ଘୁମୁରା ନାଚ
ଭାରତୀୟ ଲୋକନୃତ୍ୟ / From Wikipedia, the free encyclopedia
ଘୁମୁରା ନାଚ ଏକ ଭାରତୀୟ ଲୋକନୃତ୍ୟ । ଏହା ଓଡ଼ିଶାର କଳାହାଣ୍ଡି ଅଞ୍ଚଳରୁ ଏକ ଯୁଦ୍ଧ ସମୟର ନୃତ୍ୟ ଭାବେ ଆରମ୍ଭ ହୋଇ ପରେ ଏକ ଲୋକନୃତ୍ୟରେ ପରିଣତ ହୋଇଥିଲା । ଘୁମୁରା ନାଚ ସମୟରେ ଏକ ଘୁମୁରା ବାଦ୍ୟ ବଜାଯାଇଥାଏ । ଏହି ବାଦନ ଶୈଳୀ ପାରମ୍ପରିକ ଭାବେ ଯୁଦ୍ଧ ସମୟରେ ବ୍ୟବହୃତ ହେଉଥିଲା । ଏହା ସେନାଙ୍କୁ ଉତ୍ତେଜିତ କରିବା ସହ ଶତୃ ଆଗରେ ବୀରତ୍ୱ ପ୍ରଦର୍ଶନ ପାଇଁ ବଜା ଯାଉଥିଲା । ଯୁଦ୍ଧ ବିରତି ସମୟରେ ସେନାଛାଉଣୀରେ ମନୋରଞ୍ଜନ ଲାଗି ରସଧର୍ମୀ ଘୁମୁରା ନୃତ୍ୟ ଓ ବାଦ୍ୟ ପରିବେଷଣ ମଧ୍ୟ କରାଯାଉଥିଲା । ଘୁମୁରା ବାଦ୍ୟ ମାଟି ନିର୍ମିତ ଲମ୍ବା ବେକ ଥିବା ମାଠିଆ ଆକୃତିର ଓ ଏହା ମୁହଁରେ ଗୋଧି ଚମଡ଼ା ଛାଉଣି ହୋଇଥାଏ । ଏହାକୁ ଦୁଇ ହାତର ଆଙ୍ଗୁଠିରେ ବଜାଇଲେ ଗମ୍ଭୀର ଶବ୍ଦ ଉତ୍ପନ୍ନ ହୋଇଥାଏ । ଏହାକୁ ଦଳଗତ ଭାବେ ଘୁମୁରା ନୃତ୍ୟରେ ପରିବେଷଣ କରାଯାଇଥାଏ । ନୂଆଖାଇ ଦିନ ଘୁମୁରା ବାଦ୍ୟଯନ୍ତ୍ରକୁ ପୂଜାର୍ଚ୍ଚନା କରାଯାଏ । ନୂଆଖାଇ ସରିବା ପରେ ନର୍ତ୍ତକ ଘୁମୁରା ବଜାଇ ଗ୍ରାମ ପରିକ୍ରମା କରିଥାନ୍ତି ।[1]