From Wikipedia, the free encyclopedia
କମ୍ପୋନ୍ମାଦ (ଡେଲିରିଅମ ଟ୍ରେମେନ୍ସ) ଏକ ଉନ୍ମାଦ ଅବସ୍ଥା ଯାହା ମଦ୍ୟପର ମଦ ଖାଇବା ଛଡ଼େଇଲେ (ଉଇଥଡ୍ରୟାଲ) ସୃଷ୍ଟି ହୁଏ । ମଦ ପରିତ୍ୟାଗର ଦୁଇ ଦିନରେ ଆରମ୍ଭ ହୋଇ ଦୁଇ ତିନି ଦିନ ପର୍ଯ୍ୟନ୍ତ ରହେ ଲୋକର ଦୃଷ୍ଟି ଓ ଶ୍ରବଣ ବିଭ୍ରମ ହୁଏ । [1] ଶରୀର କମ୍ପନ (tremor) ହୁଏ, ଦେହ ଜୋରରେ ଥରେ, ଅନିୟମିତ ହୃତସ୍ପନ୍ଦନ ହୁଏ ଓ ଝାଳ ବହେ । [2] ବେଳେ ବେଳେ ଦେହ ଉତ୍ତାପ ଅତି ବେଶୀ ହୁଏ କିମ୍ବା ବାତ (Seizure) ମାରି ମୃତ୍ୟୁ ହୁଏ । [1] ଡ୍ରଗ ଉଇଥଡ୍ରୟାଲ ଶ୍ରେଣୀରେ ମଦ ବିପଦ ଜନକ ।[3]
ଏକ ମାସରୁ ଅଧିକ ମାତ୍ରାଧିକ ମଦ/ ଆଲକୋହୋଲ ପିଇଲେ କମ୍ପୋନ୍ମାଦ ହୁଏ । [4] ବେଞ୍ଜୋଡାଏଜେପିନ ଓ ବାର୍ବିଚୁରେଟ ଉଇଥଡ୍ରୟାଲରେ ମଧ୍ୟ ସମାନ ଧରଣର ଲକ୍ଷଣ ଦେଖାଯାଏ । [5] କୋକେନ ଉଇଥଡ୍ରୟାଲରେ କିଛି ବଡ଼ ଧରଣର ଲକ୍ଷଣ ପ୍ରକାଶ ପାଏ ନାହିଁ । [6] ଇଲେକ୍ଟ୍ରୋଲାଇଟ ସମସ୍ୟା, ଅଗ୍ନାଶୟ ପ୍ରଦାହ ଓ ଆଲକୋହୋଲ ହେପାଟାଇଟିସ ଇତ୍ୟାଦି ଆନୁସଙ୍ଗିକ ରୋଗର ଅନୁପସ୍ଥିତି ନିର୍ଣ୍ଣୟ କରିବା ଆବଶ୍ୟକ । [1]
ଉଇଥଡ୍ରୟାଲ ଲକ୍ଷଣମାନଙ୍କର ଚିକିତ୍ସା କରି ରୋଗ ପ୍ରତିରୋଧ କରାଯାଏ । କମ୍ପୋନ୍ମାଦ ଆରମ୍ଭ ହେଲେ ଆକ୍ରମଣାତ୍ମକ ଚିକିତ୍ସା କଲେ ଫଳାଫଳ ଉନ୍ନତ ହୁଏ । ଯଥେଷ୍ଟ ଆଲୋକ ଥିବା ନିଶବ୍ଦ ଇଣ୍ଟେନସିଭ କେୟାର ୟୁନିଟରେ ଚିକିତ୍ସା କରାଯାଏ । ବେଞ୍ଜୋଡାଏଜେପିନ ଦଳର ଡାଏଜେପାମ, ଲୋରାଜେପାମ, କ୍ଲୋରଡାଏଜେପୋକସାଇଡ ଓ ଅକସାଜେପାମ ଇତ୍ୟାଦି ସାଧାରଣତଃ ଦିଆଯାଏ । [4] ରୋଗୀ ସାମାନ୍ୟ ଶୋଇବା ପର୍ଯ୍ୟନ୍ତ ଔଷଧ ଦିଆଯାଏ । ଆଣ୍ଟିସାଇକୋଟିକ ହାଲୋପେରିଡଲ ମଧ୍ୟ ଦିଆଯାଇପାରେ । ଭିଟାମିନ ଥିଆମିନ ଦେବାକୁ ସୁପାରିସ କରାଯାଏ । [1] ଚିକିତ୍ସା ନ ପାଇଲେ ୧୫ରୁ ୪୦ % ମୃତ୍ୟୁ ହୁଏ । [7] ଅଧୁନା ୧ରୁ ୪ % ମୃତ୍ୟୁ ହେଉଛି । [1]
ଅର୍ଦ୍ଧେକ ସଂଖ୍ୟକ ମଦ୍ୟାତ୍ୟୟ ରୋଗୀଙ୍କର ମଦ ପରିମାଣ କମେଇଲେ ଉଇଥଡ୍ରୟାଲ ଲକ୍ଷଣ ଦେଖାଯାଏ । ଏମାନଙ୍କ ମଧ୍ୟରୁ ୩ରୁ ୫ % ଲୋକଙ୍କର କମ୍ପୋନ୍ମାଦ ବା ବାତ ହୁଏ । [1] ସନ ୧୮୧୩ରେ ପ୍ରଥମେ ଡେଲିରିଅମ ଟ୍ରେମେନସ ନାମ ଦିଆଯାଇଥିଲେ ମଧ୍ୟ ଏହାର ଲକ୍ଷଣ ୧୭୦୦ ମସିହାରୁ ଲିପିବଦ୍ଧ ଅଛି । [4] ଏହାକୁ ସେକିଙ୍ଗ ଫ୍ରେଞ୍ଜି ବା ସଣ୍ଡରସ-ସଟନ ସିଣ୍ଡ୍ରୋମ ମଧ୍ୟ କୁହାଯାଏ । [7] ଇଂରାଜୀ ଭାଷାରେ ଏହାର ଅନ୍ୟ ଡାକ ନାମ: ବ୍ୟାରେଲ ଫିଭର, ବ୍ଲୁ ହରର, ବଟଲଏକ୍, ବ୍ୟାଟସ, ଡ୍ରଙ୍କନ ହରର, ଏଲିଫ୍ୟାଣ୍ଟସ, ଗ୍ୟାଲନ ଡିସଟେମ୍ପର, କ୍ୱାଟ ମାନିଆ, ପିଙ୍କ ସ୍ପାଇଡର । [8]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.