From Wikipedia, the free encyclopedia
ପ୍ରି-ଏକ୍ଲାମ୍ପସିଆ ବା ପିଇ (ଇଂରାଜୀରେ Pre-eclampsia or preeclampsia ସଂକ୍ଷେପରେ PE) ଏକ ଗର୍ଭାବସ୍ଥା ଜଟୀଳତା ଯେଉଁଥିରେ ରକ୍ତଚାପ ବଢ଼ିଯାଏ ଓ ପରିସ୍ରାରେ ପ୍ରଚୁର ଆଲବୁମିନ ଥାଏ । [1] ଏହି ବେମାରୀ ଗର୍ଭାବସ୍ଥାର ଶେଷ ତ୍ରୈମାସରେ ବାହାରେ । [2][3] ରୋଗ ସାଂଘାତିକ ହେଲେ ଲୋହିତ ରକ୍ତ କଣିକା ଫାଟିଯାଏ, ପ୍ଲାଟେଲେଟ ସଂଖ୍ୟା କମିଯାଏ, ଯକୃତ କାମ ବାଧାପ୍ରାପ୍ତ ହୁଏ, ବୃକ୍କ କାର୍ଯ୍ୟ ସଠିକ ହୁଏ ନାହିଁ, ଫୁଲା ଦେଖାଯାଏ, ଦୃଷ୍ଟି ଦୋଷ ହୁଏ ଓ ଫୁସ୍ଫୁସ୍ରେ ତରଳ ପଦାର୍ଥ ଜମିଯିବା ଯୋଗୁ ଛୋଟ ଛୋଟ ଶ୍ୱାସ କ୍ରିୟା ହୁଏ । [2][3] ପ୍ରି-ଏକ୍ଲାମ୍ପସିଆ ରୋଗ ଉଭୟ ମାତା ଓ ଗର୍ଭସ୍ଥ ଶିଶୁ ନିମନ୍ତେ କ୍ଷତିକାରକ । [3] ଚିକିତ୍ସିତ ନ ହେଲେ ଅବଶେଷରେ ବାତ ମାରେ (fits) ଯାହାକୁ ଏକ୍ଲାମ୍ପସିଆ କୁହାଯାଏ । [2]
ପ୍ରି-ଏକ୍ଲାମ୍ପସିଆର ସଙ୍କଟ ସୃଷ୍ଟକାରୀ ଅବସ୍ଥା ମଧ୍ୟରେ ମୋଟାପଣ, ଆଗରୁ ଉଚ୍ଚ ରକ୍ତଚାପ ଉପସ୍ଥିତି, ବୟସାଧିକ୍ୟ ଓ ଡାଏବେଟିସ ମେଲିଟସ । [2][4] ଏହି ରୋଗ ସାଧାରଣତଃ ପ୍ରଥମ ଗର୍ଭାବସ୍ଥାରେ ବା ଯାଆଁଳା ପିଲା ଜରାୟୁରେ ଥିଲେ ହୁଏ । [2] ଏହି ରୋଗ ହେବାର ଅନେକ ଉପାଦାନ ମଧ୍ୟରୁ ପ୍ଲାସେଣ୍ଟାରେ ରକ୍ତନଳୀ ତିଆରି ଅସ୍ୱାଭାବିକ ଥିଲେ ହୁଏ । [2] ପ୍ରସବ ପୂର୍ବରୁ ଅଧିକାଂଶ ରୋଗ କ୍ଷେତ୍ରରେ ରୋଗ ନିର୍ଣ୍ଣୟ ହୋଇଯାଏ । ପ୍ରସବ ପର ସମୟରେ କ୍ୱଚିତ ଏହି ରୋଗ ଦେଖାଯାଏ । [3] ଗତାନୁଗତିକ ଭାବେ ଉଚ୍ଚ ରକ୍ତଚାପ ଥିବା ସହିତ ପରିସ୍ରାରେ ପ୍ରୋଟିନ ଥିଲେ ଏହି ରୋଗ ନିର୍ଣ୍ଣୟ ହେଉଥିଲେ ମଧ୍ୟ ଅନ୍ୟ କେତେକ ସଂଜ୍ଞା ଅନୁସାରେ ଅଙ୍ଗ ଅକ୍ଷମତାକୁ ମଧ୍ୟ ବିଚାରକୁ ନିଆଯାଏ । [3][5] କୋଡ଼ିଏ ସପ୍ତାହ ଗର୍ଭାବସ୍ଥା ପରେ ଚାରି ଘଣ୍ଟା ଅନ୍ତରରେ ଦୁଇ ଥର ନିଆଯାଇଥିବା ସିସ୍ଟୋଲିକ ଚାପ ୧୪୦ମିମି ପାରଦ ଓ ଡାଏସ୍ଟୋଲିକ ଚାପ ୯୦ରୁ ଅଧିକ ଥାଏ ତେବେ ଉଚ୍ଚ ରକ୍ତଚାପ ନିର୍ଣ୍ଣୟ କରାଯାଏ । [3] ପ୍ରସବ ପୂର୍ବ ଯତ୍ନ ସମୟରେ ପ୍ରି-ଏକ୍ଲାମ୍ପସିଆ ରୋଗ ନିମନ୍ତେ ଯାଞ୍ଚ କରାଯାଏ । [6]
ଏହି ରୋଗର ପ୍ରତିଷେଧ ନିମନ୍ତେ ଉଚ୍ଚ ସଙ୍କଟମୟ ରୋଗୀଙ୍କୁ ଆସ୍ପିରିନ, ଅଧିକ କ୍ୟାଲସିଅମ ଦିଆଯାଏ ଓ ଉଚ୍ଚ ରକ୍ତଚାପ ନିମନ୍ତେ ଔଷଧ ଦେବାକୁ ଉପଦେଶ ଦିଆଯାଏ । [4][7] ଏହି ରୋଗୀଙ୍କର ପ୍ରସବ ଓ ପ୍ଲାସେଣ୍ଟା ନିର୍ଗତ କରିବା ଏକ ଫଳପ୍ରଦ ଚିକିତ୍ସା ଅଟେ । [4] ଗର୍ଭାବସ୍ଥାର ସମୟ ଓ ପ୍ରି-ଏକ୍ଲାମ୍ପସିଆର ଗମ୍ଭୀରତା ଉପରେ ପ୍ରସବ କରେଇବା ନିର୍ଭର କରେ । [4] ଲାବେଟାଲୋଲ ଓ ମିଥାଇଲଡୋପା ଆଦି ରକ୍ତଚାପ ଔଷଧ ଦେଇ ପ୍ରସବ ପୂର୍ବରୁ ଗର୍ଭିଣୀରେ ଅବସ୍ଥରେ ଉନ୍ନତି ଆଣିବାକୁ ଚେଷ୍ଟା କରାଯାଏ । [8] ଏକ୍ଲାମ୍ପସିଆ ପ୍ରତିରୋଧ ନିମନ୍ତେ ସାଂଘାତିକ ରୋଗୀଙ୍କୁ ମ୍ୟାଗନେସିଅମ ସଲଫେଟ ଦିଆଯାଏ । [4] ରୋଗ ଚିକିତ୍ସା ବା ପ୍ରତିଷେଧ ନିମନ୍ତେ ବିଛଣା ବିଶ୍ରାମ ଓ କମ ଲବଣ ଗ୍ରହଣ ଫଳପ୍ରଦ ନ ଥିବା ଜଣାଯାଇଛି । [3][4]
ସାରା ପୃଥିବୀରେ ୨-୮ % ଗର୍ଭାବସ୍ଥାରେ ପ୍ରି-ଏକ୍ଲାମ୍ପସିଆ ଦେଖାଯାଏ । [4] ଗର୍ଭାବସ୍ଥାରେ ମୃତ୍ୟୁର କାରଣମାନଙ୍କ ମଧ୍ୟରେ ଗର୍ଭାବସ୍ଥା ସମ୍ପର୍କୀୟ ଉଚ୍ଚ ରକ୍ତଚାପ ଏକ ମୂଖ୍ୟ କାରଣ । [8] ସନ ୧୯୯୦ରେ ମୃତ୍ୟୁ ସଂଖ୍ୟା ୩୭,୦୦୦ ହୋଇଥିବା ବେଳେ ସନ ୨୦୧୩ରେ ଏହା କମିଯାଇ ୨୯,୦୦୦ ହୋଇଥିଲା । [9] ସାଧାରଣତଃ ୩୨ ସପ୍ତାହ ପରେ ହେଉଥିବା ପ୍ରି-ଏକ୍ଲାମ୍ପସିଆ ରୋଗ ପୂର୍ବରୁ ହେଲେ ଅତି ବିଷମ ଫଳପ୍ରଦ ହୁଏ । [8] ଏହି ରୋଗ ହୋଇଥିବା ମହିଲାମାନଙ୍କର ପରବର୍ତ୍ତୀ ଜୀବନରେ ହୃଦ୍ରୋଗ ସମ୍ଭାବନା ଅଧିକ ରହେ । [6] ଏକ୍ଲାମ୍ପସିଆ ନାମଟି ଏକ ଗ୍ରୀକ ଶବ୍ଦ ଯାହାର ଅର୍ଥ ବିଦ୍ୟୁତ (lightning) । [10] ଖ୍ରୀ:ପୂ: ୫ମ ଶତାବ୍ଦୀରେ ହିପୋକ୍ରେଟ ପ୍ରଥମେ ଏହି ରୋଗର ବର୍ଣ୍ଣନା କରିଥିଲେ । [10]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.