ତନ୍ତ୍ର
From Wikipedia, the free encyclopedia
ତନ୍ତ୍ର ହିନ୍ଦୁ ସମାଜରେ ପ୍ରଚଳିତ ଉପାସନା ପଦ୍ଧତିର ଏକ ଅଂଶ ବିଶେଷ । ତନ୍ତ୍ରର ଶାବ୍ଦିକ ଉଦ୍ଭବ ହେଲା ତନୋତି ତ୍ରାୟତି ତନ୍ତ୍ର (तनोति त्रायति तन्त्र)ରୁ ଯାହାର ଅଭିପ୍ରାୟ ହେଉଛି ବିସ୍ତାର ଓ ମୁକ୍ତି। ଏଠାରେ ତନ୍ତ୍ର ଶବ୍ଦର ଅଭିପ୍ରାୟ ଗୂଢ଼ ସାଧନା । ଶିବ ଓ ଶକ୍ତିଙ୍କ ଉପାସନାକୁ ତନ୍ତ୍ର ଶାସ୍ତ୍ର ବୋଲି କୁହାଯାଏ। ତନ୍ତ୍ର ଶାସ୍ତ୍ର ମତରେ ଏହି ଜଗତ ହେଲା ଶିବ ଓ ଶକ୍ତିଙ୍କ ଦିବ୍ୟ ଲୀଳା । ହିନ୍ଦୁ,ବୌଦ୍ଧ ଓ ଜୈନ ଧର୍ମରେ ତନ୍ତ୍ର ପରମ୍ପରା ଦେଖିବାକୁ ମିଳିଥାଏ ।
ସଂସ୍କୃତ ଶବ୍ଦ ତନ୍ତ୍ରର ଅନ୍ୟ ଏକ ଅର୍ଥ ହେଲା "ବୁଣିବା" ଅର୍ଥ ଅବିଛିନ୍ନତା[1])। ଏହା ପୁରାତନ ହିନ୍ଦୁ ପରମ୍ପରାର ଅଂଶ ଓ ଗୂଢ଼ ଜ୍ଞାନର ସମାହାର ଅଟେ। ତନ୍ତ୍ର ହିନ୍ଦୁ, ବୋନପୋ, ବୌଦ୍ଧ, ଓଜୈନ ଆଦି ଧର୍ମରେ ଏକ ପ୍ରତିଷ୍ଠିତ ପରମ୍ପରା। ତନ୍ତ୍ର ନାନା ଭାବରେ ଦକ୍ଷିଣ ଏସିଆ, ଚୀନ, ଜାପାନ, ତିବ୍ଦତ, କୋରିଆ, କାମ୍ପୁଚିଆ, ବର୍ମା, ଇଣ୍ଡୋନେସିଆ ଓ ମଙ୍ଗୋଲିଆ ଆଦି ଦେଶରେ ପରିଦୃଷ୍ଟ ହୋଇଥାଏ।[2]
ତନ୍ତ୍ରଗୁଡ଼ିକୁ ବୈଦିକ ସମୟର ପରବର୍ତ୍ତୀ ରଚନା ବୋଲି କୁହାଯାଏ ଓ ସାହିତ୍ୟ ରୂପରେ ଯେମିତି ପୁରାଣ ଗ୍ରନ୍ଥାବଳୀ ମଧ୍ୟଯୁଗର ଦାର୍ଶନିକ-ଧାର୍ମିକ ରଚନା ବୋଲି କୁହାଯାଏ, ସେହି ପ୍ରକାର ତନ୍ତ୍ରଗୁଡ଼ିକରେ ମଧ୍ୟ ପ୍ରାଚୀନ-ଅଖ୍ୟାନ, କଥନିକା ଆଦିର ସମାବେଶ ହୋଇଥାଏ। ବିଷୟବସ୍ତୁ ଦୃଷ୍ଟିରୁ ଏ ସବୁ ଧର୍ମ, ଦର୍ଶନ, ସୃଷ୍ଟିରଚନା ଶାସ୍ତ୍ର, ପ୍ରଚୀନ ବିଜ୍ଞାନ ଆଦିର ଏନସାକ୍ଲୋପିଡିଆ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।
ମିର୍ଜ। ନାଥନ, ଇବନ-ବତୁତା ଏବଂ ଶାହାବୁଦ୍ଦିନଙ୍କ ଭଳି ପୁରାତନ କାଳର ବିଦ୍ୱାନମାନଙ୍କ ଲେଖାଗୁଡ଼ିକରେ ମଧ୍ୟ ପ୍ରାଗ୍ଜ୍ୟୋତିଷପୁରର ତନ୍ତ୍ରମନ୍ତ୍ର ବିଷୟରେ ଉଲ୍ଲେଖ ଥିବା ଦେଖିବାକୁ ମିଳେ। ହିନ୍ଦୁ ଶାସ୍ତ୍ର ଅନୁସାରେ ଭଗବାନ କୃଷ୍ଣ ଭଗଦତ୍ତଙ୍କ ପିତା ନରକାସୁର ସହିତ ମଧ୍ୟ ମାୟା(ତନ୍ତ୍ର) ଯୁଦ୍ଧ କରିଥିଲେ। [3]