କାଳୀ
ହିନ୍ଦୁ ଦେବୀ / From Wikipedia, the free encyclopedia
କାଳୀ ଦଶମହାବିଦ୍ୟା ମଧ୍ୟରୁ ଅନ୍ୟତମ ଓ ଦେବୀ ଦୁର୍ଗାଙ୍କର ଶକ୍ତିଶାଳୀ ସ୍ୱରୂପ।[1] କାଳରୂପୀ ଶିବଙ୍କର ଶକ୍ତି କାଳୀ ନାମରେ ମଧ୍ୟ ପରିଚିତା । ଚଣ୍ଡାସୁର ବଧ ସମୟରେ ଏହାଙ୍କର ଉତ୍ପତ୍ତି, ଏ ରକ୍ତବୀଜର ରକ୍ତ ପାନ କରିଥିଲେ । ଦକ୍ଷଯଜ୍ଞ ସମୟରେ ସତୀ ଏହି ମୂର୍ତ୍ତି ଧାରଣ କରିଥିଲେ । ମା’ କାଳୀ ସ୍ୱରୂପରେ ଭୟଙ୍କର କୃଷ୍ଣକାୟା, ଚତୁର୍ଭୁଜା, ନଗ୍ନା, ଲୋଳଜିହ୍ୱା (ଲହକା ଜିଭ), ମୁଣ୍ଡମାଳାଧାରିଣୀ ।[2] ତାଙ୍କର ଗୋଟିଏ ହାତ ଛିନ୍ନ-ମସ୍ତକ (ନରମୁଣ୍ଡ ବା ଖପର) ଧାରିଣୀ, ଅନ୍ୟଟି ଖଡ୍ଗ (ଖଣ୍ଡା)ରେ ଶୋଭିତ, ତୃତୀୟଟି ତ୍ରିଶୁଳ ଧାରଣ କରି ପାପୀ ରାକ୍ଷସମାନଙ୍କ ମଧ୍ୟରେ ଭୟ ସୃଷ୍ଟି କରେ ଏବଂ ଚତୁର୍ଥଟି ଭକ୍ତମାନଙ୍କୁ ଅଭୟ ମୁଦ୍ରାରେ ଆଶ୍ୱାସନା ଓ ଆଶୀର୍ବାଦ ଦେଇଥାଏ । ଭୀଷଣ ଭୟଙ୍କର ରୂପରେ ସେ ଶିବଙ୍କ ଉପରେ ଦଣ୍ଡାୟମାନା । [3]