From Wikipedia, the free encyclopedia
ଆସାମୀୟ ମାଙ୍କଡ଼ (ଈଂରାଜୀରେ Assam macaque)ର ଜୀବବିଜ୍ଞାନ ନାମ ହେଉଛି ମକାକା ଆସାମେଂସିସ୍ (Macaca assamensis)। ଦକ୍ଷିଣ ଓ ଦକ୍ଷିଣ-ପୂର୍ବ ଏସିଆରେ ଦେଖାଯାଉଥିବା ଏହା ଆଦି ବାନରମାନଙ୍କ ଏକ ଉପ-ପ୍ରଜାତି । ଅବୈଧ ଶିକାର, ଅଧିବାସ କ୍ଷୟ ଓ ବିଚ୍ଛିନ୍ନ ହୋଇଯାଉଥିବାରୁ ଏହି ମାଙ୍କଡ଼ମାନଙ୍କ ସଂଖ୍ୟା ବହୁମାତ୍ରାରେ ହ୍ରାସ ପାଇଛି ଓ ୨୦୦୮ ମସିହାରୁ IUCN ଏହି ବାନର ଉପ-ପ୍ରଜାତିକୁ “Near Threatened“ ଶ୍ରେଣୀଭୁକ୍ତ କରିଛି ।[2]
ଆସାମୀୟ ମାଙ୍କଡ଼ [1] | |
---|---|
Conservation status | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ଜଗତ: | Animalia |
ସଙ୍ଘ: | Chordata |
ବର୍ଗ: | Mammalia |
ଗଣ: | Primates |
କୁଳ: | Cercopithecidae |
ପ୍ରଜାତି: | Macaca |
ଜାତି: | M. assamensis |
ବାଇନୋମିଆଲ ନାମ | |
ମକାକା ଆସାମେଂସିସ୍ (Macaca Assamensis) ଡଃ ଜନ୍ ମେକ୍ଲେଲାଣ୍ଡ୍, ୧୮୪୦ | |
ଆସାମୀୟ ମାଙ୍କଡ଼ମାନଙ୍କ ବ୍ୟାପ୍ତି |
ଆସାମୀୟ ମାଙ୍କଡ଼ର ଲୋମ ହଳଦିଆ-ଧୁସରିଆ ରଙ୍ଗରୁ ଆରମ୍ଭ କରି ଗାଢ଼ ମାଟିଆ ରଙ୍ଗ ଭଳି ବିଭିନ୍ନ ପ୍ରକାରର ହୋଇପାରେ । ଏମାନଙ୍କ ମୁହଁର ରଙ୍ଗ ଗାଢ଼ ମାଟିଆ ବା ବାଇଗଣୀ ରଙ୍ଗର ହୋଇଥାଏ । ଏହି ମାଙ୍କଡ଼ର ଗାଲରୁ କାନ ପଟକୁ ଘଞ୍ଚ ଲୋମ ରହିଥାଏ । ମୁଣ୍ଡଟି ମଝିରେ ଏକ ଉତ୍ତଳ ଗର୍ତ୍ତଦ୍ୱାରା ବିଭାଜିତ । କାନ୍ଧ, ମୁଣ୍ଡ ଓ ବାହୁର ପଶ୍ଚାତ୍ ଭାଗ ଈଷତ୍ ପାଉଁଶିଆ ରଙ୍ଗର । ଏମାନଙ୍କ ଲାଞ୍ଜଟି ଛୋଟ ଏ ଘଞ୍ଚ ଲୋମାବୃତ୍ତ । ମୁଣ୍ଡରୁ ଶରୀରର ଦୈର୍ଘ୍ୟ ୫୧-୭୩.୫ ସେ.ମି. (୨୦.୧-୨୮.୯ ଇଞ୍ଚ୍) ଓ ଲାଞ୍ଜ ପ୍ରାୟ ୧୫-୩୦ ସେ.ମି. (୫.୯-୧୧.୮ ଇଞ୍ଚ୍) ଲମ୍ବା ହୋଇଥାଏ । ବୟସ୍କ ମାଙ୍କଡ଼ମାନଙ୍କ ଶରୀରର ଓଜନ ୫-୧୦ କି.ଗ୍ରା. (୧୧-୨୨ ପାଉଣ୍ଡ୍) ପର୍ଯ୍ୟନ୍ତ ହୋଇଥାଏ ।[3]
ଆସାମୀୟ ମାଙ୍କଡ଼ର ତିନୋଟି ଉପପ୍ରଜାତି ରହିଛି । ନେପାଳରେ ଏକ କ୍ଷୁଦ୍ର ପରିମିତ ଅଞ୍ଚଳରେ ଏହି ମାଙ୍କଡ଼ର ଏକ ଉପ-ପ୍ରଜାତି ଓ ତାହାର ପୂର୍ବ ତଥା ଦକ୍ଷିଣ-ପୂର୍ବ ପଟକୁ ଆଉ ଦୁଇଟି ଉପ-ପ୍ରଜାତି ଦେଖାଯାନ୍ତି । ଉତ୍ତର-ପୂର୍ବ ଭାରତରେ ଦେଖାଯାଉଥିବା ଏହି ମାଙ୍କଡ଼ ଅନ୍ୟ ଦୁଇ ପ୍ରଜାତିଙ୍କଠାରୁ ବିଚ୍ଛିନ୍ନ । ବ୍ରହ୍ମପୁତ୍ର ନଦୀଦ୍ୱାରା ଅନ୍ୟ ଦୁଇ ଉପ-ପ୍ରଜାତିଙ୍କ ଇଲାକା ବିଭାଜିତ ହୋଇଛି ।[4]
ଆସାମ ଓ ନେପାଳରେ ୧୯୭୬, ୧୯୭୮ ଓ ୧୯୮୪ ମସିହାରେ କରାଯାଇଥିବା ବିଭିନ୍ନ ସର୍ବେକ୍ଷଣରୁ ଜଣା ପଡ଼ିଛି ଯେ ପୂର୍ବେ ଆସାମୀୟ ମାଙ୍କଡ଼ମାନେ କ୍ରାନ୍ତୀୟ ଓ ଉପ-କ୍ରାନ୍ତୀୟ ଅରଣ୍ୟର ନଦୀକୂଳିଆ ଅଞ୍ଚଳରେ ଓ ସମୁଦ୍ର ପତନଠାରୁ ପ୍ରାୟ ୨୦୦-୧୮୦୦ ମି. (୬୬୦-୫୯୧୦ ଫୁଟ୍) ଉଚ୍ଚତା ପର୍ଯ୍ୟନ୍ତ ବସବାସ କରୁଥିଲେ । କିନ୍ତୁ କାଳୀଗଣ୍ଡକୀ ନଦୀର ପଶ୍ଚିମ ପଟେ ଏମାନେ ବସବାସ କରୁନଥିବା ଜଣା ପଡ଼ିଥିଲା ।[5] ଭାରତରେ ଏମାନେ ସମୁଦ୍ର ପତନରୁ ୪୦୦୦ ମିଟର୍ (୧୩୦୦୦ ଫୁଟ୍) ଉଚ୍ଚତା ପର୍ଯ୍ୟନ୍ତ କ୍ରାନ୍ତୀୟ ଓ ଉପ-କ୍ରାନ୍ତୀୟ ଅରଣ୍ୟରେ, ଅଳ୍ପ ଚିରହରିତ୍ ଜଙ୍ଗଲରେ, ଶୁଷ୍କ ପର୍ଣ୍ଣମୋଚୀ ଅରଣ୍ୟରେ ତଥା ପାର୍ବତୀୟ ଅରଣ୍ୟମାନଙ୍କରେ ଦେଖାଯାନ୍ତି ।[6] ପାହାଡ଼ିଆ ସ୍ଥାନମାନଙ୍କରେ ଏମାନେ ୧୦୦୦ ମିଟର (୩୩୦୦ ଫୁଟ୍)ରୁ ଉପର ଅଞ୍ଚଳରେ ବସବାସ କରିଥାନ୍ତି । ଅଧିକ ବୃଷ୍ଟିପାତ ହେଉଥିବା ସ୍ଥାନରେ ଏମାନେ ନିମ୍ନ ଉଚ୍ଚତାରେ ମଧ୍ୟ ବସବାସ କରନ୍ତି ଓ ଅଧିକ ଉଚ୍ଚ ସ୍ଥାନକୁ ଯିବା କ୍ୱଚିତ୍ ଦେଖାଯାଏ । ଲାଓସ୍ ଓ ଭିଏତ୍ନାମରେ ଏହି ମାଙ୍କଡ଼ମାନେ ଅଧିକ ଉଚ୍ଚତାରେ (ପ୍ରାୟ ୫୦୦ ମିଟର୍ ବା ୧୬୦୦ ଫୁଟ୍ରୁ ଅଧିକ) ଦେଖାଯାଉଥିବା ବେଳେ ଚୁନ ପଥୁରିଆ ବା ଅନ୍ୟାନ୍ୟ ପଥୁରିଆ ପାହାଡ଼ରେ କମ୍ ଉଚ୍ଚତା ଅଞ୍ଚଳରେ ବସବାସ କରିଥାନ୍ତି ।[2]
ଆସାମୀୟ ମାଙ୍କଡ଼ମାନେ ଦିବାଚର, ବୃକ୍ଷବାସୀ ଓ ବିଭିନ୍ନ ଦଳ ନିଜ ନିଜର ନିଜ ଖାଦ୍ୟ ଅନ୍ୱେଷଣ କ୍ଷେତ୍ର ନିରୂପଣ କରି ସେହି ଇଲାକାରେ ବସବାସ କରନ୍ତି । ଏମାନେ ପତ୍ର, ଫଳ, ଛୋଟ ଅମେରୁଦଣ୍ଡୀ ଜୀବ, ଶସ୍ୟ ଏପରି ପ୍ରାୟ ସବୁ କିଛି ଖାଦ୍ୟ ଖାଇଥାନ୍ତି ।[2]
୨୦୦୨ ମସିହାରେ ଅରୁଣାଚଳ ପ୍ରଦେଶର ନାମ୍ଦାଫା ଜାତୀୟ ଉଦ୍ୟାନରେ ବସବାସ କରୁଥିବା ଭିନ୍ନ ଭିନ୍ନ ୧୫ଟି ଦଳରେ ପ୍ରାୟ ୨୦୯ଟି ମାଙ୍କଡ଼ ରହିଥିଲେ । ଏକ ବର୍ଗ କି.ମି. ପରିମିତ ଅଞ୍ଚଳରେ ଏମାନଙ୍କ ଘନତା ପ୍ରାୟ ୧.୧୧ ଥିଲା ଓ ଏକ ଦଳରେ ହାରାହାରି ୧୩.୯୩ ଜଣ ସଦସ୍ୟ ଥିଲେ ।[7]
ନେପାଳର ଲାଂତାଂ ଜାତୀୟ ଉଦ୍ୟାନରେ ୨୦୦୭ ମସିହାରେ ହୋଇଥିବା ସର୍ବେକ୍ଷଣ ଅନୁସାରେ ୧୧୩ ବର୍ଗ କି.ମି. ପରିମିତ ଅଞ୍ଚଳରେ ଭିନ୍ନ ଭିନ୍ନ ୯ଟି ଦଳରେ ୨୧୩ଟି ଆସାମୀୟ ମାଙ୍କଡ଼ ରହିଥିଲେ । ଦଳର ସଦସ୍ୟ ସଂଖ୍ୟା ୧୩ରୁ ନେଇ ୩୫ ପର୍ଯ୍ୟନ୍ତ ରହିଥିଲା ଓ ଦଳର ହାରାହାରି ସଂଖ୍ୟା ୨୩.୬୬ ନିରୂପିତ ହୋଇଥିଲା । ଦଳମାନଙ୍କରେ ୩୧% ବୟସ୍କା ମାଈ, ୧୬% ବୟସ୍କ ଅଣ୍ଡିରା ଓ ଅବଶିଷ୍ଟ ଭିନ୍ନ ବୟସର ଶିଶୁ ମାଙ୍କଡ଼ ରହିଥିଲେ । ଏମାନେ ମକା, ବିଲାତି ବାଇଗଣ କନ୍ଦ, ଗହମ, କୁତୁ ଶସ୍ୟ, ବାଜରା ଇତ୍ୟାଦି ଖେତରେ ପଶି ଖାଇଯାଉଥିଲେ । [8]
କାଠ ପାଇଁ ଜଙ୍ଗଲ ଉଚ୍ଛେଦ, ବିଭିନ୍ନ ମାନବୀୟ କାର୍ଯ୍ୟକଳାପ, ଅନୁପ୍ରବେଶ, ଅବୈଧ ଶିକାର ଇତ୍ୟାଦି ଏହି ମାଙ୍କଡ଼ମାନଙ୍କ ସଂଖ୍ୟା ହ୍ରାସ ପାଇବାର ମୁଖ୍ୟ କାରଣ । ଖେଳ, ଔଷଧ, ମାଂସ ତଥା ପୋଷା ମନାଇବା ପାଇଁ ଏମାନଙ୍କୁ ଜନ୍ତା ପକାଇ ଧରାଯାଏ ଓ ତଦ୍ଦ୍ୱାରା ମଧ୍ୟ ଅନେକ ମାଙ୍କଡ଼ ମୃତ୍ୟୁବରଣ କରନ୍ତି । କେତେକ ଅଞ୍ଚଳରେ ଦୁଇ ଭିନ୍ନ ପ୍ରଜାତିର ମାଙ୍କଡ଼ମାନଙ୍କ ମଧ୍ୟରେ ସଙ୍କର ପ୍ରଜନନ ଯୋଗୁଁ ମଧ୍ୟ ଏମାନଙ୍କ ସଂଖ୍ୟାରେ ବୃଦ୍ଧି ଘଟୁନାହିଁ ।[9]
ଆସାମୀୟ ମାଙ୍କଡ଼ CITESର ଦ୍ୱିତୀୟ ଅନୁଚ୍ଛେଦରେ ସ୍ଥାନ ପାଇଛି । ଏମାନେ ବସବାସ କରୁଥିବା ସମସ୍ତ ଦେଶରେ ଏମାନଙ୍କୁ ଆଇନଗତ ସୁରକ୍ଷା ପ୍ରଦାନ କରାଯାଇଛି । ଭାରତୀୟ ବନ୍ୟଜୀବ ନୀତିର ଦ୍ୱିତୀୟ ଅନୁସୂଚୀର ପ୍ରଥମ ଭାଗରେ ସ୍ଥାନ ପାଇଥିବା ଆସାମୀୟ ମାଙ୍କଡ଼ ଭାରତରେ ମଧ୍ୟ ଏକ ସଂରକ୍ଷିତ ଜୀବ ।[7]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.