![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/8/83/Diverticula%252C_sigmoid_colon.jpg/640px-Diverticula%252C_sigmoid_colon.jpg&w=640&q=50)
ଡାଇଭର୍ଟିକୁଲାଇଟିସ୍
ଖାଦ୍ୟନଳୀ ରୋଗ / From Wikipedia, the free encyclopedia
ଡାଇଭର୍ଟିକୁଲାଇଟିସ୍ ଏକ ଖାଦ୍ୟନଳୀ ରୋଗ ଯେଉଁଥିରେ ବୃହଦନ୍ତ୍ରରେ ଥିବା ଥଳିଗୁଡ଼ିକରେ (pouch) ପ୍ରଦାହ ହୁଏ ।[1] ତଳି ପେଟରେ ହଠାତ୍ ଯନ୍ତ୍ରଣା ଆରମ୍ଭ ହୁଏ । ଏହି କଷ୍ଟ କିଛି ଦିନ ମଧ୍ୟରେ ଧୀରେ ଆରମ୍ଭ ହୋଇପାରେ ।[1] ଉତ୍ତର ଆମେରିକା ଓ ୟୁରୋପରେ ପେଟର ବାମ ପାର୍ଶ୍ୱରେ କଷ୍ଟ ହେଲା ବେଳେ ଏସିଆରେ ଡାହାଣ ପାର୍ଶ୍ୱରେ ହୁଏ ।[2][1][3] ଏହା ବ୍ୟତୀତ ଜ୍ୱର, ଅଇ, ତରଳ ଝାଡ଼ା ବା କୋଷ୍ଠ କାଠିନ୍ୟ ଇତ୍ୟାଦି ଲକ୍ଷଣ ଦେଖାଯାଏ ବା ମଳରେ ରକ୍ତ ପଡ଼େ ।[1] ଏହି ରୋଗ ଆକ୍ରମଣ ବାରମ୍ବାର ହୋଇପାରେ । [2]
ଡାଇଭର୍ଟିକୁଲାଇଟିସ୍ | |
---|---|
![]() ବୃହଦନ୍ତ୍ରରେ (ସିଗମଏଡ଼ କୋଲୋନ) ଅନେକ ଗୁଡ଼ିଏ ଡାଇଭର୍ଟିକୁଲା ଦେଖାଯାଉଛି; ସେ ସମସ୍ତ ଟିନିଅମର ଉଭୟ ପାର୍ଶ୍ୱରେ ଅଛନ୍ତି । | |
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | ଜେନେରାଲ ସର୍ଜରୀ |
ଆଇସିଡ଼ି-୧୦ | K57. |
ଆଇସିଡ଼ି-୯-ସିଏମ୍ | 562 |
ରୋଗ ଡାଟାବେସ | 3876 |
ମେଡ଼ିସିନ-ପ୍ଲସ | 000257 |
ଇ-ମେଡ଼ିସିନ | med/578 |
MeSH | D004238 |
ଏହି ରୋଗର କାରଣ ଅନିଶ୍ଚିତତା ମଧ୍ୟରେ ଅଛି ।[1] ସଙ୍କଟ କାରକ ମଧ୍ୟରେ ମୋଟାପା, ବ୍ୟାୟାମ ଅଭାବ, ଧୂମ୍ରପାନ, ପାରିବାରିକ ରୋଗ ହୋଇଥିଲେ ଓ ଏନ ଏସ ଏ ଆଇ ଡି ମୂଖ୍ୟ ସ୍ଥାନ ଅଧିକାର କରନ୍ତି ।[1][2] ଖାଦ୍ୟ ଫାଇବରର ଭୂମିକା ସ୍ପଷ୍ଟ ନୁହେଁ ।[2] ପ୍ରଦାହ ନ ଥାଇ ବୃହଦନ୍ତ୍ରରେ ଥଳୀ ଥିଲେ ଡାଇଭର୍ଟିକୁଲୋସିସ ନାମ ଦିଆଯାଏ ।[1] ଥଳୀ ଥିବା ଲୋକଙ୍କ ମଧ୍ୟରୁ ୧୦ରୁ ୨୫% ଲୋକଙ୍କର ଜୀବାଣୁ ସଂକ୍ରମଣ ହୋଇ ପ୍ରଦାହ ହୁଏ ।[2][4] ଲକ୍ଷଣ ସହିତ ରକ୍ତ ପରୀକ୍ଷା ଫଳ, ସିଟି ସ୍କାନ, କୋଲୋନୋସ୍କୋପି କରି ରୋଗ ନିର୍ଣ୍ଣୟ କରାଯାଏ ।[1] ଭେଦାତ୍ମକ ରୋଗ ନିର୍ଣ୍ଣୟ ମଧ୍ୟରେ ଇରିଟେବଲ୍ ବାୱେଲ ସିଣ୍ଡ୍ରୋମ ବିଚାରକୁ ଆସେ ।[2]
ଅଖରୋଟ ଓ ମଞ୍ଜି ଜାତୀୟ ଖାଦ୍ୟ ଖାଇବାରୁ ବିରତ ରହିବାକୁ ଅତୀତରେ ଉପଦେଶ ଦିଆଯାଉଥିଲେ ମଧ୍ୟ ଏହା ସହିତ ରୋଗର କୌଣସି ସମ୍ପର୍କ ପ୍ରମାଣିତ ନ ହେବାରୁ ଅଧୁନା ଏହି ଖାଦ୍ୟ ବିରତକୁ ସୁପାରିସ କରାଯାଉ ନାହିଁ ।[1][2] ମେସାଲାଜିନ ଓ ରିଫାକ୍ସାମିନ ଏହି ରୋଗ ଆକ୍ରମଣକୁ ପ୍ରତିରୋଧ କରିବା ଜଣାଯାଉଛି ।[2] ସାମାନ୍ୟ ଧରଣର ରୋଗ ନିମନ୍ତେ ପାଟିରେ ଆଣ୍ଟିବାୟୋଟିକ ଓ ତରଳ ଖାଦ୍ୟ ଦେବାକୁ ଉପଦେଶ ଦିଆଯାଏ । ସାଂଘାତିକ ରୋଗରେ ଶିରାଭ୍ୟନ୍ତରରେ ଆଣ୍ଟିବାୟୋଟିକ ଇଞ୍ଜେକସନ, ଡାକ୍ତରଖାନାରେ ଆଡମିସନ ଓ ସମ୍ପୁର୍ଣ୍ଣ ଖାଦ୍ୟ ନଳୀ ବିଶ୍ରାମ ଚିକିତ୍ସା ଦିଆଯାଏ ।[1] ପ୍ରୋବାୟୋଟିକ ବ୍ୟବହାରର ଭୂମିକା ଅଜଣା ଅଛି ।[2] ଆବସେସ, ଫିସ୍ଚୁଲା, କୋଲୋନ ପରଫୋରେସନ ହେଲେ ଅପରେଶନ ଦରକାର ହୁଏ ।[1]
ପୃଥିବୀର ପଶ୍ଚିମ ଦେଶମାନଙ୍କରେ ଏହି ରୋଗ ଦେଖାଯାଏ ଓ ଆଫ୍ରିକା ତଥା ଏସିଆରେ ସାଧାରଣତଃ ଦେଖାଯାଏ ନାହିଁ ।[1] ପଶ୍ଚିମ ପୃଥିବୀରେ ୩୫% ଲୋକଙ୍କର ଡାଇଭର୍ଟିକୁଲାଇଟିସ ଥିବାବେଳେ ଗ୍ରାମୀଣ ଆଫ୍ରିକାରେ ୧%ରୁ କମ୍ ଥାଏ ।[4] ବୟସାଧିକ୍ୟ ହେଲେ ରୋଗ ଅଧିକ ଦେଖାଯାଏ ବିଶେଷତଃ ୫୦ ବର୍ଷ ବୟସ ପରେ ।[1] ଧୀରେ ଏହା ପୃଥିବୀର ସମସ୍ତ ସ୍ଥାନରେ ଦେଖାଯାଉଛି ।[2] ସନ ୨୦୦୩ରେ ଏହା ଯୋଗୁ ୟୁରୋପରେ ୧୩,୦୦୦ ମୃତ୍ୟୁ ହୋଇଥିଲା ।[2] ସନ ୨୦୧୩ରେ ଏହା ବାବଦ ଖର୍ଚ୍ଚ ଆମେରିକାର ବାର୍ଷିକ ୨.୪ ଡଲାର ଥିଲା ।[2]