From Wikipedia, the free encyclopedia
୧୯୪୭ ମସିହା ଅଗଷ୍ଟ ମାସ ପଞ୍ଚଦଶ ଦିବସରେ ଭାରତ ସ୍ୱାଧୀନତା ପ୍ରାପ୍ତ କଲା ଏବଂ ଏଥି ସହ ଏକ ନୂତନ ଇତିହାସର ଆରମ୍ଭ ହେଲା । ବ୍ରିଟିଶ ଶାସନର ପରିସମାପ୍ତି ସହ ଧର୍ମାଧାରରେ ଭାରତର ଦ୍ୱିବିଭାଜନ ହେଲା, ଫଳରେ ଏକ ହିନ୍ଦୁ ବହୁଳ ଧର୍ମନିରପେକ୍ଷ ରାଷ୍ଟ୍ର ରୂପେ ଭାରତ ଏବଂ ଏକ ମୁସଲମାନ ବହୁଳ ଇସଲାମୀୟ ରାଷ୍ଟ୍ର ରୂପେ ପାକିସ୍ଥାନର ସ୍ଥାପନ ହେଲା । ମୁସଲିମ ଲିଗର ଦାବି ଅନୁସାରେ ତତ୍କାଳୀନ ଭାରତର ମୁସଲମାନ ବହୁଳ ଉତ୍ତର-ପଶ୍ଚିମାଞ୍ଚଳ ଓ ପୂର୍ବ ବଙ୍ଗକୁ ନେଇ ପାକିସ୍ଥାନ ସ୍ଥାପନ କରାଗଲା ।[1] ଏହି ବିଭାଜନ ଯୋଗୁଁ ପ୍ରାୟ ଦଶ ନିୟୁତ ଲୋକଙ୍କର ଗଣସ୍ଥାନାନ୍ତରଣ ଏବଂ ଏକ ନିୟୁତ ଲୋକଙ୍କର ମୃତ୍ଯୁ ହୋଇଥିଲା । ତତ୍କାଳୀନ ପ୍ରତିଷ୍ଠିତ ନେତା ପଣ୍ଡିତ ନେହେରୁ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ହେଲେ, କିନ୍ତୁ ସ୍ୱାଧୀନତା ସଂଗ୍ରାମର ମୁଖ୍ଯ ପୁରୋଧା ମହାତ୍ମା ଗାନ୍ଧୀ କୌଣସି ସରକାରୀ ପଦବୀ ସ୍ୱୀକାର କଲେ ନାହିଁ । ୧୯୫୦ ମସିହାରେ ପ୍ରଣୟିତ ସମ୍ବିଧାନ, ଭାରତକୁ ଏକ ଗଣତାନ୍ତ୍ରିକ ସାଧାରଣତନ୍ତ୍ରରେ ପରିଣତ କଲା, ଯାହା ଏବେ ମଧ୍ଯ ବଳବତ୍ତର ରହିଛି ।
ଭାରତ ଏପର୍ଯ୍ୟନ୍ତ ବିଭିନ୍ନ ସମୟରେ ସାମ୍ପ୍ରଦାୟିକ ହିଂସା, ଜାତିପ୍ରଥା, ନକ୍ସଲବାଦ, ଆତଙ୍କବାଦ ତଥା ଆଞ୍ଚଳିକ ପୃଥକବାଦୀ ବିଦ୍ରୋହ ଆଦିର ସମ୍ମୁଖୀନ ହୋଇଛି । ଭାରତର ଚୀନ ସହ ଅସମାଧିତ କ୍ଷେତ୍ରୀୟ ବିବାଦ ରହିଆସିଛି, ଯାହା ୧୯୬୨ ମସିହାରେ ଭାରତ-ଚୀନ ଯୁଦ୍ଧରେ ପରିଣତ ହୋଇଥିଲା । ସ୍ୱାଧୀନତା ପରଠାରୁ ଭାରତ ଓ ପାକିସ୍ଥାନ ମଧ୍ଯରେ ବିବାଦ ଲାଗିରହିଥିଲା, ଫଳରେ ୧୯୪୭, ୧୯୬୫, ୧୯୭୧ ଓ ୧୯୯୯ ମସିହାରେ ଚାରିଥର ଯୁଦ୍ଧ ହୋଇଥିଲା । ଶୀତଳ ଯୁଦ୍ଧ ସମୟରେ ଭାରତ ନିରପେକ୍ଷ ରହିଥିଲା, ଏବଂ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନର ନେତୃତ୍ବ ନେଇଥିଲା । ଏହା ସହ ଯେତେବେଳେ ପାକିସ୍ଥାନର ଯୁକ୍ତରାଷ୍ଟ୍ର ଓ ଚୀନ ସହ ସମ୍ପର୍କ ବଢିଲା, ସେତେବେଳେ ଭାରତ ସୋଭିଏତ ସଙ୍ଘ ସହିତ ଘନିଷ୍ଠତା ବଢାଇଥିଲା ।
ଭାରତ ଏକ ଆଣବିକ ଶସ୍ତ୍ର ବିଶିଷ୍ଟ ରାଷ୍ଟ୍ର । ଏହା ନିଜର ପ୍ରଥମ ଆଣବିକ ପରୀକ୍ଷଣ ୧୯୭୪ ମସିହାରେ କରିଥିଲା, ପରେ ୧୯୯୮ ମସିହାରେ ଆଉ ପାଞ୍ଚଟି ପରୀକ୍ଷଣ କରିଥିଲା । ୧୯୫୦ରୁ ୧୯୮୦ ମସିହା ପର୍ଯ୍ୟନ୍ତ ଭାରତ ସମାଜବାଦୀ ନୀତି ଅନୁସରଣ କରିଥିଲା । ଭାରତର ଅର୍ଥନୀତି ଅତ୍ୟଧିକ ନିୟନ୍ତ୍ରଣ, ସୁରକ୍ଷାକରଣ ଓ ସାଧାରଣ ମାଲିକାନାର ପ୍ରଭାବରେ ପ୍ରଭାବିତ ହୋଇଥିଲା, ଫଳରେ ଦେଶରେ ପ୍ରସାରବାଦୀ ଦୁର୍ନୀତିର ସୂତ୍ରପାତ ହେଲା ଏବଂ ଅର୍ଥନୀତିର ଧୀର ଅଭିବୃଦ୍ଧି ହେଲା । ୧୯୯୧ ମସିହାରେ ଆରମ୍ଭ ହୋଇଥିବା ନୂଆ-ଉଦାରବାଦୀ ଅର୍ଥନୈତିକ ସଂସ୍କାର ଯୋଗୁଁ ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଏବଂ ଦୃତ ଅଭିବୃଦ୍ଧି ବିଶିଷ୍ଟ ଅର୍ଥନୀତିରେ ପରିଣତ ହେଲା ।
ଭାରତର ବୃହତ୍ତମ ଓ ବିକାଶଶୀଳ ଅର୍ଥନୀତି, ସୈନ୍ୟବାହିନୀ ତଥା ଜନସଂଖ୍ୟା ଯୋଗୁଁ, ବେଳେବେଳେ ଏହାକୁ ଏକ ମହାଶକ୍ତି ଏବଂ ସମ୍ଭାବ୍ୟ ବିଶ୍ୱଶକ୍ତି ବୋଲି ବିବେଚନା କରାଯାଏ ।[2][3][4][5][6][7]
ସ୍ୱାଧୀନ ଭାରତର ପ୍ରାଥମିକ ବର୍ଷଗୁଡ଼ିକରେ କେତେକ ଅଶାନ୍ତି ପୂର୍ଣ୍ଣ ପରିସ୍ଥିତି ଉପସ୍ଥିତ ହୋଇଥିଲା, ଯଥା - ପାକିସ୍ଥାନ ସହ ଏକ ବିଶାଳ ଜନସମୂହର ସ୍ଥାନାନ୍ତରୀକରଣ, ୧୯୪୭ର ଭାରତ-ପାକିସ୍ଥାନ ଯୁଦ୍ଧ ଏବଂ ୫୦୦ରୁ ଅଧିକ ଦେଶୀୟ ରାଜ୍ଯମାନଙ୍କର ଭାରତରେ ସମ୍ମିଶ୍ରଣ, ଇତ୍ୟାଦି । ତତ୍କାଳୀନ ଉପ ପ୍ରଧାନମନ୍ତ୍ରୀ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ଭାରତର ରାଜନୈତିକ ସମ୍ମିଶ୍ରଣର ପୁରୋଧା ସାଜିଥିଲେ[8] ଏବଂ ସ୍ୱାଧୀନତା ପରେ ସେ ମହାତ୍ମା ଗାନ୍ଧୀ ଓ ପଣ୍ଡିତ ନେହେରୁଙ୍କ ସହ ମିଶି ଭାରତକୁ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ରରେ ପରିଣତ କରିଥିଲେ ।[9]
ମୁଁ ଇତିହାସରେ ଏପରି କୌଣସି ସମାନ୍ତରାଳ ଘଟଣା ପାଉନାହିଁ ଯେଉଁଥିରେ ଧର୍ମ ପରିବର୍ତ୍ତନ କରିଥିବା ଲୋକମାନେ ଓ ସେମାନଙ୍କ ବଂଶଜମାନେ ମୂଳ ଜାତୀୟତାରୁ ଭିନ୍ନ ଏକ ଜାତୀୟତା ଦାବି କରୁଥିବେ ।
ଇସଲାମୀୟ ପାକିସ୍ଥାନରେ ଅତ୍ୟାଚାରର ଭୟରେ ପଶ୍ଚିମ ପଞ୍ଜାବ, ଉତ୍ତର-ପଶ୍ଚିମ ସୀମାନ୍ତବର୍ତ୍ତୀ ପ୍ରାନ୍ତ, ବଲୁଚିସ୍ତାନ, ପୂର୍ବ ବଙ୍ଗ ଏବଂ ସିନ୍ଧୁପ୍ରଦେଶ ଆଦିରେ ରହୁଥିବା ପ୍ରାୟ ୩.୫ ନିୟୁତ[11] ହିନ୍ଦୁ ଓ ଶିଖ ଧର୍ମାବଲମ୍ବୀମାନେ ଭାରତକୁ ପରିବ୍ରଜନ କରିଗଲେ । ସାମ୍ପ୍ରଦାୟିକ ଦଙ୍ଗାଦ୍ୱାରା ପ୍ରାୟ ଏକ ନିୟୁତ ହିନ୍ଦୁ, ମୁସଲମାନ ତଥା ଶିଖ ଧର୍ମାବଲମ୍ବୀମାନଙ୍କର ହତ୍ଯା କରିଦିଆଗଲା । ତାଛଡା ପଞ୍ଜାବ ଓ ବଙ୍ଗଳା ସୀମାରେ ଏବଂ ଦିଲ୍ଲୀ, କଲିକତା ଓ ଲାହୋର ଆଦି ସହରରେ ଉଭୟ ଅଧିରାଜ୍ଯର ମୂଳଦୁଆ ଦହଲିଗଲା । ଦିଲ୍ଲୀ ଓ କଲିକତାରେ ମହାତ୍ମା ଗାନ୍ଧୀ ଏହି ଦଙ୍ଗାକୁ ରୋକିବା ପାଇଁ ଆମରଣ ଅନଶନ ଆରମ୍ଭ କଲେ । ଏହା ସହ ସେପ୍ଟେମ୍ବର ମାସର ଆରମ୍ଭରେ ଉଭୟ ଭାରତ ଓ ପାକିସ୍ଥାନର ମିଳିତ ପ୍ରୟାସ ଯୋଗୁଁ ଦଙ୍ଗାର ପରିସମାପ୍ତି ଘଟିଲା । ଉଭୟ ଦେଶର ସରକାର ବଡ଼ ବଡ଼ ଶରଣାର୍ଥୀ କ୍ଯାମ୍ପ ସ୍ଥାପନ କଲେ ।
୧୯୪୮ ମସିହା ଜାନୁଆରୀ ମାସ ୩୦ ତାରିଖ ଦିନ ଜଣେ ଜାତୀୟତାବାଦୀ ନାଥୁରାମ ବିନାୟକ ଗୋଡସେ,ଭାରତର ବିଭାଜନ ପାଇଁ ମହାତ୍ମା ଗାନ୍ଧୀଙ୍କୁ ଦୋଷୀ ମନେକରି ତାଙ୍କର ହତ୍ଯା କରିଥିଲେ । ପ୍ରାୟ ଏକ ନିୟୁତରୁ ଅଧିକ ଲୋକ ଦିଲ୍ଲୀର ରାଜରାସ୍ତାରେ ଆସି ଗାନ୍ଧୀଙ୍କର ଅନ୍ତିମ ଶୋଭାଯାତ୍ରାରେ ଯୋଗ ଦେଇଥିଲେ ଓ ଶୋକ ପ୍ରକାଶ କରିଥିଲେ ।
୧୯୪୯ ମସିହାରେ, ସାମ୍ପ୍ରଦାୟିକ ଦଙ୍ଗା, ମୁସଲିମ ଅଧିକାରଙ୍କ ହାତରେ ଅତ୍ୟାଚାର ଓ ଦମନର ଭୟରେ ଭୟଭୀତ ପ୍ରାୟ ଏକ ନିୟୁତ ହିନ୍ଦୁ ଶରଣାର୍ଥୀ ପାକିସ୍ଥାନରୁ ପଶ୍ଚିମ ବଙ୍ଗ ଓ ଅନ୍ଯାନ୍ଯ ରାଜ୍ଯମାନଙ୍କୁ ପଳାୟନ କଲେ । ଶରଣାର୍ଥୀମାନଙ୍କ ଦୟନୀୟ ଅବସ୍ଥାରେ ହିନ୍ଦୁ ଓ ଭାରତୀୟ ଜାତୀୟତାବାଦୀମାନେ କ୍ରୋଧାନ୍ବିତ ହେଲେ, ତାଛଡା ଶରଣାର୍ଥୀ ସମସ୍ୟା ଭାରତୀୟ ରାଜ୍ଯମାନଙ୍କ ଉପରେ ବୋଝ ଲଦିଦେଲା । ଏହି ସମସ୍ୟା ପାଇଁ ପ୍ରଧାନମନ୍ତ୍ରୀ ନେହେରୁ ଓ ସର୍ଦ୍ଦାର ପଟେଲ ଲିଆକତ ଅଲି ଖାଁଙ୍କୁ ଦିଲ୍ଲୀ କଥାବାର୍ତ୍ତା ପାଇଁ ଡକାଇଲେ । ନେହେରୁ ଓ ଲିଆକତ ଅଲି ଖାଁ ଉଭୟ ଦେଶର ସଂଖ୍ଯାଲଘୁମାନଙ୍କର ସୁରକ୍ଷା କରିବାର ଦାୟିତ୍ୱ ନେଲେ ।
୧୭ଟି ପ୍ରାନ୍ତ ଓ ୫୬୫ଟି ଦେଶୀୟରାଜ୍ୟକୁ ନେଇ ବ୍ରିଟିଶ ଇଣ୍ଡିଆ ଗଠିତ ହୋଇଥିଲା । ପ୍ରାନ୍ତଗୁଡ଼ିକୁ, (ପଞ୍ଜାବ ଓ ବଙ୍ଗଳା କ୍ଷେତ୍ରରେ) ଆବଶ୍ୟକସ୍ଥଳେ ବିଭାଜନ କରି ଭାରତ କିମ୍ବା ପାକିସ୍ଥାନକୁ ଦିଆଗଲା । କିନ୍ତୁ ଦେଶୀୟରାଜ୍ୟର ରାଜାମାନଙ୍କୁ ସ୍ୱାଧୀନ ରହିବା କିମ୍ବା ଯେକୌଣସି ଅଧିରାଜ୍ଯ ସହ ମିଶିବାର ଅଧିକାର ଦିଆଗଲା । ତେଣୁ ଭାରତର ନେତୃବର୍ଗମାନଙ୍କୁ ବିଭିନ୍ନ ସ୍ୱାଧୀନ ପ୍ରାନ୍ତ ଓ ରାଜ୍ଯମାନଙ୍କରେ ଖଣ୍ଡବିଖଣ୍ଡିତ ଏକ ରାଷ୍ଟ୍ରର ସମ୍ଭାବନା ଜଳଜଳ ଦେଖାଗଲା । କେନ୍ଦ୍ରୀୟ ସରକାରର ପ୍ରଧାନତା ଓ ସମ୍ବିଧାନର ନିର୍ମାଣ ହେତୁ ସର୍ଦ୍ଦାର ପଟେଲଙ୍କ ନେତୃତ୍ବରେ, ନବ ସ୍ଥାପିତ ଭାରତୀୟ ଅଧିରାଜ୍ଯର ପ୍ରଶାସନ, ବିଭିନ୍ନ ରାଜନୈତିକ ଓ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ । ସର୍ଦ୍ଦାର ପଟେଲ ଓ ଭି. ପି. ମେନନ, ଭାରତୀୟ ସୀମା ସଂଲଗ୍ନ ରାଜ୍ଯମାନଙ୍କୁ ଭାରତରେ ମିଳନ ପାଇଁ ପ୍ରବର୍ତ୍ତାଇଲେ । ଏଥିପାଇଁ ସେମାନେ ରାଜାମାନଙ୍କୁ ମିଳୁଥିବା ବ୍ୟକ୍ତିଗତ ସମ୍ପତ୍ତି ଓ ରାଜକୀୟ ଭତ୍ତାର ସୁନିଶ୍ଚିତତା କଲେ । କେତେକଙ୍କୁ ନବ ସ୍ଥାପିତ ମିଳିତ ରାଜ୍ଯମାନଙ୍କର ରାଜପ୍ରମୁଖ ଓ ଉପରାଜପ୍ରମୁଖ ଭାବେ ନିଯୁକ୍ତି ଦିଆଗଲା । ଅନେକ କ୍ଷୁଦ୍ର ଦେଶୀୟରାଜ୍ୟମାନଙ୍କୁ ମିଶାଇ ପ୍ରଶାସନିକ ଯୋଗ୍ୟ ରାଜ୍ୟ ଗଠନ କରାଗଲା, ଯେପରିକି - ସୌରାଷ୍ଟ୍ର, ପପୂପରା, ବିନ୍ଧ୍ୟପ୍ରଦେଶ ଓ ମଧ୍ଯଭାରତ । କେତେକ ଦେଶୀୟରାଜ୍ୟ ଯଥା ତ୍ରିପୁରା ଓ ମଣିପୁର ପରେ ୧୯୪୯ ମସିହାରେ ମିଳନ କଲେ ।
ତିନୋଟି ରାଜ୍ଯର ମିଶ୍ରଣରେ କଠିନତା ଦେଖାଦେଇଥିଲା; ଯଥା -
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.