ଖଙ୍କାର ପଡ଼େ, ଜ୍ୱର, ରାତ୍ରୀ ସ୍ୱେଦ ନିର୍ଗତ ଓ ଓଜନ ହ୍ରାସ ହୁଏ ।[1] ଓଜନ ହ୍ରାସ ହେଉଥିବାରୁ ଏହାକୁ କ୍ଷୟ ରୋଗ ନାମ ଦିଆଯାଇଥିଲା ।[2] ବିଭିନ୍ନ ଅଙ୍ଗର ସଂକ୍ରମଣରେ ଭିନ୍ନ ଭିନ୍ନ ପ୍ରକାର ଲକ୍ଷଣ ପ୍ରକାଶ ପାଏ ।[3]
ଯକ୍ଷ୍ମା | |
---|---|
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | ସଂକ୍ରାମକ ରୋଗ[*], pulmonology[*] |
ଆଇସିଡ଼ି-୧୦ | A15.–A19. |
ଆଇସିଡ଼ି-୯-ସିଏମ୍ | 010–018 |
ଓଏମ୍ଆଇଏମ୍ | 607948 |
ରୋଗ ଡାଟାବେସ | 8515 |
ମେଡ଼ିସିନ-ପ୍ଲସ | 000077 000624 |
ଇ-ମେଡ଼ିସିନ | med/2324 emerg/618 radio/411 |
Patient UK | ଯକ୍ଷ୍ମା |
MeSH | D014376 |
ଯକ୍ଷ୍ମା ଏକ ବାୟୁ ମାଧ୍ୟମରେ ବ୍ୟାପେ ଓ ଫୁସଫୁସ ଯକ୍ଷ୍ମା ରୋଗୀ କାଶିଲେ, ଛିଙ୍କିଲେ, ଛେପ ପକେଇଲେ ବା କଥା କହିଲେ ଏହାର ଜୀବାଣୁ ଦେହରୁ ବାହାରି ବାୟୁ ମାଧ୍ୟମରେ ବ୍ୟାପିଯାଏ ।[1][4] ପ୍ରଛନ୍ନ ଯକ୍ଷ୍ମା ରୋଗ ବ୍ୟାପେ ନାହିଁ । ଏଚଆଇଭି/ଏଆଇଡିଏସ ଦେହରେ ଥିଲେ ବା ଅତ୍ୟଧିକ ଦୂମ୍ରପାନ କରୁଥିଲେ ଏହି ରୋଗ ଅଧିକ ହେବା ସମ୍ଭାବନା ରହେ ।[1] ଛାତି ଏକ୍ସ-ରେ ଓ ଦେହର ତରଳ ପଦାର୍ଥକୁ ଅଣୁବୀକ୍ଷଣ ଯନ୍ତ୍ରରେ ଦେଖି ବା ଅଣୁଜୀବ କଲଚର କରି ରୋଗ ନିର୍ଣ୍ଣୟ କରାଯାଏ । ମାଣ୍ଟୁକ୍ସ ପରୀକ୍ଷା ଓ ରକ୍ତ ପରୀକ୍ଷା ଉପରେ ପ୍ରଛନ୍ନ ଯକ୍ଷ୍ମା ରୋଗ ନିର୍ଣ୍ଣୟ ନିର୍ଭର କରେ । [5]
ଅଧିକ ସଙ୍କଟାପନ୍ନ କେଶ୍ରେ ଯକ୍ଷ୍ମା ପ୍ରତିଷେଧ ନିମନ୍ତେ ସ୍କ୍ରୀନିଙ୍ଗ, ଆଶୁ ଚିହ୍ନଟ ତଥା ଚିକିତ୍ସା ଓ ବିସିଜି ଟିକାକରଣ କରାଯାଏ । [6][7][8] ଘରେ, କାର୍ଯ୍ୟସ୍ଥାନରେ ଓ ସାମାଜିକ ମିଳନ ସ୍ଥାନରେ ସକ୍ରିୟ ରୋଗୀ ଥିଲେ ଏହି ରୋଗ ସଙ୍କଟ ଅଧିକ ହୁଏ ।[8] ଅଧିକ ସମୟ ନିମନ୍ତେ ଏକାଧିକ ଆଣ୍ଟିବାୟୋଟିକ ଦେଇ ଚିକିତ୍ସା କରାଯାଏ । [1] ଆଣ୍ଟିବାୟୋଟିକ ପ୍ରତିରୋଧ ଏକ ବର୍ଦ୍ଧିଷ୍ଣୁ ସମସ୍ୟା ରୂପେ ଠିଆ ହେଉଛି ।[1]
ପୃଥିବୀରେ ଏକ ତୃତୀୟାଂଶ ଲୋକଙ୍କର ଯକ୍ଷ୍ମା ରୋଗ ଥିବା ବିଶ୍ୱାସ କରାଯାଏ । [1] ପ୍ରତିବର୍ଷ ଲୋକ ସଂଖ୍ୟାର ପ୍ରାୟ ୧% ଲୋକଙ୍କର ନୂଆ ରୋଗ ହୁଏ ।[9] ସନ ୨୦୧୪ରେ ୯.୬ ନିୟୁତ ଲୋକଙ୍କର ଯକ୍ଷ୍ମା ହୋଇ ପ୍ରାୟ ୧.୫ ନିୟୁତ ଲୋକଙ୍କର ମୃତ୍ୟୁ ହୋଇଥିଲା । ମୋଟ ମୃତ୍ୟୁ ସଂଖ୍ୟାର ୯୫% ବିକାଶଶୀଳ ଦେଶମାନଙ୍କରେ ହୁଏ । ସନ ୨୦୦୦ ପରଠାରୁ ଏହି ରୋଗୀସଂଖା ବଢ଼ିଚାଲିଛି ।[1] ଏସିଆ ଓ ଆଫ୍ରିକାର ୮୦% ଲୋକ ଓ ଯୁକ୍ତରାଷ୍ଟ୍ର ଆମେରିକାର ୫ରୁ ୧୦% ଲୋକ ଟ୍ୟୁବରକୁଲିନ ପରୀକ୍ଷାର ପଜିଟିଭ ହୁଏ ।[10] ପୁରାକାଳରୁ ମାନବଙ୍କର ଦେହରେ ଯକ୍ଷ୍ମା ହେଉଥିବା ଜଣାଯାଏ । [11]
ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ଯୋଗୁ ଜୀବାଣୁ ଦେହରେ ପ୍ରବେଶ କଲେ ମଧ୍ୟ ମରି ଯାଆନ୍ତି । କେତେକ କାରଣ ଯେପରିକି ଏଚ.ଆଇ.ଭି ସଂକ୍ରମଣ ରୋଗ ଯୋଗୁ ପ୍ରତିରୋଧକ ଶକ୍ତି କମିଯାଇ ରୋଗ ସଙ୍କଟ ସୃଷ୍ଟି ହୁଏ । ଅଧୁନା ଯକ୍ଷ୍ମା ରୋଗର ଅଧିକ ସଂକ୍ରମଣର ଏହା ଏକ ପ୍ରଧାନ, ଉଲ୍ଲେଖ ଯୋଗ୍ୟ ଓ ଚିନ୍ତା ଉଦ୍ରେକକାରୀ କାରଣ ।