ଜଳ ବିଦ୍ୟୁତ୍ ଦ୍ୱାରା ଉତ୍ପାଦିତ ବିଦ୍ୟୁତ୍ From Wikipedia, the free encyclopedia
ପ୍ରବହମାନ ଜଳର ଯାନ୍ତ୍ରିକ ଶକ୍ତି ବା ଗଚ୍ଛିତ ଜଳର ସ୍ଥିତିଜ ଶକ୍ତି ବିଦ୍ୟୁତ୍ ଶକ୍ତିରେ ରୂପାନ୍ତରିତ ହେଲେ ତାହାକୁ ଜଳ ବିଦ୍ୟୁତ୍ । ଏକ ଆକଳନ ଅନୁସାରେ ୨୦୧୫ରେ ବିଶ୍ୱରେ ଉତ୍ପାଦିତ ସମସ୍ତ ବିଦ୍ୟୁତ୍ ଶକ୍ତିର ପ୍ରାୟ ୧୬.୬% ଏବଂ ନବୀକରଣୀୟ ଉତ୍ସରୁ ଜାତ ବିଦ୍ୟୁତ୍ ଶକ୍ତିର ପ୍ରାୟ ୭୦% ଅଂଶ ଜଳ ବିଦ୍ୟୁତରୁ ମିଳିଥାଏ । [୧] ଏହି ପରିମାଣ ପ୍ରତି ବର୍ଷ ହାରାହାରି ୩.୧% ହିସାବରେ ଏହା ଆଗାମୀ ୨୫ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି । ୨୦୧୩ର ଏକ ଗଣନା ଅନୁସାରେ ବିଶ୍ୱର ପ୍ରାୟ ୧୫୦ଟି ଦେଶରେ ଜଳ ବିଦ୍ୟୁତ୍ ଉତ୍ପାଦନ କରାଯାଏ । ସମଗ୍ର ଜଳ ବିଦ୍ୟୁତର ପ୍ରାୟ ୩୩% ଏସିଆର ପ୍ରଶାନ୍ତ ମହାସାଗର ତଟବର୍ତ୍ତୀ ଦେଶମାନଙ୍କରୁ ମିଳେ । ତନ୍ମଧ୍ୟରୁ ଜଳ-ବିଦ୍ୟୁତ୍ ଉତ୍ପାଦନରେ ଚୀନ ପ୍ରଥମ ।
ଜଳ ଏକ ନବୀକରଣୀୟ ଶକ୍ତିଉତ୍ସ ଓ ଜଳ ବିଦ୍ୟୁତ୍ ଉତ୍ପାଦନରେ ଖର୍ଚ୍ଚ ସବୁଠାରୁ କମ୍ ହୋଇଥାଏ । ତାପଜ ବିଦ୍ୟୁତ୍ କେନ୍ଦ୍ରରେ କୋଇଲା ବା ଗ୍ୟାସ୍ ବ୍ୟବହୃତ ହୋଇ ଶକ୍ତିଉତ୍ସର କ୍ଷୟ ହୁଏ । କିନ୍ତୁ ଜଳ ବିଦ୍ୟୁତ୍ କେନ୍ଦ୍ରରେ ଜଳର କ୍ଷୟ ହୁଏନାହିଁ । ଜଳ ବିଦ୍ୟୁତ୍ କେନ୍ଦ୍ରରେ ଜଳଭଣ୍ଡାର ରହିଥିଲେ, ଆବଶ୍ୟକତା ମୁତାବକ ଜଳ ଛାଡ଼ି ବିଦ୍ୟୁତ୍ ଉତ୍ପାଦନ କରାଯାଇପାରିବ । ସାଧାରଣ ଉପଭୋକ୍ତାଙ୍କଦ୍ୱାରା ବ୍ୟବହୃତ ବିଦ୍ୟୁତ୍ ଶକ୍ତିର ମାପ ଦିନସାରା ସମାନ ନଥାଏ । ସକାଳେ କମ୍, ସନ୍ଧ୍ୟା ସମୟରେ ସର୍ବାଧିକ ଓ ରାତିରେ କମ୍ ବିଦ୍ୟୁତ୍ ଶକ୍ତି ବ୍ୟବହୃତ ହୁଏ । ଦିନସାରାରେ ବ୍ୟବହୃତ ବିଦ୍ୟୁତ୍ ଶକ୍ତିର ଅଧିକାଂଶ ଭାଗ ତାପଜ ବା ନ୍ୟୁକ୍ଳୀୟ ବିଦ୍ୟୁତ୍ ପରିପୂରଣ କରିଥାଏ । କିନ୍ତୁ ଦିନର ଯେ କୌଣସି ସମୟରେ ବିଦ୍ୟୁତ୍ ଚାହିଦା ବଢ଼ିଲେ ତୁରନ୍ତ ଜଳ ବିଦ୍ୟୁତ୍ ସୃଷ୍ଟି କରାଯାଇପାରିବ । ଏହି ପ୍ରକାରର ଜଳ ବିଦ୍ୟୁତ୍ ପ୍ରକଳ୍ପରୁ ପ୍ରାୟ କୌଣସି ବର୍ଯ୍ୟବସ୍ତୁ ନିଷ୍କାସନର ଆବଶ୍ୟକତା ନଥାଏ ଓ ଏଥିରୁ ବାହାରୁଥିବା ସବୁଜଘର ଗ୍ୟାସର ପରିମାଣ ଖୁବ୍ କମ୍ । [୨]
ବହୁ ଦିନରୁ ଜଳର ଶକ୍ତିକୁ ଅଟାକଳରେ ବ୍ୟବହାର କରାଯାଉଥିଲା । ୧୭୭୦ ଦଶକର ମଧ୍ୟଭାଗରେ ଫରାସୀ ଯନ୍ତ୍ରୀ ବର୍ନାର୍ଡ୍ ଫରେଷ୍ଟ୍ ଦେ ବେଲିଦୋ ହାଇଡ୍ରଲିକ୍ ଯନ୍ତ୍ର ବିଷୟରେ ଲେଖିଥିଲେ । ୧୯ଶ ଶତାବ୍ଦୀ ବେଳକୁ ବୈଦୁତିକ ଜେନେରେଟର୍ ଆବିଷ୍କୃତ ହେଲା ଓ ଏହାକୁ ହାଇଡ୍ରଲିକ୍ ଯନ୍ତ୍ର ସହିତ ସଂଯୋଗ କରାଯାଇ ପାରିଲା ।[୩] ପରବର୍ତ୍ତୀ ସମୟରେ ଶିଳ୍ପ ବିପ୍ଳବ ଯୋଗୁଁ ଯାନ୍ତ୍ରିକ କ୍ଷେତ୍ରରେ ବିକାଶ ଜରୁରୀ ହୋଇପଡ଼ିଲା ।[୪] ୧୮୭୮ରେ ଇଂଲଣ୍ଡର ୱିଲିୟମ୍ ଜର୍ଜ୍ ଆର୍ମଷ୍ଟ୍ରଂଗ୍ ପ୍ରଥମ ଜଳ ବିଦ୍ୟୁତ୍ ଉତ୍ପାଦନ କରି ନିଜର ଚିତ୍ରଶାଳାରେ ଗୋଟିଏ ବତୀ ଜଳାଇବାରେ ସମର୍ଥ ହୋଇଥିଲେ ।[୫] ନାଏଗ୍ରା ଜଳପ୍ରପାତ ନିକଟବର୍ତ୍ତୀ ବିଦ୍ୟୁତ୍ କେନ୍ଦ୍ରରେ ୧୮୮୧ରୁ ବିଦ୍ୟୁତ୍ ଉତ୍ପାଦନ ଆରମ୍ଭ ହୋଇଥିଲା । ଆମେରିକାର ଆପଲଟନ୍ (ୱିସ୍କନ୍-ସିନ୍)ରେ ୧୨.୫ କିଲୋୱାଟବିଶିଷ୍ଟ କ୍ଷୁଦ୍ର[୬] ଓ ପ୍ରଥମ ପ୍ରକାରର ଜଳ ବିଦ୍ୟୁତ୍ କେନ୍ଦ୍ର (ଭଲ୍କାନ୍ ଷ୍ଟ୍ରିଟ୍ ପ୍ଲାଣ୍ଟ୍) ୩୦ ସେପ୍ଟେମ୍ବର୍ ୧୮୮୨ରେ କାର୍ଯ୍ୟକ୍ଷମ ହେଲା ।
୧୮୮୬ ସୁଦ୍ଧା ଯୁକ୍ତରାଷ୍ଟ୍ର ଆମେରିକା ଓ କାନାଡ଼ାରେ ୪୫ଟି ଜଳ ବିଦ୍ୟୁତ୍ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇ ସାରିଥିଲା । ୧୮୮୯ ମସିହା ବେଳକୁ କେବଳ ଯୁକ୍ତରାଷ୍ଟ୍ର ଆମେରିକାରେ ୨୦୦ଟି ଜଳ ବିଦ୍ୟୁତ୍ କେନ୍ଦ୍ର ପ୍ରତିଷ୍ଠିତ ହୋଇସାରିଥିଲା । ୨୦ଶ ଶତାବ୍ଦୀର ଆରମ୍ଭରେ ବିଭିନ୍ନ ବ୍ୟବସାୟିକ ଓ ଶିଳ୍ପ ଅନୁଷ୍ଠାନ କ୍ଷୁଦ୍ର ଜଳ ବିଦ୍ୟୁତ୍ ପ୍ରକଳ୍ପ ନିର୍ମାଣ କରୁଥିଲେ । ୧୯୨୦ ମସିହା ସୁଦ୍ଧା ଯୁକ୍ତରାଷ୍ଟ୍ର ଆମେରିକାର ୪୦% ଶକ୍ତି ଜଳରୁ ଉତ୍ପନ୍ନ ହେଉଥିବାରୁ “ଫେଡେରାଲ୍ ପାୱାର୍ ଆକ୍ଟ୍”ର ପ୍ରଣୟନ କରାଗଲା । ଏହି ନିୟମାନୁଯାୟୀ ଫେଡେରାଲ୍ ପାୱାର୍ କମିଶନ୍ ହାତରେ ବିଦ୍ୟୁତ୍ ଉତ୍ପାଦନର ନିୟନ୍ତ୍ରଣ ରହିଲା । କ୍ରମେ ବିଦ୍ୟୁତ୍ କେନ୍ଦ୍ରଗୁଡିକ ଆକାରରେ ବଡ଼ ହେବାକୁ ଲାଗିଲା । ତେଣୁ ଗୋଟିଏ ପ୍ରକଳ୍ପଦ୍ୱାରା ବିଦ୍ୟୁତ୍ ଉତ୍ପାଦନ, ଜଳ ସେଚନ, ବନ୍ୟା ନିୟନ୍ତ୍ରଣ, ଜଳପଥରେ ଯୋଗାଯୋଗ ଏପରି ଅନେକ କାର୍ଯ୍ୟ ସମ୍ଭବପର ହେଲା । [୭]
୨୦ଶ ଶତାବ୍ଦୀରେ ଜଳ ବିଦ୍ୟୁତ୍ କେନ୍ଦ୍ରମାନଙ୍କ ମାନ ଓ ଗୁଣବତ୍ତା ବଢ଼ିବାରେ ଲାଗିଛି । ୧୯୩୬ ମସିହା ପର୍ଯ୍ୟନ୍ତ ବିଶ୍ୱର ସର୍ବାଧିକ କ୍ଷମତା ସମ୍ପନ୍ନ ହୁଭର୍ ଡ୍ୟାମ୍ ୧,୩୪୫ ମେଗାୱାଟ୍ ବିଦ୍ୟୁତ୍ ଉତ୍ପାଦନ କରୁଥିଲା ।[୮] ଏହାପରେ ୧୯୪୨ ମସିହାରେ ୬,୮୦୯ ମେଗାୱାଟ୍ କ୍ଷମତା ସମ୍ପନ୍ନ ଗ୍ରାଣ୍ଡ୍ କୌଲି ଡ୍ୟାମ୍[୯]; ୧୯୮୪ ମସିହାରେ ଦକ୍ଷିଣ ଆମେରିକାର ୧୪,୦୦୦ ମେଗାୱାଟର ଇଟାଇପୁ ଡ୍ୟାମ୍, ୨୦୦୮ ମସିହାରେ ୨୨,୫୦୦ ମେଗାୱାଟ୍ କ୍ଷମତା ସମ୍ପନ୍ନ ଚୀନର “ଥ୍ରୀ ଗୋର୍ଜେସ୍ ଡ୍ୟାମ୍” (ତିନୋଟି ଗଣ୍ଡବିଶିଷ୍ଟ ନଦୀବନ୍ଧ) ଜଳ ବିଦ୍ୟୁତ୍ କ୍ଷେତ୍ରରେ ନୂଆ ବୈଷୟିକ ଜ୍ଞାନ ଓ କୌଶଳର ବିକାଶ ଯୋଗୁଁ ସମ୍ଭବପର ହୋଇପାରିଛି । ଜଳ ବିଦ୍ୟୁତ୍ କ୍ରମଶଃ ନରୱେ, କଙ୍ଗୋ, ପାରାଗୁଏ, ବ୍ରାଜିଲ୍ ଭଳି ଦେଶର ୮୫% ବିଦ୍ୟୁତ୍ ଚାହିଦା ପୂରଣ କରିବାରେ ସମର୍ଥ ହୋଇପାରିବ ବୋଲି ଆଶା କରାଯାଉଛି ।
ଜଳ ପ୍ରବାହ ତଥ୍ୟକୁ ଅବଲୋକନ କଲେ ବର୍ତ୍ତମାନର ଜଳ ବିଦ୍ୟୁତ୍ ଉତ୍ପାଦନ କ୍ଷମତା ୟୁରୋପରେ ୭୧%, ଉତ୍ତର ଆମେରିକାରେ ୭୫%, ଦକ୍ଷିଣ ଆମେରିକାରେ ୭୯%, ଆଫ୍ରିକାରେ ୯୫%, ଭୂମଧ୍ୟ ସାଗର ନିକଟବର୍ତ୍ତୀ ଦେଶମାନଙ୍କରେ ୯୫% ଓ ପ୍ରଶାନ୍ତ ମହାସାଗରୀୟ ଏସୀୟ ଦେଶମାନଙ୍କରେ ୮୨%ର ବୃଦ୍ଧି ହୋଇପାରିବ । ରାଜନୈତିକ ପରିସ୍ଥିତି ଓ ଇଚ୍ଛାଶକ୍ତି, ଆର୍ଥିକ କ୍ଷମତା ଓ ବୈଦୁତିକ ପରିବହନର ନୈରାଶ୍ୟଜନକ ବିକାଶ ଓ ଅନ୍ୟାନ୍ୟ କାରଣ ଯୋଗୁଁ ୨୦୫୦ ମସିହା ବେଳକୁ ଏହି ଉପଲବ୍ଧ କ୍ଷମତାର ୨୫% ଉପଯୋଗ କରିହେବ ବୋଲି ଆଶା କରାଯାଉଛି । ଏହି ବୃଦ୍ଧିରେ ଏସିଆ ଏକ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରେ ।[୧୦] ସ୍ୱିଜରଲ୍ୟାଣ୍ଡ୍ ଓ ମେକ୍ସିକୋ ନିଜର ଉପଲବ୍ଧ ଜଳ ସମ୍ବଳର ସର୍ବାଧିକ ବିନିଯୋଗ କରୁଛନ୍ତି ଓ ଏହି ଦେଶମାନଙ୍କରେ ଯଥାକ୍ରମେ ଆଉ ୧୨% ଓ ୨୦% ବୃଦ୍ଧି ସମ୍ଭବପର ।
ଜଳଭଣ୍ଡାରରେ ସଂରକ୍ଷିତ ପାଣିକୁ ଟର୍ବାଇନ୍ ପର୍ଯ୍ୟନ୍ତ ପ୍ରବାହିତ କରାଇଲେ ଜଳର ସ୍ଥିତିଜ ଶକ୍ତି ଜେନେରେଟରରେ ବୈଦୁତିକ ଶକ୍ତିରେ ରୂପାନ୍ତରିତ ହୁଏ । ଏହି ଶକ୍ତିର ମାପ ଭଣ୍ଡାରରେ ଗଚ୍ଛିତ ଜଳର ଆୟତନ ଓ ବସ୍ତୁତ୍ୱକେନ୍ଦ୍ରରୁ ନିଷ୍କାସନ ପଥର ଗଭୀରତା ଉପରେ ନିର୍ଭର କରେ । ଏହି ଗଭୀରତାକୁ ଯାନ୍ତ୍ରିକ ଭାଷାରେ “ହେଡ୍” କୁହାଯାଏ । ଯେଉଁ ବିରାଟ ପାଇପ୍ ଯୋଗେ ପାଣି ଭଣ୍ଡାରରୁ ଟର୍ବାଇନ୍ ପର୍ଯ୍ୟନ୍ତ ପହଞ୍ଚେ ତାକୁ “ପେନଷ୍ଟକ୍” କୁହାଯାଏ ।[୧୧]
ଉଚ୍ଚତା ଅନୁଯାୟୀ ଉଚ୍ଚ ଜଳବିଦ୍ୟୁତ୍ ପ୍ରକଳ୍ପ, ମଧ୍ୟମ ଜଳବିଦ୍ୟୁତ୍ ପ୍ରକଳ୍ପ ଓ ନିମ୍ନ ଜଳବିଦ୍ୟୁତ୍ ପ୍ରକଳ୍ପ ନିର୍ମାଣ କରାଯାଏ । ପାହାଡ଼ ଉପରେ ଜଳ ଭଣ୍ଡାର ଓ ପାହାଡ଼ ତଳେ ଟର୍ବାଇନ୍ ଥିଲେ ଏହାକୁ ଉଚ୍ଚ ଶ୍ରେଣୀଭୁକ୍ତ କରାଯାଏ । ଦୁଇଟି ପାହାଡ଼ର ଉପତ୍ୟକାରେ ଜଳ ଭଣ୍ଡାର ନିର୍ମାଣ କରାଯାଇ ଅପେକ୍ଷାକୃତ ଛୋଟ ପେନଷ୍ଟକ୍ଦ୍ୱାରା ଜଳ ଟର୍ବାଇନ୍ ପର୍ଯ୍ୟନ୍ତ ପହଞ୍ଚିଲେ ସେଗୁଡ଼ିକୁ ଉଚ୍ଚତା ଅନୁଯାୟୀ ମଧ୍ୟମ ଓ ନିମ୍ନ ଶ୍ରେଣୀରେ ପରିଗଣିତ କରାଯାଏ ।
ଗୋଟିଏ ବିଦ୍ୟୁତ୍- ପ୍ରକଳ୍ପ ମଧ୍ୟରେ ଭିନ୍ନ ଭିନ୍ନ ଉଚ୍ଚତାରେ ଅନେକ ଜଳ ଭଣ୍ଡାର ନିର୍ମାଣ କରିବା ସମ୍ଭବପର । ବିଦ୍ୟୁତ୍ ଚାହିଦାରେ ଆକସ୍ମିକ ବୃଦ୍ଧି ସମୟରେ ପମ୍ପ୍ ପ୍ରଣାଳୀ ଅତ୍ୟନ୍ତ ଉପଯୋଗୀ । ନିମ୍ନ ଚାହିଦା ସମୟରେ ଆବଶ୍ୟକତାରୁ ଅଧିକ ବିଦ୍ୟୁତ୍ ବ୍ୟବହାର କରି ତଳ ଭଣ୍ଡାରରୁ ଉଚ୍ଚ ଭଣ୍ଡାରକୁ ଜଳ ସ୍ଥାନାନ୍ତର କରାଯାଏ । ଚାହିଦା ବଢ଼ିଲେ ଉଚ୍ଚ ଭଣ୍ଡାରରୁ ଟର୍ବାଇନ୍ ଦେଇ ତଳ ଭଣ୍ଡାର ଓ ତଳ ଭଣ୍ଡାରରୁ ଅନ୍ୟ ଏକ ଟର୍ବାଇନ୍ ଦେଇ ନଦୀଶଯ୍ୟାକୁ ଜଳ ଛଡ଼ାଯାଏ । ଏପରି କରିବାଦ୍ୱାରା ଉପଲବ୍ଧ ଜଳର ଉପଯୋଗ କରି ଦୁଇଟି ସ୍ଥାନରେ ବିଦ୍ୟୁତ୍ ଉତ୍ପାଦନ ହୋଇପାରେ । ପମ୍ପ୍ ପ୍ରଣାଳୀ ବ୍ୟବସାୟିକ ଦୃଷ୍ଟିରୁ ଉପଯୋଗୀ । [୧୨]
ଏହି ପ୍ରକାରର ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରରେ ଜଳ ସଂରକ୍ଷଣ କରିବାର ସୁଯୋଗ ନଥାଏ । ତେଣୁ ଉପରମୁଣ୍ଡରୁ ଅନବରତ ପାଣି ପ୍ରବାହିତ ହୋଇ ବିଦ୍ୟୁତ୍ ଉତ୍ପାଦନ ହୁଏ । କୌଣସି ନଦୀ ବା ହ୍ରଦରୁ ନିୟମିତ ଜଳପ୍ରବାହ ହେଉଥିଲେ ଓ ସେ ସ୍ଥାନର ଭୌଗୋଳିକ ପରିବେଶରେ ଭଣ୍ଡାର ନିର୍ମାଣ ସମ୍ଭବପର ନ ହୋଇପାରିଲେ, ପ୍ରବହମାନ ପଦ୍ଧତି ଅବଲମ୍ବନ କରାଯାଏ । ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରବହମାନ ପଦ୍ଧତିରେ ପ୍ରାୟ ୬୦,୦୦୦ ମେଗାୱାଟ୍ ବିଦ୍ୟୁତ୍ ଉତ୍ପନ୍ନ ହୋଇଥାଏ ।[୧୩]
ସାମୁଦ୍ରିକ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ସମୁଦ୍ର ପତନର ଦୈନିକ ପରିବର୍ତ୍ତନର ବିନିଯୋଗ କରିଥାଏ । ଜୁଆର ଓ ଭଟ୍ଟା ଦୈନିକ ପ୍ରାକୃତିକ ପ୍ରକ୍ରିୟା ଓ ଏମାନଙ୍କୁ ସହଜରେ ମପାଯାଇପାରେ । ଏହି ପ୍ରକାରର ବିଦ୍ୟୁତ୍ କେନ୍ଦ୍ରରେ କେତେ ସମୁଦ୍ରକୂଳରେ ଭଣ୍ଡାର ନିର୍ମାଣ କରିବାର ସୁଯୋଗ ଥିଲେ ଜଳ ଗଚ୍ଛିତ କରି ରଖାଯାଏ ଏବଂ ବିଦ୍ୟୁତ୍ ଚାହିଦା ବଢ଼ିଲେ ଉତ୍ପାଦନରେ ସହାୟକ ହୋଇଥାଏ । କିନ୍ତୁ ପୃଥିବୀର ବହୁ କମ୍ ସ୍ଥାନରେ ଜୁଆର-ଭଟ୍ଟାର ବିନିଯୋଗ ସମ୍ଭବପର ହୋଇପାରିଛି । ଏକ ଗଣନା ଅନୁସାରେ, ଇଂଲଣ୍ଡରେ ୮ଟି ସ୍ଥାନରେ ଏପରି ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ନିର୍ମାଣ ହେଲେ ଏହା ୨୦% ବିଦ୍ୟୁତ୍ ଯୋଗାଣ କରିପାରିବ । [୧୪]
ବିଦ୍ୟୁତ୍ ଉତ୍ପାଦନ କ୍ଷମତା ଅନୁଯାୟୀ ଜଳ ବିଦ୍ୟୁତ୍ ପ୍ରକଳ୍ପଗୁଡ଼ିକର ପ୍ରକାର ନିର୍ଣ୍ଣୟ କରାଯାଏ । ବୃହତ୍ ପ୍ରକଳ୍ପ ନ୍ୟୁକ୍ଳୀୟ ପ୍ରକଳ୍ପଠାରୁ ୨ ଗୁଣ ବିଦ୍ୟୁତ୍ ଉତାପାଦନର କ୍ଷମତା ରଖିପାରେ । କେତେ ଶହ ମେଗାୱାଟରୁ ଉର୍ଦ୍ଧ୍ୱ କ୍ଷମତାବିଶିଷ୍ଟ ପ୍ରକଳ୍ପ ଏହି ଶ୍ରେଣୀରେ ପରିଗଣିତ ହୁଅନ୍ତି । ବର୍ତ୍ତମାନ ବିଶ୍ୱରେ ୧୦ ଗିଗାୱାଟ୍ (୧୦,୦୦୦ ମେଗାୱାଟ୍) କ୍ଷମତା ବିଶିଷ୍ଟ ୪ଟି ପ୍ରକଳ୍ପ ରହିଛି । [୧୫]
୧୦ ମେଗାୱାଟ୍ ପର୍ଯ୍ୟନ୍ତ କ୍ଷମତାବିଶିଷ୍ଟ ପ୍ରକଳ୍ପ ଏହି ଶ୍ରେଣୀରେ ପରିଗଣିତ ହୋଇପାରନ୍ତି । କାନାଡ଼ା ଓ ଯୁକ୍ତରାଷ୍ଟ୍ର ଆମେରିକାରେ ୨୫ଓ ୩୦ ମେଗାୱାଟ୍ କ୍ଷମତାର ପ୍ରକଳ୍ପମାନଙ୍କୁ ଏହି ଶ୍ରେଣୀଭୁକ୍ତ କରାଯାଏ । ମୁଖ୍ୟତଃ ସର୍ବାଧିକ ପ୍ରକଳ୍ପ ଏହି ଶ୍ରେଣୀର ଓ ବୈଦୁତିକ ପରିବହନ ଓ ବିତରଣ ଗ୍ରିଡ୍ ସହ ଏମାନେ ସଂଯୁକ୍ତ ରହିଥାନ୍ତି ।
୧୦୦ କିଲୋୱାଟ୍ ପର୍ଯ୍ୟନ୍ତ ଏହି ଶ୍ରେଣୀର ପ୍ରକଳ୍ପ ବିଦ୍ୟୁତ୍ ଉତ୍ପାଦନ କରିପାରନ୍ତି । ଖୁବ୍ କମ୍ ଅତିକ୍ଷୁଦ୍ର ପ୍ରକଳ୍ପ ପରିବହନ ଓ ବିତରଣ ଗ୍ରିଡ୍ ସହିତ ସଂଯୁକ୍ତ । ଏଗୁଡିକ ଛୋଟ ମହର ବା ଶିଳ୍ପାଞ୍ଚଳକୁ ବିଦ୍ୟୁତ୍ ଯୋଗାନ୍ତି ।[୧୬] ସୌରଶକ୍ତି ଓ ଅତିକ୍ଷୁଦ୍ର ଜଳବିଦ୍ୟୁତ୍ ପ୍ରକଳ୍ପ କେତେକ ଅଞ୍ଚଳରେ ପରିପୂରକ ବିଦ୍ୟୁତ୍ ଉତ୍ସଭାବେ ବ୍ୟବହୃତ ହୁଏ । ଖରାଦିନେ ସୌର ଓ ବର୍ଷା ବା ଶୀତ ଦିନରେ ଜଳ ବିଦ୍ୟୁତ୍ ଉତ୍ପାଦନରେ ସହାୟକ ହୁଅନ୍ତି ।
୫ କିଲୋୱାଟ୍ ପର୍ଯ୍ୟନ୍ତ ବିଦ୍ୟୁତ୍ ଉତ୍ପାଦନ କରୁଥିବା ପ୍ରକଳ୍ପକୁ ପିକୋ ପ୍ରକଳ୍ପ କୁହାଯାଏ । ଏଗୁଡ଼ିକ ମୁଖ୍ୟତଃ ପ୍ରବହମାନ ପ୍ରଣାଳୀର ବ୍ୟବହାର କରନ୍ତି । ଏପରି ପ୍ରକଳ୍ପଦ୍ୱାରା ଅଳ୍ପକିଛି ଘରକୁ ବିଦ୍ୟୁତ୍ ଯୋଗାଣ ହୋଇପାରିବ ।[୧୭]
ଉଚ୍ଚରୁ ପଡ଼ୁଥିବା ପାଣିକୁ ଭୂତଳ ଟନେଲ୍ ଯୋଗେ ଟର୍ବାଇନ୍ ପର୍ଯ୍ୟନ୍ତ ନିଆଯାଏ ।
୧. ଜଳ ବିଦ୍ୟୁତ୍ ପ୍ରକଳ୍ପମାନଙ୍କରେ ବ୍ୟବହୃତ ଟର୍ବାଇନ୍ ଖୁବ୍ ଶୀଘ୍ର ଆରମ୍ଭ ବା ବନ୍ଦ କରାଯାଇପାରିବ ।[୧୮] ୬୦ରୁ ୯୦ ମିନିଟ୍ ମଧ୍ୟରେ ଏଥିରେ ଶୂନ୍ୟରୁ ପୂର୍ଣ୍ଣ କ୍ଷମତାରେ ବିଦ୍ୟୁତ୍ ଉତ୍ପନ୍ନ ହୋଇପାରିବ ।[୧୯] ଜଳପ୍ରବାହ କମ୍ କରି ବିଦ୍ୟୁତ୍ ଉତ୍ପାଦନ କମାଯାଇପାରିବ ।[୨୦] ତେଣୁ ଦୈନିକ ହାରାହାରି ଚାହିଦାର ପୂରଣ ପାଇଁ ଜଳର ବ୍ୟବହାର କରାଯାଏ ନାହିଁ । ବରଂ ଚାହିଦା ହାରାହାରି ରେଖାରୁ ଅଧିକ ହେଲେ ଜଳ ବିଦ୍ୟୁତ୍ ସହାୟକ ହୁଏ । ଅନ୍ୟାନ୍ୟ ସମୟରେ କୌଣସି ତାପଜ ବା ନ୍ୟୁକ୍ଳୀୟ ବିଦ୍ୟୁତ୍ କେନ୍ଦ୍ର ଅକାମୀ ହେଲେ ଜଳବିଦ୍ୟୁତ୍ କେନ୍ଦ୍ରକୁ ତାହାର ଦ୍ୱିତୀୟକ ଭାବେ କାର୍ଯ୍ୟକ୍ଷମ କରାଯାଏ ।
୨. ଥରେ ଜଳ ଭଣ୍ଡାର ନିର୍ମାଣ ହୋଇସାରିଲା ପରେ ଅତି ଅଳ୍ପ ନିତିଦିନିଆ ଖର୍ଚ୍ଚରେ ବହୁ ପରିମାଣର ଜଳ ଗଚ୍ଛିତ କରି ରଖାଯାଇପାରେ । ଏହି ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ୫୦ରୁ ୧୦୦ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହିପାରନ୍ତି ।[୨୧] ଦୈନିକ ରକ୍ଷଣାବେକ୍ଷଣ ମଧ୍ୟ ଅତି କମ୍ ଖର୍ଚ୍ଚରେ କରାଯାଇପାରିବ । ତେଣୁ ଜଳବିଦ୍ୟୁତ୍ ଅନ୍ୟ ପ୍ରଣାଳୀରେ ଉତ୍ପନ୍ନ ବିଦ୍ୟୁତଠାରୁ ଶସ୍ତା ଓ ପରିବେଶ ପ୍ରଦୁଷଣ ଦୃଷ୍ଟିକୋଣରୁ ଅପେକ୍ଷାକୃତ ବିଶୁଦ୍ଧ ।
୩. ଅଧିକାଂଶ ଜଳବିଦ୍ୟୁତ୍ ପ୍ରକଳ୍ପ ସାଧାରଣ ଉପଭୋକ୍ତା ସହ ଆବଶ୍ୟକତା ଅନୁସାରେ ବ୍ୟବସାୟିକ ଉପଭୋକ୍ତାଙ୍କୁ ବିଦ୍ୟୁତ୍ ଯୋଗାଣ କରିବାରେ ସମର୍ଥ । କେତେକ ଦେଶରେ କାରଖାନାରେ ବିଦ୍ୟୁତ୍ ଯୋଗାଣ ପାଇଁ ଜଳ ବିଦ୍ୟୁତ୍ ପ୍ରକଳ୍ପ ବ୍ୟବହୃତ ହୁଏ ।
୪. ଜଳ ବିଦ୍ୟୁତ୍ ପ୍ରକଳ୍ପରେ ତାପଜ ବିଦ୍ୟୁତ୍ କେନ୍ଦ୍ର ଭଳି କୌଣସି ଜାଳେଣୀ ବ୍ୟବହୃତ ହୁଏନାହିଁ, ତେଣୁ ବାୟୁମଣ୍ଡଳ ଅଙ୍ଗାରକାମ୍ଳ ଜନିତ ପ୍ରଦୁଷଣରୁ ରକ୍ଷାପାଏ ।[୨୨]
୫. ଅନେକ ବର୍ଷ ଓ ଅର୍ଥ ବିନିମୟରେ ନିର୍ମାଣ ହେଉଥିବାରୁ ଜଳ ବିଦ୍ୟୁତ୍ ପ୍ରକଳ୍ପଗୁଡ଼ିକ ବହୁମୁଖୀ ଯୋଜନାର ଅନ୍ତର୍ଭୁକ୍ତ । ଗୋଟିଏ ପ୍ରକଳ୍ପଦ୍ୱାରା ବିଦ୍ୟୁତ୍ ଉତ୍ପାଦନ, ବନ୍ୟା ନିୟନ୍ତ୍ରଣ, ଜଳ ସେଚନ, ଜଳ ପରିବହନ, ମତ୍ସ୍ୟ ଚାଷ ଇତ୍ୟାଦି ଅନେକ ଯୋଜନା ସମ୍ଭବପର ହୋଇଥାଏ । [୨୩]
୧. ଏକ ବୃହତ୍ ଜଳ ବିଦ୍ୟୁତ୍ ଯୋଜନା ପାଇଁ ଜଳ ଭଣ୍ଡାରର କ୍ଷେତ୍ରଫଳ ଯେତେ ଅଧିକ ହେବ ସେତେ ଭଲ । ଏଥିପାଇଁ ନଦୀର ଉପର ମୁଣ୍ଡରେ ଅନେକ ପାହାଡ଼ଦ୍ୱାରା ନଦୀକୁ ଘେରି ଦିଆଯାଏ । ସୁଯୋଗ ଥିଲେ ଅନେକ ନଦୀକୁ ସଂଯୋଗ କରି ଜଳ ଭଣ୍ଡାରର କ୍ଷମତା ବୃଦ୍ଧି କଲେ ଅଧିକ ଲାଭ ମିଳେ । ଆଖପାଖ ଅଞ୍ଚଳର ଛୋଟ ବଡ଼ ଝରଣା ମଧ୍ୟ ଜଳ ଭଣ୍ଡାରକୁ ଜଳ ଯୋଗାଣ କରନ୍ତି । କିନ୍ତୁ ଏପରି କରିବାଦ୍ୱାରା ପାହାଡ଼ ଉପତ୍ୟକାର ଜଙ୍ଗଲ, ଚରାଜମି, ଚାଷଜମି ପାଣିରେ ବୁଡ଼ିଯାନ୍ତି । ବନ୍ୟଜନ୍ତୁ ନିଜ ପ୍ରାକୃତିକ ପରିବେଶ ହରାନ୍ତି । ପରିବେଶ ପାଇଁ ଏହା କ୍ଷତିକାରକ । ଏତେ ବଡ଼ ଅଞ୍ଚଳ ଜଳମଗ୍ନ ହେଲେ ଅନେକ ଗାଁ ଗଣ୍ଡା ବୁଡ଼ିଯାଏ ।[୨୪] ସେହି ଗ୍ରାମରେ ବସବାସ କରୁଥିବା ଲୋକଙ୍କ ଥଇଥାନ ଏକ ରାଜନୈତିକ ବା ପ୍ରଶାସନିକ ଦ୍ୱିଧା । ଏପରି ଯୋଜନାଦ୍ୱାରା ମତ୍ସ୍ୟ ଓ ଜଳଚର ଜୀବଙ୍କ ସନ୍ତୁଳନରେ କିଛି ସମୟପାଇଁ ବାଧା ସୃଷ୍ଟି ହୋଇପାରେ । ତେଣୁ ଏକ ପ୍ରକଳ୍ପର ସଫଳତା ପାଇଁ ବୈଷୟିକ ଏବଂ ଯାନ୍ତ୍ରିକ କୌଶଳ ସହ ରାଜନୈତିକ ଇଚ୍ଛାଶକ୍ତି ଓ ପ୍ରଶାସନିକ ଅଧିକାରୀଙ୍କ ଦକ୍ଷତା ଅତି ଜରୁରୀ । ୨୦୦୦ ମସିହାରେ ବିଶ୍ୱ ଜଳଭଣ୍ଡାର କମିଶନଙ୍କ ଗଣନା ଅନୁଯାୟୀ ସମଗ୍ର ବିଶ୍ୱରେ ଅଦ୍ୟାବଧି ୪୦୦-୮୦୦ ଲକ୍ଷ ଲୋକଙ୍କୁ ଥଇଥାନର ବ୍ୟବସ୍ଥା କରିବାକୁ ପଡ଼ିଛି ।[୨୫]
୨. ଜଳ ଭଣ୍ଡାର ପରି ଏକ ବିସ୍ତୃତ କ୍ଷେତ୍ରରେ ଜଳ ଗଚ୍ଛିତ କରି ରଖାଯାଏ । ତେଣୁ ପ୍ରତିଦିନ କିଛି ପରିମାଣର ଜଳ ବାଷ୍ପୀୟକରଣଦ୍ୱାରା ଜଳ ଭଣ୍ଡାରରୁ ଉଡ଼ିଯାଏ । ପ୍ରଚଣ୍ଡ ଖରା ସମୟରେ ନଦୀରେ କମ୍ ଜଳ ଥାଏ ଓ ଜଳ ଭଣ୍ଡାରରୁ ଜଳକ୍ଷୟ ଯୋଗୁଁ ଉପଲବ୍ଧ ହେଡ୍ କମିଯାଏ ।
୩. ନଦୀ ପ୍ରବାହ ଯୋଗୁଁ ଜଳ ଭଣ୍ଡାରରେ ନଦୀଦ୍ୱାରା ପରିବାହିତ ପଟୁ, ବାଲି ଆଦି ଚରିଯାଏ । ଏହି ପ୍ରକ୍ରିୟା ଯୋଗୁଁ ନଦୀର ବନ୍ୟା ନିୟନ୍ତ୍ରଣ କ୍ଷମତା କମିଯାଏ । ତା’ ସହିତ ବହୁ ପରିମାଣର ମାଟିବାଲି ଜମା ହେଲେ ଜଳ ଭଣ୍ଡାରର କାନ୍ଥ ଉପରେ ଚାପ ପଡ଼ିଥାଏ । କିଛି ସମୟପରେ ଅତ୍ୟଧିକ ପଟୁ ଚରିଗଲେ ଜଳ ଭଣ୍ଡାର ଅକାମୀ ହୋଇଯାଇପାରେ । [୨୬][୨୭]
୪. ଅନେକ ନଦୀରେ ଗ୍ରୀଷ୍ମଋତୁରେ ଜଳ ପ୍ରବାହ କମ୍ ହୋଇଯାଏ । ଫଳରେ ବିଦ୍ୟୁତ୍ ଉତ୍ପାଦନ କ୍ଷମତା ହ୍ରାସ ପାଏ । ବର୍ଷାଋତୁରେ ଜଳ ପ୍ରବାହ ଅତ୍ୟଧିକ ହୋଇଥାଏ । କିନ୍ତୁ ସବୁ ଜଳର ଉପଯୋଗ କରିବା ସମ୍ଭବପର ହୋଇପାରେନାହିଁ । ଜଳ ଭଣ୍ଡାରରେ ଜଳ ବିପଦ ସଙ୍କେତ ଟପିଲେ କିଛି ଜଳ ବନ୍ୟାଜଳ ସ୍ଲୁଇସ୍ ଗେଟ୍ ଦେଇ ଛାଡ଼ିବାକୁ ପଡେ ।
୫. କର୍କଟ ଓ ମକର କ୍ରାନ୍ତି ଅଞ୍ଚଳ ମଧ୍ୟରେ ଥିବା ଜଳ ଭଣ୍ଡାରରେ ଅନେକ ଗଛ ବୁଡ଼ି ରହିବା ଯୋଗୁଁ ବହୁ ପରିମାଣର ମିଥେନ୍ ଗ୍ୟାସ୍ ସୃଷ୍ଟି ହୋଇଥାଏ ।
୬. କୌଣସି ପ୍ରାକୃତିକ କାରଣରୁ (ଅତ୍ୟଧିକ ଜଳ, ବାତ୍ୟା, ଭୂମିକମ୍ପ) ବା ଅପ୍ରାକୃତିକ କାରଣରୁ (ଖରାପ ମାନର ନିର୍ମାଣ, ନିର୍ମାଣରେ ଅବହେଳା) ଜଳ ଭଣ୍ଡାର ଭାଙ୍ଗି ଯାଇପାରେ । ୧୯୭୫ ମସିହାରେ ନୀନା ଘୁର୍ଣ୍ଣିବାତ୍ୟା ପ୍ରଭାବରେ ଦକ୍ଷିଣ ଚୀନର ବାନ୍-ଚିଆଓ ଜଳ ଭଣ୍ଡାରରେ ଗୋଟିଏ ଦିନରେ ବାର୍ଷିକ ହାରାହାରିଠାରୁ ଅଧିକ ବର୍ଷା ହୋଇ ଜଳ ଭଣ୍ଡାର ବନ୍ୟାରେ ବୁଡ଼ିଗଲା । ଫଳରେ ୨୬,୦୦୦ ଲୋକ ମୃତ୍ୟୁମୁଖରେ ପଡ଼ିଲେ ଓ ୧,୪୫,୦୦୦ ଲୋକ ସଂକ୍ରାମକ ରୋଗରେ ପ୍ରାଣ ହରାଇଲେ । ଭୂତତ୍ତ୍ୱ ବିଜ୍ଞାନ ଦୃଷ୍ଟିରୁ ଭୁଲ ନିର୍ଣ୍ଣୟ କରି ଜଳ ଭଣ୍ଡାର ନିର୍ମାଣ କଲେ ଭୟାବହ ପରିସ୍ଥିତି ସୃଷ୍ଟି ହୁଏ । ୧୯୬୩ ମସିହାରେ ଇଟାଲୀର ଭାଜୋନ୍ତ୍ ଜଳ ଭଣ୍ଡାର ଏହି କାରଣରୁ ଭାଙ୍ଗି ୨,୦୦୦ ଲୋକ ପ୍ରାଣ ହରାଇଥିଲେ । ୧୯୫୯ ମସିହା ଡିସେମ୍ବର ୨ ତାରିଖରେ ଦକ୍ଷିଣ ଫ୍ରାନ୍ସର ମାଲପାସେ ଜଳ ଭଣ୍ଡାର ବନ୍ୟା ଯୋଗୁଁ ବୋହିଯାଇ ୪୨୩ ଲୋକ ପ୍ରାଣ ହରାଇଥିଲେ ।[୨୮] ଏପରି ସମସ୍ୟା କ୍ଷୁଦ୍ର ଓ ଅତି କ୍ଷୁଦ୍ର ପ୍ରକଳ୍ପମାନଙ୍କରେ ମଧ୍ୟ ଦେଖାଯାଏ ।
ମାପକ | ଜଳ ବିଦ୍ୟୁତ୍ | ନ୍ୟୁକ୍ଳୀୟ ବିଦ୍ୟୁତ୍ |
---|---|---|
ଉତ୍ପାଦିତ ବିଦ୍ୟୁତର ଦର/ଦାମ୍ | କମ୍ | ଅଧିକ |
ଆକସ୍ମିକ ଦୁର୍ଘଟଣା/ବିପର୍ଯୟର ସମ୍ଭାବନା | କମ୍ | ଅଧିକ |
ଦୈନିକ ବିଦ୍ୟୁତ୍ ଚାହିଦାର ସର୍ବାଧିକ ଭାଗ ପରିପୂର୍ଣ୍ଣ କରିବାର କ୍ଷମତା | କମ୍ | ଅଧିକ |
ଇଚ୍ଛାନୁଯାୟୀ ଆରମ୍ଭ ବା ବନ୍ଦ କରିପାରିବାର କ୍ଷମତା | ଅଧିକ | କମ୍ |
ଜଳ ବିଦ୍ୟୁତ୍ ଉତ୍ପାଦନ କ୍ଷମତାରେ ଭାରତ ବିଶ୍ୱରେ ସପ୍ତମ ସ୍ଥାନ ଗ୍ରହଣ କରିଛି । ୩୦ ଅପ୍ରେଲ୍ ୨୦୧୭ ସୁଦ୍ଧା ଭାରତରେ ପ୍ରତିଷ୍ଠିତ ବିଭିନ୍ନ ପ୍ରକଳ୍ପର ସର୍ବମୋଟ କ୍ଷମତା ୪୪,୫୯୪ ମେଗାୱାଟ୍[୨୯] ଓ ଛୋଟ ଛୋଟ ପ୍ରକଳ୍ପମାନଙ୍କ ସର୍ବମୋଟ କ୍ଷମତା ୪,୩୮୦ ମେଗାୱାଟ୍ ।[୩୦][୩୧] ଦାର୍ଜିଲିଂ ଓ ଶିବନସମୁଦ୍ରମ୍ ବିଦ୍ୟୁତ୍ ପ୍ରକଳ୍ପମାନ ଯଥାକ୍ରମେ ୧୮୯୮ ଓ ୧୯୦୨ ମସିହାରେ ପ୍ରତିଷ୍ଠା କରାଯାଇଥିଲା । ଏଗୁଡ଼ିକ ଏସିଆରେ ସ୍ଥାପିତ ପ୍ରଥମ କେତେକ ବୃହତ୍ ପ୍ରକଳ୍ପ ମଧ୍ୟରୁ ଅନ୍ୟତମ ।[୩୨] ଭାରତରେ ଜଳ ବିଦ୍ୟୁତ୍ ପ୍ରକଳ୍ପଗୁଡ଼ିକର ନିରୀକ୍ଷଣ ପାଇଁ ଜାତୀୟ ଜଳବିଦ୍ୟୁତ୍ ଶକ୍ତି ନିଗମ (ଇଂରାଜୀରେ NHPC: National Hydro Power Corporation) ପରି ଅନେକ ସରକାରୀ ସଂସ୍ଥା ଗଠିତ ହୋଇଛି ।
ଭାରତରେ ଉପଲବ୍ଧ ଜଳ ସମ୍ପଦର ବିନିଯୋଗ କରି ୧୪୮,୭୦୧ ମେଗାୱାଟ୍ ପର୍ଯ୍ୟନ୍ତ ବିଦ୍ୟୁତ୍ ଉତ୍ପାଦନ କରାଯାଇପାରିବ ।[୩୩][୩୪] ସମୁଦାୟ ୯୪,୦୦୦ ମେଗାୱାଟର ପମ୍ପ୍ ପରିଚାଳିତ ପ୍ରକଳ୍ପ ପାଇଁ ୫୬ଟି ସ୍ଥାନ ଚିହ୍ନଟ ହୋଇଛି । ମଧ୍ୟ ଭାରତରେ ଗୋଦାବରୀ, ମହାନଦୀ, ନାଗାବଳି, ବଂଶଧାରା, ନର୍ମଦା ଆଦି ନଦୀର ଅବବାହିକାରେ ଘଞ୍ଚ ଜନବସତି ଯୋଗୁଁ ଓ ଆଦିମ ଜନଜାତିଙ୍କ ବିରୋଧର ସମ୍ଭାବନା ଯୋଗୁଁ ବିଦ୍ୟୁତ୍ ଉତ୍ପାଦନ ପାଇଁ ଜଳ ସମ୍ପଦର ବ୍ୟବହାର କରାଯାଇପାରିନାହିଁ । [୩୫]
ସରକାରୀ ନିଗମ ଓ କମ୍ପାନୀମାନଙ୍କଦ୍ୱାରା ଭାରତର ୯୨.୫% ଜଳ ବିଦ୍ୟୁତ୍ ଉତ୍ପାଦିତ ହୁଏ । ଭାରତରେ ଜଳ ବିଦ୍ୟୁତ୍ ଉତ୍ପାଦନ ପାଇଁ ଅନେକ ସଂସ୍ଥା ଗଠିତ ହୋଇଛି । ସେମାନଙ୍କ ମଧ୍ୟରୁ କେତେକ ପ୍ରମୁଖ କମ୍ପାନୀଙ୍କ ନାମ ନିମ୍ନରେ ପ୍ରଦତ୍ତ ହୋଇଛି ।
ଇଂରାଜୀ ନାମ | ଇଂରାଜୀ ନାମର କ୍ଷୁଦ୍ରରୂପ | ଓଡ଼ିଆ ରୂପାନ୍ତର |
---|---|---|
National Hydroelectric Power Corporation | NHPC | ଜାତୀୟ ଜଳବିଦ୍ୟୁତ୍ ଶକ୍ତି ନିଗମ |
Northeast Electric Power Company | NEEPCO | ଉତ୍ତରପୂର୍ବ ବିଦ୍ୟୁତ୍ ଶକ୍ତି କମ୍ପାନୀ |
Satluj Jal Vidyut Nigam | SJVNL | ଶତଲେଜ୍ ଜଳ ବିଦ୍ୟୁତ୍ ନିଗମ |
Tehri Hydro Development Corporation India Limited | THDC | ତେହେରି ଜଳ ବିକାଶ ନିଗମ ଭାରତ ଲିମିଟେଡ୍ |
National Thermal Power Corporation-Hydro | NTPC-Hydro | ଜାତୀୟ ତାପଜ ବିଦ୍ୟୁତ୍ ନିଗମ (ଜଳ ବିଭାଗ) |
ବେସରକାରୀ କମ୍ପାନୀଙ୍କ ସହଯୋଗରେ ହିମାଳୟ ଓ ଉତ୍ତର-ପୂର୍ବ ଭାରତର ପାର୍ବତୀୟ ଅଞ୍ଚଳରେ ଜଳ ବିଦ୍ୟୁତ୍ ଯୋଜନାର ବିକାଶ ହୋଇପାରିବ । ଭାରତୀୟ କମ୍ପାନୀମାନେ ଭୁଟାନ୍, ନେପାଳ, ଆଫଗାନିସ୍ଥାନ ଓ ଅନ୍ୟ କେତେକ ଦେଶରେ ଜଳ ବିଦ୍ୟୁତ୍ ପ୍ରକଳ୍ପ ନିର୍ମାଣ କରିଛନ୍ତି । ଉତ୍ତର ଭାରତରେ ଭାକ୍ରା ବେଆସ୍ ପ୍ରବନ୍ଧ ବୋର୍ଡ୍ (ଇଂରାଜୀରେ Bhakra Beas Management Board - BBMB)ଦ୍ୱାରା ପରିଚାଳିତ ଜଳ ବିଦ୍ୟୁତ୍ ଯୋଜନାର ସର୍ବମୋଟ ଉତ୍ପାଦନ କ୍ଷମତା ୨.୯ ଗିଗାୱାଟ୍ ।[୩୬] ଆରମ୍ଭ ହେବାର ୪ ଦଶନ୍ଧି ପରେ କିଲୋୱାଟଘଣ୍ଟା ପ୍ରତି ବିଦ୍ୟୁତ୍ ଉତ୍ପାଦନର ଖର୍ଚ୍ଚ ବର୍ତ୍ତମାନ ପ୍ରାୟ ୨୭ ପଇସା ।
ଏକଦା ବିଦ୍ୟୁତ୍ ଶକ୍ତି ଅଭାବୀ ଦେଶ ଭାରତ ବର୍ତ୍ତମାନ ଏକ ବିଦ୍ୟୁତବହୁଳ ରାଷ୍ଟ୍ର । ବିଦ୍ୟୁତ୍ ଚାହିଦା ଅକସ୍ମାତ୍ ବଢ଼ିଗଲେ ପମ୍ପ୍ ଭଣ୍ଡାରୀକରଣ ପ୍ରଣାଳୀଦ୍ୱାରା ଏହାକୁ ପୂରଣ କରାଯାଇପାରେ । ପମ୍ପ୍ ସାହାଯ୍ୟରେ ଜଳ ଭଣ୍ଡାରର ଅଧିକ ପାଣିକୁ ଅନ୍ୟ ଏକ ଭଣ୍ଡାରରେ ରଖାଯାଏ ଓ ଆବଶ୍ୟକତା ଅନୁସାରେ ବ୍ୟବହାର କରାଯାଏ । ଭାରତରେ ଅଧୁନା ପମ୍ପ୍ ଭଣ୍ଡାର ମାନଙ୍କର ଉତ୍ପାଦନ କ୍ଷମତା ପ୍ରାୟ ୪୮୦୦ ମେଗାୱାଟ୍ । [୩୭]
ପ୍ରକଳ୍ପର ନାମ | ଉତ୍ପାଦନ କ୍ଷମତା | ରାଜ୍ୟ | ଅନ୍ୟ ତଥ୍ୟ |
---|---|---|---|
ତେହେରି ଡ୍ୟାମ୍ (୩ ସୋପାନ ବିଶିଷ୍ଟ) | ୨୪୦୦ ମେଗାୱାଟ୍ | ଉତ୍ତରାଖଣ୍ଡ | ୨୦୦୬ରେ ଉଦଘାଟିତ ଏହି ପ୍ରକଳ୍ପ ଭାରତର ଉଚ୍ଚତମ ନଦୀବନ୍ଧ । ସୋଭିଏତ୍ ଋଷର ସହାୟତରେ ୧୯୭୮ରେ ଏହାର ନିର୍ମାଣ ଆରମ୍ଭ ହୋଇଥିଲା । |
କୋଏନା ପ୍ରକଳ୍ପ (୪ ସୋପାନ ବିଶିଷ୍ଟ) | ୧୯୬୦ ମେଗାୱାଟ୍ | ମହାରାଷ୍ଟ୍ର | କୋଏନା ନଦୀ ଉପରେ ଏହି ଜଳ ବିଦ୍ୟୁତ୍ ପ୍ରକଳ୍ପ ନିର୍ମିତ । |
ଶ୍ରୀଶୈଳମ୍ | ୧୬୭୦ ମେଗାୱାଟ୍ | ଆନ୍ଧ୍ର ପ୍ରଦେଶ | କୃଷ୍ଣା ନଦୀ ଉପରେ ଏହି ଜଳ ବିଦ୍ୟୁତ୍ ପ୍ରକଳ୍ପ ନିର୍ମିତ । ଆନ୍ଧ୍ର ଓ ତେଲେଙ୍ଗାନା ରାଜ୍ୟ ସୀମାରେ ଏହାର ଅବସ୍ଥିତି । |
ନଥପା ଝକରି | ୧୫୦୦ ମେଗାୱାଟ୍ | ହିମାଚଳ ପ୍ରଦେଶ | ଶତଲେଜ୍ ନଦୀ ଉପରେ ଏହି ଜଳ ବିଦ୍ୟୁତ୍ ପ୍ରକଳ୍ପ ନିର୍ମିତ । |
ସର୍ଦାର ସରୋବର ନଦୀବନ୍ଧ | ୧୪୫୦ ମେଗାୱାଟ୍ | ହିମାଚଳ ପ୍ରଦେଶ | ଏହି ପ୍ରକଳ୍ପରୁ ଉତ୍ପାଦିତ ବିଦ୍ୟୁତ୍ ଓ ନଦୀଶଯ୍ୟାକୁ ପ୍ରବାହିତ ସେଚନ ଉପଯୋଗୀ ଜଳ ହିମାଚଳ ପ୍ରଦେଶ ଓ ପଞ୍ଜାବ ମଧ୍ୟରେ ବିଭକ୍ତ
ହୁଏ । |
ଚାମେରା ୧ | ୧୦୭୧ ମେଗାୱାଟ୍ | ହିମାଚଳ ପ୍ରଦେଶ | ରାବି ନଦୀ ଉପରେ ହିମାଚଳ ପ୍ରଦେଶର ଡେଲହାଉସୀ ନିକଟରେ ଏହି ଜଳ ବିଦ୍ୟୁତ୍ ପ୍ରକଳ୍ପ ନିର୍ମିତ । |
ଶରାବତୀ ପ୍ରକଳ୍ପ | ୧୦୩୫ ମେଗାୱାଟ୍ | କର୍ଣ୍ଣାଟକ | ଯୋଗ ଜଳପ୍ରପାତଠାରୁ ୬ କି.ମି. ଦୂରରେ ଶରାବତୀ ନଦୀ ଉପରେ ଏହି ଜଳ ବିଦ୍ୟୁତ୍ ପ୍ରକଳ୍ପ ନିର୍ମିତ । |
ଇନ୍ଦିରା ସାଗର ନଦୀବନ୍ଧ | ୧୦୦୦ ମେଗାୱାଟ୍ | ମଧ୍ୟ ପ୍ରଦେଶ | ନର୍ମଦା ନଦୀ ଉପରେ ନର୍ମଦାନଗର ନିକଟରେ ଏହି ପ୍ରକଳ୍ପ ନିର୍ମାଣ କରାଯାଇଛି । |
କର୍ଚମ୍ ୱାଂଗଟୁ ଜଳ ବିଦ୍ୟୁତ୍ କେନ୍ଦ୍ର | ୧୦୦୦ ମେଗାୱାଟ୍ | ହିମାଚଳ ପ୍ରଦେଶ | କିନ୍ନୌର ଜିଲ୍ଲାରେ ଶତଲେଜ୍ ନଦୀ ଉପରେ ଏହି ଜଳ ବିଦ୍ୟୁତ୍ ପ୍ରକଳ୍ପ ନିର୍ମିତ । |
ଦେହାର ଶକ୍ତି ପ୍ରକଳ୍ପ | ୯୯୦ ମେଗାୱାଟ୍ | ହିମାଚଳ ପ୍ରଦେଶ | ଏହି ପ୍ରକଳ୍ପର ଡ୍ୟାମକୁ “ପାନ୍ଦୋ” ନଦୀବନ୍ଧ ମଧ୍ୟ କୁହାଯାଏ । ବେଆସ୍ ନଦୀ ଉପରେ ଏହି ନଦୀବନ୍ଧ ନିର୍ମିତ । |
ନାଗାର୍ଜୁନ ସାଗର ନଦୀବନ୍ଧ | ୯୬୦ ମେଗାୱାଟ୍ | ଆନ୍ଧ୍ର ପ୍ରଦେଶ | କୃଷ୍ଣା ନଦୀ ଉପରେ ନିର୍ମିତ ଏହି ନଦୀବନ୍ଧ ଯୋଗୁଁ ସୃଷ୍ଟ ଜଳ ଭଣ୍ଡାରର ନାମ ନାଗାର୍ଜୁନ ସାଗର । |
ପୁରୁଲିଆ ପାସ୍ | ୯୦୦ ମେଗାୱାଟ୍ | ପଶ୍ଚିମ ବଙ୍ଗ | ପଶ୍ଚିମବଙ୍ଗ ରାଜ୍ୟ ବିଦ୍ୟୁତ୍ ବିତରଣ ସଂସ୍ଥାଦ୍ୱାରା ପରିଚାଳିତ ଏହି ପ୍ରକଳ୍ପରେ ପମ୍ପ୍ ପ୍ରଣାଳୀର ଉପଯୋଗ କରାଯାଏ । |
ଇଡୁକ୍କି | ୭୮୦ ମେଗାୱାଟ୍ | କେରଳ | ଇଡ଼ୁକ୍କି ଜିଲ୍ଲାରେ ପେରିୟାର୍ ନଦୀ ଉପରେ ଏହି ପ୍ରକଳ୍ପ ନିର୍ମିତ । ୧୯୭୬ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କଦ୍ୱାରା ଏହା ଉଦଘାଟିତ ହୋଇଥିଲା । |
ସଲାଲ୍୧, ୨ | ୬୯୦ ମେଗାୱାଟ୍ | ଜମ୍ମୁ ଓ କାଶ୍ମୀର | ଚେନାବ୍ ନଦୀ ଉପରେ ଏହି ପ୍ରକଳ୍ପ ନିର୍ମାଣ କରାଯାଇଛି । |
ଉପର ଇନ୍ଦ୍ରାବତୀ | ୬୦୦ ମେଗାୱାଟ୍ | ଓଡ଼ିଶା | ଇନ୍ଦ୍ରାବତୀ ନଦୀ ଉପରେ ଏହି ପ୍ରକଳ୍ପ ନିର୍ମାଣ କରାଯାଇଛି । |
ରଞ୍ଜିତ ସାଗର ନଦୀବନ୍ଧ | ୬୦୦ ମେଗାୱାଟ୍ | ପଞ୍ଜାବ | ଏହାକୁ “ଥେଇନ୍” ନଦୀବନ୍ଧ ବୋଲି ମଧ୍ୟ କୁହାଯାଏ । ରାବି ନଦୀ ଉପରେ ନିର୍ମିତ ଏହି ଡ୍ୟାମ୍ ଜଳସେଚନରେ ମଧ୍ୟ ସହାୟକ ହୁଏ । |
ଓଁକାରେଶ୍ୱର | ୫୨୦ ମେଗାୱାଟ୍ | ମଧ୍ୟ ପ୍ରଦେଶ | ଖଣ୍ଡୱା ଜିଲ୍ଲାରେ ନର୍ମଦା ନଦୀ ଉପରେ ଏହି ପ୍ରକଳ୍ପ ନିର୍ମିତ । |
ବାଲିମେଳା ନଦୀବନ୍ଧ | ୫୧୦ ମେଗାୱାଟ୍ | ଓଡ଼ିଶା | ମାଲକାନଗିରି ଜିଲ୍ଲାରେ ଗୋଦାବରୀର ଉପନଦୀ ସିଲେରୁ ନଦୀ ଉପରେ ଏହି ପ୍ରକଳ୍ପ ନିର୍ମିତ । ଆନ୍ଧ୍ର ପ୍ରଦେଶ ଓ ଓଡ଼ିଶା ସରକାରଙ୍କ
ମିଳିତ ଉଦ୍ୟମରେ ଏହା ନିର୍ମିତ ହୋଇଥିଲା । |
ତୀସ୍ତା ନଦୀବନ୍ଧ | ୫୧୦ ମେଗାୱାଟ୍ | ସିକ୍କିମ୍ | ପୂର୍ବ ସିକ୍କିମ୍ ଜିଲ୍ଲାରେ ତୀସ୍ତା ନଦୀ ଉପରେ ନିର୍ମିତ ୬ଟି ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ମଧ୍ୟରୁ ତୀସ୍ତା-୫ ଅନ୍ୟତମ । |
ରାଜ୍ୟ ସରକାରଙ୍କଦ୍ୱାରା ଓଡ଼ିଶା ଜଳ ବିଦ୍ୟୁତ୍ ନିଗମ (ଇଂରାଜୀରେ Odisha Hydro Power Corporation ବା OHPC)ର ପ୍ରତିଷ୍ଠା କରାଯାଇଛି ।
ପ୍ରକଳ୍ପର ନାମ | ନଦୀ | ଜିଲ୍ଲା | ବିଦ୍ୟୁତ୍ ଉତ୍ପାଦନ କ୍ଷମତା |
---|---|---|---|
ବାଲିମେଳା | ସିଲେରୁ | ମାଲକାନଗିରି | ୫୧୦ ମେଗାୱାଟ୍ |
ହୀରାକୁଦ | ମହାନଦୀ | ସମ୍ବଲପୁର | ୨୭୫.୫ ମେଗାୱାଟ୍ |
ମାଛକୁଣ୍ଡ | ମାଛକୁଣ୍ଡ | କୋରାପୁଟ | ୧୨୦ ମେଗାୱାଟ୍ |
ରେଙ୍ଗାଳି | ବ୍ରାହ୍ମଣୀ | ଅନୁଗୁଳ | ୨୫୦ ମେଗାୱାଟ୍ |
ଉପର ଇନ୍ଦ୍ରାବତୀ | ଇନ୍ଦ୍ରାବତୀ | କଳାହାଣ୍ଡି | ୬୦୦ ମେଗାୱାଟ୍ |
ଉପର କୋଲାବ୍ | କୋଲାବ୍ | କୋରାପୁଟ | ୩୨୦ ମେଗାୱାଟ୍ |
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.