From Wikipedia, the free encyclopedia
ମିଳିମିଳା ଟିକା ଏକ ଟିକା ଯାହା ମିଳିମିଳା ରୋଗର ପ୍ରତିଷେଧ ଭାବରେ ଅତି ଉପାଦେୟ ଅଟେ । [1] ନଅ ମାସ ବୟସ ବେଳେ ଗୋଟିଏ ଡୋଜ ଦେଲେ ୮୫ % ପିଲା ଇମ୍ମ୍ୟୁନ ହୋଇଯାଆନ୍ତି ଓ ୧୨ ମାସ ବୟସ ବେଳେ ଆଉ ଏକ ଡୋଜ ଦେବା ପରେ ୯୫% ପିଲା ଇମ୍ମ୍ୟୁନ ହୋଇଯାଆନ୍ତି । [2] ଗୋଟିଏ ଡୋଜ ଟିକା ଦେବାପରେ ଇମ୍ମ୍ୟୁନିଟି ନ ହେବା ପିଲା ଦ୍ୱିତୀୟ ଡୋଜ ପରେ ଇମ୍ମ୍ୟୁନିଟି ପାଇଯାଆନ୍ତି । ଦେଖାଯାଇଛି, ଜନସଂଖ୍ୟାର ୯୩ %ରୁ ଅଧିକ ଲୋକ ଟିକା ନେଲେ ମିଳିମିଳା ଆଉ ହୁଏ ନାହିଁ, କିନ୍ତୁ ଟିକା ଦେବା କମିଗଲେ ଆଉ ଥରେ ସେଠାରେ ରୋଗ ହୁଏ । ଏହି ଟିକାର ପ୍ରଭାବ ବହୁତ ବର୍ଷ ପର୍ଯ୍ୟନ୍ତ ରହେ । ସମୟକ୍ରମେ ଟିକାର ପ୍ରଭାବ କମିଯିବା ନିଶ୍ଚିତ ନୁହେଁ । ମିଳିମିଳା ରୋଗୀ ସଂସ୍ପର୍ଷରେ ଆସିବାର ଦୁଇ ଦିନ ମଧ୍ୟରେ ଟିକା ଦେଲେ ମଧ୍ୟ କାର୍ଯ୍ୟକାରୀ ହୁଏ । [1]
ଏହି ଟିକା ବିପଦଶୂନ୍ୟ ଅଟେ ଏପରିକି ଏଚ.ଆଇ.ଭି. ସଂକ୍ରମଣ ଥିଲେ ମଧ୍ୟ । ପାର୍ଶ୍ୱପ୍ରତିକ୍ରିୟା ଅତି ସାଧାରଣ ଓ ସାମାନ୍ୟ । ଟିକା ନେବା ପରେ ସାମାନ୍ୟ ଜ୍ୱର ଓ ଇଞ୍ଜେକ୍ସନ ନେଇଥିବା ସ୍ଥାନରେ କଷ୍ଟ ହୁଏ । ଏକ ଲକ୍ଷ ଲୋକରେ ଜଣକୁ ଆନାଫାଇଲାକ୍ସିସ ହୁଏ । ଗୁଲେନ-ବାରି ସିଣ୍ଡ୍ରୋମ, ଅଟିଜ୍ମ ଓ ପ୍ରଦାହିତ ଖାଦ୍ୟନଳୀ ରୋଗ(inflammatory bowel disease) ବଢ଼ିଯାଏ ନାହିଁ । [1]
ଏହି ଟିକା ଏକକ ଭାବରେ ନିଜ ନାମରେ ମିଳେ ତଥା ଅନ୍ୟାନ୍ୟ ଟିକା ସହିତ ମିଶି ମଧ୍ୟ ମିଳେ ଯେପରିକି ଏମ୍.ଏମ୍.ଆର. ଟିକା ଯେଉଁଁଥିରେ ମିଳିମିଳା ଟିକା, ମମ୍ପ୍ସ ଟିକା ଓ ରୁବେଲା ଟିକା ଥାଏ ଓ ଏମ.ଏମ.ଆର.ଭି. ଟିକା ଯେଉଁଥିରେ ମିଳିମିଳା ଟିକା, ମମ୍ପ୍ସ ଟିକା, ରୁବେଲା ଟିକା ଓ ଭାରିସେଲା ଟିକା ଥାଏ । ସବୁ ପ୍ରକାର ଟିକାରେ ଏହା ଉତ୍ତମ ରୂପେ କାମ କରେ । ଯେଉଁ ଦେଶମାନଙ୍କରେ ଏହି ରୋଗ ବହୁଳ ଭାବରେ ହୁଏ ସେଠାରେ୯ ମାସ ବୟସ ବେଳେ ଏହି ଟିକା ଦେବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୁପାରିସ କରେ । ଯେଉଁ ଦେଶରେ ଏହା ସାଧାରଣତଃ ହୁଏ ନାହିଁ ସେଠାରେ ୧୨ ମାସ ବୟସ ବେଳେ ଦେବା ଯୁକ୍ତିଯୁକ୍ତ ମନେ ହୁଏ । ଏହି ଟିକା ଜୀବନ୍ତ ଟିକା ଅଟେ । ଏହା ଶୁଷ୍କ ପାଉଡର ଆକାରରେ ମିଳେ ଓ ଇଞ୍ଜେକସନ ଜଳ ସହିତ ମିଶେଇ ଚର୍ମ ତଳେ ବା ମାଂସପେଶୀରେ ଇଞ୍ଜେକସନ ଆକାରରେ ଦିଆଯାଏ । ରକ୍ତ ପରୀକ୍ଷା କରି ଏହି ଟିକାର କାର୍ଯ୍ୟକାରୀତା ସିଦ୍ଧ କରିହୁଏ । [1]
ସନ ୨୦୧୩ ସୁଦ୍ଧା ପୃଥିବୀରେ ୮୫ % ପିଲା ଟିକା ନେଇସାରିଛନ୍ତି । [3] ସନ ୨୦୦୮ରେ ୧୯୨ଟି ଦେଶରେ ଦୁଇ ଡୋଜ ଟିକା ଦିଆ ହୋଇଛି । [1] ଏହା ପ୍ରଥମେ ସନ ୧୯୬୩ରେ ଆରମ୍ଭ କରାଯାଇଥିଲା । [2] ସନ ୧୯୭୧ରେ ପ୍ରଥମେ ଏମ.ଏମ.ଆର. ଉପଲବ୍ଧ ହେଲା ।[4] ସନ ୨୦୦୫ରେ ଏହା ସହିତ ହାଡ଼ଫୁଟି ଟିକା ମିଶାଗଲା ଓ ଏମ.ଏମ.ଆର.ଭି. ଇଞ୍ଜେକ୍ସନ ଆକାରରେ ଦିଆଗଲା । [5] ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକ ଔଷଧ ତାଲିକା ଅନୁସାରେ ମୌଳିକ ସ୍ୱାସ୍ଥ୍ୟ ତନ୍ତ୍ରର ଏକ ଅତ୍ୟାବଶ୍ୟକ ଔଷଧ । [6] ଏହି ଟିକା ଅତି ଦାମିକା ନୁହେଁ । [1]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.