ସିରୋସିସ୍
ଏକ ପ୍ରକାର ରୋଗ ଯେଉଁଥିରେ ଦୀର୍ଘକାଳୀନ କ୍ଷତି ଯୋଗୁ ଯକୃତ ଭଲ ରୂପେ କାର୍ଯ୍ୟ କରିପାରେ ନାହିଁ / From Wikipedia, the free encyclopedia
ସିରୋସିସ୍ /sɪˈroʊsɪs/ ଏକ ପ୍ରକାର ରୋଗ ଯେଉଁଥିରେ ଦୀର୍ଘକାଳୀନ କ୍ଷତି ଯୋଗୁ ଯକୃତ ଭଲ ରୂପେ କାର୍ଯ୍ୟ କରିପାରେ ନାହିଁ । ସ୍ୱାଭାବିକ ଭାବରେ ରୋଗ ବର୍ଷ ବର୍ଷ ଧରି ଧୀରେ ବଢ଼ିଚାଲେ । ରୋଗ ଆରମ୍ଭରେ କୋଣସି ଲକ୍ଷଣ ପ୍ରକାଶ ପାଏନାହିଁ । ରୋଗ ଖରାପ ଦିଗକୁ ଗତି କଲେ ଦୁର୍ବଳ ଲାଗେ, ଗଲୁ କରେ, ଗୋଡ଼ ନିମ୍ନଭାଗ ଫୁଲିଯାଏ, ଚମ ହଳଦିଆ ହୁଏ, ସହଜରେ କ୍ଷତ ହୁଏ, ପେଟରେ ତରଳ ପଦାର୍ଥ ଜମିଯାଏ ଓ ପେଟ ବୁଢ଼ିଆଣି ବସା ପରି ଶିରାଳ ଦେଖାଯାଏ । ପେଟରେ ଜମିଥିବା ତରଳ ପଦାର୍ଥ ସ୍ୱତଃ ସଂକ୍ରମିତ ହୋଇଯାଇପାରେ । ଅନ୍ୟ ଜଟିଳତା ମଧ୍ୟରେ ହେପାଟିକ ଏନକେଫାଲୋପାଥି, ଏସୋଫେଗସରେ ଥିବା ସ୍ଫିତ ରକ୍ତନଳୀରୁ ରକ୍ତସ୍ରାବ ଓ କର୍କଟ ରୋଗ ହୋଇପାରେ । ହେପାଟିକ ଏନକେଫାଲୋପାଥି ହେଲେ ମାନସିକ ଦ୍ୱନ୍ଦ ହୁଏ ଓ ମୂର୍ଚ୍ଛା ହେବା ସମ୍ଭାବନା ରହେ । [1]
ସିରୋସିସ୍ | |
---|---|
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | Gastroenterology |
ଆଇସିଡ଼ି-୧୦ | K70.3, K71.7, K74. |
ଆଇସିଡ଼ି-୯-ସିଏମ୍ | 571 |
ରୋଗ ଡାଟାବେସ | 2729 |
ମେଡ଼ିସିନ-ପ୍ଲସ | 000255 |
ଇ-ମେଡ଼ିସିନ | med/3183 radio/175 |
Patient UK | ସିରୋସିସ୍ |
MeSH | D008103 |
ସିରୋସିସ୍ ରୋଗର କାରଣ:- ଅତ୍ୟଧିକ ମଦ୍ୟପାନ, ହେପାଟାଇଟିସ ବି, ହେପାଟାଇଟିସ ସି ଓ ନନ୍ ଆଲକୋହୋଲିକ ଫାଟି ଲିଭର ଡିଜିଜ ।[1][2] ଦୈନନ୍ଦିନ ୨ ବା ୩ ଥରରୁ ଅଧିକ ଅନେକ ବର୍ଷ ଧରି ମଦ୍ୟପାନ କଲେ ସମୟକ୍ରମେ ସିରୋସିସ୍ ରୋଗ ହୁଏ । ଅଧିକ ଓଜନ ଥିବା ବ୍ୟକ୍ତି, ଡାଏବିଟିସ, ରକ୍ତରେ ଅଧିକ ଚର୍ବି ଅଂଶଥିଲେ ନନ୍ ଆଲକୋହୋଲିକ ଫାଟି ଲିଭର ଡିଜିଜ ରୋଗ ହେବା ସମ୍ଭାବନା ଥାଏ । ଅଟୋଇମ୍ମୁଇ ହେପାଟାଇଟିସ, ପ୍ରାଇମେରୀ ବିଲିଆରି ସିରୋସିସ୍, କେତେକ ଔଷଧ ଓ ଗଲସ୍ଟୋନ(ପିତ୍ତକୋଷରେ ପଥର) ଥିଲେ ମଧ୍ୟ ଏହି ରୋଗ ହୋଇପାରେ କିନ୍ତୁ ସାଧାରଣତଃ ଅଧିକ ହୁଏ ନାହିଁ । ସିରୋସିସ୍ ରୋଗରେ ଯକୃତ ତନ୍ତୁଗୁଡ଼ିକ ଫାଇବ୍ରୋସିସରେ ପରିବର୍ତ୍ତିତ ହୋଇଯାଏ । ଏହି କାରଣ ଯୋଗୁ ଯକୃତର କାର୍ଯ୍ୟ ବିପର୍ଯ୍ୟସ୍ତ ହୋଇଯାଏ । ରକ୍ତ ପରୀକ୍ଷା, ମେଡିକାଲ ଇମେଜିଙ୍ଗ ଓ ଯକୃତ ବାୟୋପ୍ସି ନେଇ ରୋଗ ନିର୍ଣ୍ଣୟ କରାଯାଏ । [1]
ହେପାଟାଇଟିସ ବି ରୋଗ ପ୍ରତିଷେଧକ ଟିକା ଦେଲେ ସିରୋସିସ ପ୍ରତିରୋଧ ହୁଏ । ଅନ୍ତର୍ନିହିତ କାରଣ ଉପରେ ଏହାର ଚିକିତ୍ସା ଆଂଶିକ ଭାବରେ ନିର୍ଭର କରେ । ଚିକିତ୍ସା: ଅଧିକ ଖରାପ ଦିଗକୁ ଗତି ନ କରି ଦେବାକୁ ଓ ଏହାର ଜଟିଳତାକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିବାକୁ ଲକ୍ଷ ରଖାଯାଏ । ମଦ ବା ଆଲକୋହୋଲ ଏଡ଼େଇବାକୁ ଉପଦେଶ ଦିଆଯାଏ ।ଆଣ୍ଟିଭାଇରସ ଔଷଧ ଦେଇ ହେପାଟାଇଟିସ ବି ଓ ସି ରୋଗମାନଙ୍କ ଚିକିତ୍ସା କରାଯାଏ । ସ୍ଟିରଏଡ ଦେଇ ଅଟୋଇମ୍ମ୍ୟୁନ ହେପାଟାଇଟିସ ଚିକିତ୍ସା କରାଯାଏ । ପିତ୍ତନଳୀ ପଥ ବନ୍ଦ ହୋଇଥିଲେ ଉର୍ସୋଡିଓଲ ଔଷଧ ସାହାଯ୍ୟକାରୀ ହୁଏ । ହେପାଟିକ ଏନକେଫାଲୋପାଥି, ସ୍ଫିତ ଏସୋଫେଗସ ଶିରା ଓ ଫୁଲା ନିମନ୍ତେ ଦରକାରୀ ଚିକିତ୍ସା କରାଯାଏ । ଗମ୍ଭୀର ଧରଣର ସିରୋସିସ୍ ଥିଲେ ଯକୃତ ଟ୍ରାନ୍ସପ୍ଲାଣ୍ଟ ଚିକିତ୍ସା କରିହେବ । [1]
ସନ ୧୯୯୦ରେ ସିରୋସିସ୍ ରୋଗ ଯୋଗୁ 0.୮ ନିୟୁତ ମୃତ୍ୟୁ ହୋଇଥିଲା ବେଳେ ସନ ୨୦୧୩ରେ ଏହା ବୃଦ୍ଧି ପାଇ ୧.୨ ନିଯୁତରେ ପହଞ୍ଚିଥଲା, [2] ଏମାନଙ୍କ ମଧ୍ୟରୁ ଆଲକୋହୋଲ ଯୋଗୁ ୩୮୪,000, ହେପାଟାଇଟିସ ସି ଯୋଗୁ ୩୫୮,000, ଓ ହେପାଟାଇଟିସ ବି ଯୋଗୁ ୩୧୭,000 ସଂଖ୍ୟକ ମୃତ୍ୟୁ ହୋଇଥିଲା ।[2] ଆମେରିକାରେ ଏହି ରୋଗ ଯୋଗୁ ପୁରୁଷ ମୃତ୍ୟୁ ସଂଖ୍ୟା ମହିଳାଙ୍କ ଅପେକ୍ଷା ଅଧିକ ।[1] ଖ୍ରୀ:ପୂ: ୫ମ ଶତାବ୍ଦୀରେ ଏହି ରୋଗ ବିଷୟରେ ହିପୋକ୍ରାଟିସ ପ୍ରଥମେ ବର୍ଣ୍ଣନା କରିଥିଲେ । [3]ସିରୋସିସ ଶବ୍ଦଟି ଗ୍ରୀକ: κίρρωσις ଶବ୍ଦରୁ ନିଆଯାଇଛି:ସିରୋସ κιρρός ଅର୍ଥ ହଳଦିଆ ଓ ଓସିସ (-ωσις) ଅର୍ଥ ଅବସ୍ଥା ।