From Wikipedia, the free encyclopedia
ଲୋଏ କ୍ରଥୋଂଗ (ଇଂରାଜୀରେ Loi Krathong, ଥାଇ ଭାଷାରେ ลอยกระทง, ବିବିଧ ଉଚ୍ଚାରଣ - ଲୋଏ କ୍ରଥୋଂଗ, ଲୋଇ କ୍ରଥୋଂଗ, ଲୋଏ ଗ୍ରତୋଂଗ, ଇତ୍ୟାଦି) ସିଆମ୍ର ଏକ ଉତ୍ସବ । ଥାଇଲାଣ୍ଡର ପ୍ରାୟ ସମସ୍ତ ସ୍ଥାନରେ ଏହି ଉତ୍ସବ ପ୍ରତିବର୍ଷ ପାଳିତ ହୋଇଥାଏ । ଥାଇ ସଂସ୍କୃତିର ପ୍ରଭାବ ରହିଥିବା ଲାଓସ, ଶାନ ରାଜ୍ୟ, ମୋନ ରାଜ୍ୟ, ତନିନ୍ଥାରି, କେଲାନ୍ତନ, କେଦାଃ ଓ ଜିଶୁଆଂଗବାନ୍ନା ପ୍ରଭୃତି ଅଞ୍ଚଳରେ ମଧ୍ୟ ଏହି ଉତ୍ସବ ପାଳିତ ହୋଇଥାଏ । ଏହି ଉତ୍ସବର ନାମର ଅର୍ଥ ହେଲା ଡଙ୍ଗା ବା ଦୀପ ଭସାଇବା । ଏହି ଉତ୍ସବ ନଦୀରେ ଭାସିପାରୁଥିବା ସୁସଜ୍ଜିତ ଝୁଡ଼ି ବା କ୍ରଥୋଂଗ ନିର୍ମାଣ କରିବା ପରମ୍ପରାର ପ୍ରତିଫଳନ । ବହୁ ଥାଇ ଅଧିବାସୀ ଏହି ଉତ୍ସବରେ ହିନ୍ଦୁ ଦେବୀ ଫ୍ରା ମାଏ ଖୋଂଗ୍ଖା (ଥାଇ ଭାଷାରେ พระแม่คงคา)ଙ୍କୁ ଧନ୍ୟବାଦ ଅର୍ପଣ ସ୍ୱରୂପ ପୂଜା କରିଥାନ୍ତି । ଖୋଂଗ୍ଖା ନାମଟି ଉତ୍ତର ଭାରତରେ ପ୍ରବାହିତ ଗଙ୍ଗା ନଦୀଙ୍କ ଥାଇ ନାମ । ତେଣୁ ଏହି ପର୍ବର ଉତ୍ସ ଭାରତରୁ ବୋଲି ମଧ୍ୟ କୁହାଯାଇପାରେ ।[3]
ଲୋଏ କ୍ରଥୋଂଗ | |
---|---|
ନାମ | ଲୋଏ କ୍ରଥୋଂଗ[1] |
ପାଳନକାରୀ | ଥାଇଲାଣ୍ଡ, ଲାଓସ (ବୌନ୍ ଥାଟ୍ ଲୁଆଂଗ ଭାବେ ପାଳିତ), ଉତ୍ତର ମାଲେସିଆ, ବ୍ରହ୍ମଦେଶର ଶାନ ପ୍ରଦେଶ ଓ ଚୀନର ଜିଶୁଆଂଗବାନ୍ନା ବ୍ରହ୍ମଦେଶ (ତାଜୌଂଗଡାଇନ୍ ଉତ୍ସବ ଭାବେ ପାଳିତ), ଶ୍ରୀଲଙ୍କା (ପୋୟା ଭାବେ ପାଳିତ), ଚୀନ (ଲାଣ୍ଟର୍ଣ୍ଣ ଫେଷ୍ଟିଭାଲ୍), କମ୍ବୋଡ଼ିଆ (ବୋନ୍ ଓମ୍ ତୌକ୍ ଭାବେ ପାଳିତ) |
ପ୍ରକାର | ଏସୀୟ |
ବିଶେଷତା | ଗଙ୍ଗା ମାତାଙ୍କ ପୂଜା ଓ କ୍ଷମା ପ୍ରାର୍ଥନା ଉଦ୍ଦେଶ୍ୟରେ, ସ୍ୱଗରେ ଥିବା ବୁଦ୍ଧଙ୍କ କେଶ ମନ୍ଦିରର ପୂଜାର୍ଚ୍ଚନା [2] |
ତାରିଖ | ୧୨ଶ ଥାଇ ମାସର ପୂର୍ଣ୍ଣମୀ ଦିନ |
୨୦୨୪ ତାରିଖ | |
ପୁନଃପୌନିକତା | ବାର୍ଷିକ |
ସମ୍ପର୍କିତ | ତଜୌଂଗଡାଇନ୍ ଉତ୍ସବ (ବ୍ରହ୍ମଦେଶ), ପୋୟା (ଶ୍ରୀଲଙ୍କା), ଲାଣ୍ଟର୍ଣ୍ଣ୍ ଫେଷ୍ଟିଭାଲ୍ (ଚୀନ), ବୋନ୍ ଓମ୍ ଟୌକ୍ (କମ୍ବୋଡ଼ିଆ) |
ପାରମ୍ପରିକ ଥାଇ ଚନ୍ଦ୍ର ପଞ୍ଜିକାର ଦ୍ୱାଦଶ ମାସର ପୂର୍ଣ୍ଣିମା ଦିନ ଲୋଏ କ୍ରଥୋଂଗ ପାଳିତ ହୁଏ । ତେଣୁ ପ୍ରତିବର୍ଷ ଏହି ପର୍ବର ତାରିଖ ବଦଳୁଥାଏ । ପାଶ୍ଚାତ୍ୟ କ୍ୟାଲେଣ୍ଡର ଅନୁସାରେ ଏହି ପର୍ବ ପ୍ରାୟତଃ ନଭେମ୍ବର ମାସରେ ପାଳିତ ହୋଇଥାଏ । ଚିଆଂଗ ମାଇରେ ଏହି ପର୍ବ ୩ ଦିନ ଧରି ପାଳିତ ହୁଏ । ୨୦୧୮ ମସିହାରେ ନଭେମ୍ବର ୨୧ରୁ ୨୩ ପର୍ଯ୍ୟନ୍ତ ଚିଆଂଗ ମାଇରେ ଲୋଏ କ୍ରଥୋଂଗ ପାଳିତ ହୋଇଥିଲା ।
ଥାଇଲାଣ୍ଡରେ ଲୋଏ କ୍ରଥୋଂଗ ରୂପେ ପରିଚିତ ଏହି ଉତ୍ସବ ଅନ୍ୟ ଦେଶମାନଙ୍କରେ ଭିନ୍ନ ନାମରେ ପାଳିତ ହୋଇଥାଏ । ଯଥା: ବ୍ରହ୍ମଦେଶର ତାଜୌଂଗଡାଇନ ଉତ୍ସବ, ଶ୍ରୀଲଙ୍କାର ପୋୟା, ଚୀନର ଲାଣ୍ଟର୍ଣ୍ଣ ଫେଷ୍ଟିଭାଲ୍ ଓ କମ୍ବୋଡ଼ିଆର ବୋନ୍ ଓମ୍ ଟୌକ୍ ।[4][5][6][7][8]
କ୍ରଥୋଂଗ ହେଉଛି ଏକ କ୍ଷୁଦ୍ରାକାର ଭାସମାନ ପାରମ୍ପରିକ ଝୁଡ଼ି ବା ପାତ୍ର । ଗଛର ପତ୍ର ସହାୟତାରେ ଏହି ଝୁଡ଼ି ସଜାଯାଇଥାଏ ଓ ସେଥିରେ ହୋର୍ମୋକ ନାମକ ଏକ ପାରମ୍ପରିକ ଥାଇ ଖାଦ୍ୟ କିମ୍ବା ମିଠେଇ ରଖି ଭସାଇ ଦିଆଯାଏ । ପରମ୍ପରା ଅନୁସାରେ ଥାଇ ଲୋକେ କଦଳୀ ଗଛର ଗଣ୍ଡିରୁ କିମ୍ବା ଅନ୍ୟ ଗଛର ହାଲୁକା ଗଣ୍ଡିରୁ ତିଆରି କରାଯାଏ । ଆଧୁନିକ ଯୁଗରେ ସୋଲ, ଫୋମ୍, ପାଉଁରୁଟି ଇତ୍ୟାଦିରେ କ୍ରଥୋଂଗ ନିର୍ମିତ ହେଉଛି । ପାଉଁରୁଟି ନିର୍ମିତ କ୍ରଥୋଂଗ କିଛି ଦିନ ପରେ ଆପେ ଭାଙ୍ଗିଯାଏ ଓ ନଦୀରେ ମାଛ ଇତ୍ୟାଦି ଜୀବଙ୍କ ଖାଦ୍ୟ ପାଲଟିଯାଏ । କଦଳୀ ଗଛ କ୍ରଥୋଂଗ ମଧ୍ୟ ପ୍ରାକୃତିକ ଉପାୟରେ ଜୈବ ବିଘଟନ ପ୍ରକ୍ରିୟାର ସମ୍ମୁଖୀନ ହୁଏ । କିନ୍ତୁ ଫୋମ୍, ସୋଲରେ ତିଆରି କ୍ରଥୋଂଗ ଜଳ ସମ୍ପଦକୁ ପ୍ରଦୂଷିତ କରିଥାନ୍ତି । କ୍ରଥୋଂଗକୁ କଦଳୀ ପତ୍ରରେ ଗୁଡ଼ାଇ, ସେଥିରେ ଧୂପକାଠି ଓ ମହମବତୀ ରଖି ତାକୁ ସଜାଯାଏ ।[9] ନଦୀର ଦେବାଦେବୀ ବା ଭୂତପ୍ରେତଙ୍କୁ ଖୁସି କରିବା ପାଇଁ କିଛି ଲୋକ କ୍ରଥୋଂଗରେ ଏକ ମୁଦ୍ରା ରଖିଦିଅନ୍ତି । ପୂର୍ଣ୍ଣମୀ ଦିନ ରାତିରେ ନିଜ ମନୋବାଞ୍ଛା ପୂରଣ କାମନା କରି ନଦୀ, ପୋଖରୀ, କେନାଲ ଇତ୍ୟାଦିରେ ଏହି କ୍ରଥୋଂଗଗୁଡ଼ିକୁ ଭସାଇ ଦିଅନ୍ତି । ୧୯୪୭ ମସିହାରେ ଚିଆଂଗ ମାଇରେ ଏହି ଡଙ୍ଗା ଭସାଇବା ପ୍ରଥା ଆରମ୍ଭ କରାଯାଇଥିଲା ।[10] ସରକାରୀ କାର୍ଯ୍ୟାଳୟ, ନିଗମ ଓ ଅନ୍ୟ ସଂସ୍ଥାମାନଙ୍କ ତରଫରୁ ବଡ଼ ବଡ଼ କ୍ରଥୋଂଗ ଭସାଯାଏ । କ୍ରଥୋଂଗ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୁଏ ଓ ତା’ ସହ ସୌନ୍ଦର୍ଯ୍ୟ ପ୍ରତିଯୋଗିତା, ଆତଶବାଜୀ ମଧ୍ୟ ଆୟୋଜିତ ହୋଇଥାଏ ।
୧୯୯୯ ମସିହାରେ ପ୍ରକାଶିତ ରାଜକୀୟ ଅନୁଷ୍ଠାନର ଶବ୍ଦକୋଷ ଅନୁଯାୟୀ ଲୋଇ ଶବ୍ଦର ଅର୍ଥ ହେଲା ଭାସିବା । କ୍ରଥୋଂଗ ଶବ୍ଦର ବିଭିନ୍ନ ଅର୍ଥ ରହିଛି ଯେଉଁଥିରୁ ଗୋଟିଏ ହେଉଛି ପତ୍ରରେ ତିଆରି ହୋଇଥିବା ଡଙ୍ଗା ଯାହାକୁ ଲୋଏ କ୍ରଥୋଂଗ ପର୍ବରେ ଭସାଯାଏ । ଥାଇଲାଣ୍ଡର ରୟାଲ୍ ସୋସାଇଟି ଅନୁସାରେ କ୍ରଥୋଂଗ ଶବ୍ଦ ଏକ ପ୍ରାଚୀନ ଚୀନୀ ଶବ୍ଦ 鐙 ବା 燈 (କ୍ରଥୋନ୍)ରୁ ଗୃହୀତ ଯାହାର ଅର୍ଥ ପାରମ୍ପରିକ ନୌକା ବା ଦୀପ ।[11][12][13][14][15][16] ଆଉ ଏକ ମତାନୁସାରେ କ୍ରଥୋଂଗ ଶବ୍ଦଟି କ୍ଷ୍ମେର୍ ଭାଷାର ଶବ୍ଦ କାନ୍ତୋଂଗ (កន្ទោង)ରୁ ମଧ୍ୟ ସୃଷ୍ଟି ହୋଇଥାଇପାରେ ଯାହାର ଅର୍ଥ ମଧ୍ୟ ପାରମ୍ପରିକ ଡଙ୍ଗା ।[17][18][19]
ସୁଖୋଥାଇ ସାମ୍ରାଜ୍ୟ ସମୟରେ ଲୋଏ କ୍ରଥୋଂଗ ପ୍ରଥାର ପ୍ରାରମ୍ଭ ହୋଇଥିବାର ଅନୁମାନ କରାଯାଏ । ସେହି ରାଜ ଦରବାରର ନୋପ୍ଫାମାତ ନାମକ ଜନୈକା ରାଣୀଙ୍କଦ୍ୱାରା ଏହି ପ୍ରଥା ଆରମ୍ଭ ହୋଇଥିବା କଥିତ ଅଛି । ପରବର୍ତ୍ତୀ ଗବେଷଣାରୁ ଜଣାପଡ଼ିଲା ଯେ ଏହି ନୋପ୍ଫାମାତ ଚରିତ୍ରଟି ପ୍ରାକ୍-ବ୍ୟାଂକକ୍ କାଳର ଏକ କବିତାରୁ ଗୃହୀତ ହୋଇଥିବା ଜଣାପଡ଼ିଛି ।[20] ରାଜା ଚତୁର୍ଥ ରାମଙ୍କ ୧୮୬୩ ମସିହାର ଲେଖାରୁ ଜଣାଯାଏ ଯେ ଥାଇ ବୌଦ୍ଧ ଧର୍ମାବଲମ୍ବୀମାନେ ଏକ ପୁରାତନ ବୈଦିକ ହିନ୍ଦୁ ପର୍ବକୁ ଗ୍ରହଣ କରି ତାହାକୁ ଗୌତମ ବୁଦ୍ଧଙ୍କ ପୂଜା ଉଦ୍ଦେଶ୍ୟରେ ପରିବର୍ତ୍ତିତ କରିଥିଲେ । କ୍ରଥୋଂଗର ମହମବତୀ ଜ୍ଞାନପ୍ରାପ୍ତ କରିଥିବା ବୁଦ୍ଧ ଓ କ୍ରଥୋଂଗ ଭସାଇବା ନିଜ କ୍ରୋଧ, ଈର୍ଷ୍ୟା, ଦ୍ୱେଷ ଓ ଅଶୁଦ୍ଧିକୁ ପରିତ୍ୟାଗ କରିବା ସୂଚୀତ କରେ । କିଛି ଲୋକ ନିଜର ନଖ କାଟି ବା ଚୁଟି ଉପାଡ଼ି କ୍ରଥୋଂଗରେ ରଖି ଭସାଇଦିଅନ୍ତି । ଏହା ସେମାନଙ୍କ ଅତୀତର କିଛି ପାପ ବା ଦୁଶ୍ଚିନ୍ତାକୁ ପରିତ୍ୟାଗ କରିବାର ସାଙ୍କେତିକ ପରିପ୍ରକାଶ । ଆଉ ଅନ୍ୟ କିଛି ଥାଇ କ୍ରଥୋଂଗ ଭସାଇ ଜଳର ଦେବୀ ଫ୍ରା ମାଏ ଖୋଂଗ୍ଖାଙ୍କୁ ପୂଜା କରନ୍ତି ଓ ଧନ୍ୟବାଦ ଦିଅନ୍ତି । ଏହି ଦେବୀ ହିନ୍ଦୁ ଧର୍ମର ଦେବୀ ଗଙ୍ଗାଙ୍କ ଥାଇ ରୂପ ।
ଏହି ପର୍ବ ଅବସରରେ ହେଉଥିବା ସୌନ୍ଦର୍ଯ୍ୟ ପ୍ରତିଯୋଗିତାକୁ "ନୋପ୍ଫାମାତ ରାଣୀ ପ୍ରତିଯୋଗିତା" କୁହାଯାଏ । କିମ୍ବଦନ୍ତୀ ଅନୁସାରେ ନାଂଗ୍ ନୋପ୍ଫାମାତ ବା ନୋପାମାସ୍ ତ୍ରୟୋଦଶ ଶତାବ୍ଦୀ ସମୟରେ ଶାସନ କରୁଥିବା ସୁଖୋଥାଇ ରାଜା ଶ୍ରୀ ଇନ୍ଦ୍ରାଦିତ୍ୟଙ୍କ (ଅନ୍ୟ ନାମ ଫ୍ରା ରୁଆଂଗ) ଜଣେ ରାଣୀ ଥିଲେ । ନୋପ୍ଫାମାତ ସର୍ବ ପ୍ରଥମେ ଏକ ସୁସଜ୍ଜିତ ନୌକା ତିଆରି କରି ଜଳରେ ଭସାଇ ଦେଇଥିଲେ ।[21] କିନ୍ତୁ କିଛି ଗବେଷକଙ୍କ ମତରେ ଏହି କାହାଣୀ ଉନବିଂଶ ଶତାବ୍ଦୀରେ ସୃଷ୍ଟି ହୋଇଥିବା ପରି ବୋଧ ହୁଏ । ନାଂଗ୍ ନୋପ୍ଫାମାତଙ୍କ ଅସ୍ଥିତ୍ୱ ସମ୍ପର୍କରେ କୌଣସି ଐତିହାସିକ ପ୍ରମାଣ ନାହିଁ । ୧୮୫୦ ମସିହା ସମୟରେ ରାଜା ତୃତୀୟ ରାମଙ୍କ ସାହିତ୍ୟିକ ରଚନାରେ କିନ୍ତୁ ନୋପ୍ଫାମାତ ନାମକ ଏକ ଚରିତ୍ର ରହିଥିଲା । ରାଜ କର୍ମଚାରୀ ବା ପ୍ରଶାସନିକ ସେବାରେ ଯୋଗ ଦେବାର ଅଭିଳାଷା ରଖିଥିବା ମହିଳାମାନଙ୍କ ପାଇଁ ସେହି ଚରିତ୍ରକୁ ଏକ ଉଦାହରଣ ରୂପେ ଗ୍ରହଣ କରାଯାଉଥିଲା ।
ଆଉ ଏକ ମତ ଅନୁସାରେ ଲୋଏ କ୍ରଥୋଂଗ ପର୍ବ ସୁଖୋଥାଇ ସାମ୍ରାଜ୍ୟ ନୁହେଁ ବରଂ ଅଂକୋରର କ୍ଷ୍ମେର ସାମ୍ରାଜ୍ୟ ସମୟରେ ଆରମ୍ଭ ହୋଇଥିଲା । ରାଜା ସପ୍ତମ ଜୟବର୍ମନ ଦ୍ୱାଦଶ ଶତାବ୍ଦୀରେ ବାୟୋନ ମନ୍ଦିରର ନିର୍ମାଣ କରାଇଥିଲେ । ଏହି ମନ୍ଦିରର କାନ୍ଥରେ ଲୋଏ କ୍ରଥୋଂଗ ପରି ପର୍ବର ଚିତ୍ର ସବୁ ଖୋଦିତ ଅଛି । ମନ୍ଦିରର ଉପର ସ୍ତରରେ ଥିବା ସେହି ଶିଳାଚିତ୍ରକୁ ଦେଖିଲେ ଜଣାଯାଏ ଯେ ନୌକାରେ ୬ ଜଣ ରାଜ ରକ୍ଷିତାଙ୍କ ସହ ଜଣେ ରାଣୀ ଉପସ୍ଥିତ ଅଛନ୍ତି ଓ ସେ ନୌକାରେ ବସି ପାଣିରେ ଏକ କ୍ରଥୋଂଗ ଭସାଉଛନ୍ତି । ରକ୍ଷିତାଙ୍କ ମଧ୍ୟରୁ କିଛି ଜଣ ହାତରେ କ୍ରଥୋଂଗ ଧରିଛନ୍ତି । ଏଥିରୁ ସୂଚନା ମିଳେ ଯେ କାମ୍ବୋଡ଼ିଆ, ଥାଇଲାଣ୍ଡ ଓ ଅନ୍ୟ ଦକ୍ଷିଣ-ପୂର୍ବ ଏସୀୟ ଦେଶମାନଙ୍କରେ ଏପରି ଡଙ୍ଗା ଭସାଇବାର ପ୍ରଥା ରହିଥିଲା ।[22][23][24]
ଥାଇଲାଣ୍ଡରେ ପ୍ରଚଳିତ ଲୋଏ କ୍ରଥୋଂଗ ପ୍ରାଚୀନ କ୍ଷ୍ମେର୍ ସାମ୍ରାଜ୍ୟର ବୋନ୍ ଓମ୍ ଟୌକ୍ ପର୍ବ, ଚୀନର ଜଳ ଦୀପ ପର୍ବ ଓ ଭାରତର ଦୀପାବଳୀ ପର୍ବର ସାଂସ୍କୃତିକ ମହତ୍ତ୍ୱକୁ ମିଶାଇ ପାଳନ କରାଯାଉଛି ବୋଲି ଆଧୁନିକ ସମୟର ଗବେଷକମାନେ ଗ୍ରହଣ କରିଛନ୍ତି ।[25]
ମାଲେସିଆର କେଲାନ୍ତାନରେ ବିଶେଷ କରି ତୁମ୍ପାତ ଜିଲ୍ଲାରେ ସମାନ ଭାବେ ଲୋଏ କ୍ରଥୋଂଗ ପାଳନ କରାଯାଏ । ମାଲେସିଆର ପର୍ଯ୍ୟଟନ ବିଭାଗ ଏହାକୁ ପର୍ଯ୍ୟଟକଙ୍କୁ ଆକର୍ଷଣ କରୁଥିବା ପର୍ବର ମନ୍ୟତା ଦିଏ ।
ଲୋଏ କ୍ରଥୋଂଗ ପର୍ବ ସମୟରେ ଉତ୍ତର ଥାଇଲାଣ୍ଡରେ ଲାନ୍ନା ପର୍ବ ୟି ପେଂଗ୍ (ยี่เป็ง) ମଧ୍ୟ ପାଳିତ ହୋଇଥାଏ , ୟି ଶବ୍ଦର ଅର୍ଥ ଦୁଇ ଓ ପେଂଗ୍ ଶବ୍ଦର ଅର୍ଥ ପୂର୍ଣ୍ଣିମା । ତେଣୁ ୟି ପେଂଗ୍ ଶବ୍ଦର ଅର୍ଥ ହେଉଛି ଲାନ୍ନା ଚନ୍ଦ୍ର ପଞ୍ଜିକାର ଦ୍ୱିତୀୟ ମାସର ପୂର୍ଣ୍ଣିମା ଯାହା ଥାଇ ଚନ୍ଦ୍ର ପଞ୍ଜିକାର ୧୨ଶ ମାସରେ ପଡ଼ିଥାଏ ।[26] ବୌଦ୍ଧ ଧର୍ମାବଲମ୍ବୀମାନେ ଏହି ପର୍ବରେ ବିଭିନ୍ନ ରୀତି ନୀତି ପାଳନ କରି ପୂଣ୍ୟ ଅର୍ଜନ କରିଥାନ୍ତି ।
ଏହି ପର୍ବରେ ଆକାଶରେ ବହୁ ସଂଖ୍ୟକ ଆକାଶ ଦୀପ ବା ଉଡ଼ନ୍ତା ଦୀପ ଦେଖାଯାଏ ଯାହାକୁ ଥାଇ ଭାଷାରେ ଖୋମ୍ ଲୋଇ କୁହାଯାଏ । ପତଳା କନା ବା ଚାଉଳ କାଗଜକୁ ଏକ ବାଉଁଶ ଛାଞ୍ଚ ଉପରେ ଘୋଡ଼ାଇ ତାହା ଭିତରେ ଦୀପ ବା ମହମବତୀ ରଖିଦିଆଯାଏ । ଦୀପ ଜଳିଲେ ଗରମ ପବନ ଯୋଗୁଁ କପଡ଼ା ବା କାଗଜ ସହିତ ଆକାଶକୁ ଉଡ଼ିଯାଏ । ବ୍ୟାଂକକ୍ ପୋଷ୍ଟରେ ପେରକାଶିତ ଲେଖା ଅନୁସାରେ ଏହି ଆକାଶଦୀପ ଉତ୍ସବ ଏକ ସଦ୍ୟ ପ୍ରଥା (ଏକବିଂଶ ଶତାବ୍ଦୀର ପ୍ରଥମ ଦଶନ୍ଧି ସମୟର) ଓ ସ୍ଥାନୀୟ ପର୍ଯ୍ୟଟନ ବିଭାଗ ଅଧିକାରୀମାନେ ଏହା ଆରମ୍ଭ କରାଇଛନ୍ତି ।[10]
କିନ୍ତୁ ଅତ୍ୟଧିକ ଆକାଶଦୀପ ଯୋଗୁଁ ବିମାନ ଚଳାଚଳରେ ସମସ୍ୟା ସୃଷ୍ଟି ହୋଇଥାଏ ।[27] ବହୁ ପଦକ୍ଷେପ ଓ କଟକଣା ସତ୍ତ୍ୱେ ଚିଆଂଗ ମାଇ ବିମାନ ବନ୍ଦରରେ ୧୦୦ରୁ ଉର୍ଦ୍ଧ୍ୱ ଆକାଶଦୀପ ପଡ଼ି ରହିଥିଲେ ।[10]
୨୦୧୬ ମସିହାରେ ବ୍ୟାଙ୍କକ୍ ମେଟ୍ରୋପୋଲିଟାନ୍ ପ୍ରଶାସନ ଲୋଏ କ୍ରଥୋଂଗ ପର୍ବ ପରେ ନଗରର ବିଭିନ୍ନ ଜଳାଶୟରୁ ୬ ଟନ୍ ଆବର୍ଜନା ବାହାର କରିଥିଲେ । ଚାଓ ଫ୍ରାୟା ନଦୀ ଓ କେନାଲମାନଙ୍କରୁ ଆବର୍ଜନା ସଫା କରିବା ପାଇଁ ପ୍ରଶାସନକୁ ୨୧୦ କର୍ମଚାରୀ ଓ ୪୫ଟି ନୌକା ନିୟୋଜିତ କରିବାକୁ ପଡ଼ିଥିଲା ।[28]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.