ଜିମ୍ କର୍ବେଟ୍ ଜାତୀୟ ଉଦ୍ୟାନ
From Wikipedia, the free encyclopedia
ଜିମ୍ କର୍ବେଟ୍ ଜାତୀୟ ଉଦ୍ୟାନ ଭାରତର ସବୁଠାରୁ ପୁରୁଣା ଜାତୀୟ ଉଦ୍ୟାନ । କ୍ରମଶଃ ହ୍ରାସ ପାଇଆସୁଥିବା ମହାବଳ ବାଘଙ୍କ ସଂଖ୍ୟାକୁ ଦେଖି ଈଂରେଜ ଶାସନାଧୀନ ଭାରତରେ ୧୯୩୬ ମସିହାରେ ହେଲି ଜାତୀୟ ଉଦ୍ୟାନ ସ୍ଥାପିତ ହୋଇଥିଲା । ଉତ୍ତରାଖଣ୍ଡ (ତତ୍କାଳୀନ ଉତ୍ତର ପ୍ରଦେଶ) ରାଜ୍ୟର ନୈନିତାଲ ଜିଲ୍ଲାରେ ଏହି ଜାତୀୟ ଉଦ୍ୟାନ ସ୍ଥାପିତ ହୋଇଥିଲା । ଏହାର ସ୍ଥାପନରେ ଜିମ୍ କର୍ବେଟ୍ ଏକ ସକ୍ରିୟ ଭୂମିକା ଗ୍ରହଣ କରିଥିବାରୁ ଏହି ଜାତୀୟ ଉଦ୍ୟାନ ପରେ ତାଙ୍କରି ନାମରେ ନାମିତ ହୋଇଥିଲା । ଏହି ଜାତୀୟ ଉଦ୍ୟାନ ବ୍ୟାଘ୍ର ପ୍ରକଳ୍ପଦ୍ୱାରା ଚୟନ କରାଯାଇଥିବା ପ୍ରଥମ ବ୍ୟାଘ୍ର ଅଭୟାରଣ୍ୟ ଥିଲା ।[2]
ଜିମ୍ କର୍ବେଟ୍ ଜାତୀୟ ଉଦ୍ୟାନ | |
---|---|
କର୍ବେଟ୍ ଜାତୀୟ ଉଦ୍ୟାନ କର୍ବେଟ୍ ବ୍ୟାଘ୍ର ଅଭୟାରଣ୍ୟ | |
IUCN Category II (National Park) | |
ଅବସ୍ଥାନ | ନୈନିତାଲ ଜିଲ୍ଲା, ଉତ୍ତରାଖଣ୍ଡ, ଭାରତ |
ପାଖ ସହର | ରାମନଗରNearest city: ରାମନଗର |
ଦିଗବାରେଣି | 29°32′55″N 78°56′07″E |
ସ୍ଥାପିତ | ୧୯୩୬ Established: ୧୯୩୬ |
ପର୍ଯ୍ୟଟକ ସଂଖ୍ୟା | ୫୦୦୦୦୦[1] |
ପରିଚାଳନା | ବ୍ୟାଘ୍ର ପ୍ରକଳ୍ପ, ଉତ୍ତରାଖଣ୍ଡ ସରକାର, ବନ୍ୟଜନ୍ତୁ ନିରୀକ୍ଷକ (କର୍ବେଟ୍ ଜାତୀୟ ଉଦ୍ୟାନ) |
Official website |
ଏହି ଜଙ୍ଗଲରେ ତେରାଇ ବା ହିମାଳୟ ପାଦଦେଶବର୍ତ୍ତୀ ଅଞ୍ଚଳର ଭୌଗୋଳିକ ପରିବେଶ ଓ ଜଳବାୟୁ ଅନୁଭୂତ ହୁଏ ।[3] ଏକ ଇକୋଟୁରିଜମ୍ କ୍ଷେତ୍ର ରୂପେ ପରିଚିତ[4] ଏହି ଜାତୀୟ ଉଦ୍ୟାନରେ ୪୮୮ ଭିନ୍ନ ପ୍ରଜାତିର ଉଦ୍ଭିଦ ଓ ଅନେକ ପ୍ରକାରର ଜୀବଜନ୍ତୁ ପରିଲକ୍ଷିତ ହୁଅନ୍ତି ।[5][6] ମାତ୍ରାଧିକ ପର୍ଯ୍ୟଟକଙ୍କ ଆଗମନ ବର୍ତ୍ତମାନ ଏହି ଜାତୀୟ ଉଦ୍ୟାନର ପାରିବେଶିକ ସନ୍ତୁଳନ ପ୍ରତି ବିପଦ ସୃଷ୍ଟି କରିଛି ।[7]
କର୍ବେଟ୍ ସବୁବେଳେ ପର୍ଯ୍ୟଟକ ଓ ଜୀବପ୍ରେମୀଙ୍କ ପାଇଁ ଏକ ପ୍ରିୟ ସ୍ଥାନ ରହିଆସିଛି । ଜାତୀୟ ଉଦ୍ୟାନର ସୁନ୍ଦର ଜଙ୍ଗଲ ଓ ଜୀବଜନ୍ତୁଙ୍କ ଦର୍ଶନ କରିବା ପାଇଁ କେତେକ ନିର୍ଦ୍ଦିଷ୍ଟ ଅଞ୍ଚଳ ପର୍ଯ୍ୟଟକଙ୍କ ପାଇଁ ଖୋଲାଯାଇଛି । ସାମ୍ପ୍ରତିକ ସମୟରେ ଜାକୀୟ ଉଦ୍ୟାନକୁ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟା ବହୁ ଗୁଣ ବୃଦ୍ଧି ପାଇଛି । ପର୍ଯ୍ୟଟନ ଋତୁରେ ଦୈନିକ ହାରାହାରି ୭୦ ହଜାର ପର୍ଯ୍ୟଟକ ଉଦ୍ୟାନ ଦେଖିବାକୁ ଆସନ୍ତି ।
୫୨୦.୮ ବର୍ଗ କି.ମି. ପରିମିତ ଏହି ଜାତୀୟ ଉଦ୍ୟାନ ପାହାଡ଼, ନଦୀନାଳ, ସନ୍ତସନ୍ତିଆ ନିମ୍ନଭୂମି, ତୃଣଭୂମି ଓ କ ବିରାଟ ହ୍ରଦଦ୍ୱାରା ଶୋଭିତ । ଜାତୀୟ ଉଦ୍ୟାନ ମଧ୍ୟରେ ଏହାର ସର୍ବୋଚ୍ଚ ଓ ସର୍ବନିମ୍ନ ସ୍ଥାନର ସମୁଦ୍ର ପତନଠାରୁ ଉଚ୍ଚତା ଯଥାକ୍ରମେ ୧୩୦୦ ଫୁଟ୍ ଓ ୪୦୦୦ ଫୁଟ୍ । ଶୀତ ଋତୁରେ ରାତିରେ ଭଲ ଥଣ୍ଡା ହୁଏ କିନ୍ତୁ ଦିନବେଳା ଉଜ୍ଜ୍ୱଳ ସୂର୍ଯ୍ୟାଲୋକ ଆବଶ୍ୟକ ଉତ୍ତାପ ଯୋଗାଇଦିଏ । ଜୁଲାଇରୁ ସେପ୍ଟେମ୍ବର ମାସ ମଧ୍ୟରେ ଏହି ଜାତୀୟ ଉଦ୍ୟାନରେ ବୃଷ୍ଟିପାତ ହୁଏ ।
ଏଠାକାର ଘଞ୍ଚ ଆର୍ଦ୍ର ପର୍ଣ୍ଣମୋଚୀ ଅରଣ୍ୟରେ ମୁଖ୍ୟତଃ ଶାଳ, ବରଗଛ, ଆମ୍ବ, କାମଳ ଓ କଦମ୍ବ ଇତ୍ୟାଦି ଗଛ ଦେଖିବାକୁ ମିଳେ । ଜାତୀୟ ଉଦ୍ୟାନର ୭୩% ଭୂଭାଗ ଅରଣ୍ୟାବୃତ ଓ ୧୦% ଭୂମିରେ ତୃଣଭୂମିର ଗାଲିଚା ରହିଛି । ୧୧୦ ପ୍ରକାରର ବୃକ୍ଷ, ୫୦ ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ, ୫୮୦ ପ୍ରଜାତିର ପକ୍ଷୀ ଓ ୨୫ ପ୍ରଜାତିର ସରୀସୃପ ଉଦ୍ୟାନରେ ଦେଖିବାକୁ ମିଳନ୍ତି ।