ନନ୍ଦ କିଶୋର ବଳ (୨୨ ଡିସେମ୍ବର ୧୮୭୫-୧ ଜୁଲାଇ ୧୯୨୮) ଓଡ଼ିଆ ସାହିତ୍ୟର ପ୍ରାକ-ଆଧୁନିକ କାଳର ଜଣେ କବି ଥିଲେ । ସେ ଓଡ଼ିଶାର ପୁରପଲ୍ଲୀ ଉପରେ କାବ୍ୟ ରଚନା କରିଥିବାରୁ ତାଙ୍କୁ ପଲ୍ଲୀ କବି ବୋଲି ସମ୍ବୋଧନ କରାଯାଇଥାଏ ।[1]
ପଲ୍ଲୀକବି ନନ୍ଦ କିଶୋର ବଳ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ରସାନନ୍ଦ ଜେନା ୨୨ ଡିସେମ୍ବର ୧୮୭୫ କୁସୁପୁର, କଟକ, ଓଡ଼ିଶା |
ମୃତ୍ୟୁ | ୧ ଜୁଲାଇ ୧୯୨୮ ୫୨) | (ବୟସ
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ଶିକ୍ଷାନୁଷ୍ଠାନ | ରେଭେନ୍ସା କଲିଜିଏଟ ସ୍କୁଲ, ରେଭେନ୍ସା ମହାବିଦ୍ୟାଳୟ |
ଶୈଳୀ | କବି |
ପିତାମାତା | ଭଜନାନନ୍ଦ ଜେନା, ହିରଣ୍ମୟୀ ଦେବୀ |
ଜୀବନକାଳ
ସେ ଓଡ଼ିଶାର ଯାଜପୁର ଜିଲ୍ଲା ଅନ୍ତର୍ଗତ କୁସୁପୁର ଗାଆଁରେ ଜନ୍ମଗ୍ରହଣ କରିଥିଲେ । ପିତାଙ୍କ ନାମ ଥିଲା ଭଜନାନନ୍ଦ ଜେନା ଓ ମାତାଙ୍କ ନାମ ହିରଣ୍ମୟୀ ଦେବୀ । ଶୈଶବରେ ସେ "ରସାନନ୍ଦ ଜେନା" ନାମରେ ପରିଚିତ ଥିଲେ, ପିଉସୀ ପୋଷ୍ୟପୁତ୍ର କରିନେବା ପରେ ସେ "ନନ୍ଦକିଶୋର ବଳ" ଭାବରେ ପରିଚିତ ହେଲେ । ବାଲ୍ୟଜୀବନ କୁସୁପୁରରେ ହିଁ କଟିଥିଲା । ଗାଁ ସ୍କୁଲରୁ ଆରମ୍ଭ କରି, ସେ କଟକର ଟାଉନ ସ୍କୁଲ, ରେଭେନ୍ସା କଲିଜିଏଟ ସ୍କୁଲ, କେନ୍ଦ୍ରାପଡ଼ା ଉଚ୍ଚ ଇଂରାଜୀ ବିଦ୍ୟାଳୟ ଓ ରେଭେନ୍ସା ମହାବିଦ୍ୟାଳୟରେ ଶିକ୍ଷାଲାଭ କରିଥିଲେ ।
ଭକ୍ତକବି ମଧୁସୂଦନ ରାଓଙ୍କଦ୍ୱାରା ପ୍ରତିଷ୍ଠିତ କଟକର ଟାଉନ ସ୍କୁଲରୁ ନନ୍ଦ କିଶୋର ନିଜର ଚାକିରି ଜୀବନ ଆରମ୍ଭ କରିଥିଲେ । କିଛି ବର୍ଷ ପରେ, ସେ ସ୍କୁଲ ସବ୍-ଇନସିପେକ୍ଟର ଭାବେ ପଦୋନ୍ନତି ପାଇଥିଲେ । ଏହି ଚାକିରିରେ ବାରମ୍ବାର ଗସ୍ତ ଓ ବଦଳି ଯୋଗୁଁ ତାଙ୍କ ଦେହ ଖରାପ ହେଉଥିଲା । ଏହି କାରଣରୁ, ସେ ସ୍ୱେଚ୍ଛାକୃତ ଅବସର ନେଇ ଗାଁରେ ରହିବାକୁ ସ୍ଥିର କରିଥିଲେ । କିନ୍ତୁ ଚିକିତ୍ସା ପାଇଁ ତାଙ୍କୁ ପୁନର୍ବାର କଟକ ଆସିବାକୁ ପଡିଥିଲା ।
୧୯୨୮ ମସିହା ଜୁଲାଇ ୧ତାରିଖରେ, ବାଉନ ବର୍ଷ ବୟସରେ ନନ୍ଦ କିଶୋର ଇହଲିଳା ସମ୍ବରଣ କରିଥିଲେ ।
ରଚନାବଳୀ
ନନ୍ଦ କିଶୋର, କଲେଜର ପଢ଼ିଲା ବେଳୁହିଁ ପ୍ରବନ୍ଧ ଲେଖିବା ଆରମ୍ଭ କରିଥିଲେ । ନିଜର ପ୍ରଥମ ପ୍ରବନ୍ଧକୁ ସେ "ପଲ୍ଲୀ ଚିତ୍ର" ନାମରେ କବିତାର ରୂପ ଦେଇଥିଲେ । ତାଙ୍କର ରଚନାବଳୀରେ ପଲ୍ଲୀ ପ୍ରକୃତିର ସୁନ୍ଦର ବର୍ଣ୍ଣନା ଫୁଟିଉଠିଥାଏ । ପିଲାମାନଙ୍କ ପାଇଁ ତାଙ୍କଦ୍ୱରା ରଚିତ "ନାନା ବାୟା ଗୀତ" ଓଡ଼ିଶାର ପୁରପଲ୍ଲିରେ ବେଶ୍ ପ୍ରଚଳିତ ।[2] ସେ ୧୦୦ରୁ ଅଧିକ ସନେଟ ମଧ୍ୟ ଲେଖିଯାଇଛନ୍ତି । ତାଙ୍କ ସନେଟ ଗୁଡ଼ିକ ପ୍ରକୃତି ଓ ଜନଜୀବନର ଛବିରେ ପୁଷ୍ଟ ।[3]
ନନ୍ଦ କିଶୋରଙ୍କ ନାନାବାୟା ଗୀତ:[4]
ମେଘ ବରଷିଲା ଟୁପୁରୁ ଟୁପୁରୁ
କେଶୁର ମାଇଲା ଗଜା,
କେଉଁ ରାଇଜରେ ରହିଲେ ମୋ ରଜା
ତେଲିଙ୍ଗି ବାଇଦ ବଜା ।
୧୯୨୫ରେ ସେ କନକଲତା (ଉପନ୍ୟାସ) ନାମରେ ଉପନ୍ୟାସଟିଏ ମଧ୍ୟ ରଚିଯାଇଛନ୍ତି । ଏହା ଧାରାବାହିକ ଭାବରେ ୧୯୧୩ରେ ଉତ୍କଳ ସାହିତ୍ୟ ପତ୍ରିକାରେ ପ୍ରକାଶିତ ହେଉଥିଲା । ଗାଉଁଲି ସରଳ ଜୀବନକୁ ଯୌତୁକ ଓ ବାଳବିବାହ କିପରି କଳୁଷିତ କରିଥାଏ ତାହାର ଛବି ଏଥିରୁ ଦେଖିବାକୁ ମିଳିଥାଏ । ନନ୍ଦ କିଶୋରଙ୍କ ପଦ୍ୟାବଳୀ ଗୁଡିକର ମୂଲ୍ୟାୟନ କରି, ବ୍ୟାସକବି ଫକୀର ମୋହନ କହିଥିଲେ :[5]
"ପଢିଗଲି ବେଗେ ପଲ୍ଲୀ ପ୍ରସଙ୍ଗ ବାରତା,
କେହି କେବେ କହିନାହିଁ ଏ ପ୍ରକାର କଥା॥"
ନନ୍ଦ କିଶୋରଙ୍କଦ୍ୱାରା ରଚିତ ପୁସ୍ତକ:
କାବ୍ୟ:
- ସୀତା ବନବାସ (୧୯୦୧)
- କୃଷ୍ଣ କୁମାରୀ
- ଶର୍ମିଷ୍ଠା
କବିତାବଳୀ:
- ପଲ୍ଲୀ ଚିତ୍ର ୧ମ (୧୯୦୦)
- ପଲ୍ଲୀ ଚିତ୍ର ୨ୟ (୧୯୦୯)
- ପଲ୍ଲୀ ଚିତ୍ର ୩ୟ
- ନିର୍ଝରିଣୀ (୧୯୦୦)
- ବସନ୍ତ କୋକିଳ (୧୯୦୨)
- ତରଙ୍ଗିଣୀ
- ଚାରୁଚିତ୍ର (୧୯୦୨)
- ଜନ୍ମଭୂମି ୧ମ (୧୯୦୩)
- ଜନ୍ମଭୂମି ୨ୟ (୧୯୦୮)
- ଜନ୍ମଭୂମି ୩ୟ
- ନିର୍ମାଲ୍ୟ (୧୯୦୩)
- ପ୍ରଭାତ ସଙ୍ଗୀତ
- ସନ୍ଧ୍ୟା ସଙ୍ଗୀତ
- ନାନା ବାୟା ଗୀତ- ୧ମ ଓ ୨ୟ ୧୯୧୫
ଅନ୍ୟାନ୍ୟ:
- କନକଲତା (ଉପନ୍ୟାସ) ୧୯୧୩ରେ ଆରମ୍ଭ ୧୯୨୫ରେ ଶେଷ
- ଲକ୍ଷ୍ମୀ (ଗଳ୍ପ- ୧୯୧୩)
- ଲାବଣ୍ୟ (ଗଳ୍ପ- ଦୁଷ୍ପ୍ରାପ୍ୟ)
ଆଧାର
ଅଧିକ ତଥ୍ୟ
Wikiwand in your browser!
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.