ବଜ୍ରକାପ୍ତା
ସ୍ତନ୍ୟପାୟୀ ପ୍ରାଣୀ / From Wikipedia, the free encyclopedia
ଭାରତୀୟ ବଜ୍ରକାପ୍ତା (ଇଂରାଜୀ ନାମ Indian pangolin ବା thick-tailed pangolin ବା scaly anteater, ଜୀବବିଜ୍ଞାନ ନାମ Manis crassicaudata) ମୁଖ୍ୟତଃ ଭାରତୀୟ ଉପମହାଦ୍ୱୀପରେ ପରିଲକ୍ଷିତ ଏକ ସ୍ତନ୍ୟପାୟୀ ପ୍ରାଣୀ ।[2][3][4] ନିଜ ପରିବାସରେ ମଧ୍ୟ ଏମାନେ ଖୁବ୍ ବିରଳ ଓ ସାଧାରଣରେ ଦୃଷ୍ଟିଗୋଚର ହୁଅନ୍ତି ନାହିଁ । ବଜ୍ରକାପ୍ତାର ଅନ୍ୟ ଉପପ୍ରଜାତିମାନଙ୍କ ପରି ଏହାର ଶରୀର ମଧ୍ୟ ବଡ଼ ବଡ଼ କାତିଯୁକ୍ତ ଯାହା ଏହାର ଶରୀର ପାଇଁ ଏକ ସୁରକ୍ଷା କବଚ ସଦୃଶ କାମ କରେ । ମହାବଳ ବାଘ ପରି ଶିକାରୀ ଜୀବ ବଜ୍ରକାପ୍ତାକୁ ଆକ୍ରମଣ କଲେ ସେ ମୋଡ଼ିମାଡ଼ି ହୋଇ ଏକ କାତିଯୁକ୍ତ ବର୍ତ୍ତୁଳ ପରି ହୋଇଯାଏ । ବଜ୍ରକାପ୍ତାର କାତିର ରଙ୍ଗ ସେ ରହୁଥିବା ସ୍ଥାନର ମାଟିର ରଙ୍ଗ ସଦୃଶ ହୋଇଥାଏ ।[5]
ବଜ୍ରକାପ୍ତା | |
---|---|
ଶ୍ରୀଲଙ୍କାର ଏକ ବଜ୍ରକାପ୍ତା | |
Conservation status | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ସାମ୍ରାଜ୍ୟ: | ପ୍ରାଣୀ ସାମ୍ରାଜ୍ୟ |
ଗୋଷ୍ଠୀ: | ବାଇଲାଟେରିଆ |
ପର୍ବ: | କୋର୍ଡାଟା |
ମହାଶ୍ରେଣୀ: | ଟେଟ୍ରାପୋଡା |
ଗୋଷ୍ଠୀ: | ମାମାଲିଆଫୋର୍ମ୍ସ |
ଶ୍ରେଣୀ: | ମାମାଲିଆ |
Order: | Pholidota |
Family: | Manidae |
Genus: | Manis |
ଉପପ୍ରଜାତି: | Manis |
ଜାତି: | M. crassicaudata |
ବାଇନୋମିଆଲ ନାମ | |
Manis crassicaudata ଏଟିଏନ୍ ଜିଓଫ୍ରି, ୧୮୦୩ | |
ବଜ୍ରକାପ୍ତା ଏକ କୀଟଭକ୍ଷୀ ଓ ନିଶାଚର ଜୀବ । ମାଟି, ଊଈହୁଙ୍କା, ପଚିସଢ଼ି ଫମ୍ପା ହୋଇଯାଉଥିବା କାଠଗଣ୍ଡି ପ୍ରଭୃତି ତାଡ଼ି ସେଥିରେ ଥିବା ପିମ୍ପୁଡ଼ି, ଊଈମାନଙ୍କୁ ଖାଇଯାଏ । ଏହାର ନଖ ବା ପଞ୍ଝା ତାହାର ଆଗଗୋଡ଼ ପରି ଲମ୍ବା ଓ ଏସବୁ ତାଡ଼ି କୀଟ ଖାଇବାରେ ସହାୟକ ହୋଇଥାନ୍ତି । ଦିନ ବେଳା ଏମାନେ ନିଜ ଗାତ ବା ବସାରେ ବିଶ୍ରାମ କରୁଥାନ୍ତି ।
ଭାରତୀୟ ବଜ୍ରକାପ୍ତାକୁ ସଙ୍କଟାପନ୍ନ (“endangered” ବା “threatened”) ଜୀବଙ୍କ ଶ୍ରେଣୀରେ ରଖାଯାଇଛି । ଲୋକେ ଏମାନଙ୍କୁ ମାରି ମାଂସ ଓ ଶରୀରର ବିଭିନ୍ନ ଅଂଶକୁ ପାରମ୍ପରିକ ଔଷଧରେ ବ୍ୟବହାର କରିଥାନ୍ତି ।[1]