ଫୁସଫୁସରେ ଥିବା ଅଣୁବୀକ୍ଷଣିୟ ବାୟୁ ଥଳିର ପ୍ରଦାହ From Wikipedia, the free encyclopedia
ନିମୋନିଆ ରୋଗ ଫୁସଫୁସରେ ଥିବା ଅଣୁବୀକ୍ଷଣୀୟ ବାୟୁ ଥଳିର (Alveolus) ପ୍ରଦାହକୁ କୁହାଯାଏ । [1][2] ଏହାର ଲକ୍ଷଣ ଗୁଡ଼ିକ ଯଥାକ୍ରମେ କାଶ ସହିତ ଖଙ୍କାର, ଛାତି ଯନ୍ତ୍ରଣା, ଜ୍ୱର, ଓ ଶ୍ୱାସକଷ୍ଟ.[3] ଲକ୍ଷଣ ଗୁଡ଼ିକ ସାଧାରଣରୁ ସାଂଘାତିକ ହୋଇପାରେ ।[4] ବୃଦ୍ଧ ଓ ଅଳ୍ପ ଯୁବାବୟସରେ ଏହାର ସ୍ୱାଭାବିକ ଲକ୍ଷଣ ଦେଖାଯାଏ ନାହିଁ ।[5] ଚିକିତ୍ସା ଆରମ୍ଭର ତିନି ଦିନ ମଧ୍ୟରେ ଅବସ୍ଥାର ଉନ୍ନତି ହୁଏ କିନ୍ତୁ ଏହା ପରେ ଏକ ମାସ ପର୍ଯ୍ୟନ୍ତ ରୋଗୀକୁ ଥକ୍କା ଲାଗେ ।[4]
ସାଧାରଣତଃ ଏହି ରୋଗ ଭୁତାଣୁ ବା ଜୀବାଣୁ ଦ୍ୱାରା ଏବଂ ଅଳ୍ପ କେତେକ କ୍ଷେତ୍ରରେ କେତେକ ଅଣୁଜୀବ, ଔଷଧ ଓ ଅଟୋଇମ୍ମ୍ୟୁନିଟିଦ୍ୱାରା ସଂଘଟିତ ହୁଏ ।[1][6] ଏହି ରୋଗର ସଙ୍କଟ ଦାୟକ ଅବସ୍ଥା ମଧ୍ୟରେ ଅନ୍ୟ ଫୁସଫୁସ ରୋଗ ଯଥା: ସିସ୍ଟିକ୍ ଫାଇବ୍ରୋସିସ୍, ସିଓପିଡି, ଆଜ୍ମା, ମଧୁମେହ, ହୃଦ୍ରୋଧ, ଧୁମ୍ରପାନ ଇତିହାସ, କାଶିବାର ଅକ୍ଷମତା ରୋଗ, ସ୍ଟ୍ରୋକ୍ ବା ସ୍ୱଳ୍ପ ଇମ୍ମ୍ୟୁନିଟି ଥିବା ସିସ୍ଟମ ଦାୟୀ । [7] ଲକ୍ଷଣ ଓ ଶାରୀରିକ ପରୀକ୍ଷା ସାହାଯ୍ୟରେ ଏହି ରୋଗ ନିର୍ଣ୍ଣୟ କରାଯାଏ । ଛାତି ଏକ୍ସରେ, ରକ୍ତ ପରୀକ୍ଷା, ଓ ଖଙ୍କାର ଜୀବାଣୁର (କଲ୍ଚର) କରି ରୋଗ ନିର୍ଣ୍ଣୟ କରାଯାଏ ।[8] ଏହି ରୋଗର ଉତ୍ସ ଅନୁସାରେ ଶ୍ରେଣୀ ବିଭାଗ କରାଯାଏ ।[9]
ଏହି ରୋଗ ପ୍ରତିଷେଧ ନିମନ୍ତେ ଟିକା ଉପଲବ୍ଧ ହେଲାଣି । ଅନ୍ୟ ବ୍ୟବସ୍ଥା ମଧ୍ୟରେ ହସ୍ତ ପ୍ରକ୍ଷାଳନ ଓ ଧୁମ୍ରପାନ ତ୍ୟାଗ ଉଲ୍ଲେଖନୀୟ ।[10] ଅନ୍ତର୍ନିହିତ କାରଣ ଉପରେ ଏହାର ଚିକିତ୍ସା ନିର୍ଭର କରେ ।[4] ଜୀବାଣୁଦ୍ୱାରା ହେଉଥିବା ନିମୋନିଆକୁ ଆଣ୍ଟିବାୟୋଟିକ ଦେଇ ଚିକିତ୍ସା କରାଯାଏ ।[11] ରୋଗୀ ଅବସ୍ଥା ସାଂଘାତିକ ଥିଲେ ଡାକ୍ତରଖାନାକୁ ନିଆଯାଏ ।[4] ଅମ୍ଳଜାନ ସ୍ତର କମ୍ ଥିଲେ ଅମ୍ଳଜାନ ଥେରାପି ଦିଆଯାଏ ।[11]
ପ୍ରତି ବର୍ଷ ପୃଥିବୀର ପ୍ରାୟ ୭% (୪୫୦ ନିୟୁତ) ଲୋକଙ୍କୁ ଏହି ରୋଗ ଆକ୍ରମଣ କରିବା ଫଳରେ ପ୍ରାୟ ୪ ନିୟୁତ ଲୋକ ମୃତ୍ୟୁ ମୁଖରେ ପତିତ ହୁଅନ୍ତି ।[12][13] ଊନବିଂଶ ଶତାବ୍ଦୀରେ ଉଇଲିୟମ ଓସଲର ଏହି ରୋଗକୁ ମୃତ୍ୟୁଦୂତମାନଙ୍କ କ୍ୟାପଟେନ ନାମ ଦେଇଥିଲେ ।[14] ବିଂଶ ଶତାବ୍ଦୀରେ ଆଣ୍ଟିବାୟୋଟିକ ଓ ଟିକାର ଉଦ୍ଭାବନ ପରେ ଲୋକଙ୍କର ବଞ୍ଚିବା ଆଶା ବଢ଼ିଗଲା ।[12] ସେ ଯାହାହେଉ ତଥାପି ବିକଶିତ ଦେଶମାନଙ୍କରେ ଅଦ୍ୟାପି ଅତି ବୃଦ୍ଧ, ଅତି ଅଳ୍ପ ବୟସ୍କ ଓ କ୍ରନିକ ରୋଗୀଙ୍କ ନିମନ୍ତେ ଏହା ମୃତ୍ୟୁର ମୂଖ୍ୟ କାରଣ ଅଛି ।[12][15] ଅନ୍ୟ ରୋଗଦ୍ୱାରା ମୃତ୍ୟୁର ସମୀପବର୍ତ୍ତି ଥିବା ରୋଗୀଙ୍କୁ ଏହି ରୋଗଦ୍ୱାରା କଷ୍ଟ ଲାଘବ ହେଉଥିବାରୁ ଏହାକୁ ବୃଦ୍ଧଙ୍କ ସାଥୀ ନାମ ଦିଆଯାଇଛି ।[16]
ଲକ୍ଷଣ ହାର | |
---|---|
ଲକ୍ଷଣ | ହାର |
କାଶ | |
ଅବସନ୍ନ | |
ଜର | |
ଛୋଟ ଶ୍ୱାସ | |
ଖଙ୍କାର | |
ଛାତି ଯନ୍ତ୍ରଣା | |
ନିମୋନିଆ ରୋଗୀଙ୍କର ସାଧାରଣତଃ କଫ ସହ କାଶ, କମ୍ପ ସହ ଜର, ଛୋଟ ଶ୍ୱାସକ୍ରିୟା, ଲମ୍ବା ପ୍ରଶ୍ୱାସ ନେଲାବେଳେ ତୀବ୍ର ଫୋଡିବା ଭଳି ଛାତି ଯନ୍ତ୍ରଣା ଓ ବର୍ଦ୍ଧିତ ଶ୍ୱାସ କ୍ରିୟା ହାର[17] ଦେଖାଯାଏ । ବୟଷ୍କ ଲୋକଙ୍କର ବ୍ୟାକୁଳତା (Confusion) ଏକ ମୂଖ୍ୟ ଚିହ୍ନ ।[17] ପାଞ୍ଚ ବର୍ଷ ବୟସରୁ କମ ସାନ ପିଲାମାନଙ୍କର ଜର, କାଶ, କଷ୍ଟକର ଶ୍ୱାସ କ୍ରିୟା ଓ ଉପବାସ ମୂଖ୍ୟ ଲକ୍ଷଣ ହୁଏ ।
ଜର କୌଣସି ବିଧିବଦ୍ଧ ଭାବରେ ହୁଏ ନାହିଁ । ଅତି ସାଂଘାତିକ ରୋଗରେ ଓ ପୁଷ୍ଟିମାନ୍ଦ୍ୟ ଥିଲେ ଜର ନ ହୋଇପାରେ । ଦୁଇ ମାସରୁ ସାନ ପିଲାଙ୍କର ଅଧିକାଂଶ ସମଯରେ କାଶ ହୁଏ ନାହିଁ । ରୋଗ ସାଂଘାତିକ ହେଲେ ଚମ ନୀଳ ପଡେ, ଶୋଷ କମିଯାଏ, ବାତ ମାରେ, ଲଗାଏତ ବାନ୍ତି ହୁଏ, ଚେତନା କମ ରହେ ଓ ଉତ୍ତାପ ଅତି ଅଧିକ ବା କମ ରହେ ।
ଜୀବାଣୁ ଓ ଭୁତାଣୁ ଜନିତ ନିମୋନିଆରେ ଏହି ଭଳି ଲକ୍ଷଣ ଦେଖାଯାଏ । ଲେଜିଓନେଲା ଜନିତ ନିମୋନିଆରେ ପେଟ ଯନ୍ତ୍ରଣା, ତରଳ ଝାଡା ଓ ବ୍ୟାକୁଳତା ଦେଖାଯାଏ ।[18] ସ୍ଟ୍ରେପ୍ଟୋକୋକସ୍ ନିମୋନିଆରେ ମାଟିଆ ଖଙ୍କାର ଦେଖାଯାଏ ।[19] କ୍ଲେବସିଲା ଜନିତ ନିମୋନିଆରେ ରକ୍ତିମ ଖଙ୍କାର ପଡେ ଯାହାକୁ କ୍ୟୁରାଣ୍ଟ ଜେଲି (currant jelly) ନାମ ଦିଆ ଯାଇଛି । ଯକ୍ଷ୍ମା, ଗ୍ରାମ ବିଯୁକ୍ତାତ୍ମକ ନିମୋନିଆ, ଫୁସଫୁସରେ ପୂଜ (Lung abcess) ଥିଲେ ଓ ତୀବ୍ର ବ୍ରୋଙ୍କାଇଟିସ୍ରେ ମଧ୍ୟ କଫ ସାଥୀରେ ରକ୍ତ ପଡେ । ମାଇକୋପ୍ଲାଜ୍ମା ନିମୋନିଆରେ ବେକର ଲସିକା ଗ୍ରନ୍ଥି ଫୁଲିଯାଏ, ଗଣ୍ଠି ଯନ୍ତ୍ରଣା ହୁଏ ଓ ମଝି କାନରେ ସଂକ୍ରମଣ ହୁଏ ।
ନିମୋନିଆ ରୋଗ ଜୀବାଣୁ କିମ୍ବା ଭୁତାଣୁ ଓ ଅଳ୍ପ ମାତ୍ରାରେ କବକ କିମ୍ବା ପରଜୀବୀଦ୍ୱାରା ସୃଷ୍ଟି ହୁଏ । ଏକ ଶହରୁ ଅଧିକ ପ୍ରଜାତିର ସଂକ୍ରମଣ ପ୍ରତିନିଧି ଥିଲେ ମଧ୍ୟ ଅଧିକାଂଶ କ୍ଷେତ୍ରରେ ଅଳ୍ପ କେତେକଙ୍କଦ୍ୱାରା ଏହି ନିମୋନିଆ ରୋଗ ହୁଏ । ଜୀବାଣୁ ଓ ଭୁତାଣୁର ମିଶ୍ରିତ ସଂକ୍ରମଣ ୧୫% ଯୁବକ ଓ ୪୫% ପିଲାମାନଙ୍କଠାରେ ଦେଖାଯାଏ । ଯତ୍ନର ସହ ପରୀକ୍ଷା କଲେ ମଧ୍ୟ ଅର୍ଧେକ ରୋଗର ପ୍ରତିନିଧି ଚିହ୍ନି ହୁଏ ନାହିଁ ।
ଫୁସଫୁସର ପ୍ରଦାହକୁ ନିମୋନିଆ କୁହାଯାଏ; ଯାହା କେବଳ ସଂକ୍ରମଣଦ୍ୱାରା ନ ହୋଇ ଅଟୋ ଇମ୍ମ୍ୟୁନ, ଔଷଧ କିମ୍ବା ରାସାୟନିକ ଦ୍ରବ୍ୟଦ୍ୱାରା ମଧ୍ୟ ହୋଇପାରେ । ଚିକିତ୍ସା ବିଜ୍ଞାନ ଅନୁସାରେ ଏହାର ପ୍ରକୃତ ନାମ ନିମୋନାଇଟିସ୍ (Pneumonitis) ।[20][21]
ଧୁମ୍ରପାନ, ପ୍ରତିରୋଧ ଅକ୍ଷମତା, ମଦ୍ୟାଶକ୍ତ, ଅବରୋଧକାରୀ ଫୁସଫୁସ୍ ରୋଗ, ପୁରାତନ ବୃକ୍କ ରୋଗ ଓ ଯକୃତ ରୋଗ ଇତ୍ୟାଦି ନିମୋନିଆର ବାହକ ରୂପେ ପରିଚିତ । ପ୍ରୋଟୋନ୍ ପମ୍ପ ବିରୋଧକାରୀ ଔଷଧ କିମ୍ବା ଏଚ୍୨ ପ୍ରତିରୋଧକ ଔଷଧ ଖାଉଥିଲେ ନିମୋନିଆ ହେବା ସମ୍ଭାବନା ବଢିଯାଏ ।[22] ଅଧିକ ବୟଷର ଲୋକଙ୍କର ମଧ୍ୟ ନିମୋନିଆ ସମ୍ଭାବନା ଅଧିକ ରହେ ।
ଗୋଷ୍ଠି ଗ୍ରହିତ ନିମୋନିଆ ରୋଗୀଙ୍କ କ୍ଷେତ୍ରରେ ୫୦% ରୋଗ କେବଳ ସ୍ଟ୍ରେପ୍ଟୋକୋକସ୍ ନିମୋନି ଜୀବାଣୁଦ୍ୱାରା ହୁଏ ।[23] ଅନ୍ୟ ଜୀବାଣୁ ମଧ୍ୟରେ ୨୦% ହେମୋଫାଇଲସ୍ ଇନ୍ଫ୍ଲୁଏଞ୍ଜି, ୧୩% କ୍ଲାମିଡିଆ ନିମୋନି ଓ ୩% ମାଇକୋପ୍ଲାଜ୍ମା ନିମୋନିଦ୍ୱାରା ନିମୋନିଆ ହୁଏ । ସ୍ୱଲ୍ପ ମାତ୍ରାରେ ରୋଗ ସୃଷ୍ଟିକାରୀ ଅନ୍ୟ ଜୀବାଣୁମାନଙ୍କର ନାମ ସ୍ଟାଫିଲୋକୋକସ୍ ଅରିଅସ୍, ମୋରାକ୍ସେଲା କାଟାରାଲିସ୍, ଲେଜିଓନେଲା ନିମୋଫିଲା ଓ ବିଯୁକ୍ତାର୍ମକ ଗ୍ରାମ୍ ଜୀବାଣୁ । ଔଷଧ ବିରୋଧୀ ସ୍ଟ୍ରେପ୍ଟୋକୋକସ୍ ନିମୋନି ଓ ମେଥିସିଲିନ ଔଷଧ ବିରୋଧୀ ସ୍ଟାଫିଲୋକୋକସ୍ ଅରିଅସ୍ ମଧ୍ୟ ସାଧାରଣତଃ ରୋଗ ସୃଷ୍ଟି କରନ୍ତି ।
ସଂକଟ ପରିସ୍ଥିତି ଥିଲେ ରୋଗ ବାପିବାରେ ସୁବିଧା ହୁଏ । ମଦ୍ୟପାୟୀଙ୍କଠାରେ ସ୍ଟ୍ରେପ୍ଟୋକୋକସ୍ ନିମୋନି, ଅବାୟୁଜୀବୀ ଓ ମାଇକୋବ୍ୟାକ୍ଟେରିଅମ୍ ଟ୍ୟୁବର୍କୁଲୋସିସ୍; ଧୂମପାୟୀଙ୍କଠାରେ ସ୍ଟ୍ରେପ୍ଟୋକୋକସ୍ ନିମୋନି, ହେମୋଫାଇଲସ୍ ଇନ୍ଫ୍ଲୁଏଞ୍ଜି, ମୋରାକ୍ସେଲା କାଟାରାଲିସ୍, ଲେଜିଓନେଲା ନିମୋଫିଲା ଜୀବାଣୁମାନଙ୍କଦ୍ୱାରା ନିମୋନିଆ ହୁଏ । ପକ୍ଷୀ ସଂସ୍ପର୍ଷରେ ଆସିଲେ କ୍ଲାମିଡିଆ ସିଟାସି, ଫାର୍ମ ପଶୁମାନଙ୍କଠାରୁ କୋକ୍ସିଏଲା ବୁମେଟ୍ଟି, ପାକସ୍ଥଳୀ ଦ୍ରବ୍ୟ କାଢିବା ପରେ ଅବାୟୁଜୀବୀମାନେ ନିମୋନିଆ ସୃଷ୍ଟି କରନ୍ତି । ଶୀତଦିନେ ସ୍ଟ୍ରେପ୍ଟୋକୋକସ୍ ନିମୋନିଦ୍ୱାରା ଅଧିକ ନିମୋନିଆ ହୁଏ ।
ସମସ୍ତ ନିମୋନିଆ ରୋଗୀଙ୍କ ମଧ୍ୟରୁ ୧/୩ ଭାଗ ବୟଃପ୍ରାପ୍ତ ଲୋକଙ୍କୁ ହୁଏ ଓ ୧୫% ପିଲାମାନଙ୍କୁ ହୁଏ । ରୋଗ ସୃଷ୍ଟିକାରୀ ଭୁତାଣୁମାନଙ୍କ ନାମ: ରାଇନୋ ଭୁତାଣୁ, କରୋନା ଭୁତାଣୁ, ଇନ୍ଫ୍ଲୁଏଞ୍ଜା ଭୁତାଣୁ, ରେସ୍ପିରେଟରି ସିନ୍ସିଟିଆଲ୍ ଭୁତାଣୁ, ଆଡେନୋ ଭୁତାଣୁ ଓ ପାରାଇନ୍ଫ୍ଲୁଏଞ୍ଜା ଭୁତାଣୁ । ନବଜାତ, କ୍ୟାନ୍ସର୍ ରୋଗୀ, ପ୍ରତିରୋପିତ ରୋଗୀ ଓ ପୋଡ଼ା ଘାଆ ରୋଗୀଙ୍କ ବ୍ୟତିତ ଅନ୍ୟ ଲୋକଙ୍କୁ ହର୍ପ୍ଲେକ୍ସ ସିମ୍ପ୍ଲେକ୍ସ ଭୁତାଣୁ କ୍ୱଚିତ ଆକ୍ରମଣ କରେ ।[24] ଅଙ୍ଗ ପ୍ରତିରୋପିତ ଓ ପ୍ରତିରୋଧ ଅକ୍ଷମ ଲୋକଙ୍କୁ ସାଇଟୋମେଗାଲୋ ଭୁତାଣୁ ଆକ୍ରମଣ କରେ । ଭୁତାଣୁ ସଂକ୍ରମିତ ନିମୋନିଆ ରୋଗୀଙ୍କର ଅନ୍ୟ କିଛି ସ୍ୱାସ୍ଥ୍ୟଗତ ଅସୁବିଧା ଥିଲେ ସ୍ଟ୍ରେପ୍ଟୋକୋକସ୍ ନିମୋନି, ସ୍ଟାଫିଲୋକୋକସ୍ ଅରିଅସ୍, କିମ୍ବା ହେମୋଫାଇଲସ୍ ଇନ୍ଫ୍ଲୁଏଞ୍ଜି ଜୀବାଣୁଦ୍ୱାରା ମଧ୍ୟ ସଂକ୍ରମିତ ହୁଅନ୍ତି । ଋତୁ ଅନୁସାରେ ଭିନ୍ନ ଭିନ୍ନ ଭୁତାଣୁ ଆକ୍ରମଣ କରନ୍ତି ଯେପରିକି ଶୀତଋତୁରେ ଇନ୍ଫ୍ଲୁଏଞ୍ଜା ଭୁତାଣୁ ଅର୍ଦ୍ଧାଧିକ ରୋଗୀଙ୍କ କାରଣ ରୁପେ ବିବେଚିତ ହୁଏ । ବେଳେ ବେଳେ ହାନ୍ଟା ଓ କରୋନା ଭୁତାଣୁ ଦ୍ୱୟ ମଧ୍ୟ ନିମୋନିଆ ରୋଗ କରନ୍ତି ।
ଯେଉଁମାନଙ୍କର ଦୁର୍ବଳ ପ୍ରତିରୋଧ ଥାଏ, ଏଡ୍ସ୍ ଥାଏ, ପ୍ରତିରୋଧ ବାଧକ ଔଷଧ ସେବନ କରନ୍ତି କିମ୍ବା ଅନ୍ୟ ରୋଗଗ୍ରସ୍ତ ଥାଆନ୍ତି, ସେମାନଙ୍କୁ ସାଧାରଣତଃ କବକ ଆକ୍ରମଣ କରେ । [25] ଏହି କବକମାନଙ୍କର ନାମ: ହିସ୍ଟୋପ୍ଲାଜ୍ମା କ୍ୟାପ୍ସୁଲେଟମ୍, ବ୍ଲାସ୍ଟୋମାଇସେସ୍, କ୍ରିପ୍ଟୋକୋକସ୍ ନିଓଫର୍ମାନ୍ସ୍, ନିମୋସାଇଟିସ୍ ଜିରୋଭେସି ଓ କକ୍ସିଡିଓଡେସ୍ ଇମିଟିସ୍ । ମିସିସିପି ନଦୀ ଇଲାକାରେ ହିସ୍ଟୋପ୍ଲାଜ୍ମୋସିସ୍ କବକ ଜନିତ ଓ ଦକ୍ଷିଣ ପଶ୍ଚିମ ଆମେରିକାରେ କକ୍ସିଡିଓମାଇସେସ୍ କବକ ଜନିତ ନିମୋନିଆ ହୁଏ । କମ୍ ପ୍ରତିରୋଧ ଶକ୍ତି ଯୋଗୁ ଓ ଗମନାଗମନ ସୁବିଧା ଯୋଗୁ ବିଂଶ ଶତାବ୍ଦୀର ଦ୍ୱିତୀୟ ଭାଗରେ ଅଧିକ ରୋଗ ହୋଇଥିଲା ।
ଫୁସ୍ଫୁସ୍କୁ ଆକ୍ରମଣ କରୁଥିବା ପରଜୀବୀମାନଙ୍କର ନାମ: ଟକ୍ସୋପ୍ଲାଜ୍ମା ଗୁଣ୍ଡି, ସ୍ଟ୍ରଙ୍ଗିଲଏଡେସ୍ ସ୍ଟେର୍କୋରାଲିସ୍, ଆସ୍କାରିସ୍ ଲୁମ୍ବ୍ରିକଏଡିସ୍ ଓ ପ୍ଲାଜ୍ମୋଡିଅମ ମାଲେରି । ଚର୍ମ ମାଧ୍ୟମ, ଖାଦ୍ୟ ମାଧ୍ୟମ ଓ କୀଟ ମାଧ୍ୟମରେ ପରଜୀବୀମାନେ ଦେହରେ ପ୍ରବେଶ କରନ୍ତି । ପାରାଗୋନିଅମ୍ ବେସ୍ଟର୍ମାନି ବ୍ୟତୀତ ଅଧିକାଂଶ ପରଜୀବୀ ସିଧା ସଳଖ ଫୁସ୍ଫୁସ୍କୁ ଆକ୍ରମଣ ନ କରି ଅନ୍ୟ ଅଙ୍ଗ ଆକ୍ରମଣ କରନ୍ତି ଓ ସେଠାରୁ ଏହା ବିସ୍ତାର ହୁଏ । ଆସ୍କାରିସ୍ ଓ ସ୍ଟ୍ରଙ୍ଗିଲଏଡ୍ ଜେନେରା ଦ୍ୱୟ ଇଓସିନିକ ପ୍ରତିକ୍ରିୟା କରିବା ଯୋଗୁ ଇଓସିନୋଫିଲିକ୍ ନିମୋନିଆ ହୁଏ । ମ୍ୟାଲେରିଆରେ ସାଇଟିକାଇନ୍ ଯୋଗୁ ହୁଏ । ବିକଶିତ ରାଷ୍ଟ୍ରମାନଙ୍କରେ ଅନ୍ୟ ଦେଶମାନଙ୍କରୁ ଫେରୁଥିବା ଲୋକମାନେ ଏହି ରୋଗ ବ୍ୟାପିବାରେ ସାହଯ୍ୟ କରନ୍ତି । ଏହି ରୋଗ ପ୍ରତିରୋଧ ଶକ୍ତି ରହିତ ଲୋକମାନଙ୍କଠାରେ ଅଧିକ ଦେଖାଯାଏ ।[26]
ଅଣସଂକ୍ରମଣ ନିମୋନିଆ ବା ଇଣ୍ଟର୍ସ୍ଟିସିଆଲ୍ ନିମୋନିଆ ଗୋଟିଏ କାରଣ ଜଣା ନ ପଡୁଥିବା ନିମୋନିଆ ରୋଗ ସମଷ୍ଟି ବା ବିସ୍ତାରିତ ଫୁସ୍ଫୁସ୍ ରୋଗ ସମଷ୍ଟି । ଏହି ସମସ୍ଟିରେ ଥିବା ରୋଗମାନଙ୍କର ନାମ: ଡିଫ୍ୟୁଜ୍ ଆଲ୍ଭିଓଲାର୍ ଡାମେଜ୍, ଅର୍ଗାନାଇଜିଙ୍ଗ ନିମୋନିଆ, ନନ୍ସ୍ପେସିଫିକ୍ ଇଣ୍ଟରସ୍ଟିସିଆଲ୍ ନିମୋନିଆ, ଲିମ୍ଫୋସାଇଟିକ୍ ଇଣ୍ଟରସ୍ଟିସିଆଲ୍ ନିମୋନିଆ, ଡିସ୍କ୍ୱାମେଟିଭ ଇଣ୍ଟରସ୍ଟିସିଆଲ୍ ନିମୋନିଆ, ରେସ୍ପିରେଟରି ବ୍ରୋଙ୍କିଆଲ୍ ଇଣ୍ଟରସ୍ଟିସିଆଲ୍ ଫୁସ୍ଫୁସ୍ ରୋଗ ଓ ସାଧାରଣ ଇଣ୍ଟରସ୍ଟିସିଆଲ୍ ନିମୋନିଆ ।
ଅଧିକାଂଶ ସମୟରେ ଶ୍ୱାସ ନଳୀର ଉପର ଭାଗରେ ସଂକ୍ରମଣ ହେବା ପରେ ନିମ୍ନ ଭାଗ ସଂକ୍ରମିତ ହୁଏ ।
ଅନେକ ଗୁଡିଏ ପଥ ମାଧ୍ୟମରେ ଭୁତାଣୁ ଫୁସ୍ଫୁସ୍ରେ ପହଞ୍ଚେ । ଫୁସ୍ଫୁସୀୟ ସିନ୍ସିଟିଆଲ୍ ଭୁତାଣୁ ପ୍ରଦୂଷିତ ଜିନିଷକୁ ଛୁଇଁବା ପରେ ଆଖି ଓ ନାକକୁ ସ୍ପର୍ଷ କଲେ ରୋଗ ସଂକ୍ରମଣ ହୁଏ ।[27] ପ୍ରଦୂଷିତ ବାୟୁବାହୀ ସୂକ୍ଷ୍ମ କଣା ପାଟି ବା ନାକ ବାଟେ ଫୁସ୍ଫୁସ୍କୁ ଯାଏ । ଥରେ ଉର୍ଦ୍ଧ୍ୱ ବାୟୁ ପଥକୁ ଗଲେ ସେଠାରୁ ଫୁସ୍ଫୁସ୍କୁ ଯାଇ ବାୟୁ ଥଳୀ ଓ ଫୁସ୍ଫୁସ୍ର କୋଷମାନଙ୍କୁ ଆକ୍ରମଣ କରନ୍ତି । [28] ମିଳିମିଳା ଓ ହର୍ପିସ୍ ଭୁତାଣୁ ରକ୍ତ ମାଧ୍ୟମରେ ଫୁସ୍ଫୁସ୍କୁ ଯାଏ । ଫୁସ୍ଫୁସ୍ ସଂକ୍ରମିତ ହେବା ପରେ ବିଭିନ୍ନ ମାତ୍ରାରେ କୋଷ ମୃତ୍ୟୁ ହୁଏ । ପ୍ରତିରୋଧ ବିଭାଗ ପ୍ରତିକ୍ରିୟା କରିବା ପରେ ଆହୁରି ଅଧିକ କୋଷ ମୃତ୍ୟୁ ହୁଏ । ଶ୍ୱେତ ରକ୍ତ କଣିକା ମଧ୍ୟରୁ ମୋନୋନ୍ୟୁକ୍ଲିଆର କୋଷ ଅଧିକ ପ୍ରଦାହ ସୃଷ୍ଟି କରନ୍ତି । ଅନେକ ଭୁତାଣୁ ଫୁସ୍ଫୁସ୍କୁ ଆକ୍ରମଣ କରିବା ସହ ଅନ୍ୟ ଅଙ୍ଗମାନଙ୍କୁ ମଧ୍ୟ ଆକ୍ରମଣ କରନ୍ତି । ଭୁତାଣୁ ଶରୀରକୁ ଦୁର୍ବଳ କଲା ପରେ ଜୀବାଣୁ ମଧ୍ୟ ଅତି ସହଜରେ ତାହା ସହ ମିଶି ଆକ୍ରମଣ କରନ୍ତି ।ଏହାକୁ କୋମରବିଡ୍ ଅବସ୍ଥା କହନ୍ତି । [29]
ନାକ ଓ ଗଳାରେ ରହୁଥିବା ଅଧିକାଂଶ ଜୀବାଣୁ ଶୋଷି ହୋଇ ଶ୍ୱାସ ପଥ ଦେଇ ଫୁସ୍ଫୁସ୍ର ପହଞ୍ଚେ । ଶୋଇଥିବା ଅବସ୍ଥାରେ ସାଧାରଣ ଜନ ସମୁଦାୟର ଅର୍ଦ୍ଧେକ ସଂଖ୍ୟା ଏହି ଉପାୟରେ ସଂକ୍ରମିତ ହୁଅନ୍ତି । ଗଳାରେ ସର୍ବଦା ଜୀବାଣୁ ଥିଲେ ମଧ୍ୟ ରୋଗ ସୃଷ୍ଟିକାରୀ ଜୀବାଣୁ କେତେକ ନିର୍ଦ୍ଦିଷ୍ଟ ସମୟରେ ଓ ଅବସ୍ଥାରେ ରହନ୍ତି । ପ୍ରଦୂଷିତ ବାୟୁ କଣାରେ ଥିବା ଯକ୍ଷ୍ମା ଓ ଲେଜିଓନେଲା ନିମୋଫିଲା ଜୀବାଣୁ ପ୍ରଶ୍ୱାସରେ ପ୍ରବେଶ କରନ୍ତି । ରକ୍ତ ମାଧ୍ୟମରେ ମଧ୍ୟ ଜୀବାଣୁ ବିସ୍ତାର ଲାଭ କରନ୍ତି । ଫୁସ୍ଫୁସ୍ରେ ପ୍ରବେଶ କରିବା ପରେ ବାୟୁ ଥଳୀ ଓ ଫୁସ୍ଫୁସ୍ କୋଷ ମଧ୍ୟରେ ଥିବା ସ୍ଥାନରେ ଜୀବାଣୁ ପ୍ରବେଶ କଲେ ମାକ୍ରୋଫେଜ୍ ଓ ନିଉଟ୍ରୋଫିଲ୍ ଦ୍ୱୟ ଏମାନଙ୍କୁ କର୍ତ୍ତବ୍ୟ ଶୁନ୍ୟ କରିବାକୁ ଚେଷ୍ଟା କରନ୍ତି ।[30] ନିଉଟ୍ରୋଫିଲ୍ରୁ ନିର୍ଗତ ସାଇଟୋକାଇନ୍ ପ୍ରତିରୋଧ ବିଭାଗକୁ ସକ୍ରିୟ କରନ୍ତି ।[31] ଏହି କାରଣରୁ ଜର, କମ୍ପ ଓ ଥକ୍କା ଲାଗେ । ନିଉଟ୍ରୋଫିଲ୍, ଜୀବାଣୁ ଓ ରକ୍ତ ନଳୀରୁ ନିର୍ଗତ ତରଳ ପଦାର୍ଥ ବାୟୁ ଥଳିରେ ଜମା ହୋଇଯାଏ ଯାହା ଚିତ୍ରରେ ଦର୍ଶାଯାଇଛି ।[32]
ରୋଗ ଲକ୍ଷଣ, ଚିହ୍ନ ଓ ଛାତି ଏକ୍ସ-ରେ ଛବି ପରୀକ୍ଷା କରି ନିମୋନିଆ ରୋଗ ନିର୍ଣ୍ଣୟ କରାଯାଏ ।[33] ରୋଗ ଚିହ୍ନି ହେଲେ ମଧ୍ୟ ରୋଗର କାରଣ ସର୍ବଦା ଜାଣି ହୁଏ ନାହିଁ, ଜୀବାଣୁ ଓ ଅଣଜୀବାଣୁ ଚିହ୍ନିବା ନିମନ୍ତେ କୌଣସି ନିର୍ଦ୍ଦିଷ୍ଟ ପରୀକ୍ଷା ବାହାରି ନାହିଁ । ପିଲାମାନଙ୍କର ନିମୋନିଆ ହେଲେ କାଶ କିମ୍ବା ଶ୍ୱାସ କ୍ରିୟାରେ ଅସୁବିଧା ହୁଏ, ଦ୍ରୁତ ଶ୍ୱାସ ହାର ହୁଏ, ଛାତି ଭିତରକୁ ପଶିଯାଏ ଓ ସ୍ୱଳ୍ପ ଚେତନା ହୁଏ । ଏହି ଲକ୍ଷଣ ସମସ୍ତ ଡବ୍ଲ୍ୟୁ. ଏଚ୍.ଓ. ସଂଜ୍ଞା ଅନ୍ତର୍ଭୁକ୍ତ । ନିମୋନିଆରେ ଶ୍ୱାସ କ୍ରିୟା ହାର: ଦୁଇ ମାସରୁ ସାନ ପିଲାଙ୍କର ୬୦/ମିନିଟରୁ ଅଧିକ, ଦୁଇ ମାସରୁ ଏକ ବର୍ଷ ପର୍ଯ୍ୟନ୍ତ ୫୦/ମିନିଟ, ଏକ ବର୍ଷରୁ ୫ ବର୍ଷ ପର୍ଯ୍ୟନ୍ତ ୪୦/ମିନିଟ ।[34] ପିଲାମାନଙ୍କଠାରେ ଦ୍ରୁତ ଶ୍ୱାସ କ୍ରିୟା ଓ ଛାତି ଭିତରକୁ ପଶିଯିବା ଚିହ୍ନମାନ ସ୍ଟେଥୋସ୍କୋପ୍ରେ ଶୁଭୁଥିବା କ୍ରାକ୍ଲ ଶବ୍ଦଠାରୁ ଅଧିକ ସମ୍ବେଦନଶୀଳ ।
ଯଦି ବିଶେଷ ଚିହ୍ନ ନାହିଁ ଓ ସ୍ଟେଥୋଦ୍ୱାରା କୌଣସି ଅସ୍ୱାଭାବିକ ଶବ୍ଦ ଶୁଭୁନାହିଁ, ତାହା ହେଲେ ନିମୋନିଆ ସଙ୍କଟପୂର୍ଣ୍ଣ ହୁହେଁ ଓ ବିଶେଷ ପରୀକ୍ଷା ଅନାବଶ୍ୟକ ହୁଏ ।[35] ଡାକ୍ତରଖାନା ବାର୍ଡରେ ରହିଲେ ବିଭିନ୍ନ ପରୀକ୍ଷା କରାଯାଏ, ଯଥା: ପଲ୍ସ ଅକ୍ସିମେଟ୍ରି, ଛାତି ଏକ୍ସ-ରେ, ରକ୍ତର ସି.ବି.ସି., ସେରମ୍ ଏଲେକ୍ଟ୍ରୋଲାଟ୍, ସି ରିଆକ୍ଟିଭ ପ୍ରୋଟିନ୍ ଓ ଲିଭର ଫଙ୍କସନ୍ ପରୀକ୍ଷା କରାଯାଏ । ଇନ୍ଫ୍ଲୁଏଞ୍ଜା ସଦୃଶ ରୋଗଗୁଡ଼ିକ ଲକ୍ଷଣ/ଚିହ୍ନରୁ ନିର୍ଣ୍ଣୟ କରାଯାଏ କିନ୍ତୁ ଇନଫ୍ଲୁଏଞ୍ଜା ରୋଗ ନିମନ୍ତେ ପରୀକ୍ଷା ଆବଶ୍ୟକ ।[36] ଇନ୍ଫ୍ଲୁଏଞ୍ଜା ହେଉଥିବା ସ୍ଥାନ ଓ ରାପିଡ୍ ଇନ୍ଫ୍ଲୁଏଞ୍ଜା ପରୀକ୍ଷା ଉପରେ ଚିକିତ୍ସା ପର୍ଯ୍ୟବସିତ ହୁଏ ।[36]
ରୋଗୀର ଶାରୀରିକ ପରୀକ୍ଷା କଲେ କମ୍ ରକ୍ତ ଚାପ, ଦୃତ ହୃତ୍ପିଣ୍ଡ ଗତି ଓ କମ୍ ଅମ୍ଳଜାନ ସାଚୁରେସନ୍ ଦେଖାଯାଏ । ଶ୍ୱାସ କ୍ରିୟା ହାର ଦୃତ ହୁଏ ଓ ଏହା ଅନ୍ୟ କିଛି ଚିହ୍ନ ଦେଖାଯିବାର ଦିନେ ବା ଦୁଇ ଦିନ ପୂର୍ବରୁ ଦେଖା ଯାଇପାରେ । ଛାତି ପରୀକ୍ଷାରେ କିଛି ଅସାଧାରଣ ଜଣାଯାଏ ନାହିଁ କିନ୍ତୁ ରୋଗାକ୍ରାନ୍ତ ପଟର ଛାତି ଅଳ୍ପ ପ୍ରସାରିତ ହୁଏ । ପ୍ରଦାହ ହୋଇଥିବା ବଡ଼ ଶ୍ୱାସ ନଳୀରେ ବାୟୁ ଗତି କଲା ବେଳେ ଯେଉଁ ଶବ୍ଦ ଉତ୍ପନ୍ନ ହୁଏ ତାହାକୁ ବ୍ରୋଙ୍କିଆଲ ଶ୍ୱାସ (bronchial breathing) କହନ୍ତି ଓ ଏହା ସ୍ଟେଥୋସ୍କୋପ୍ ସାହାଯ୍ୟରେ ଶୁଣାଯାଏ । ପ୍ରଶ୍ୱାସ ନେଲା ବେଳେ ସଂକ୍ରମିତ ଫୁସ୍ଫୁସ୍ ଉପର ଛାତି ଉପରେ ଯେଉଁ ଶବ୍ଦ ଶୁଣାଯାଏ ତାହାକୁ କ୍ରାକ୍ଲ୍ ବା ରେଲ୍ସ୍ (Rales) କହନ୍ତି । ପର୍କସନ୍ କଲେ ଛାତି ଶବ୍ଦ ନିଦା ଲାଗେ ।
ରୋଗ ନିର୍ଣ୍ଣୟ ନିମନ୍ତେ ଅଧିକତର ଛାତି ଏକ୍ସ-ରେ କରି ଦେଖାଯାଏ । ମୃଦୁ ରୋଗ ହୋଇଥିଲେ ଯଦି ଔଷଧଦ୍ୱାରା ଉନ୍ନତି ହେଉ ନାହିଁ ବା ମୂଳ କାରଣ ଜଣା ନାହିଁ ତାହା ହେଲେ ଇମେଜିଙ୍ଗ ଦରକାର ହୁଏ ।[37] ଆଡମିଶନ ହେବା ଭଳି ଅବସ୍ଥା ହେଲେ ଛାତି ଏକ୍ସ-ରେ ଆବଶ୍ୟକ ହୁଏ । ପରୀକ୍ଷା ତଥ୍ୟରୁ ରୋଗର ଭୟାବହତା ବା ଜୀବାଣୁ/ ଭୁତାଣୁ ରୋଗ ହୋଇଛି କି ନାହିଁ ସେ ବିଷୟରେ କିଛି ଜଣା ପଡେ ନାହିଁ ।
ଏକ୍ସ-ଛବି ଦେଖି ତିନି ପ୍ରକାର ବର୍ଗୀକରଣ କରାଯାଏ ଯଥା ଲୋବାର ନିମୋନିଆ, ବ୍ରଙ୍କୋନିମୋନିଆ ଓ ଇଣ୍ଟରସ୍ଟିସିଆଲ୍ ନିମୋନିଆ ।[38] ଗୋଷ୍ଠିଗତ ନିମୋନିଆ ଥିଲେ ଫୁସ୍ଫୁସ୍ର ଗୋଟିଏ ସେଗମେଣ୍ଟାଲ୍ ଲୋବ୍ରେ କନସୋଲିଡେସନ୍ ଦେଖାଯାଏ ଯାହାକୁ ଲୋବାର ନିମୋନିଆ କୁହାଯାଏ । କିନ୍ତୁ ତଥ୍ୟ ସବୁ ଅଲଗା ଅଲଗା ହୋଇପାରେ । ଫୁସ୍ଫୁସ୍ର ଦୁଇ ପାଖର ନିମ୍ନ ଭାଗ ବିଶେଷତଃ ଡାହାଣ ପାଖ ଅସ୍ୱଚ୍ଛ ଦେଖାଗଲେ ଆସ୍ପିରେସନ୍ ନିମୋନିଆ ସମ୍ଭାବନା ରହେ । ଭୁତାଣୁ ନିମୋନିଆ ହେଲେ ସାଧାରଣ ଦେଖା ଯାଇପାରେ, ଫୁଲି ଯାଇ ଦୁଇ ପାର୍ଶ୍ୱରେ ଛୋଟ ଛୋଟ ଖଣ୍ଡ ଅସ୍ୱଚ୍ଛତା ଦେଖାଯାଏ । ପ୍ରାରମ୍ଭ ବେଳେ, ନିର୍ଜଳନ (Dehydration) ଥିଲେ ବା ପୃଥୁଳକାୟ ହୋଇଥିଲେ କୌଣସି ଅସାଧାରଣ ଛବି ଦେଖା ଯିବନାହିଁ । ସି. ଟି. ସ୍କାନ କଲେ ଅଧିକ ତଥ୍ୟ ମିଳେ ।
ସାଂଘାତିକ ହୋଇ ନ ଥିବା ବା ଘରେ ଚିକିତ୍ସିତ ହେଉଥିବା ରୋଗୀ ଚିକିତ୍ସାଦ୍ୱାରା ଆରାମ ନ ପାଉଥିଲେ କଫ ପରୀକ୍ଷା କରିବା ଆବଶ୍ୟକ ହୁଏ ଓ ଯକ୍ଷ୍ମା ଜୀବାଣୁର ଉପସ୍ଥିତି ଜାଣିବା ନିମନ୍ତେ ଖଙ୍କାର କଲ୍ଚର୍ କରାଯାଏ । ଜନ ସ୍ୱାସ୍ଥ୍ୟ କାରଣରୁ ମହାମାରୀ ସମୟରେ ଜୀବାଣୁ ଚିହ୍ନିବା ଦରକାର ହୁଏ । ଡାକ୍ତରଖାନାରେ ଭର୍ତ୍ତି ହେଲେ ଖଙ୍କାର ସହ ରକ୍ତ କଲ୍ଚର୍ କରାଯାଏ ।[37] ଏହା ସହ ଲେଜିଓନେଲା ଓ ସ୍ଟ୍ରେପ୍ଟୋକୋକସ୍ ଆଣ୍ଟିଜେନ ଉପସ୍ଥିତି ଜାଣିବା ନିମନ୍ତେ ପରିସ୍ରା ପରୀକ୍ଷା କରାଯାଏ । ଭୁତାଣୁ ଉପସ୍ଥିତି ଜାଣିବା ନିମନ୍ତେ କଲ୍ଚର ଓ ପଲିମରେଜ୍ ଚେନ୍ ରିଆକ୍ସନ୍ ବା ପି.ସି.ଆର ପରୀକ୍ଷା କରାଯାଏ । କିନ୍ତୁ ଏଠାରେ ଉଲ୍ଲେଖନୀୟ, କେବଳ ୧୫% ରୋଗୀଙ୍କର ନିୟମିତ ପରୀକ୍ଷାଦ୍ୱାରା ରୋଗ ଜୀବାଣୁ ଜାଣି ହୁଏ ।
ବିଭିନ୍ନ ପ୍ରସଙ୍ଗରେ ବିଭିନ୍ନ ପ୍ରକାରର ବର୍ଗୀକରଣ କରାଯାଏ ।
ଏକା ଭଳି ଲକ୍ଷଣ ଓ ଚିହ୍ନ ଥାଇ ଅନ୍ୟ ରୋଗମାନଙ୍କର ନାମ: କ୍ରନିକ୍ ଅବ୍ସ୍ଟ୍ରକ୍ଟିଭ ପଲ୍ମୋନାରି ରୋଗ (ସି.ଓ.ପି.ଡି), ଆଜ୍ମା (Asthma), ପଲ୍ମୋନାରି ଇଡିମା, ବ୍ରୋଙ୍କିଏକ୍ଟାସିସ୍, ଫୁସ୍ଫୁସ୍ କର୍କଟ ଓ ପଲ୍ମୋନାରି ଏମ୍ବୋଲିଜ୍ମ । କ୍ରନିକ୍ ଅବ୍ଟ୍ରକ୍ଟିଭ ପଲ୍ମୋନାରି ରୋଗ(ସି.ଓ.ପି.ଡି)ଦ୍ୱୟରେ ରୋଗୀର ନାକରୁ ସଁ ସଁ ଶବ୍ଦ (Wheeze) ଆସେ । ଫୁସ୍ଫୁସ୍ ଶୋଥ ରୋଗରେ ଇ.ସି.ଜି. ପରିବର୍ତ୍ତନ ଦେଖାଯାଏ । କର୍କଟ ଓ ବ୍ରୋଙ୍କିଏକ୍ଟାସିସ୍ରେ କାଶ ବହୁତ ଦିନ ଧରି ହେଉଥିବାର ଇତିହାସ ଥାଏ । ଫୁସ୍ଫୁସ୍ ଏମ୍ବୋଲିଜ୍ମରେ ତୀବ୍ର ଛାତି ଯନ୍ତ୍ରଣା ସହ ଛୋଟ ଶ୍ୱାସ ହୁଏ ।
ଟିକା, ପରିବେଶ ସୁରକ୍ଷା ଓ ଅନ୍ୟାନ୍ତ ସ୍ୱାସ୍ଥ୍ୟ ବିଷୟରେ ଉପଯୁକ୍ତ ଚିକିତ୍ସା: ଏହି ସମସ୍ତ ବିଷୟ ପ୍ରତି ଧ୍ୟାନ ଦେଲେ ନିବାରଣ ହୋଇ ପାରିବ । ଉପଯୁକ୍ତ ଯତ୍ନ ନେଲେ ପୃଥିବୀରେ ରୋଗୀ ସଂଖ୍ୟା ୪୦୦,୦୦୦ କମିଯିବ । ଶିଶୁ ମୃତ୍ୟୁ ସଂଖ୍ୟା ୬୦୦,୦୦୦ କମିଯିବ ।
ଇନ୍ଫ୍ଲୁଏଞ୍ଜା ଏ ଓ ବି ନିମନ୍ତେ ଟିକା ମଧ୍ୟମ ଧରଣର କାମ କରେ ।[43] ୬ ମାସ ଓ ତଦୁର୍ଦ୍ଧ୍ୱ ବୟସ ଲୋକଙ୍କୁ ପ୍ରତି ବର୍ଷ ଟିକା ଦେବା ଦରକାର । ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କୁ ଟିକା ଦେଲେ ସେମାନଙ୍କ ରୋଗୀମାନେ ରୋଗ ମୁକ୍ତ ହୋଇ ପାରିବେ । ମହାମାରୀ ହେଲେ ଆମାଣ୍ଟାଡାଇନ୍ ଓ ରିମାଣ୍ଟାଡାଇନ୍ ଦେଲେ ସାହାଯ୍ୟ ହୋଇପାରେ ।
ହେମୋଫାଇଲସ୍ ଇନ୍ଫ୍ଲୁଏଞ୍ଜି ଓ ସ୍ଟ୍ରେପ୍ଟୋକୋକାଲ୍ ନିମୋନି ଟିକା ଭଲ କାମ କରୁଥିବା ପ୍ରମାଣ ମିଳିଛି । ଯୁବକମାନଙ୍କ ନିମନ୍ତେ ମଧ୍ୟ ସ୍ଟ୍ରେପ୍ଟୋକୋକାଲ୍ ନିମୋନି ଟିକା ଇନ୍ଭେସିଭ୍ ନିମୋକୋକାଲ୍ ରୋଗ ସଙ୍କଟ ଦୂର କରୁଛି ।[44] ପର୍ଟୁସିସ୍, ଭାରିସେଲା ଓ ମିଳିମିଳା ଟିକା ମଧ୍ୟ ନିବାରଣରେ ସାହାଯ୍ୟ କରୁଛି ।
ଧୂମ୍ର ସେବନ ବନ୍ଦ ହେବା ଆବଶ୍ୟକ । ଏହାର ଅର୍ଥ ଧୂମ ପାନ ଓ ଘରେ କାଠ ଚୁଲି ଓ ଘସିରୁ ନିର୍ଗତ ହେଉଥିବା ଧୂମ ସେବନ, ଉଭୟ ବନ୍ଦ ହେବା ଦରକାର । ନିମୋନିଆ ରୋଗର ସବୁଠାରୁ ବଡ଼ ସଙ୍କଟ ଭାବେ ଧୁଆଁ ସୁପରିଚିତ । ହାତର ସ୍ୱାସ୍ଥ୍ୟ ସୁରକ୍ଷା ଓ କାଶିଲା ବେଳେ ରୁମାଲ ଦେଇ କାଶିଲେ ଯଥେଷ୍ଟ ରୋଗ ନିବାରଣ ହୋଇ ପାରିବ । ରୋଗୀମାନେ ଅପରେଶନ ମୁଖା ପିନ୍ଧିଲେ ରୋଗ ବିସ୍ତାର କମିଯିବ ।
କେତେକ ରୋଗ ଯଥା ଏଚ୍.ଆଇ.ଭି., ଡାଏବେଟିସ୍ ଓ ଅପପୁଷ୍ଟିର ଚିକିତ୍ସା କଲେ ନିମୋନିଆ ସଂକଟ ଦୂର ହୁଏ ।[45]
ଛଅ ମାସରୁ କମ ଶିଶୁମାନଙ୍କୁ ସ୍ତନ ପାନ କରାଇଲେ ନିମୋନିଆ ସଂକଟ ତଥା ଭଯାବହତା କମିଯାଏ । ଟ୍ରାଇମେଥୋପ୍ରିମ୍/ସଲ୍ଫାମେଥୋକ୍ସାଜୋଲ୍ ଔଷଧ ଖାଇଲେ ନିମୋସିସ୍ଟିକ୍ ନିମୋନିଆ ସଙ୍କଟ କମିଯାଏ ଓ ଏଚ୍.ଆଇ.ଭି ବ୍ୟତୀତ ଅନ୍ୟ ପ୍ରତିରୋଧ ଅକ୍ଷମତା ଥିଲେ ଉପକାର କରେ ।[46]
ଗର୍ଭିଣୀ ମହିଳାମାନଙ୍କର ଗ୍ରୁପ୍ ବି ସ୍ଟ୍ରେପ୍ଟୋକୋକସ୍ ଓ କ୍ଲାମିଡିଆ ଟ୍ରକୋମାଟିସ୍ ଜୀବାଣୁ ଅଛି କି ନାହିଁ ପରୀକ୍ଷା କରି ଯଦି ଥାଏ ତାହା ହେଲେ ଆଣ୍ଟିବାୟୋଟିକ ଦେଲେ ନବଜାତ ଶିଶୁଙ୍କର ନିମୋନିଆ ରୋଗ ହାର କମିଯାଏ ।[47][48] ଏଚ୍. ଆଇ. ଭି. ନିବାରଣ ପନ୍ଥା ପ୍ରଦାନ କଲେ ମାଆଠାରୁ ଶିଶୁକୁ ଡେଇଁବା ଭୟ କମିଯାଏ ।[49] ନବଜାତ ଶିଶୁର ତଣ୍ଟିରୁ ମେକୋନିଅମ୍ ଓ ଆମ୍ନିଓଟିକ୍ ପଦାର୍ଥ ଶୋଷିବାଦ୍ୱାରା ଆସ୍ପିରେଶନ୍ ନିମୋନିଆ[50] କମିବା ହାର କମିବା ଜଣା ନ ପଡୁ ଥିବାରୁ ଅନେକ ସ୍ଥାନରେ ଏହି ପ୍ରଥାକୁ ଉତ୍ସାହିତ କରାଯାଉ ନାହିଁ । ଦୁର୍ବଳ ତଥା ବୟସ୍କା ମହିଳାମାନଙ୍କର ପାଟି ସ୍ୱାସ୍ଥ୍ୟର ଯତ୍ନ ନେଲେ ଆସ୍ପିରେଶନ୍ ନିମୋନିଆ ସଙ୍କଟ କମ୍ ହୁଏ ।[51]
ସି.ୟୁ.ଆର୍.ବି-୬୫(CURB -65) | |
---|---|
ଲକ୍ଷଣ | ସଂଖ୍ୟା |
ବ୍ୟାକୁଳତା | |
ୟୁରିଆ>7 ମି.ମୋଲ୍/ଲି | |
ଶ୍ୱାସ କ୍ରିୟା ହାର>୩୦ | |
ସିସ୍ଟୋଲିକ୍ ଚାପ<୯0mmHg, ଡାୟାସ୍ଟୋଲିକ୍ ଚାପ<୬0mmHg | |
ବୟସ>=୬୫ | |
ସାଧାରଣତଃ ଖାଇବା ଆଣ୍ଟିବାୟୋଟିକ୍, ବିଶ୍ରାମ, କଷ୍ଟ ଦୂରକାରୀ ଔଷଧ ଓ ତରଳ ପଦାର୍ଥ ଗ୍ରହଣ ରୋଗ ଭଲ ହେବା ନିମନ୍ତେ ଯଥେଷ୍ଟ ହୁଏ । ଯଦି ଅନ୍ୟ କୌଣସି ରୋଗ ସାଥୀରେ ଥାଏ ବା ଶ୍ୱାସ କଷ୍ଟ ହେଉଥାଏ, ତାହା ହେଲେ ଉନ୍ନତ ଚିକିତ୍ସା ଆବଶ୍ୟକ ହୁଏ । ଜଦି ଲକ୍ଷଣମାନଙ୍କର ଉନ୍ନତି ହେଉ ନ ଥାଏ, ଘରୋଇ ଚିକିତ୍ସା ଫଳପ୍ରଦ ହୁଏ ନାହିଁ ବା ଜଟୀଳତା ଦେଖାଯାଏ ତେବେ ଡାକ୍ତରଖାନାରେ ଭର୍ତ୍ତି କରିବା ଆବଶ୍ୟକ ହୁଏ । ପୃଥିବୀରେ ପିଲାମାନେ ଭୋଗୁଥିବା ନିମୋନିଆରେ ୭ରୁ ୧୩ % ରୋଗୀ ଭର୍ତ୍ତି ହୁଅନ୍ତି । ବୟସ୍କମାନଙ୍କ କ୍ଷେତ୍ରରେ ସି.ୟୁ.ଆର୍.ବି-୬୫ (CURB-65) ସ୍କୋର୍ ଅନୁସାରେ ଆଡ୍ମିସନ୍ କରାହୁଏ । ସ୍କୋର ୦ବା୧ ଥିଲେ ଘରୋଇ ଚିକିତ୍ସା, ୨ ଥିଲେ ସ୍ୱଳ୍ପ ସମୟ ଭର୍ତ୍ତି ଓ ୩-୫ ଥିଲେ ଭଲ ରୁପେ ନିଘା ରଖାଯାଏ । ପିଲାମାନଙ୍କର ଶ୍ୱାସ ଅସୁବିଧା ବା ୯୦ % ଅମ୍ଳଜାନ ସାଚୁରେସନରୁ କମ ଥିଲେ ଭର୍ତ୍ତି କରାୟାଏ ।[52]
ଜୀବାଣୁ ଜନିତ ନିମୋନିଆର ଚିକିତ୍ସା ଫଳକୁ ଆଣ୍ଟିବୟୋଟିକ ବହୁତ ଉନ୍ନତ କରିଛି । ବିଭିନ୍ନ ଆଣ୍ଟିବାୟୋଟିକ ବିଭିନ୍ନ ପରିସ୍ଥିତି ଅନୁଯାୟୀ ଦିଆଯାଏ ଯଥା: ବୟସ, ସ୍ୱାସ୍ଥ୍ୟ ଓ ରୋଗ ଗ୍ରହଣ ସ୍ଥାନ । ଇଂଲଣ୍ଡରେ ଗୋଷ୍ଠିଗତ ରୋଗରେ ପ୍ରଥମ ଧାଡି ଚିକିତ୍ସା ରୁପେ ଆମୋକ୍ସିସିଲିନ୍ ସହ ଡକ୍ସିସାଇକ୍ଲିନ୍ ବା କ୍ଲାରିଥ୍ରୋମାଇସିନ ଦିଆଯାଏ । ଉତ୍ତର ଆମେରିକାରେ ଅଣଗତାନୁଗତିକ ଗୋଷ୍ଠିଗତ ନିମୋନିଆ ଦେଖାଯାଏ । ଏଥି ନିମନ୍ତେ ଆମୋକ୍ସିସିଲିନ୍ ବଦଳରେ ଯୁବକମାନଙ୍କୁ ଆଜିଥ୍ରୋମାଇସିନ କିମ୍ବା ଏରିଥ୍ରୋମାଇସିନ୍ ସହ ଡକ୍ସିସାଇକ୍ଲିନ ଦିଆଯାଉଛି ।[53] ପିଲାମାନଙ୍କର ମୃଦୁ ବା ମଧ୍ୟମ ଧରଣର ନିମୋନିଆ ହୋଇଥିଲେ ଆମୋକ୍ସିସିଲିନ୍ ପ୍ରଥମ ଧାଡି ଚିକିତ୍ସା ରୁପେ ଦିଆଯାଏ । ଜଟୀଳତା ବିହୀନ ରୋଗରେ ଆନୁସଙ୍ଗିକ ଅବାଞ୍ଛିତ ପ୍ରତିକ୍ରିୟା ଯୋଗୁ ଫ୍ଲୋରୋକୁଇନୋଲିନ୍ ଦିଆ ଯାଉ ନାହିଁ ।[23][54] ସାଧାରଣତଃ ୧୦ ଦିନ ଔଷଧ ଦିଆଯାଉ ଥିଲେ ମଧ୍ୟ ୩ରୁ ୫ ଦିନର ଚିକିତ୍ସାରେ ମଧ୍ୟ ଉପକାର ମିଳୁଛି । ଡାକ୍ତରଖାନାରୁ ସଂକ୍ରମିତ ରୋଗ ନିମନ୍ତେ ଚତୁର୍ଥ ପିଢି ସେଫାଲୋସ୍ପୋରିନ, ଫ୍ଲୋରୋକୁଇନୋଲୋନ୍, ଆମିନୋଗ୍ଲାଇକୋସାଇଡ୍ ଓ ଭାଙ୍କୋମାଇସିନ ଦିଆଯାଉଛି ।[55] ଏହି ଔଷଧ ଶିରା ମାଧ୍ୟମରେ ଦିଆଯାଏ । ପ୍ରାରମ୍ଭିକ ଚିକିତ୍ସାରେ ଡାକ୍ତରଖାନାରେ ୯୦% ରୋଗ ପ୍ରାରମ୍ଭିକ ଆଣ୍ଟିବାୟୋଟିକ୍ଦ୍ୱାରା ଭଲ ହୋଇଯାଆନ୍ତି ।
ଇନ୍ଫ୍ଲୁଏଞ୍ଜା ଏ ଓ ବି ଭୁତାଣୁଦ୍ୱାରା ହେଉଥିବା ନିମୋନିଆ ନିମନ୍ତେ ନିୟୁରାମିନିଡେଜ୍ ଇନହିବିଟର ଜାତୀୟ ଔଷଧ ଦିଆଯାଏ । ଗୋଷ୍ଟିଗତ ନିମୋନିଆ ନିମନ୍ତେ କୌଣସି ନିର୍ଦ୍ଦିଷ୍ଟ ଔଷଧର ଉପଦେଶ ଦିଆଯାଉ ନାହିଁ । ଇନ୍ଫ୍ଲୁଏଞ୍ଜା ଏ ନିମନ୍ତେ ରିମାଟିଡିନ୍ ଓ ଆମାଟିଡିନ୍ ଦିଆଯାଏ ଓ ଉଭୟ ଏ ଓ ବି ନିମନ୍ତେ ଓସେଲ୍ଟାମିଭିର୍, ଜାନାମିଭିର୍ କିମ୍ବା ପେରାମିଭିର ଦିଆଯାଏ । ରୋଗ ଆରମ୍ଭ ହେବାର ୪୮ ଘଣ୍ଟା ମଧ୍ୟରେ ଏହି ଔଷଧ ଦିଆଗଲେ ବହୁତ ଉପକାର ମିଳେ । ଆଭିଆନ୍ ଇନ୍ଫ୍ଲୁଏଞ୍ଜା ବା "ବାର୍ଡ ଫ୍ଲୁ", ରିମାଟିଡିନ୍ ଓ ଆମାଟିଡିନ୍ ଔଷଧ ପ୍ରତିରୋଧ ଦେଖାଏ । ସମ ସାମୟିକ ଜୀବାଣୁ ସଂକ୍ରମଣର ସମ୍ଭାବନାକୁ ଏଡେଇ ଦେବା ଅସମ୍ଭବ ହେତୁ ଆଣ୍ଟିବାୟୋଟିକ୍ ଦିଆଯାଏ । ବ୍ରିଟିସ୍ ଥୋରାସିକ୍ ସୋସାଇଟି କମ୍ ମାତ୍ରାର ରୋଗରେ ଆଣ୍ଟିବାୟୋଟିକ ଦେବାକୁ ବାରଣ କରନ୍ତି ।
ଆସ୍ପିରେସନ୍ ପରବର୍ତ୍ତୀ ନିମୋନିଆରେ କେଉଁ ଜୀବାଣୁ ଓ କେଉଁ ପରିସ୍ଥିତିରେ ଜୀବାଣୁ ଆସିଛି ସେ ସବୁର ସମୀକ୍ଷା କରି ଔଷଧ ଦିଆଯାଏ । କ୍ଲିଣ୍ଡାମାଇସିନ୍, ଆମିନୋଗ୍ଲାଇକୋସାଇଡ କିମ୍ବା ବିଟାଲାକ୍ଟାମ୍ ଆଣ୍ଟିବାୟୋଟିକ୍ ଓ ମେଟ୍ରୋନିଡାଜଲ୍ ଦ୍ୱୟ ଦିଆଯାଏ । କର୍ଟିକୋସ୍ଟିରଏଡ ଦିଆଯାଏ କିନ୍ତୁ ଏହାର ସୀମିତ ଉପକାରୀତା ଅଛି ।
ଅଧିକାଂଶ ଧରଣର ନିମୋନିଆ ଚିକିତ୍ସାଦ୍ୱାରା ୩ରୁ ୬ ଦିନ ମଧ୍ୟରେ ଉନ୍ନତି କରନ୍ତି । ଚାରି ସପ୍ତାହ ମଧ୍ୟରେ ଏକ୍ସ-ରେ ଚିତ୍ର ପୁର୍ବାବସ୍ଥାକୁ ଫେରି ଆସେ ଓ ମୃତ୍ୟୁ ହାର ୧ %ରୁ କମ ରହେ । ବୟସ୍କ ଲୋକ ଓ ପୂର୍ବରୁ ଅନ୍ୟ କିଛି ଫୁସ୍ଫୁସ୍ ଅସୁବିଧା ଥିଲେ ଭଲ ହେବାକୁ ୧୨ ସପ୍ତାହ ଲାଗେ । ଡାକ୍ତରଖାନାରେ ଆଡ୍ମିଶନ୍ ହୋଇଥିବା ଲୋକଙ୍କର ମୃତ୍ୟୁ ହାର ୧୦ % ହେଲେ ଇଣ୍ଟେନ୍ସିଭ କେୟାରରେ ଥିବା ଲୋକଙ୍କର ମୃତ୍ୟୁ ହାର ୩୦ରୁ ୫୦ % ହୁଏ ।
ଆଗରୁ ଅନ୍ୟ ଫୁସ୍ଫୁସ୍ ରୋଗ ଥିଲେ ବା ବୟସ୍କ ଲୋକ ହୋଇଥିଲେ ଜଟୀଳତା ବହୁତ ଅଧିକ ହୁଏ ।
ନିମୋନିଆ ନିମନ୍ତେ ପୂର୍ବାନୁମାନ ନିୟମ ତିଆରି ହୋଇଛି । ଡାକ୍ତରଖାନା ଆଡ୍ମିସନ୍ ହେବା ନ ହେବା ନିମ୍ନ ଲିଖିତ ନିୟମ ଅନୁଯାୟୀ ସ୍ଥିର କରାଯାଏ ।
ଫୁସ୍ଫୁସ୍ ଚାରି ପାଖରେ ଘେରି ରହିଥିବା ପ୍ଲୁରା ମଧ୍ୟରେ ତରଳ ପଦାର୍ଥ ଜମି ଯାଇ ପାରେ । ବେଳେ ବେଳେ ଏହି ପଦାର୍ଥ ଜୀବାଣୁଦ୍ୱାରା ସଂକ୍ରମିତ ହୋଇ ପୂଜ ହୋଇ ଗଲେ ତାହାକୁ ଏମ୍ପାଇମା କହନ୍ତି । ପାରାନିମୋନିକ୍ ଇଫ୍ୟୁଜନ ଓ ଏମ୍ପାଇମା ଦ୍ୱୟର ପାର୍ଥକ୍ୟ ଜାଣିବା ନିମନ୍ତେ ଛୁଞ୍ଚିଦ୍ୱାରା ତାହାକୁ କାଢି ପରୀକ୍ଷା କରାଯାଏ । ଏମ୍ପାଇମା ଥିଲେ ତାହାକୁ ନିଷ୍କାସନ କରିବା ଦରକାର ହୁଏ । ନିଷ୍କାସନ ନ କଲେ ଆଣ୍ଟିବାୟୋଟିକ ପ୍ଲୁରାଲ୍ କ୍ୟାଭିଟି ଭିତରେ ପହଞ୍ଚି ପାରିବ ନାହିଁ । ପୂଜ ନ ଥିଲେ ଜଦି ଚିକିତ୍ସାଦ୍ୱାରା ଏହର ଆକାର ନ କମେ ତାହା ହେଲେ ନିଷାସନ ଆବଶ୍ୟକ ହୁଏ ।
କ୍ୱଚିତ ଏହି ଜୀବାଣୁ ଫୁସ୍ଫୁସ୍ରେ ଛୋଟ ଥଳୀ ତିଆରି କରନ୍ତି ଯାହାକୁ ଆବସେସ୍ (Lung abcess) କହନ୍ତି । ଏହା ଦେଖିବା ନିମନ୍ତେ ଏକ୍ସ୍-ରେ ବା ସି. ଟି. ସ୍କାନ ଦରକାର ହୁଏ । ଆସ୍ପିରେସନ୍ ନିମୋନିଆରେ ଏହା ଅଧିକ ହୁଏ । ବହୁତ ଦିନ ଧରି ଏହା ନିମନ୍ତେ ଆଣ୍ଟିବାୟୋଟିକ ଆବଶ୍ୟକ ହୁଏ । ବେଳେ ବେଳେ ସର୍ଜନ୍ ଏହାର ନିଷ୍କାସନ କରନ୍ତି ।
ନିମୋନିଆ ସଂକ୍ରମଣ ଓ ପ୍ରଦାହ କ୍ରିୟା ମିଶି ତୀବ୍ର ରେସ୍ପିରେଟରି ସିନ୍ଡ୍ରୋମ୍ ହୁଏ ଓ ଶ୍ୱାସ କ୍ରିୟା ପ୍ରଭାବିତ ହୁଏ । ଫୁସ୍ଫୁସ୍ରେ ତରଳ ପଦାର୍ଥ ଜମି ଯାଇ ଶକ୍ତ ହୋଇଯାଏ । ଅମ୍ଳଜାନ ସଂଗ୍ରହ ହୋଇ ନ ପାରିବା କାରଣରୁ ବଞ୍ଚିବା ନିମନ୍ତେ ଭେଣ୍ଟିଲେଟର ଆବଶ୍ୟକ ହୁଏ ।
ପ୍ରତିରୋଧ ଅକ୍ଷମତା ଓ ହାଇପୋସ୍ପ୍ଲେନିସ୍ମ୍ ଥିଲେ ରକ୍ତ ବିଷାକ୍ତ (Septic) ହେବା ସମ୍ଭାବନା ବଢିଯାଏ । ସବୁ ଲକ୍ଷଣମାନଙ୍କୁ ବିଚାରକୁ ନେଲା ବେଳେ ମାୟୋକାର୍ଡିଆଲ୍ ଇନ୍ଫାର୍କସନ୍ ଓ ପଲ୍ମୋନାରୀ ଏମ୍ବୋଲିସ୍ମ ରୋଗ ଦ୍ୱୟ ଥିବାର ସମ୍ଭାବନାକୁ ଏଡେଇ ଦେଇ ହୁଏ ନାହିଁ ।[56]
no data
<100
100–700
700–1400
1400–2100
2100–2800
2800–3500 |
3500–4200
4200–4900
4900–5600
5600–6300
6300–7000
>7000 |
ପୃଥିବୀରେ ପ୍ରତି ବର୍ଷ ପ୍ରାୟ ୪୫୦ ନିୟୁତ ଲୋକ ନିମୋନିଆ ରୋଗରେ ଆକ୍ରାନ୍ତ ହୁଅନ୍ତି । ସବୁ ବୟଷର ଲୋକ ଆକ୍ରାନ୍ତ ହୋଇ ବର୍ଷକୁ ପ୍ରାୟ ୪ନିୟୁତ ଲୋକ ମୃତ୍ୟୁ ବରଣ କରନ୍ତି । ମୃତ୍ୟୁ ହାର ଶିଶୁ ଓ ବୟଷ୍କ ଲୋକଙ୍କର ଅଧିକ(୭ %) ହୁଏ । ବିକାଶଶୀଳ ଦେଶମାନଙ୍କରେ ବିକଶିତ ଦେଶମାନଙ୍କ ଅପେକ୍ଷା ୫ଗୁଣ ଅଧିକ ମୃତ୍ୟୁ ହୁଏ । ଭୁତାଣୁ ଜନିତ ନିମୋନିଆ ୨୦୦ ନିୟୁତ ଲୋକଙ୍କୁ ହୁଏ । ଆମେରିକାରେ ୨୦୦୯ ମସିହାରେ ଏହି ରୋଗ ମୃତ୍ୟୁ ତାଲିକାରେ ନବମ ସ୍ଥାନ ଅଧିକାର କରିଥିଲା ।
୨୦୦୮ ମସିହାରେ ୧୫୬ ନିୟୁତ ଲୋକଙ୍କୁ ନିମୋନିଆ ଆକ୍ରମଣ କରିଥିଲା ଓ ତନ୍ମଧ୍ୟରୁ ୧୫୬ ନିୟୁତ କେବଳ ବିକଶିତ ରାଷ୍ଟ୍ରରେ ହୋଇଥିଲା । ଅଧିକ ରୋଗ ହେଉଥିବା ଦେଶମାନଙ୍କର ନାମ ଭାରତ (୪୩ ନିୟୁତ), ଚୀନ ଓ ପାକିସ୍ଥାନ । ନବଜାତ ଶିଶୁମାନେ ଅଧିକ ଆକ୍ରାନ୍ତ ହୁଅନ୍ତି । ଡବ୍ଲ୍ୟୁ. ଏଚ. ଓ. ଅନୁସାରେ ଶିଶୁମାନଙ୍କ ମଧ୍ୟରେ ପ୍ରତି ୩ଜଣରେ ଜଣେ ନିମୋନିଆ ଯୋଗୁ ମୃତ୍ୟୁ ବରଣ କରେ । ପ୍ରାୟ ଅଧା ରୋଗ ଟିକାଦ୍ୱାରା ନିବାରଣ କରି ହେବ ।
ମାନବ ଇତିହାସରେ ନିମୋନିଆ ଗୋଟିଏ ସାଧାରଣ ରୋଗ[58] । ହିପୋକ୍ରେଟଙ୍କ(ଖ୍ରୀ. ପୂ. ୪୬୦ରୁ ଖ୍ରୀ.ପୂ. ୩୭୦) ଲିଖିତ ଲକ୍ଷଣ: "ପେରିନିମୋନିଆ ଓ ପ୍ଲୁରା ରୋଗ ଏହି ଭଳି ଲକ୍ଷ କରିବା କଥା: ଯଦି ଜ୍ୱର ତୀବ୍ର ଅଛି, ଯନ୍ତ୍ରଣା ଗୋଟିଏ ପଟରେ ବା ଉଭୟ ପାଖରେ ହେଉଛି, ଯଦି କାଶ ହେଉଛି, କଫ ମାଟିଆ ରଙ୍ଗ ହେଉଛି, ଫେଣ ଯୁକ୍ତ ହେଉଛି । ଯଦି ଶ୍ୱାସ କ୍ରିୟାରେ କଷ୍ଟ ହେଉଛି, ଝାଡା ହେଉନାହିଁ, ପରିସ୍ରା ପତଳା ହେଉଛି, ଝାଳ ବୋହୁଛି ତାହା ହେଲେ ଏହି ରୋଗ ଭଲ ହେବା ସମ୍ଭାବନା କମ ଅଛି"।[59]
ଏମ୍ପାଇମା ହୋଇଥିଲେ ପୂଜ ନିଷ୍କାସନ କରିବା କଥା ଲେଖିଥିଲେ । ମେମୋନିଡେସ୍ ଲେଖିଥିଲେ: ତୀବ୍ର ଜର, ପ୍ଲୁରା ଯନ୍ତ୍ରଣା, ଛୋଟ ଓ ଦୃତ ଶ୍ୱାସ କ୍ରିୟା, ନାଡି ଦନ୍ତୁରିତ ଓ କାଶ,[60] ଏହି ସମସ୍ତ ନିମୋନିଆର ଲକ୍ଷଣ । ପୁରୁଣା ଲୋକମାନେ ନିମୋନିଆ ରୋଗ ବିଷୟରେ ଜାଣିଥିବା କଥା ହିପୋକ୍ରେଟ ଲେଖିଥିଲେ । ସେତେବେଳେ ଲେଖିଥିବା ଲକ୍ଷଣ ସମୂହ ଆଜିକାଲିର ବର୍ଣ୍ଣନା ସହ ମିଶିଯାଉଛି ।
୧୮୭୫ ମସିହାରେ ଏଡ୍ବିନ୍ କ୍ଲେବ୍ ପ୍ରଥମେ ମୃତ ନିମୋନିଆ ରୋଗୀର ଶ୍ୱାସ ନଳୀରେ ଜୀବାଣୁ ଥିବା ଲକ୍ଷ କରିଥିଲେ ।[61] କାର୍ଲ୍ ଫ୍ରିଏଡ୍ଲାଣ୍ଡର (୧୮୮୨)[62] ଓ ଆଲ୍ବର୍ଟ ଫ୍ରାଙ୍କେଲ୍ (୧୮୮୪)[63] ଯଥାକ୍ରମେ ପ୍ରଥମେ କ୍ଲେବସିଲା ଓ ସ୍ଟ୍ରେପ୍ଟୋକୋକସ୍ ଜୀବାଣୁ ଚିହ୍ନି ଥିଲେ । ଫ୍ରିଏଡ୍ଲାଣ୍ଡର ପ୍ରଥମେ ଗ୍ରାମ ସ୍ଟେନ୍ ପ୍ରଚଳନ କରିଥିଲେ । କ୍ରିସ୍ଟିଆନ୍ ଗ୍ରାମ୍ ପ୍ରଥମେ ଏହି ସ୍ଟେନ୍ଦ୍ୱାରା ଜୀବାଣୁ ପୃଥକୀକରଣ କରିଥିଲେ ଓ ଦେଖେଇ ଥିଲେ ନିମୋନିଆ ଏକାଧିକ ଜୀବାଣୁଦ୍ୱାରା ହୋଇପାରେ ।[64]
ଆଧୁନିକ ଭେଷଜ ବିଜ୍ଞାନର ପିତା ରୁପେ ପରିଚିତ ସାର ଉଇଲିଅମ୍ ଓସ୍ଲର୍ ୧୯୧୮ ମସିହାରେ ନିମୋନିଆକୁ ମୃତ୍ୟୁ ମାନବମାନଙ୍କର କ୍ୟାପଟେନ ନାମରେ ଅଭିହିତ କରିଥିଲେ । ଏହାକୁ ସେ ବୃଦ୍ଧମାନଙ୍କର ସାଙ୍ଗ ନାମ ଦେଇଥିଲେ କାରଣ ଲୋକମାନେ କଷ୍ଟ ବିହୀନ ଚଞ୍ଚଳ ମୃତ୍ୟୁ ଲାଭ କରୁଥିଲେ ।
ବିଂଶ ଶତାବ୍ଦିରେ ପେନିସିଲିନ ଓ ଅନ୍ୟାନ୍ୟ ଆଣ୍ଟିବାୟୋଟିକର ଆବିଷ୍କାର, ଅପରେଶନ, ଇଣ୍ଟେନ୍ସିଭ କେୟାର ଇତ୍ୟାଦିର ପ୍ରଚଳନ ପରେ ନିମୋନିଆ ଚିକିତ୍ସାର ଫଳାଫଳରେ ପରିବର୍ତ୍ତନ ଦେଖାଗଲା । ଟିକା ଉଦ୍ଭାବନ ପରେ ମଧ୍ୟ ନିମୋନିଆର ହାର ଆହୁରି କମିଗଲା ।
ବିକାଶଶୀଳ ଦେଶମାନଙ୍କରେ ଅତ୍ୟଧିକ ନିମୋନିଆ ହେଉଥିବାରୁ ବିକଶିତ ଦେଶମାନଙ୍କର ସଚେତନତା ଅଭାବ ଯୋଗୁ ୧୨ ନଭେମ୍ବର ତାରିଖକୁ ନିମୋନିଆ ଦିବସ ରୁପେ ଅଭିହିତ କରା ହୋଇଛି । ଏହି ଦିନ ଚିନ୍ତାଶୀଳ ନାଗରିକମାନେ ଓ ନୀତି ନିର୍ଦ୍ଧାରକମାନେ ଉପଯୁକ୍ତ କର୍ମ ପନ୍ଥା ନେବା ନିମନ୍ତେ ସ୍ଥିର କରିବାକୁ ପରାମର୍ଶ ଦିଆ ଯାଇଛି । ଏହି ରୋଗ ନିମନ୍ତେ ପୃଥିବୀରେ ବାର୍ଷିକ ୧୭ ବିଲିଅନ୍ ଡଲାର ଖର୍ଚ ହେଉଛି ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.