ବାନ୍ଧବଗଡ଼ ଜାତୀୟ ଉଦ୍ୟାନ
From Wikipedia, the free encyclopedia
From Wikipedia, the free encyclopedia
ବାନ୍ଧବଗଡ଼ ଜାତୀୟ ଉଦ୍ୟାନ ଭାରତର ଲୋକପ୍ରିୟ ଜାତୀୟ ଉଦ୍ୟାନମାନଙ୍କ ମଧ୍ୟରୁ ଗୋଟିଏ । ମଧ୍ୟପ୍ରଦେଶର ଉମରିଆ ସହର ନିକଟରେ ଏହି ଅଭୟାରଣ୍ୟ ଅବସ୍ଥିତ । ବାନ୍ଧବଗଡ଼କୁ ୧୯୬୮ ମସିହାରେ ଏକ ଜାତୀୟ ଉଦ୍ୟାନ ବୋଲି ଅଭିହିତ କରାଯାଇଥିଲା । ଏହାର ଅରଣ୍ୟର ୧୦୫ ବର୍ଗ କି.ମି. କୋର୍ ଅଞ୍ଚଳ । ଉମରିଆ, କଟନି ଓ ଅନ୍ୟ କିଛି ବନଖଣ୍ଡର ଅଣ-କୋର୍ ଅଞ୍ଚଳ ମିଶି ପ୍ରାୟ ୮୨୦ ବର୍ଗ କି.ମି. ହେବ । ଏହି ଅରଣ୍ୟ ନିକଟରେ ରହିଥିବା ଏକ ଛୋଟ ପାହାଡ଼ରୁ ଜାତୀୟ ଉଦ୍ୟାନର ନାମ ଉଦ୍ଧୃତ । ପ୍ରଭୁ ଶ୍ରୀରାମ ଲକ୍ଷ୍ମଣଙ୍କୁ ଏହି ପାହାଡ଼ସ୍ଥିତ ଦୁର୍ଗ ପ୍ରଦାନ କରିଥିଲେ ଓ ଲଙ୍କା ଉପରେ ନଜର ରଖିବାକୁ କହିଥିଲେ ବୋଲି କିମ୍ବଦନ୍ତୀ ରହିଛି । ଏହି କାରଣରୁ ଏହି ଦୁର୍ଗର ସଂସ୍କୃତ ନାମ ବାନ୍ଧବଗଡ଼ର ଅର୍ଥ ହେଲା ଭ୍ରାତାଙ୍କ ଦୁର୍ଗ ।
ବାନ୍ଧବଗଡ଼ ଜାତୀୟ ଉଦ୍ୟାନ ବାନ୍ଧବଗଡ଼ ବ୍ୟାଘ୍ର ଅଭୟାରଣ୍ୟ | |
---|---|
IUCN Category II (National Park) | |
ଭାରତ ମାନଚିତ୍ରରେ ବାନ୍ଧବଗଡ଼ର ଅବସ୍ଥିତି | |
ଅବସ୍ଥାନ | ମଧ୍ୟପ୍ରଦେଶ, ଭାରତ |
ପାଖ ସହର | ଉମରିଆ |
ଦିଗବାରେଣି | 23°41′58″N 80°57′43″E |
କ୍ଷେତ୍ରଫଳ | ୧୫୩୬ ବର୍ଗ କିଲୋମିଟର୍ |
ସ୍ଥାପିତ | ୧୯୬୮ |
ପର୍ଯ୍ୟଟକ ସଂଖ୍ୟା | ୧୦୮୦୦୦ |
ପରିଚାଳନା | ମଧ୍ୟପ୍ରଦେଶ ବନ ବିଭାଗ |
[mpforest.org/bandhavgarh.html Official website] |
ଏହି ଜାତୀୟ ଉଦ୍ୟାନର ଜୈବବିବିଧତା ବିସ୍ତୃତ । ଭାରତର ଅଳ୍ପ କିଛି ଜାତୀୟ ଉଦ୍ୟାନମାନଙ୍କରେ ବାଘଙ୍କ ଘନତା ଅଧିକ ରହିଆସିଛି ଓ ବାନ୍ଧବଗଡ଼ ସେହି ଶ୍ରେଣୀରେ ପରିଗଣିତ ଏକ ଜାତୀୟ ଉଦ୍ୟାନ । ଏହାଛଡ଼ା ବାନ୍ଧବଗଡ଼ରେ ବହୁ କଲରାପତରିଆ ବାଘ ଓ ଅନେକ ପ୍ରଜାତିର ହରିଣ ମଧ୍ୟ ରହିଛନ୍ତି । ରେୱାର ମହାରାଜ ମାର୍ତ୍ତଣ୍ଡ ସିଂ ୧୯୫୧ ମସିହାରେ ଏହି ଜଙ୍ଗଲର ପ୍ରଥମ ଧଳାବାଘ ଧରିଥିଲେ । ଏହି ବାଘର ନାମ ମୋହନ ରଖାଯାଇଥିଲା । ମଲା ପରେ ମୋହନର ଚମଡ଼ା ଭିତରେ ପାଳକୁଟା ଇତ୍ୟାଦି ଭର୍ତ୍ତି କରି ଏହାକୁ ସଂରକ୍ଷିତ କରି ରେୱାର ରାଜପ୍ରାସାଦରେ ରଖାଯାଇଛି । ବାନ୍ଧବଗଡ଼ ନିକଟସ୍ଥ ଗାଁବାସୀ ଓ ସେମାନଙ୍କ ଗୋରୁଗାଈ ସବୁବେଳେ ବାଘମାନଙ୍କ ପ୍ରତି ବିପଦ ସୃଷ୍ଟି କରନ୍ତି । ପୁଣି ଏହି ଅଞ୍ଚଳରେ ବଢ଼ୁଥିବା ଖଣିକାମ ବାଘଙ୍କ ପାଇଁ ନୂଆ ବିପଦ ସୃଷ୍ଟି କରିଛି ।
ବାନ୍ଧବଗଡ଼ ଜଙ୍ଗଲର ଇତିହାସ ବହୁ ବର୍ଷ ପୁରୁଣା । ଜାତୀୟ ଉଦ୍ୟାନ ମାନ୍ୟତା ପାଇବା ପୂର୍ବରୁ ଏହି ଜଙ୍ଗଲ ଶିକାରଗାଃ ବା ଶିକାର ଜଙ୍ଗଲ ଭାବେ ପରିଚିତ ଥିଲା । ମହାରାଜା ବା ତାଙ୍କ ଅତିଥିମାନେ ଏଠାକୁ ଶିକାର କରିବାକୁ ଆସୁଥିବାରୁ ଜଙ୍ଗଲର ରକ୍ଷଣାବେକ୍ଷଣ କରାଯାଉଥିଲା ।
୧୯୪୭ ମସିହାରେ ରେୱା ରାଜ୍ୟକୁ ସ୍ୱାଧୀନ ଭାରତର ମଧ୍ୟପ୍ରଦେଶ ରାଜ୍ୟରେ ମିଶାଇ ଦିଆଗଲା । ତେଣୁ ସ୍ୱତଃ ବାନ୍ଧବଗଡ଼ ମଧ୍ୟପ୍ରଦେଶର ଶାସନାଧୀନ ହେଲା ଓ ରେୱାର ମହାରାଜଙ୍କୁ କେବଳ ଶିକାର ପାଇଁ ଅନୁମତି ମିଳିଲା । ୧୯୬୮ ମସିହା ପୂର୍ବରୁ ଜଙ୍ଗଲ ଓ ଜୀବଙ୍କ ସଂରକ୍ଷଣ ପାଇଁ କୌଣସି ବିଶେଷ ପଦକ୍ଷେପ ନିଆଯାଇନଥିଲା । ୧୯୬୮ରେ ଏହି ଜଙ୍ଗଲକୁ ଜାତୀୟ ଉଦ୍ୟାନର ମାନ୍ୟତା ମିଳିଲା । ତାହା ପରଠାରୁ ବାନ୍ଧବଗଡ଼ର ପ୍ରାକୃତିକ ସମ୍ବଳର ସୁରକ୍ଷା କରାଯାଇଆସୁଛି ଓ ଅନେକ ସଂରକ୍ଷଣବାଦୀ ପଦକ୍ଷେପ ମଧ୍ୟ ନିଆଯାଇଛି ।
୧୯୭୨ ମସିହାରେ ବନ୍ୟଜୀବ ସଂରକ୍ଷଣ ନିୟମ-୧୯୭୨ ଆଗତ ହେବାପରେ ସେହି ବର୍ଷ ବ୍ୟାଘ୍ର ପ୍ରକଳ୍ପ ଆରମ୍ଭ ହେଲା ।
ବାନ୍ଧବଗଡ଼ର ବାଘ ଘନତା ବିଶ୍ୱର ଅନ୍ୟ ଯେ କୌଣସି ସ୍ଥାନର ବାଘ-ଘନତାରୁ ଅଧିକ । ଏଠାକାର କିଛି ବାଘବାଘୁଣୀ ନିଜ ଆକାର, ସୁନ୍ଦରତା ପାଇଁ ପର୍ଯ୍ୟଟକ ଓ ଅନ୍ୟ ବାଘପ୍ରେମୀଙ୍କ ମହଲରେ ପ୍ରସିଦ୍ଧ ହୋଇପାରିଛନ୍ତି । ବାନ୍ଧବଗଡ଼ର ଏକ ମୁଖ୍ୟ ଇଲାକାର ରାଜା ଚାର୍ଜର୍ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ହାତୀ ବା ଜିପ୍ ଦେଖିଲେ ଗର୍ଜନ କରି ତା ଆଡ଼କୁ ମାଡ଼ି ଆସୁଥିଲା (ଈଂରାଜୀରେ କହିଲେ Charging at something) । ସେହି କାରଣରୁ ବାଘଟିର ନାମ ଚାର୍ଜର୍ ରଖାଯାଇଥିଲା । ତେବେ ଏହି ବାଘ କୌଣସି ବ୍ୟକ୍ତି ଉପରେ କେବେ ଆକ୍ରମଣ କରିନାହିଁ । ୧୯୯୦ ମସିହାପରଠାରୁ ଚାର୍ଜର୍ ବାନ୍ଧବଗଡ଼ର ପ୍ରଥମ ସ୍ୱସ୍ଥ, ଦୀର୍ଘଜୀବୀ ଓ ରାଜା ପରି ଗୁଣ ବହନ କରୁଥିବା ପ୍ରାଣୀ କହିଲେ ଅତ୍ୟୁକ୍ତି ହେବନାହିଁ । ନ୍ୟାସନାଲ୍ ଜିଓଗ୍ରାଫିକ୍ ପତ୍ରିକାର ପ୍ରମୁଖପୃଷ୍ଠାରେ ଚାର୍ଜର୍ ଓ ସୀତା ନାମକ ଏକ ବାଘୁଣୀ ସ୍ଥାନ ପାଇଥିଲେ । ବର୍ତ୍ତମାନ ସମୟରେ ବାନ୍ଧବଗଡ଼ର ଅଧିକାଂଶ ବାଘ ଚାର୍ଜର୍ ଓ ସୀତାର ବଂଶଲତିକାର ଅଂଶ ବୋଲି କହିପାରିବା । ଚାର୍ଜର୍ ଓ ସୀତାର ଝିଅ ଜୋଇତା, ପୁଅ ଲଙ୍ଗଡ଼ୁ ଓ ବି୨ (ବି-ଟୁ) ମଧ୍ୟ ବହୁବାର ଦେଖାଯାଇଛନ୍ତି । ପର୍ଯ୍ୟଟକଙ୍କ ଗାଡ଼ି ନିକଟରୁ ଚାଲିଗଲାବେଳେ ସେମାନେ କୌଣସି ପ୍ରକାରର ଭୟ ବା ଆଶଙ୍କା ଦେଖାଉନଥିଲେ ବରଂ ଜଙ୍ଗଲର ରାଜା କିପରି ଜଙ୍ଗଲରେ ରହେ ତାହାର ଏକ ଝଲକ ବାରମ୍ବାର ଦେଖାଇଛନ୍ତି ।
ସୀତାର ମୃତ୍ୟୁ ପରେ ମୋହିନୀ ନାମକ ବାଘୁଣୀ ବାନ୍ଧବଗଡ଼ର ଏକ ବଡ଼ ଇଲାକା ନିୟନ୍ତ୍ରଣ କରିବାକୁ ଲାଗିଲା । ସେ ମହାମାନ ନାମକ ଏକ ଅଣ୍ଡିରା ବାଘର ସଙ୍ଗିନୀ ଥିଲା । ଏକ ଗାଡ଼ି ସହ ଦୁର୍ଘଟଣାରେ ମୋହିନୀ ପ୍ରାଣ ହରାଇଥିଲା ।
୨୦୦୦ ମସିହାରେ ବହୁତ ବୁଢ଼ା ହୋଇଯିବା ପରେ ଚାର୍ଜର୍ କ୍ରମେ ନିଜ କ୍ଷେତ୍ରରୁ ଅନ୍ୟ ଯୁବ ବାଘଙ୍କଦ୍ୱାରା ବିତାଡ଼ିତ ଓ କ୍ଷତବିକ୍ଷତ ହୋଇ ମୃତ୍ୟୁବରଣ କରିଥିଲା । ବାନ୍ଧବଗଡ଼ର ଚାର୍ଜର୍ ପଏଣ୍ଟ୍ ନାମକ ଏକ ସ୍ଥାନରେ ଚାର୍ଜର୍କୁ ମୃତ୍ୟୁ ପରେ ପୋତାଯାଇଥିଲା । ନିଜ ବୃଦ୍ଧ ଜୀବନର ଶେଷ କିଛି ଦିନ ଚାର୍ଜର୍ ଏହି ଚାର୍ଜର୍ ପଏଣ୍ଟ୍ ଆଖାପାଖି ଇଲାକାରେ ଅତିବାହିତ କରିଥିଲା । ୨୦୦୩ରୁ ୨୦୦୬ ମସିହା ମଧ୍ୟରେ ଚାର୍ଜର୍ର ଅନେକ ବଂଶଧର ଦୁର୍ଭାଗ୍ୟଜନକ ଭାବେ ମୃତ୍ୟୁ ବରଣ କରିଥିଲେ । ବି୧ (ବି-ୱାନ୍) ବିଦ୍ୟୁତ୍ ଆଘାତରେ, ବି୩ (ବି-ଥ୍ରି) ଅବୈଧ ଶିକାରୀଙ୍କ ହାତରେ ମୃତ୍ୟୁବରଣ କରିଥିଲେ । ବାଘୁଣୀ ସୀତା ମଧ୍ୟ ଅବୈଧ ଶିକାର ଯୋଗୁଁ ବଳି ପଡ଼ିଥିଲା । ଚାର୍ଜର୍ର ମୃତ୍ୟୁ ପରେ ନିଜ ଯୁବାବସ୍ଥାରେ ଥିବା ବି୨ ଏକ ବଡ଼ ଇଲାକା ନିୟନ୍ତ୍ରଣ କରିବାକୁ ଲାଗିଲା ଓ ୨୦୦୪ରୁ ୨୦୦୭ ପର୍ଯ୍ୟନ୍ତ ରାଜା ହୋଇ ରହିଥିଲା । ବଳିଷ୍ଠ ଓ ଶକ୍ତିଶାଳୀ ବି୨ ଏବଂ ସିଦ୍ଧବାବା ବାଘୁଣୀର (ସିଦ୍ଧବାବା ଇଲାକାର ବାଘୁଣୀ) ମିଳନରୁ ୩ଟି ବାଘଛୁଆ ଜନ୍ମ ହୋଇଥିଲେ । ତିନିଜଣଙ୍କ ମଧ୍ୟରୁ ଗୋଟିଏ ଅଣ୍ଡିରା ବାଘଛୁଆ ପ୍ରଥମେ ୨୦୦୮ ମସିହାରେ ଠାବ ହୋଇଥିଲା ଓ ତାହାକୁ ବାମେରା ନାମିତ କରାଯାଇଥିଲା । ପରେ ବାମେରା ମଧ୍ୟ ବାନ୍ଧବଗଡ଼ର ଏକ ବଡ଼ ଇଲାକାର ରାଜା ହେଲା । ୨୦୧୧ ନଭେମ୍ବର ମାସରେ ବି୨ ମୃତ୍ୟୁବରଣ କରିଥିଲା । ବି୨ର ଶବ ବ୍ୟବଚ୍ଛେଦରୁ ତା’ର ମୃତ୍ୟୁ ସମ୍ପୂର୍ଣ୍ଣ ରୂପେ ପ୍ରାକୃତିକ କାରଣ (ବୃଦ୍ଧାବସ୍ଥା) ଯୋଗୁଁ ହୋଇଥିବା ଜଣା ପଡ଼ିଲା । କିନ୍ତୁ ଅଣ-କୋର୍ ଅଞ୍ଚଳର କେତେକ ଗ୍ରାମବାସୀ ବି୨କୁ କ୍ଷତାକ୍ତ କରିଥିଲେ ଓ ତାହା ବି୨ର ମୃତ୍ୟୁର କାରଣ ଥିଲା ବୋଲି କିଛି ବ୍ୟକ୍ତି ଦାବୀ କରିଥିଲେ ।
ବାନ୍ଧବଗଡ଼ର ତାଲା ଇଲାକାର ରାଜା ଭାବେ ବାମେରା ବହୁଦିନ ଶାସନ କଲା ଓ ନିକଟ ଅତୀତରେ ମୃତ୍ୟୁବରଣ କରିଥିଲା । ତେବେ ୨୦୧୫ ମସିହା ବେଳକୁ ବାନ୍ଧବଗଡ଼ରେ ଅନେକ ଯୁବ ଅଣ୍ଡିରା ବାଘ ବାମେରାର ରାଜତ୍ୱକୁ ଆହ୍ୱାନ ଦେଇ ଆସିଛନ୍ତି । ବ୍ଲୁ ଆଏସ୍ (ନୀଳାକ୍ଷ) ଓ ମୁକୁନ୍ଦ ଯଥାକ୍ରମେ ମଗଧୀ ଓ ଖିତୌଲି ଇଲାକାର ମୁଖ୍ୟ ବାଘ ଥିଲେ । ବ୍ଲୁ ଆଏସ୍ ଚିକିତ୍ସା ବେଳେ ଅତ୍ୟଧିକ ଔଷଧ ଦିଆଯିବା କାରଣରୁ ମୃତ୍ୟୁ ବରଣ କରିଥିଲା । ବାନ୍ଧବଗଡ଼ରେ ବାରମ୍ବାର ଦର୍ଶନ ଦେଇଥିବା କିଛି ବାଘୁଣୀ ହେଲେ ରାଜବେହେରା, ମିର୍ଚୈନି, ବନ୍ବେହି, ଶୁଖି ପତ୍ତିୟାଁ, ଡମ୍ଡମା । ବର୍ତ୍ତମାନ ସମୟରେ ବାନ୍ଧବଗଡ଼ରେ ଅନେକ ତରୁଣ ବାଘ ଓ ଶାବକ ବାଘ ରହିଛନ୍ତି ।
୨୦୧୭ ମସିହାରେ ଭୀମ ନାମକ ଏକ ୯ ବର୍ଷ ବୟସ୍କ ତରୁଣ ବାଘ ବାମେରାକୁ ଏକ ଯୁଦ୍ଧରେ ପରାସ୍ତ କରିଥିଲା । ପରାସ୍ତ ଓ କ୍ଷତବିକ୍ଷତ ବାମେରା ଜଙ୍ଗଲରୁ ଦୂରକୁ ଚାଲିଯାଇ ଥିଲା । ଶିକାର କରିବାକୁ ଅସମର୍ଥ ବାମେରାର ଜୀବନ ବଞ୍ଚାଇବା ପାଇଁ ବନ ବିଭାଗ ଏକ ଅଞ୍ଚଳକୁ ଘେରି ତାହାର ଦେଖରେଖ କରୁଥିଲେ । ୨୦୧୭ ମସିହା ଅକ୍ଟୋବର ମାସରେ ବାମେରା ଶେଷ ନିଶ୍ୱାସ ତ୍ୟାଗ କରିଥିଲା । ଏଣେ ବାମେରାକୁ ପରାସ୍ତ କରିଥିବା ଭୀମ ବର୍ତ୍ତମାନ ସମୟରେ (୨୦୧୮ ମସିହା ଅପ୍ରେଲ୍ ମାସ ବେଳକୁ) ବନ୍ଧବଗଡ଼ର ସର୍ବବୃହତ୍ ଅଣ୍ଡିରା ବାଘ । ଭୀମର ନିୟନ୍ତ୍ରଣ କ୍ଷେତ୍ର ଖିତୌଲି ଓ ତାଲା କୋର୍ ଅଞ୍ଚଳରେ ବ୍ୟାପ୍ତ ଏକ ବିରାଟ ବଡ଼ ଇଲାକା । ମଙ୍ଗୁ ନାମକ ଆଉ ଏକ ବାଘରାଜା ତାଲା କୋର୍ ଅଞ୍ଚଳର ଏକ ବଡ଼ ଇଲାକା ନିୟନ୍ତ୍ରଣ କରିଥାଏ । ୨୦୧୮ ମସିହା ବେଳକୁ ବାନ୍ଧବଗଡ଼ର କିଛି ପ୍ରମୁଖ ବାଘୁଣୀ ହେଲେ :
ବାନ୍ଧବଗଡ଼ ଜାତୀୟ ଉଦ୍ୟାନର ୭୧୬ (କି.ମି.)୨ କୋର୍ ଅଞ୍ଚଳକୁ ତିନୋଟି ଖଣ୍ଡରେ ବିଭକ୍ତ କରାଯାଇପାରିବ । ସେଗୁଡ଼ିକ ହେଲେ ତାଲା, ମଗଧୀ ଓ ଖିତୌଲି । ତାଲା ଜୈବବିବିଧତା ଓ ବାଘସଂଖ୍ୟା ଦୃଷ୍ଟିରୁ ସର୍ବଶ୍ରେଷ୍ଠ । ଜାତୀୟ ଉଦ୍ୟାନର ବଫର୍ ଅଞ୍ଚଳ ବା ଅଣ-କୋର୍ ଅଞ୍ଚଳ ଉମରିଆ ଓ କାଟ୍ନି ଇଲାକା ଯାଏଁ ବ୍ୟାପ୍ତ ଓ ଏହାର କ୍ଷେତ୍ରଫଳ ପ୍ରାୟ ୮୨୦ (କି.ମି.)୨ । ୧୯୬୮ ମସିହାରୁ ଜାତୀୟ ଉଦ୍ୟାନ ମାନ୍ୟତା ମିଳିସାରିଥିଲେ ହେଁ ବହୁ ବର୍ଷ ଧରି ତାଲା ଅଞ୍ଚଳକୁ ପ୍ରାଥମିକ ଭାବେ କୋର୍ ଅଞ୍ଚଳ ବୋଲି ଧରା ଯାଉଥିଲା । ବର୍ତ୍ତମାନର ଭୌଗୋଳିକ ବିଭାଜନ ୧୯୯୩ ମସିହାଠାରୁ ଲାଗୁ କରାଯାଇଛି ।
୨୦୦୦ ମସିହାରେ ରୋଜର୍ସ, ମାଥୁର ଓ ପନୱାର ଭୌଗୋଳିକ ଦୃଷ୍ଟିରୁ ବାନ୍ଧବଗଡ଼କୁ କେନ୍ଦ୍ରୀୟ ଉଚ୍ଚଭୂମିର ଡେକାନ୍ ଉପଦ୍ୱୀପ ଜୋନ୍-୬Aର ଅଂଶ ବୋଲି କହିଛନ୍ତି । ଚାମ୍ପ୍ୟନ୍ ଓ ସେଠ ବାନ୍ଧବଗଡ଼ର ଜଙ୍ଗଲକୁ ଉତ୍ତର ଭାରତୀୟ ଆର୍ଦ୍ର ପର୍ଣ୍ଣମୋଚୀ ଅରଣ୍ୟ ଶ୍ରେଣୀରେ ପରିଗଣନା କରିଛନ୍ତି । ବାନ୍ଧବଗଡ଼ ଅଭୟାରଣ୍ୟର ଉପତ୍ୟକା ଓ ଢାଲୁଆ ଅଞ୍ଚଳରେ ମୁଖ୍ୟ ଗଛ ହେଲା ଶାଳ । ସାମାନ୍ୟ ଉଚ୍ଚ ଭୂମି ଓ ଜାତୀୟ ଉଦ୍ୟାନର ପଶ୍ଚିମ ଓ ଦକ୍ଷିଣ ପଟେ ଥିବା ଶୁଷ୍କତର ସ୍ଥାନମାନଙ୍କରେ ମିଶ୍ରିତ ପର୍ଣ୍ଣମୋଚୀ ଅରଣ୍ୟ ପରିଲକ୍ଷିତ ହୁଏ ।
ଉଦ୍ୟାନ ମଧ୍ୟ ଦେଇ ପ୍ରବାହିତ ବିଭିନ୍ନ ଜଳସ୍ରୋତର କୂଳରେ ଓ ଶାଳ ଜଙ୍ଗଲକୁ ଲାଗି ତୃଣଭୂମିମାନ ରହିଛି । ଶାଳ ଓ ଅନ୍ୟ ବୃକ୍ଷମାନଙ୍କ ମିଶ୍ରିତ ଜଙ୍ଗଲ ସହିତ ସ୍ଥାନେ ସ୍ଥାନେ ଘଞ୍ଚ ବାଉଁଶ ବୁଦା ମଧ୍ୟ ରହିଛି ।
ବାନ୍ଧବଗଡ଼ର ଖାଦ୍ୟଶୃଙ୍ଖଳରେ ମହାବଳ ବାଘ ସର୍ବୋଚ୍ଚ ପ୍ରାଣୀ । ଏଠାକାର ଜଙ୍ଗଲ ୩୭ଟି ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀଙ୍କ ଘର । ବନ ବିଭାଗ ଅଧିକାରୀଙ୍କ ଅନୁସାରେ ୨୫୦ ପ୍ରଜାତିର ପକ୍ଷୀ, ୮୦ ପ୍ରଜାତିର ପ୍ରଜାପତି, ଅନେକ ସରୀସୃପ ରହିଛନ୍ତି । ତେବେ କେତେକ ଗାଇଡ୍ ବହିରେ ଚିତ୍ର ସହିତ ୩୫୦ ପ୍ରଜାତିର ପକ୍ଷୀଙ୍କ ବିଷୟରେ ଲେଖା ହୋଇଛି । ଏଠାକାର ତୃଣଭୂମିର ଶାନ୍ତ ପରିବେଶ ଓ ଖାଦ୍ୟ ବହୁଳତା ଯୋଗୁଁ ବର୍ଷାଋତୁରେ ସାରସ ପକ୍ଷୀମାନଙ୍କ ବହୁ ଯୋଡ଼ି ଆକୃଷ୍ଟ ହୋଇ ପ୍ରଜନନ ପାଇଁ ଆସିଥାନ୍ତି ।
ବାନ୍ଧବଗଡ଼ର ମୁଖ୍ୟ ଆକର୍ଷଣ ହେଲା ମହାବଳ ବାଘ । ବାଘ ଦେଖିବାକୁ ଲକ୍ଷ ଲକ୍ଷ ପର୍ଯ୍ୟଟକ ବାନ୍ଧବଗଡ଼ରେ ଭିଡ଼ ଜମାନ୍ତି । ଏଠାରେ ବାଘଙ୍କ ଘନତା ମଧ୍ୟ ଅଧିକ । ପର୍ଯ୍ୟଟକଙ୍କ ନିମନ୍ତେ ଖୋଲାଯାଇଥିବା ଜାତୀୟ ଉଦ୍ୟାନର ୧୦୫ (କି.ମି.)୨ ଅଞ୍ଚଳରେ ୨୨ଟି ମହାବଳ ବାଘ ରହିଛନ୍ତି । ୨୦୦୧ ମସିହାର ଏହି ଗଣନା ଅନୁସାରେ ପ୍ରତି ୪.୭୭ (କି.ମି.)୨ରେ ଗୋଟିଏ ବାଘ ଅଛି । ୨୦୧୨ ମସିହାରେ ଜାତୀୟ ଉଦ୍ୟାନରେ ବାଘଙ୍କ ସଂଖ୍ୟା ଆନୁମାନିକ ୪୪-୪୯ ରହିଥିଲା । ବାନ୍ଧବଗଡ଼କୁ ନେଇ ଏକ କଥା ଲୋକମୁଖରେ ଶୁଣାଯାଏ । ସେଇଟି ହେଲା – “ ଅନ୍ୟ କୌଣସି ଜାତୀୟ ଉଦ୍ୟାନରେ ତୁମେ ଯଦି ଭାଗ୍ୟବାନ୍ ତାହେଲେ ବାଘ ଦେଖିପାରିବ । କିନ୍ତୁ ଯଦି ବାନ୍ଧବଗଡ଼ରେ ଗୋଟିଏ ହେଲେ ବାଘ ନଦେଖିପାରିଲ ତା’ହେଲେ ତୁମେ ସତରେ ଅଭାଗା ।“
ବାନ୍ଧବଗଡ଼ରେ ଅନ୍ୟ ବହୁ ପ୍ରଜାତି ମଧ୍ୟ ଦେଖାଯାନ୍ତି । ଏକଦା ବନ୍ୟ ଗୟଳ ଲୋପ ପାଇଯାଇଥିଲେ କିମ୍ବା ଉଦ୍ୟାନରୁ ଅନ୍ୟତ୍ର ଚାଲିଯାଇଥିଲେ । ସମ୍ବର ଓ କୁଟୁରା ବହୁମାତ୍ରାରେ ଦେଖିବାକୁ ମିଳନ୍ତି । ଏଠାରେ ଗଧିଆ (canis lupus indica), ହେଟା ବାଘ ଓ କାରାକାଲ୍ ପରି ପ୍ରାଣୀ ରହିଥିବା ମଧ୍ୟ କୁହାଯାଏ । ଜାତୀୟ ଉଦ୍ୟାନର ଖୋଲା ଜାଗାରେ ନୀଳଗାଈ, କାରାକାଲ୍ ଆଦି ଦେଖାଯାନ୍ତି । ମହାବଳ ବାଘ ଓ କଲରାପତରିଆ ବାଘଙ୍କ ମୁଖ୍ୟ ଖାଦ୍ୟ ହେଲା ଚିତଲ୍ ହରିଣ ଓ ବାନ୍ଧବଗଡ଼ରେ ଏମାନେ ମଧ୍ୟ ବହୁ ସଂଖ୍ୟାରେ ବୁଲୁଥାନ୍ତି । କାହ୍ନା ଜାତୀୟ ଉଦ୍ୟାନରୁ ବନ୍ୟ ଗୟଳ ଅଣାଯାଇ ଏଠାରେ ଛଡ଼ାଗଲା ଓ ସେମାନଙ୍କ ବଂଶର ପୁନରୁତ୍ଥାନ କରାଗଲା ।
ବାନ୍ଧବଗଡ଼ରେ ପୂର୍ବେ କିଛି ବନ୍ୟ ଗୟଳ ରହୁଥିଲେ । କିନ୍ତୁ ଜଙ୍ଗଲ ଆଖାପାଖି ଗୋରୁଗାଈଙ୍କଠାରୁ ରୋଗ ସଂକ୍ରମିତ ହେବାରୁ ଏମାନେ ମୃତ୍ୟୁ ବରଣ କରିଥିଲେ । କାହ୍ନା ଜାତୀୟ ଉଦ୍ୟାନରୁ କିଛି ବନ୍ୟ ଗୟଳଙ୍କୁ ବାନ୍ଧବଗଡ଼ ସ୍ଥାନାନ୍ତରିତ କରି ଏଠାରେ ଗୟଳ ବଂଶର ପୁନରୁତ୍ଥାନ ପାଇଁ ଯୋଜନା କରାଗଲା । ୨୦୧୨ ମସିହା ଶୀତଋତୁରେ ୫୦ଟି ବନ୍ୟ ଗୟଳଙ୍କୁ ବାନ୍ଧବଗଡ଼ ଅଣାଗଲା । ମଧ୍ୟପ୍ରଦେଶ ବନ ବିଭାଗ, ତାଜ ସଫାରୀ, ଭାରତୀୟ ବନ୍ୟଜୀବ ସଂସ୍ଥା ଓ ଆଫ୍ରିକୀୟ ସଂରକ୍ଷଣ ନିଗମର ମିଳିତ ସହଯୋଗରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିଲା ।[୧]
ଆକାଶପଥ : ବାନ୍ଧବଗଡ଼ ପାଇଁ କୌଣସି ବିମାନ ଚଳାଚଳ ବ୍ୟବସ୍ଥା ନାହିଁ । ତେବେ ବାନ୍ଧବଗଡ଼ରୁ କିଛି ଦୂରତାରେ (୧୯୯ କିଲୋମିଟର୍/୪ ଘଣ୍ଟା ୩୦ ମିନିଟ୍ର ରାସ୍ତା) ଥିବା ଜବଲପୁର ସହରରେ ଏକ ବିମାନ ବନ୍ଦର ରହିଛି ଓ ଭାରତର ଅଧିକାଂଶ ସ୍ଥାନକୁ (ଯଥା : ଦିଲ୍ଲୀ, ମୁମ୍ବାଇ, କୋଲକାତା, ହାଇଦ୍ରାବାଦ୍, ପୁଣେ, ବେଲଗାଓଁ ଓ ଭୋପାଳ) ଏହି ବିମାନ ବନ୍ଦର ସଂଯୁକ୍ତ କରୁଛି । ବ୍ୟକ୍ତିଗତ ଜେଟ୍ ବାନ୍ଧବଗଡ଼ ନିକଟରେ ଓହ୍ଲାଇବା ପାଇଁ ମଧ୍ୟ ଉମରିଆ ଜିଲ୍ଲାରେ ଏକ ଛୋଟ ବିମାନ ଅବତରଣ ସଡ଼କର ବ୍ୟବସ୍ଥା ରହିଛି । ବିଭିନ୍ନ ସରକାରୀ ଓ ବେସରକାରୀ ବିମାନ ସେବା ମଧ୍ୟରୁ ଚୟନ କରାଯାଇପାରିବ ଓ ପ୍ରାୟ ଦୈନିକ ବିମାନ ସେବା ଉପଲବ୍ଧ ।
ନାଗପୁର ବିମାନ ବନ୍ଦର କିମ୍ବା ରେଳ ଷ୍ଟେସନରୁ ବାନ୍ଧବଗଡ଼ ପହଞ୍ଚିବା ମଧ୍ୟ ଅତ୍ୟନ୍ତ ସୁବିଧାଜନକ । ନାଗପୁର ପହଞ୍ଚିବା ପରେ ଗାଡ଼ି ଭଡ଼ା କରି ବାନ୍ଧବଗଡ଼ ଯାଇହେବ ।
ରେଳପଥ : କାଟ୍ନି ଓ ଉମରିଆ ଉଭୟ ବଡ଼ ରେଳ ଷ୍ଟେସନ୍ । ଏଠାରୁ ଭାରତର ବହୁ ସ୍ଥାନକୁ ରେଳ ଚଳାଚଳ ବ୍ୟବସ୍ଥା ରହିଛି ।
ବାନ୍ଧବଗଡ଼ରେ ଦେଖାଯାଉଥିବା କେତେକ ପକ୍ଷୀ ପ୍ରଜାତି ହେଲେ :
|
|
|
|
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.