ନନ୍-ହଜକିନ୍ସ ଲିମ୍ଫୋମା
From Wikipedia, the free encyclopedia
ନନ୍-ହଜକିନ୍ସ ଲିମ୍ଫୋମା (ଇଂରାଜୀ ଭାଷାରେ Non-Hodgkin lymphoma ବା ଏନଏଚଏଲ/NHL) ଏକ ରକ୍ତ କର୍କଟ (blood cancers) ଗୋଷ୍ଠୀର ସଦସ୍ୟ ଯେଉଁଥିରେ ହଜକିନ୍ସ ଲିମ୍ଫୋମା ବ୍ୟତୀତ ସମସ୍ତ ପ୍ରକାରର ଲିମ୍ଫୋମା ଶ୍ରେଣୀଭୁକ୍ତ କରାଯାଇଛି ।[1] ଲସିକା ଗ୍ରନ୍ଥି ବୃଦ୍ଧି, ଜ୍ୱର, ରାତ୍ରିକାଳୀନ ଝାଳ, ଓଜନ ହ୍ରାସ ଓ ଥକ୍କାଣ ଇତ୍ୟାଦି ଲକ୍ଷଣ ଏ ରୋଗରେ ପ୍ରକାଶ ପାଏ । ଅସ୍ଥି ଯନ୍ତ୍ରଣା, ଛାତି କଷ୍ଟ ଓ ଗଲୁ ଇତ୍ୟାଦି ଲକ୍ଷଣ ମଧ୍ୟ ଦେଖାଯାଇପାରେ । ଏମାନଙ୍କ ମଧ୍ୟରୁ କେତେକ ରୋଗ ଧୀର ଓ କେତେକ ତୀବ୍ର ଗତିରେ ବୃଦ୍ଧି ପ୍ରାପ୍ତ ହୁଏ ।[1]
ନନ୍-ହଜକିନ୍ସ ଲିମ୍ଫୋମା | |
---|---|
ନନ୍-ହଜକିନ୍ସ ରୋଗ (non-Hodgkin disease) | |
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | ରକ୍ତ ରୋଗ ବିଜ୍ଞାନ (hematology) ଓ କର୍କଟ ରୋଗ ବିଜ୍ଞାନ (oncology) |
ଆଇସିଡ଼ି-୧୦ | C82.-C85. |
ଆଇସିଡ଼ି-୯-ସିଏମ୍ | 200, 202 |
ଆଇସିଡ଼ି-ଓ | 9591/3 |
ଓଏମ୍ଆଇଏମ୍ | 605027 |
ରୋଗ ଡାଟାବେସ | 9065 |
ମେଡ଼ିସିନ-ପ୍ଲସ | 000581 |
ଇ-ମେଡ଼ିସିନ | med/1363 ped/1343 |
Patient UK | ନନ୍-ହଜକିନ୍ସ ଲିମ୍ଫୋମା |
MeSH | D008228 |
ରକ୍ତରେ ଥିବା ଶ୍ୱେତ ରକ୍ତ କଣିକା ମଧ୍ୟରୁ ଲିମ୍ଫୋସାଇଟରୁ ସୃଷ୍ଟି ହେଉଥିବା ଏକ ପ୍ରକାର କର୍କଟର ନାମ ଲିମ୍ଫୋମା ।[2] ଏହି ରୋଗ ସଙ୍କଟ ସୃଷ୍ଟିକାରୀ କାରକମାନଙ୍କ ନାମ: ଇମ୍ମୁନିଟି ଅଭାବ (poor immune function), ଅଟୋଇମ୍ମ୍ୟୁନ ରୋଗ (autoimmune disease), ମୋଟାପଣ, ହେଲିକୋବ୍ୟାକ୍ଟର ପାଇଲୋରି ସଂକ୍ରମଣ (Helicobacter pylori infection), ହେପାଟାଇଟିସ ସି ଓ ଏପସ୍ଟେନ-ବାର ଭୁତାଣୁ ସଂକ୍ରମଣ (Epstein-Barr virus infection) ।[1][3] ଡବ୍ଲ୍ୟୁଏଚଓ (World Health Organization) ଏହି ଲୋମ୍ଫୋମାକୁ ୫ ମୂଖ୍ୟ ଶ୍ରେଣୀରେ ବିଭକ୍ତ କରିଛି ଯାହା ମଧ୍ୟରେ ହଜକିନ୍ସ ଲିମ୍ଫୋମା ମଧ୍ୟ ଅଛି ।[4] ନନ୍-ହଜକିନ୍ସ ଲିମ୍ଫୋମାର ଚାରି ଦଳ ମଧ୍ୟରେ ପ୍ରାୟ ୬୦ଟି ନିର୍ଦ୍ଦିଷ୍ଟ ଟାଇପର ଲିମ୍ଫୋମା ଅଛି ।[5][6] ଅସ୍ଥିମଜ୍ଜା (bone marrow) ବା ଲସିକା ଗ୍ରନ୍ଥିର ବାୟୋପ୍ସି (lymph node biopsy) କରି ରୋଗ ନିର୍ଣ୍ଣୟ କରାଯାଏ । କର୍କଟର ସ୍ଟେଜ (cancer staging) ନିର୍ଦ୍ଧାରଣ କରିବା ନିମନ୍ତେ ମେଡିକାଲ ଇମେଜିଙ୍ଗ (Medical imaging) କରାଯାଏ ।.[1]
ଏହାର ଚିକିତ୍ସା ରୋଗର ଧୀର ବା ଦୃତ ଗତିରେ ବୃଦ୍ଧି ଓ ଏକ ବା ଏକାଧିକ ସ୍ଥାନରେ ସ୍ଥିତି ଉପରେ ନିର୍ଭର କରେ । ଏହାର ବିଭନ୍ନ ଚିକିତ୍ସା: କେମୋଥେରାପି (chemotherapy), ରାଡିଏସନ (radiation), ଇମ୍ମ୍ୟୁନ ଥେରାପି (immunotherapy), ଟାର୍ଗେଟେଡ ଥେରାପି (targeted therapy), ସ୍ଟେମ ସେଲ ଟ୍ରାନ୍ସପ୍ଲାଣ୍ଟ (stem cell transplantation), ଅପରେଶନ, ବା ଜାଗ୍ରତ ଅପେକ୍ଷା (watchful waiting) । ଅଧିକ ଆଣ୍ଟିବଡି ଥିବା ଯୋଗୁ ରକ୍ତ ବହଳ ହୋଇଥିଲେ ପ୍ଲାଜମାଫେରେସିସ (plasmapheresis) ଆବଶ୍ୟକ ହୋଇପାରେ । ରାଡିଏସନ ଓ କେତେକ କେମୋଥେରାପିଦ୍ୱାରା ପରବର୍ତ୍ତୀ ସମୟରେ ହୃତ୍ପିଣ୍ଡ ରୋଗ (heart disease) ବା ସ୍ନାୟୁ ସମସ୍ୟା ଦେଖାଯାଇପାରେ ।[1]
ସନ ୨୦୧୩ରେ ୨.୯୬ ନିୟୁତ ଲୋକଙ୍କୁ ନନ୍-ହଜକିନ୍ସ ଲିମ୍ଫୋମା ରୋଗ ହୋଇଥିଲା ଓ ସେଥିରୁ ୨୨୬,୦୦୦ ମୃତ୍ୟୁ ବରଣ କରିଥିଲେ ।[7][8] ଯୁକ୍ତରାଷ୍ଟ୍ର ଆମେରିକାରେ ୨.୧% ଲୋକ ଏହି ରୋଗରେ କେତେବେଳେ ହେଲେ ପୀଡ଼ିତ ହୁଅନ୍ତି । ରୋଗ ନିର୍ଣ୍ଣୟ କରିବାର ବୟସ ପ୍ରାୟ ୬୫ରୁ ୭୫ ବର୍ଷ ବୟସ ମଧ୍ୟରେ ଥାଏ । ସେଠାରେ ୫ ବର୍ଷ ବଞ୍ଚିବା ହାର ପ୍ରାୟ ୭୧% ।[2]