କେତେକ ରୋଗ, ବିକଳାଙ୍ଗତା ଓ ସ୍ଵାସ୍ଥ୍ୟ ସମସ୍ୟା ଯାହା ଧନୀ ଲୋକଙ୍କଠାରେ ନ ହୋଇ କେବଳ ଗରୀବ ଲୋକଙ୍କଠାରେ ଦେଖାଯାଏ From Wikipedia, the free encyclopedia
ଦାରିଦ୍ର୍ୟ ରୋଗ (ଇଂରାଜୀ ଭାଷାରେ Diseases of poverty) କହିଲେ କେତେକ ରୋଗ, ବିକଳାଙ୍ଗତା ଓ ସ୍ୱାସ୍ଥ୍ୟ ସମସ୍ୟାମାନଙ୍କୁ ବୁଝାଏ, ଯାହା ଧନୀ ଲୋକଙ୍କଠାରେ ନ ହୋଇ କେବଳ ଗରୀବ ଲୋକଙ୍କଠାରେ ଦେଖାଯାଏ ଓ ସେଗୁଡିକର ସମଷ୍ଟିକୁ ଦାରିଦ୍ର୍ୟ ରୋଗ କୁହାଯାଏ । ଅନେକ କ୍ଷେତ୍ରରେ ଦାରିଦ୍ର୍ୟକୁ ଅନ୍ୟାନ୍ୟ ରୋଗମାନଙ୍କର ସଙ୍କଟଦାୟକ ଅବସ୍ଥା ବୋଲି ଧରାଯାଏ, ଯାହା ଅର୍ଥନୈତିକ ବିକାଶ ତଥା ଦାରିଦ୍ର୍ୟ ଦୂରୀକରଣର ପ୍ରଧାନ ବାଧା ସୃଷ୍ଟିକାରୀ ରୂପେ ବିବେଚନା କରଯାଏ । ଅପପୁଷ୍ଟିରେ ଦାରିଦ୍ର୍ୟ ସର୍ବବ୍ୟାପୀ ଥାଏ[୧] ।
କେତେକ ପରିବେଶଗତ ଓ ସାମାଜିକ କାରଣ ଯଥା ସ୍ୱଳ୍ପ ସ୍ଥାନରେ ଅନେକ ଲୋକଙ୍କର ବାସ ଓ କର୍ମ ସ୍ଥାନ, ପରିମଳ ଅଭାବ, ଯୌନ କର୍ମୀ ଓ ଗରିବ ଲୋକଙ୍କମାନଙ୍କର ସଂକ୍ରାମକ ରୋଗ ସମ୍ଭାବନା ଅଧିକ ରହେ । ଅପପୁଷ୍ଟି, ମାନସିକ ଚାପ, ଅତ୍ୟଧିକ ଖଟଣି ସହ ସ୍ୱାସ୍ଥ୍ୟଗତ ସାମାନ୍ୟ ତଥା ସମ୍ପୁର୍ଣ୍ଣ ଅଭାବ ଯୋଗୁ ରୋଗରୁ ଆରୋଗ୍ୟ ଲାଭ ତଥା ରୋଗ ବୃଦ୍ଧି ପ୍ରଧାନ ସମସ୍ୟା ହେଉଛି[୨] । ଅପପୁଷ୍ଟି ଯୋଗୁ ୫୪% ଶିଶୁ ମୃତ୍ୟୁ ହେଉଛି । ଶିଶୁ ଜନ୍ମ ବେଳେ ଉପଯୁକ୍ତ ଧାତ୍ରୀ ତଥା ଯତ୍ନର ଅଭାବ ଯୋଗୁ ଉଚ୍ଚ ଶିଶୁ ଓ ମାତା ମୃତ୍ୟୁ ହାର ବଢୁଛି [୩] ।
ପ୍ରତ୍ୟେକ ବର୍ଷ ପରିସ୍କାର ପାନୀୟ ଜଳ ଉପଲବ୍ଧ ନ ହେବା ଏବଂ ଦୁର୍ବଳ ଶୌଚ ବ୍ୟବସ୍ଥା ଯୋଗୁ ଅନେକ ଶିଶୁ ଓ ବୟପ୍ରାପ୍ତ ଲୋକ ମୃତ୍ୟୁ ବରଣ କରନ୍ତି । କେବଳ ପାନୀୟ ଜଳ ଯୋଗୁ ଅନେକ ରୋଗ ବ୍ୟାପେ । ଏଥି ନିମନ୍ତେ ମିଲେନି ୟୁନିସେଫ ହିସାବ ଅନୁସାରେ ପୃଥିବୀରେ ଦୈନିକ ୩୦୦୦ ଶିଶୁ ମରୁଛନ୍ତି[୪] । ମିଲେନିୟମ ଡେଭଲପମେଣ୍ଟ ଗୋଲଦ୍ୱାରା ଅର୍ଦ୍ଧାଧିକ ସ୍ଥାନରେ ପାନୀୟ ଜଳ ଯୋଗାଣ ସମ୍ଭବ ହୋଇଥିଲେ ମଧ୍ୟ ଅଦ୍ୟାପି ୭୮୩ ନିୟୁତ ଲୋକ ପାନୀୟ ଜଳ ପାଇ ପାରୁ ନାହାନ୍ତି । ପାନୀୟ ଜଳ ଏକ ମୌଳିକ ମାନବ ଅଧିକାର । ସରକାରଙ୍କର ଉନ୍ନତ ଜଳ ଯୋଗାଣ ଏକ କର୍ତ୍ତବ୍ୟ[୫] । ମହିଳା ଓ କନ୍ୟାମାନେ ଦୂରବର୍ତ୍ତୀ ଇଲାକାକୁ ଯାଇ ଜଳ ବୋହି ଆଣୁ ଥିବାରୁ ସେମାନଙ୍କର ଶିକ୍ଷା କ୍ଷତିଗ୍ରସ୍ତ ହୁଏ [୬] । ରନ୍ଧନ, ପରିଛନ୍ନତା ଓ ଲୁଗା ସଫା ନିମନ୍ତେ ପରିସ୍କାର ଜଳ ଅପରିହାର୍ଯ୍ୟ [୭]।
ମ୍ୟାଲେରିଆ, ବିଭିନ୍ନ ପରଜୀବି ରୋଗ ଓ ସିସ୍ଟୋସୋମିଆ ଭଳି ଦାରିଦ୍ର୍ୟ ରୋଗ ଅପମିଶ୍ରିତ ଜଳ ଓ ନିଅଣ୍ଟିଆ ସ୍ୱାସ୍ଥ୍ୟରକ୍ଷା ବ୍ୟବସ୍ଥା ଯୋଗୁ ବ୍ୟାପେ[୮] ଏହି ସଂକ୍ରମଣ ଯୋଗୁ ଏଚ୍.ଆଇ.ଭି. ବୃଦ୍ଧି ପ୍ରାପ୍ତ ହୁଏ । ଅଧିକାଂଶ ପାଇପ୍ ଜଳ ଭୂମି ଉପରେ ଥିବା ଜଳ ସହ ମିଶି ଅସ୍ୱାସ୍ଥ୍ୟକର ହୁଏ । ଏଣୁ ଘର ଭିତରେ ଜଳ ଉତ୍ସ ସୃଷ୍ଟି କରିବା ଆବଶ୍ୟକ[୯]
ଆଫ୍ରିକାର ସାହାରା ଅଞ୍ଚଳରେ ୫ବର୍ଷ ବୟସ ତଳେ ଥିବା ୩୫%ରୁ ଉର୍ଦ୍ଧ୍ୱ ପିଲାମାନଙ୍କ ଦେହରେ ଅପପୁଷ୍ଟି ଲକ୍ଷଣ ଦୃଷ୍ଟି ଗୋଚର ହୁଏ[୧୦] । ଅପପୁଷ୍ଟି, ଇମ୍ମ୍ୟୁନ ସିସ୍ଟମ ଓ ସଂକ୍ରାମକ ରୋଗ ଚକ୍ରାକାରରେ କାମ କରନ୍ତି, ସଂକ୍ରାମକ ରୋଗ ଶରୀର ପୁଷ୍ଟି ଉପରେ ପ୍ରଭାବ ପକାନ୍ତି, ଯାହା ଇମ୍ମ୍ୟୁନ ସିସ୍ଟମକୁ ଦୂର୍ବଳ କରିଦିଏ । ଏଣୁ ସଂକ୍ରାମକ ରୋଗ ସୃଷ୍ଟି ହୁଏ । ମାକ୍ରୋ ଓ ମାଇକ୍ରୋ ପୋଷକ, ଉଭୟର ଅଭାବରେ ଇମ୍ମ୍ୟୁନିଟି ଦୂର୍ବଳ ହୋଇଯାଏ । ଏହାଦ୍ୱାରା ଏଚ୍.ଆଇ.ଭି. ସଂକ୍ରମଣ ସଂକଟ ଅଧିକ ହୁଏ ଓ ମାଠାରୁ ଶିଶୁକୁ ଓ ଯୌନ ସମ୍ଭୋଗଦ୍ୱାରା ଏଚ୍.ଆଇ.ଭି ସଂକ୍ରମିତ ହୁଏ[୧୧] । ଆନିମିଆ ରୋଗ ହେଲେ ଜନ୍ମ ପଥରେ ଭାଇରସ୍ ଜାତ ହୁଅନ୍ତି ଓ ଶିଶୁ ଦେହକୁ ଚାଲି ଯାଆନ୍ତି[୧୨] । ଉପଯୁକ୍ତ ପୋଷକ ଅଭାବ ହେଲେ ଶରୀରରେ ରୋଗ ନିରୋଧ ଶକ୍ତି ଅଭାବ ହୁଏ । ଏଚ୍.ଆଇ.ଭି. ଯୋଗୁ କେତେକ ହର୍ମୋନ୍ ସୃଷ୍ଟି ହେବାରେ ବାଧା ପ୍ରାପ୍ତ ହୁଏ ଓ ସେଥି ଯୋଗୁ ଶ୍ୱେତ ସାର, ପୁଷ୍ଟି ସାର ଓ ଚର୍ବି ଜାତୀୟ ସାରମାନଙ୍କର ବିପାକ ବା ମେଟାବୋଲିଜ୍ମ (Metabolism) ବାଧା ପ୍ରାପ୍ତ ହୁଏ ।
ଆମେରିକା ଭଳି ଦେଶରେ ମଧ୍ୟ ୧୧.୧ % ଲୋକ ଖାଦ୍ୟ ସଂକଟରେ ଅଛନ୍ତି[୧୩] । ଲାଟିନ ଆମେରିକା ଓ କ୍ୟାରିବିଆନ୍ ଦେଶମାନଙ୍କରେ ୧୦% ଲୋକଙ୍କର ଖାଦ୍ୟାଭାବ ଓ ଅପପୁଷ୍ଟି ଅଛି[୧୪] ।
ସାମାଜିକ ସ୍ଥିତି ସହ ଅସମତୁଲ ସ୍ୱାସ୍ଥ୍ୟର ସମ୍ପର୍କ ଅଛି[୧୫] l ଦୁର୍ବଳ ସ୍ୱାସ୍ଥ୍ୟ ଦାରିଦ୍ର୍ୟ ସହ ଓ ସରିଦ୍ରର ଦୁର୍ବଳ ସ୍ୱାସ୍ଥ୍ୟ ସହ ସମ୍ପର୍କ ଥାଏ l ଉତ୍ତମ ସ୍ୱାସ୍ଥ୍ୟର ଶିକ୍ଷା ଓ ତଥ୍ୟ ଜ୍ଞାନ ଯୋଡି ହୋଇ ଥାଆନ୍ତି l ଦାରିଦ୍ୟ ସହ ସ୍ୱଳ୍ପ ଆୟ, ସ୍ୱଳ୍ପ ଶିକ୍ଷା, ସାମାଜିକ ବହିସ୍କାର ଓ ପରିବେଶହୀନତା ସଂଲଗ୍ନ ଥାଏ[୧୬] l ଅଧିକାଂଶ ଦେଶରେ ସାରିଦ୍ର୍ୟ ଖରାପ ସ୍ୱାସ୍ଥ୍ୟ ସହ ଓ ଖରାପ ସ୍ୱାସ୍ଥ୍ୟ ଦାରିଦ୍ର୍ଯ ସହ ଅନୁବନ୍ଧିତ ଥାଏ[୧୭] l
ସାମାଜିକ ଓ ଅର୍ଥନୈତିକ ସ୍ଥିତି ତିନୋଟି ଅବସ୍ଥାକୁ ପ୍ରଭାବିତ କରେ, ସାଧାରଣ ସ୍ୱାସ୍ଥ୍ୟ ସେବା, ପରିବେଶ ଓ ସ୍ୱାସ୍ଥ୍ୟ ବ୍ୟବହାର l ଆମେରିକାରେ ଦେଖା ଯାଇଛି ସବୁଠାରୁ କଦର୍ଯ୍ୟ ସ୍ୱାସ୍ଥ୍ୟ ଥିବା ଜାଗାର ପରିବାରର ଆମଦାନୀ କମ ଓ ଶିକ୍ଷା ଅଳ୍ପ l ସାମାଜିକ ଓ ଅର୍ଥନୈତିକ ସ୍ଥିତି ଉନ୍ନତ ହେଲେ ସ୍ୱାସ୍ଥ୍ୟର ଉନ୍ନତି ପରିଲକ୍ଷି ତ ହୁଏ[୧୮] l ଆଫ୍ରିକା ଓ ଅନ୍ୟ ସ୍ଥାନରେ ମଧ୍ୟ ଶିକ୍ଷା ଓ ଆମଦାନୀ ଉନ୍ନତି ସହ ସ୍ୱାସ୍ଥ୍ୟର ଉନ୍ନତି ଦେଖାୟାଏ l ଆମେରିକାରେ ବିଭିନ୍ନ ଜାତିରେ ମଧ୍ୟ ସ୍ୱାସ୍ଥ୍ୟ ଓ ପରମାୟୁ ବଢିବା ଦେଖାୟାଏ l
ଦାରିଦ୍ର୍ୟ ଓ ରୋଗ ଉଭୟ ପରଷ୍ପର ଅଙ୍ଗାଙ୍ଗୀ ଭାବେ ଜଡ଼ିତ, ପ୍ରତ୍ୟେକ ଅପରକୁ ସାହାଯ୍ୟ କରେ । ଅନେକ ରୋଗ ଗରିବମାନଙ୍କୁ ଆକ୍ରମଣ କରେ ଓ ଆହୁରି ଗରିବ କରିବାରେ ସାହଯ୍ୟ କରେ । ଦାରିଦ୍ର୍ୟ ସମ୍ପର୍କୀୟ ରୋଗ ଗୁଡିକୁ ଦାରିଦ୍ର୍ୟ ଅଣଦେଖା କରିପାରେ ନାହିଁ । ଔଷଧ ଓ ଚିକିତ୍ସା ସୁବିଧା ଥିବା ସତ୍ତ୍ୱେ ଗରିବ ଦେଶମାନଙ୍କରେ ଅନେକ ରୋଗ ଓ ତତ୍ଜନିତ ମୃତ୍ୟୁ ଗରିବୀ ହେତୁ ଦୂର କରାଯାଇ ପାରେ ନାହିଁ । ଦାରିଦ୍ର୍ୟ ଏକ ମାତ୍ର ଅବସ୍ଥା ଯାହା ଯୋଗୁ ଅନେକ ରୋଗ ଲାଗି ରହେ । ଦାରିଦ୍ର୍ୟ ଯୋଗୁ ଅନୁନ୍ନତ ସ୍ୱାସ୍ଥ୍ୟରକ୍ଷା, ସ୍ୱାସ୍ଥ୍ୟ ବିଷୟକ ଅଜ୍ଞତା, ପାନୀୟ ଜଳ ଅଭାବ, ପୋଷକ ଖାଦ୍ୟର ଅଭାବ ଓ ପ୍ରଦୂଷଣ ଇତ୍ୟାଦି ବୃଦ୍ଧି ପ୍ରାପ୍ତ ହୁଏ ।
ଗରିବ ଦେଶମାନଙ୍କରେ ହେଉଥିବା ରୋଗମାନଙ୍କ ମଧ୍ୟରେ ୧୮ % ରୋଗ ଯକ୍ଷ୍ମା, ଏଡସ୍, ଓ ମ୍ୟାଲେରିଆ ଯୋଗୁ ହୁଏ । ଚିକିତ୍ସାସାଧ୍ୟ ଉଚ୍ଚ ମୃତ୍ୟହାର ମଧ୍ୟରେ ଶିଶୁ ରୋଗ ୨.୫ % ସ୍ଥାନ ଅଧିକାର କରେ ।
ବିକାଶଶୀଳ ଦେଶମାନଙ୍କରେ ଦୈନିକ ପ୍ରାୟ ୧୧୬୦୦ ମୃତ୍ୟୁ ବରଣ କରୁଥିବା ବ୍ୟକ୍ତିଙ୍କ ମଧ୍ୟରୁ ୯୮ % ମୃତ୍ୟୁ କେବଳ ମାତୃ ଓ ଶିଶୁ ରୋଗ ଯୋଗୁ ସମ୍ଭବ ହୁଏ ।
ପ୍ରତି ବର୍ଷ ଦାରିଦ୍ର୍ୟ ରୋଗଦ୍ୱାରା ୧୪ ନିୟୁତ ଲୋକ ମୃତ୍ୟୁ ବରଣ କରନ୍ତି । ଦରିଦ୍ର ରାଷ୍ଟ୍ରମାନଙ୍କରେ ୧.୮ ନିୟୁତ ଶିଶୁ ମୃତ୍ୟୁ ଗ୍ୟାସ୍ଟ୍ରୋଏଣ୍ଟେରାଇଟିସ ଓ ତରଳ ଝାଡା ରୋଗଦ୍ୱାରା ହୁଏ[୧୯] ।
ଦାରିଦ୍ର୍ୟ ସମ୍ପର୍କୀୟ ରୋଗ ମଧ୍ୟରେ ଏଡ୍ସ୍, ମ୍ୟାଲେରିଆ ଓ ଯକ୍ଷ୍ମା ଗଣାଯାଏ[୨୦] । ୯୫ % ଏଡ୍ସ୍[୨୧] ଓ ୯୮ % ଯକ୍ଷ୍ମା [୨୨]ରୋଗ ବିକାଶଶୀଳ ଦେଶମାନଙ୍କରେ ଦେଖାଯାଏ । ମ୍ୟାଲେରିଆ ଜନିତ ମୃତ୍ୟୁ ମଧ୍ୟରୁ ୯୦ % ସବ-ସାହାରା ଇଲାକାରେ ଦେଖାଯାଏ[୨୩] । ପୃଥିବୀରେ ଯେତେ ମୃତ୍ୟୁ ହୁଏ ତାହାର ୧୦ % ଏହି ତିନି ରୋଗଦ୍ୱାରା ହୁଏ ।
ମିଳିମିଳା, ହୁପିଙ୍ଗ କାଶ ଓ ପୋଲିଓ ନିମନ୍ତେ ଟିକା ଉପଲବ୍ଧ ଥିଲେ ମଧ୍ୟ ଗରିବ ଦେଶମାନଙ୍କରେ ଏହି ରୋଗ ବହୁଳ ଭାବରେ ଦେଖାଯାଏ ।
ଦାରିଦ୍ର୍ୟ ସହ ନିମୋନିଆ ମଧ୍ୟ ଜଡ଼ିତ ।[୨୪]
କେତେଗୁଡିଏ ଅବହେଳିତ ରୋଗ ସମୂହର ନାମ:
ଏହି ରୋଗମାନଙ୍କ ଚିକିତ୍ସା ନିମନ୍ତେ ୨୫ ବର୍ଷ ମଧ୍ୟରେ(୧୯୭୫ରୁ ୧୯୯୯) କେବଳ ୧୩ଟି ଔଷଧ ଏହି ରୋଗମାନଙ୍କ ନିମନ୍ତେ ଆବିଷ୍କୃତ ହୋଇଥିଲା । ୨୦ଟି ଗବେଷଣା ରତ ଔଷଧ କମ୍ପାନୀ ମଧ୍ୟରୁ କେବଳ ୨ଟି କମ୍ପାନୀ ଏହି ଦିଗରେ ଗବେଷଣା କରୁଥିଲେ ।
ପୃଥିବୀରେ ପ୍ରାୟ ୨୦୦ ନିୟୁତ ଲୋକ ଟ୍ରାଇକୋମୋନିଆସିସ୍ ରୋଗରେ ଆକ୍ରାନ୍ତ ହେଉଛନ୍ତି । ମୂଖ୍ୟତଃ ଏହା ଯୁବକ, ଗରିବ ଓ ଆଫ୍ରିକା-ଆମେରିକା ମହିଳାମାନଙ୍କୁ ଆକ୍ରମଣ କରୁଛି । ସବ-ସାହାରା ଓ ଗରିବ ଏସିଆ ଦେଶମାନଙ୍କରେ ଦେଖା ଯାଉଛି । ଏହା ଯୋଗୁ ଏଚ୍.ଆଇ.ଭି ସଂକ୍ରମଣ ଓ ସମୟ ପୂର୍ବ ପ୍ରସବ ସଙ୍କଟ ଇତ୍ୟାଦି ସୃଷ୍ଟି ହୁଏ[୨୫] ।
ଚିକିତ୍ସା ଶାସ୍ତ୍ରର ଉନ୍ନତି ଯୋଗୁ ୩ଟି ରୋଗକୁ ଆପାତତଃ ଅବହେଳିତ ରୋଗ ହିସାବରେ ଧରାଯାଉଛି ।
ପୃଥିବୀରେ ଦେଖାଯାଉଥିବା ୩୦୦ରୁ ୫୦୦ ମ୍ୟାଲେରିଆ ରୋଗୀଙ୍କ ମଧ୍ୟରୁ ଅଧିକାଂଶ (୮୦ %) ଆଫ୍ରିକାରେ ଦେଖା ଯାଆନ୍ତି[୨୬] । ପାଞ୍ଚ ବର୍ଷରୁ କମ୍ ବୟସ ପିଲାମାନଙ୍କ ମଧ୍ୟରୁ ୧ ନିୟୁତ ପିଲା ମୃତ୍ୟ ବରଣ କରନ୍ତି[୨୭] । ଗ୍ରାମୀଣ ଇଲାକାର ଥିବା ଗରିବ ପିଲା ସହ ଅଶିକ୍ଷିତ ମାଆ ଥିଲେ ମ୍ୟାଲେରିଆ ଓ ତତ୍ଜନିତ ମୃତ୍ୟୁ ସମ୍ଭାବନା ବଢିଯାଏ[୨୮] । ସବ୍-ସାହାରା ଆଫ୍ରିକାରେ ମ୍ୟାଲେରିଆର ସିଧା ସଳଖ ଏଚ୍.ଆଇ.ଭି. ବଢିବା ସହ ସମ୍ପର୍କ ଅଛି[୨୯] । ଏହା ଯୋଗୁ ଭୁତାଣୁ ସଂଖ୍ୟ ୧୦ ଗୁଣ ବଢିଯାଏ ଓ ଯୌନ ସମ୍ପର୍କଦ୍ୱାରା ଅଣସଂକ୍ରମିତ ସାଥୀକୁ ଆକ୍ରମଣ କରେ[୩୦] । ପ୍ରଥମ ଗର୍ଭ ପରେ ମ୍ୟାଲେରିଆ ଇମ୍ମ୍ୟୁନିଟି ଏଚ୍.ଆଇ.ଭି.ଦ୍ୱାରା କମିଯାଏ, ମହିଳା ଓ ଶିଶୁମାନଙ୍କଠାରେ ଏଚ୍.ଆଇ.ଭି. ରୋଗ ଓ ମୃତ୍ୟୁ ଅଧିକ ହୁଏ[୩୧] । ଏହି ଦୁଇ ରୋଗ ପରଷ୍ପରକୁ ଅଧିକ ସଂକ୍ରମିତ କରିବାରେ ସାହାଯ୍ୟ କରନ୍ତି[୩୨] ।
ଗ୍ରୀଷ୍ମ ପ୍ରଧାନ ଦେଶମାନଙ୍କରେ ଲୋକଙ୍କ ଅନ୍ତନଳୀରେ ବହୁତ ପ୍ରକାର ପରଜୀବି ଦେଖା ଯାଆନ୍ତି । ସେମାନଙ୍କ ମଧ୍ୟରେ ହୁକ୍ ବର୍ମ୍(Hook worm), ରାଉଣ୍ଡ ବର୍ମ ବା ଜିଆ ଓ ଅନେକ ପ୍ରକାରର ଆମିବା. ସେମାନେ ମଣିଷ ଶରୀରରେ ରକ୍ତ ସ୍ରାବ ଓ ତରଳ ଝାଡା କରାଇ ପୋଷକ ହାନୀ କରନ୍ତି । ବହୁତ ଦିନ ଧରି ବର୍ମ ରହିଲେ ଇମ୍ମ୍ୟୁନ ସିସ୍ଟମକୁ ଭାରାକ୍ରାନ୍ତ କରନ୍ତି[୩୩][୩୪] । ଅନ୍ୟ ପକ୍ଷରେ କ୍ରନିକ ବର୍ମ ରୋଗ ହେଲେ ଏଚ୍.ଆଇ.ଭି. ସଂକ୍ରମଣ ଆଶଙ୍କା ବଢିଯାଏ ।
ଜେନସ୍ ସିସ୍ଟୋସୋମାର ଟ୍ରେମାଟୋଡ୍ ସ୍ପେସି ଜାତୀୟ କେତେକ ପରଜୀବିଦ୍ୱାରା ଏହି ସିସ୍ଟୋସୋମିଆସିସ୍ ରୋଗ ହୁଏ । ପୃଥିବୀରେ ଏହି ରୋଗରେ ପୀଡ଼ିତ ୨୦୦ ନିୟୁତ ଲୋକଙ୍କ ମଧ୍ୟରୁ ୮୦ % ଲୋକ ସବ୍-ସାହାରା ଅଞ୍ଚଳରେ ବାସ କରନ୍ତି [୩୫]। ଅପମିଶ୍ରିତ ସଜ ଜଳରେ ଥିବା ଶାମୁକା ଶ୍ରେଣୀ ଜୀବମାନେ ଏହି ଜୀବର ଲାର୍ଭା ତ୍ୟାଗ କରନ୍ତି । ଏହି ଲାର୍ଭା ଚମ ଫୁଟେଇ ଅନ୍ତନଳୀ ଓ ପରିସ୍ରା ନଳୀଶୈଳି ମଧ୍ୟରେ ଆସ୍ଥାନ ଜମେଇ ରହନ୍ତି । ଏହି ସ୍ଥାନ ମାନଙ୍କରେ ଲାର୍ଭା ବଡ଼ ହୋଇ ଅଣ୍ଡା ଦେବା ଦ୍ୱାର ଏହି ଅଙ୍ଗମାନ ସଂକ୍ରମିତ ହୁଅନ୍ତି । ଅନ୍ତନଳୀ, ମୁତ୍ରାଶୟ ଓ ଅନ୍ୟ ଅଙ୍ଗମାନ ନଷ୍ଟ ହେବାଦ୍ୱାରା ରୋଗୀ ରକ୍ତ ହୀନତା, ଓ ପ୍ରୋଟିନ ଏନର୍ଜି ଅଭାବର ସମ୍ମୁଖୀନ ହୁଅନ୍ତି[୩୬] । ମ୍ୟାଲେରିଆ ଓ ଏହି ରୋଗ ଏଚ୍.ଆଇ.ଭି. ବ୍ୟାପିବାରେ ପ୍ରଧାନ ଭୂମିକା ଗ୍ରହଣ କରନ୍ତି । ସିସ୍ଟୋସୋମିଆସିସ୍ ହେଉଥିବା ସ୍ଥାନ ମାନଙ୍କରେ ଏଚ୍.ଆଇ.ଭି. ଅଧିକ ହେଉଥିବା କଥା ଏପିଡେମିଓଲୋଜିକାଲ୍ ଡାଟାରୁ ପ୍ରମାଣିତ ହେଉଛି[୩୭] ।
ସଂକ୍ରାମକ ରୋଗମାନଙ୍କ ମଧ୍ୟରେ ମୃତ୍ୟୁର କାରଣ ରୁପେ ଯକ୍ଷ୍ମାର ନାମ ସର୍ବାଗ୍ରେ ଆସେ[୩୮] । ସବ୍ ସାହାରା ଆଫ୍ରିକା, ଲାଟିନ୍ ଆମେରିକା ଓ କ୍ୟାରିବିଆନ୍ ସ୍ଥାନମାନଙ୍କରେ ଏହି ରୋଗର ପ୍ରାଦୁର୍ଭାବ ଅଧିକ । କେବଳ ସବ୍ ସାହାରା ଆଫ୍ରିକାରେ ବାର୍ଷିକ ୬% ହାରରେ ଏହା ବଢୁଛି । ଦରିଦ୍ରତା, ଘନ ଜନ ବସତି, ମଦ୍ୟପାନ, ମାନସିକ ଚାପ, ଡ୍ରଗ ନିଶା ଓ ଅପପୁଷ୍ଟି ସହ ଯକ୍ଷ୍ମା ରୋଗର ଅତି ନିବିଡ ସମ୍ପର୍କ ଅଛି । ଏଚ୍.ଆଇ.ଭି. ଥିଲେ ଯକ୍ଷ୍ମା ରୋଗ ସମ୍ଭାବନା ବହୁତ ଅଧିକ ହୁଏ ।
ଏହି ରୋଗ ହ୍ୟୁମାନ ଇମ୍ମୁନୋଡେଫିସିଏନ୍ସି ଭାଇରସ ନାମକ ଏକ ଭୁତାଣୁ ଯୋଗୁ ହୁଏ[୩୯] ଓ ମାନବର ଇମ୍ମୁନ ସିସ୍ଟମକୁ ଦୂର୍ବଳ କରିଦିଏ । ଏହି ରୋଗ ସବ-ସାହାର ଆଫ୍ରିକାରେ ମୂଖ୍ୟତଃ ଯୌନ ସମ୍ଭୋଗଦ୍ୱାରା ବ୍ୟାପେ ଓ ଏହା ଛଡା ମାଆଠାରୁ ଶିଶୁକୁ ତଥା ଏଚ୍.ଆଇ.ଭି. ସଂକ୍ରମିତ ରକ୍ତ ନେଲେ ବ୍ୟାପେ[୪୦][୪୧][୪୨] । ବିକାଶଶୀଳ ଦେଶ ବିଶେଷତଃ ସବ୍-ସାହାରା ଇଲାକାରେ କୌଣସି ସ୍ୱାସ୍ଥ୍ୟ ସମସ୍ୟା ଏଚ୍.ଆଇ.ଭି. ବ୍ୟାପିବାରେ ମୂଖ୍ୟତଃ ଦାୟୀ[୪୩][୪୪][୪୫][୪୬][୪୭]
।
ସବ୍-ସାହାର ଇଲାକା ଦାରିଦ୍ର୍ୟଗ୍ରସ୍ତ ଅଟେ । ଲୋକମାନେ ଦୈନିକ ଏକ ଆମେରିକା ଡଲାର ଖର୍ଚ କରି ବଞ୍ଚନ୍ତି[୪୮] । ଏହା ଛଡା ଅପପୁଷ୍ଟି, ପରିସ୍କାର ଜଳର ଅଭାବ ଓ ସ୍ୱାସ୍ଥ୍ୟ ଜ୍ଞାନର ଅଭାବ ଯୋଗୁ ଏହି ସମସ୍ୟା ଦେଖାଯାଏ । ପରିସ୍କାର ଜଳର ଅଭାବ ଯୋଗୁ ଅନ୍ତ ନଳୀ ପରଜୀବି ଆକ୍ରମଣ କରି ଶରୀରକୁ ଦୂର୍ବଳ କରିଦିଏ ଓ ଏହାଦ୍ୱାରା ଇମ୍ମୁନ ସିସ୍ଟମ ଦୁର୍ବଳ ହୋଇ ଏଚ୍.ଆଇ.ଭି. ବ୍ୟାପିବାରେ ସାହାଯ୍ୟ କରେ । ଯୌନ ସିସ୍ଟୋସୋମିଆସିସ୍ ସି.ଡି.୪ କୋଷମାନଙ୍କୁ ଆକର୍ଷଣ କରେ ଓ ଏହା ଏଚ୍.ଆଇ.ଭି. ବ୍ୟାପିବାରେ ସାହାଯ୍ୟ କରେ । ଆମେରିକାରେ ମଧ୍ୟ ଏଚ୍.ଆଇ.ଭି. ବ୍ୟାପିବାରେ ଦାରିଦ୍ର୍ୟ ସାହାଯ୍ୟ କରେ । ଆମେରିକାରେ ବାସ କରୁଥିବା ଅଫ୍ରିକାର ଲୋକମାନଙ୍କୁ ଅଧିକ ଏଚ୍.ଆଇ.ଭି. ହୁଏ: କୌଣସି ବଂଶଗତ କାରଣ ଯୋଗୁ ଏହି ରୋଗ ହେଉଥିବା ଏହା ପ୍ରମାଣ କରେ ।
ପୃଥିବୀରେ ୩୦୦ନିୟୁତରୁ ଅଧିକ ଲୋକ ଆଜ୍ମା ରୋଗ ଭୋଗୁଛନ୍ତି । ସହରୀ କରଣ ଯୋଗୁ ଓ ସ୍ୱାସ୍ଥ୍ୟ ଯତ୍ନ ତଥା ଔଷଧ ଅଭାବ ଯୋଗୁ ଏହି ରୋଗ ବଢିବାରେ ଲାଗିଛି[୪୯] । ଆମେରିକାରେ ବାସ କରୁଥିବା ଆଫ୍ରିକୀୟ ଆମେରିକାବାସୀ ଓ ଲାଟିନୀୟ ଲୋକମାନେ ଗୋରା ଲୋକଙ୍କ ଅପେକ୍ଷା ୪ଗୁଣ ଅଧିକ ଆଜ୍ମା ରୋଗ ଭୋଗ କରନ୍ତି । ଏହି ରୋଗର ଦାରିଦ୍ର୍ୟ ତଥା ଅନୁନ୍ନତ ଜୀବନଚର୍ଯ୍ୟା ସହ ସମ୍ପର୍କ ଅଛି[୫୦]। ଗରିବ ଦେଶର ପିଲାମାନେ ଅଧିକ ମାତ୍ରାରେ ଏହି ରୋଗର ଶିକାର ହୁଅନ୍ତି । ଯେଉଁ ଘରେ ମୁଷା ଓ ଅନ୍ୟାନ୍ୟ ଜୀବ ରହନ୍ତି, ଯେଉଁ ପିଲାମାନେ ଧୁମ୍ର ପାନର ସଂସ୍ପର୍ଶରେ ଆସନ୍ତି ସେଠାରେ ଆଜ୍ମା ଅଧିକ ହୁଏ ।
ଆମେରିକାରେ ଅନ୍ୟ ୟୁରୋପୀୟ ଦେଶମାନଙ୍କ ଅପେକ୍ଷା ମୃତ୍ୟୁ ହାର ଅଧିକ ହେଉଛି[୫୧] । ଆଫ୍ରିକୀୟ ଆମେରିକାବାସୀଙ୍କ ପିଲାମାନେ ଅନ୍ୟ ଜାତିର ପିଲାମାନଙ୍କ ଅପେକ୍ଷା ଅଧିକ ମୃତ୍ୟୁ ବରଣ କରନ୍ତି[୫୨] । ଅନୁଶୀଳନରୁ ଜଣା ଯାଇଛି ସହର ମଧ୍ୟ ଭାଗରେ ବାସ କରୁଥିବା ଗରିବ ଲୋକଙ୍କର ଲିଙ୍ଗ ଓ ବରଷ ନିର୍ବିଶେଷାରେ ଆଜ୍ମାଦ୍ୱାରା ରୋଗ ଓ ମୃତ୍ୟୁ ଅଧିକ ହେଉଛି[୫୩][୫୪] । ଆଜ୍ମା ଯୋଗୁ ୧୦.୫ ନିୟୁତ ପିଲାଙ୍କର ସ୍କୁଲ ଉପସ୍ଥାନ ହୁଏ ନାହିଁ ।
ହୃତ୍ପିଣ୍ଡ ରୋଗ କେବଳ ଗରିବ ଲୋକଙ୍କ ରୋଗ ନ ହେଲେ ମଧ୍ୟ ଅନେକ ଗରିବମାନଙ୍କଠାରେ ଦେଖାଯାଏ । କରୋନାରୀ ହୃତ୍ପିଣ୍ଡ ରୋଗ, ସ୍ଟ୍ରୋକ୍ ଓ ହୃଦ୍ଘାତ ରୋଗ ଗରିବମାନଙ୍କୁ ହୁଏ[୫୫] । ଗରିବୀ ତଥା ଶିକ୍ଷା ଅଭାବ, ଖାଦ୍ୟାଭାବ, ବ୍ୟାୟାମ ଅଭାବ ଓ ବିଶାରଦ ଅଭାବ ଯୋଗୁ ଗରିବମାନଙ୍କୁ ଏହି ରୋଗ ହୁଏ ।
କଷ୍ଟସାଧ୍ୟ ପ୍ରସବ ବା ଜଟିଳ ପ୍ରସବ ହେଲାବେଳେ ଯଥେଷ୍ଟ ଚିକିତ୍ସା ସୁଯୋଗ ନ ମିଳିଲେ ଫିସ୍ଚୁଲା ସୃଷ୍ଟି ହୁଏ[୫୬] । ଗରିବ ଦେଶମାନଙ୍କରେ ଏହି ସମସ୍ୟା ଅଧିକ ଦେଖାଯାଉଥିବାରୁ ଏହାକୁ ଦାରିଦ୍ର୍ୟ ରୋଗ ହିସାବରେ ନିଆଯାଇଛି[୫୭] ।
ଦାନ୍ତର ଏନାମେଲ ଧୀରେ ଧୀରେ କ୍ଷୟ ହେବାକୁ ଦନ୍ତ କ୍ଷୟ ବା କ୍ୟାରିଜ କହନ୍ତି[୫୮] । ଦାରିଦ୍ର୍ୟ ଅବସ୍ଥାର ଅନୁପଯୁକ୍ତ ପାଟି ଯତ୍ନ ତଥା ଦନ୍ତ କ୍ଷୟ ସହ ନିବିଡ଼ ସମ୍ପର୍କ ଅଛି । ସାରା ପୃଥିବୀରେ ଏହା ଗୋଟିଏ ସାଧାରଣ ରୋଗ । ପେରୁ ଦେଶରେ ଦାରିଦ୍ର୍ୟ ଭୋଗୁଥିବା ଶିଶୁମାନଙ୍କଠାରେ ଦନ୍ତ କ୍ଷୟ ରୋଗ ଅଧିକ ହେବା ଦେଖାଯାଇଛି[୫୯] ।
ଦାରିଦ୍ର୍ୟ ରୋଗ ସହ ଦାରିଦ୍ର୍ୟ ଓ ଦୂର୍ବଳ ସ୍ୱାସ୍ଥ୍ୟ ଅବସ୍ଥାର କ୍ରିୟାଶୀଳ(Dynamic) ସମ୍ପର୍କ ଅଛି । ଗରିବ ଅବସ୍ଥାରେ ଦାରିଦ୍ର୍ୟ ରୋଗ ହୁଏ ଓ ଦାରିଦ୍ର୍ୟ ରୋଗ ହେଲେ ଦାରିଦ୍ର୍ୟ ଆହୁରି ବଢିଯାଇ ଜାତୀୟ ସମ୍ପତ୍ତି ତଥା ଧନ ଉତ୍ପତ୍ତି ସ୍ଥଳ କମିଯାଏ । ଉଦାହରଣ ସ୍ୱରୁପ ମ୍ୟାଲେରିଆ ଯୋଗୁ ବିକାଶଶୀଳ ଦେଶମାନଙ୍କରେ ଜି.ଡି.ପି. ବୃଦ୍ଧି ୧.୩% କମିଯାଏ ଏବଂ ସବ-ସାହାରା ଆଫ୍ରିକାରେ ନିୟୁତ ନିୟୁତ ଲୋକ ମରିବାଦ୍ୱାରା ସମୁଦାୟ ସାମାଜିକ ଢାଞ୍ଚା, ଅର୍ଥନୀତି ଓ ରାଜନୈତିକ ସ୍ଥିତାବସ୍ଥା ବଦଳି ଯାଏ[୬୦][୬୧] ।
ମହିଳା ଓ ଶିଶୁମାନଙ୍କୁ ସିସ୍ଟୋସୋମିଆସିସ୍ ଅଧିକ ହୁଏ ଯାହା ଫଳରେ ସେମାନଙ୍କର ଏଚ୍.ଆଇ.ଭି. ସଙ୍କଟ ଅଧିକ ହୁଏ । ମହିଳା ଓ ଶିଶୁମାନେ ଘର ପାଖରେ ଥିବା ଅପମିଶ୍ରିତ ଜଳରେ ଗାଧୋଇବା, ଲୁଗା ଧୋଇବା, ପହଁରିବା ଓ ଘରୋଇ ବ୍ୟବହାର କରୁଥିବାରୁ ସେମାନଙ୍କର ସିସ୍ଟୋସୋମିଆସିସ୍ ସଙ୍କଟ ଅଧିକ ରହେ । ସିସ୍ଟୋସୋମିଆସିସ ଥିବା ମହିଳାମାନେ ତିନି ଗୁଣ ଅଧିକ ଏଚ୍.ଆଇ.ଭି. ସଂକ୍ରମିତ ହୁଅନ୍ତି[୬୨]।
ମହିଳାମାନେ ସଂକ୍ରମିତ ଉପକରଣ ଓ ଛୁଞ୍ଚି ସଂସ୍ପର୍ଶରେ ଅଧିକ ଆସନ୍ତି । ଗର୍ଭାବସ୍ଥା ଓ ଅନ୍ୟ ସ୍ୱାସ୍ଥ୍ୟ ସମସ୍ୟା ସମୟରେ ଅଣ-ବିଶୋଧିତ ଛୁଞ୍ଚିରେ ଇଞ୍ଜେକସନ ନିଅନ୍ତି । ପରିସଂଖ୍ୟାନ ଅନୁଯାୟୀ ଛୁଞ୍ଚି ଯୋଗୁ ୫ରୁ ୧୦% ଏଚ୍.ଆଇ.ଭି. ହେଉଥିବା ଜଣା ପଡ଼ିଲେ ମଧ୍ୟ ତାହାଠାରୁ ବହୁତ ଅଧିକ ହେବା ସମ୍ଭାବନା ଅଛି[୬୩] । ଏଚ୍.ଆଇ.ଭି ପଜିଟିଭ ମହିଳା ମାନଙ୍କର ସ୍ୱାମୀଙ୍କୁ ପରୀକ୍ଷା କଲାବେଳେ ଜଣା ପଡ଼ିଛି ପ୍ରାୟ ଅର୍ଧେକ ମହିଳା ମାନଙ୍କର ସ୍ୱାମୀ ଏଚ୍.ଆଇ.ଭି. ନେଗେଟିଭ ଅଛନ୍ତି[୬୪] । ଏଥିରୁ ଜଣାଯାଏ ଯୌନ ସମ୍ପର୍କ ବ୍ୟତିରେକ ଅନ୍ୟ ମାଧ୍ୟମଦ୍ୱାରା ରୋଗ ସଂକ୍ରମିତ ହୁଏ । କିନ୍ତୁ ଏହି ମହିଳାମାନେ ଦୋଚାରୁଣୀ ଦୋଷରେ ପରିବାର ଓ ଗୋଷ୍ଠୀଦ୍ୱାରା ଦଣ୍ଡିତ ହୁଅନ୍ତି ।
ଏଚ୍.ଆଇ.ବି. ସଂକ୍ରମିତ ହେଲେ ମାନବିକ କର୍ମ ଦକ୍ଷତା ହ୍ରାସ ପାଏ, ତେଣୁ ରୋଜଗାର କମିଯାଏ[୬୫] । ରୋଜଗାର କମିଲେ ଖାଦ୍ୟ କମିଯାଏ ଓ ପୁଷ୍ଟିହାନୀ ହୁଏ । ପିଲାମାନେ ପରୋକ୍ଷରେ କ୍ଷତିଗ୍ରସ୍ତ ହୁଅନ୍ତି । ପିତା ମାତା ମରିଗଲେ ପିଲାମାନଙ୍କ ରକ୍ଷଣାବେକ୍ଷଣ ହୋଇପାରେ ନାହିଁ । ଏହି କାରଣ ଯୋଗୁ ସେମାନେ ଅପପୁଷ୍ଟିର ଶିକାର ହୁଅନ୍ତି ।
ଦେଶ ଭିତରେ ଓ ବିଭିନ୍ନ ଦେଶ ମଧ୍ୟରେ ଗରିବୀ ଓ ଦାରିଦ୍ର୍ୟ ରୋଗ ଦୂର କରିବା ନିମନ୍ତେ ଅନେକ ଗୁଡିଏ ପ୍ରସ୍ତାବ ବିଚାରାଧୀନ ଅଛି । ଡବ୍ଲ୍ୟୁ.ଏଚ୍.ଓ. ଏହି ବିଭେଦ ଦୂର କରିବା ନିମନ୍ତେ ଚେଷ୍ଟିତ । ପ୍ରଥମତଃ ଦୈନନ୍ଦିନ ଜୀବନଚର୍ଯ୍ୟା ଉନ୍ନତି ବିଧାନ ଆବଶ୍ୟକ । କନ୍ୟା ଓ ମହିଳାମାନଙ୍କର ଉନ୍ନତି ହେଲେ ଶିଶୁଙ୍କର ବିକାଶ ହେବ ଓ ସେମାନଙ୍କର ସ୍ୱାସ୍ଥ୍ୟର ଉନ୍ନତି ହେଲେ ଦାରିଦ୍ର୍ୟ ରୋଗ ଅପସରି ଯିବ । ଦ୍ୱିତୀୟତଃ ଅର୍ଥ, ଶକ୍ତି ଓ ରିସୋର୍ସେସ୍ ଗୁଡିକର ସମୀକରଣ ହେବ । ତୃତୀୟତଃ ଅସୁବିଧାର ମୂଲ୍ୟାୟନ ଓ କାର୍ଯ୍ୟକ୍ରମ ଗୁଡିକର ଉପକାରୀତାର ମୂଲ୍ୟାୟନ କରାଯିବ ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.