ଗଣେଶ
ହିନ୍ଦୁ ଦେବତା / From Wikipedia, the free encyclopedia
ଗଣେଶ, ଗଣପତି, ବିନାୟକ ବା ତାମିଲରେ ପିଲ୍ଲାଇୟାର ହେଉଛନ୍ତି ସବୁଠାରୁ ଅଧିକ ପୂଜିତ ହେଉଥିବା ହିନ୍ଦୁ ଦେବତା [1]। ସେ ମହାଦେବ ଶିବ ଓ ଦେବୀ ପାର୍ବତୀଙ୍କର ସାନ ପୁଅ ଓ କାର୍ତ୍ତିକେୟଙ୍କର ସାନ ଭାଇ । ତାଙ୍କର ବାହନ ମୂଷିକ । ଗଣେଶଙ୍କର ପ୍ରତିକୃତି ଭାରତ ଓ ନେପାଳରେ ସର୍ବତ୍ର ପରିଦୃଷ୍ଟ ହୁଏ। [2] ହିନ୍ଦୁମାନେ ଜାତି, ଭାଷା, ବର୍ଣ ନିର୍ବିଶେଷରେ ଗଣେଶଙ୍କୁ ପୂଜା କରିଥାନ୍ତି।[3] ଏପରିକି ଜୈନ, ବୌଦ୍ଧ ଧର୍ମର ତଥା ଅଣଭାରତୀୟମାନେ ମଧ୍ୟ ଗଣେଶଙ୍କ ଉପାସନା କରିଥାନ୍ତି। [4] ଶାସ୍ତ୍ରରେ ୩୨ ପ୍ରକାର ଗଣେଶଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି ।[5]
ଅନେକ ବିଶେଷତ୍ୱ ମଧ୍ୟରୁ ଗଣେଶ ତାଙ୍କର ହାତୀ ମୁଣ୍ଡ ଯୋଗୁ ସହଜରେ ଚିହ୍ନା ପଡ଼ନ୍ତି । [6] ବିଘ୍ନ ନାଶକ ରୂପେ ସେ ସର୍ବତ୍ର ପୂଜିତ ହୁଅନ୍ତି । [7] କଳା, ବିଜ୍ଞାନର ଓ ବୁଦ୍ଧିମତ୍ତାର ଦେବତା ଓ ସଂରକ୍ଷକ ରୂପେ ସେ ପରିଚିତ । [8] ଆଦି ଦେବତା ହିସାବରେ ପ୍ରତ୍ୟେକ ଶୁଭ କାର୍ଯ୍ୟ, ପୂଜା, ଲେଖାପଢ଼ା ଓ ଧାର୍ମିକ କ୍ରିୟା ଆରମ୍ଭରେ ତାଙ୍କର ଆବାହନ କରାଯାଏ । [9][10] ତାଙ୍କୁ ପଞ୍ଚଦେବତାମାନଙ୍କ ମଧ୍ୟରୁ ଜଣେ ବୋଲି କୁହାଯାଏ।