ଆର୍. ମାଧବନ୍
ଭାରତୀୟ ଅଭିନେତା / From Wikipedia, the free encyclopedia
ଆର୍. ମାଧବନ୍ (ଜନ୍ମ: ୧ ଜୁନ ୧୯୭୦), ଜଣେ ଭାରତୀୟ ଅଭିନେତା, ଲେଖକ ଏବଂ ଚଳଚ୍ଚିତ୍ର ପ୍ରଯୋଜକ । ସେ ତିନୋଟି ଫିଲ୍ମଫେୟାର ପୁରସ୍କାର ସହ ଗୋଟିଏ ତାମିଲନାଡ଼ୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି । ଏହିସହିତ ତାଙ୍କୁ ଅନେକ ପୁରସ୍କାର ପାଇଁ ମଧ୍ୟ ମନୋନୀତ କରାଯାଇଥିଲା । ମାଧବନ୍ ସମୁଦାୟ ସାତୋଟି ଭାଷାର ଚଳଚ୍ଚିତ୍ରରେ କାର୍ଯ୍ୟ କରିଛନ୍ତି । ଭାରତୀୟ ଅଭିନେତାମାନଙ୍କ ମଧ୍ୟରେ ଏମିତି କାମ କରିଥିବା କଳାକାର ବିରଳ ।[1][2]
ଆର୍. ମାଧବନ୍ | |
---|---|
ଜନ୍ମ | ମାଧବନ୍ ବାଲାଜୀ ରଙ୍ଗନାଥନ୍ (1970-06-01) ୧ ଜୁନ ୧୯୭୦ (ବୟସ ୫୪) |
ବୃତ୍ତି(ସମୂହ) | ଅଭିନେତା, ଲେଖକ, ପ୍ରଯୋଜକ |
ସକ୍ରିୟ ବର୍ଷ | ୧୯୯୪-ଏବେଯାଏଁ |
ବୈବାହିକ-ସାଥୀ | ସରିତା ବିର୍ଜେ (୧୯୯୯–ଏବେଯାଏଁ) |
ମାଧବନ୍ ୧୯୯୬ ମସିହାରେ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ । ସେ ପ୍ରଥମେ ଦୂରଦର୍ଶନରେ ଜଣେ ଅତିଥି କଳାକାର ଭାବରେ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ । ଜୀ ଟିଭିର ସନ୍ଧ୍ୟାବେଳିଆ ଆସୁଥିବା ନିତିଦିନିଆ ଧାରାବାହିକ ବନେଗି ଅପ୍ନି ବାତ୍ ଜରିଆରେ ସେ ପ୍ରଥମେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ସେ କିଛି ବ୍ୟବସାୟିକ ଏବଂ ଛୋଟ ଭୂମିକାରେ ଅଭିନୟ କରିବାପରେ ତାଙ୍କୁ ତାମିଲ କଥାଚିତ୍ର ଜଗତରେ ଅଭିନୟର ସୁଯୋଗ ମିଳିଲା । ୨୦୦୦ ମସିହାରେ ମୁକ୍ତିଲାଭ କରିଥିବା ମଣି ରତ୍ନମ୍ଙ୍କ ସଫଳ ପ୍ରେମ ଭିତ୍ତିକ ଚଳଚ୍ଚିତ୍ର ଆଲାଇପାୟୁଥାଏରେ ମାଧବନ୍ଙ୍କୁ ସବୁଠାରୁ ବଡ଼ ସଫଳତା ମିଳିଥିଲା । ଏହାପରେ ସେ କିଛି ସଫଳ ତାମିଲ ଚଳଚ୍ଚିତ୍ରରେ ଅଭିନୟ କରି ଅଧିକ ସଫଳତା ସାଉଁଣ୍ଟିଥିଲେ । ୨୦୦୧ ମସିହରେ ଗୌତମ ମେନନ୍ଙ୍କର ପ୍ରଥମ ନିର୍ଦ୍ଦେଶିତ ତାମିଲ ଚଳଚ୍ଚିତ୍ର ମିନ୍ନାଲେ ଏବଂ ମାଦ୍ରାସ ଟକିଜ୍ରେ ମଧବନ୍ଙ୍କୁ ବଡ଼ ସଫଳତା ମିଳିଥିଲା । ଏହାପରେ ସେ ରୋମାଣ୍ଟିକ ନାୟକରୁ ବାହାରି ୨୦୦୨ରେ ମଣି ରତ୍ନମ୍ଙ୍କର ଅନ୍ୟ ଏକ ଚଳଚ୍ଚିତ୍ର କନ୍ନାଥିଲ୍ ମୁଥାମିତ୍ତାଲରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିରେ ସେ ଗୋଟିଏ ପୋଷ୍ୟଗ୍ରହଣ କରିଥିବା ଝିଅର ବାପା ଭୂମିକାରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟିକୁ ସମୀକ୍ଷକମାନେ ପସନ୍ଦ କରିଥିଲେ । ଏହାପରେ ୨୦୦୨ର ଅନ୍ୟ ଏକ ଚଳଚ୍ଚିତ୍ର ଏନ୍. ଲିଙ୍ଗୁସ୍ୱାମୀଙ୍କ ନିର୍ଦ୍ଦେଶିତ ରନ୍ରେ ମାଧବନ୍ଙ୍କୁ ବ୍ୟବସାୟିକ ସଫଳତା ମିଳିଥିଲା । ଏହାପରେ ୨୦୦୩ ମସିହାରେ ଶିବମ୍ ଚଳଚ୍ଚିତ୍ରରେ ମାଧବନ୍ଙ୍କୁ ତାମିଲ ତଥା ହିନ୍ଦୀ କଥାଚିତ୍ର ଜଗତର ପ୍ରତିଷ୍ଠିତ ନାୟକ କମଲ୍ ହାସନ୍ଙ୍କ ସହ ଅଭିନୟର ସୁଯୋଗ ମିଳିଥିଲା । ଏହି ଚଳଚ୍ଚିତ୍ରଟିର କିଛି ଭାଗ ଓଡ଼ିଶାରେ ସୁଟିଂ କରାଯାଇଥିବାବେଳେ ଚଳଚ୍ଚିତ୍ରଟିରେ ଓଡ଼ିଆ ଭାଷା ମଧ୍ୟ ରହିଛି । ଏହି ଚଳଚ୍ଚିତ୍ର ପାଇଁ ମାଧବନ୍ଙ୍କୁ ଶ୍ରେଷ୍ଠ ସହନାୟକ ଭାବରେ ଦୁଇଟି ପୁରସ୍କାର ମଧ୍ୟ ମିଳିଥିଲା । ୨୦୦୪ରେ ଆୟୁଥା ଏଜୁଥୁରେ ମାଧବନ୍ କିଛି ଅନ୍ୟ କଳାକାରମାନଙ୍କ ସହ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ପାଇଁ ମାଧବନ୍ଙ୍କୁ ସମୀକ୍ଷକମାନେ ପସନ୍ଦ କରିଥିଲେ ଏବଂ ତାଙ୍କୁ ଫିଲ୍ମଫେୟାର ପୁରସ୍କାର ମଧ୍ୟ ମିଳିଥିଲା ।
ଏହାପରେ ମାଧବନ୍ ହିନ୍ଦୀ କଥାଚିତ୍ର ଜଗତର ଜଣେ ସକ୍ରିୟ ଅଭିନେତା ଭାବରେ କାର୍ଯ୍ୟ କରିବା ଆରମ୍ଭ କଲେ । ସେ ୨୦୦୬ ମସିହାରେ ରାକେଶ ଓମପ୍ରକାଶ ମେହେରାଙ୍କର ଚଳଚ୍ଚିତ୍ର ରଙ୍ଗ ଦେ ବାସନ୍ତିରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିର ଅମୀର ଖାନ, ସରମନ୍ ଜୋସୀ, ସିଦ୍ଧାର୍ଥ ଆଦି କଳାକାରମାନେ ଅଭିନୟ କରିଥିଲେ । ଏହାପରେ ସେ ୨୦୦୭ରେ ମଣି ରତ୍ନମ୍ଙ୍କର ଚଳଚ୍ଚିତ୍ର ଗୁରୁରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅଭିଶେଷ ବଚ୍ଚନ । ୨୦୧୦ରେ ମାଧବନ୍ ପୁଣିଥରେ ଅମିର ଖାଁ ଏବଂ ସରମନ ଜୋସୀଙ୍କ ସହ ରାଜକୁମାର ହିରାନୀଙ୍କର ଚଳଚ୍ଚିତ୍ର ୩ ଇଡିଅଟ୍ସ୍ରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ଭାରତୀୟ ଚଳଚ୍ଚିତ୍ର ଜଗତର ସବୁଠାରୁ ଅଧିକ ଆୟକାରୀ ଚଳଚ୍ଚିତ୍ର ଥିଲା । ମାଧବନ୍ ଏକାସାଙ୍ଗରେ ହିନ୍ଦୀ ଏବଂ ତାମିଲ କଥାଚିତ୍ର ଜଗତରେ କାର୍ଯ୍ୟ କରିଆସୁଛନ୍ତି । ୨୦୦୭ ମସିହାରେ ମାଧବନ୍ଙ୍କର ନିଜ ପ୍ରଯୋଜନାରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ଏଭାନୋ ଓରୁବନ୍ ଏବଂ ୨୦୦୯ ମସିହାରେ ଦ୍ୱେତ ଭାଷାରେ ମୁକ୍ତିଲାଭ କରିଥିବା ଭୂତ ଚଳଚ୍ଚିତ୍ର ୟଭରମ୍ ନାଲମ୍ ବହୁତ ବଡ଼ ସଫଳତା ପାଇଥିଲା । ଏହାପରେ ମାଧବନ୍ ୨୦୧୧ ମସିହାରେ ମାଧବନ୍ ତନୁ ୱେଡ୍ସ୍ ମନୁ ଓ ୨୦୧୨ରେ ଭେତ୍ତାଇ ଆଦି ବ୍ୟବସାୟିକ ସଫଳ ଚଳଚ୍ଚିତ୍ରରେ ଅଭିନୟ କରିବାପରେ କିଛିଦିନ ପାଇଁ ଅଭିନୟରୁ ବିରତି ନେଇଥିଲେ । ତିନିବର୍ଷର ବିରତି ପରେ ସେ ୨୦୧୫ ମସିହାରେ ତନୁ ୱେଡ୍ସ୍ ମନୁ ରିଟର୍ଣ୍ଣସ୍ରେ ପୁଣିଥରେ ଅଭିନୟକୁ ଫେରିଥିଲେ । ଏହାପରେ ସେ ଦ୍ୱେତ ଭାଷାରେ ନିର୍ମିତ ଚଳଚ୍ଚିତ୍ର ଇରୁଧି ସୁତ୍ତରୁରେ ୨୦୧୬ ମସିହାରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟି କିକ୍ ବକ୍ସିଂ ଉପରେ ଆଧାରିତ ଥିଲା । ଏହି ଚଳଚ୍ଚିତ୍ରରେ ଜଣେ କିକ୍ ବକ୍ସରଙ୍କୁ ମଧ୍ୟ ନାୟିକା ଭାବରେ ନିଆଯାଇଥିଲା । ଏହି ଚଳଚ୍ଚିତ୍ରଟିର ହିନ୍ଦୀ ସଳା ଖଡ଼ୁସ୍ ଭାବରେ ମଧ୍ୟ ମୁକ୍ତିଲାଭ କରିଥିଲା । ମାଧବନ୍ଙ୍କୁ ଏହି ଚଳଚ୍ଚିତ୍ର ପାଇଁ ଫିଲ୍ମଫେୟାର, ଆଇଫା (ଆନ୍ତର୍ଜାତୀୟ ଭାରତୀୟ ଚଳଚ୍ଚିତ୍ର ପୁରସ୍କାର), ସାଇମା (ଆନ୍ତର୍ଜାତୀୟ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ପୁରସ୍କାର)ରେ ଶ୍ରେଷ୍ଠ ନାୟକ ପୁରସ୍କାର ମିଳିଥିଲା ।[3][4][5]
ଅଭିନୟ ବ୍ୟତୀତ ମାଧବନ୍ ତାଙ୍କ ଚଳଚ୍ଚିତ୍ରରେ ଜଣେ ଲେଖକ ଭାବରେ ମଧ୍ୟ କାର୍ଯ୍ୟ କରୁଛନ୍ତି, ଦୂରଦର୍ଶନ କାର୍ଯ୍ୟକ୍ରମ ତଥା ପୁରସ୍କାର ଉତ୍ସବରେ ଉପସ୍ଥାପକ ଭାବରେ କାର୍ଯ୍ୟ କରୁଛନ୍ତି ଏବଂ ବିଭିନ୍ନ ଦ୍ରବ୍ୟର ବିଜ୍ଞାପନରେ କାର୍ଯ୍ୟ କରୁଛନ୍ତି ।[6] ମାଧବନ୍ଙ୍କର ନିଜର ଏକ ଚଳଚ୍ଚିତ୍ର ପ୍ରଯୋଜନା ସଂସ୍ଥା ମଧ୍ୟ ଅଛି । ପରିବେଶ, ସ୍ୱାସ୍ଥ୍ୟ ଏବଂ ଶିକ୍ଷାକୁ ନେଇ ବିଭିନ୍ନ କାର୍ଯ୍ୟକ୍ରମର ପ୍ରଚାର ପ୍ରସାରରେ ମାଧବନ୍ କରୁଛନ୍ତି ।