ଏକ ସମୟ ଯେତେବେଳେ ଜଣେ ମହିଳାଙ୍କ ଗର୍ଭରେ ଏକ ନୂତନ ଶିଶୁ ସୃଷ୍ଟି ହୁଏ From Wikipedia, the free encyclopedia
ଗର୍ଭାବସ୍ଥା, (ଅନ୍ୟ ନାମ ପ୍ରେଗନାନ୍ସି ବା ଗ୍ରାଭିଡିଟି ବା ଜେସ୍ଟାସନ, ଇଂରାଜୀରେ ଯଥାକ୍ରମେ Pregnancy or gravidity or gestation) ଏକ ସମୟ ଯେତେବେଳେ ଜଣେ ମହିଳାଙ୍କ ଗର୍ଭରେ ଏକ ନୂତନ ଅପତ୍ୟ (offspring) ସୃଷ୍ଟି ହୁଏ । [1] ଯାଆଁଳା ନାମ ଦିଆଯାଏ ଯେତେବେଳେ ଏକାଧିକ ଶିଶୁ ଗର୍ଭରେ ସୃଷ୍ଟି ହୁଅନ୍ତି । [2] ଯୌନ ସମ୍ଭୋଗ କିମ୍ବା ସାହାଯ୍ୟକାରୀ ପ୍ରଜନନ ପ୍ରକ୍ରିୟାଦ୍ୱାରା ଗର୍ଭାଧାନ ହୋଇପାରେ । ସାଧାଣତଃ ଏଲ.ଏମ.ପି. ବା ଶେଷ ଋତୁସ୍ରାବଠାରୁ ଶିଶୁ ଜନ୍ମ ପର୍ଯ୍ୟନ୍ତ ୪୦ ସପ୍ତାହ ଧରି ଏହି ସମୟ ବା ଗର୍ଭାବସ୍ଥା ରହେ । [1][3] ଚାନ୍ଦ୍ର ମାସ ଅନୁସାରେ ଏହି ସମୟ ୯ ମାସରୁ ଅଧିକ ହୁଏ ଯେ ହେତୁ ଏହି ମାସର ଅବଧି ୨୯ ୧/୨ ଦିନ ଥାଏ । [1][3] ଗର୍ଭାଧାନ (fertilisation) ସମୟରୁ ହିସାବ କଲେ ଏହା ୩୮ ସପ୍ତାହ ହୁଏ । ଗର୍ଭାଧାନରୁ ପ୍ରଥମ ୮ ସପ୍ତାହ ପର୍ଯ୍ୟନ୍ତ ଗର୍ଭସ୍ଥ ଶିଶୁକୁ ଭୃଣ (embryo) କୁହାଯାଏ ଓ ତା ପରେ ଜନ୍ମ ପର୍ଯ୍ୟନ୍ତ ଫିଟସ (fetus) କୁହାଯାଏ ।[3] ଗର୍ଭାବସ୍ଥାର ପ୍ରଥମ ସମୟରେ ଋତୁସ୍ରାବ ବନ୍ଦ ହୋଇଯାଏ, ସ୍ତନ ଦରଜ ହୁଏ, ପ୍ରାତଃ ବେମାରୀ ବା ମର୍ନିଙ୍ଗ ସିକନେସ (ଅଇ ଓ ବାନ୍ତି) ହୁଏ, ଭୋକ ବେଶୀ ହୁଏ ଓ ବାରମ୍ବାର ପରିସ୍ରା ହୁଏ ।[4] ପ୍ରେଗନାନସି ଟେସ୍ଟ (pregnancy test) ବା ପରୀକ୍ଷା କରି ଗର୍ଭାଧାନ ହୋଇଛି କି ନାହିଁ ଜଣାଯାଏ ।[5]
ଗର୍ଭାବସ୍ଥା | |
---|---|
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | gynaecology[*] |
ଆଇସିଡ଼ି-୧୦ | Z33. |
ଆଇସିଡ଼ି-୯-ସିଏମ୍ | 650 |
ରୋଗ ଡାଟାବେସ | 10545 |
ମେଡ଼ିସିନ-ପ୍ଲସ | 002398 |
ଇ-ମେଡ଼ିସିନ | article/259724 |
MeSH | D011247 |
ଗର୍ଭାବସ୍ଥାକୁ ୩ଟି ତ୍ରୈମାସିକରେ ବିଭକ୍ତ କରାଯାଏ । ଡିମ୍ବାଣୁ ଓ ଶୁକ୍ରାଣୁ ମିଳନ ପରେ ନିଷିକ୍ତ ଡିମ୍ବାଣୁ ଫାଲୋପିଆନ ଟ୍ୟୁବରୁ ତଳକୁ ଖସି ଆସି ଜରାୟୁରେ ସଂଯୁକ୍ତ ହୋଇଯାଏ ଓ ସେଠାରେ ଫିଟସ ଓ ପ୍ଲାସେଣ୍ଟା ତିଆରି ହୁଏ । [1] ଏହି ପ୍ରଥମ ତ୍ରୈମାସିକ ସମୟରେ ସ୍ୱତଃ ଗର୍ଭପାତ (miscarriage) ବା ଭ୍ରୁଣ/ଫିଟସର ସ୍ୱାଭାବିକ ମୃତ୍ୟୁ ଅଧିକ ହୁଏ । [6] ତେର ସପ୍ତାହରୁ ୨୮ ସପ୍ତାହ ପର୍ଯ୍ୟନ୍ତ ସମୟକୁ ଦ୍ୱିତୀୟ ତ୍ରୈମାସିକ କୁହାଯାଏ । ତୃତୀୟ ତ୍ରୈମାସିକ ୨୯ ସପ୍ତାହରୁ ୪୦ ସପ୍ତାହକୁ କୁହାଯାଏ । [1]
ଗର୍ଭିଣୀର ପ୍ରସବପୂର୍ବ ଯତ୍ନ ଉପରେ ଗର୍ଭାବସ୍ଥାର ଫଳାଫଳ ନିର୍ଭର କରେ । [7] ଏହି ଯତ୍ନ ମଧ୍ୟରେ ଅଧିକ ଫଲିକ ଏସିଡ ଖାଇବା, ନିଶା ଦ୍ରବ୍ୟ ନିଷିଦ୍ଧ କରିବା, ନିୟମିତ ବ୍ୟାୟାମ କରିବା, ରକ୍ତ ପରୀକ୍ଷା ଓ ନିୟମିତ ଶାରୀରିକ ପରୀକ୍ଷା ଇତ୍ୟାଦି କରିବା ଆବଶ୍ୟକ । [7] ଗର୍ଭାବସ୍ଥା ଜଟିଳତା ମଧ୍ୟରେ ଗର୍ଭାବସ୍ଥା ଉଚ୍ଚ ରକ୍ତଚାପ, ଗର୍ଭାବସ୍ଥା ଡାଏବେଟିସ, ଲୌହ ଅଭାବ ଆନିମିଆ, ଓ ଅତ୍ୟଧିକ ଓକାଳ ଓ ବାନ୍ତି ହୁଏ । [8] ଟର୍ମ ଗର୍ଭାବସ୍ଥା ୩୭ରୁ ୪୧ ସପ୍ତାହକୁ କୁହାଯାଏ, ସହଳ ଟର୍ମ ୩୭ ଓ ୩୮ ସପ୍ତାହ, ସମ୍ପୂର୍ଣ୍ଣ ଟର୍ମ ୩୯ ଓ ୪୦ ସପ୍ତାହ ଓ ଲେଟ ଟର୍ମ ୪୧ ସପ୍ତାହ । ୪୧ ସପ୍ତାହ ପରେ ଗର୍ଭ ରହିଲେ ତାହାକୁ ପୋଷ୍ଟ ଟର୍ମ କୁହାଯାଏ । ୩୭ ସପ୍ତାହ ପୂର୍ବରୁ ଜନ୍ମିତ ଶିଶୁର ସେରେବ୍ରାଲ ପାଲ୍ସି ହେବା ସଙ୍କଟ ବଢ଼ିଯାଏ । [1] ୩୯ ସପ୍ତାହ ପୂର୍ବରୁ କୌଣସି ଡାକ୍ତରୀ କାରଣ ନ ଥାଇ ସିଜରିଆନ ସେକସନ ବା ପ୍ରସବ ପ୍ରେରଣ କରିବାକୁ ସୁପାରିସ କରାଯାଏ ନାହିଁ । [9]
ସନ୨୦୧୨ରେ ପୃଥିବୀରେ ପ୍ରାୟ ୨୧୩ ନିୟୁତ ଗର୍ଭଧାରଣ ହୋଇଥିଲା, ୧୯୦ ନିୟୁତ ବିକାଶଶୀଳ ଦେଶ ଓ ୨୩ ନିୟୁତ ବିକଶିତ ଦେଶମାନଙ୍କରେ ହୋଇଥିଲା । ପନ୍ଦରରୁ ୪୪ ବର୍ଷ ବଯସର ମହିଳାଙ୍କ ମଧ୍ୟରୁ ପ୍ରତି ଏକ ହଜାରରେ ୧୩୩ ମହିଳା ଗର୍ଭଧାରଣ କରିଥିଲେ । [10] ସେମାନଙ୍କ ମଧ୍ୟରୁ ୧୦ରୁ ୧୫ % ମହିଳାଙ୍କର ସ୍ୱତଃ ଗର୍ଭପାତ ହୋଇଥିଲା । [6] ସନ ୨୦୧୩ରେ ଗର୍ଭ ଜଟିଳତାରେ ୨୯୩,୦୦୦ ମୃତ୍ୟୁ ହୋଇଥିଲା ଓ ଏହା ସନ ୧୯୯୦ରେ ହୋଇଥିବା ୩୭୭,୦୦୦ ମୃତ୍ୟୁ ଅପେକ୍ଷା କମ ଥିଲା । ଏଥିରୁ ଅର୍ଦ୍ଧେକ ସଂଖ୍ୟା ଗର୍ଭପାତରେ ଶେଷ ହୁଏ । [10] ଆମେରିକାରେ ଗର୍ଭ ଧାରଣ କରୁଥିବା ମହିଳାଙ୍କ ମଧ୍ୟରୁ ୬୦ % ମହିଳା ଜନ୍ମ ନିରୋଧ ବଟିକା ବ୍ୟବହାର କରୁଥିଲେ । [11]
ଗର୍ଭିଣୀ ନାରୀର ବୈଜ୍ଞାନିକ ନାମ କରଣ ଗ୍ରାଭିଡା ଅନୁସାରେ ହିସାବ ହୁଏ । ଲାଟିନ ଭାଷାରେ ଗ୍ରାଭିଡ୍ ଶବ୍ଦର ଅର୍ଥ ଓଜନିଆ । ଜଣେ ନାରୀ ୩ ଥର ଗର୍ଭ ଧାରଣ କଲେ ତୃତୀୟ ଥରକୁ ତୃତୀୟ ଗ୍ରାଭିଡା କୁହାଯିବ। ପ୍ରତି ଥର ଗୋଟିଏ କରି ଗ୍ରଭିଡା ସଂଖ୍ୟା ବଢ଼ି ବଢ଼ି ଚାଲିବ । ମୋଟେ ଗର୍ଭ ଧାରଣ ନ କରି ଥିଲେ ନଲିଗ୍ରାଭିଡା କୁହାଯିବ । ପ୍ରଥମ ଥର ଗର୍ଭକୁ ପ୍ରାଇମି ଗ୍ରାଭିଡା କୁହାଯିବ । ଜନ୍ମକୁ ପାରିଟି ବା ପାରା କହନ୍ତି । ଯମଜ ସନ୍ତାନକୁ ଗୋଟିଏ ପାରା ଧରାଯାଏ । ସ୍ଟିଲ୍ ବାର୍ଥକୁ ମଧ୍ୟ ଗୋଟିଏ ପାରା କହନ୍ତି । ଗୋଟିଏ ନାରୀର ଦ୍ୱିତୀୟ ଗର୍ଭକୁ ଦ୍ୱିତୀୟ ଗ୍ରାଭିଡା ଓ ପ୍ରଥମ ପାରା କୁହାଯିବ, କାରଣ ସେ ଥରେ ସନ୍ତାନ ପ୍ରସବ କରିଛି । ନଲି ଗ୍ରାଭିଡା ଭଳି କୌଣସି ଜନ୍ମ ହୋଇ ନ ଥିଲେ ନଲି ପାରା କହନ୍ତି । ପଞ୍ଚମ ଥର ଗର୍ଭ ଧାରଣ କରି ଯଦି ଦୁଇଟି ଛୁଆ ଜନ୍ମ କରିଥାଏ, ତାହା ହେଲେ ତାକୁ ପଞ୍ଚମ ଗ୍ରାଭିଡା ଓ ଦ୍ୱିତୀୟ ପାରା କୁହାଯିବ । ଗର୍ଭ ଓ ପ୍ରସବ ସମୟର ସମ୍ଭାବ୍ୟ ବିପଦ ବିଷୟରେ ସଚେତନ ରହି ତାହାର ଚିକିତ୍ସା କରିବା ନିମନ୍ତେ ଏହି ଶବ୍ଦ ଗୁଡିକର ସୃଷ୍ଟି କରାହୋଇଛି । ବିଲକୁଲ ଛୁଆ ନ ଥିଲେ ନଲି ପାରା ଓ ନଲି ଗ୍ରାଭିଡା କୁହାଯାଏ ।
ଯୌନ ସମ୍ଭୋଗ ପରେ ଶୁକ୍ରାଣୁଦ୍ୱାରା ବିଦ୍ଧ ହୋଇ ଡିମ୍ବାଣୁର ଗର୍ଭାଧାନ ହୁଏ ଓ ନିବିଦ୍ଧ ଡିମ୍ବାଣୁକୁ ଜାଇଗୋଟ୍ ନାମ ଦିଆଯାଏ । ଏହାକୁ ସ୍ୱାଭାବିକ ଗର୍ଭାଧାନ କୁହାଯାଏ । ଏହା ବ୍ୟତୀତ ଶରୀର ବାହାରେ କୃତ୍ରିମ ଉପାୟରେ ଡିମ୍ବାଣୁକୁ ଶୁକ୍ରାଣୁଦ୍ୱାରା ନିବିଦ୍ଧ କରାଯାଇ ଗର୍ଭାଧାନ କରାଯାଇ ପାରେ । ପୁରୁଷ ବା ସ୍ତ୍ରୀର ଅକ୍ଷମତା ଯୋଗୁ ଗର୍ଭାଧାନ ସମ୍ଭବ ନ ହେଲେ ବା ନିଜ ଇଚ୍ଛାରେ ଏହି କୃତ୍ରିମ ଗର୍ଭ ସଞ୍ଚାର କରାଯାଇ ପାରେ ।
ଗର୍ଭାଧାନ ପ୍ରକ୍ରିୟା କେତେଗୁଡିଏ ସୋପାନରେ ସାଧିତ ହୁଏ । ଯେ କୌଣସି ସୋପାନରେ କିଛି ବାଧା ଆସିଲେ ଗର୍ଭ ସଞ୍ଚାର ହୋଇ ପାରେ ନାହିଁ । ଶୁକ୍ରାଣୁ ଓ ଡିମ୍ବାଣୁର କ୍ରୋମୋଜୋମ୍ ସଂଖ୍ୟା ଅଧା ବା ହାପ୍ଲଏଡ ଥାଏ, ଅର୍ଥାତ୍ ପ୍ରତି କ୍ରୋମୋଜୋମର ଅଧା ସଂଖ୍ୟା ଥାଏ । ଶୁକ୍ରାଣୁ ଓ ଡିମ୍ବାଣୁର କ୍ରୋମୋଜୋମ୍ ମିଶି ସମ୍ପୁର୍ଣ୍ଣ ଡିପ୍ଲଏଡ୍ କ୍ରୋମୋଜୋମରେ ପରିଣତ ହୁଏ ଓ ଜିନୋମ୍ ତିଆରି ହୁଏ ।
ସଦ୍ୟ ନିର୍ଗତ ଶୁକ୍ରାଣୁର ଡିମ୍ବାଣୁକୁ ବିଦ୍ଧ କରିବା ଶକ୍ତି ନ ଥାଏ ବା ସ୍ୱଳ୍ପ ଶକ୍ତି ବିଶିଷ୍ଟ ଥାଏ । ଶୁକ୍ରାଣୁର ଏହି ଶକ୍ତି (Capacitation) ଆସିବା ନିମିତ୍ତ କିଛି ଘଣ୍ଟା ଲାଗେ । ଏହି ସମୟ ମଧ୍ୟରେ ନାରୀର ଜନନେନ୍ଦ୍ରିୟ ମଧ୍ୟରେ ଶୁକ୍ରାଣୁର ଗତି ଶକ୍ତି ବୃଦ୍ଧି ହୁଏ ଓ ଏହାର ପରିବର୍ତ୍ତନ ହୁଏ ଯେପରିକି ଡିମ୍ବାଣୁର ଶକ୍ତ ଆବରଣ ଜୋନା ପେଲୁସିଡାକୁ ଭେଦ କରି ପାରିବ । ଦୁଇଟି ଓଭାରି ବା ଡିମ୍ବାଶୟ ମଧ୍ୟରୁ ପ୍ରତି ମାସରେ ଯେ କୌଣସି ଗୋଟିକରୁ ଏକ ଡିମ୍ବାଣୁ ନିର୍ଗତ ହୋଇ ନିକଟସ୍ଥ ଫାଲୋପିଆନ ଟ୍ୟୁବ ବାଟ ଦେଇ ଜରାୟୁକୁ ଆସେ । ନାରୀ ଶରୀରରେ ଦୁଇଟି ଡିମ୍ବାଶୟ ଥାଏ ଓ ଏହି ଦୁଇ ଡିମ୍ବାଶୟରୁ ଦୁଇଟି ଫାଲୋପିଆନ୍ ନଳୀ ମଧ୍ୟ ଦେଇ ଡିମ୍ବାଣୁ ଜରାୟୁ ଭିତରକୁ ଆସେ । ପ୍ରକୃତ ଗର୍ଭାଧାନ ଫାଲୋପିଆନ୍ ଟ୍ୟୁବ୍ ମଧ୍ୟରେ ହୁଏ ଓ ସେହି ନିବିଦ୍ଧ ଡିମ୍ବାଣୁ ଫାଲୋପିଆନ ଟ୍ୟୁବ ମଧ୍ୟ ଦେଇ ଜରାୟୁ ମଧ୍ୟକୁ ଆସେ ଓ ସେଠାରେ ଜରାୟୁ ସହ ସଂଯୁକ୍ତ ହୋଇ ବୃଦ୍ଧି ପ୍ରାପ୍ତ ହୋଇ ଫିଟସରେ ପରିଣତ ହୁଏ । ଫାଲୋପିଆନ ଟ୍ୟୁବ ମଧ୍ୟରେ ଡିମ୍ବାଣୁ ନିବିଦ୍ଧ ହେବା ପରେ ୨୪ରୁ ୩୬ ଘଣ୍ଟା ମଧ୍ୟରେ ଜୀବ କୋଷ ବିଭାଜିତ (Cell division) ହୁଏ ଓ ଏହି ଜାଇଗୋଟ୍ ଜରାୟୁକୁ ଆସିବା ପାଇଁ ଗୋଟିଏ ସପ୍ତାହ ଲାଗେ । କୋଷ ବିଭାଜନ ଦୃତ ଗତିରେ ସଂଘଟିତ ହୁଏ ଓ ବ୍ଲାସ୍ଟୋସିସ୍ଟରେ ପରିଣତ ହୁଏ । ବ୍ଲାସ୍ଟୋସିସ୍ଟରେ ତିନୋଟି ସ୍ତର ଥାଏ: ସେମାନଙ୍କ୍ ନାମ ଏକ୍ଟୋଡର୍ମ (Ectoderm), ଏଣ୍ଡୋଡର୍ମ (Endoderm) ଓ ମେସୋଡର୍ମ (Mesoderm)। ଏକ୍ଟୋଡର୍ମରୁ ନଖ, ବାଳ, ଚର୍ମ ତଳେ ଥିବା ଗ୍ରନ୍ଥି, ସ୍ତନ, ଏପିଡର୍ମିସ ବା ଅଧି
ଚର୍ମ, ମସ୍ତିଷ୍କ, ମେରୁଦଣ୍ଡ, ସ୍ନାୟୁ ମଣ୍ଡଳ ଓ କାନ ଆଖି ନାକର ସ୍ପର୍ଶ ଶକ୍ତି ଥିବା ଏପିଥେଲିଅମ ସୃଷ୍ଟି ହୁଏ । ଏଣ୍ଡୋଡର୍ମରୁ ଶରୀର ମଧ୍ୟସ୍ଥ ଅଙ୍ଗ ସମୂହ ଯଥା:- ପରିପାକ ବିଭାଗ, ବୃକ୍କ, ଥାଇରଏଡ, ପାରାଥାଇରଏଡ ଓ ଶ୍ୱାସ ବିଭାଗ ଇତ୍ୟାଦି ସୃଷ୍ଟି ହୁଏ । ମେସୋଡର୍ମରୁ ମାଂସ ଓ ହାଡ଼ ତିଆରି ହୁଏ । ଅବଶେଷରେ ବ୍ଲାସ୍ଟୋସିସ୍ଟ ଫାଲୋପିଆନ ନଳୀରୁ ଆସି ଜରାୟୁରେ ପହଞ୍ଚେ ତାହାର ଅନ୍ତଃ ଆବରଣରେ ସଂଯୁକ୍ତ ହୋଇଯାଏ । ଏହି ସଂଯୁକ୍ତ କ୍ରିୟାକୁ ଇମ୍ପ୍ଲାଣ୍ଟେସନ୍ କୁହାଯାଏ (Implantation)।
ଭୃଣ ଅବସ୍ଥାରେ ଫଳଯୁକ୍ତ ଡିମ୍ବାଣୁ କ୍ରମ ବିଭାଜିତ ହୁଏ ଓ କୋଷ ପୃଥକୀକରଣ (Cell differentiation)ହୁଏ । ଏହି ପ୍ରକ୍ରିୟା ୮ ସପ୍ତାହ ପର୍ଯ୍ୟନ୍ତ ଚାଲି ଶେଷ ହୁଏ । ପ୍ଲାସେଣ୍ଟା (Placenta) ଓ ନାହି ନାଡ଼ (Umbilical cord) ତିଆରି ହୁଏ । ଏହି ସମୟରେ କୋଷ ପୃଥକୀକରଣ ହୋଇ ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ ତଥା ସ୍ନାୟୁ ବିଭାଗ ଆଦି ସୃଷ୍ଟି ହୁଏ । ଏହି ଭୃଣ ଅବସ୍ଥା ସରି ଆସିଲା ବେଳକୁ ଆଖି, କାନ, ପାଟି ଓ ଅଙ୍ଗୁଳିଗୁଡ଼ିକ ସାମାନ୍ୟ ଦୃଷ୍ଟି ଗୋଚର ହୁଅନ୍ତି ।
କୋଷ ପୃଥକୀକରଣ ଶେଷ ହୋଇ ଫିଟସ୍ ଅବସ୍ଥାରେ ପହଞ୍ଚେ । ଭୃଣ ଅବସ୍ଥାରେ ପରିବର୍ତ୍ତିତ ହୋଇଥିବା ଆକାର ସବୁ ଫିଟସ୍ ଅବସ୍ଥାରେ ଅଧିକ ଭଲ ଭାବରେ ଗଢ଼ା ହୁଏ । ଗର୍ଭର ତୃତୀୟ ମାସରେ ଫିଟସର ଯୌନ ଅଙ୍ଗ ସୃଷ୍ଟି ହୁଏ । କ୍ରମସଃ ଗର୍ଭସ୍ଥ ଶିଶୁର ଓଜନ ଓ ଲମ୍ବ ବଢ଼ିଚାଲେ ।
ଡାକ୍ତର ଅନ୍ୟ ସେବା କର୍ମଚାରୀମାନେ ତିନି ପ୍ରକାର ତାରିଖକୁ ଗର୍ଭର ଆରମ୍ଭ ଭାବେ ହିସାବ କରନ୍ତି ।
ନିୟମିତ ୨୮ ଦିନର ଋତୁ ଚକ୍ର ହେଉଥିବା କେତେକ ଗର୍ଭବତୀ ମହିଳା ଯାହାଙ୍କର ସ୍ୱତଃ ଗର୍ଭ ବେଦନା ହେଲା,ସେମାନଙ୍କୁ ନେଇ ସମୁଦାୟ ଗର୍ଭ ସମୟ ହିସାବ କରାଗଲା । ଦେଖାଗଲା ମାଆମାନଙ୍କର ଶେଷ ଋତୁ ସ୍ରାବ ସ୍ମରଣ ଅନୁସାରେ ଗର୍ଭ ସମୟ ହାରାହାରି ୨୮୩.୪ ଦିନ, ଦ୍ୱିତୀୟ ଟ୍ରାଇମିସ୍ଟରରେ ଅଲ୍ଟ୍ରାସାଉଣ୍ଡ ପରୀକ୍ଷା କରି ଗର୍ଭାଧାନ ସମୟ ହାରାହାରି ୨୮୦.୬ ଦିନ । ବହୁତ ପ୍ରକାର ଅନିତ୍ୟ ଅବସ୍ଥାକୁ ବିଚାରକୁ ନେଇ ଅବଶେଷରେ ନିଧାର୍ଯ୍ୟ କରାଗଲା, ୨୮୦ ଦିନ ବା ୪୦ ସପ୍ତାହ ହେଉଛି ଗର୍ଭ ସମୟ ।
ବିଭିନ୍ନ ମହିଳାମାନଙ୍କର ଭିନ୍ନ ଭିନ୍ନ ସମୟରେ ପ୍ରସବ ହେଉଥିବାରୁ ନିର୍ଦ୍ଦିଷ୍ଟ ପ୍ରସବ ତାରିଖ ପୂର୍ବାନୁମାନ କରି ହେବ ନାହିଁ । ତେବେ ଦେଖାଯାଏ, ହିସାବ କରାଯାଇଥିବା ତାରିଖର ପୂର୍ବାପର ୮ରୁ ୯ ଦିନ ଏ ପାଖ ସେ ପାଖ ହୁଏ । ୫% ମହିଳା ସଠିକ ସମୟରେ (୪୦ ସପ୍ତାହ) , ୫୦% ଏକ ସପ୍ତାହର ବ୍ୟତିକ୍ରମରେ ଓ ୮୦% ମହିଳା ୨ ସପ୍ତାହ ବ୍ୟତିକ୍ରମରେ ପ୍ରସବ କରନ୍ତି । ନିର୍ଦ୍ଦିଷ୍ଟ ପ୍ରସବ ତାରିଖ ନ ଦେଇ ବ୍ୟବଧାନ ସମୟ ଦେଲେ ଭଲ ।
କେତେକ କାରଣ ଯୋଗୁ ନିର୍ଦ୍ଦିଷ୍ଟ ତାରିଖ ନିର୍ଣ୍ଣୟ ଉପକାରରେ ଆସେ । କେତେକ ଟେଷ୍ଟ/ପରୀକ୍ଷା ନିର୍ଦ୍ଦିଷ୍ଟ ସମୟରେ କରିବା ଦରକାର । ହିସାବ ଅନୁସାରେ ନିର୍ଦ୍ଦିଷ୍ଟ ସମୟ ଅତିବାହିତ ହୋଇଗଲେ କୃତ୍ରିମ ଉପାୟରେ ପ୍ରସବ କରାଯାଏ । ଏଲ୍.ଏମ୍.ପି ଓ ଅଲ୍ଟ୍ରାସାଉଣ୍ଡ ଅନୁସାରେ ଗର୍ଭସ୍ଥ ଶିଶୁର ବିକାଶରେ ତାରତମ୍ୟ ଦେଖିଲେ ଗର୍ଭିଣୀର ସ୍ୱତନ୍ତ୍ର ଯତ୍ନ ଆବଶ୍ୟକ ହୁଏ । ଏହି ସବୁ କାରଣ ଯୋଗୁ ଯଥା ସମ୍ଭବ ସଠିକ୍ ଗର୍ଭ ସମୟ ନିର୍ଦ୍ଧାରଣ ଆବଶ୍ୟକ ହୋଇଥାଏ ।
ନିୟମିତ ଚିକିତ୍ସା ବିଜ୍ଞାନର ଉନ୍ନତି ଯୋଗୁ ଶିଶୁର କେବେଠାରୁ ଜୀବନୀ ଶକ୍ତି ଆସେ ସେ ସମୟ ୨୮ ସପ୍ତାହରୁ କମି ୨୩ ବା ୨୨ ସପ୍ତାହରେ ଅଧୁନା ନିର୍ଧାରିତ ହେଉଛି ।
ଗର୍ଭ ସମୟ ୪୨ ସପ୍ତାହ ବା ୨୯୪ ଦିନ ପୂର୍ବରୁ ଓ ୩୭ ସପ୍ତାହ ପୂର୍ଣ୍ଣ ହେଲେ ଟର୍ମ ହୋଇଗଲା ବୋଲି କୁହାଯାଏ । ୪୦ ସପ୍ତାହ ପୂରିଗଲେ ପୂରା ଟର୍ମ (full term) ହେବା ଧରାଯାଏ । ଏହା ଗର୍ଭର ୯ ମାସ ଓ ଗର୍ଭାଧାନର ୨୬୬ ଦିନ ସମୟ ।
ପୂର୍ଣ୍ଣ ୩୭ (୨୫୯ ଦିନ) ସପ୍ତାହ ପୂର୍ବରୁ କିଛି ଅଘଟଣ ହେଲେ ତାହା ପ୍ରିଟର୍ମ ଘଟଣା ହିସାବରେ ନିଆଯାଏ । ୪୨ ସପ୍ତାହ ବା ୨୯୪ ପରଠାରୁ ପୋଷ୍ଟ ଟର୍ମ ଆରମ୍ଭ ହୁଏ । ଏହି ସମୟଟି ଉଭୟ ମା ଓ ଶିଶୁ ନିମନ୍ତେ ବିପଦ ପୂର୍ଣ୍ଣ । କୌଣସି ଗର୍ଭ ଅଘଟଣ ନ ଥିଲେ ୪୧ ଓ ୪୨ ସପ୍ତାହ ମଧ୍ୟରେ କୃତ୍ରିମ ପ୍ରସବ କରାଯାଏ ।
୩୭ ସପ୍ତାହ ପରେ ଟର୍ମ ହେବା ଧରାଗଲେ ମଧ୍ୟ ୩୯ ସପ୍ତାହ ପୂର୍ବରୁ ଜଟିଳତା ଓ ଅପରିପକ୍ୱତା ଅଧିକ ଦେଖାଯାଏ । ଅସମ୍ପୁର୍ଣ୍ଣ ଫୁସଫୁସ, କମ ଥିବା ରୋଗ ନିରୋଧକ ଶକ୍ତି ଯୋଗୁ ରୋଗ ସଂକ୍ରମଣ, ଅଗଢ଼ା ମସ୍ତିଷ୍କ ଯୋଗୁ ପାନ କରାଇବାରେ ଅସୁବିଧା ଓ ଅସମ୍ପୁର୍ଣ୍ଣ ଲିଭର/ଯକୃତ ଯୋଗୁ କାମଳ ରୋଗ ହୁଏ । ସିଜରିଆନ ଅପରେଶନ୍ ପରବର୍ତ୍ତୀ ଜଟିଳତା ମଧ୍ୟ ଅଧିକ ଦେଖାଯାଏ ।
ଆଜିକାଲି ପ୍ରେଟର୍ମ ଓ ପୋଷ୍ଟ ଟର୍ମ ବଦଳରେ ପ୍ରିମାଚ୍ୟୁର ଓ ପୋଷ୍ଟ୍ ମାଚ୍ୟୁର ଶବ୍ଦ ଅଧିକ ବ୍ୟବହାର ହେଉଛି । କିନ୍ତୁ ପ୍ରିମାଚ୍ୟୁର ଅଧିକତର ଶୁଶୁର ଆକାର ଓ ବର୍ଦ୍ଧିଷ୍ଣ୍ଣୁ ଅବସ୍ଥାକୁ ବୁଝାଉଛି, ଗର୍ଭିଣୀର ଅବସ୍ଥାକୁ ନୁହେଁ ।
ପ୍ରସବ କ୍ରିୟାଦ୍ୱାରା ନବଜାତ ଶିଶୁ ମା ଗର୍ଭରୁ ଜନ୍ମ ଗ୍ରହଣ କରେ ।
ଜରାୟୁ ସଂକୋଚନ ଅନୁଭବ କଲେ ଗର୍ଭିଣୀ ମହିଳା ପ୍ରସବ କରିବାକୁ ଯାଉଛନ୍ତି ବୋଲି ଧରାଯାଏ । ଏହି ସମୟରେ ସର୍ଭିକ୍ସ ଛୋଟ ହୁଏ ଓ ଫୁଲିବାକୁ ଲାଗେ । ପ୍ରସବ କ୍ରିୟା ସବୁଠାରୁ ଅଧିକ ଯନ୍ତ୍ରଣାପ୍ରଦ ହେଲେ ମଧ୍ୟ ଅନେକ ମହିଳା ଯନ୍ତ୍ରଣା ବିହୀନ ପ୍ରସବ କରିଥିବା ବିବରଣୀ ଦିଅନ୍ତି । ପ୍ରସବ କ୍ରିୟା ଉପରେ ମନୋନିବେଶ କଲେ (Concentrate) ଶୀଘ୍ର ଓ ଅଳ୍ପ କଷ୍ଟ ବିଶିଷ୍ଟ ହୁଏ । ଅଧିକାଂଶ ପ୍ରସବ ପ୍ରଜନନ ପଥ ଦେଇ ସଂଘଟିତ ହୁଏ । ଅଳ୍ପ କେତେକ କ୍ଷେତ୍ରରେ ଏହି ପଥରେ ପ୍ରସବ ନ ହୋଇ ପାରିଲେ ସିଜରିଆନ୍ ସେକ୍ସନ ବା ଅପରେସନ କରାହୁଏ ।
ପ୍ରସବ ପରେ ସଙ୍ଗେ ସଙ୍ଗେ ମା ଓ ଛୁଆ ଅନ୍ତରଙ୍ଗତା ଅନୁଭବ କରନ୍ତି, ଯାହା ହରମୋନ ଅକ୍ସିଟୋସିନ୍ଦ୍ୱାରା ସମ୍ଭବ ହୁଏ । ଏହି ହରମୋନ୍ ସ୍ତନ୍ୟପାନ ସମୟରେ ମଧ୍ୟ ନିର୍ଗତ ହୁଏ । ମା ଓ ଶିଶୁ ପରଷ୍ପରର ଚର୍ମ ସଂସ୍ପର୍ଷରେ ଆସିବା ଉଭୟ ନିମନ୍ତେ ଉପକାରୀ ସାବ୍ୟସ୍ତ ହୁଅନ୍ତି । ଏହାଦ୍ୱାରା ଛୁଆର କ୍ରନ୍ଦନ କମ୍ ହୁଏ ଓ ଭଲ ସ୍ତନ ପାନ ହୁଏ । ଜନ୍ମ ପରେ ପ୍ରଥମ ଦୁଇ ଘଣ୍ଟା ମା ଓ ଶିଶୁ ପରଷ୍ପର ସହ ଏକାଠି ରହିବାକୁ ଡବ୍ଲ୍ୟୁ.ଏଚ.ଓ. ପରାମର୍ଶ ଦେଉଛି ।
ପ୍ରସବ ପରବର୍ତ୍ତୀ ୬ ସପ୍ତାହକୁ ପୋଷ୍ଟ ନାଟାଲ ସମୟ କହିନ୍ତି । ଏହି ସମୟରେ ମା'ର ଜରାୟୁ ଓ ଶରୀର ଗର୍ଭପୁର୍ବ ଅବସ୍ଥାକୁ ଫେରିଆସେ । ସେହି ସମୟର ହରମୋନ ପରିମାଣ ମଧ୍ୟ କମିଯାଏ ।
ଅନେକ ମହିଳା ନିଜେ ଗର୍ଭ ଧାରଣ କରିବା ଜାଣି ପାରନ୍ତି ଓ ଅନେକ ଡାକ୍ତରୀ ପରୀକ୍ଷାଦ୍ୱାରା ଜାଣନ୍ତି । ଅଧିକାଂଶ ଗର୍ଭବତୀ ମହିଳା ଗର୍ଭ ଲକ୍ଷଣ ଚିହ୍ନି ପାରନ୍ତି । ବାନ୍ତି ଲାଗିବା, ବାନ୍ତି କରିବା, ଦୁର୍ବଳ ଅନୁଭବ କରିବା, କେତେକ ଅସାଧାରଣ ଖାଦ୍ୟ ଖାଇବାକୁ ଇଚ୍ଛା କରିବା ଓ ବାରମ୍ବାର ପରିସ୍ରା କରିବା ବିଶେଷତଃ ରାତିରେ; ଏହି ସବୁ ଲକ୍ଷଣ ସାଧାରଣତଃ ମହିଲାମାନେ ଜାଣି ଥାଆନ୍ତି ଓ ଚିହ୍ନି ପାରନ୍ତି ।
ଗର୍ଭାଧାନ ହେଲେ ଅନେକ ଗୁଡିଏ ଡାକ୍ତରୀ ଲକ୍ଷଣ ପ୍ରକାଶ ପାଏ । ଏହି ଲକ୍ଷଣଗୁଡ଼ିକ ସବୁ ମହିଳାଙ୍କଠାରେ ଦେଖାଯାଏ ନାହିଁ । ଗୋଟି ଗୋଟି କରି ସବୁ ଲକ୍ଷଣ ମଧ୍ୟ ନିର୍ଣ୍ଣୟାତ୍ମକ ନୁହେଁ । କିନ୍ତୁ ମିଳିତ ଭାବେ କେତେକ ଲକ୍ଷଣ ସଠିକ୍ ଭାବେ ଗର୍ଭ ନିର୍ଣ୍ଣୟ କରି ପାରନ୍ତି । ଏହି ସମୟରେ ମାସିକ ଋତୁସ୍ରାବ ବନ୍ଦ ହୁଏ, ରକ୍ତ ଓ ପରିସ୍ରାରେ ଏଚ୍.ସି.ଜି. (human chorionic gonadotropin ବା hCG )ହରମୋନ ଦେଖାଯାଏ, ତୃତୀୟ ଓ ଚତୁର୍ଥ ସପ୍ତାହରେ ଡିମ୍ବାଣୁ ଜରାୟୁରେ ସଂଲଗ୍ନ ହେବିଦ୍ୱାରା ସାମାନ୍ୟ ରକ୍ତ ସ୍ରାବ ହୁଏ, ଡିମ୍ବାଣୁ ନିର୍ଗତ ହେବା ପରେ ୨ ସପ୍ତାହ ପର୍ୟ୍ୟନ୍ତ ଶରୀରର ଉତ୍ତାପ ବୃଦ୍ଧି ପ୍ରାପ୍ତ ହୁଏ, ଜୋନି ପଥ ଓ ଭଗ କଳା ଦେଖାଯାଏ ନରମ ହୁଏ, ପେଟର ମଝିରେ ଲମ୍ବ ଭାବରେ କଳା ଗାର ପଡ଼ିଯାଏ ଯାହାକୁ ଲିନିଆ ନାଇଗ୍ରା (Linea nigra) କହନ୍ତି । ପ୍ରଥମ ତିନି ମାସରେ ସ୍ତନ ଦରଜ ହୁଏ ଓ ଏହା ଅଳ୍ପ ବୟସରେ ଅଧିକ ଦେଖାଯାଏ ।
ଗର୍ଭ ଅଛି କି ନାହିଁ ଯାଣିବା ପାଇଁ ଏକାଧିକ ଗର୍ଭ ପରୀକ୍ଷା କରିବାକୁ ମିଳେ । ନୂଆ ତିଆରି ହୋଇଥିବା ପ୍ରସବ ପୁଷ୍ପରୁ (Placenta) କ୍ଷରିତ ହରମୋନକୁ ପରୀକ୍ଷାଦ୍ୱାରା ଅନୁସନ୍ଧାନ କରି ହୁଏ । ଜରାୟୁ ସଂଯୋଗର ୧୨ ଦିନ ପରେ ରକ୍ତ ଓ ପରୀସ୍ରାରୁ ଏହି ହରମୋନର ଉପସ୍ଥିତି ଜାଣି ହୁଏ । ରକ୍ତ ପରୀକ୍ଷାର ମାନ ଉଚ୍ଚତର ଥାଏ । ନିବିଦ୍ଧ ହେବାର ୧୨ରୁ ୧୫ ଦିନ ପରେ ଗର୍ଭ ପରୀକ୍ଷା ଘରେ ବସି କରିହେବ ।
ନିବିଦ୍ଧ ଡିମ୍ବାଣୁରୁ ବ୍ଲାସ୍ଟୋସିସ୍ଟ ତିଆରି ହୁଏ ଓ ଏଥିରେ ଏଚ୍.ସି ଜି.()ହରମୋନ୍ ନିର୍ଗତ ହୋଇ କର୍ପସ ଲୁଟିଅମକୁ ପ୍ରଭାବିତ କରି ପ୍ରୋଜେସ୍ଟେରନ ହରମୋନ୍ କ୍ଷରଣ କରାଏ । ଏହି ହରମୋନ୍ ଜରାୟୁର କାନ୍ଥର ଅନ୍ତଃସ୍ଥ ଆବରଣକୁ ପରିବର୍ତ୍ତନ କରାଏ ଯେପରି ଜରାୟୁର କାନ୍ଥ ମୋଟା ହେବ ଓ ଅଧିକ ରକ୍ତା ନଳୀ ସୃଷ୍ଟି ହେବ । ଏହି ପଦ୍ଧତି ଯୋଗୁ ବ୍ଲାସ୍ଟିସିସ୍ଟ ଖାଦ୍ୟ ସାର ସହଜରେ ଗ୍ରହଣ କରି ପାରେ ।
ଏତେ ପ୍ରକାର ଲକ୍ଷଣ ଥିଲେ ମଧ୍ୟ ବେଳେ ବେଳେ ମହିଳାମାନେ ଗର୍ଭ ଥିବା ହାଣି ପାରନ୍ତି ନାହିଁ । ଅଳ୍ପ କେତେକ ମହିଳା ପ୍ରସବ ଯନ୍ତ୍ର୍ରଣା ହେବା ପର୍ଯ୍ୟନ୍ତ ଗର୍ଭ ଥିବା ଜାଣି ପାରନ୍ତି ନାହିଁ । କେତେକ ଔଷଧ ସେବନ ଦ୍ୱାରା, ଅନିୟମିତ ଋତୁ ସ୍ରାବ ଯୋଗୁ ଓ ପୃଥୁଳ କାୟ ହେତୁ ଏହି ଅସୁବିଧା ହୁଏ । କେତେକ ମହିଳା ମଧ୍ୟ ଗର୍ଭ ସ୍ୱିକାର କରିବାକୁ ଅମଙ୍ଗ ଥିବାରୁ ଏହି ପରିସ୍ଥିତି ସୃଷ୍ଟି ହୁଏ ।
ଶେଷ ଋତୁ ସ୍ରାବର ପ୍ରଥମ ଦିନଠାରୁ (Last menstrual period or LMP)ସାଧାରଣତଃ ଗର୍ଭ ଆରମ୍ଭ ସମୟ ବୋଲି ଧରା ଯାଏ । ନେଗେଲ୍ (Naegele's rule.) ନିୟମ ଅନୁସାରେ ଏହି ଏଲ୍.ଏମ୍.ପି.ଠାରୁ ପ୍ରଥମେ ଏକ ବର୍ଷ ଯୋଗ କରାଯାଏ । ତା ପରେ ସେଥିରୁ ୩ ମାସ ବିୟୋଗ କରି ୭ ଦିନ ଯୋଗ କରାଯାଏ । ଏହି ତାରିଖକୁ ଆନୁମାନିକ ପ୍ରସବ ତାରିଖ (E.D.D.) କୁହାଯାଏ । ସୋନୋଗ୍ରାମ୍ ପଦ୍ଧତିଦ୍ୱାରା ଇ.ଡି.ଡି. ପ୍ରାୟ ନିର୍ଭୁଲ ହିସାବ କରି ହେବ ।
ଗର୍ଭାବସ୍ଥାର ସମୟକୁ ୩ ମାସିଆ ୩ଟି ବିଭାଗରେ ବିଭକ୍ତ କରାଯାଏ । ଶରୀରର ଏହି ସମୟରେ ହେଉଥିବା ପରିବର୍ତ୍ତନକୁ ତଥା ଚିକିତ୍ସାକୁ ବର୍ଣ୍ଣନା କରିବାରେ ସୁବିଧା ନିମନ୍ତେ ଏହି ବିଭାଗ ଲିଖିତ ଅଛି । ଏ ଗୁଡିକର ନାମ ପ୍ରଥମ ତ୍ରୈମାସିକ(First trimester), ଦ୍ୱିତୀୟ ତ୍ରୈମାସିକ(Second trimester) ଓ ତ୍ରୁତୀୟ ତ୍ରୈମାସିକ(Third trimester)।
ଚିକିତ୍ସା ବିଜ୍ଞ୍ନାନରେ ଭୃଣ ଜରାୟୁର ଅନ୍ତଃସ୍ଥ ଝିଲ୍ଲି((Endometrium))ସହ ସଂଯୁକ୍ତ ହେବା ଦିନଠାରୁ ଗର୍ଭ ଆରମ୍ଭ ଦିନ ବୋଲି ଧରାଯାଏ । ଏହି ଝିଲ୍ଲି ସଂଯୁକ୍ତ ବା ଇମ୍ପ୍ଲାଣ୍ଟେସନ (Implantation) ଦିନ ଅଧିକାଂଶ ମହିଳାଙ୍କର କୌଣସି ଲକ୍ଷଣ ପ୍ରକାଶ ପାଏ ନାହିଁ । ଅଳ୍ପ ସଂଖ୍ୟକ ମହିଳାଙ୍କର ସାମାନ୍ୟ ରକ୍ତ ସ୍ରାବ ହୁଏ । ଇମ୍ପ୍ଲାଣ୍ଟେଶନ ପରେ ଏଣ୍ଡୋମେଟ୍ରିଅମକୁ ଡେସିଡୁଆ କହନ୍ତି । ଏହି ଡେସିଡୁଆ ଓ ତତ୍ ସଂଲଗ୍ନ ଭୃଣର ବହିଃସ୍ଥ ସ୍ତର ମିଶି ପ୍ଲାସେଣ୍ଟା ପ୍ରସ୍ତୁତ କରନ୍ତି । ପ୍ଲାସେଣ୍ଟା ମାଧ୍ୟମରେ ଭୃଣକୁ ପୋଷକ ଯୋଗାଣ, ବର୍ଜ୍ୟ ପଦାର୍ଥ ନିଷ୍କାସନ ଓ ମାର ରକ୍ତ ବିନିମୟଦ୍ୱାରା ଅମ୍ଳଜାନ ଯୋଗାଣ ହୁଏ । ନାଭି ନାଡ଼ଦ୍ୱାରା ପ୍ଲାସେଣ୍ଟା ଓ ଭୃଣ/ଫିଟସର ସଂଯୋଗ ହୁଏ । ଏହି ଭୃଣ ବା ଫିଟସ ବହୁତ ଶୀଘ୍ର ବୃଦ୍ଧି ପ୍ରାପ୍ତ୍ ହୁଏ ।
ଗର୍ଭର ପ୍ରଥମ ତିନି ମାସରେ ୬୦% ମହିଳା ପ୍ରାତଃ ଅସୁସ୍ଥତା ବା morning sickness ଅନୁଭବ କରନ୍ତି । ଏହି ଅସୁବିଧା ଦିନର ଯେ କୌଣସି ସମୟରେ ମଧ୍ୟ ହୋଇପାରେ ଓ ବାନ୍ତି ବାନ୍ତି ଲାଗେ । ପ୍ରଥମ ତ୍ରୈମାସିକ ପରେ ଏହି ଅସୁସ୍ଥତା କମି ଯାଏ ।
ଗର୍ଭ ଧାରଣ ପରେ ନିପ୍ଲ ଓ ଏରିଓଲା ରଙ୍ଗ ବଦଳି କଳା ଦେଖାଯାଏ । ଏହି ପ୍ରକ୍ରିୟା ଗର୍ଭାବସ୍ଥା ସମୟରେ ଲାଗି ରହେ ।
ପ୍ରଥମ ତିନି ମାସ ମଧ୍ୟରୁ ପ୍ରଥମ ୨ ସପ୍ତାହରେ ପ୍ରକୃତରେ ଗର୍ଭ ଧାରଣ ହୋଇ ନ ଥାଏ । ଏହା ମଧ୍ୟରେ ଋତୁ ସ୍ରାବ ସମୟ ମଧ୍ୟ ଅନ୍ତର୍ଭୁକ୍ତ । ତୃତୀୟ ସପ୍ତାହରେ ଗର୍ଭାଧାନ ହୁଏ । ଚତୁର୍ଥ ସପ୍ତାହରେ ଇମ୍ପ୍ଲାଣ୍ଟେସନ ହୁଏ । ବ୍ଲାସ୍ଟୋସିସ୍ଟ ଓ ପ୍ଲାସେଣ୍ଟା ମଧ୍ୟ ତିଆରି ହୁଏ । ପଞ୍ଚମ ସପ୍ତାହରୁ ଭୃଣ ଗଠନ କ୍ରିୟା ଆରମ୍ଭ ହୁଏ । ଭୃଣର ଆବରଣରେ ତିନୋଟି ସ୍ତର ଥାଏ । ବାହ୍ୟ ସ୍ତରରୁ (Ectoderm)ସ୍ନାୟୁ, ମସ୍ତିଷ୍କ, ଆଖି, କାନର ଭିତର ଭାଗ, ଚମର ବାହ୍ୟ ସ୍ତର ଓ ସଂଯୁକ୍ତକାରୀ ତନ୍ତୁ ତିଆରି ହୁଏ । ମଝି ସ୍ତରରୁ (Mesoderm)ହୃତପିଣ୍ଡ,ଅସ୍ଥି, ମାଂସ ଓ କିଡନି ଇତ୍ୟାଦି ତିଆରି ହୁଏ । ଭିତର ସ୍ତର ବା ଏଣ୍ଡୋଡର୍ମରୁ ଫୁସଫୁସ, ମୂତ୍ରାଶୟ ଓ ଅନ୍ତନାଳୀ ପ୍ରସ୍ତୁତ ହୁଏ । ପଞ୍ଚମ ସପ୍ତାହରେ ଭୃଣର ଲମ୍ବ ୧.୬ରୁ ୩.୨ ମିଲିମିଟର ହୋଇଥାଏ ।
ଷଷ୍ଠ ସପ୍ତାହରେ ମୁଖାକୃତି ଦେଖାଯାଏ, ଅବୟବ ଗଠନ ଆରମ୍ଭ ହୁଏ ଓ ଏହାର ଲମ୍ବ ୪.୨ରୁ ୬.୩ ମିମି ହୁଏ । ଏହା ପରବର୍ତ୍ତୀ ସମୟରେ ଅବୟବ, ମସ୍ତିଷ୍କ ଶିଘ୍ର ଗଠିତ ହୁଏ । ଅଷ୍ଟମ ସପ୍ତାହ ବେଳକୁ ଚଲ ପ୍ରଚଲ ଆରମ୍ଭ ହୁଏ । ଏହାର ପରବର୍ତ୍ତୀ ୩ ସପ୍ତାହରେ ପାଦ, ବେକ ଓ ଲିଙ୍ଗ ଗଠନ ହୁଏ । ପ୍ରଥମ ତ୍ରୈମାସିକ ଶେଷ ବେଳକୁ ଫିଟସର ଲମ୍ବ ୩ ଇଞ୍ଚ ହୁଏ । ଏଇ ତିନି ମାସ ମଧ୍ୟରେ ଗର୍ଭପାତ ଓ ବିକଳାଙ୍ଗ ସମ୍ଭାବନ ଅନ୍ୟ ସମୟ ଅଧିକ ଥାଏ ।
୧୩ରୁ ୨୮ ସପ୍ତାହ ସମୟକୁ ଦ୍ୱିତୀୟ ତ୍ରୈମାସିକ କହନ୍ତି । ପ୍ରାତଃ ଅସୁସ୍ଥତା କମି ଯିବା ହେତୁ ଏହି ସମୟରେ ଗର୍ଭିଣୀର ସ୍ୱାସ୍ଥ୍ୟ ଭଲ ରହେ । ଓଜନ ବୃଦ୍ଧି ପାଏ । ମାଂସଳ ଜରାୟୁ ନିଜ ଆକାରର ୨୦ ଗୁଣ ପର୍ଯ୍ୟନ୍ତ ବଢ଼ି ପାରେ ।
ପ୍ରଥମ ତ୍ରୈମାସିକରେ ଫିଟସର କିଛି ଚଳନ ହେଉଥିଲେଏ ମଧ୍ୟା ଏହି ସମୟରେ ଚଳନ ଭଲ ଭାବରେ ବାରି ହୁଏ । ୨୦ ବା ୨୧ ସପ୍ତାହ ବେଳକୁ ଏହା ଭଲ ଭାବରେ ଜଣା ପଡେ । ଆଗରୁ ସନ୍ତାନ ଥିଲେ ଏହା ୧୯ ସପ୍ତାହରେ ମଧ୍ୟ ଜଣା ପଡେ । ଏହାକୁ ଇଂରାଜୀରେ କୁଇକେନିଙ୍ଗ(Quickening) କହନ୍ତି । କେତେକ ମହିଳା ଏହି ସମୟରେ ମଧ୍ୟ ଜାଣି ପାରନ୍ତି ନାହିଁ । ଗର୍ଭ ପୁଷ୍ପ ଏହି ସମୟରେ ସମ୍ପୁର୍ଣ୍ଣ କାର୍ଯ୍ୟକ୍ଷମ ହୋଇଯାଏ । ଫିଟସରୁ ଇନସୁଲିନ ବାହାରେ ଓ ପରିସ୍ରା ତ୍ୟାଗ ମଧ୍ୟ ହୁଏ । ପୁଅ କି ଝିଅ ଏହା ଜାଣି ହୁଏ ।
ଏହି ସମୟଠାରୁ ମାତୃତ୍ୱ ପୋଷାକ ପିନ୍ଧିବା ଆରମ୍ଭ ହୁଏ ।
ଦୈନିକ ପ୍ରାୟ ୨୮ ଗ୍ରାମ ଓଜନ ବୃଦ୍ଧି ହୁଏ । ଶିଶୁ ତଳ ଆଡକୁ ମୁଁହେଇବା ଯୋଗୁ ପେଟ ତଳକୁ ଝୁଲି ପଡେ । ପେଟକୁ ଧରି ତଳ ଉପର କରି ହୁଏ । ଫିଟସର ଚଳନ ମାଆ ଅନୁଭବ କରି ପାରେ । ମହିଳାର ନାହି ଫୁଲି ଯାଏ । ଏହି ସମୟରେ ଦେହ ଭଲ ରହେ ନାହିଁ, ଅଣ୍ଟା ବ୍ୟଥା ହୁଏ ଓ ପରିସ୍ରା କରିବାରେ ଅସୁବିଧା ହୁଏ । ଫିଟସ ମାଆର ପଞ୍ଜରା ବା ମେରୁ ଅସ୍ଥି ପାଖରେ ଗଡିଲା ବେଳେ କଷ୍ଟ ହୁଏ । ଅଧିକ ମସ୍ତିଷ୍କ, ଚକ୍ଷୁ ଓ ମାଂସପେଶୀ ବୃଦ୍ଧି ହେତୁ ଏହା ହୁଏ ।
କ୍ରମଶଃ ଫିଟସର ମୁଣ୍ଡ ନିତମ୍ବ ଗହ୍ୱର ମଧ୍ୟରେ ପ୍ରବେଶ କରେ । ଏତିକି ବେଳେ ମାଆର ପେଟ ହାଲୁକା ଲାଗେ । ମୂତ୍ରାଶୟ ଓ ମଳାଶୟରେ ଚାପ ଅନୁଭୁତ ହୁଏ । ଲାଗେ ଯେମିତି ପିଲା ପେଟରୁ ଗଳି ପଡ଼ିବ । ଅପରିପକ୍ୱ ଛୁଆ ଜନ୍ମ ଏହି ସମୟରେ ହେଲେ ମଧ୍ୟ ବଞ୍ଚି ପାରିବ । ଶିଶୁ ଯତ୍ନ ବିଭାଗରେ ଏହି ଆଧୁନିକ ଚିକିତ୍ସା ଉପଲବ୍ଧ ହେବାଯୋଗୁ ଅନେକ ଅପରିପକ୍ୱ ଶିଶୁ ମଧ୍ୟ ରକ୍ଷା ପାଉଛନ୍ତି, ତଥାପି ଅନେକ ମରୁଛନ୍ତି ମଧ୍ୟ ।
ଫିଟସ ଥରେ ହୋଇଗଲେ ଗର୍ଭପାତ ଆଶଙ୍କା କମିଯାଏ । ପଞ୍ଚମ ଓ ଷଷ୍ଠ ସପ୍ତାହରେ ମସ୍ତିଷ୍କ କ୍ରିୟା ଅନୁସନ୍ଧାନ କରି ହେବ ଯଦିଓ ଏହା ଅତି ପ୍ରାଥମିକ ଅବସ୍ଥାରେ ଥାଏ । ସ୍ନାୟୁ ସହ ସ୍ନାୟୁ ସଂଯୋଗ ବା Synapse ୧୭ ସପ୍ତାହରେ ଆରମ୍ଭ ହୁଏ । ଏହି କ୍ରିୟା ୨୮ ସପ୍ତାହ ବେଳକୁ ଦୃତ ବେଗରେ ଗତି କରେ ଓ ଜନ୍ମ ପର ୩ରୁ ୪ ମାସ ପର୍ଯ୍ୟନ୍ତ ଚାଲୁ ରହେ ।
ଜନ୍ମ ପୂର୍ବର ବିକାଶ ୩ ଡି ଅଲ୍ଟ୍ରାସାଉଣ୍ଡଦ୍ୱାରା ବହୁତ ଭଲ ଭାବରେ ଦେଖି ହେବ । ଅଲ୍ଟ୍ରାସାଉଣ୍ଡଦ୍ୱାରା ଫିଟସର କୌଣସି ସମ୍ଭାବ୍ୟ କ୍ଷତି ବିଷୟରେ ନିର୍ଦ୍ଦିଷ୍ଟ ତଥ୍ୟ ନାହିଁ ।
ଗର୍ଭାବସ୍ଥାରେ ନାରୀ ଶରୀରରେ ଅନେକ ରକ୍ତ ସମ୍ପର୍କୀୟ, ହୃତପିଣ୍ଡ୍-ରକ୍ତ ନାଳୀ ସମ୍ପର୍କୀୟ, ମୂତ୍ର ସମ୍ବନ୍ଧିୟ, ଫୁସଫୁସ ସମ୍ବନ୍ଧିୟ ପରିବର୍ତ୍ତନ ହୁଏ କିନ୍ତୁ ଏହା ସାମାନ୍ୟ ସୀମା ମଧ୍ୟରେ ରହେ । ଶିଶୁ ନିମନ୍ତେ ଅଧିକ ରକ୍ତ,ଶ୍ୱାସ କ୍ରିୟା ଓ ସୁଗର ବା ଶର୍କରା ଆବଶ୍ୟକ । ପ୍ରୋଜେଷ୍ଟେରନ୍ ଓ ଏଷ୍ଟ୍ରୋଜେନ ହରମୋନର ମାତ୍ରା ବଢ଼ି ଚାଲେ ଓ ଏହାଦ୍ୱାରା ଋତୁ ସ୍ରାବ ବନ୍ଦ ହୋଇଯାଏ ।
ସ୍ତନ୍ୟ ପାନ ଦ୍ୱାର ସ୍ତନ ଝୁଲି ପଡେ ବୋଲି ଏକ ଭ୍ରମ ଧାରଣା ଅନେକ ମହିଳା ଓ ସ୍ୱାସ୍ଥ୍ୟ କର୍ମଚାରୀଙ୍କର ଅଛି । ଗବେଷଣାଦ୍ୱାରା ଦେଖାଯାଇଛି, ଏହି ଝୁଲି ପଡ଼ିବା ପଛରେ ଅନେକ ଗୁଡିଏ କାରଣ ଅଛି । ସିଗାରେଟ ଟାଣିବା, ଗର୍ଭ ସଂଖ୍ୟା, ଗର୍ଭ ପୂର୍ବର ବ୍ରାସିଅରର ସାଇଜ ଓ ବି.ଏମ୍.ଆଇ. (Body mass index or BMI) ଉପରେ ଏହି ଝୁଲିବା ନିର୍ଭରଶୀଳ ।
ଗର୍ଭାବସ୍ଥା ପୂର୍ବରୁ ଓ ଗର୍ଭ ସମୟର ଡାକ୍ତରୀ ଓ ନର୍ସ ସେବାକୁ ପ୍ରାକ୍ ପ୍ରସବ ଚିକିତ୍ସା ସେବା (Prenatal care) କହନ୍ତି । ଏହି ସେବାର ଲକ୍ଷ ହେଲା: ସମ୍ଭାବ୍ୟ ଅସୁବିଧାର ଶୀଘ୍ର ଚିହ୍ନଟ,ତାହାର ନିରାକରଣ ଏବଂ ତାହାର ନିୟନ୍ତ୍ରଣ ବା ଚିକିତ୍ସା । ଉପଯୁକ୍ତ ଖାଦ୍ୟ, ବ୍ୟାୟାମ ଓ ଭିଟାମିନ ସମ୍ପର୍କୀୟ ଉପଦେଶ ସହ ଉପଯୁକ୍ତ ଡାକ୍ତରଖାନା ଓ ଚିକିତ୍ସକ ନିର୍ଦ୍ଦେଶ ଦିଆଯାଏ ।
ସ୍ୱାସ୍ଥ୍ୟକର ଗର୍ଭ ନିମନ୍ତେ ସୁଷମ ପୋଷକ ପୂର୍ଣ୍ଣ ଖାଦ୍ୟ ନିତାନ୍ତ ଆବଶ୍ୟକ । ଶ୍ୱେତସାର, ଚର୍ବି, ପୁଷ୍ଟିସାର, ବିଭିନ୍ନ ଫଳ ଓ ପନି ପରିବା ଯଥେଷ୍ଟ ପୋଷକ ପ୍ରଦାନ କରେ । ଯେଉଁମାନଙ୍କର ଖାଦ୍ୟ ସ୍ୱାସ୍ଥ୍ୟଗତ କାରଣ ଯୋଗୁ ବା ଧାର୍ମିକ ବାରଣ ଯୋଗୁ ବା ନୀତିଗତ କାରଣ ଯୋଗୁ ନିୟନ୍ତ୍ରିତ ହୁଏ, ସେମାନେ ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କଠାରୁ ଉପଦେଶ ନେବା ଆବଶ୍ୟକ ।
ଗର୍ଭାଧାନ ସମୟରେ ଫଲିକ ଏସିଡ (ଭିଟାମିନ୍ ବି୯ ବା ଫୋଲେଟ୍) ଖାଇଲେ ସ୍ପାଇନା ବାଇଫିଡା (Spina bifida) ଓ ଗମ୍ଭୀର ଜନ୍ମଗତ ତୃଟି କମେଇ ଦିଏ । ଗର୍ଭର ପ୍ରଥମ ୨୮ଦିନରେ ନିଉରାଲ୍ ଟ୍ୟୁବ୍ ଗଠିତ ହୁଏ । ଏଣୁ ଏହି ସମୟରେ ଶାଗୁଆ ପତ୍ର ଥିବା ପରିବା, ସାଲାଡ, ବିଟ, ବ୍ରୋକୋଲି, ଲେମ୍ବୁ ଜାତୀୟ ଖାଦ୍ୟ, ଅଣ୍ଡା ଇତ୍ୟାଦିରେ ଯଥେଷ୍ଟ ଫୋଲେଟ ଭିଟାମିନ୍ ଥାଏ ।
ଡି.ଏଚ୍.ଏ. ଓମେଗା-୩ ଏକ ଚର୍ବିଳ ଏସିଡ ଯାହା ମସ୍ତିଷ୍କ ଓ ରେଟିନା ଗଢିବାରେ ସାହାଯ୍ୟ କରେ । ଏହା ସମୁଦ୍ରି ମାଛରେ ମିଳେ । ଏହା ମାଆ ଦୁଧରେ ଥାଏ । ଏଣୁ ମାଆ ଏହା ଖାଇଲେ ଶିଶୁ ଦେହକୁ ଯାଏ ।
ମାଇକ୍ରୋନ୍ୟୁଟ୍ରିଏଣ୍ଟ ମଧ୍ୟରେ ଅସ୍ଥି ଗଠନ ନିମନ୍ତେ ଭିଟାମିନ ଡି ଓ କ୍ୟାଲସିଅମ ଆବଶ୍ୟକ । ମେରୁ ରକ୍ତ ପରୀକ୍ଷା କରି ଦେଖା ଯାଇଛି ଯେ ଯେଉଁମାନଙ୍କର ଏଥିରେ ଭିଟାମିନ୍ ଡି କମ ଅଛି ସେମାନଙ୍କର ଶ୍ୱାସ ନଳୀ ସଂକ୍ରମଣ ଅଧିକ ହୁଏ ।
ଫଳ ଓ କଞ୍ଚା ପନିପରିବା ଭଲ ଭାବେ ଧୋଇଲେ ଲିସ୍ଟେରିଆ ଓ ଟକ୍ସୋପ୍ଲାଜ୍ମା ଭଳି ମାରାତ୍ମକ ପାରାସାଇଟରୁ ରକ୍ଷା ମିଳିଯାଏ । ଖାଦ୍ୟ ଭଲ ଭାବେ ରାନ୍ଧିବା ଆବଶ୍ୟକ । କଞ୍ଚା ଦୁଧ ପିଇବା ମନା । ଅଣ୍ଡାରୁ ସାଲମୋନେଲା ଜୀବାଣୁ ଆସିପାରେ, ଏଣୁ ଉତ୍ତମ ରୂପେ ରାନ୍ଧିବା ଦରକାର ।
ଫିଟସର ଉପଯୁକ୍ତ ବୃଦ୍ଧି ନିମନ୍ତେ ଯଥେଷ୍ଟ କାଲୋରି ଆବଶ୍ୟକ । ବିଧି ମୁତାବକ ଓଜନ ଓ ୧୮.୫ରୁ ୨୪.୯ ବଡ଼ି ମାସ୍ଇନ୍ ଡେକ୍ସ୍ ଥିବା ମହିଳାମାନେ ୧୧.୩ରୁ ୧୫.୯ କେଜି ଓଜନ ଲାଭ କରନ୍ତି । ଅଳ୍ପ ଓଜନର ମହିଳା ୧୨.୭ରୁ ୧୮ କେଜି ଓଜନ ବଢେଇବା ଆବଶ୍ୟକ । ପତ୍ୟେକ ମହିଳା ପାଇଁ ବିଭିନ୍ନ ଉପଦେଶ ଦରକାର ଅନୁସାରେ ଦିଆଯାଏ । ପୃଥୁଳକାୟାମାନେ ୬.୮ରୁ ୧୧.୩ କେଜି ଓଜନ ଲାଭ କରିବା ଆବଶୟକ ।
ଗର୍ଭାବସ୍ଥାରେ କମ୍ ବା ଅଧିକ ଓଜନ ହେଲେ ଉଭୟ ମାଆ ଓ ଗର୍ଭସ୍ଥ ଶିଶୁ ପାଇଁ ହାନି କାରକ । ଚାଲିବା ଓ ପହ୍ଁରିବା ଭଳି ବ୍ୟାୟାମ ମାଆ ଓ ଛୁଆ ପାଇଁ ଉପଯୋଗୀ ।
ଶରୀର ନିଜ ଜୀବକୋଷକୁ ଚିହ୍ନି ପାରେ । ଅନ୍ୟ ଜୀବକୋଷ ଶରୀରରେ ପ୍ରବେଶ କଲେ ପରିତ୍ୟକ୍ତ ହୁଏ । ଏହାକୁ ରିଜେକ୍ସନ ବା ପରିତ୍ୟାଗ କହନ୍ତି । ଗର୍ଭସ୍ଥ ଶିଶୁ ଗୁଣସୂତ୍ର ଅନୁସାରେ ମାଆଠାରୁ ଅଲଗା । ନିୟମ ଅନୁସାରେ ଏହି ଏକ ବିଜାତୀୟ ବସ୍ତୁ ଯାହା ଏକ ଗ୍ରାଫ୍ଟ ଆକାରରେ ରହେ ଓ ପ୍ରତିରୋଧ ସହନ ଯୋଗୁ ତିଷ୍ଠି ରହେ । ତିଷ୍ଠି ନ ପାରିଲେ ପରିତ୍ୟକ୍ତ ହୋଇ ଗର୍ଭପାତ ହୁଏ । କେତେକ ସ୍ୱତଃ ଗର୍ଭପାତ ଏହି ନିୟମ ଅନୁସାରେ ହେବାର ସମ୍ଭାବନା ଥାଏ ।
ଗର୍ଭ ବେଳେ ଔଷଧ କ୍ଷଣସ୍ଥାୟୀ ବା ଚୀରସ୍ଥାୟୀ ବିପଦ ସୃଷ୍ଟି କରି ପାରେ । ମୂଖ୍ୟତଃ ବିକଳାଙ୍ଗ ସମସ୍ୟା ନ ହେବା ପାଇଁ ଅନେକ ଚିକିତ୍ସକ ଏହି ସମୟରେ କୌଣସି ଔଷଧ ଲେଖିବାକୁ ଅନିଚ୍ଛା ପ୍ରକାଶ କରନ୍ତି ।
କ୍ଷତିକାରକ ଔଷଧ ଗୁଡିକୁ ଏ.ବି.ସି.ଡି ଏବଂ ଏକ୍ସ ନାମରେ ଏଫ୍.ଡି.ଏ. ରେଟିଙ୍ଗ କରାଯାଇଛି । ଭିଟାମିନ୍ ଓ କେତେକ ଔଷଧ କୌଣସି କ୍ଷତି କରୁ ନ ଥିବାରୁ ଏ ରେଟିଙ୍ଗ ପାଇଛନ୍ତି । ଅତ୍ୟଧିକ ପ୍ରମାଣିତ କ୍ଷତିକାରକ ଥାଲିଡୋମାଇଡ ଔଷଧ ଏକ୍ସ ରେଟିଙ୍ଗ ପାଇଛି ।
ବିଭିନ୍ନ ବିଷାକ୍ତ ପଦାର୍ଥ ବର୍ଦ୍ଧିଷ୍ନୁ ଫିଟସର କ୍ଷତି ସାଧନ କରନ୍ତି । ଅନେକ ରାସାୟନିକ ପଦାର୍ଥ କେତେ ବେଳେ ନା କେତେ ବେଳେ ଆମେ ଆମ ଅଜାଣତରେ ବ୍ୟବହାର କରୁ ଯାହା କ୍ଷତି କାରକ । ଯଥା ଡି.ଡି.ଟି., ଏହାକୁ ମଶା ମାରିବା ନିମନ୍ତେ ବ୍ୟବହାର କରୁ, କିନ୍ତୁ ଏହା କ୍ଷତି କାରକ । ଏହି ଭଳି କେତେକ ଔଷଧର ନାମ polychlorinated biphenyls, organochlorine pesticides, perfluorinated compounds, phenols, polybrominated diphenyl ethers, phthalates, polycyclic aromatic hydrocarbons, perchlorate । ଏକାଧିକ ବିଷାକ୍ତ ପଦାର୍ଥ ଅଧିକ କ୍ଷତି ସାଧନ କରେ ।
କେତେକ ମହିଳା ସମ୍ପୁର୍ଣ୍ଣ ଗର୍ଭ ସମୟରେ ଯୌନ ସମ୍ଭୋଗ କରନ୍ତି । ସମ୍ଭୋଗ ଇଚ୍ଛା ଦ୍ୱିତୀୟ ତ୍ରୈମାସିକରେ ସାମାନ୍ୟ ବଢେ ଓ ଅନ୍ୟ ସମୟରେ କମିଯାଏ । କେତେକ ପୁରୁଷ ଗର୍ଭିଣୀ ନାରୀ ପ୍ରତି ଆକୃଷ୍ଟ ହୁଅନ୍ତି । ଏହାକୁ ଫେଟିସିଜ୍ମ ବା ମେସିଓଫିଲିଆ (pregnancy fetishism, also known as maiesiophilia) କହନ୍ତି ।
ସୁସ୍ଥ ମହିଳା ସମ୍ଭୋଗ କରି ପାରିବେ କିନ୍ତୁ ଏହି ସମୟରେ ତଳି ପେଟ ବା ଜରାୟୁରେ ଯେପରି ଚାପ ନ ପଡେ ।
ପୂର୍ବରୁ ବ୍ୟାୟାମ କରୁଥିବା ସୁସ୍ଥ ମହିଳା ଏହି ସମୟରେ ୪୫ ମିନିଟ ପର୍ଯ୍ୟନ୍ତ ଜଗିଙ୍ଗ ଓ ଏରୋବିକ୍ ବ୍ୟାୟାମ କଲେ କିଛି କ୍ଷତି ନାହିଁ । ଯେଉଁଥିରେ ପଡ଼ିଯିବା ଭୟ ଥିବ ସେ ଭଳି କ୍ରୀଡ଼ା କରିବା ଉଚିତ ନୁହେଁ ।
ଆମେରିକାର ନାରୀ ଗୋଗ ଚିକିତ୍ସକ ସଂଘ ନିର୍ଦ୍ଦେଶ ଦେଇଛି: ବ୍ୟାୟାମ କରିପାର, କିନ୍ତୁ ଯୌନାଙ୍ଗରୁ ରକ୍ତ ସ୍ରାବ ହେଲେ, ଅଣନିଶ୍ୱାସି ହେଲେ, ଛାତି ଯନ୍ତ୍ରଣା ହେଲେ, ପେଶି ଦୁର୍ବଳତା ହେଲେ, ଫିଟସ୍ ଚଳନ କମ୍ ହେଲେ, ଗର୍ଭ ଜଳ ସ୍ରାବ ହେଲେ ଓ ଗୋଡ ମାଂସପେଶୀରେ କଷ୍ଟ ହେଲେ ବା ଫୁଲିଲେ ଡାକ୍ତର ପରାମର୍ଶ କରିବା ଉଚିତ ।
ଜର୍ନାଲ ଅଫ ନର୍ସ ପ୍ରାକ୍ଟିସନର ୨୦୦୭ରେ ଉପଦେଶ ଦିଆ ହୋଇଛି, ଆଦୌ ବ୍ୟାୟାମ ନ କରୁ ଥିବା ମହିଳାମାନେ କିଛି ବ୍ୟାୟାମ କରିବା ଉଚିତ । ଏହା କଲେ ଉଭୟ ମା ଓ ଶିଶୁର ଉପକାର ହୁଏ ।
ଡବ୍ଲ୍ୟୁ.ଏଚ.ଓ. ଅନୁସାରେ ସାରା ପୃଥିବୀରେ ପ୍ରତି ବର୍ଷ ୨୦ ନିୟୁତରୁ ଅଧିକ ମହିଳା ଗର୍ଭ ଯୋଗୁ ଅସୁସ୍ଥ ହୁଅନ୍ତି ଓ ୮ ନିୟୁତ ପ୍ରାଣସଙ୍କଟରେ ରହନ୍ତି । ୧୯୯୫ ମସିହାରେ ୫ ଲକ୍ଷ ମହିଳା ଗର୍ଭ ଜଟିଳତା ଓ ପ୍ରସବ ଯୋଗୁ ମୃତ୍ୟୁ ମୁଖରେ ପତିତ ହୋଇଥିଲେ ।
ଅନ୍ୟାନ୍ୟ ରୋଗ ଥିବାରୁ ଗର୍ଭାବସ୍ଥାରେ ବିପଦ ଅଧିକ ରହେ । ଗର୍ଭ ସମୟରେ ଓ ତା ପରେ ଶରୀରର ପରିବର୍ତ୍ତନ ଯୋଗୁ ମହିଳାମାନେ କେତେକ ଅସୁବିଧା ଭୋଗ କରନ୍ତି ।
ଜରାୟୁ ମଧ୍ୟରେ ଗର୍ଭ ନ ରହି ଅନ୍ୟ ସ୍ଥାନରେ ରହିଲେ ତାହାକୁ ଅସ୍ଥାନିକ (ଏକ୍ଟୋପିକ୍/ Ectopic Pregnancy) ଗର୍ଭ କହନ୍ତି । ଏ ଭଳି ଗର୍ଭ ପ୍ରାୟ ବଞ୍ଚି ପାରନ୍ତି ନାହିଁ । ଫାଲୋପିଆନ୍ ଟ୍ୟୁବ , ଡିମ୍ବାଶୟ, ସର୍ଭିକ୍ସ ଓ ପେଟ ଭିତରେ ଗର୍ଭ ରହି ପାରେ । ଗର୍ଭ ପରୀକ୍ଷାରେ ଯୁକ୍ତ ଫଳ ଥିବା ମହିଳାଙ୍କର ରକ୍ତ ସ୍ରାବ ବା ପେଟ ଯନ୍ତ୍ରଣା ହେଲେ ଏହି ରୋଗ ସନ୍ଦେହ କରାଯାଏ । ଅଲ୍ଟ୍ରାସାଉଣ୍ଡ ପରୀକ୍ଷାଦ୍ୱାରା ସିଦ୍ଧାନ୍ତ ମିଳେ । ପ୍ରଥମ ତ୍ରୈମାସିକରେ ମାତୃ ମୃତ୍ୟୁ କାରଣମାନଙ୍କ ମଧ୍ୟରେ ଫାଲୋପିଆନ୍ ନଳି ଗର୍ଭ (Tubal Pregnancy)ପ୍ରଥମ ସ୍ତାନ ଅଧିକାର କରେ ।
ସମୁଦାୟ ଗର୍ଭର ୧ % ଅସ୍ଥାନିକ ଗର୍ଭ ଓ ତନ୍ମମଧ୍ୟରୁ ୯୮ % ଫାଲୋପିଆନ ନଳୀ ମଧ୍ୟରେ ହୁଏ । ଭୃଣ ନଳି କାନ୍ଥରେ ସଂଯୁକ୍ତ ହୋଇ ଭିତରକୁ ପ୍ରବେଶ କରିବାକୁ ଲାଗେ । ଫଳରେ ନଳିର ରକ୍ତ ନଳି ଫାଟିଯାଇ ରକ୍ତ ସ୍ରାବ ହୁଏ ଓ ଏହି ଗର୍ଭ ନଷ୍ଟ ହୋଇଯାଏ (Tubal Abortion) । ଏହି ଅବସ୍ଥାରେ ମେଥୋଟ୍ରେକ୍ସେଟ୍ ଔଷଧଦ୍ୱାରା ବା ଲାପାରୋସ୍କୋପି/ଲାପାରୋଟୋମି ଅପରେଶନ କରି ଚିକିତ୍ସା ଗର୍ଭପାତ କରାଯାଏ ।
ଅସ୍ଥାନିକ ଗର୍ଭର କାରଣମାନଙ୍କ ମଧ୍ୟରେ ପେଲଭିସ ପ୍ରଦାହ, ସାଲପିଞ୍ଜାଇଟିସ୍, ଗନେରିଆ, କ୍ଲାମିଡିଆ, ଏଣ୍ଡୋମେଟ୍ରିଓସିସ୍ ମୂଖ୍ୟ ସ୍ଥାନ ଅଧିକାର କରନ୍ତି । ନଳିର ଗଠନ ସଠିକ୍ ନ ଥିଲେ ଓ ପିଲ ଖାଇଲେ ବା ଗର୍ଭ ନିରୋଧ ଯନ୍ତ୍ର ବ୍ୟବହାର କଲେ ଏହା ହୋଇପାରେ ।
ଗର୍ଭ ସମୟରେ ଅନ୍ୟାନ୍ୟ୍ ରୋଗ ଥିଲେ ସେହି ରୋଗ ବଢ଼ି ଯାଏ ବା ଗର୍ଭ ବିପଦଜନକ ହୁଏ ।କେତେକ ରୋଗମାନଙ୍କ ନାମ ତଳେ ଦିଆଗଲା ।
ଗର୍ଭ ଜଳରୁ ଆମ୍ନିଓସେଣ୍ଟେସିସ୍ଦ୍ୱାରା ଓ ନାହି ନାଡ ରକ୍ତରୁ ଯଥା କ୍ରମେ ଦୁଇ ପ୍ରକାର ଷ୍ଟେମ କୋଷ ସଂଗ୍ରହ କରାଯାଏ । ଏହି କୋଷ ସମସ୍ତ ସରକାରି ଓ ବେସରକାରି ଷ୍ଟେମ୍ କୋଷ ବ୍ୟାଙ୍କରେ ରଖାଯାଏ ।
ଅନେକ ସମାଜରେ ଗର୍ଭବତି ମହିଳାମାନଙ୍କୁ ମର୍ଯ୍ୟାଦା ଦେଇ ବହୁତ ଯତ୍ନ ନିଅନ୍ତି । ଆଉ କେତେକ ସ୍ଥାନରେ ପୁଅ ଜନ୍ମ କରିବା ପାଇଁ ମାନସିକ ଚାପ ପ୍ରୟୋଗ କରାଯାଏ । ଜାରଜ ସନ୍ତାନ ହେଲେ ସମାଜରୁ ବହିସ୍କାର କରାଯାଏ ।
ପରିବାରରେ ଗର୍ଭ ଗୋଟିଏ ମୂଖ୍ୟ ବିଷୟ । ଏହାଦ୍ୱାରା ଆଗାମୀ ଦାୟାଦ ଆସେ । ପିତା ମାତାଙ୍କ ସମ୍ପର୍କରେ ପରିବର୍ତ୍ତନ ଆସେ । ନୁତନ ଦାୟାଦ ସଂସାରକୁ ଆଣି ବାହା ହୋଇ ଆସିଥିବା ଝିଅ ପରିବାରର ସଦସ୍ୟ ଭାବେ ସେହି ସମୟରୁ ମାନସିକ ସ୍ୱୀକୃତି ପାଏ ।
ୟୁରୋପରେ ୧୯୭୦ ମସିହାରେ ୨୩ରୁ ୨୫ ବର୍ଷା ବୟସରେ ଗର୍ଭ ଧାରଣ ହେଉଥିଲା । ଅଧୁନା ୨୬ରୁ ୨୯ ବୟସରେ ଗର୍ଭ ଧାରଣ କରିବାକୁ ମହିଳାମାନେ ପସନ୍ଦ କରୁଛନ୍ତି । ଅନେକ ୩୦ ବର୍ଷ ପରେ ଗର୍ଭ ଧାରଣ କରୁଛନ୍ତି ।
ପିଲା ନ ହେଉଥିବା ଦମ୍ପତି ମାନଙ୍କନିମନ୍ତେ ଅନେକ ଚିକିତ୍ସା ଉପଲବ୍ଧ ହେଲାଣି । ଜନନ କ୍ଷମତା ଚିକିତ୍ସା, କୃତ୍ରିମ ବୀର୍ଯ୍ୟ ରୋପଣ ଓ ଭଡା ଗର୍ଭ ଇତ୍ୟାଦିର ପ୍ରଚଳନ ଚାଲିଛି ।
ଗର୍ଭ ନିରୋଧକ ବ୍ୟବହାର ନ କରିଥିବା ଯୋଗୁ ବା ଏହା କାମ ନ କରିଥିବା ଯୋଗୁ ଓ ଧର୍ଷଣ ଯୋଗୁ ଅନିଚ୍ଛାକୃତ ଗର୍ଭ ଧାରଣ ହୁଏ । କେତେକ ପ୍ରକାର ରୋଗ ଥାଇ ଗର୍ଭ ହେଲେ ମାଆର ଜୀବନ ଉପରେ ବିପଦ ଆସେ । ଏହି ସବୁ କ୍ଷେତ୍ରରେ ଗର୍ଭପାତ ଆବଶ୍ୟକ ହୁଏ । ଏହା ଛଡା ସ୍ୱତଃ ଗର୍ଭପାତ ମଧ୍ୟ ହୁଏ । ଆବଶ୍ୟକ ସ୍ଥଳେ ମାଆର ଜୀବନ ରକ୍ଷା ନିମନ୍ତେ ଡାକ୍ତରୀ ଗର୍ଭପାତ କରାଯାଏ । ଅନ୍ୟାନ୍ୟ କ୍ଷେତ୍ରରେ ସମ୍ମାନ ରକ୍ଷା ନିମନ୍ତେ ମଧ୍ୟ ମହିଳାମାନେ ଅନିଚ୍ଛାକୃତ ଗର୍ଭର ଗର୍ଭପାତ କରନ୍ତି ।
ନିବିଦ୍ଧ ଡିମ୍ବାଣୁକୁ ଋତୁ ବିରତି ପର ମହିଳାମାନେ ଜରାୟୁରେ ରଖି ସମ୍ପୁର୍ଣ୍ଣ ଗର୍ଭ ଧାରଣ କରି ସୁସ୍ଥ ଛୁଆ ଜନ୍ମ କରି ପାରୁଛନ୍ତି ।
ଗର୍ଭବତି ମହିଳାମାନଙ୍କ ନିମନ୍ତେ ଅନେକ ଦେଶରେ ବିଭିନ୍ନ ପ୍ରକାରର ନିୟମ କାନୁନ ତିଆରି ହୋଇଛି । ମାତୃତ୍ୱ ଛୁଟୀ ଶେଷ ତ୍ରୈମାସିକ ବା ପ୍ରସବ ପରେ ମଞ୍ଜୁର ହୁଏ ଓ ଅନେକ ଦେଶରେ ସବେତନ ଛୁଟୀ ମିଳେ । ଆମେରିକାରେ କିନ୍ତୁ ସବେତନ ଛୁଟି ନାହିଁ । କର୍ମଜୀବି ମହିଳାମାନେ ରାତି ଡ୍ୟୁଟି କରିନେ ନାହିଁ । ଓଜନିଆ ଜିନିଷ ଉଠାଇବେ ନାହିଁ । ନରଓଏ ଦେଶରେ ୮ ମାସ ସବେତନ ଛୁଟି ମିଳେ । ଅନେକ ଦେଶରେ ଗର୍ଭାବସ୍ଥାରେ ବାଛ ବିଚାର ବିରୁଦ୍ଧରେ କାନୁନ ଅଛି ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.