From Wikipedia, the free encyclopedia
ଅଗ୍ନାଶୟ କର୍କଟ (ଇଂରାଜୀରେ Pancreatic cancer) ପାକସ୍ଥଳୀ ପୃଷ୍ଠଭାଗରେ ଥିବା ଏକ ଗ୍ରନ୍ଥିମୟ ଅଗ୍ନାଶୟର ଜୀବକୋଷମାନଙ୍କର ଅନିୟନ୍ତ୍ରିତ ଅଭିବୃଦ୍ଧି ହୋଇ ସୃଷ୍ଟି ହୁଏ । ଏହି କର୍କଟ ଜୀବକୋଷଗୁଡ଼ିକର ଅନ୍ୟ ଅଙ୍ଗକୁ ବ୍ୟାପିବାର କ୍ଷମତା ଥାଏ ।[1] ଏହ ଅନେକ ପ୍ରକାର ହୋଇ ବାହାରେ । ଅତି ସାଧାରଣଭାବେ ୮୫% ଆଡେନୋକାର୍ସିନୋମା ଦେଖାଯାଏ । ହଜମକାରୀ ଏନ୍ଜାଇମ ପ୍ରସ୍ତୁତକାରୀ ଅଂଶରୁ ଏହି ଆଡେନୋକାର୍ସିନୋମା ସୃଷ୍ଟି ହୁଏ । ସମୁଦାୟ ଅଗ୍ନାଶୟ କର୍କଟ ସଂଖ୍ୟାର ୧ରୁ ୨ % ନିଉରୋଏଣ୍ଡୋକାର୍ସିନୋମା ଥାଏ ଯାହା ହରମୋନ ତିଆରି କରୁଥିବା ନିଉରୋଏଣ୍ଡୋକ୍ରାଇନ ଜୀବକୋଷରୁ ବାହାରେ । ଏହା ଅଳ୍ପ ଆକ୍ରମଣକାରୀ ଅଟେ । ଏହି ରୋଗରେ କାମଳ ବା ଜଣ୍ଡିସ(ହଳଦିଆ ଚମ), ପେଟ ଯନ୍ତ୍ରଣା, କଟି ଯନ୍ତ୍ରଣା ଓ ଅଣସ୍ପଷ୍ଟିକୃତ ଓଜନ ହ୍ରାସ, ଫିକା ଝାଡ଼ା, ଗାଢ଼ ପରିସ୍ରା ଓ କ୍ଷୁଧାହୀନତା ହୁଏ । ଆରମ୍ଭ ଅବସ୍ଥାରେ କୌଣସି ଲକ୍ଷଣ ନ ଥାଏ, ଏହି କର୍କଟ ଅତି ଆଗେଇ ନ ଯିବା ପର୍ଯ୍ୟନ୍ତ ଅଗ୍ନାଶୟ କର୍କଟ ବୋଲି ନିଧାର୍ଯ୍ୟ ଭାବେ କହିହେବନାହିଁ ।[2] ଏହାର ରୋଗ ନିର୍ଣ୍ଣୟ ହେବା ବେଳକୁ ଅନ୍ୟ ଅଙ୍ଗମାନଙ୍କୁ ବ୍ୟାପିଯାଇଥାଏ ।[3][4]
ଚାଳିଶ ବର୍ଷ ବୟସ ପୂର୍ବରୁ ଏହି ରୋଗ କ୍ୱଚିତ ଦେଖାଯାଏ, ଓ ୭୦ ବର୍ଷ ପରେ ଅଧାରୁ ଅଧିକ ଅଗ୍ନାଶୟ ଆଡେନୋକାର୍ସିନୋମା ଦେଖାଯାଏ । [5] ଧୁମ୍ରପାନ, ମୋଟାପଣ, ଡାଏବେଟିସ ଓ କେତେକ ବିରଳ ଜେନେଟିକ ଅବସ୍ଥା ଏହି ରୋଗ ସଙ୍କଟ ଆଣିଥାଏ ।[5] ପ୍ରାୟ ୨୫ % ରୋଗର ଧୁମ୍ରପାନ ସହ ଯୋଗସୁତ୍ର ଥାଏ,[6] ଓ ୫ରୁ ୧୦ % ଜୀନସହ ଯୋଗସୁତ୍ର ଥାଏ । [5] ସି.ଟି.ସ୍କାନ, ଅଲ୍ଟ୍ରାସାଉଣ୍ଡ, ରକ୍ତ ପରୀକ୍ଷା ଓ ତନ୍ତୁ ପରୀକ୍ଷା କରି ଏହି ରୋଗ ନିର୍ଣ୍ଣୟ କରାଯାଏ । [2] ଏହି କର୍କଟ ରୋଗକୁ ପ୍ରଥମରୁ ଆରମ୍ଭ କରି ଚତୁର୍ଥ ସୋପାନ ଯାଏ ୪ଟ ସୋପାନରେ ବିଭକ୍ତ କରାଯାଏ । [3] ସାଧାରଣ ଜନତାଙ୍କର ସ୍କ୍ରିନିଙ୍ଗ କରି ବିଶେଷ ଫଳ ମିଳେନାହିଁ ।[7]
ଅଗ୍ନାଶୟ କର୍କଟ ରୋଗର ପ୍ରତିଷେଧ ନିମନ୍ତେ ଏକ ସ୍ୱାସ୍ଥ୍ୟପ୍ରଦ ଓଜନ ରଖିବା ଓ ଲାଲ ତଥା ପ୍ରକ୍ରିୟାସମ୍ପର୍ଣ୍ଣ ମାଂସ ନ ଖାଇବା ନିମନ୍ତେ ସୁପାରିଶ କରାଯାଏ । [8] ଧୁମ୍ରପାୟୀମାନଙ୍କର ଏହି ରୋଗ ଆଶା କମିଯାଏ ଯଦି ୨୦ ବର୍ଷ ପରେ ବି ଧୁମ୍ରପାନ ତ୍ୟାଗ କରନ୍ତି ।[4] ଏହି ରୋଗକୁ ଅପରେଶନ, ରାଡିଏସନ, କେମୋଥେରାପି, ପାଲିଏଟିଭ୍ ଥେରାପି ଓ ଏମାନଙ୍କର ସମ୍ମିଳିତ ଥେରାପି ସାହାଯ୍ୟରେ ଚିକିତ୍ସା କରାଯାଏ । କର୍କଟ ସୋପାନ ଉପରେ ଏହାର ଚିକିତ୍ସା ନିର୍ଭର କରେ । ଅପରେସନ ହେଉଛି ଏକମାତ୍ର ଉପାୟ ଯାହା ସାହାଯ୍ୟରେ ରୋଗମୁକ୍ତ କରିହେବ ବା ଉନ୍ନତ ଜୀବନଯାତ୍ରା ନିର୍ବାହ କରିହେବ । [2] ଅନେକ ସମୟରେ ଯନ୍ତ୍ରଣା ନିବାରଣ ଓ ହଜମକାରୀ ଔଷଧ ଆବଶ୍ୟକ ହୁଏ ।[3] ଆରୋଗ୍ୟ ଚିକିତ୍ସା ସହ ପ୍ରାକ୍-ପାଲିଏଟିଭ ଚିକିତ୍ସା ଆରମ୍ଭ କରିବାକୁ ସୁପାରିଶ କରାଯାଏ । [9][10]
କର୍କଟ ମୃତ୍ୟୁ କାରଣମାନଙ୍କ ମଧ୍ୟରେ ୨୦୧୨ ମସିହାରେ ଅଗ୍ନାଶୟ କର୍କଟ ସପ୍ତମ ସ୍ଥାନ ଅଧିକାର କରିଥିଲା, ଓ ପୃଥିବୀରେ ୩୩୦,୦୦୦ ମୃତ୍ୟୁ ହୋଇଥିଲା । [4] ଆମେରିକାରେ ଏହା କର୍କଟ ମୃତ୍ୟୁର ଚତୁର୍ଥ ସ୍ଥାନ ଅଧିକାର କରିଛି ।[11][12] ଅଧିକାଂଶ ସମୟରେ ଏହି ରୋଗ ବିକଶିତ ଦେଶମାନଙ୍କରେ ହୁଏ ଓ ୨୦୧୨ ମସିହାରେ ଏହି ସ୍ଥାନମାନଙ୍କରେ ୭୦ % ନୂଆ କେସ ଦେଖାଯାଇଥିଲା । [4] ଆଡେନୋକାର୍ସିନୋମାର ଫଳାଫଳ ଅତି ନିରୁତ୍ସାହ ଜନକ; ରୋଗ ନିର୍ଣ୍ଣୟ ପରେ ୨୫% ଏକ ବର୍ଷ ବଞ୍ଚନ୍ତି ଓ କେବଳ ୫ % ପାଞ୍ଚ ବର୍ଷ ବଞ୍ଚନ୍ତି ।[4][13] ଶୀଘ୍ର ନିର୍ଣ୍ଣିତ ହୋଇଥିବା ରୋଗ ପାଞ୍ଚ ବର୍ଷ ବଞ୍ଚିବା ହାର ୨୦ %କୁ ବଢ଼ିଛି । [14] ଅନ୍ୟ ପକ୍ଷରେ ନିଉରୋଏଣ୍ଡୋକ୍ରାଇନ କର୍କଟ ରୋଗୀଙ୍କ କ୍ଷେତ୍ରରେ ଫଳାଫଳ ଉତ୍ସାହ ଜନକ; ପାଞ୍ଚ ବର୍ଷ ବଞ୍ଚିବା ହାର ୬୫ % । [4]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.